Unknown

 

 

 

 

 

 

 

 

 

 

 

ଅଷ୍ଟମୀ ଚାନ୍ଦ

ଶ୍ରୀ ରାଜକିଶୋର ପଟ୍ଟନାୟକ

 

 

 

 

 

 

 

 

 

 

 

 

 

ଉପହାର

 

ଏହି ଲେଖକଙ୍କର ପ୍ରକାଶିତ ଉପନ୍ୟାସ

 

୧.

ଅସରନ୍ତି

 

୨.

ସ୍ମୃତିର ମଶାଣି

 

୩.

ବିରହିଣୀ

 

୪.

ପ୍ରେମିକର ଡାଏରୀ

 

୫.

ସଞ୍ଜବତୀ

 

୬.

ଚଲାବାଟ

 

୭.

ସପନ କୁହୁଡ଼ି

 

୮.

ଭସାମେଘ

 

୯.

ସିନ୍ଦୂର ଗାର

 

୧୦.

କଜଳ ଗାର

 

୧୧.

ଅଷ୍ଟମୀ ଚାନ୍ଦ

 

 

 

 

ପ୍ରକାଶିତ କ୍ଷୁଦ୍ରଗଳ୍ପ ପୁସ୍ତକ’

 

 

 

୧୨.

ପଥୁକି

 

୧୩.

ଶାଳଗ୍ରାମ

 

୧୪.

ତୁଠପଥର

 

୧୫.

ଭଡ଼ାଘର

 

୧୬.

ହୃଦୟର ବନ୍ଧନ

 

୧୭.

ନିଶାଣ ଖୁଣ୍ଟ

 

୧୮.

କଳ୍ପନାର ଫୁଲ

 

୧୯.

ପଥର ଢିମା

 

 

 

 

ଅନ୍ୟାନ୍ୟ

୨୦.

ପ୍ରେମର ନିୟତି

 

୨୧.

ପଞ୍ଜୁରୀ ପକ୍ଷୀ

 

 

 

 

ପ୍ରକାଶ ଅପେକ୍ଷାରେ

 

 

 

 

(କ)

ହଜିଲା ବାଟ

 

(ଖ)

ପ୍ରେମିକାର ଡାଏରୀ

󭨕𗰵𗰵

 

ଶ୍ରୀଯୁକ୍ତ

 

ରାମାରଞ୍ଜନ ମହାନ୍ତି

କରକମଳେଷୁ !

 

ଦିନମଜୁରିଆ ଶ୍ରେଣୀର ଓକିଲାତି ଜୀବନରେ ସୌଖିନ ସାହିତ୍ୟିକର କରୁଣ ସ୍ପର୍ଶ ମରିଗଲା ।

 

ସେଇ ଜୀବିକାବାହୀ ଜୀବନର ଅହେତୁକ ସନ୍ଦେହ ଓ ଅଯୌକ୍ତିକ ବିଷଣ୍ଣତା ମଧ୍ୟରେ ସାଧାରଣ ଦୃଷ୍ଟିକୋଣ ମଧ୍ୟ ବିଭଙ୍ଗ ହୋଇ ବସା ବାନ୍ଧିଲା । ସେଥିଭିତରେ କଳିଷଠା ଆଖପାଖ ବୟସ ବୋହି ଆପଣ ଅଦ୍ୟାବଧି ନିର୍ମଳ ହୃଦୟର ସରସତା, ସ୍ନେହଶୀଳତା ଓ ସାହିତ୍ୟିକର ରସାପ୍ଳୁତ ପ୍ରାଚୁର୍ଯ୍ୟ ରଖିଛନ୍ତି । ଏତକ ମନକୁ ବାରମ୍ବାର ଛୁଏଁ ।

 

ପୁଣି ମନେପଡ଼େ ମୋର ନାଟକପଢ଼ା ବହି ତାଲିକାର ଆପଣଙ୍କର ନାଟକ ‘ଗୌଡ଼ ବିଜେତା’ ।

 

ମୋର ଏଇ ‘ଅଷ୍ଟମୀ ଚାନ୍ଦ’ ବହିଟିକୁ ଦୟା କରି ଗ୍ରହଣ କରିବେ ।

 

ରାଜକିଶୋର

୧୦ । ୧୦ । ୬୪

󭨕𗰵𗰵

 

ଅଷ୍ଟମୀ ଚାନ୍ଦ

 

ଆଜିର ଏଇ ଅସରନ୍ତି ଯୋଜନାବିସ୍ତାରୀ ଯୁଗରେ ନାରୀ ତା’ର କମନୀୟତା ନୂଆ ରୂପରେ ଦେଖାଉଛି ।

 

କମନୀୟତା ଗୋଟିଏ ପ୍ରକାରର ସୌନ୍ଦର୍ଯ୍ୟ । ଗ୍ରହୀତାର ମନର ଭାବ ଏଇ ରସବୋଧର ଆଧାର । ଗ୍ରହୀତା ମଧ୍ୟ ବଦଳି ଯାଉଛି ।

 

‘ଅଷ୍ଟମୀ ଚାନ୍ଦ’ର ନିହାରବାଳା ସତେ କ’ଣ ସେମିତି ବହିର ପ୍ରକାଶ କାଳ ସମୟରେ ସେହିପରି ଦେଖା ଦେଉଛି ?

 

ଦେଖା ଦେଇପାରୁଥିଲେ—ଏଇ ଲେଖାଟି ସାର୍ଥକ ହୋଇଛି ବୋଲି ମନେ କରିବି ।

 

ରାଜକିଶୋର ପଟ୍ଟନାୟକ

୧୦ । ୧୦ । ୬୪

󭨕𗰵𗰵

 

ମୋର କହିବାର କଥା...

 

ଅହଙ୍କାର ଓ ଅହମିକା ନାନା କାରଣରୁ ବିଧେୟ, ବାଞ୍ଛନୀୟ ଓ କରଣୀୟ ନୁହେଁ ।

 

‘ପ୍ରଜାତନ୍ତ୍ର ପ୍ରଚାର ସମିତି’ରେ ଲେଖା ବିଷୟରେ ଆସ୍ଫାଳନ କରି ଦୀର୍ଘ ପାଞ୍ଚ ବର୍ଷ ମଧ୍ୟରେ ଧାଡ଼ିଏ ବି ଲେଖିପାରି ନାହିଁ ।

 

ଏହି ବହିଟି ୧୯୫୯ର ଲେଖା । ଏହାର ଦ୍ୱିତୀୟ ଭାଗ ଲେଖା ହେବା ସମ୍ଭବ ।

 

ଶାନ୍ତିନିବାସ

ରାଜକିଶୋର ପଟ୍ଟନାୟକ

ପୁରୀଘାଟ, କଟକ-୧

୧୦।୧୦।୫୯

󭨕𗰵𗰵

 

 

 

 

 

 

 

 

 

 

 

 

 

ଲୋକର ପଢ଼ିବା ମତାମତ

 

ଲୋକେ ବଡ଼ ଅଦ୍ଭୁତ କଥା କହନ୍ତି—ନିହାର ଓ ସଞ୍ଜୟ ବିଷୟରେ । ସଞ୍ଜୟ ନିହାରକୁ ଭୁଲି ପାରୁନାହିଁ । ତା’ର କାରଣ ସ୍ୱରୂପ ସେମାନେ କହନ୍ତି—ନିହାର ସଞ୍ଜୟକୁ ଭୁଲେଇଥିଲା ।

 

ସତେ କ’ଣ ଭୁଲି ନପାରିବା ସାଙ୍ଗରେ ଭଲପାଇବା ଗୁନ୍ଥି ହୋଇ ରହିଛି ? ଭୁଲି ନପାରିବା ସାଙ୍ଗରେ ଭୁଲେଇ ଦେବା ଏକାଠି କ’ଣ ମିଶିଯାଇଛି ? ଖରାପ ସ୍ତ୍ରୀଲୋକ ସତରେ କ’ଣ ଭୁଲାଇପାରେ ଯାହାକୁ ସମସ୍ତେ ଭଲ ବୋଲି କହନ୍ତି, ସେଇ ଏକା କ’ଣ ମନେ ରହେ ? ସେ କାହାକୁ ଭୁଲାଇ ନାହିଁ ବୋଲି ।

 

ହସ୍‌ପିଟାଲର ନର୍ସ ନିହାରବାଳା । ତା’ର ଯୌବନର ସେଇ କେତୋଟି ବର୍ଷ—ସେହି କଥାଟି ବାରମ୍ୱାର ନିଜକୁ ପଚାରିଥିଲା । ସଞ୍ଜୟ ସେମିତି ନିଜକୁ ବହୁତ ଥର ପଚାରିଛି । ଦୁହେଁ ମିଶି ବହୁତ ଲୋକଙ୍କୁ ଅଲଗା ଅଲଗାରେ ପଚାରିଛନ୍ତି ।

 

ନିହାରବାଳା ସଞ୍ଜୟକୁ ଭୁଲାଇଛି ବୋଲି ସଞ୍ଜୟ ସେହି ନର୍ସଟିକୁ ମନେ ରଖିଛି । ଲୋକେ ଥଟ୍ଟାଟାପରା କରନ୍ତି । ସେ ସେମାନଙ୍କ କଥାକୁ ମାନିଯାଏ କିନ୍ତୁ ତାଙ୍କର ଦେଖିବା, ଶୁଣିବା ଓ ଜାଣିବାର ବାହାରେ ସେ ନିହାରବାଳାକୁ ମନେରଖିଛି ।

 

କେହି ତ ଠିକଣା ଉତ୍ତର ଦେଇ ନାହାନ୍ତି । ସମସ୍ତେ ବଡ଼ ଅନୁଭବୀ ପରି ନିଜ ଅନୁଭବର ଉଦାହରଣ ଦେଇ ଅନ୍ୟଠାରୁ ଶୁଣିବା କଥାର ପ୍ରମାଣ ଦେଖାଇ ଏକପ୍ରକାରରେ ଏକା କଥା କହିଛନ୍ତି । ଚରିତ୍ରହୀନା ନାରୀ ପକ୍ଷରେ ସବୁବେଳେ ଏଇ ଗୋଟିଏ କଥା ସମ୍ଭବ । ସେ ଭୁଲାଇବାରେ ପାରଙ୍ଗମ । ଭୁଲିବାରେ ପାରଙ୍ଗମ । ଅନ୍ୟ ଲୋକକୁ ଭଲ ନ ପାଇ ନିଜପ୍ରତି ସେମାନଙ୍କର ଭଲ ପାଇବା ଟାଣିଆଣିବାରେ ଧୁରନ୍ଧର । କଳଙ୍କିନୀ ପକ୍ଷରେ ସବୁ ସମ୍ଭବ ।

 

କଳଙ୍କିନୀ ହୋଇଥିବ ତ ! ନ ହେଲେ ସେ କାହିଁକି ଚମ୍ପକ ଗୋରୀ ନ ହୋଇ ଶ୍ୟାମଳୀ ତନ୍ୱୀ ହୋଇଥାନ୍ତା ? ସେ କାହିଁକି ଆଖିରେ ବିଜୁଳି ଖେଳାଇ ପାରନ୍ତା ? କଥା କହି ସେ ହୃଦୟରେ ଚୁମ୍ୱକ କାହିଁକି କାଢ଼ି ପାରନ୍ତା...ସେ ନିଶ୍ଚୟ କଳଙ୍କିନୀ ।

 

ସମସ୍ତେ କଣ ଏକାପରି ଭୁଲ କରନ୍ତେ ? ସମସ୍ତେ ତ କହିଛନ୍ତି କଳଙ୍କିନୀ ନର୍ସ ହୁଏ; ଆଉ ନର୍ସ ହେଉଛି କଳଙ୍କର ଅବତାର । ତାର ଭିତରଟା କଳଙ୍କ । ବାହାରେ ସେ ବୋଳିଥାଏ ସେବାର ଗୋଟାଏ ଲୋକ ଦେଖାଣିଆ ରଙ୍ଗ । ନ ହେଲେ ନିହାରବାଳା ନର୍ସ ଏତେ ଯତ୍ନରେ କାହିଁକି ନିଜକୁ ସଜାଇ ରଖିଥାନ୍ତା ? ତାରି ଶ୍ୟାମଳ ବର୍ଣ୍ଣକୁ ଢାଙ୍କି ନ ପାରିଲେ ବି ସେ କାହିଁକି ସେଥିରେ ଏତେ ପରିପାଟୀ କରି ସୌନ୍ଦର୍ଯ୍ୟ ବଢ଼ାନ୍ତା ?

 

ରୂପ ସହିତ କଳଙ୍କର ବନ୍ଧୁତା ଥିଲେ ନିହାରବାଳାର ରୂପର କାନ୍ତି କାହିଁକି ବାରମ୍ୱାର ବଦଳି ଥାନ୍ତା ? ସେ କାହିଁକି ଶ୍ୟାମଳୀରୁ ଗୌର ବର୍ଣ୍ଣ ସମ୍ପୂର୍ଣ୍ଣ ରୂପେ ନ ପାଇଲେ ବି ଶ୍ୟାମଳିମାକୁ ଦୂର କରି ପାରିଥିଲା ତ ।

 

ଯେତେବେଳେ ସେ ନିଷ୍ପାପ, ନିରପରାଧ ଓ ଅନଭିଜ୍ଞ ସେତେବେଳେ ତାର ବର୍ଣ୍ଣ ସେହି କଳଙ୍କିନୀର ଛାପ ନେଇ ସେମିତି ରହିଥିଲା । ଦୁନିଆର ଲୋକ ତାରି ଉପରେ ଅପବାଦ, ଅପଯଶ ଓ ଅପନିନ୍ଦାର କାଳିଆ ଅସନା ରଙ୍ଗ ମନ ଇଚ୍ଛା ବୋଳିଲା ପରେ ସେ ତ ସେମିତି ଜନ୍ମରୁ ପାଇଥିବା ରୂପ-ବିଭବ ଅକ୍ଷୁର୍ଣ୍ଣ ରଖି ପାରିଥିଲା ।

 

ଓକିଲ ଯେମିତି ଚୋର, ପୋଲିସ ସେମିତି ମିଛୁଆ, ଡାକ୍ତର ମଣିଷମାରୁ, ନର୍ସ ହେଉଚି ଅସତ୍‌ ଚରିତ୍ର । ସେ ପରିବାରର ଶାନ୍ତି ଶୃଙ୍ଖଳା ଭାଙ୍ଗି ନଷ୍ଟ କରିଦେବାକୁ ଜନ୍ମପାଇଛି । ସେ ଅନ୍ୟ ଦୁର୍ଗୁଣର ଅଧିକାରୀ ହୋଇ ପାରି ନ ଥିଲା, ଖାଲି ଚରିତ୍ରହୀନତାକୁ ଛାଡ଼ି ।

 

ପ୍ରତିଦିନ ବାରମ୍ୱାର ଦର୍ପଣ ଆଗରେ ଠିଆ ହୋଇ ସେ ନିଜକୁ ହସି ପଚାରେ—ହେଇ ଦେଖ୍‌, ନିହାରବାଳା ନର୍ସ...ଦୁଶ୍ଚରିତ୍ରା, ଚରିତ୍ରହୀନା ।

 

ଦର୍ପଣ ଭିତରେ ତାର ସେହି କମନୀୟ ଆଖି ଦୁଇଟି ସେମିତି ନିରପରାଧର ଦୁଶ୍ଚିନ୍ତା, ଅନଭିଜ୍ଞନର ବିମୂଢ଼ତା ଦେଖାଇ ଚାହିଁ ରହନ୍ତି ।

 

ନିହାରବାଳା ନିଜକୁ ଦେଖେ । ମନ ସାଙ୍ଗରେ ଦୁଃଖ ସୁଖ ହୁଏ । ଇଚ୍ଛାହେଲେ ଦୂରରୁ ଡାକ୍ତରଖାନା କୋଠାକୁ ଚାହେଁ । ବେଳେବେଳେ ଅତୀତକୁ ମନେ ପକାଏ....ଚାରିଆଡ଼ ଖୋଜେ । ରୋଗୀ ମୁହଁରେ ରୋଗର ଚିହ୍ନ ଖୋଜିଲା ପରି ସେ ନିଜର...ଚରିତ୍ରକୁ ମନ ଭିତରେ ଓଲଟ ପାଲଟ କରେ—ଚରିତ୍ରର ରୋଗ କେଉଁଠି ଅଛି, ଖୋଜି ବାହାର କରିବାକୁ ।

 

ଠିକ୍‌ ତା’ର ନାଁ ପରି ଚରିତ୍ର ଜିନିଷଟି ବି ଅସ୍ପଷ୍ଟ । କିଏ ଖାଇବାରେ ଚରିତ୍ର ଦେଖେ—ଅଖାଦ୍ୟ ଖାଇଲେ ଚରିତ୍ର ନଷ୍ଟହୁଏ । ପିନ୍ଧିବାରେ କିଏ ଚରିତ୍ର ଦେଖେ—ଚଳୁଥିବା ପ୍ରଥାରୁ ଅଲଗା ପ୍ରକାରର ପିନ୍ଧିଲେ ଚରିତ୍ର ନଷ୍ଟ ହୋଇଯିବାର ଶୁଣାଯାଏ । ନୂଆ ପ୍ରକାରରେ ମୁଣ୍ଡବାନ୍ଧିବା, ଆଖି ଝଲସିଆ ଗହଣା ପିନ୍ଧିବା, ମନ ଉତ୍ତେଜକ ବହିପଢ଼ିବା ଆଉ ଅପରକୁ ଉତ୍ତେଜନା ଦେବାପରି ନିଜକୁ ସଜାଇବା ଘୋର ଚରିତ୍ରହୀନତାର ଲକ୍ଷଣ ।

 

ମଣିଷ ନିଜେ ପାଣିରେ ବୁଡ଼ି ଥଣ୍ଡା ଜର ଆଣିବା ଚରିତ୍ରର ଦୋଷ ନୁହେଁ । ବକତେ ଖାଇବାକୁ ନପାଇଲେ ଆକଶ ପବନ କମ୍ପେଇବା ଚରିତ୍ରର ଦୋଷ ନୁହେଁ । ଲାଞ୍ଚ ନେଇ କୁଟୁମ୍ୱ ପୋଷିବା, ଚୁଗୁଲି ଖଚ କହି ଚାକିରିରେ ଉନ୍ନତି କରିବା ଅବା ଘୁଷ୍‌ ଦେଇ ମକଦ୍ଦମା ଜିଣିବା ଚରିତ୍ରହୀନତା ନୁହେଁ ।

 

ତାରି ପାଖ ଦେଇ ଝରକା ଦୁଆର ଭିତରେ ବାରମ୍ୱାର ଘରଚଟିଆ ଉଡ଼ିଆସନ୍ତି । ଘରଭିତରେ ଏଣେତେଣେ ଲୁଚିଥିବା ଛୋଟ କୀଟପତଙ୍ଗକୁ ଟୁଙ୍କି ଖାଇଯାଆନ୍ତି...ନିହାର ପଚାରେ–ଏଠି ତ ତେବେ ଏଇ ପୋକଗୁଡ଼ାକ ଚରିତ୍ରହୀନ । ସେମାନେ ଏ ଉତ୍ତେଜନା ଦେଲେ କାହିଁକି-? ଘରଚଟିଆଗୁଡ଼ିକଙ୍କର ଚେଁ ଚେଁ ଶବ୍ଦ ଶୁଣି ସେ ନିଜକୁ କହେ—ଏମାନଙ୍କର ଦୋଷ ନାହିଁ-। ଏମାନେ ନିଷ୍କଳଙ୍କ, ସତ୍‌ଚରିତ୍ର । ସବୁ ଦୋଷ ଏଇ କୀଟ-ପତଙ୍ଗଙ୍କର ।

 

ପୁଣି ଚମକି ପଡ଼ି ନିଜକୁ ପଚାରେ—ଦୋଷ କ’ଣ ମୋର ?...ହବ ତ । ମୁଁ ଦୁଆର ଖିଡ଼ିକି ମେଲା ନକରିଥିଲେ ଚଟିଆଗୁଡ଼ିକ ଭିତରେ ପଶିଥାନ୍ତେ କେମିତି ? ସରଳ, ସଚ୍ଚରିତ୍ର, ନିରପରାଧ ପକ୍ଷୀଗୁଡ଼ିକ ଚରିତ୍ରହୀନ ହୋଇଥାନ୍ତେ କାହିଁକି ? କୀଟପତଙ୍ଗଙ୍କର ଦୋଷ ନାହିଁ । ସେମାନେ ପରଦା ଉହାଡ଼ରେ ଲୁଚି ରହିଥିଲେ । ସେମାନେ ଉତ୍ତେଜିତ କରିନାହାନ୍ତି । କରିଛି ନିହାରବାଳା—ନର୍ସ ।

 

ପୁଣି ମନେ ପଡ଼େ—ଟିକିଏ ଭୁଲ ରହିଗଲା । ଚଢ଼େଇ ତ ପୋକଙ୍କୁ ଖାଇବ । ସେମାନେ ତ ଆସିଲାବେଳେ ପ୍ରେମିକ ପ୍ରେମିକା ପରି ଯୁଗଳ ସାଜି ଆନନ୍ଦରେ, ହସଖୁସିରେ ହାତ ଧରାଧରି ହୋଇ ଆସିଲା ପରି ଆସିଥିଲେ। ତାଙ୍କର ଆହାର ଖୋଜିଲାବେଳେ ସମାନେ ପରଦା ଖୋଲି ଆଲମାରି ସନ୍ଧିରୁ କଡ଼ି-ବରଗାର ଖୋପ ଭିତରୁ ବେଶ୍‌ ଖୁଣ୍ଟି ଖାଇଗଲେ ।

 

ଚରିତ୍ରର ଦୋଷ କେଉଁଠି ରହିଲା ? ନିହାରବାଳା ନିଜର ସ୍ୱାମୀଙ୍କର ଦେହ ଆଢ଼ୁଆଳରେ ନରହି ପରଦା ଖୋଲି ନିଜର ସ୍ୱାମୀ ବଳରାମ ବାବୁଙ୍କଠାରୁ ଦୂରକୁ ଆସିଥିଲା ବୋଲି ସେ ଚରିତ୍ର ହରାଇଛି । —କଳଙ୍କିନୀ ଆଖ୍ୟା ପାଇଛି ।

 

ପ୍ରଥମେ କଳଙ୍କ ବୋଳିଥିଲା ସେ ନିଜ ଦେହରେ । ତା’ର ଶାଶୁ ଶ୍ୱଶୁରଙ୍କର ବହୁବାଞ୍ଛିତ, ବହୁ ଆଶାର ମୂର୍ତ୍ତି ପୁଅ ବଳରାମକୁ ଭଲ ନପାଇ । ତା’ପରେ ବୋଳିଲା ସେ ନିଜ ପରିବାରରେ କଳଙ୍କ—ଯେତେବଳେ ବାପ, ମା’ଙ୍କ କଥାରେ, ଖୁସିମନରେ ପୁଣି ବଳରାମ ବାବୁଙ୍କ ପାଖକୁ ଫେରି ନଗଲା ।

 

ନଗଲା ତ ନାହିଁ । ନିଜ ଜନ୍ମକଲା ପିଲାକୁ ନେଇଗଲା । ସାଙ୍ଗରେ...ସେ ତ ଆଉ ଗୋଟାଏ କଳଙ୍କର ଗାର । କଳଙ୍କି ଲଗା ଲୁହା, ଭଲ ଲୁହା ସାଙ୍ଗରେ ଲାଗିରହିଲେ ଯେମିତି କଳଙ୍କ ବୋଳି ଦିଏ; ସେମିତି ସିଏ ତ ନିଜେ କଳଙ୍କିନୀ । ସେ ଯାହାକୁ ପାଖରେ ଧରି ରଖିବ ସିଏ କଳଙ୍କିତ ନହେଲେ ଆଉ କ’ଣ ତାର କିଛି ଉପାୟ ଅଛି ?

 

ସବୁଆଡ଼ୁ ସମସ୍ତଙ୍କୁ ହତାଶକରି ସେ ଆସି ଜୀବନର ଛକ ଉପରେ ଠିଆହେଲାବେଳେ ତାକୁ କହୁଥିବା ବାପଘର ଓ ଶାଶୁଘରର ଲୋକେ ମନଭିତରେ ଭାବି, ପରସ୍ପରକୁ କହି, ଈଶ୍ୱରଙ୍କୁ ପ୍ରାର୍ଥନା ଜଣାଇ କେବଳ ଗୋଟିଏ କଥା କହିଥିଲେ—ନିହାର ମରିଛି । ଯଦି ମରି ନଥାଏ; ତେବେ ସେ ଶୀଘ୍ର ମରିଯାଉ ।

ସେ ସନ୍ଦେହରେ ପଡ଼ିଲା ପରି ନିହାରବାଳା ନିଜର ସେତେବେଳର ଅଠର ବର୍ଷର ରୂପ, ଯୌବନ, ବୟସ ଓ ଅଭିଜ୍ଞତାକୁ ପଚାରିଥିଲା—ନିହାରକୁ ଛୁଟି ଦେବୁ ?

କେହିତ କିଛି କହି ନଥିଲେ ।

ଆଗ ସାମ୍ନା ରାସ୍ତାରେ ଘର ପାଖ ନଳାର ପଙ୍କ ଉପରେ ବେଙ୍ଗଗୁଡ଼ିଏ ଖେଳୁଥିଲେ । ଭୋକିଲା ଆଖିରେ କୁକୁର ଦିଓଟି ଯାଉଥିଲେ । ରିକ୍‌ସାବାଲାଟିଏ ଉତ୍ସାହରେ ଗୁଡ଼ିଏ କାଠ ବୋହି ଜୀବନକୁ ପଣକଲା ପରି ରିକ୍‌ସାଟିକୁ ଟାଣୁଥିଲା...ସେମାନଙ୍କର ତ ଆତ୍ମହତ୍ୟାର ଅଧିକାର ନାହିଁ । ଆତ୍ମାହତ୍ୟାର ବାଟ ଖାଲି ନିହାରବାଳା ପାଇଁ ।

ସେଇଦିନ ସେ ନିଜକୁ ପଚାରିଥିଲା—କଳଙ୍କିନୀର ଅପମୃତ୍ୟୁ, ଆଶୁମୃତ୍ୟୁ ଆଉ ସ୍ୱେଚ୍ଛା-ମୃତ୍ୟୁ—କେତେ ପ୍ରକାରର ମୃତ୍ୟୁ ଛଡ଼ା ଆଉ କିଛି ତ ନାହିଁ ? ତା’ର ନିଶ୍ୱାସ ପ୍ରଶ୍ୱାସ ଏକାବେଳେକେ ଅର୍ଥହୀନ । ତା’ର ଖାଇବା, ପିନ୍ଧିବା, ଦେଖିବା, ଶୁଣିବା ଓ ଶୋଇବା ଚେଇଁବା ସେମିତି ନିରର୍ଥକ ।

କାରଣ ତା’ର ଚରିତ୍ର ନାହିଁ । ବଳରାମ ବାବୁଙ୍କୁ ଭଲପାଇ ପାରିଲା ନାହିଁ । ସେତେବେଳେ ସେ ନିଶ୍ଚୟ ଚରିତ୍ରହୀନା ।

ହଁ, ହବତ । ପରୀକ୍ଷାରେ ଫେଲ ହେଲେ ପଢ଼ାପିଲାଗୁଡ଼ାକ ଏକାଦିନକେ ବୁଦ୍ଧିହୀନ ହୋଇଯାଆନ୍ତି । ଚାକିରି ପାଇ ନପାରିଲେ ବେକାର ହୁଅନ୍ତି । ଧନ ଦୌଲତ କମାଇ ନପାରିଲେ ବେକୁବ୍‌ରେ ଗଣା ହୁଅନ୍ତି । ନିଜର ସଂସାର ଭଲକରି ରଖି ନପାରିଲେ ବୁଦ୍ଧିହୀନ ହୋଇଯାଆନ୍ତି ।

ସଂସାରର ଜାଣିବା ଲୋକେ ଗୁଣଦୋଷ ଦେଖି ଫଳକୁ ଚିହ୍ନି ବାହାର କରନ୍ତି ନାହିଁ । ଫଳ ଦେଖି ଗଛକୁ ଚିହ୍ନନ୍ତି । ସେମିତି କାମର ସାର୍ଥକତା ଦେଖି ସେଥିରୁ ଦୋଷଗୁଣ କାଢ଼ନ୍ତି ।

ତାଙ୍କରି ପରି ଜଣେ ହୋଇ ଏତେ ସମୟ, ଏତେ ପ୍ରକାର ଭାବି ସୁଦ୍ଧା ନିହାରବାଳା ତା’ର ଚରିତ୍ରକୁ ଯେତେବେଳେ ଠଉର କରି ପାରୁ ନଥିଲା—ସେ ଚରିତ୍ରହୀନା ବୋଲି । ସଂସାରର ସମସ୍ତେ ଗୋଟିଏ ମୁହଁରେ, ଏକ ସ୍ୱରରେ କେମିତି କହିପାରୁଥିଲେ ଯେ ନିହାର ଚରିତ୍ରହୀନ, ଦୁଶ୍ଚରିତ୍ରା ଓ କଳଙ୍କିନୀ ?

ସ୍ୱାମୀ ବଳରାମ ବାବୁ ରାଗ, କ୍ରୋଧ ଓ ପ୍ରତିହିଂସା ସବୁ ପ୍ରକାରର ସ୍ୱର ଏକାଠି ମିଶାଇ ସମସ୍ତଙ୍କୁ କହିଥିଲେ—ନିହାର, ଯେତେବେଳେ ସ୍ୱାମୀଙ୍କୁ ଭଲ ପାଇ ପାରିଲା ନାହିଁ, ବଳରାମର ଭାଗ୍ୟ ସାଙ୍ଗରେ, ତା’ର ସୁଖ ଦୁଃଖ ସାଙ୍ଗରେ ନିଜକୁ ଗୁନ୍ଥି ପାରିଲା ନାହିଁ, ସେତେବେଳେ ସ୍ପଷ୍ଟ ବୁଝାପଡ଼ିଲା—ନିହାରବାଳା ଚରିତ୍ରହୀନା ଓ କଳଙ୍କିନୀ ।

ନର୍ସ ହଷ୍ଟେଲର କୋଠରୀ ଭିତରେ ମୁଣ୍ଡ ଉପରେ ବୋବାଉଥିବା ଚଟିଆଗୁଡ଼ିକୁ ଚାହିଁ ଦର୍ପଣରେ ନିଜକୁ ଦେଖି ଯୁବତୀ ନର୍ସ ନିହାରବାଳା ଭାବୁଥିଲା—ସେ କଳଙ୍କିନୀ ।

କଳଙ୍କିନୀ ନ ହୋଇ ଆଉ କିଛି କ’ଣ ସେ ହୋଇ ପାରିବ ? ଦୁନିଆରେ ସମସ୍ତେ ତାଙ୍କୁ କଳଙ୍କିନୀ ବୋଲି ଡାକୁଛନ୍ତି । ଆଉ କ’ଣ କେହି ତାକୁ ଅନ୍ୟ ନାଁରେ ବୁଝିବେ କି?....ବୁଝିବେ ନାହିଁ-। ନିହାରକୁ କଳଙ୍କିନୀ ବୋଲି ନକହିଲେ ସେମାନଙ୍କର ଜ୍ଞାନ ଓ ଜ୍ଞାନର ପ୍ରକାଶ ପ୍ରମାଦପୂର୍ଣ୍ଣ ହୋଇଯିବ । କଳଙ୍କିନୀ ବୋଲି ନ କହିଲେ ଲୋକେ ସେମାନଙ୍କର ଚରିତ୍ରକୁ ସନ୍ଦେହ କରିବେ-

 

ତେବେ ଆଉ ସେଇ ବ୍ୟାଖ୍ୟାର ସତ ମିଛ ଉପରେ ମନକୁ ବିରକ୍ତ ନକରି ଦୁନିଆର ଲୋକଙ୍କର କଥା ମାନିଯିବା ଭଲ । ସେ ହସି ନିଜକୁ କହିଥିଲା ଆଙ୍ଗୁଠି ଦେଖାଇ—ଏଇ ହେଉଛି ନିହାରବାଳା ଓରଫ କଳଙ୍କିନୀ ଦେବୀ ।

 

ସେଇ କଳଙ୍କର ତ ପୁଣି ପ୍ରଭାବ ଅଛି । ରୂପ, ରସ, ଗନ୍ଧ ଓ ସ୍ୱାଦ ଛଡ଼ା କଳଙ୍କିନୀ ବଞ୍ଚିବ କେମିତି ? ସଞ୍ଜୟ ସେଥି ଭିତରୁ ଜଣେ । ଅଳ୍ପ ବୟସରେ ଅଭିଜ୍ଞତା ଉଣାଥିଲା ବେଳେ ସଞ୍ଜୟ ସାଙ୍ଗରେ ନିହାରବାଳର ଦେଖା ହୋଇଥିଲା । ସେଇ ଦିନୁ ନିହାର ଭୁଲେଇ ରଖିଛି ସଞ୍ଜୟକୁ । ସେ ବର୍ଷକୁ ବର୍ଷ ନିଜ ଜୀବନରେ ଗୋଟିଏ ଗୋଟିଏ କରି ବୟସର ରେଖା ଟାଣିଛି । ଦରମା ଦେଇ ବିଶ୍ୱବିଦ୍ୟାଳୟର ପାଠ ଅଧ୍ୟାୟେ ଅଧ୍ୟାୟେ କରି ଶେଷ କରିଛି । ବର୍ଷକୁ ବର୍ଷ ନିଜର ଆୟ, ସମ୍ପଦ ଓ ଅଭିଜ୍ଞତା ବଢ଼ାଇଛି । କିନ୍ତୁ ସଞ୍ଜୟ ଗୋଟିଏ କଥା ଛାଡ଼ି ପାରି ନାହିଁ—ସେ ହେଉଛି କଲଙ୍କିନୀର କଳଙ୍କ ଦାଗ ।

 

ସଞ୍ଜୟ ନିହାରବାଳାକୁ ଭୁଲପାରି ନାହିଁ । ସେଥିରୁ କ’ଣ ସ୍ପଷ୍ଟ ପ୍ରମାଣ ହେଲା ନାହିଁ ଯେ ନିହାର କଳଙ୍କିନୀଙ୍କର ଶିରୋମଣି । ତା’ର ସ୍ପର୍ଶ, ତା’ର ଚାହାଣୀ ଓ ତା’ର ବ୍ୟବହାର ତାନ୍ତ୍ରିକର ବନ୍ଧନଠାରୁ ଦୃଢ଼ । ସଂକ୍ରାମକ ରୋଗୀଠାରୁ ଅଧିକ ଉତ୍କଟ । ନିହାର ହେଉଛି ଛଳନାର ପ୍ରତିମୂର୍ତ୍ତି । ଅଭିନୟର ଜୀବନ୍ତ ରୂପ ।

 

ନିହାର ଭୁଲାଇପାରେ । କିନ୍ତୁ ଶିଖାଇ ପାରେ ନାହିଁ । ନିହାରବାଳା ସମସ୍ତଙ୍କୁ ଭୁଲିପାରେ । କିନ୍ତୁ ତାକୁ ଭୁଲି ପାରୁନାହିଁ ସଞ୍ଜୟ । କଳଙ୍କିନୀ ହେଲେ ବି ସେ ସମସ୍ତଙ୍କୁ ଭଲ ପାଇପାରେ । କିନ୍ତୁ ତାକୁ ଭଲ ପାଇବାର ଅଧିକାର ସଞ୍ଜୟର ନାହିଁ ।

 

କାରଣ ବଳରାମ ବାବୁଙ୍କ କଥାରେ ଏକମତ ହୋଇ ସମସ୍ତେ ତ କହିଥିଲେ—ନିହାରବାଳା ନାରୀ ନୁହେଁ, ସେ ବିଷ । ସେ ନାରୀ ନୁହେଁ—ସେ କୁଳଟା । ନିହାରକୁ ଚିହ୍ନିଥିବା ଲୋକ ନିଶ୍ଚୟ ସବୁବେଳେ ବିପଦଗ୍ରସ୍ତ ।

 

ନିହାରକୁ ଦେଖିଲେ, ସଞ୍ଜୟକୁ ମନେପକାଇ, ଜାଣିବା ଲୋକେ ଦୁଃଖିତ ହୁଅନ୍ତି । ନିହାର କେମିତି ପ୍ରଲୁବ୍ଧ କରିପାରେ, କେମିତି ପ୍ରଲୋଭନ ଦେଖାଇପାରେ, ପୁରୁଷର ବିବେକକୁ କେମିତି ନଷ୍ଟ କରିଦେଇ ପାରେ, ଅନଭିଜ୍ଞ ଲୋକର ଭବିଷ୍ୟତ କେମିତି ଉଜାଡ଼ି ଦେଇପାରେ—ପ୍ରତ୍ୟେକର ଉଦାହରଣ ହେଉଛି ନର୍ସ ନିହାରବାଳା ।

 

ନିହାର ବି କେତେଥର ବିବ୍ରତ ହୋଇ ଭାବିଛି ଯେ ତା’ର ସେଇ ପରିଷ୍କାର ପରିଚ୍ଛନ୍ନ ଜୀବନରେ ସଞ୍ଜୟ ହେଉଛି ଗୋଟିଏ କଳଙ୍କ । ଦୁନିଆରେ ସେଇ ଜଣେ ଲୋକ ଯେ ନିହାରବାଳାର ମୁହଁ ଉପରର ତିଳଚିହ୍ନପରି ସମସ୍ତଙ୍କର ଆଖି ଆଗରେ ନିହାରରେ ଗୋଟିଏ ନିଶାଣ । କଳଙ୍କିନୀ ଦେହରେ କଳଙ୍କ ଲଗାଯାଇ ପାରେ ।

 

ନିହାରବାଳା ଜୀବନରେ ଏମିତି ଅଲିଭା ଅକ୍ଷରରେ, ଅଲିଭା ରଙ୍ଗରେ କଳଙ୍କ ଲଗାଇବାର କି ଅଧିକାର ସଞ୍ଜୟର ଥିଲା ? ଯାଦୁ ବିଇଞ୍ଚିରର ଘା ବଥର ଦାଗ ପରି, ସଞ୍ଜୟ କାହିଁକି, ନିହାରବାଳାର ଶୁଭ୍ର ସତେଜ, ଶ୍ୟାମଳ ରୂପ ସୌଷ୍ଠବର ସମ୍ଭାର ଉପରେ ଲାଗି ରହିଥିବ–ବନ୍ଧନର ଦାଗ ପରି ?

 

ଦୁଇଟି ପରିବାରର ବନ୍ଧନ ନିହାରବାଳାକୁ ଜନ୍ମରୁ ଆଜିଯାଏ ବାନ୍ଧି ଦେଇଥିଲା । ଗୋଟିଏ ପାଖରେ ବାପ ମା, ଆର ପାଖରେ ଶ୍ୱଶୁର ଶାଶୁ । ସେମାନେ ତ ଏମିତି ଶିଙ୍କୁଳି ଦାଗ ଓ ବନ୍ଧନର ଚିହ୍ନ ରଖି ପାରିଲେ ନାହିଁ । ସେ ବନ୍ଧନ ଖୋଲିଲାପରେ ନିହାର ବହୁଲୋକ ଦେଖିଛି, ବହୁଦେଶ ବୁଲିଛି । କିନ୍ତୁ କେହି ତ ତାକୁ ଏମିତି ସଞ୍ଜୟ ପରି କଳଙ୍କିନୀ କରି ପାରି ନାହାନ୍ତି । ସେତକ ସମ୍ଭବ ହେଲା ଗୋଟିଏ ସଚ୍ଚରିତ ପୁରୁଷ ପକ୍ଷରେ ।

 

ସଞ୍ଜୟ କେବଳ ଭଲ ପାଇଥିଲା ନିହାରକୁ । ସଞ୍ଜୟଠାରୁ ହିମାଳୟର ଚୂଡ଼ା ଓ ଆକାଶର ଚାନ୍ଦ ଯେତିକି ଦୂରରେ ଥିଲେ, ନିହାରବାଳା ମଧ୍ୟ ସେତିକି ଦୂରରେ ରହିଥିଲା । ତାଙ୍କ ଭିତରେ ଦୂରତାର ବ୍ୟବଧାନ ହେଉଛି ପ୍ରୀତିର ବ୍ୟବଧାନ—ଭଲ ପାଇବାର ଦୂରତ୍ୱ ।

 

କଳୁଷଭରା ପ୍ରୀତି ଯେତିକି ଦେହର ବ୍ୟବଧାନ କମାଇଦିଏ, ନିର୍ମଳ ଅନାବଳି ପ୍ରୀତି ଦୂରତ୍ୱ ସେତିକି ବଢ଼ାଇ ଦିଏ । ଲୋକେ ହସନ୍ତି । କିନ୍ତୁ ନିହାର ଓ ସଞ୍ଜୟ ଉଭୟେ ଜାଣନ୍ତି ଯେ ନିହାର ପରି; କଳଙ୍କିନୀକୁ ଥରେ ହେଲେ ନଛୁଇଁ ନିହାରବାଳାର ପାଦତଳେ ସଞ୍ଜୟ ନିଜର ପ୍ରୀତି ଅର୍ଘ୍ୟ, ହୃଦୟଭରା ପ୍ରାଣ-ପ୍ରାଚୁର୍ଯ୍ୟ, ଖାଲି ଶୁଭମନାସ ଓ ଶୁଭେଚ୍ଛା ଆକାରରେ ଢାଳି ଦେଇଛି ।

 

ବର୍ଷାଦିନର ଆକାଶ ନିହାରବାଳା ଉପରେ ପାଣି ଅଜାଡ଼ିଲା ପରି, କୂଳ ଉଛୁଳାଇ ବୋହି ଯାଉଥିବା ବଢ଼ିଲା ନଈ ନିହାରକୁ ଗାଧୋଇ ଦେଲାପରି, ସଞ୍ଜୟ ତା’ର ଉଛୁଳା ହୃଦୟର ସମସ୍ତ ପ୍ରୀତିର ଫୁଲ ଆଣି ଥୋଇ ଦେଇଛି ନିହାରବାଳାର ପାଦ ପାଖରେ ।

 

ସବୁ ଗୁଡ଼ିକ ଫୁଲ ନିହାରକୁ ଛୁଇଁ ନାହାନ୍ତି । କିନ୍ତୁ କଳଙ୍କିନୀ ନିହାରବାଳା ନର୍ସ କେତେ ପାଇବାର ଦାବୀଦାର ସେ କଥା ନ ଭାବି ସଞ୍ଜୟ ତାହାର ଅପରିଣତ ଓ ପରିଣତ ବୟସର ସବୁ କାମନାର ଫୁଲ ଓ ନୈବେଦ୍ୟ ଆଣି ରଖି ଦେଇଥିଲା ନିହାରବାଳା ପାଖରେ ।

 

ସଞ୍ଜୟ କିଏ, ତା’ର ସେମିତି ପ୍ରେମ-ନିବେଦନ କରିବାର ଯଥାର୍ଥତା ଅଛିକି ନାହିଁ; ନିହାରବାଳା ସଞ୍ଜୟଠାରୁ ଏଇ ପୂଜା ଗ୍ରହଣ କରିବ କି ନାହିଁ—ଏଇସବୁ ସମସ୍ୟା ମୋଟେ ଉଠି ନଥିଲା ।

 

କେଜାଣି କେତେ ଯୁଗର, ଜନ୍ମର ବନ୍ଧୁପରି ପ୍ରଥମ ଦେଖାରୁ ସଞ୍ଜୟ ନିହାରବାଳା ପାଖରେ ନିଜକୁ ସେମିତି ରଖି ଦେଇଥିଲା । ପ୍ରଥମ ଦେଖାର ଆବେଗ ତା’ର କଟି ନାହିଁ... ।

 

ମନେ ପଡ଼ିଲେ ଦୁହେଁ ଚମକି ପଡ଼ନ୍ତି । ସଞ୍ଜୟ ଭାବେ ବୃଥାଟାରେ ସେ ନିହାରବାଳାକୁ ଭୁଲେଇ; ତାକୁ ଭଲ ପାଇବାର ଛଳନା କରି ନିହାରକୁ ସେ ନିଜର ଅଧୀନ କରି ରଖିଛି । ତାର ଚରିତ୍ରରେ କଳଙ୍କ ଲଗାଇଛି ।

 

ଭଲ ପାଇବାର ଦାଗ ଏତେ ସହଜରେ ପୋଛି ଦେଇ ହୁଏ ନାହିଁ । ନିଷ୍କଳଙ୍କ ଓ କଳଙ୍କିତ ଉଭୟଙ୍କୁ ସେ ଚିରଦିନ ପାଇଁ ଦାଗ ଦେଇପାରେ ।

 

ଭଲ ପାଇ ନଥିଲା ବୋଲି ନିହାରବାଳା ହୋଇଥିଲା କଳଙ୍କିନୀ । ପୁଣି ସେମିତି ସଞ୍ଜୟକୁ ଭଲ ପାଇଥିଲା ବୋଲି ସେ ବି ହୋଇଥିଲା କଳଙ୍କିନୀ । ଯେତେ ଯାହା ଯେମିତି କଲେବି ନିହାରବାଳା ଆଦ୍ୟରୁ ଶେଷଯାଏ ସେହି ଗୋଟିଏ ରୂପରେ ରହିଗଲା ।

 

ଚମ ଉପରେ ଶ୍ୟାମଳିମା, ମନ ଉପରେ କଳଙ୍କ, ଦୁଇଟି ଦିଗରେ ସେ ଅସୁନ୍ଦର—ଦେହ ଆଉ ମନରେ ।

 

ଦେଖିଲା ଲୋକେ ପଚାରନ୍ତି ପରସ୍ପରକୁ । ନିହାରବଳାର କ’ଣ ଅଛି ଯେ ସେ ଏମିତି ଏତେ ଲୋକକୁ ଏତେ ଦିନ ପାଇଁ ଭୁଲେଇ ରଖି ପାରୁଛି ? ତାକୁ ଚରିତ୍ରହୀନା ବୋଲି ଜାଣି ମଧ୍ୟ କେମିତି ସଞ୍ଜୟ ପରି ଲୋକ ବି ତାକୁ ଝୁରି ହେଉଛନ୍ତି ? ଆଉ ତାର ଦୋଷ ଦେଖି ପାରୁ ନାହାନ୍ତି-?

 

ୟା’ର ତ ଉତ୍ତର ଭାରି ସହଜ । ସିଏ କଳଙ୍କିନୀ, ସିଏ ମାୟାବିନୀ । ମନର ମାୟା ହେଉଛି ଚରିତ୍ରର କଳଙ୍କ । ମାୟା କହ, କଳଙ୍କ କହ, କୁହୁକ, ତନ୍ତ୍ର, ମନ୍ତ୍ର ଯାହା କହ, ସେ ସବୁ ଠୁଳ ହୋଇଛି ନିହାରବାଳା ପାଖରେ । ସେ ଗୋଟିଏ ବୁଢ଼ିଆଣୀ ଜାଲ ।

 

ନିହାରକୁ ଦେଖିଲେ କିଛି ତ ମିଳେ ନାହିଁ । ବୟସ ତ ଊଣା ନୁହେଁ । ସେଥିରେ ସେହି ଆଖି ଜିଣା ଛଟା ନାହିଁ । କଥା ତ ସଙ୍ଗୀତ ପରି ଶୁଭେ ନାହିଁ । ଯୋଗ୍ୟତା କିଛି ନାହିଁ । ଦେଖିବାକୁ ସେ ଗୋଟିଏ ଅତି ସାଧାରଣ ନାରୀ । ଜୀବିକା କହ କି ବୃତ୍ତି କହ—ସେ ବି ତ ଅତି ସାଧାରଣ ।

 

ଏମିତି ଗୋଟିଏ ସାଧାରଣ ନାରୀ ଅନ୍ୟର ମନକୁ ଅଧିକାର କରିବାର ଏତେ ଅସାଧାରଣ ପ୍ରତିଭା କୁଆଡ଼ୁ ପାଇଲା ? ଏତେ ଲୋକଙ୍କୁ ସେ କେମିତି ନିଜର କରି ରଖିପାରିଲା ? ଆଉ ଏଣେ ନିଜର ଲୋକ ଦୂର ହୋଇଗଲେ—ପର ହୋଇଗଲେ ?

 

ପରିବାରର କ୍ଷୁଦ୍ର ପରିସର ଯାହାପାଇଁ ଅନ୍ଧକୂପ ହୋଇ ଯାଇଥିଲା ସେଇ ପୁଣି ବିରାଟ ପରିବେଶରେ ନିଜକୁ ଆନନ୍ଦର ଉତ୍ସ ରୂପେ ଥୋଇ ପାରିଥିଲା ।

 

ଦଶହରା ଶେଷ । ସଞ୍ଜୟ ହସ୍‌ପିଟାଲରେ ନାମ ଲେଖାଇଲା ।

 

କଲେଜକୁ ପ୍ରଥମ ଥର ଗଲାବେଳେ ତା’ର ମନରେ ଥିଲା ଉତ୍ସାହ । ଜୀବନର ଲକ୍ଷ୍ୟ ପରିପୂର୍ଣ୍ଣ ହେବ । କିନ୍ତୁ ହସ୍‌ପିଟାଲକୁ ଗଲାବେଳେ ତା’ର ଆଶଙ୍କା ଆସିଥିଲା—କାଳେ ସେଇଠି ଅପରେସନ ଟେବୁଲରେ ତା’ର ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିବ ।

 

ଖେଳିଲାବେଳେ ତଳ ପେଟରେ ମାଡ଼ଖାଇ ତା’ର ଦେହ ଉପରେ ଡାକ୍ତରଙ୍କ ହତିଆର ଲାଗିବା ଦରକାର ହୋଇଛି । କୌଣସି ଅଙ୍ଗ ପ୍ରତ୍ୟଙ୍ଗ ନିଖୁଣ ନଥିଲେ ସରକାର ଚାକିରି ଦେବେ ନାହିଁ—ସେ ଯିବ ପରୀକ୍ଷା ଦବାକୁ ।

 

କି ବିଷମ ସରକାର—ଏଣେ କହିବେ ଫୁଟବଲ, ହକି, କ୍ରିକେଟ ନ ଖେଳିଲେ ତମର ଯୋଗ୍ୟତା ସମ୍ପୂର୍ଣ୍ଣ ହେଲାନାହିଁ । ଆଉ ଖେଳୁ ଖେଳୁ ତମର ଦେହରେ କୌଣସି ଖୁଣ ବାହାରିଲେ ତମେ ଯେତେ ଯୋଗ୍ୟତା ହାସଲ କରିଥାଅ ନା କାହିଁକି, ତମେ ଉପଯୁକ୍ତ ନୁହଁ ।

 

ନହେଲେ ସଞ୍ଜୟ କାହିଁକି ଡାକ୍ତରଖାନା ଖୋଜିଥାନ୍ତା ? ସେଇ କୋଠାକୁ ସେ ବହୁତ ଥର ଯାଇଛି—କଲେଜର ଖେଳାଳି ରୂପେ ଖେଳିବା ପାଇଁ ଆଉ ସାଧାରଣ ଜ୍ଞାନ ବଢ଼ାଇବାକୁ ।

 

ପରୀକ୍ଷାରେ ସବୁ ରକମର ଜ୍ଞାନ ଦରକାର—ଡାକ୍ତରଙ୍କର ଦାୟିତ୍ୱ କ’ଣ ଡାକ୍ତରଖାନା କେମିତି ହବା ଉଚିତ, ଚିକିତ୍ସାର କି ଉନ୍ନତି ଦରକାର, ଚିକିତ୍ସା ଶାସ୍ତ୍ର କିପରି ଭାବରେ ଉନ୍ନତି କରୁଛି ଇତ୍ୟାଦି ।

 

ଏ ସବୁ ଜାଣିବାକୁ ସେ ଡାକ୍ତରଖାନା ଦେଖିଥିଲା—ଡାକ୍ତରଙ୍କୁ ଦେଖିଥିଲା । ରୋଗର ଚିକିତ୍ସାପାଇଁ ସେ ସେମାନଙ୍କ ସହିତ ପରିଚୟ କରିଥିଲା । କିନ୍ତୁ ନିଜେ ନିଜର ଉନ୍ନତି କରିବାକୁ ଡାକ୍ତରଖାନାକୁ ରୋଗୀ ହୋଇ ଆସି ନଥିଲା...ସେ ଆସିଛି ରୋଗୀ ହୋଇ ।

ମନରେ ରୋଗୀର ଆଶଙ୍କା—ତାକୁ ଅଚେତ କରି ତାର ଉପରେ ଅସ୍ତ୍ର ଚଳାଇବେ । ଅସ୍ତ୍ର ଚିକିତ୍ସା ଯେତେ ସହଜ ହେଲେବି ଏକାବେଳକେ ତ୍ରୁଟି ଶୂନ୍ୟ ହୋଇନାହିଁ । ଅସ୍ତ୍ର ଚିକିତ୍ସା ସଫଳ ନହେଲେ ବା କୌଣସି ପ୍ରକାରର ଅବହେଳା ରହିଗଲେ ସେ ବହୁତ ଦିନ ଭୋଗିବ ।

ଏଇସବୁ ଆଶଙ୍କା ଭିତରେ ସଞ୍ଜୟ ନିଜର ଆଶାର ସୌଧ ଗଢ଼ିଥିଲା । ସମସ୍ତଙ୍କୁ ପଚାରେ ଉଦବେଗ ଦେଖାଇ—କିଛି ଖରାପ ହେବ ନାହିଁତ ? ତମର ଅପରେସନ ହୋଇଥିଲା ପରା !

—ହବ ଗୋଟାଏ କ’ଣ ? ଆଠ ଦଶ ଦିନରେ ଫେରି ଆସିବ । ଡାକ୍ତରଖାନା ତ ଠିକ୍‌ ଘର ପରି...ଘରେ ଅବା ସେବା କରିବାକୁ କେହି ନାହାନ୍ତି, ସେଠି ପାଇବ କଅଁଳ ମୁହଁ, କଅଁଳ ହାତ ଆଉ ମିଠାକଥା ।

ଶୁଣିଲେ ବି ସଞ୍ଚୟର ମନ ଟଣକେ ନାହିଁ ।

—କଣ ଭାବୁଛ ! ଭାରି ଭଲରେ ଭଲରେ ଦିନ କଟିବ । ମୁଁ ଯାଇଥିଲି ଯେ ଆସିଲା ବେଳେ ଆଉ ଛାଡ଼ିବାକୁ ଇଚ୍ଛା ହେଲା ନାହିଁ । ମୋର ଚିହ୍ନା ହୋଇଥିଲା ଦିଦିମଣିଙ୍କ ସାଙ୍ଗରେ... ସେ କେଡ଼େ ସୁନ୍ଦର କରି କହିଥିଲେ—ହଉ, ଚାଲିଯିବେ ?

—ମତେ ଭାରି ଭୟ ଲାଗୁଛି ।

ହସି ବନ୍ଧୁଟି କହିଥିଲା—ଭୟ ଲାଗେ ବୋଲି ଡାକ୍ତରଖାନାରେ ଟେବୁଲ ଉପରେ ଫୁଲ ଆଉ ଚଟାଣ ଉପରେ ଶୁଶ୍ରୁଷାକାରିଣୀମାନଙ୍କୁ ସରକାର ଆଣି ରଖାଇଛି...ଖାଲି ତୁମରିମାନଙ୍କ ପରି ଛନଛନିଆ ରୋଗୀ ହେଲେ ଡାକ୍ତରଖାନା ଉଠିଲା ଜାଣ ।

ଏତେ ଶୁଣି ମଧ୍ୟ ସଞ୍ଜୟର ମନ ତେଜି ଉଠିଲା ନାହିଁ । କଳ୍ପନା କରୁଥିଲା ଗୋଟିଏ ବନ୍ଦୀଶାଳା । ସେଠି ସେ ବନ୍ଦ ହୋଇ ରହିବ ଆଉ ମାଡ଼ ପାଇବ....ଫୁଲ କି ଆଉ ନାରୀ ଥିଲେ କେତେ ଆଉ ନଥିଲେ କେତେ ?

ସଞ୍ଜୟ ସବୁ ଶୁଣି ହସ୍‌ପିଟାଲକୁ ଯାଇଥିଲା । ହସ୍‌ପିଟାଲରେ ଜାଗା ପାଇବା ଗୋଟାଏ ସମସ୍ୟା...ଜଣେ ରୋଗୀ ଯାଇଛି । ସଞ୍ଜୟ ଖାଲି ବିରୁଣାଚାଦରଟା ବଦଳା ହେଲାପରେ ସେହି ଖଟିଆକୁ ପାଇଲା ।

ସମସ୍ତେ ରୋଗୀ । ରୋଗ ଏକାଠି ପିମ୍ପୁଡ଼ି ମନ୍ଦାପରି ଜମି ରହିଛି । ବିଛଣା ଚାଦର ଉପରେ ମଇଳା ଦାଗ ନ ହେଲେ ବି ଦାଗ ଲାଗିଥାଏ । ସଞ୍ଜୟ ଆସି ବିଛଣା ଉପରେ ବସିଲା । ସେତେବେଳକୁ ଦିନ ବାରଟା ।

କୌଣସି ନର୍ସ ନାହାନ୍ତି । ଡିଉଟିରେ ଥିବା କେତେଜଣ ବୟସ୍କ ଅସୁନ୍ଦର ନାରୀ ନିଜକୁ ସିଷ୍ଟର ବୋଲାଇ ଏଣେ ତେଣେ ହେଉଥାଆନ୍ତି । ଜଣେ ଆସି କହିଲା—ଟିକିଏ ପରେ ନମ୍ୱର ଇତ୍ୟାଦି ମିଳିବ ।

 

ସଞ୍ଜୟ ଚାହିଁଥିଲା ସିଷ୍ଟରର ଦାଢ଼ି ନିଶକୁ । ଏମିତି ଲୋମଶ ନାରୀ ସେ କେବେ ଦେଖି ନ ଥିଲା ।

 

ସିଷ୍ଟରଙ୍କ ଦେହରେ ଗୋଡ଼ରୁ ମୁଣ୍ଡଯାଏ ବଗପରି ଧଳା ପୋଷାକ । ଅଣ୍ଟାରେ ହୁଇସିଲ ବାନ୍ଧିଥାନ୍ତି । ବେକରେ ଠାକୁର ଜପିବା ପାଇଁ ମାଳା ପଡ଼ିଛି । ଲୁଗା ଉପରେ ବେକରେ ଓହଳାଇଛନ୍ତି କ୍ରୁଶ । ମୁହଁଟି ଶେଥା ପଡ଼ିଯାଇଛି ବୟସର ଚାପାରେ ।

 

ସଞ୍ଜୟ ମୁହଁ ବୁଲେଇ ନେଲା । ଏମିତି ଏଡ଼େ ଅସୁନ୍ଦର ସ୍ତ୍ରୀମାନଙ୍କୁ ଡାକ୍ତରଖାନାରେ ରଖାହୋଇଛି କାହିଁକି ?

 

ପାଖ ଖଟିଆର ଗୋଟିଏ ରୋଗୀ ସିଷ୍ଟର ଗଲାପରେ ଧୀରେ କହିଲା ଏଇ ସିଷ୍ଟର ଭାରି କାମିକା । ଜଣେ ଡାକ୍ତରଙ୍କ କାମ ସେ ଏକା ଉଠେଇ ପାରନ୍ତି । ଭାରି ପରିଶ୍ରମୀ ।

 

—ଆଉ ଟିକିଏ ସୁନ୍ଦର ହୋଇଥିଲେ ଭଲ ହୋଇଥାନ୍ତା ।

 

—ସଞ୍ଜୟ କହିଲା ।

 

—ନର୍ସ ଓ ସିଷ୍ଟର ଅତି ସୁନ୍ଦର ହେବା ଠିକ୍‌ ନୁହେଁ । ସୁନ୍ଦରୀମାନେ ମୋଟେ କାମ କରନ୍ତି ନାହିଁ ।

 

—ଆଉ କଣ ଏମିତି ଅସୁନ୍ଦର ଲୋକଗୁଡ଼ିଏ ଆଣି ରୋଗୀଙ୍କୁ ଦେଖାଇବ—ସେମାନଙ୍କର ଦାଢ଼ି ନିଶ.... ରୋଗୀମାନେ ଭଲ ହୋଇଯିବେ । ଏବେ ଡାକ୍ତରଖାନାରେ ଫୁଲ ରହିବ ବୋଲି ହୁକୁମ ହୋଇଛି । ରୋଗୀର ମନ ଖୁସି ରହିଲେ ସେ ଶୀଘ୍ର ଭଲ ହୋଇଯିବ । ଟିକିଏ ଗମ୍ଭୀର ହୋଇ ସେଇ ପାଖ-ଖଟିଆର ରୋଗୀଟି ମୌନ ରହିଲା । ସଞ୍ଜୟ ପଚାରିଲା କିଛି କହିଲେ ନାହିଁ ଯେ ?

 

—ଆପଣ ଏବେ ଯୁବକ...ଯୁବକ ବି ହୋଇ ନାହାନ୍ତି, ତରୁଣ । ଆପଣ ଭାବୁଥିବେ ସଂସାରରେ ସୌନ୍ଦର୍ଯ୍ୟ ହେଉଛି ବଡ଼ କଥା । ବଡ଼ ହେଲେ ବୁଝିବେ, ସୌନ୍ଦର୍ଯ୍ୟ ଖାଲି ଦେଖିବାକୁ ଭଲ—କାମକୁ ନୁହେଁ ।

 

ଉତ୍ସାହରେ ସଞ୍ଚୟ କହିଲା ଯୋଉ ମଣିଷକୁ ଆଖି ଚାହିଁବାକୁ ଇଚ୍ଛା କରିବ ନାହିଁ, ହାତ ଛୁଇଁବାକୁ ରାଜି ହେବ ନାହିଁ...ସେଇ ମଣିଷ କି କାମରେ ଲାଗିବ ?

 

—ସୌନ୍ଦର୍ଯ୍ୟ ବୁଝିବାର ବୟସ ମୋର ନାହିଁ...କହି ସେ ହସିଲେ....ଆପଣ ଦେଖିବେ ଯେ ଆପଣଙ୍କ ଦେହ ଖରାପ ଥିଲାବେଳେ ଆପଣଙ୍କର ବେଶି ଦରକାର ହେବ ସେବା—କାମକୁ ସୁନ୍ଦର ହୋଇଥିବା ଲୋକ । ସେତେବେଳେ ମୁହଁ ସୁନ୍ଦର କେହି ଆସି ଠିଆ ହେଲେ ଆପଣଙ୍କୁ ବିରକ୍ତ ଲାଗିବ । ...ଆପଣ ଦେଖିବେ ଯେ ନୂଆ ହୋଇ କେତେଜଣ ନର୍ସ ଆସୁଛନ୍ତି । ତାଙ୍କୁ ପୋଷକ ମିଳି ନାହିଁ । ମନ୍ଦ ଦିଶୁ ନାହାନ୍ତି ।

 

—ହେଲେ ସେମିତି ଜଣେ ଲୋକ ଆସି ଏବେ ଆମକୁ ଏତେକ କହିଥିଲେ କ’ଣ ହୋଇ ନଥାନ୍ତା....ଭଲ ହୋଇ ଥାଆନ୍ତା ।

 

—ସେମାନେ ତରୁଣୀ । ସେବା ଚିକିତ୍ସା ବିଷୟରେ କଥା କହିବାକୁ ଚାହାନ୍ତି ନାହିଁ...ଆମରି ଓ୍ୱାଡ଼କୁ ଜଣେ ଆସିଛି । ସେ’ତ ଡାକ୍ତରଖାନାର କୌଣସି ଜିନିଷ ଛୁଇଁବାକୁ ରାଜି ଥିଲାପରି ଜଣା ପଡୁନାହିଁ । ଆପଣ ସେହିପରି ଲୋକକୁ ଖୋଜୁଛନ୍ତି ମନେ ମନେ...ଆପଣ କରନ୍ତି କ’ଣ ?

 

ସଞ୍ଜୟ ମୁହଁ ଶୁଖାଇ କହିଲା—ପଢ଼ୁଛି କଲେଜରେ ।

 

—ଓ, ସେ କଥା କହୁ ନାହାନ୍ତି । କେତେକ ଛାତ୍ରବନ୍ଧୁ ଆସନ୍ତି ଗଳ୍ପ ଲେଖିବାର ଉପାଦାନ ସଂଗ୍ରହ କରିବାକୁ...ଆପଣଙ୍କର ଦେହ କ’ଣ ହୋଇଛି ? ...କିଛି ଦିଶୁ ନାହିଁ ତ ?

 

—ମୋର ଅପରେସନ ହେବ ?

 

—ବୁଝିଲି । ଏବେ ବହୁତ ଛାତ୍ର ଅସ୍ୱାଭାବିକ ଉପାୟରେ ଚଳିବାରୁ ସେମାନଙ୍କର ଅପରେସନ ଦରକାର ହେଉଛି...ପୁଣି କେତେ ଲୋକ ନିଜର ଅସ୍ୱାଭାବିକ ମନକୁ ଆନନ୍ଦ ଦେବାପାଇଁ ଡାକ୍ତରଖାନାରେ ରୋଗୀ ହେବାକୁ ଚାହୁଁଛନ୍ତି ।

 

ପ୍ରତିବାଦ କରି ସଞ୍ଜୟ କହିଲା—ଖେଳିଲାବେଳେ ମାଡ଼ ବାଜି ମୋର ଦେହ ଖରାପ ଅଛି । ଅପରେସନ ଦରକାର...ମୁଁ ଯିବି ଦିଲ୍ଲୀକୁ ପରୀକ୍ଷା ଦେବାକୁ । ରେଲବାଇର ପରୀକ୍ଷା ।

 

—କି ଚାକିରି ?

 

—ଏମିତି । ଏଠି ଚାରିବର୍ଷ ବିଲାତରେ ବର୍ଷେ । ଦରମା ହଜାରରୁ ଦି’ ହଜାର, ତିନିହଜାର ଯାଏ...ଦେହଟା ଖରାପ ହେଲା ।

 

—ମୋତେ କ୍ଷମା କରିବେ । ମୁଁ ଆପଣଙ୍କୁ ଭୁଲ ବୁଝିଥିଲି, …..ଭାବିଥିଲି ଯେ ଆପଣ କବି କି ଲେଖକ ହୋଇଥିବେ । ଲେଖାପାଇଁ ଉପାଦାନ ସଂଗ୍ରହ କରିବାକୁ ଆସିଛନ୍ତି ।

 

—ମୁଁ ତ ଲେଖେ ନାହିଁ । ମୁଁ କଣ କବି ଭଳିଆ ଦେଖାଯାଉଛି କି ?

 

ହସି ସେ କହିଲେ—ଆପଣ ତରୁଣ । ଆପଣ ଦେଖିବାକୁ ସୁନ୍ଦର । ଆପଣଙ୍କର ବେଶ ପୋଷାକ ସିନେମା ଥିଏଟରକୁ ଯିବାପରି । ମୁଁ ଭାବିଲି ହୁଏତ କୌଣସି ବଡ଼ ଡାକ୍ତରଙ୍କୁ କହି ବୋଲି ଆପଣ ଏହି ଖଟିଆର ରୋଗୀକୁ ଶୀଘ୍ର ଶୀଘ୍ର ବିଦାୟ କରି—ଦେଇ ଆସିଲେ ।

 

ନିଜ ନିନ୍ଦା ଓ ପ୍ରଶଂସା ଏକାଠି ଶୁଣି ସଞ୍ଜୟ ଚମକି ପଡ଼ିଲା । ଭଦ୍ରଲୋକଟିର ପ୍ରତ୍ୟେକ କଥାରେ ଅଭିଯୋଗ । ବ୍ୟବହାରରେ ସନ୍ଦେହ । ସାମ୍ନା ଓ ପାଖରେ ଥିବା ରୋଗୀଗୁଡ଼ିକ ଅତି ଅପରିଷ୍କାର ଦିଶୁଛନ୍ତି । ସେ ଭାବିଥିଲା ଭଲ ବେଡ୍‌ଟାଏ ପାଇଛି...କିଛି ମିଳିଲା ନାହିଁ । ଆରମ୍ଭରୁ ଅଶାନ୍ତି ।

 

ସିଷ୍ଟର ଆସି ଦାଢ଼ି ନିଶ ଦେଖାଇ କହିଥିଲା—ମୁଁ ଗୋଟିଏ ନାରୀ । କିନ୍ତୁ ତାଙ୍କୁ ଦେଖିଲେ ଭଲ ପାଇବାର ଅସରନ୍ତି ଭଣ୍ଡାର ଶୁଖିଯିବ । ଭଦ୍ରଲୋକଟି ଏଣେ ସନ୍ଦେହ କରୁଛନ୍ତି ଯେ ସଞ୍ଜୟ ଯୁବତୀ ତରୁଣୀ ଦେଖି ନଥିଲା ଯେ ଦେଖିବାକୁ ଆସିଛି । ଆସିବା ପୂର୍ବରୁ ଯୋଉ କଥା ତା’ର କଲେଜ ବନ୍ଧୁଟି କହିଥିଲେ, ଏଇ ରୋଗୀ ଭଦ୍ରଲୋକଟି ଠିକ୍‌ ସେହି କଥା କହୁଛନ୍ତି ।

 

ଓ୍ୱାର୍ଡ ଭିତରେ ଔଷଧର ଦୁର୍ଗନ୍ଧ ନାକପୁଡ଼ା ବି ସହିପାରୁ ନଥାଏ । ସେ ବିବ୍ରତ ହେବାର ଦେଖି ଭଦ୍ରଲୋକଟି କହିଲେ—ପ୍ରଥମେ ଡାକ୍ତରଖାନାକୁ ଆସିଲେ ମଣିଷ ପଳାଇବାକୁ ଚାହେଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଦିନେ ଦୁଇଦିନ ପରେ ଏଇ ଦୁର୍ଗନ୍ଧ, ପଚାସଢ଼ା ମଣିଷର ଦେହ ଆଉ ଏଠି ଚଳପ୍ରଚଳ ହେଉଥିବା ବୁଲାକୁକୁର ଓ ଅର୍ଥ-ଗୃଧ୍ରମାନଙ୍କୁ କେମିତି କେଜାଣି ମନ ସହିଯାଏ ।

 

—ଅର୍ଥ-ଗୃଧ୍ର କିଏ ?

 

—ଜାଣିନାହାନ୍ତି ? ଯିଏ ଟଙ୍କା ନେଇ ଆପଣଙ୍କୁ ସଙ୍ଗୀନ ରୋଗୀ ବୋଲି କହିଲା...ଯିଏ ଆପଣଙ୍କୁ ଟିକିଏ ଜାଗାଦେବାକୁ ଆଉ ଗୋଟିଏ ଅସୁସ୍ଥ ରୋଗୀକୁ ବାହାର କରି ଦେଲା... ଯିଏ ଆପଣଙ୍କର ଅପରେସନ୍‌ କରିବ...ସମସ୍ତେ....ହଁ । ଯଦି ସେବାକାରିଣୀମାନଙ୍କ ପ୍ରତି ସଦୟ ହୁଅନ୍ତି, ସେମାନେ ବି । ସେମାନେ ଏଇ ନରକର—କଇଁ ଓ ପଦ୍ମପରି ।

 

—ମୋର ପରୀକ୍ଷା ଅଛି । ଚାକିରିପାଇଁ ବାଧ୍ୟରେ ସିନା ଡାକ୍ତରଖାନା ଆସିବା କଥା ।

 

—ଆପଣା ଇଚ୍ଛାରେ ଅବା ଇଚ୍ଛା ବିରୁଦ୍ଧରେ ଯେମିତି ଇଚ୍ଛା ସେମିତି ଆସିଥାଆନ୍ତୁ ଆପଣଙ୍କୁ ବି ଡାକ୍ତରଖାନା ଭଲ ଲାଗିବ । ଆପଣଙ୍କ ଖଟିଆରେ ରୋଗୀ ମରିଗଲେ ବି ଆପଣ ଏଇ ଡାକ୍ତରଖାନାର ହତା ଭିତରେ କେବେ ଭୁତପ୍ରେତ ଦେଖିବେ ନାହିଁ । ୟା’ରି ଭିତରେ ବହୁତ ମାୟା ଅଛି । ନ ହେଲେ ରୋଗର ନରକକୁ କିଏ କାହିଁକି ହସି ହସି ଆସନ୍ତା ଆଉ ସେଠୁ ଫେରିଲାବେଳେ ମୁହଁ ଶୁଖାଇ ଯାଆନ୍ତା ? ...ଆପଣ କ’ଣ କେବେ ଆସି ନଥିଲେ ?

 

—ନା ମତେ ଏ ସବୁ ଭଲ ଲାଗନ୍ତି ନାହିଁ ।

 

ହସି ଭଦ୍ରଲୋକଟି କହିଥିଲେ—ମୁଁ ଭଲ ହୋଇଗଲିଣି । ଦିନେ ଓଳିକରେ ଚାଲିଯିବ । ମୋର ଖଟିଆଟି ଭାରି ଭଲ । ନର୍ସକୁ କହିବେ, ସେ ବେହେରାକୁ ଡାକି ଆପଣଙ୍କର ମୁଣ୍ଡପାଖଟା ଟେକି ଦେବ । ଆପଣ ଯେମିତି ଚାହିଁବେ...ତ୍ରିଭଙ୍ଗ, ଦୁଇଭଙ୍ଗ କି ସିଧା, ସେମିତି ବସି ପାରିବେ, ଶୋଇପାରିବେ । ଆଜି ମୋର ମନ ବିରକ୍ତ ହେଲା ଆପଣଙ୍କ ବେଡର ରୋଗୀଟିକୁ ବାହାର କରି ଦେଲାବେଳେ...ତା’ର କେହିନାହିଁ । ସେଥିପାଇଁ ସେ କିଛି ପାଇଲା ନାହିଁ । ଶେଷକୁ ତାକୁ ତଡ଼ି ଦିଆହେଲା ।

 

ସଞ୍ଜୟ ତୁନି ପଡ଼ିଲା । ଡାକ୍ତରଖାନାକୁ ଆସିଲାବେଳେ ସେ ଅନ୍ୟକୁ ବଞ୍ଚିତ କରି ଆସିଛି । ମୂଳରୁ ପାଖ ରୋଗୀଟିର ଅଭିଯୋଗ । ଲୋକାଟାର ବୟସ ବେଶି ହୋଇଯାଇଛି ବୋଲି ସେ ବଡ଼ ସଂକୀର୍ଣ୍ଣମନା...ଯାହା ଅଛି ସେୟା ଥାଉ । ଯୋଉ ରୋଗୀ ଯୋଉଠି ଅଛନ୍ତି, ଯାହା ଯେମିତି ଯୋଉଠି ଅଛି...ସବୁ ସେମିତି ଥାଉ । ସେଇ ହେଉଛି ସାଥି...ବନ୍ଧୁଟି କହିଥିଲା ଡାକ୍ତରଖାନା ଗୋଟାଏ ବଡ଼ ସୁଯୋଗ ।

 

ସେ ମୁହଁ ବୁଲାଇ ବସିଲା—କ୍ଳାନ୍ତ ଲାଗୁଛି, ବିଶ୍ରାମ ନେବ । ଏପାଖ ସେପାଖ ଚାହିଁ ଆଖି ଦୁଇଟିକୁ ଅଭ୍ୟସ୍ତ କରିବାକୁ ଚେଷ୍ଟା କଲା । ରୋଗର ମାତ୍ରା ଦେଖାଇବାକୁ ଏଠି ସେଠି ଚିହ୍ନ ରହିଛି—କମ୍ୱଳ ଘୋଡ଼ାଇବା ପରିମାଣ ହେଉଛି ରୋଗର ଉତ୍କଟତାର ଚିହ୍ନ । ବଢ଼ିଲା ନଈର ପାଣି ମାପିଲା ପରି ଦେଖିଲେ ବୁଝାଯାଉଛି ।

 

କୋଠରୀର କଡ଼ି ତଳେ ସବୁ ରୋଗୀ ସମାନ । ସମସ୍ତଙ୍କର ସେଇ ଗୋଟିଏ ଆଶା ବେଶି କଷ୍ଟ ନପାଇ ଶୀଘ୍ର ଭଲ ହୋଇ ଫେରିବେ । ସମସ୍ତଙ୍କର ଦାବୀ ଜଣାଇବାର ଗୋଟିଏ ଭାଷାଯନ୍ତ୍ରଣାର ଧୀର ଓ ଉତ୍ତେଜିତ ଚିତ୍କାର ।

 

ଦାଢ଼ିଆ ନର୍ସଟି ସେଇ ରୋଗୀମାନଙ୍କ ପାଖରେ ବେଶି ସମୟ ରହୁଛି । ହସିଲେ ତା’ର ବାହାଡ଼ାଦାନ୍ତ ଦିଶିଯାଏ । ମୁହଁ ସୁନ୍ଦର ନଦିଶି ଆହୁରି ବିଭଙ୍ଗ ଦିଶେ । କେଉଁଠି ରୋଗୀ ଅବା କେଉଁଠି ରୋଗୀକୁ ଜଗିଥିବା ଲୋକ ତାକୁ ଆକୁଳ ହୋଇ ପଚାରୁଛନ୍ତି ଭାରି କଷ୍ଟ ହେଉଛି ?

 

କଷ୍ଟ ଦୂର କରିବାର ଅନ୍ୟ ଉପାୟ ନଥିବାରୁ ସିଷ୍ଟର କହୁଛି—ଭଲ ହୋଇଯିବ । ଡାକ୍ତର ଆସିବେ ସନ୍ଧ୍ୟାବେଳକୁ ।

 

ଏଣେ ଦେହତଳର ବିଛଣାଟି ଫୋଡ଼ି ହେଉଥାଏ ସଞ୍ଜୟ ଦେହରେ । ପର ବିଛଣାରେ ବସିଲେ ତାକୁ ଭଲ ଲାଗେ ନାହିଁ...

 

ଇଏ ତ ରୋଗୀର ବିଛଣା ନୁହେଁ, ଅସୁମାର ରୋଗୀଙ୍କର ରୋଗର ବିଛଣା । —ଇସ୍‌ କି କଦର୍ଯ୍ୟ ।

 

ପାଖର ଭଦ୍ରଲୋକଟି ଭାରି ଆରାମରେ ଥିଲାପରି ଖବରକାଗଜ ପଢ଼ିବାରେ ମନ ଲଗାଇଲେଣି । ତାଙ୍କର ସଞ୍ଜୟ ପ୍ରତି ଆଉ କୌତୁହଳ ନାହିଁ । ସଞ୍ଜୟ ଜଣେ ରୋଗୀ । ଆଉ କିଛି ପରିଚୟ ଲୋଡ଼ା ନାହିଁ । ତା’ର ପରିଚୟ ହେଉଛି ରୋଗର ପରିଚୟ ।

 

ସେ ବଡ଼ ଅଶ୍ୱସ୍ତି ଅନୁଭବ କରୁଥିଲା—କେଡ଼େ ନିରାନନ୍ଦ ଜାଗାକୁ ଆସିଛି ସଞ୍ଜୟ ! ଏତେ ରୋଗ ସେ ଏକାଠି ଦେଖିନଥିଲା । ସୁସ୍ଥ ଶରୀରରେ ରୋଗୀ ପାଲଟି ରୋଗୀଙ୍କ ମେଳରେ ବସି, ଅଳ୍ପ ସମୟ ସେମାନଙ୍କ ଯନ୍ତ୍ରଣାର ହା’ହତାଶ ଶୁଣିଲା ପରେ ସେ ନିଜେ ବି କ୍ଳାନ୍ତ ହୋଇ ପଡ଼ୁଥିଲା ।

 

ଗୋଟିଏ ସ୍ପ୍ରିଙ୍ଗ୍‍ ଦିଆ ଲୁହା ଖଟ । ତା’ରି ଘର ପାଖରେ ଥୁଆ ହୋଇଥିବା ଲୁହା ଜାଲିର ଛୋଟିଆ ଆଲମାରିଟି ତା’ର ଏକମାତ୍ର ସମ୍ୱଳ । ଲୁଗାପଟା ରଖିବାକୁ ଅଲଗୁଣି ଖଣ୍ଡେ ନାହିଁ । ନିଜର ବୋଲି କହିବାକୁ କେହି ମଣିଷ ଅବା କୌଣସି ଜିନିଷ ନାହିଁ । ସେ ଏକାବେଳେକେ ଏକୁଟିଆ ।

 

ନିର୍ଜନ କାରାବାସ ନୁହେଁ—ସବୁ ଦୁଆର ଖୋଲା । ସେ ସବୁଆଡ଼କୁ ଯାଇ ଆସି ପାରିବ-। କିନ୍ତୁ ଏକାଠି ରୁଣ୍ଡ ହେବାକୁ ମନା ବୋଲି ସେହି ଦାଢ଼ିଆ ସିଷ୍ଟର ଦି’ଜଣ ରୋଗୀଙ୍କୁ ପରାମର୍ଶ ଦେବା ବାହାନାରେ ହୁକୁମ ଦେଇଯାଇଛି—ଯେ ଯାହାର ଖଟିଆରେ ରହ । ଯାହାର ଯାହା କରିବା କଥା ଆମେ କରିବୁ ।

 

ସଞ୍ଜୟ ତେବେ ଯାଇପାରିବ ନାହିଁ କାହାରି ପାଖକୁ । ସେ ନିଜ ଖଟିଆରେ ଖାଲି ରହିପାରିବ । ମେଲା କୋଠରୀରେ ଯିବା ଆସିବାର ସମସ୍ତ ସୁବିଧା ଭିତରେ ସେ ବନ୍ଦୀ—ନିଜର ଚିକିତ୍ସା ପାଖରେ, ନିଜର ରୋଗ ପାଖରେ ସଞ୍ଜୟ ବନ୍ଦୀ ।

 

ରେଶମ କାମିଜ୍‌ ପିନ୍ଧି ଶୋଇ ହେବ ନାହିଁ । ଶୋଇଲେ ଲୋଚା କୋଚା ହୋଇଯିବ । ଧୀରେ ଧୀରେ କାମିଜ୍‌ଟି ଖୋଲି ତାକୁ ସାବଧାନ ହୋଇ ଚଉତି ସଞ୍ଜୟ ଖଟ ବାଡ଼ରେ ରଖିଲା । ତା’ର ସରୁ ଧୋତିଟିକୁ ଭଲକରି ପାଦଯାଏ ଢାଙ୍କି ଗେଞ୍ଜିଟି ଦେହରେ ରଖି ଚିତ ହୋଇ ଶୋଇଲା-

ପାଦଠାରୁ ମୁଣ୍ଡଯାଏ ପ୍ରତ୍ୟେକ ଅଂଶ ପ୍ରତିବାଦ କରିଥିଲେ । ସଞ୍ଜୟର ଘୃଣା ଆସିଥିଲା ନିଜ ଉପରେ । ସେ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ମନକୁ ପଚାରିଥିଲା—କେମିତି ମଣିଷ ରହିବ ଏଠି ? ଶୋଇ ହେବ ନାହିଁ । ଖାଇ ହେବ ନାହିଁ...ଦୁର୍ଗନ୍ଧ । ପ୍ରତ୍ୟେକ ଗନ୍ଧ, ପ୍ରତ୍ୟେକ ଶବ୍ଦ ଓ ପ୍ରତ୍ୟେକ ଦୃଶ୍ୟ ହେଉଛି ରୋଗର ବିଭୀଷିକା ।

ସମସ୍ତଙ୍କର ଆଖି ଆଗରେ ନିଃସଂକାଚରେ ଚଳିବା କଷ୍ଟ । ...ସେଥିରେ ଯଦି ସମସ୍ତେ ଅପରିଚିତ ଓ ଅବାଞ୍ଛିତ ଲୋକ ହୁଅନ୍ତି, ତେବେ ତାଙ୍କରି ଆଖି ଆଗରେ ନିଜକୁ ସଚଳ ରକିବା ବହୁତ ବେଶି କଷ୍ଟକର ।

ଆଖିପତା ବନ୍ଦ ହେବାକୁ ରାଜି ହେଉ ନଥିଲେ । ସଞ୍ଜୟ ଟିକିଏ ଆଖିବୁଜି ଆଖି ଖୋଲି ଏଣେ ତେଣେ କୁକୁର ଛୁଆ ପରି ଚାହୁଁଥିଲା । ଅନ୍ୟମାନଙ୍କଠାରୁ ସେ ଅଲଗା । ନିଜର ଦେହ ଉପରେ ଲାଖି ରହିଥିବା ମଶାରି—ବୁଣା ଗେଞ୍ଜିଟିକୁ ଆଉଁସି—ସଞ୍ଜୟ ଭାବୁଥିଲା ସେ ରୋଗୀ ନୁହେଁ । ରୋଗ ହୋଇଥିଲେ ସେ ରୁଚିକର ପୋଷାକ ପିନ୍ଧି ରହି ପାରନ୍ତା ନାହିଁ....ହୁଏତ ସଞ୍ଜୟର କୌଣସି ବିଶେଷ ଗୌରବ ଯୋଗୁ—ବାପ, ଦାଦିଙ୍କର ଅବା ତାରି ନିଜର—ତାକୁ ନିଜ ପୋଷାକରେ ରହିବାକୁ ଅନୁମତି ଦିଆଯିବ ।

ଦାଢ଼ିଆ ସିଷ୍ଟର ସଞ୍ଜୟକୁ ବେଳେବେଳେ ଚାହେଁ । ସଞ୍ଜୟ ହସି ନିଜକୁ କହେ—ମୁଁ ନୁହେଁ । ତୁମକୁ କେହି ଭଲ ପାଇବେ ନାହିଁ । କଲେଜକୁ ଫେରିଲେ ତୁମପାଇଁ ଗୋଟିଏ ବ୍ୟଙ୍ଗଗଳ୍ପ ଲେଖିବି । ...ଭାବିବାର ଆଉ କୌଣସି ବିଷୟ ନ ପାଇ ମନକୁ ଖୋରାକ ଯୋଗାଇବାକୁ ସଞ୍ଜୟ ସେହି ଦାଢ଼ିଆ ନର୍ସଟିର ରୂପ ଗୁଣ ଓ ସେବାର ବର୍ଣ୍ଣନା ବିଷୟରେ ଭାବିବାକୁ ଚେଷ୍ଟା କରୁଥିଲା ।

ଇୟେତ ମଣିଷ ନୁହେଁ—ଇୟେ ହେଉଛି ସେବାର ଖେଳଣା । ଦଶହରା ଯାତ୍ରା ପଡ଼ିଆରେ ମିଳୁଥିବା ମାଟିର କଣ୍ଢେଇ ଅବା ମହମର ଛବି...କେବଳ ପିଲାଙ୍କ ଛଡ଼ା ଆଉ ତ କେହି ଏଇ ସିଷ୍ଟରକୁ ହସି ଚାହିଁବେ ନାହିଁ.... ଚାଲୁଛି କେମିତି ? ସତେ ଯେମିତି ଭାରି କାର୍ଯ୍ୟବ୍ୟସ୍ତ । ଚିକିତ୍ସା ଗୁଡ଼ାକ କରି ପକାଇବ !

ଇଏ ପୁଣି ସବୁଠାରୁ ବଢ଼ିଆ ସେବାକାରିଣୀ ବୋଲି ଖବର କାଗଜ ପଢ଼ୁଥିବା ପାଖ ରୋଗୀଟି କହୁଥିଲା । ହୋଇଥିବ ଏଇ ରୋଗୀମାନଙ୍କର ରୋଗଗ୍ରସ୍ତ ଆଖିରେ ତାର ଦାଢ଼ିନିଶ ଲୁଚି ଯାଇଥିବେ.... ସେ ତାର ଗଳ୍ପର ନାଁ ଦେବ ‘ମାନସୀ ପ୍ରତିମା’ ।

ନାୟକ ହେବେ ଖବର କାଗଜ ପଢ଼ୁଥିବା ଭଦ୍ରଲୋକ । ସେହି ଦାଢ଼ିଆ ସିଷ୍ଟରକୁ ତାର ସେବା ଓ କର୍ତ୍ତବ୍ୟ-ପରାଣୟତା କଥା ଭାବି ତା’ର ସୌନ୍ଦର୍ଯ୍ୟ ଓ ବୟସକୁ ଭୁଲି ତାକୁ ଭଲ ପାଇବେ-

ସଞ୍ଜୟକୁ ଭାରି ମଜା ଲାଗିଲା । ହସ୍‌ପିଟାଲର ଅପନ୍ତରା ଭିତରେ ସେ ବଡ଼ ସୁନ୍ଦର ବିଷୟବସ୍ତୁ ପାଇଲା । ସେମିତି ଗଳ୍ପଟିଏ ଲେଖିଲେ ସାରା କଲେଜ ଚମକିବ । ଭଦ୍ରଲୋକ କହୁଥିଲେ ଅସ୍ୱାଭାବିକ ମନ ନେଇ ପିଲାଗୁଡ଼ିଏ ଆସୁଛନ୍ତି ରୋଗୀ ହେବାକୁ....ସଞ୍ଜୟ ବି ।

ସଞ୍ଜୟ ଦେଖାଇ ଦେବ—ମଣିଷର ମନର ଗୋଟାଏ ଅସ୍ୱାଭାବିକ ଦିଗ । ଯେଉଁମାନେ ବୟସର ଓ ବଞ୍ଚିବାର ଅଘାତରେ ମନର ସବୁ ପ୍ରକାର ସରସତା, ଭାବନାର ସବୁ ପ୍ରକାର ସ୍ୱାଭାବିକତା ବହୁତ ଦୂରରେ ହଜାଇ ସାରିଲେଣି । ସେମାନେ କିମିତି ସହଜ ସରଳ ଓ ସ୍ୱାଭାବିକ ଲୋକଙ୍କୁ ବୁଝି ନ ପାରି କଟୁକ୍ତି କରନ୍ତି.... ଦୁର୍ଗନ୍ଧକୁ ସୁଗନ୍ଧ ବୋଲି, କଦର୍ଯ୍ୟକୁ ସୁନ୍ଦର ବୋଲି ଖାଲି ଯେ ବୁଝନ୍ତି, ତାହା ନୁହେଁ ଆଉ ସମସ୍ତଙ୍କୁ ବୁଝାଇବାକୁ ଚାହାଁନ୍ତି ।

 

ଆଖି ମେଲା କରି ସେ ଦୁଇ ଆଡ଼କୁ ଦୁଇ ଡ଼ୋଳା ବୁଲେଇ ଗୋଟିଏ ପାଖରେ ଭଦ୍ରଲୋକଙ୍କର ଖବର କାଗଜକୁ ଆର ପାଖରେ ସିଷ୍ଟରର ଧଳା ଆପ୍ରନ୍‌କୁ ଚାହିଁ ନିଜକୁ ସେ ଦୁଇଜଣଙ୍କର କେନ୍ଦ୍ରରେ ରଖିଥିଲା... ସଞ୍ଜୟ ହେଉଛି ଏଇ ଦୁଇଜଣ ବୃଦ୍ଧ ଓ ବିକାରଗ୍ରସ୍ତ ପ୍ରେମିକଙ୍କର ପୁରୋହିତ ।

 

ଆଚ୍ଛା, ଗଳ୍ପରେ ଏହି ମଣିଷ ଦୁଇଟିଙ୍କୁ ଛନ୍ଦାଛନ୍ଦି ନକରି, ଜଣକର ଖବର କାଗଜକୁ, ଆର ଜଣକର ପୋଷାକ ସାଙ୍ଗରେ ବାହାଘର କରାଇ ଦେଲେ କେତେ ସୁନ୍ଦର ହାସ୍ୟରସ ନ ବାହାରନ୍ତା ?

 

ଡାକ୍ତରଖାନା ଭୁଲି ସଞ୍ଜୟ ହସି ଉଠିଲା ଟିକିଏ ବଡ଼ ପାଟିରେ । ହସ୍‌ପିଟାଲ ରୋଗୀଗୁଡ଼ିକ ବୁଲି ଚାହିଁଥିଲେ ସଞ୍ଜୟକୁ । ପାଖ ଭଦ୍ରଲୋକଟି ଖବର କାଗଜ ରଖିଦେଇ ବିଛଣାରେ ବସିଥିଲେ । ଦାଢ଼ିଆ ସିଷ୍ଟର ଟିକକ ପରେ ଆସି ପହଞ୍ଚିଲେ ସଞ୍ଜୟ ପାଖରେ ।

 

ଏତେ ସୁନ୍ଦର ବ୍ୟଙ୍ଗ ଚିତ୍ରଟି ବିଗିଡ଼ି ଗଲା । ସଞ୍ଜୟ ବିବ୍ରତ ହୋଇ ପଡ଼ିଲା । ଭଦ୍ରଲୋକଟି ପଚାରିଲେ କ’ଣ ଏମିତି ଦେଖିଲେ ଯେ ଆପଣ ଏତେ ହଠାତ୍‌ ଏତେ ଜୋରରେ ହସି ଦେଲେ ।

 

ସଞ୍ଜୟ କହିବାକୁ ଚାହୁଁଥିଲା—ଏଠାରୁ ଗଳ୍ପର ଉପାଦାନ ପାଇଲି । ଆପଣ ହେଉଛନ୍ତି ନାୟକ, ଆଉ ଦାଢ଼ିଆଣୀ ହେଉଛି ନାୟିକା....ଖବରକାଗଜ ହେଉଛି ପୁରୁଷ ଆଉ ଧଳା ଆପ୍ରନ ହେଉଛି ପ୍ରିୟତମା ।

 

ବିବର୍ଣ୍ଣ ମୁହଁକୁ ଗମ୍ଭୀର କରି ଧୀର ଚାଲିଲେ ନିଜର ପ୍ରତିବାଦ ଜଣାଇ ଜଣାଇ ଦାଢ଼ିଆ ସିଷ୍ଟରଟି ତୁଳା ଫୁଲ ଉଡ଼ିଲା ପରି ଦୁଇ ଡେଣା ବହୁବିଧ ଠାଣିରେ ହଲାଇ ସଞ୍ଜୟ ପାଖକୁ ଆସୁଥିଲା । ସଞ୍ଜୟ ଅପଲକ ଆଖିରେ ଦେଖୁଥିଲା ତାକୁ—ତା’ର ସୌନ୍ଦର୍ଯ୍ୟର ଆଉ ଗୋଟିଏ ଦିଗ...ସେ ହସିଲାବେଳେ ଏଡ଼େ କଦର୍ଯ୍ୟ କିନ୍ତୁ ବିରକ୍ତ ହେଲାବେଳେ ସେ ସେତେ ଅସୁନ୍ଦର ନୁହେଁ-

 

ବଗପରି ଧଳା ଲୁଗା ଭିତରୁ ତା’ର ସେହି ପାଣ୍ଡୁର ଗୋରା ମୁହଁଟି ଲାଲ ଦିଶୁଥିଲା ଉତ୍ତେଜନାରେ । ଆଖି ଡୋଳା ଦୁଇଟି ଅତିରିକ୍ତ କକଶତାରେ ଆଖିପତା ଭିତରେ ଲୁଚି ଯାଇଥିଲା-

 

ସଞ୍ଜୟକୁ ଚମକାଇ ସେ ଆସି ପଚାରିଲା—ରୋଗୀ ଯନ୍ତ୍ରଣାରେ କଷ୍ଟ ପାଉଥିଲାବେଳେ ଏମିତି ହସିବା ପାଇଁ ତୁମର ମାଷ୍ଟରମାନେ ତୁମକୁ ଶିଖାଇଛନ୍ତି କି ? କ’ଣ ପାଇଁ ହସିଲ ?

 

ସଞ୍ଜୟର ଗଳ୍ପର ନାୟିକା କଥା କହୁଛି । ତା’ର ତୁଣ୍ଡର ପ୍ରତ୍ୟେକ ଶବ୍ଦ ସଞ୍ଜୟର ମନ ଉପରେ ଆଘାତ କରୁଥିଲା । ଅପ୍ରତିଭ ହୋଇ ସେ କହିଲା—ମୋତେ କ୍ଷମା କରିବେ । ମୁଁ ଗୋଟିଏ ବିଷୟ ଭାବୁ ଭାବୁ ଡାକ୍ତରଖାନାରେ ଅଛି ବୋଲି ଭୁଲି ଯାଇଥିଲି ।

—ତୁମେ ତରୁଣ । ସେଥିପାଇଁ ବୁଝିନାହଁ । ଯେମିତି ଦୁଃଖ ହେଲେ ଲୋକଙ୍କ ମେଳରେ ବସି ଶବ୍ଦକରି କାନ୍ଦିବା ଅସୁନ୍ଦର, ସେମିତି ଆନନ୍ଦ ହେଲେ ଏମିତି ମନୁ ଖୋଲା ହସ ହସିବା ଗର୍ହିତ... ତୁମର ପୋଷାକ କାହିଁ ?

ସଞ୍ଜୟ ଭାବିଲା ଯେ କାମିଜ୍‌ଟି ଖୋଲି ପକାଇ ଭୁଲ କରିଛି । ସେ ହାତ ବଢ଼ାଇଲା ରେଶମ କାମିଜ ଆଡ଼େ ।

—ୟେ ନୁହେଁ । ଡାକ୍ତରଖାନା ପୋଷାକ । ପାଇ ନାହଁ ? ....ପଠାଇ ଦେଇଛି । ତମର ଘରର ପୋଷାକ ଘରେ ପିନ୍ଧିବ ।

ସେତେବେଳଯାଏ ସଞ୍ଜୟ ନିଜକୁ ଜଣେ ଦେଖଣାହାରୀ ଆଉ ପଦସ୍ଥ ଲୋକ ବୋଲି ଭାବୁଥିଲା । ଦାଢ଼ିଆ ସିଷ୍ଟରର କଠୋର କଥା ଗୁଡ଼ିକ ଶୁଣି ସେ ନିଜକୁ ଡାକ୍ତରଖାନା ପୋଷାକରେ ଦେଖିଲା । ମୁହଁ ଶୁଖିଗଲା । —ସଞ୍ଜୟ ଏମିତି କଦର୍ଯ୍ୟ ଆଉ ଅନ୍ୟର ପିନ୍ଧାଲୁଗାକୁ ନିଜ ଦେହରେ ଲଗାଇବ !

—ମୋର ଲୁଗା ସଫା ଅଛି । ମୁଁ ଘରୁ ପ୍ରତିଦିନ ଲୁଗା ଆଣିବି ।

—ହୋଇ ପାରିବ ନାହିଁ । ଏଠି ଡାକ୍ତରଖାନାରୁ ଖାଲି ନିଜର ଖାଇବା ଜିନିଷ ତୁମେ ଇଚ୍ଛା କଲେ ଆଣି ପାରିବ...ଏଠି ଔଷଧ ନ ମିଳିଲେ ସେତକ ଆଣି ପାରିବ । କିନ୍ତୁ ଘରୁ ପୋଷାକ, କମ୍ୱଳ ଓ ବାଲିସ୍ କି ବିଛଣା ଚାଦର ଆଣି ପାରିବ ନାହିଁ ।

ସଞ୍ଜୟ ନିଜ ବିଛଣାକୁ ଦେଖି ଅତିରିକ୍ତ ବିବ୍ରତ ହୋଇ ପଡ଼ିଥିଲା । ଏବେ ପୁଣି ଏଇ କଦାକାର ସିଷ୍ଟରଟି ଆସି ସଞ୍ଜୟକୁ କଏଦି ପୋଷାକ ଦେବା ବାହାନାରେ ଅସଂଖ୍ୟ ରୋଗୀଙ୍କର ପିନ୍ଧା ଲୁଗାକୁ ପିନ୍ଧାଇବାକୁ ହୁକୁମ ଦେଲାଣି ।

ଉପସ୍ଥିତ ବୁଦ୍ଧି ଦେଖାଇ ସଞ୍ଜୟ ଅନୁନୟ କଲାପରି କହିଲା—ମୁଁ ପ୍ରଥମ ଥର ପାଇଁ ଡାକ୍ତରଖାନାକୁ ଆସିଛି । ଏଠାକାର ନିୟମ ଜାଣେ ନାହିଁ । ଅନ୍ୟର ବିଛଣାରେ ଶୋଇ ପାରେ ନାହିଁ-। ଅନ୍ୟର ଲୁଗା ପିନ୍ଧି ଜାଣେ ନାହିଁ । ଭାରି ଖରାପ ଲାଗିବ । ମୋର ଲୁଗା ମୋତେ ପିନ୍ଧିବାକୁ ଅନୁମତି ଦେବେ କି ?

ସିଷ୍ଟରଟି ଟିକିଏ ନରମ ହୋଇ କହିଲା—ତୁମର ଅଭିଜ୍ଞତା ନାହିଁ ବୋଲି ତୁମେ ଅନ୍ୟ ରୋଗୀଠାରୁ ଅଲଗା ବୋଲି ନିଜକୁ ଭାବୁଛି । ଏଇଟା ହେଉଛି ମନର ଗର୍ବ—ଠିକ୍ ନୁହେଁ । ତୁମପାଇଁ ଅନ୍ୟରୋଗୀଙ୍କୁ କେମିତି କଷ୍ଟ ଦେବି ? ସେମାନେ ଭାବିବେ ଯେ ତୁମଙ୍କୁ ମୁଁ ପକ୍ଷପାତ ବ୍ୟବହାର ଦେଖାଉଛି । ଠିକ୍ ହେବ ନାହିଁ ।

ବିବ୍ରତ ହୋଇ ସଞ୍ଜୟ ମିନତିଭରା ସ୍ୱରରେ କହିଲା—ଆପଣକୁ ଅନୁରୋଧ ଯେ ମୋତେ ଏତେ ହଠାତ୍‌ ଡାକ୍ତରଖାନା ପୋଷାକ ଦିଅନ୍ତୁ ନାହିଁ । ମୁଁ ଖାଲି ଦେହରେ ରହିବାକୁ ରାଜି । ଏଇ ବିଛଣା ବ୍ୟବହାର କରିବି । କିନ୍ତୁ ହସ୍‌ପିଟାଲର କୁର୍ତ୍ତା ପିନ୍ଧିବାକୁ ଭାରି ଖରାପ ଲାଗିବ ।

ଟିକିଏ ହସି ସେ କହିଲା—ତୁମର ବୟସ ଦୃଷ୍ଟିରୁ ମୁଁ ଜୋର୍‌ କରିବି ନାହିଁ । ମତେ ତୁମ ପାଇଁ କଟକଣା କୋହଳ କରିବାକୁ ହେବ । ଆଚ୍ଛା ତୁମେ ତୁମର ଲୁଗାଟା ପିନ୍ଧିପାର । କିନ୍ତୁ ଡାକ୍ତରଖାନାର କୁର୍ତ୍ତା ପିନ୍ଧିବ ।

 

—ହଉ ଆପଣ ଯଦି ବାଧ୍ୟ କରିବେ...

—ବାଧ୍ୟବାଧକତାର କଥା ନାହିଁ । ମୋର କାମ ହେଲା ରୋଗୀମାନଙ୍କୁ ସନ୍ତୁଷ୍ଟ ରଖିବା-। ସେମାନେ ଯେପରି କୌଣସି ବିଷୟରେ ଦୁଖିତ କି ବିମର୍ଷ ନ ରହନ୍ତି—ସେଥିକି ସତର୍କ ରହିବା-। ....ଆଚ୍ଛା ଦିନଟିଏ ଭାବ । ତୁମର ଅନୁରୋଧ ଠିକ୍‌ କି ଭୁଲ ସେ ବିଷୟରେ ଭାବ । ଆଜି ତୁମକୁ ନିଜ ପୋଷାକରେ ରହିବାର ଅନୁମତି ଦେଲି । ସିଷ୍ଟରର ମୁହଁ ଗମ୍ଭୀର ଓ କଠୋର ଦିଶୁଥିଲା-

ବିମର୍ଷ ହୋଇ ସଞ୍ଜୟ ରାଜିହେଲା ପରି ସମ୍ମତି ଜଣାଇଲା ।

ହସି ସିଷ୍ଟର କହିଲା—ତୁମେ ତୁମର ମନକୁ ଶାସନ କର, ସମସ୍ତଙ୍କ ପରି ହୁଅ । ନିଜକୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର ବୋଲି ଭାବିଲେ ତୁମର ଅନେକ ପ୍ରକାରର ଅସୁବିଧା ହେବ....ଅନୁଷ୍ଠାନର ମଧ୍ୟ ହେବ । ପଢ଼ୁଛ ? ତୁମେ କ’ଣ ଛାତ୍ର ?

—ହଁ । କଲେଜରେ ପଢ଼େ । ଚାକିରି ପାଇଁ...

—ଚାକିରି ତ ପାଇବା କଥା । ପଢ଼ିଲାବେଳେ ନିଜକୁ ପ୍ରତ୍ୟେକ ବିଷୟରେ ଶୃଙ୍ଖଳିତ ଓ ସଂଯତ ନ କଲେ ତୁମର ଭବିଷ୍ୟତ କେବେହେଲେ ସୁବିଧା ହେବ ନାହିଁ...ଆଉ ଏମିତି ପାଟିକରି ହସିବ ନାହିଁ ।

ସଞ୍ଜୟର ଶୁଖିଲା ମୁହଁକୁ ଚାହିଁ ସିଷ୍ଟର କହିଲେ—କାଲିଠାରୁ ତୁମେ ଡାକ୍ତରଖାନା ପୋଷାକ ପିନ୍ଧିବାକୁ ଚେଷ୍ଟାକର । ସେଥିରେ ମାନ ଅପମାନର କଥା ନାହିଁ...ଆଜି ଦିନକ ତୁମେ ତୁମର ଘରର ଲୁଗାପଟା ପିନ୍ଧିବ । ....ଟିକିଏ ରହି ହସି ପୁଣି କହିଲା—କିଛି ମନ ଦୁଃଖ କରିବ ନାହିଁ ।

ସିଷ୍ଟର ଚାଲିଗଲା ପରେ ସଞ୍ଜୟ ଲାଜରେ ଆଉ କାହାରିକୁ ଚାହିଁ ପାରିଲା ନାହିଁ । କେମିତି ସେ ପାଖ ଭଦ୍ରଲୋକଟିକୁ ଆଉ ମୁହଁ ଟେକି ଚାହିଁବ ? ଟିକକ ଆଗରୁ ସେ ତାଙ୍କୁ ନାୟକ କରି ବ୍ୟଙ୍ଗଚିତ୍ର ଆଙ୍କୁଥିଲା । ଏବେ ନିଜେ ସେ ସେହି ଚିତ୍ରର ନାୟକ ।

କଠୋର ଆଘାତ ଦେଇ ଦାଢ଼ିଆ ସିଷ୍ଟର ସଞ୍ଜୟ ମନରୁ ଗୋଟିଏ ସରସ ଛବି କାଢ଼ି ନେଇଛି । ହସ୍‌ପିଟାଲରେ ମନ ମାନିଯିବା ପୂର୍ବରୁ ସେ ତାର କଦର୍ଯ୍ୟ ରୂପ ଦେଖାଇ ଅତି ନିଷ୍ଠୁର ବ୍ୟବହାରରେ ମନ ଭିତରୁ ସବୁ ଉଶ୍ୱାସିଆ ଭାବନା ଛିଣ୍ଡେଇ ନେଇଛି ।

....ଆଖି ବନ୍ଦ କରି ସଞ୍ଜୟ ଶୋଇବାକୁ ଚେଷ୍ଟା କଲା । ସେଇ କୋଠରି ଭିତରେ ଆଉ କ’ଣ ଘଟୁଛି କି ନାହିଁ ସେଥିପ୍ରତି ସେ ଏକାବେଳକେ ଅନ୍ୟମନସ୍କ । ପାଖ ଭଦ୍ରଲୋକଟି ବାରମ୍ୱାର ଖବରକାଗଜ ଖଡ଼୍‌ଖଡ଼୍‌ କରୁଥାନ୍ତି । କିନ୍ତୁ ସଞ୍ଜୟ ଆଉ ତାଙ୍କ ଆଡ଼େ ଚାହିଁଲା ନାହିଁ ।

ହଠାତ୍‌ ଚିନ୍ତାରେ ଆଘାତ ଲାଗିଲେ ଭାବ-ପ୍ରବଣ ଲୋକ ଭାରି ଶୀଘ୍ର ଶୀଘ୍ର ଭାବେ—କ୍ଳାନ୍ତ ହୋଇଯାଏ । କ୍ଳାନ୍ତି ପରେ ଆପଣା ମନକୁ ଆଖିପତା ଦିଓଟି ଲାଗିଯାଆନ୍ତି ।

ଅହେତୁକ ଆଶଙ୍କାରେ ସଞ୍ଜୟ ଆସିଥିଲା । ଡାକ୍ତରଖାନା ବିଛଣା ଉପରେ ବସି ନିଜ ବିଷୟରେ ଅତିରିକ୍ତ ଉଚ୍ଚ ଧାରଣା କରିଥିଲା । ହଠାତ୍‌ ସେଥିରେ ସିଷ୍ଟରଠାରୁ ଅପମାନ ପାଇ ସଞ୍ଜୟ ନିଜକୁ ସେହିପରି ଅତି ହେୟ ଓ ଅତି ନ୍ୟୂନ ଭାବି ନିଜର ଅଜାଣତରେ ଶୋଇ ପଡ଼ିଥିଲା ।

 

ସେହି ଦୁଃଖଭୁଲା ନିଦ ଭିତରେ ନିହାରବାଳା ସେହି କୋଠରିରେ ଡିଉଟି କରିବାକୁ ଆସି ପହଞ୍ଚିଲା । ନୂଆ ହୋଇ ଆସିଛି । ହସ୍‌ପିଟାଲର ପୋଷାକ ମିଳିନାହିଁ । କାମ ମୋଟେ ଭଲ ଲାଗୁନାହିଁ । ପ୍ରତିଦିନ ଗୁଡ଼ିଏ ଅସୁସ୍ଥ ଲୋକଙ୍କ ସହିତ ପରିଚୟ କରିବା ଭାରି କଷ୍ଟକର ।

 

ନିହାରର ହୋଇଛି ତିନି ଦିନ । ଦଶହରା ପରେ ସଞ୍ଜୟ ଆସିବାର ବ୍ୟବସ୍ଥା କରୁଥିଲା ବେଳେ ସେ ଡାକ୍ତରଖାନାର ସେବିକା ଭାବରେ ଶିକ୍ଷାର୍ଥିନୀ ରୂପେ ଯୋଗ ଦେଇଥିଲା । ବହୁତ ଦିନର ଅଭିଳାଷ । ସ୍ୱାଧୀନ ହୋଇ ସେ ନିଜର ଜୀବିକା ଅର୍ଜନ କରିବ । ସେ ହେବ ନର୍ସ ।

 

ଏଥିରେ ବି ବହୁତ ପ୍ରତିଯୋଗିତା—ଏତିକି ପଢ଼ା, ଏତିକି ବୟସ ଦରକାର । ଅଠର ବର୍ଷରୁ କମ୍‌ ହେଲେ ଚଳିବ ନାହିଁ । ବେଶି ବୟସ ହୋଇଗଲେ ସେ ନର୍ସ ହୋଇପାରିବ ନାହିଁ ।

 

ନିହାରବାଳା ବିଜ୍ଞାପନରୁ ପ୍ରାର୍ଥୀର ଯୋଗ୍ୟତା ବୁଝିଲାବେଳେ ତାକୁ ଭାରି ଲାଜ ଲାଗିଥିଲା । ଏମିତି—କ’ଣ କଅଁଳ ବୟସ, ସୌନ୍ଦର୍ଯ୍ୟ, ଶିକ୍ଷା ନିଶ୍ଚୟ ଥିବ । ଉଚ୍ଚ କୁଳର ହେଲେ ଭଲ । ଏତେ ଯୋଗ୍ୟତା ଥାଇଁ ସେ ଆସି ପୁରୁଷଙ୍କ ମେଳରେ ଏକୁଟିଆ ରହିବ ।

 

ଛୋଟ ପିଲା ଥିଲେ ପଢ଼ିବାକୁ ଅନୁମତି ମିଳିବ ନାହିଁ । ସ୍ୱାମୀଙ୍କର ଅନୁମତି ନଥିଲେ ଓ ସେ ଯଦି ସ୍ୱାମୀ-ପରିତ୍ୟକ୍ତା ହୋଇ ନଥାଏ, ତାହାହେଲେ ବି ପଢ଼ିପାରିବ ନାହିଁ... ସ୍ୱାମୀ ଥିବା କ’ଣ ନର୍ସ-ଛାତ୍ରୀକୁ ଅସୁବିଧା... କାହିଁକି ?

 

ନିଶ୍ଚୟ ଏଥିରେ ଅଭିସନ୍ଧି ଅଛି । କେହି କୁପାଞ୍ଚ ରଖିଥିବେ ଲୋକ ଯୁବତୀମାନଙ୍କୁ ନେଇ ଆମୋଦ—ପ୍ରମୋଦ ଅନୁଷ୍ଠାନ ଖୋଲିବେ ବୋଲି ଏତେ କାଇଦା କଟକଣା କରିଛନ୍ତି ? ...ଯୁବତୀ ବୟସ, ମାର୍ଜିତ ବଂଶ, ସୁନ୍ଦର ରୂପ ଆଉ ଶିକ୍ଷା । ଏସବୁ ଥିଲେ ବି ଯଦି ସ୍ୱାମୀ ଆଉ ପରିବାରଙ୍କର କଟାଳ ଥାଏ, ତାହାହେଲେ କେହି ତାକୁ ଗ୍ରହଣ କରିବେ ନାହିଁ...ଛାଡ଼ି ଦେଉଥିବା ସ୍ୱାମୀ, କୋଳରେ ଥିବା ପିଲା ସମସ୍ତେ ଅଡ଼ୁଆ । ସମସ୍ତେ ଅବିବାହିତା କିମ୍ୱା ସ୍ୱାମୀ-ପରିତ୍ୟକ୍ତା ଖୋଜୁଛନ୍ତି ।

 

ସେ ତେବେ କ’ଣ ଗୋଟିଏ ନାୟିକା ହେବ ? ଉପନ୍ୟାସ ନାଟକର ନୟିକା ହୋଇ ସେ ତା’ର ଜୀବନର ଖତରା ଅଂଶତକ ଫୋପାଡ଼ି ଦେଇ ଆଉ ଥରେ ନୂଆରୂପରେ ଶୋଭା ପାଇବ ? —କଳା ଆକାଶର ନକ୍ଷତ୍ର—ଖଚିତ ଚାନ୍ଦୁଆ ପରି ।

 

ଇସ୍‌ ! ଏଇ ବଳରାମବାବୁ ତା’ର ଜୀବନଟାକୁ ନଷ୍ଟ କରିଦେଲେ । ତାରି କୋଳରେ ଦେଲେ ପିଲା । ଏଇ ପିଲା ତା’ର ଖାଲି ଯୌବନ ଓ ସୌନ୍ଦର୍ଯ୍ୟ ନଷ୍ଟ କରି ନାହାନ୍ତି ଯେ ପୁଣି ଏବେ ତା’ର ଗୋଡ଼ରେ ଶିକୁଳି ବାନ୍ଧି ନିହାରବାଳାର ଜୀବନର ଦ୍ୱିତୀୟ ଅଧ୍ୟାୟରେ କେତେ ଦ୍ୱନ୍ଦ୍ୱ କେତେ ସମସ୍ୟା ଆଣି ପହୁଞ୍ଚାଉଛନ୍ତି ।

 

ଦରଖାସ୍ତ ଉପରେ ତାକୁ ଲେଖିବାକୁ ହୋଇଥିଲା ତା’ର ସ୍ୱାମୀଙ୍କର ନାଁ । ବଳରାମକୁ କେହି ଚିହ୍ନନ୍ତି ନାହିଁ । ନିହାର ପୁଣି ଲେଖିଲା ସେଇ ନାଁଟି । ତାଙ୍କର ହତାଦର , ଅତ୍ୟାଚାର ଓ ନିଷ୍ଠୁରତା ଭିତରେ ତାଙ୍କୁ ସେ ଯେମିତି ଘୃଣା କରୁଥିଲା, ସେଥିରୁ ସେହି ନିହାର ପୁଣି ଆଉ ଥରେ ନିଜକୁ ତା’ର ସ୍ୱାବଳମ୍ୱୀ ଜୀବନରେ ନିଜକୁ ବଳରାମଙ୍କ ସ୍ତ୍ରୀ ବୋଲି ଦେଖାଇବ.... କେଡ଼େ ଦୁର୍ଭାଗ୍ୟ-। ଦେଖାଇବାକୁ ପଡ଼ିଲା ତ !

 

ପୁଣି ନିଜର କେତୋଟି ପିଲା ଅଛନ୍ତି—ସେତକ ଲେଖିବାକୁ ହେଲା । ସେତକ ବଳରାମଙ୍କର ପରିଚୟ । ଠିକଣା ଲେଖିବାକୁ ପଡ଼ିଲା । ନିହାର କିନ୍ତୁ ନିଜ ସ୍ୱାମୀ ବଳରାମଙ୍କର ଠିକଣା ଦେଲାନାହିଁ । ସେ ରହୁଥିବା ଭଦ୍ରଲୋକଙ୍କର ଠିକଣା ଦେଲା । ଦିଗମ୍ୱର କବିରାଜ ।

 

ଦରଖାସ୍ତ ଲେଖିଲାବେଳେ ଯେତେବେଳେ ନିହାର ଦିଗମ୍ୱର ବାବୁଙ୍କ ପାଖରେ ଅଛି ବୋଲି ଲେଖିଲା, ସେତିକିବେଳେ କଲମକୁ କାମୁଡ଼ି ବଳରାମ ଉଦ୍ଦେଶ୍ୟରେ କହିଥିଲା—ହେଇ ଦେଖ, ନିହାରର ଆଉ ଠିକଣା ଅଛି କି ନାହିଁ...କହୁଥିଲ ପରା ସ୍ୱାମୀ ହେଉଛି ସ୍ତ୍ରୀର ଏକମାତ୍ର ପରିଚୟ...ଏବେ ବୁଝ ତାର ଆଉ ପରିଚୟ ଅଛି କି ନାହିଁ ।

 

ଦିଗମ୍ୱର ବାବୁ ସେତେବେଳେ ତାଙ୍କର ଜୀବନର ଗୋଟାଏ ବଡ଼ କାମ କରୁଥିଲେ—ନିହାରବାଳାର ଦରଖାସ୍ତ ସିଭିଲସର୍ଜନ ଦେଖିବେ । କାଳେ ଭୁଲ ହୋଇଯିବ । ଦରଖାସ୍ତଟା ସୁନ୍ଦର ନ ହେଲେ ନିହାର ବଛାବଛିରେ କଟିଯାଇ ପାରେ ।

 

ନିହାର ଓ ଦିଗମ୍ୱର ଦୁହେଁଯାକ ତାଙ୍କର ସବୁ ଏକାଗ୍ରତା ଠୁଳ କରି ବହୁତ ବେଶି ସତର୍କ ଓ ସାବଧାନ ହୋଇ ସବୁ ପ୍ରକାର ଦେବଦେବୀ ଓ ଇଷ୍ଟଦେବଙ୍କୁ ସ୍ମରଣ କରି ଦରଖାସ୍ତଟି ପୂରଣ କଲାବେଳେ ମନରେ ଏକ ହୋଇଥିଲେ । ନିହାର ତାଙ୍କର ଡାହାଣକୁ ବସିଥିଲା । ନିହାର ଲେଖୁଥାଏ, ଆଉ ସେ ଚାହିଁଥାନ୍ତି ।

 

—ଠିକ୍‌ କରି ଲେଖ, ଯେମିତି ଗୋଟେ କଟାକଟି ହେବ ନାହିଁ । ଆଗରୁ ବାଜେ କାଗଜରେ ଦୁଇ ତିନିଥର ନିହାର ଲେଖିଥିଲା । ଅକ୍ଷର ଗୋଲ ହେଉନାହିଁ । ଦିଗମ୍ୱର ବିରକ୍ତ ହୋଇ କହୁଥିଲେ—ସବୁଥିରେ ତୁମେ ସୁନ୍ଦର ଯେ ଅକ୍ଷର ଦି’ଟା ହେଲେ ସେମିତି ସୁନ୍ଦର ହେଉଥାଆନ୍ତା ?

 

—ନହେଉ । ମୋର ସେ ପଢ଼ା ଦରକାର ନାହିଁ । ନିହାରର କଥାରେ ଅଭିମାନ । ତା’ର ମୁହଁ ପ୍ରେମର ଉଚ୍ଛାସ ଦେଖାଉଥିଲା । ସେ କଲମ ରଖିଦେଇ ବସିଲା ।

 

—ଲେଖ ମ ଲେଖ । ତମ ଅକ୍ଷର ଭଲ । ତେବେ ହସ୍ତାକ୍ଷର ଲେଖିଲା ଭଳିଆ ଦିଶୁଛି-

 

—ମୁଁ ତ କାହା ପାଖକୁ ଚିଠି ଦିଏ ନାହିଁ । ଲେଖିବା ଅଭ୍ୟାସ ଥିଲେ ସିନା ହୁଅନ୍ତା । ତମ ପାଖକୁ କେବେ କ’ଣ ଚିଠି ଦେଇଛି କି ? କହି ନାରୀସୁଲଭ ପ୍ରୀତିଭରା ଅଭିମାନିଆଁ ଚାହାଣୀରେ ନିହାରବାଳା ଚାହିଁ ରହିଲା ।

 

—ଲେଖ ମ । ଏତେବେଳେ ରୁଷିଲେ କିଛି ଭଲ ହେବ ନାହିଁ । ତମେ ଯେତେ ସୁନ୍ଦର ହୋଇଥାଅ ନା କାହିଁକି, ତମ ହାତ ଲେଖା ଦେଖି ସେମାନେ ପସନ୍ଦ କରିବେ ପରା ! ଲେଖ !

 

—ମୁଁ କ’ଣ ସୁନ୍ଦର କି ? କହି ନିହାର ତା’ର ହାତଟିକୁ ଦେଖାଇଲା...ଦେଖୁନ, କିମିତି ରଙ୍ଗ !

 

—ରଙ୍ଗରେ ସୌନ୍ଦର୍ଯ୍ୟ ନଥାଏ ।

 

—ଆଉ କେଉଁଠି ?

—ବ୍ୟବହାରରେ...କଥାରେ ।

ମୁହଁ ଉପରେ ଲାଜର ରକ୍ତିମ ରେଖା ଆଙ୍କି ନିହାର କହିଲା—ମୋ ବ୍ୟବହାର ଖରାପ ବୋଲି ବଳରାମଙ୍କ ଘରର ପିଲାରୁ ବୁଢ଼ାଯାଏ ସମସ୍ତେ ମତେ ଦୂର୍‌ଦୂର୍‍ କଲେ... ନିଜ ଘରେ ବି ସମସ୍ତେ ଖୁଣିଲେ । ଆଉ ଭଲ କ’ଣ ? —ମତେ ଠକୁଛ ?

—ସେମାନଙ୍କର ଆଖି ନାହିଁ । ବୁଝିବାପାଇଁ ତାଙ୍କର ଶକ୍ତି ନାହିଁ । ତମର ବ୍ୟବହାର ଏତେ ସୁନ୍ଦର ଯେ, ତମ ସାଙ୍ଗରେ ଯେ ଥରେ କଥାବାର୍ତ୍ତା କରିବ, ସେ ତ ଆପଣା ଛାଏଁ ଝୁରି ହେଉଥିବ... କହି ନିହାରବାଳାର କାନ୍ଧକୁ ଦିଗମ୍ବର ଟିପି ଦେଲେ ।

—ଆଃ, କାଟୁଛି ବୋଲି କହି ନିହାର ଟିକିଏ ଅଣେଇ ହୋଇ ପଡ଼ିଲା ଦିଗମ୍ୱରଙ୍କ ପାଖକୁ... ଏମିତି ଟାଣରେ ଆଉଁଷିଲେ କ’ଣ ଭଲ ବ୍ୟବହାର ଅଛି ବୋଲି ମୁଁ କହିବି ?

—ତୁମେ ସିନା ନରମ.... ମୁଁ ତ ତମପରି କଅଁଳ କି ମିଠା ନୁହେଁ । ତମ ବ୍ୟବହାର ଯେତିକି କଅଁଳ, ମୋ ବ୍ୟବହାର ସେତିକି....

ନିହାରବାଳା ଅନ୍ୟମନସ୍କ ହୋଇ ବାଜେ କାଗଜ ଉପରେ କଲମରେ ଗାରେଇଲା । ଦିଗମ୍ୱରଙ୍କ ମୁହଁ ଲାଲ ପଡ଼ିଯାଇଥିଲା ।

ସେ ଅତି ଧୀରେ ନିହାରବାଳା ପିଠିରେ ହାତ ରଖି କଅଁଳ ସ୍ୱରରେ କହିଲେ—ଲେଖ ।

—ମୁଁ ଲେଖିବି ନାହିଁ । ମୋର ପଢ଼ା ଦରକାର ନାହିଁ । ମୁଁ ଫେରିଯିବି ।

—ରୁଷୁଛ କ’ଣ ? କାଲି ପରା ଶେଷ ତାରିଖ । କାଲି ଶନିବାର ସକାଳେ କ’ଣ ଦେଖିବା ? ...ବାରବେଳା...ତମର କଥା ଗୁଡ଼ାକ ଭାରି କଅଁଳ ।

—ହଁ ହୋଇଥାଉ । ସେଗୁଡ଼ାକ ସେମିତି କଅଁଳ ହେଲାରୁ ସିନା ମୁଁ ଏତେ ଛଟପଟ ହେଉଛି । ମୁଁ ଯେବେ ଟାଣକରି କଡ଼ା କଥା କହିପାରୁଥାନ୍ତି ତାହାହେଲେ....

—ଲେଖିଦିଅ । ବୁଲିବାକୁ ଯିବା ।

—ନବ ତ ? ...ମତେ ଭାରି ଏକୁଟିଆ ଲାଗୁଛି । କାହିଁକି କେଜାଣି ମନଟା ଦୂର୍‌ଦୂର୍ ହେଉଛି । ...ତମେ କ’ଣ ସବୁଦିନେ ମତେ ଏମିତି ଏଇ ମନରେ ପଚାରୁଥିବ ? —କହି ଦୀର୍ଘନିଶ୍ୱାସ ପକାଇଲା ।

—ଏମିତି କ’ଣ କହୁଛ ଆଜି ?

—ଆଉ ? ତମେ ତ ବଳରାମଙ୍କ ପରି ଜଣେ । ତମର ପିଲାମାନେ ଆସିଲେ ଆଗ ମୋତେ ଛାଞ୍ଚୁଣି ଉଠାଇବେ... ଖବର ପାଇବେଣି ଯେ—କହି ନିହାରବାଳା ଆଖି ଛଳଛଳ କଲା ।

—ମୁଁ ଜଣେ କବିରାଜ । ମୋ ଘରେ ଚିକିତ୍ସା କରିବା ପାଇଁ ମୁଁ ରୋଗୀ ରଖିଲେ ସେଥିରେ କହିବା ପାଇଁ ଲତାର କି ଅଧିକାର ଅଛି ?

 

—ଏଇଠି ଲତାକୁ ଗାଳି ଦେଉଥାଅ । ଲତା ଆସିଲେ ପାଟି ଫିଟିବ ନାହିଁ ।

—ତୁମ କଥାରେ ଲତା ଯଦି ପାଟି ଫିଟାଏ, ତେବେ ଦେଖିବ.. ଅତି କ୍ରୋଧରେ ଦିଗମ୍ୱର କହିଲେ—ତେବେ ଲତା ସବୁଦିନ ପାଇଁ ମୋତେ ଛାଡ଼ିବ—ତୁମକୁ ଅପମାନ ଦେବାପାଇଁ ଯେବେ ଲତା ଚେଷ୍ଟାକରେ । ଲତା ସେପରି ନୁହେଁ । ଦେଖିବ ନାହିଁ ଯେ !

—ସତ କହୁଛ ? ...କ’ଣ ପାଇଁ ମୋତେ ତମେ ଏତେବଡ଼ ଆଖିରେ ଦେଖ ? ମୋର ତ କିଛି ନାହିଁ । ମୁଁ ତୁମକୁ କ’ଣ ଦେଇ ପାରିବି ? ମୋ ଜୀବନ ତ ମୋ ହାତରେ—ଭରିଏ ଅଫିମ କି ଧୁତୁରାକୁ....

—କ’ଣ କହୁଛ, ନିହାର ! ଜାଣିଥାଅ, ତୁମେ ଯେଉଁଦିନ ମୋତେ ଛାଡ଼ି ଦେବ, ସେହିଦିନ ମୁଁ ବି ଏସବୁ ତୁଚ୍ଛ କରିଦେଇ ଚାଲିଯିବି ।

—ଯାଇ ପାରିବ ଏକାଠି, ମୋ ସାଙ୍ଗରେ ? ମରଣ ଦୁଆର ପର୍ଯ୍ୟନ୍ତ ଚାଲିପାରିବ ?... ତୁମର ପିଲା କୁନିଝିଅ ତାଙ୍କୁ ଭୁଲି ପାରିବ ?

ନିହାରବାଳାର ଉତ୍ତେଜିତ ମୁହଁକୁ ଚାହିଁ ନିଜକୁ ନିହାରବାଳା ପାଖକୁ ନେଇଆସି ଦିଗମ୍ୱର କହିଲେ—ତୁମେ ଜାଣ ନାହିଁ । ତୁମପାଇଁ ମୁଁ ସବୁ ଅସାଧ୍ୟ ସାଧନ କରି ପାରିବି । ଲତା କି ତା’ର ଝିଅ ମୋ ପାଖରେ କିଛି ନୁହନ୍ତି । ତୁମେ ମୋର ସର୍ବସ୍ୱ ।

—କେଜାଣି । ମୋର ଏତେ ଭଲ ଠାକୁରେ ସହିବେ ନାହିଁ । ମୁଁ ବଡ଼ ଅଭାଗିନୀ । ମୋତେ ତ ବଳରାମ ତଡ଼ିଦେଲା । ଆଜି ମୁଁ ପୁଣି ତାରି ନାଁକୁ ଲେଖିଲି ଏଇ ଦରଖାସ୍ତରେ... ନିହାର ଆଖିରୁ ଲୁହ ଗଡ଼ି ଆସୁଥିଲା ।

ତା’ର ମୁହଁଟିକି ଦିଗମ୍ୱର ନିଜ ଛାତିରେ ଘୋଡ଼ାଇ ଦେଇ ଅତି ସ୍ନେହରେ, ଅତି କୋମଳ କଣ୍ଠରେ କବିତାର କୁହୁକ ଦେଖାଇ କଳ୍ପନାର ସମସ୍ତ ହଟଚମଟ କଥାରେ ମିଶାଇ ଦିଗମ୍ୱର କହିଲେ—ମୁଁ ଜଣେ ସାମାନ୍ୟ ଲୋକ । ତୁମପରି ମଣିମାଣିକ ଧରି ରଖିବାକୁ ଅବା ପାଇବାକୁ ଅଭାଜନ....

ନିହାର ସେମିତି ତାଙ୍କରି ଛାତି ଉପରେ ମୁହଁ ରଖି ଅସ୍ପଷ୍ଟ ସ୍ୱରରେ କହିଲା—ମୁଁ ତୁମପାଇଁ ଅଯୋଗ୍ୟ ।

ନିହାର ପୁଣି ଦରଖାସ୍ତ ଉପରକୁ କଲମଟି ନେଲାବେଳେ ନିଜକୁ ପଚାରିଥିଲା—ସେଇ ଏକା ବ୍ୟବହାର, ସେଇ ଏକା ନିହାରବାଳା...ଦିଗମ୍ୱର ପାଖରେ କାହିଁକି ଅମୂଲମୂଲ, ଆଉ ବଳରାମଙ୍କ ପାଖରେ ଏକାବେଳକେ ରାସ୍ତାର ଗୋଡ଼ିଠାରୁ ବି ହୀନ ।

ଦିଗମ୍ୱର ନିହାରବାଳାର ସେଇ ଫୁଲପରି କଅଁଳ ଆଖି ଓ ମୁହଁକୁ ଚାହିଁ ନିଜକୁ ପଚାରୁଥିଲା—ଦିଗମ୍ୱର ଯଦି ନିହାର ପାଖରେ ଏତେ ବଡ଼, ତେବେ ସେ କ’ଣ ପାଇଁ ଲତାପରି ଗୋଟିଏ ସ୍ତ୍ରୀ ସାଙ୍ଗରେ ଏତେ ଭଲରେ ଚଳି ମଧ୍ୟ ଯୋଗ୍ୟ ବୋଲି ଟିକିଏ ଭରସା ପାଇ ପାରିଲା ନାହିଁ... ସେ ହେଲେ ନିହାରକୁ ବିଭା ହୋଇଥାନ୍ତା !

ନିହାରବାଳା ଦରଖାସ୍ତ ପୂରାକରି ନିଜର ନାଁଟି ଦସ୍ତଖତ କରି ସାରିଲା ପରେ—ଗୋଟିଏ କାମ ଛିଣ୍ଡିଲା ବୋଲି ଭାବି ଦିଗମ୍ୱରକୁ ପଚାରିଲା—କାମ ସରିଲା । ଚାଲ ଏବେ ଏମିତି ଏଠୁ ଏକାଠି ହୋଇ ଚାଲିଯିବା... ଯେଉଁଠି କିଛି ବାଧା ବନ୍ଧନ ନାହିଁ...ଏଇ ଆକାଶ ଓ ଏ ଦୁନିଆର ମାଟି ଆମପାଇଁ ନୁହେଁ ।

 

ଦିଗମ୍ୱର ଚାହିଁ ରହିଲା । ନିହାରବାଳା ଆସିଲା ଦିନୁ ସେ ଭଲକରି ତା’ର ଲେହ, ଆସିବ ଓ ଭସ୍ମ ପ୍ରତି ନଜର ଦେଇ ପାରିନାହିଁ । ଘରଭଡ଼ା ଉଠାଇବାକୁ ଯଥେଷ୍ଟ ରୋଗୀ ଆସୁ ନାହାନ୍ତି, ଅବା ଔଷଧ ବିକ୍ରି ହେଉ ନାହିଁ ।

—କ’ଣ ଭାବୁଛ ? ଯିବ ନାହିଁ କି ?

—ଟିକିଏ ଦୋକାନକୁ ନଗଲେ କାମ ଅଚଳ । ଭାବୁଥିଲି, ଦଣ୍ଡେ ପହରେ ଟିକିଏ ସେଠି ମୁହଁ ଦେଖାଇ ଫେରି ଆସିବି ।

—ଦୋକାନ କ’ଣ ? ଆମେତ ଆଉ ରହିବା ନାହିଁ । ଦୋକାନ ଆମର କ’ଣ କରିବ ?

ଦିଗମ୍ୱର ଜବାବ ଦେଇ ପାରିଲା ନାହିଁ—ଗୋଟିଏ ନାରୀର ପ୍ରଶ୍ନ...ସବୁ ଛାଡ଼ି ଦେଇ ଖାଲି ମୋତେ ନେଇ ପାରିବ କି ? ମୁଁ ଗୋଟିଏ ଦାୟିତ୍ୱ , ମୁଁ ଗୋଟିଏ ବନ୍ଧନ, ମୁଁ ଗୋଟିଏ ଦୁର୍ଯ୍ୟୋଗ । ମୋତେ ତମର ସବୁ ସ୍ୱାଧୀନତା, ସବୁ ସୁଯୋଗ ଓ ସୁବିଧାର ବଦଳରେ ନେଇ ପାରିବ କି ?

ଦିଗମ୍ୱର ତୁନି ରହିଲା । ନିହାରବାଳା ଅଭିମାନଭରା ଉଚ୍ଛ୍ୱସିତ କଣ୍ଠରେ କହିଲା—ନା, ତମେ ପାରିବ ନାହିଁ । ତୁମେ ମୋତେ ଚଳାଇ ପାରିବ ନାହିଁ । ... ମୋତେ ବାହା ହେବ ? କହିଥିଲି, ବୁଝିଛ ?

—ଓକିଲ ମନାକଲେ । ତିନିଜଣ ଓକିଲଙ୍କ ସାଙ୍ଗରେ ମସୁଧା କଲି । ବୋକାଗୁଡ଼ାଏ କିଛି ବାଟ ଦେଖାଇ ପାରିଲେ ନାହିଁ । ଖାଲି ଏଣୁତେଣୁ ଗୁଡ଼େଇ ତୁଡ଼େଇ ପଚାରି ହେଲେ...ନିଜ ସ୍ତ୍ରୀକୁ ଛାଡ଼ିବ କାହିଁକି.... ଅନ୍ୟ ସ୍ତ୍ରୀଟି ତା’ର ସ୍ୱାମୀକୁ ଛାଡ଼ୁଛି କାହିଁକି...ସେ କିଏ....ହୋଇ ପାରିବ ନାହିଁ... କହିଲେ ।

—ତେବେ ବଳରାମକୁ ମୁଁ ଛାଡ଼ିପାରିବି ନାହିଁ । ସେ ମୋତେ ଫୋପାଡ଼ି ଦେଲା । ଆଉ ମୁଁ ତା’ରି ପାଇଁ ସବୁଦିନକୁ ବାନ୍ଧି ହୋଇ ରହିବି...ସତରେ ହେବ ନାହିଁ ?

—ନା ।

—ତେବେ ମୁଁ ଏମିତି ତୁମଘରେ କୌଣସି ଅଧିକାର ନଥାଇ ତୁମ ପାଖରେ ରହିଛି କାହିଁକି ? ଏ ନିଖିଳ ବିଶ୍ୱରେ ମୋତେ ଯେ ଆଶ୍ରୟ ଦେବ, ସେ କ’ଣ ମୋତେ ଆଉ ନିଜର କରି ପାରିବ ନାହିଁ ? ମୁଁ କ’ଣ ମୋର ଆଶ୍ରୟଦାତାକୁ ନିଜର ମଣିଷ, ନିଜର ସ୍ୱାମୀ ବୋଲି କହି ପାରିବି ନାହିଁ ? ତୁମେ ତେବେ ମୋର କେହି ନୁହଁ ?

ଗଭୀର ସମବେଦନା ଦେଖାଇ ଦିଗମ୍ୱର କହିଲା—ମୁଁ ନିକର୍ତ୍ତବ୍ୟ ନିହାରବାଳା ! ତୁମ ସାଙ୍ଗରେ ଦେଖାହେବା ଆଗରୁ ମୁଁ ବାନ୍ଧି ହୋଇଯାଇଛି ଲତା ସାଙ୍ଗରେ....ସେ ତ ତୁମରି ବଳରାମଙ୍କର ଦୂରବନ୍ଧୁ ।

—ହଁ ସତେ ତ । ଭୁଲିଯାଇଥିଲି । ମୁଁ ଆଉ ଆକାଶକୁ ଯିବି କ’ଣ ! ମୋର ଚାରିଆଡ଼େ ବଳରାମ ନଇଲେ ବଳରାମଙ୍କର ଲୋକ... ତୁମେ ସମସ୍ତେ ମତେ ଘେରି ରଖିଛ । ଥରେ ମୋତେ ବଳରାମ ହାତକୁ ଟେକି ଦେଇଥିଲ ବୋଲି ଆଉ ସେଠୁ ମୋତେ ଖସେଇ ଆଣିବ ନାହିଁ । ... ଆଇନ ଯାହା କହୁଛି କହୁ । ଓକିଲମାନେ କିଛି ହୃଦୟର ରାଜା ନୁହନ୍ତି । ତୁମେ ମୋତେ ବାହା ହୁଅ... ହେବ ନାହିଁ ?

—ଜେଲଖାନା ହେବ ବୋଲି କହୁଛନ୍ତି ।

—ହଁ, ଜେଲ ଯିବା । ଜେଲରେ ତ ଏକାଠି ରହି ପାରିବା !

—ମୁଁ ସେକଥା କହିଥିଲି । ସେମାନେ କହିଲେ—ଜେଲରୁ ଫେରିଲେ ବି ଆଉ ହୋଇପାରିବ ପାହିଁ । ଆଇନ ଅନୁସାରେ ବାହାଘର ଡୋରି ନଛିଣ୍ଡିଲେ ଏସବୁ କାମ ଆଇନ-ବିରୁଦ୍ଧ ହେବ ।

—କି ଆଇନ ମୋତେ ଦେଖାଉଛ ? ଆଇନ ଅନୁସାରେ ଚଳିବାକୁ ମୁଁ ତ ବାଧ୍ୟ ନୁହେଁ-। ମୋତେ ଯେତେବେଳେ ବଳରାମ ଫୋପାଡ଼ି ଦେଲେ, ସେତେବେଳେ ତୁମର ଆଇନ କେଉଁଠି ଥିଲା ? ତୁମ ପାଖକୁ ଆସିଲାବେଳେ କୋଉ ଆଇନ ଆସି ଅଟକାଇ ଥିଲା ? ତୁମେ ମୁଁ ଏକାଠି ଚଳିଲ, ଆଜିକି ଏଗାର ଦିନ ଏଇ ଘର, ଘରର ସବୁ ଜିନିଷ ଆଉ ତମେ ଓ ମୁଁ ସମସ୍ତେ ସମସ୍ତଙ୍କୁ ନିଜର ପରି କରିଛୁ—ସେଥିରେ କୋଉ ଆଇନ ବାଧା ଦେଇଥିଲା...ଆଜି ବାଧା ଦେବ ? ଦେଇପାରିବ ନାହିଁ ।

ଦିଗମ୍ୱରର ମନେ ପଡ଼ୁଥିଲା... ଲତାର ମୁହଁ । ଝିଅ କୁନିର ହସ, ଦୋକାନର ଭଡ଼ାବାଲାର ଚାହାଣୀ, ଆଗରେ ବସିଛି ସ୍ୱାମୀ—ପରିତ୍ୟକ୍ତା ନିହାରବାଳା । କହୁଛି ବାହାହୋଇ ଜେଲ ଚାଲ ।

ଦିଗମ୍ୱରକୁ ନିହାରବାଳା ଅତି ଅସୁନ୍ଦର ଦିଶିଥିଲା । ତା’ର ରୂପ, କଥା ଓ ବ୍ୟବହାର... ପ୍ରକୃତରେ ବଳରାମ ଠିକ୍‌ କହିଛି, ନିହାରବାଳା ଭାର୍ଯ୍ୟା ନୁହେଁ, ସେ ବିଷ । ପାରୁପର୍ଯ୍ୟନ୍ତ ବଳରାମ ନିଜର ବଂଶର ଟେକ ରଖିବାକୁ ନିହାରବାଳାକୁ ବରଦାସ୍ତ କରିଥିଲା...ସତ ହୋଇଥିବ !

ନିହାରବାଳା ଆପଣା ମନକୁ ବୁଝାଇଲା ପରି କହିଲା—ସବୁଦିନେ ମୁଁ ଏମିତି ତମର ତାଙ୍କର ହୋଇ ରହିଥିବି ? କେହି ମୋତେ ନିଜର କରି ମୋ ମୁଣ୍ଡ ଉପରେ ଟିକିଏ ଛତା, ମୋ ପାଖକୁ ଟିକିଏ ଆପଟ ହୋଇ ଠିଆ ହେବେ ନାହିଁ । ଯେତେଦିନ ଯାଏ...କ’ଣ କହୁଥିଲ ଠିକ୍‌ କଥା ତ...ମୋର ରୂପ, ବ୍ୟବହାର ଓ କଥା ସୁନ୍ଦର ହୋଇଥିବ, ସେତିକିଦିନ ଏମିତି ତୁମ ପରି ଲୋକେ ଲୁଚେଇ ଛପେଇ, ମନକୁ ଶାସନ କରି କେଜାଣି ଅବା ହସି କଥା କହୁଥିବେ...ମୋତେ ଭୁଲାଇବାକୁ ମୋର ମନ ରଖିଲାପରି ବ୍ୟବହାର କରୁଥିବେ.....ମୋର ସୌନ୍ଦର୍ଯ୍ୟ ଥିବାଯାକେ ତୁମେମାନେ ଥିବ...ଶେଷକୁ କେହି ରହିବେ ନାହିଁ ।

ଅଶ୍ରୁସଜଳ ଆଖି ଉନ୍ମତ୍ତ ହୋଇ ଚାହିଁଥିଲା ଦିଗମ୍ୱରକୁ । ସେ ଡୋଳା ବୁଲାଇ ନେଲା । ଅପଲକ ଆଖିରେ ନିହାର କହିଲା—ହଉ, ତୁମକୁ ଦୋଷ ଦେବି କାହିଁକି ? ଯେତିକି ତୁମେ ଦେଇ ପାରିବ, ସେତିକି ଅବା ମୁଁ ଫୋପାଡ଼ି ଦେବି କାହିଁକି ? ସବୁଦିନକୁ ମୁଁ ତୁମର ନୁହେଁ । ତୁମେ ଦି’ଦିନର ସାଥି…ମନ ଦୁଃଖ କଲକି ? କୋଉଠି ଖରାକାକରରେ ବୁଲିଥାନ୍ତି । ଅଳ୍ପଦିନ ପାଇଁ ହେଉ ପଛକେ, ତେମେ ତ ମୋତେ ରହିବାକୁ ଖଣ୍ଡେ ଚାଳ ଦେଇଛ । ଭଲ ବ୍ୟବହାର ଦେଖାଇଛ...ମୁଁ କୃତଜ୍ଞ ରହିବି ନାହିଁ କାହିଁକି ?

ଦିଗମ୍ୱରର କାତର ଆଖିରୁ ବିବ୍ରତ ଲୁହ ଦୁଇଟୋପା ଖସି ପଡ଼ିଥିଲା । ସ୍ୱାମୀ-ପରିତ୍ୟକ୍ତା ନିହାରବାଳା କବିରାଜ ଦିଗମ୍ୱରକୁ ତୁଳାପରି ଫୁଙ୍କି ଉଡ଼ାଇ ଦେଉଛି । ନିହାରପାଇଁ ସେ ଏତେ ବିପଦ ଆପଦ, ଲୋକଙ୍କର ନିନ୍ଦା ଦୁର୍ନାମ, ଦୋକାନର କ୍ଷତି ସବୁ ସହିଛି ଓ ସହିବ...କିନ୍ତୁ ନିହାର ତା’ର ହେବ ନାହିଁ ।

 

—ହଉ, ଦରଖାସ୍ତ ଲେଖିଲି । ଟିକିଏ କଷ୍ଟକରି କାଲି ନେଇ ଡାକ୍ତରଖାନାରେ ଦେଇ ଆସିବ । ଯଦି ଠାକୁର କରନ୍ତି, ହୋଇଯିବ । କିଛି ନହେଲେ ତମ ତାଙ୍କ ଉପରେ ଲଦି ନହୋଇ ଆପଣା ବାହୁବଳରେ ପେଟ ପୋଷିପାରିବି । ପେଟ ଅପୋଷା ରହିବ ନାହିଁ । ଦିନେ ବଳରାମ ଜାଣିବ ଯେ ନିହାରବାଳା ଆପେ ଆପେ ମଣିଷ ହୋଇଛି...ଆଉ ବଳରାମର ସ୍ତ୍ରୀ ବୋଲି ତା’ ଜମିରୁ ଭାଗ ନେଇ ନାହିଁ କି ଜମିର ଫସଲ ଖାଇନାହିଁ ।

 

ଏତେ ଆଶାର କିରୀଟ ପରି ଡାକ୍ତରଖାନାର ସିଭିଲସର୍ଜନ, ନିହାରବାଳାକୁ ଦିଶୁଥିଲେ ଯେମିତି ତା’ର ଅବରୁଦ୍ଧ, ଅଭିଶପ୍ତ ଓ ବିଧ୍ୱସ୍ତ ଜୀବନର ଗୋଟିଏ ଛୋଟ ଦୁଆର । ସେ ବାଟ ଆଗୁଳାଇ ଠିଆ ହୋଇଛନ୍ତି ।

 

ମଣିଷ ତାକୁ ବଞ୍ଚିବାର ଗୌରବ ଦେଇପାରିବେ ନାହିଁ । ପରିତ୍ୟକ୍ତା ନାରୀର ସମସ୍ତ ଅପବାଦ, ପରିତ୍ୟାଗ କରିଥିବା ସ୍ୱାମୀଙ୍କର ସମସ୍ତ ଅଭିଶାପ, ନିହାରବାଳା ନିଜେ ନିଜେ ଦୂର କଲେ କରିପାରେ...ଦିଗମ୍ବର ନୁହନ୍ତି ।

 

ତା’ର ଅପଲକ ଆଖି ଆଗରେ ଅତି ଛୋଟିଆ ମଣିଷ ଦିଗମ୍ୱର କ୍ଷୁଦ୍ରରୁ କ୍ଷୁଦ୍ରତ୍ତର ହୋଇ ଲୁଚି ଯାଉଥିଲେ । ଦିଗମ୍ୱରଙ୍କର ହାତ, ନିହାରବାଳାର ନିଦ, ମନର ଅବସାଦ ଦୂର କରିବାକୁ ଅକ୍ଷମ । ସେ ପଚାରୁଥିଲେ—ତମେ ରାଗିଛ ନିହାରବାଳା !

 

ସେ ଜବାବ ଦେଇ ନଥିଲା । ଉତ୍ତର ଶୁଣିବାର ଅଧିକାର ଦିଗମ୍ୱରଙ୍କର ନାହିଁ । ନୂଆ ଜୀବନର ଯାତ୍ରା-ପଥର ଆରମ୍ଭରେ ସେ ଆସି ଦେଖା ଦେଇଥିଲେ—ରେଳଷ୍ଟେସନର ଟିକେଟ କଲେକ୍ଟର, ପ୍ଲାଟଫର୍ମର ବୋଝିଆ ଅବା ସହଯାତ୍ରୀର ସେତେ ନେଇ ।

 

ସେଇ ଦିନୁ ନିହାର ହସ୍‌ପିଟାଲକୁ ଚାହିଁଥିଲା—ସେଇ ତା’ର କାମାକ୍ଷା । ସେଇ କୋଠାବାଡ଼ି, ସେଥିରେ ରହୁଥିବା ରୋଗୀ, ତାକୁ ଚଳାଉଥିବା ଡାକ୍ତର ସମସ୍ତେ ଯେମିତି ଏକାଠି ହୋଇ ନିହାରବାଳାକୁ ଡାକୁଥିଲେ ଆସିବାକୁ ।

 

ଜୀବନର ପରିସମାପ୍ତି ହେବ । ଦୁନିଆର ହସକୁ ଜବାବ ଦେଇ ହେବ । ପେଟପୋଷିବାପାଇଁ ଧନ୍ଦା, ସମୟ କଟାଇବା ପାଇଁ କାମ, ଆଉ ଦୁଃଖକୁ ଭୁଲିବାପାଇଁ ଗୋଟାଏ ଲକ୍ଷ୍ୟ—ସବୁ ସେ ଏକାଠି କରି ତାର ଅକ୍ଷରରେ ଲେଖି ପଠାଇ ଦେଇଛି । ସେଇ ଦରଖାସ୍ତ ଯଦି ଦେଖିଲା ଲୋକର ଆଖିକୁ କହିବ ଯେ ସ୍ୱାମୀପରିତ୍ୟକ୍ତା ନିହାରବାଳା ତାଙ୍କର ଦରକାର, ତାହାହେଲେ ସେ ସବୁଦିନ ପାଇଁ ନିଜକୁ ଜଣେ ଦରକାରୀ ମଣିଷରେ ଗଢ଼ିପାରିବେ ।

 

ସେମାନେ ଚାହୁଁଛନ୍ତି ସୁନ୍ଦର ସ୍ତ୍ରୀ—କଥା, ବ୍ୟବହାର, ବୟସ ଓ ଶିକ୍ଷା...ଛାଡ଼ିଗଲେ ଖାଲି ଯୋଗ୍ୟତା—ସୌନ୍ଦର୍ଯ୍ୟର ଯୋଗ୍ୟତା...ଯେତିକି ଭଲ ଲାଗିଛି ଦିଗମ୍ୱରକୁ; ଯେତିକି ଖରାପ ଲାଗିଥିଲା ବଳରାମକୁ, ଯେତିକି ଦେଇଥିଲେ ବାପ ମା, ଯେତିକି ସଜାଡ଼ି ଥିଲା ନିଜ ହାତରେ—ସେତିକି ତା’ର ଅଛି । ବଡ଼ ପାହିଆ କର୍ମଚାରୀ ସିଭିଲସର୍ଜନ ସାହାବଙ୍କ ପାଖରେ ସତେ କ’ଣ ନିହାରର ମୂଲ୍ୟ ହେବ !

 

ଦିଗମ୍ୱରଙ୍କୁ ଭୁଲି, ତାଙ୍କର ଗେଲବସର କଥାକୁ ଗୋଟାଏ ଅଡ଼ୁଆ ଓ ଅତ୍ୟାଚାର ଭାବି ବିନା ପ୍ରତିବାଦରେ ନିହାରବାଳା ଦରଖାସ୍ତ ଦେବାଠାରୁ ସାକ୍ଷାତ କରିବା ପର୍ଯ୍ୟନ୍ତ ଦିନଗୁଡ଼ିକ ଟାଣି ଟାଣି ନେଇଥିଲା—ପ୍ରତିବାଦ କରିବ କାହା ପାଖରେ ! ଜମି ଆପଦଖଜଣା ଦେବାକୁ ପଡ଼େ । ଘର ଥିଲେ ଭଡ଼ା ଅବା ଟିକସ ଦେବାକୁ ପଡ଼େ । ସେମିତି ବଞ୍ଚିବାକୁ ହେଲେ କିଛି ନା କିଛି ଟିକସ ଦେବାକୁ ହେବ ।

 

ଯାହାର ଯାହା ଉପରେ ଅଧିକାର ଅଛି, ଯେ ଯାହାକୁ ଅଧିକାର କରିପାରୁଛି...ସମସ୍ତେ କିଛି ନା କିଛି ନେବେ । ସମସ୍ତେ ଖୋଜୁଛନ୍ତି ସେତିକି । ମନଲାଖି କଥା, ଆଖିଲାଗି ରୂପ, ମନକୁ ପାଇଲାପରି ବୟସ...ନାରୀଠାରୁ ଯାହା ଖୋଜନ୍ତି, ପୁରୁଷଠାରୁ ହୁଏତ ତାହା ଖୋଜନ୍ତି ନାହିଁ—ସେ ତ ଜଣେ ନାରୀ । ପ୍ରତିବାଦ କରିବ କାହା ପାଖରେ !

 

ଯାହା ପାଖରେ ପ୍ରତିବାଦ କରିଥାନ୍ତା, ଯେଉଁମାନେ ନିଜର ଲୋକ ବୋଲି ନିହାରର ସମସ୍ତ ଅଭିଯୋଗ ଖୁସିମନରେ ବରଦାସ୍ତ କରିଥାନ୍ତେ, ସେମାନେ ତାକୁ ଛାଡ଼ି ଯାଇଛନ୍ତି । ଅନ୍ୟମାନେ କପଟ ସ୍ନେହ ଦେଖାଇ ସ୍ନେହକୁ ବଳିଷ୍ଠ କରିବାକୁ ସେଥିରେ ଭଲପାଇବା ମିଶାଇ, ଶେଷରେ ତାହାକୁ ପ୍ରୀତି ବୋଲି ଭଣ୍ଡାଇ, ଏକନିଷ୍ଠ ମନ ଦାନ କଲେ ବୋଲି ଛଳନା ଦେଖାଇ ଅଧିକାର ନଥିବା ଜିନିସକୁ ନେଇ ଯାଉଛନ୍ତି—ବଳରେ ନୁହେଁ, କୌଶଳରେ ।

 

ମନରେ ସଙ୍କୋଚ ରଖି, ଦ୍ୱିଧା ରଖି ନିହାରବାଳା ସେମାନଙ୍କର ଅଭିଶପ୍ତ ଲୁହକୁ, ବିକାରଗ୍ରସ୍ତ କାମନାକୁ କାହିଁକି ଅବା ଦୁଃଖମୟ କରିବ ? ଯେ ଯାହା ଖୋଜୁଛନ୍ତି, ମନ ପୂରାଇ ନିଅନ୍ତୁ । ସେତିକି ତ ହେଉଛି ତୃପ୍ତିର ମାପକାଠି, ସଫଳତାର ଓଜନ, ସୁଖର ଉଚ୍ଚତା ।

 

ଜମିକୁ ଯେ ଯେତେ ବେଶି ଖୋଳେ, ସେ ସେତିକି ଭଲ ଚାଷୀ ସେତିକି ଧନୀ । ଖଣି କହ, ଘରର ମୂଳଦୁଆ କହ; ଦେଉଳର ପିଣ୍ଡି କହ—ଯେ ଯେତେ ଉଚ୍ଚକୁ ଗଢ଼ିବ, ସେ ସେତେ ତଳୁ ଆରମ୍ଭ କରିବ ।

 

ଖୁସି ମନରେ ଯିଏ ମାଟି ତଳୁ ଅଳିଆ ଉଠେଇବ, ଭିତରର ଓଦାମାଟିର ବାମ୍ପକୁ ଖୁସି ପାଇବ, ସେ ସେତିକି ଉଚ୍ଚକୁ ଯିବ ।

 

ଜୀବନ ତା ଆଗରେ ଏଇ ସମସ୍ୟା ଆଣି ପହଁଞ୍ଚାଇଛି—ସୌନ୍ଦର୍ଯ୍ୟର ସମସ୍ୟା । ଅନ୍ୟମାନେ ସୌନ୍ଦର୍ଯ୍ୟକୁ ଉପଭୋଗ ନ କଲେ ସମ୍ପୂର୍ଣ୍ଣ ଭାବରେ ପଞ୍ଚଇନ୍ଦ୍ରିୟ, ଦଶ ଅବୟବ ଦ୍ୱାରା ଉପଭୋଗ ନ କଲେ ତାଙ୍କର ବିଚାର ତାଙ୍କୁ କହିବ—ନିହାରବାଳାର ସୌନ୍ଦର୍ଯ୍ୟର କୌଣସି ଉପକାରିତା ନାହିଁ—ଦରକାର ନାହିଁ ।

 

ସବୁ ସମୟରେ ସେ ରିକ୍ତ । ତାହାହେଲେ ସେ କଣ ଜୀବନକୁ ଦ୍ୱିଧାଗ୍ରସ୍ତ ମନରେ ବିତରଣ କରିବାକୁ ଯାଇ ଜାଣି ଜାଣି ଆପଣା ହାତରେ ତାକୁ ବିପର୍ଯ୍ୟସ୍ତ କରିଦେବ ?

 

କାହିଁକି ? କରିବାର କିଛି କାରଣ ନାହିଁ । ବଞ୍ଚିଥିବା ପର୍ଯ୍ୟନ୍ତ ସେ ତାହା ସମସ୍ତ ଅଭାବ ସେଇ ଜୀବନର ବିନିମୟରେ ନ ନେବ କାହିଁକି ? ବଳରାମ ଛାଡ଼ିଗଲେ ବୋଲି ନିହାରବାଳାକୁ ତାର ପରିଚିତ ସଂସାର ଛାଡ଼ି ଦେଇଥିଲା । ସମସ୍ତଙ୍କୁ ଛାଡ଼ିସାରିଲା ପରେ ସେ ଦେଖିଥିଲା ତା ପାଖରେ ରହିଯାଇଛି ଜଣେ—ସେ ହେଉଛି ନିଜେ.....ନିଜର ଦେହ ।

 

ମଲା ପରେ ଏଇ ଦେହକୁ ଯଦି ଇତର ପଶୁପକ୍ଷୀ ଖାଇବାର ସୁବିଧା ପାଇବେ, ଆଉ ଦୁନିଆରେ କୌଣସି ଶୁଭାକାଂକ୍ଷୀର ଶୁଭକାମନା ପ୍ରତିବାଦ କରିବ ନାହିଁ, ତେବେ ବଞ୍ଚିଥିବାବେଳେ ସେହି ଦେହ ଯଦି ସଂସାରର କେତେକ ନୀଚମନା ଓ ଘୃଣ୍ୟ ଲୋକଙ୍କର ମନର କାମନା ତୃପ୍ତ କରିପାରେ, ତାଙ୍କର ବିକାରଗ୍ରସ୍ତ କଳ୍ପନାକୁ ଉଜ୍ୱଳ ବର୍ଣ୍ଣ—ବିଭବରେ ରଙ୍ଗାଇ ପାରେ, ତେବେ କ’ଣ ତାର ଜୀବନ ଅପୂର୍ଣ୍ଣ ବୋଲି ସେ କହିବ ?

 

କର୍ମମୟ ଜୀବନ ହେଉଛି ସମସ୍ତଙ୍କର ଲକ୍ଷ୍ୟ । ଅନ୍ୟର ଉପକାରରେ ଲାଗିଛି ବୋଲି ଜାଣିଲେ ସବୁ ମଣିଷ ସନ୍ତୋଷରେ ଟୁଳୁ ଟୁଳୁ ହୁଅନ୍ତି ସେ ସୁନ୍ଦର, ସେ ଲୋକପ୍ରିୟ । ଏତିକି ହୋଇ ପାରିଲେ ସମସ୍ତେ ନିଜର ଜୀବନ ସାର୍ଥକ ହେଲା ବୋଲି ଭାବନ୍ତି । ତାହାହେଲେ ନିହାରବାଳା କାହିଁକି ନିଜକୁ ସମ୍ପୂର୍ଣ୍ଣ ଭାବରେ ସାର୍ଥକ କରିବ ନାହିଁ ?

 

ବାରମ୍ବାର ଚାହିଁରହେ ନିଜର ଦେହକୁ । ଏଇ ଦେହରେ ଅଭିନବ କିଛି ନାହିଁ । ଧୋବାଘରୁ ଆସିଥିବା ଲୁଗା ଯେମିତି ପିନ୍ଧିବାକୁ ଭଲ ଲାଗେ, ସେମିତି ଦେହ ସାଙ୍ଗରେ ମନଲୋଭା ବ୍ୟବହାର ଲଗାଇ ରଖିପାରିଲେ ସମସ୍ତେ ଭଲ କହିବେ.....ନିହାରବାଳା ଏବେ ବଦଳି ଯାଉ ।

 

ଭଲପାଇ ନଥିଲା ବୋଲି ବଳରାମ ବିରକ୍ତ ହୋଇଥିଲେ । ବିରକ୍ତିରୁ ବୈରାଗ୍ୟ ଆସିଥିଲା । ଆଉ ସେଥିପାଇଁ ନିହାରବାଳା ହେଲା ଘରଛଡ଼ା—ସୃଷ୍ଟିଛଡ଼ା ଓ ଧର୍ମଛଡ଼ା ।

 

ସେ ଯଦି ଭଲ ନପାଇବା ବେଳେ ଭଲ ପାଇବାର ଛଳନା କରିଥାନ୍ତା, ଷୋଳକଳାରେ ପରିପୂର୍ଣ୍ଣ ସୁଖ ପାଉଛି ବୋଲି ଅଭିନୟ କରି ପାରିଥାନ୍ତା, ଘୃଣା କରୁଥିବା ମଣିଷକୁ ନିଜର ବୋଲି ଟାଣି ଆଣିଥାନ୍ତା, ତେବେ ତ ଆସି ଡାକ୍ତରଖାନା ଦୁଆର ମୁଁହରେ ପେଟ ପୋଷିବା ପାଇଁ ଧନ୍ଦାଟିଏ ମାଗିବାକୁ ଦରକାର ପଡ଼ି ନଥାନ୍ତା ।

 

ତେବେ ସେ ନୂଆ କରି ପୁଣିଥରେ ଆରମ୍ଭ ନ କରିବ କାହିଁକି ? ...ହଁ, ଆରମ୍ଭ କରିବ । ପୁଣି ଥରେ ଆରମ୍ଭ କରିବ.... ଦିଗମ୍ବର ଭଲ ପାଇବେ...ବଳରାମ ଭଲ ପାଇବେ...ସମସ୍ତେ ଭଲ ପାଇବେ ।

 

ଦରଖାସ୍ତ ଦେବାପରେ ନିହାରବାଳା ମନରେ ଏଇ ପରିବର୍ତ୍ତନ ଦେଖା ଦେଇଥିଲା । ପ୍ରାର୍ଥୀ ହିସାବରେ ଦେଖା କରିବାକୁ ଗଲାବେଳ ତା’ର ମନ ଭିତରୁ ସବୁ ଦ୍ୱିଧା, ଆଖି ଉପରୁ ସବୁ ସଙ୍କୋଚ କଟି ଯାଇଥିଲା । ତା’ର ଗୋଟିଏ କାମନା—ଗୋଟିଏ ଲକ୍ଷ୍ୟ...ମୋତେ ଯେମିତି ଦେଖିଲା ଲୋକ ଭଲ ପାଇବେ ।

 

ସେ ଯାଇଥିଲା ମନରେ ଅସୀମ ଦୃଢ଼ତା ନେଇ । ହାଟରେ ପସରା ରଖି ହାଟ ସଉଦାର ଦୋଷଗୁଣ କଥା ନ ଭାବି ହାଟୁଆ ଯେମିତି ଅସୀମ ଦମ୍ଭରେ, ଅସୀମ ସାହାସରେ ନିଜର ଛୋଟିଆ ପସରାକୁ ଖାଲି କରିବାକୁ ଚାହିଁ ରହେ...ନିହାରବାଳା ବି ଠିକ୍‌ ସେମିତି ।

 

ଦରଖାସ୍ତ ଦେଖି ବଡ଼ ସାହେବ ଭାବିଥିଲେ—ନିହାର ଗୋଟିଏ ସାଧାରଣ ପ୍ରାର୍ଥୀ । କିନ୍ତୁ ନିହାରର ସପ୍ରତିଭ ବ୍ୟବହାର ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

 

ଆଖିରେ ନିବେଦନ ଦିଶିଯିବ ବୋଲି, ସେ ଆଖି ତଳକୁ କରିଥିଲା ତାଙ୍କର ଆଖି ଆଗରେ । କିନ୍ତୁ ପ୍ରତ୍ୟେକ ଥର ତାଙ୍କର ଆଖି ନିହାର ଉପରେ ପଡ଼ିଲାବେଳେ ନିହାର ତାର ସେହି ସତର୍କ ଡୋଳା ଦୁଇଟିକୁ ଘୁମନ୍ତ କରି ତାଙ୍କର ଚାହାଣିକୁ ନିଜର କଟାକ୍ଷରେ କହୁଥିଲା—ନିହାର ଅଯୋଗ୍ୟ ନୁହେଁ ।

 

ସେ ପଚାରିଥିଲେ ବଳରାମକୁ ଛାଡ଼ିଲା କାହିଁକି ? ନିହାର ଦୃଢ଼ ଭାବରେ କହିଥିଲା—ରଖିବାର ଯୋଗ୍ୟତା ତାଙ୍କର ଥିଲେ ମୋ ଠାରୁ ବଡ଼ ମଣିଷ, ବି ସେ ରଖିପାରନ୍ତେ । କହିଲାବେଳେ ପ୍ରତ୍ୟେକ କଥାରେ ନିହାରବାଳା ନିଜର ସେହି ଏକୋଇଶି ବର୍ଷର ସବୁ ଦୁଃଖ, ଅଭିଯୋଗ, ଅନୁଭବ ଓ ଶିକ୍ଷା ତାଙ୍କୁ ଜଣାଇ ଦେଇଥିଲା ।

 

—ନର୍ସ ହେବାକୁ କାହିଁକି ଚାହଁ ? ସେଇ ପ୍ରଶ୍ନ ଶୁଣି ନିହାର ବାଳା ସ୍ୱପ୍ନାବିଷ୍ଟ ପରି କହିଥିଲା—ଅଧିକକୁ ଯୋଗ୍ୟ ନୁହେଁ ବୋଲି ।

 

—ତୁମେ ରୋଗୀଙ୍କୁ ଭଲ ପାଇ ପାରିବ ? ସେତେବେଳକୁ ନିହାର ସାହାବଙ୍କ ମନ ସାଙ୍ଗରେ ସମ୍ପୂର୍ଣ୍ଣ ପରିଚିତ ହୋଇ ସାରିଲାଣି । ସେ ହସି କହିଥିଲା—ଆପଣମାନେ ଯେଉଁଠି ସେଇ ରୋଗୀଙ୍କର ସେବାକୁ ଜୀବନର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ଭାବୁଛନ୍ତି, ସେଠି ଆମପରି ଲୋକ ପାଇଁ ସେଇ ସୁବିଧା ଜୀବନର ଗୌରବ ।

 

ସେ ହସିଥିଲେ । ନିହାର ହସିଥିଲା । ସେ ଆଖି ଦୁଇଟି ନିହାର ବିଷୟରେ ଜାଣିବାକୁ କୌତୁହଳରେ, ନିହାରକୁ ଭଲ କରି ବୁଝିବା ପାଇଁ ବ୍ୟଗ୍ରତାରେ ଅତି ଉଜ୍ଜଳ ଦିଶିଥିଲା । ନିହାରବାଳାର ଆଶଙ୍କାଗ୍ରସ୍ତ ଆଖି ଦୁଇଟି ଭାବ ପରିବର୍ତ୍ତନ କରି ମେଘମୁକ୍ତ ଆକାଶରେ ତାରା ପରି ଦିଶିଥିଲେ ।

 

ନିହାରବାଳା ଜାଣିଛି । ତା’ର ଲକ୍ଷ୍ୟ ପରିପୂର୍ଣ୍ଣ ହୋଇଛି । ତାର ବ୍ୟବହାର, ତାର କଥା, ତାର ଶ୍ୟାମଳ ରୂପକୁ ଢାଙ୍କିଦେଇଛି । ପିନ୍ଧିବା ଲୁଗାର ଶୁଭ୍ରତା ଯେମିତି ମିଶିଯାଇଛି ତାର ମ୍ଳାନ ଚର୍ମଉପରେ । ସଫଳତାର ଜ୍ୟୋତି ତାର ଯୌବନକୁ ଉଜ୍ଜଳ କରିଛି....ଜୀବନର ଦୁଆର ଖୋଲି ଯାଇଛି ।

 

ଦୁହେଁ ନୀରବ । ଚପରାଶି ଆସି ପରଦା ପାଖରେ ପାଦ ଦେଖାଇଲା—ଅସ୍ୱାଭାବିକ ନୀରବତା ।

 

ଡାକ୍ତରସାହେବ କହିଲେ—ହଉ ଯାଅ । ତୁମର ହୋଇଗଲା ।

 

ବାହାରକୁ ଆସିଲା ପରେ ଅନ୍ୟ ପ୍ରାର୍ଥୀମାନଙ୍କଠାରୁ ଜାଣିଲା ଯେ ଡାକ୍ତରସାହେବ କୌଣସି ପ୍ରାର୍ଥୀକୁ ଏତେ ପ୍ରଶ୍ନ ପଚାରି ନାହାନ୍ତି ଆଉ କାହାରିକୁ ସେ ମୁହଁରେ ପରୀକ୍ଷାଫଳ ଜଣାଇ ନାହାନ୍ତି ।

 

ତାକୁ ଘରକୁ ଫେରାଇ ନେବାକୁ ଯେତେବେଳେ ଦିଗମ୍ବର ଡାକିଲେ, ନିହାରବାଳା ମୁହଁ ଉପରେ ଗଭୀର ବିରକ୍ତିର ରେଖା ଫୁଟି ଦିଶିଲା । ହଠାତ୍‌ ନିଜକୁ ସଂଯତ କରି ସେ ବିରକ୍ତିର ଦାଗକୁ ଲିଭାଇ ଦେଇ ହସ ଖେଳାଇ ପଚାରିଲା—ଡେରି ହୋଇଗଲା, ନା ?

 

ଆଉ ନିହାରବାଳା ଭୁଲ କରିବ ନାହିଁ । ଭଲ ପାଉ ନଥିଲେ ଭଲ ପାଉନାହିଁ ବୋଲି କହିବ ନାହିଁ—ଦିଗମ୍ବରକୁ ନୁହଁ, ବଳରାମକୁ ନୁହଁ, ଆଉ କାହାରିକୁ ନୁହଁ । ସେଇ ଗୋଟିଏ କଥା—ଯେ ଯେତେ ଜ୍ଞାନୀ ହୁଅନ୍ତୁ ପଛକେ, କେହି ସତ କଥାଟାକୁ ସତ ବୋଲି ଗ୍ରହଣ କରିବାକୁ ନାରାଜ ।

 

ନିହାରର ବାପାଙ୍କ ବୟସର ଡାକ୍ତରସାହେବ ନିହାର ପରି ତରୁଣ ହୋଇ ଯାଇଥିଲେ । ଭଲପାଇବାର ସମ୍ବାଦ ଧଳାବାଳକୁ କଳା କରିଦିଏ । ବିରସ ମନକୁ ହସାଏ । ଲୋଚାକୋଚା ଚମକୁ ପୁଣି ସିଧାସଳଖ କରିଦିଏ । ପ୍ରକୃତ ଭଲପାଇବା ନୁହେଁ—ଭଲ ପାଇବାର ଅଭିନୟ ମଧ୍ୟ ଯଥେଷ୍ଟ ।

ତା’ର ତିନିଦିନ ପରେ ଦିଗମ୍ବର ବୁଝିଆସିଲେ ଯେ ନିହାରବାଳାର ହୋଇଯାଇଛି । ପ୍ରସନ୍ନ ହସି ହସି କହିଲେ—ଏଣିକି ତମକୁ ହଷ୍ଟେଲରେ ରହିବାକୁ ହେବ । ବଡ଼ମଣିଷଙ୍କ ସାଙ୍ଗରେ ମିଶିବ...ଆଉ ଦିଗମ୍ବର....।

—ମୁଁ ଯିବି ନାହିଁ ହଷ୍ଟେଲକୁ । ମୁଁ ରହିବି ତୁମ ପାଖରେ । ଲତା ଆସୁ କି ଯିଏ ଆସୁ, ସେମାନେ ରହିବେ ଅନ୍ୟଠାରେ..ସେମାନେ ଆସୁଛନ୍ତି ପରା ?

କାତର ଚାହାଣୀରେ ଦିଗମ୍ବର ଚାହିଁ ରହିଲେ । ଗୋଟିଏ ମହାଭରତ ଯୁଦ୍ଧ ନିହାରବାଳା ଆରମ୍ଭ କରିବ....ମୁଁ ଭାବୁଛି, ମୋ ସ୍ତ୍ରୀକୁ ଛାଡ଼ିଦେବି । ଖୋରାକ ପୋଷାକ ନେବ ତ । ଆଉ କ’ଣ-?

—ଛାଡ଼ିଦେଲେ ଆଉ କ’ଣ ସ୍ତ୍ରୀ ପାଇବ ? କାହାକୁ କହିବ ସ୍ତ୍ରୀ ବୋଲି ? ଛାଡ଼ିବ କାହିଁକି ?

—ବଡ଼ କଳିହୁଡ଼ୀ କଦର୍ଯ୍ୟ ଲୋକଟାଏ ।

—ପିଲାକୁ କେତେବର୍ଷ ହେଲା ? ...କେବେଠୋଉଁ ତାକୁ କଳିହୁଡ଼ୀ ବୋଲି ଜାଣିଲ ?

—ମୂଳରୁ ଜାଣେ ଯେ, ତେବେ ସହି ଯାଉଥିଲି ।

—ଆଜି ସହିବ ନାହିଁ କାହିଁକି...ନିହାର ଯୋଗୁଁ...ତାକୁ ତ ତମେ ବାହାହୋଇ ପାରିବ ନାହିଁ ?

—ନହେଲେ ବି ମୁଁ ଖାଲି ତା’ର ସେବା କରିବି ।

ହସି ନିହାର କହିଲା—ଓ, ତମେ ବି ଜଣେ ନର୍ସ ହେବ ! ମୁଁ ତୁମକୁ ଆଗ ପରୀକ୍ଷା କରେ..ଦରଖାସ୍ତ ଦିଅ ।

ଦିଗମ୍ବର ଚାହିଁ ରହିଲା, ନିହାର ହସି କହିଲା—ସେମିତି କରନା । ମୁଁ ତ ଅଛି ତୁମର ହୋଇ...ଆଚ୍ଛା କହିଲ, ମୁଁ କ’ଣ ସତରେ ଲତାଠାରୁ ଏତେ ଭଲ ? ଏଡ଼େ ସୁନ୍ଦର ?

ନିହାରର ଆଖି ଦୁଇଟି ଭାସି ଉଠିଥିଲା । ଦିଗମ୍ବର ନିହାରକୁ ଚାହିଁ ଅବୋଧ ଶିଶୁ ପରି କହିଲା—ତୁମେ ସୁନ୍ଦର । କିନ୍ତୁ ତୁମେ ମୋ ଠାରୁ ବଡ଼ । ମୁଁ ତୁମ୍ଭର ଜଣେ ସେବକ ମାତ୍ର ।

ସେଇଠୁ ହସ୍‌ପିଟାଲ...ନିହାରବାଳା ପ୍ରଥମ ଦିନ ରୋଗୀମାନଙ୍କୁ ଦେଖି ଚମକି ପଡ଼ିଥିଲା ।

ଆଶା ଆଶଙ୍କାର ଓ ଆଶା ଓ ନିରାଶାର ମଝିରେ ଡାକ୍ତରଖାନାର କୋଠାଟି ଠିଆ ହୋଇଥିଲା । ଛାଡ଼ି ଆସିଥିବା ଜୀବନର ଗତିପଥ କ୍ଷୀଣତର ହୋଇ ପଛରେ ଲମ୍ବି ରହିଥିଲା । ନିହାରବାଳାର ଆଖିଆଗରେ ଡାକ୍ତରଖାନାର କୋଠାଟି ସମସ୍ତ ଭବିଷ୍ୟତର ରୂପକୁ ରୂପାୟିତ କରି ତାକୁ ଯେପରି କହୁଥିଲା—ସଂସାରର ସୁସ୍ଥ ଲୋକେ ତୁମକୁ ଛାଡ଼ି ଯାଇଛନ୍ତି, ମୋତେ ପାଖକୁ ନିଅ-। ପୁଣି ସେମାନଙ୍କୁ ଫେରି ପାଇବ ।

 

ଯେଉଁମାନେ ତାକୁ ରିକ୍ତ କରି ବାହାରକୁ ଠେଲି ଦେଇଥିଲେ, ସେହିମାନଙ୍କୁ ଫେରିପାଇବାକୁ ପୁଣି ସେହି ରୋଗୀଙ୍କର ମେଳା, ଜୀର୍ଣ୍ଣ ଓ ମୁମୂର୍ଷୁଙ୍କୁ ପଟୁଆର ଦେଖାଦେଇଛି । ସେହିମାନେ ନିହାରବାଳାର ମନଟାକୁ ସମ୍ପୂର୍ଣ୍ଣଭାବରେ ଟାଣି ନେବାକୁ ନିଜର ବିଲୁପ୍ତ ଚେତନା, ଅଚଳା ଶରୀର ଓ ମୂକ କଣ୍ଠରେ ଆବେଦନ ଜଣାଉଛନ୍ତି—ସେମାନଙ୍କୁ ବି ସୁସ୍ଥ ସଂସାର ଛାଡ଼ିଯାଇଥିଲା ସେମାନଙ୍କର ଅସରନ୍ତି ସ୍ନେହକୁ ଫେରାଇ ଦେଇଥିଲା । ସେମାନଙ୍କ ଜୀବନଉପରୁ ଉଷ୍ମତା ଓ ଆଲୋକ ନେଇ ଯାଇଥିଲା । ତାଙ୍କରି ପରି ଅଭିଶପ୍ତ କେହି ତାଙ୍କୁ ପୁଣି ଆଶୀର୍ବାଦ ଦେବ ।

 

ଡାକ୍ତରଖାନାର ପାଖ ଅଫିସ କୋଠାର ବାରଣ୍ଡାରେ ଛିଡ଼ା ହୋଇ—ନୁହେଁ ଶରତ ନୁହେଁ ହେମନ୍ତ—ସକାଳର ଉଜ୍ୱଳ ଆଲୋକରେ ନିହାରବାଳା, ଗୀତାରାଣୀ ଓ ଆଶାମୟୀ ତିନିଜଣ ଆଖିସାମନା ଡାକ୍ତରଖାନାକୁ ଅଟକଳ କରୁଥିଲେ—ଏଇଠି ସେମାନଙ୍କ ଜୀବନର ପରିଣିତି ।

 

ସେଇ ଅଳ୍ପ କେଇ ପାହୁଣ୍ଡ ବାଟ ଚାଲିବାକୁ ବହୁତ ବେଳ ଲାଗିଗଲା । ସମସ୍ତଙ୍କ ମନରେ ଅନିଶ୍ଚତ ଆଶଙ୍କା—ନୂଆ ଜୀବନର ଉତ୍ସାହ । ରୋଗୀଠାରୁ ଦୂରରେ ରହିବାକୁ ସମସ୍ତେ ଚେଷ୍ଟା କରନ୍ତି । ରୋଗୀ ପାଖରେ ସବୁବେଳେ ରହିବାକୁ ଜୀବିକା କରିବା ପ୍ରକୃତରେ ଭାରି କଷ୍ଟ । କେହି ତାଙ୍କୁ ଅନୁରୋଧ କରି ଡାକ୍ତରଖାନାକୁ ନିମନ୍ତ୍ରଣ କରି ନଥିଲା । ସେମାନେ ଆପଣା ଇଚ୍ଛାରେ ଖୋଜି ଆସିଥିଲେ । ଆଉ ଏବେ ଡାକ୍ତରଖାନା ପହଞ୍ଚି ଯାଇଛି ।

 

ନିହାରବାଳା ହସ୍‌ପିଟାଲ ବାରଣ୍ଡାରେ ଚାଲିଗଲା ବେଳେ ନିଜକୁ ବାରମ୍ବାର ଅତୀତ ଓ ଭବିଷ୍ୟତ ଉପରେ ଠିଆ କରି କଳ୍ପନା କରିଥିଲା । ଡାକ୍ତରଖାନାର କାନ୍ଥ ତାକୁ ଯେପରି ତନଖି କରୁଥିଲେ । ସେ ବାରମ୍ବାର ଭାବିଥିଲା ଡାକ୍ତରଖାନା ଛାଡ଼ି ଫେରି ଯିବାକୁ । ହୁଅନ୍ତୁ ପଛେ ଦିଗମ୍ବର ବାବୁ, ସେ ତ ଜଣେ ସୁସ୍ଥ ମଣିଷ । ହୁଅନ୍ତୁ ପଛକେ ବଳରାମ ବାବୁ, ସେ ବି ତ ଜଣେ ସୁସ୍ଥ ସବଳ ଲୋକ ।

 

ଚାରିଆଡ଼େ ରୋଗୀ । ଚାରିଆଡ଼େ ଦୁର୍ଗନ୍ଧ—ରୋଗର ଓ ଔଷଧର । ସବୁ ପ୍ରକାର ଦୁର୍ଗନ୍ଧ ଆସି ନିହାରବାଳାର ନାକପୁଡ଼ା ଦୁଇଟିରେ ହଠାତ୍‌ ବସା ବାନ୍ଧି ରହିଗଲେ..ଇସ୍‌ ।

 

ନୂଆ ଦୃଶ୍ୟର କୌତୁହଳ ନିହାରବାଳାକୁ ଯେପରି ଅନ୍ୟମାନଙ୍କୁ ମଧ୍ୟ ସେହିପରି ଚଞ୍ଚଳ କରିଥିଲା । ସମସ୍ତେ ସମସ୍ତଙ୍କୁ ଚାହୁଁଥିଲେ । ପ୍ରତ୍ୟେକ ଦେଖିବାକୁ ଚାହୁଁଥିଲେ ଯୌବନର ଶିରା । ପ୍ରତ୍ୟେକ ଭଲ ପାଇବାକୁ ଚାହୁଁଥିଲେ ଯୌବନକୁ ।

 

କୋଠରୀ ଭିତରେ : ଗୋଡ଼ ଦେଇ ନିହାରବାଳା ହଠାତ୍‌ ଯେପରି ପରିଚିତ ସ୍ଥାନକୁ ଆସିଛି ବୋଲି ମନେ କରିଥିଲା—କହି ଆସିଥିଲା ସିଭିଲସର୍ଜନକୁ ସେ ରୋଗୀର ସେବା କରିବ–ଆଗରେ ରୋଗୀ ।

 

ସୁସ୍ଥ ଲୋକ କହିଲେ ଡାକ୍ତରଖାନାର କର୍ମଚାରୀ । ଆଉ ବାକି ସମସ୍ତେ ଅସୁସ୍ଥ । ଗୋଟି ଗୋଟି କରି ସମସ୍ତଙ୍କୁ କେତେବେଳେ ଅଲଗା ଅଲଗା ଆଉ କେତେବେଳେ ଏକାଠି ଚାହିଁ ନିହାରବାଳା ମନକୁ ମନ କହିଥିଲା—ଏଇମାନେ ମୋର । ଚେତାଥିବା ପ୍ରତ୍ୟେକ ରୋଗୀର ଆଖିରେ ଟିକିଏ କୌତୁହଳ ଇଏ ନୂଆ ଜଣକ କିଏ ? ସେବିକାର ପୋଷାକ ନାହିଁ । କିନ୍ତୁ ରୋଗୀର କୋଠରି ଭିତରେ ଯାଉଛି ।

 

ଅନଭ୍ୟସ୍ତ ଆଖିକୁ ଅଭ୍ୟସ୍ତ କରିବା ପୂର୍ବରୁ ନିହାରବାଳା କୋଠରିଟି ପାର ହୋଇଗଲା-। ଆଗରେ ସିଷ୍ଟରଙ୍କର ଘର । ସିଷ୍ଟରଙ୍କ ପାଖରେ ପହଞ୍ଚି ନମସ୍କାର ଜଣାଇ ଠିଆ ହେଲା । ତାଳୁରୁ ତଳିପା ଯାଏ ଚାହିଁଦେଇ ସିଷ୍ଟର କହିଲେ—ତୁମେ ନୂଆ ଆସିଛ ? ... ଏଇମାନେ ଆମର ରୋଗୀ-। ଏମାନଙ୍କ ତତ୍ତ୍ୱ ନେଇ ପାରିବ ?

 

ବେକ ଭାଙ୍ଗି ନିହାରବାଳା ଛାଡ଼ି ଆସିଥିବା ରୋଗୀଙ୍କୁ ଚାହିଁ ପୁଣି ଫେରି ଚାହିଁଲା ସିଷ୍ଟରଙ୍କୁ । ସିଷ୍ଟରଙ୍କ ମୁହଁରେ ନିଶ ଆଉ ଦୁଇ ଚାରିଟି ଦାଢ଼ି । ଗୋଡ଼ରୁ ମୁଣ୍ଡଯାଏ ସେବିକାର ବଗପକ୍ଷୀ ପରି ଧଳା ପୋଷାକ—ସେ ପୁଣି ଥରେ ପଚାରିଲେ ସେଇ କଥା ।

 

ନିହାରବାଳାର ଛାତି ଦବି ଗଲା । ରୋଗୀଙ୍କ ତତ୍ତ୍ୱ କ’ଣ ସେ ନେଇ ପାରିବ...ସିଷ୍ଟର ହସି କହିଲେ—ଭଲ ପାଇବାକୁ ଚେଷ୍ଟା କଲେ ସମସ୍ତେ ରୋଗୀର ସେବା କରି ପାରିବେ । ଯୋଡ଼ିଏ କଥା ମନେ ରଖ । ସମସ୍ତଙ୍କ ଦେହରେ ଈଶ୍ୱର ଅଛନ୍ତି । ଆଉ ରୋଗଟା ଅଭିଶାପ ନୁହେଁ-। ମନ ଭିତରେ ସ୍ନେହ, ବ୍ୟବହାରରେ ମମତା ଦେଖାଇ ଅଚିହ୍ନା ଅପରିଚିତ ଲୋକଗୁଡ଼ିଙ୍କୁ ନିଜର ବୋଲି ଭାବି ପାରିଲେ ତୁମେ ବି ଜଣେ ଭଲ ସେବିକା ହୋଇ ପାରିବ । ...ସିଭିଲ୍‌ସର୍ଜନ ତମ ବିଷୟରେ ପ୍ରଶଂସା କରି କହୁଥିଲେ ।

 

ନିହାରବାଳାର ଆଖି ଦୁଇଟି ହସି ଉଠିଥିଲା । ମଧୁର ଆଦେଶରେ ସିଷ୍ଟର କହିଲେ—ହଉ ତେବେ ଯାଅ । ଚାରିଆଡ଼େ ରୋଗୀମାନଙ୍କର ସେବା କିଏ କିପରି କରୁଛନ୍ତି ଦେଖ । ସନ୍ଦେହ ହେଲେ ପଚାରିବ । ରୋଗୀର ପ୍ରଳାପକୁ ସତ ବୋଲି ଭାବି ଅଧୈର୍ଯ୍ୟ ହେବ ନାହିଁ ।

 

ନିହାରବାଳା ଘୁଞ୍ଚି ଯାଇଥିଲା । ଧୀରେ ପ୍ରତ୍ୟେକ ରୋଗୀର ବିଛଣା ପାଖ ଦେଇ ପ୍ରଦର୍ଶନୀର ବିଭିନ୍ନ ଜିନିଷ ଦେଖିଲା ପରି ସେ ଧୀରେ ଡାକ୍ତରଖାନାଟି ବୁଲି ଯାଇଥିଲା—ପ୍ରତ୍ୟେକ ଜଣେ ଜଣେ ରୋଗୀ ।

 

ସବୁ ବୟସର ସବୁ ଅବସ୍ଥାର ଲୋକ ରହିଛନ୍ତି । ରୁଚିସମ୍ପନ୍ନ ରୋଗୀ ମଧ୍ୟ ଅଛନ୍ତି । ସମସ୍ତଙ୍କ ମୁହଁକୁ ଚାହିଁ ଚାହିଁ ନିହାରବାଳା କେତେବେଳେ କେତେବେଳେ ଏକା ସିଷ୍ଟରଙ୍କ ପଛରେ କୋଠରୀଟି ପରିକ୍ରମା କରିଥିଲା । ତା’ର ଇଚ୍ଛା ହେଉଥିଲା ରୋଗୀଙ୍କୁ ପଚାରିବାକୁ—ଡାକ୍ତରଖାନା କେମିତି ଲାଗୁଛି ।

 

କାହାରି ମୁହଁରେ ବିଚଳିତ ଭାବ ଦେଖି ନାହିଁ । ନିହାରବାଳା ପ୍ରତି ସଚେତନ ନ ଥିବା ଲୋକ ବେଶି ଦେଖିଲା ନାହିଁ । ସେ ଏମାନଙ୍କୁ ଭଲ ପାଇବ । ସେତେବେଳେ ଭାବିଥିଲା—ଯାଇ ତାଙ୍କୁ ଛୁଇଁଛୁଇଁ ଯାଇଥାଆନ୍ତା । ମୁଣ୍ଡରେ ଦେହରେ ହାତମାରି ଜର ଦେଖିଥାନ୍ତା !

 

ଖଟିଆ ପାଖରେ ପହଞ୍ଚିଲେ ରୋଗୀ ଅସୀମ କୌତୂହଳରେ ଚାହିଁ ରହେ । ନିହାରବାଳା ମୁହଁ ବୁଲାଇ ନିଏ । ପାଖ ଯାଏ ଆସି ମଧ୍ୟ ଛୁଇଁ ପାରେ ନାହିଁ । ତାର ମନେ ହୁଏ, ତାକୁ ଯେପରି ଭଲ ପାଇବାକୁ ରୋଗୀମାନେ ଚେଷ୍ଟା କରୁଛନ୍ତି । ଇଚ୍ଛା ନଥିଲେ ବି ପୁରୁଣା ଅଭ୍ୟାସ ଯୋଗୁ ନିହାରବାଳା ଦେହ ଉପରେ ଲୁଗାଟିକୁ ଟାଣି ଦିଏ । ମୁହଁକୁ ନ ଚାହିଁ ଅନ୍ୟ ଆଡ଼େ ଚାହେଁ । ସେମାନଙ୍କ ଠାରୁ ଲୁଚି ଯିବାକୁ ଅନ୍ୟବାଟ ନ ପାଇ ଧୀରେ ଧୀରେ ସେଠୁ ଘୁଞ୍ଚିଯାଏ ଅନ୍ୟ ଖଟିଆ ପାଖକୁ ।

 

ନିହାର ଭଲ ପାଇବ ରୋଗୀଙ୍କୁ । କିନ୍ତୁ ରୋଗୀମାନେ ତାକୁ ଭଲ ପାଉଛନ୍ତି । ସେହି ପୁରୁଷ ଆଖିଗୁଡ଼ିକ ନିହାରବାଳାକୁ ପଚାରୁଛନ୍ତି ଭଲ ପାଇବାର ପ୍ରଶ୍ନ....ଏ କ’ଣ ସମ୍ଭବ ! ରୋଗୀମାନଙ୍କର ଭଲପାଇବା କ’ଣ ଗ୍ରହଣ କରାଯାଇପାରେ ?

 

ପ୍ରତ୍ୟେକ ବିଛଣା ଉପରେ ଲାଲରଙ୍ଗର କମ୍ବଳ...ରୋଗର ନିଶାଣ ପରି । ରୋଗୀର ସନ୍ତକ ପରି ଚଉତା ହୋଇ ଥୁଆ ହୋଇଛି । ଆଉ ସେହି କମ୍ବଳ ଉପରେ ଗୋଡ଼ି ରଖି ରୋଗୀମାନଙ୍କର ଆଖିଗୁଡ଼ିକ ନିହାରବାଳାକୁ ସେହି ଗୋଟିଏ କଥା ପଚାରିଛନ୍ତି । —ସେମାନେ ନିହାରକୁ ଭଲ ପାଇପାରିବେ କି ?

 

ସେହି ଦାଢ଼ି ନିଶଥିବା ସିଷ୍ଟରଙ୍କ କଥା ମନେ ପଡ଼ୁଥିଲା । ସେ ଉପଦେଶ ଦେଇଥିଲେ–ରୋଗୀଙ୍କୁ ଭଲ ପାଇବାକୁ....ନିଜର କରି ଭାବିବାକୁ । ନିଜ ଆଡ଼ୁ କିଛି ଚେଷ୍ଟା କରିବା ପୂର୍ବରୁ ରୋଗୀମାନେ ପଚାରୁଛନ୍ତି—ସେମାନେ ଭଲ ପାଇପାରିବେ କି ନାହିଁ । ଆଉ ନିହାର ବାରମ୍ବାର ନିଜକୁ କହୁଛି—ନା, ଅସମ୍ଭବ । ରୋଗୀର ଭଲପାଇବା ସେ ଗ୍ରହଣ କରିପାରିବ ନାହିଁ ।

 

କେଜାଣି କାଳେ ଭୁଲ ହୋଇଥିବ ବୋଲି ନିହାରବାଳା ବାରମ୍ବାର ସେହି ରୋଗୀମାନଙ୍କ ପାଖକୁ ଫେରିଥିଲା । ପ୍ରତ୍ୟେକ ଥର ସେହି ପ୍ରଶ୍ନ—ନିହାର ଆଡ଼ୁ ନୁହେଁ, ସେମାନଙ୍କ ଆଡ଼ୁ । ବିବ୍ରତ ହୋଇ ନିହାର ଭାବିଥିଲା—ରୋଗର ମେଳରେ, ରୋଗୀଙ୍କ ମେଳରେ, ଡାକ୍ତରଖାନା କୋଠରୀ ଭିତରେ ବି ମଣିଷର ମନ ଭଲପାଇବା ଖୋଜେ ।

 

ଭଲପାଇବା ହେଉଛି ଜୀବନ—ସୃଷ୍ଟିର ଆଲୋକ, ସୃଷ୍ଟିର ଉତ୍ତାପ, ସଂସାରର ସୌରଭ । ଡାକ୍ତରଖାନାର ସମସ୍ତ ପ୍ରକାରର ଔଷଧକୁ ଲୁଚାଇ ଦେଇ, ନିଜର ଶରୀରର ସମସ୍ତ କଷ୍ଟକୁ ଭୁଲାଇ ଦେଇ, ବାସ୍ତବକୁ ଲୁଚାଇ ଦେଇ, ମଣିଷଗୁଡ଼ିକ ପଚାରୁଛନ୍ତି—ଭଲ ପାଇବାର ପ୍ରଶ୍ନ-

 

ସିଷ୍ଟର ଲକ୍ଷ୍ୟ କରୁଥିଲେ । ଧୀରେ ନିହାରବାଳାକୁ ଡାକି ନେଇ ଶାସନ କଲାପରି କହିଲେ—ତୁମେ ରୋଗୀକୁ ଭଲ ସିନା ପାଇବ...ରୋଗୀଙ୍କ ଆଖିରେ ଏଇ ଚାହାଣୀ ଦେଖାଦେଉଛି କାହିଁକି...ଏଇଟା ତୁମର ଭୁଲ—ତୁମର ଦୋଷ, ତୁମର ଦୁର୍ବଳତା ।

 

ନିହାରବାଳା ଚମକି ପଡ଼ିଥିଲା । ସେ ଦୋଷ କରିନାହିଁ । କାହାରିକୁ ପ୍ରବଞ୍ଚନା କହିନାହିଁ-। ରୋଗୀକୁ ରୋଗୀ ବୋଲି ଭାବିଛି । ସିଷ୍ଟର କ’ଣ କହୁଛନ୍ତି ?

 

ନିରୁତ୍ତର ନିହାରବାଳାର ବିବ୍ରତ ମୁହଁକୁ ଚାହିଁ ସିଷ୍ଟର କହିଲେ—ରୋଗୀର ସେବାରେ ମନ ଲଗାଇ ଦିଅ । ଦେଖିବ ଯେ ରୋଗୀମାନଙ୍କ ଆଖିରୁ ଏଇ ପ୍ରକାର କୌତୁହଳ କଟି ଯାଇଛି । ସେମାନେ ତୁମଠାରୁ ସେବା ଆଶା କରୁଛନ୍ତି—ପ୍ରୀତି ନୁହେଁ । ଆଉ ତାଙ୍କ ସେବାରେ ମନ ଲଗାଇ ନ ପାରିଲେ ସେମାନେ ତୁମକୁ ସେବିକା ଭାବରେ ନ ଦେଖି ଯୁବତୀ ଭାବରେ ଦେଖିବେ । ରୋଗୀର ଭଲ ପାଇବା କୌଣସି ସୁସ୍ଥ ଲୋକ ଗ୍ରହଣ କରି ପାରିବ ନାହିଁ...ମନେ ରଖିଥିବ ସେମାନେ ରୋଗୀ ।

 

ନିହାରବାଳା ସିଷ୍ଟରଙ୍କୁ ଚାହିଁଥିଲା । ଉପରିସ୍ଥ କର୍ମଚାରୀର ଅଧସ୍ତନ ପ୍ରତି ଉପଦେଶ ଓ ଆଦେଶ...ଉଭୟେ ନାରୀ । ମନକଥା ବୁଝିଲା ପରି କହିଛନ୍ତି ।

 

ସିଷ୍ଟରଙ୍କ କଥାକୁ ମନ ଭିତରେ ଖେଳାଇ ନିହାରବାଳା ରୋଗୀମାନଙ୍କୁ ନୂଆ ପ୍ରକାରରେ ଦେଖିବାକୁ ଚେଷ୍ଟା କରିଥିଲା । ଠିକ୍‌ ଭାବରେ ଦେଖି ନ ପାରିଲେ ବି ପ୍ରଥମ ଥରର ଭୁଲ ଆଉ ହେଲା ନାହିଁ । କିନ୍ତୁ ରୋଗକୁ ଭଲ ପାଇବା ସହଜ ନୁହେଁ । ସୁସ୍ଥ ଶରୀରରେ ଅସୁସ୍ଥ ମଣିଷକୁ ପାଖକୁ ନେବା, ନିଜର ବୋଲି ଭାବିବା, ରୋଗୀର ରୋଗଗ୍ରସ୍ତ ଦେହକୁ ନିଜର ବୋଲି କଳ୍ପନା କରିବାକୁ ନିହାରବାଳାର ଦୁସାଧ୍ୟ ମନେ ହେଲା ।

 

ପ୍ରଥମ ଦିନ ନିହାରବାଳା ଡାକ୍ତରଖାନା ସାଙ୍ଗରେ ପରିଚୟ କଲାବେଳେ ନିଜେ ନିଜର ପରିଚୟ ପାଇଥିଲା । ଆଗରୁ ସେ ଭାବୁଥିଲା—ନିଜକୁ ବୁଝିଛି ବୋଲି । କିନ୍ତୁ ସିଷ୍ଟରଙ୍କର କଥା ଶୁଣି ତାଙ୍କ ମତ ଅନୁସାରେ ନିଜର କାମକୁ ପରଖ କଲାବେଳେ ନିହାରବାଳା ନିଜର ଗୋଟିଏ ନୂଆ ପରିଚୟ ପଇଥିଲା—ସେବିକା ହେବାକୁ ସେ ଅନୁପଯୁକ୍ତ ।

 

ନିଜ ମନକୁ ସେ ପଚାରିଥିଲା...ବଛାବଛି ପରୀକ୍ଷାବେଳେ ଡାକ୍ତର ସାହେବ ଯାହା କହିଥିଲେ....ହଁ ତ । ସେତେବେଳେ ସେ ନିହାରବାଳାକୁ ଯୁବତୀ ହିସାବରେ ଦେଖିଥିଲେ । ସେ ନଥାଇ ସିଷ୍ଟର ଯଦି ପରୀକ୍ଷା କରିଥାନ୍ତେ, ତେବେ ନିହାରବାଳାର ହୋଇ ନଥାନ୍ତା । ନିଜକୁ ପୁଣି ଥରେ ଡାକ୍ତର ସାହେବଙ୍କ ଆଗରେ ଛିଡ଼ା ହେବାର ଦୃଶ୍ୟଟି କଳ୍ପନା କଲାବେଳେ ନିହାରବାଳାର ମୁହଁ ଚହଟି ଉଠିଥିଲା....ଡାକ୍ତରତ ମୋତେ ଭଲ ପାଆନ୍ତି ।

 

..ଅନ୍ୟକୁ ଭଲ ପାଇବାର ଚେଷ୍ଟା ଭିତରେ ନର୍ସ ଚାକିରି ଆସି ପହଞ୍ଚିଲେ ବି ନିହାରବାଳା ପ୍ରକୃତରେ ନିଜକୁ ଭଲ ପାଇବାକୁ ଚେଷ୍ଟା କରୁଥିଲା । ଡାକ୍ତରଖାନାର ରୋଗୀ ଗୁଡ଼ିକ ତାକୁ ଭାରି ଅସୁନ୍ଦର ଓ କଦାକାର ଦିଶୁଥିଲେ । ଏମାନେ ନିହାରବାଳାକୁ ଭଲ ପାଇବାକୁ ଖୋଜୁଛନ୍ତି । ଏମିତି ତ ହୋଇ ପାରିବ ନାହିଁ ।

 

ଇସାରାରେ ଡାକି ନେଇ ସିଷ୍ଟର ଧୀରେ କହିଥିଲେ—ଅନ୍ୟମନସ୍କ ହେଲେ ଡାକ୍ତରଖାନାର ଦାୟିତ୍ୱ ତମେ ନେଇ ପାରିବ ନାହିଁ । ରୋଗୀର ସେବା କରିବାର ପ୍ରଥମ ପାଠ ହେଉଛି—ସେମାନଙ୍କର ଅଭାବ ଓ ଅସୁବିଧା ପ୍ରତି ମନଯୋଗୀ ହେବ; ନିଜ ପ୍ରତି ନୁହେଁ । ମନରେ କୌଣସି ପ୍ରକାରର ଅସ୍ଥରତା ଆସିଲେ ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରିବ । ତାହାହେଲେ ତୁମର ମନ ନିଜ ଆଡ଼ୁ ଯାଇ ରୋଗୀମାନଙ୍କଠାରେ ରହିପାରିବ । ....ପାରିବ ନାହିଁ ?

 

ଚକିତ ଚାହାଣୀରେ ସିଷ୍ଟରଙ୍କୁ ଚାହିଁ ନିହାରବାଳା ନିଜର ଭୁଲ ବୁଝିପାରିଲା ପରି କହିଥିଲା—ପାରିବି ।

 

ସାହସ ଦେଇ ସିଷ୍ଟର କହିଲେ—ନିଶ୍ଚୟ ପାରିବ । ଅସୁବିଧା ହେଲେ ସେଇ ଈଶ୍ୱର ତୁମକୁ ବଳ ଦେବେ । ସେଇ ତମକୁ ବାଟ ଦେଖାଇବେ । ନିଜ ପାଇଁ ଅନ୍ୟକୁ ଭଲ ପାଇବା ହେଉଛି ସବୁ ଧର୍ମଶାସ୍ତ୍ରରେ ପାପ । କିନ୍ତୁ ନିଜର ସମସ୍ତ ସ୍ନେହ ପ୍ରୀତି ଅପରକୁ ଦେବା ସବୁ ଶାସ୍ତ୍ରରେ ଧର୍ମ । ...ଟିକିଏ ରହି ମନର ଗୋପନ ସ୍ତରରୁ ପଦେ କହିଲା ପରି ସେ କହିଲେ—କେବେନା କେବେ ମଣିଷ ଯେତେବେଳେ ନିଜର ସ୍ୱାର୍ଥରେ ଅନ୍ଧ ହୋଇ ଅନ୍ୟକୁ ଭଲ ପାଇବାକୁ ଚେଷ୍ଟା କରି ବିଫଳ ହୁଏ, ସେତିକିବେଳେ ସେ ଅନ୍ୟର ସ୍ୱାର୍ଥପାଇଁ ତା’ର ଭଲ ପାଇବାର ସମସ୍ତ ପୁଞ୍ଜି ପ୍ରତ୍ୟେକ କାତର, ବିକଳ ଓ ଦୁସ୍ଥ ଲୋକକୁ ଦେଇ ପାରିଲେ ସେ ପୁଣି ତା’ର ବିଫଳତାକୁ ଘୁଞ୍ଚାଇ ପାରେ ।

 

ନ କହିବା କଥା କହି ଯାଉଛନ୍ତି ବୋଲି ହଠାତ୍‌ ଯେପରି ସେ ସଚେତନ ହୋଇଗଲେ । ମୁହଁ ଉପରେ କୃତ୍ରିମ ଗାମ୍ଭୀର୍ଯ୍ୟ ଆଣି ନିହାରବାଳାକୁ କହିଲେ—ଏଇ ନୂଆ କାମରେ ଆଜି ତମର ପ୍ରଥମ ଦିନ । ଆଜି ଭୁଲଭଟକା ହେବାର କଥା....ଏଣିକି ଯେମିତି ଆଉ ଭୁଲ ମୋ ଆଖିରେ ନ ପଡ଼େ...ରୋଗୀକୁ ରୋଗୀ ପରି ଦେଖିବ—ଏଇ ଗୋଟିଏ କଥା, ମନେ ରଖିଲେ ଅନ୍ୟ ସମସ୍ତ ବିଷୟ ଆପେ ଆପେ ସୁଧୁରି ଯିବ ।

 

ଡାକ୍ତରଖାନା କୋଠରୀ ଭିତରେ ନିହାରବାଳା ନିଜକୁ ବଡ଼ ଏକୁଟିଆ ମନେ କରୁଥିଲା । ସତକୁ ସତ ଗୋଟିଏ ଜୀବନର ଶେଷ ଓ ଗୋଟିଏ ଜୀବନର ଆରମ୍ଭ ସେଇ ସକାଳ ଭିତରେ ଘଟି ଯାଇଛି । ନିଜକୁ ବଦଳାଇବାକୁ ସେ ମନେ ମନେ ଚେଷ୍ଟା କରିଥିଲା । ସେଇ ପରିବର୍ତ୍ତନର ଆହ୍ୱାନ ଆସି ପହଞ୍ଚିଛି ।

 

ନିଜପାଇଁ ଅନ୍ୟକୁ ଭଲ ପାଇଥିଲା । ଏବେ ସେ ଅନ୍ୟପାଇଁ ନିଜକୁ ଭଲ ପାଇବ । ....ସେମାନେ ହେଉଛନ୍ତି ରୋଗୀ । ରୋଗ ପାଇଁ ଘର ଛାଡ଼ି ଡାକ୍ତରଖାନାରେ ଆଶ୍ରୟ ନେଇଛନ୍ତି । ତାଙ୍କର ପ୍ରିୟ ପରିଜନଙ୍କର ଶୂନ୍ୟ ସ୍ଥାନ ପୂରଣ କରିବେ ନିହାରବାଳା ଆଉ ତା’ରି ପରି ଲୋକେ ।

 

ହସ୍‌ପିଟାଲ ବାରଣ୍ଡାରୁ ସେ ଡାକ୍ତରଖାନା ଭିତରକୁ ଚାହିଁଥିଲା..ସତେ ଯେପରି ବହୁତ ଦୂର ସେ ଚାଲି ଆସିଛି । ତା’ର ପରିଚିତ ସଂସାର ବହୁତ ଦୂରରେ ଅସ୍ପଷ୍ଟ ହୋଇ ରହିଯାଇଛି । ନିଜର ଦେହ, ନିଜର ପୋଷାକ ସେ ଭୁଲି ଯାଇଥିଲା—ଡାକ୍ତରଖାନାର କୋଳାହଳ ଭିତରେ ନିହାରବାଳା ନୂଆ ସଂସାରର ହାନିଲାଭ ଦୁଃଖସୁଖ ଓ ଆଶା ଆଶଙ୍କାର ରୂପରେଖ ଦେଖି ପାରୁଥିଲା ।

 

ମନ ଭିତରେ ଦ୍ୱନ୍ଦ୍ୱ । ...ରୋଗୀମାନଙ୍କର ଖାଇବା ବେଳ ହେଲା । ଡାକ୍ତରଖାନାର ଆହାର ଦିଆହେଲା ବେଳେ ସେମାନେ ସମସ୍ତେ ଅନ୍ୟ ସମସ୍ତ ବିଷୟ ଭୁଲିଯାଇ ସେଇ ଖାଦ୍ୟ ଉପରେ ମନ ଦେଇଥିଲେ । ନୁହେଁ ପାଖ ନୁହେଁ ଦୂର ହୋଇ ନିହାରବାଳା ସେମାନଙ୍କର ଖଟିଆ ପାଖରେ ଗଲା ଆଇଲାବେଳେ ଜାଣିଲା ଯେ ରୋଗୀମାନଙ୍କର କୌତୁହଳ ବହୁତ ଊଣା ପଡ଼ିଯାଇଛି । ନିହାରବାଳାର ବିଶେଷ ତାତ୍ପର୍ଯ୍ୟ ନାହିଁ ।

 

ନିହାରବାଳାର ଛୁଟି । କ୍ଳାନ୍ତ ଦେହକୁ ଟାଣି ଟାଣି ଡାକ୍ତରଖାନାରୁ ବାହାରିଲା ବେଳେ ନିହାରବାଳା ଜାଣିଥିଲା ଯେ ସେ ଗୋଟାଏ ନୂଆ ସଂସାରକୁ ଆସିଛି । ଏଠି ସମସ୍ତଙ୍କର ପରିଚୟ ଖୁବ୍‌ ଅଳ୍ପାୟୁ । ରୋଗର ଆୟୁ ସେଇ ଆତ୍ମୀୟତର ଆୟୁ.... । ନିହାରବାଳା ଯିବ...କୌଣସି ରୋଗୀ ତାକୁ ବିଦାୟ ଦେଇ ନାହିଁ ଅବା ପାଛୋଟି ନେବ ବୋଲି ଇଙ୍ଗିତ ବା ବ୍ୟବହାରରେ କହି ନାହିଁ ।

 

ସେ ଦିନ ନିହାରବାଳା ଲୁଗା ବଦଳାଇଲା ବେଳେ ନିଜକୁ ନିଜ ପାଖରେ ଅପରିଚିତ ବୋଲି ଭାବି ଥିଲା । ଡାକ୍ତରଖାନାର ସବୁଗନ୍ଧ ନିହାରବାଳାର ସମସ୍ତ ଅତୀତକୁ ଯେମିତି ଘୋଡ଼ାଇ ଦେଇଛି ।

 

ଉପର ଓଳି ଆସିଲାବେଳେ ତାର ସମସ୍ତ ଅସ୍ୱାଭାବିକତା କଟି ଯାଇଥିଲା । ସେ ଥର୍ମୋମିଟର ହାତରେ ନେଇ ରୋଗୀମାନଙ୍କର ଜର ପରୀକ୍ଷା କଲାବେଳେ କୌଣସି ରୋଗୀର ମୁହଁକୁ ଚାହିଁ ପରି ନଥିଲା । ତାର ମନେ ହେଉଥିଲା ଯେପରି ସମସ୍ତେ ତାରି ଆଡ଼କୁ ଚାହିଁ ରହିଛନ୍ତି-

 

ତେଇଶି ନମ୍ବର ଖଟିଆର ରୋଗୀ ଶୁଖିଲା ହସ ହସି ପଚାରିଥିଲା—ମୋତେ ଡାକ୍ତରଖାନା ଛାଡ଼ିବାକୁ କହୁଛନ୍ତି । ମୁଁ ତ ପୂରାପୂରି ଭଲ ହୋଇନାହିଁ ?

 

ସେ ଭଲ ହୋଇଛି କି ନାହିଁ ଏ ଖବର ନିହାରବାଳା ଦେଇପାରିବ ନାହିଁ । ସେ ଏକାବେଳକେ ନୂଆ । ସାମନାର ରୋଗୀର କାଗଜକୁ ଚାହିଁ ଠିଆ ହେଲା । ରୋଗୀଟି ପୁଣି ପଚାରିଲା—ମୁଁ କଣ ଭଲ ହୋଇ ଯାଇଛି ?

 

ନିହାର କିଛି କହି ପରିଲା ନାହିଁ । ଜର ତ ରହିଥିଲା ଆଜି ନାହିଁ । କେତେ ଦିନରେ କାହାକୁ ଛାଡ଼ିବାକୁ ହୁଏ ସେ କଥା ମୁଁ ଜାଣେ ନାହିଁ । ଟିକିଏ ଭାବି କାହିଲା—ଡାକ୍ତର ଯଦି କହୁଛନ୍ତି ତେବେ ଭଲ ହୋଇ ଯାଇଥିବ ।

 

ଏବେ ଫେରିଗଲେ ପୁଣି ଖରାପ ହେବ । ଡାକ୍ତରଖାନାକୁ ଆସିପାରିବି ନାହିଁ । ଆପଣ ଟିକିଏ ମୋ ପାଇଁ କହନ୍ତୁ ।

 

ନିହାରବାଳା ଚାହିଁ ରହିଲା ରୋଗୀର ମୁହଁକୁ...ଡାକ୍ତରଖାନାରେ ରହିବା ପାଇଁ ତାର ଇଚ୍ଛା । ଭଲ ହୋଇଛି ବୋଲି କେହି କହିଲେ ବିଶ୍ୱାସ କରିବାକୁ ସେ ନାରାଜ । ସେ ନିଜକୁ ନିଜେ ପଚାରିଲା—ରୋଗୀ କଣ ଭଲ ହୋଇଛି ବୋଲି ଜାଣିବାକୁ ଚାହେ ନାହିଁ....ତାର ମୁହଁ ଉପରେ ଅସଂଖ୍ୟ ପ୍ରଶ୍ନର ଲହଡ଼ି ଖେଳୁଥିଲା ।

 

ତାକୁ ଅନ୍ୟମନସ୍କ ଦେଖି ରୋଗୀଟି ପଚାରିଲା—ମୋ ପାଇଁ ଟିକିଏ କହିବେ ନାହିଁ ? ...ମୋ ମନ କହୁଛି, ଆପଣ କହିଲେ ହୋଇଯିବ ।

 

ଅତର୍କିତ ଭାବରେ ସିଷ୍ଟର ଆସି ପହଞ୍ଚିଲାଣି । ଇସାରାରେ ନିହାରବାଳାକୁ ଡାକି ନେଇ କହିଲେ—ରୋଗୀ ସାଙ୍ଗରେ ଏତେ ଗପ୍‌ସପ୍‌ କଣ ? ସେ ଲୋକତ ଭଲ ହୋଇଗଲାଣି ।

 

—ହୋଇନାହିଁ ବୋଲି କହୁଥିଲା ।

 

ହସି ସିଷ୍ଟର କହିଲେ—ରୋଗୀଙ୍କ କଥାକୁ ବିଶ୍ୱାସ କରିବ ନାହିଁ । ଡାକ୍ତରଖାନାକୁ ସମସ୍ତେ ସମାନ ଆଖିରେ ଦେଖନ୍ତି ନାହିଁ । କେତେ ବି ରୋଗୀ ଏଇଟାକୁ ଖେଳଘର ଆଉ ଥିଏଟର ଘର ବୋଲି ଭାବନ୍ତି...ତେବେ ଭଲ ହୋଇଯାଇଥିବା ରୋଗୀ ସାଙ୍ଗରେ ଆମର ତ କିଛି କାମ ନାହିଁ-

 

ନିହାରବାଳା ଉଭୟଙ୍କର କଥାଶୁଣି ଖଟିଆରୁ ଖଟିଆପାଖକୁ ଯାଇଥିଲା । ସିଷ୍ଟରଙ୍କ କଥା ଠିକ୍—ଆଉ ରୋଗୀର କଥା ଠିକ୍ ।

 

ଅନ୍ୟ ବିଛଣା ପାଖରେ ଠିଆ ହୋଇ ଆଖି କଣରେ ଚାହିଁ ନିହାରବାଳା ଦେଖିଲା ଯେ ସେଇ ତେଇଶି ନମ୍ୱର ରୋଗୀ ଅପଲକ ଆଖିରେ ନିହାରବାଳାକୁ ଚାହିଁ ରହିଛି ।

 

ତାର ସହାନୁଭୂତି ଆସିଲା ମନରେ । କଣ ସେ ତାକୁ କହିବ ? ସେ ପଚାରିଥିଲା—ଅନୁରୋଧ କରିଥିଲା । ନିହାରବାଳାର ଇଚ୍ଛା ହେଉଥିଲା ତା ପାଖକୁ ଫେରି ତାକୁ କହି ଦେବାକୁ—ସେ ଭଲ ହୋଇ ଗଲାଣି ବୋଲି ।

 

ସେ କଥା ଭାବିଲେ ନିହାରବାଳା ବିବ୍ରତ ହୋଇପଡ଼େ । ଭାବିବା କଥା କହି ହେଉନାହିଁ-। ରୋଗୀର ପ୍ରଶ୍ନଟିର ଜବାବଦେଇ ପାରି ନ ଥିବାରୁ ତାର ମନ ଭିତରେ ଆସି ପ୍ରଶ୍ନଟି ବୁଲୁଛି । ରୋଗୀର ମୁହଁ ପାଉଁସିଆ ଦିଶୁଛି । ଆଖି ଦୁଇଟି ଜ୍ୱଳନ୍ତ । ଦେହ ଦୁର୍ବଳ....କିନ୍ତୁ ସେ ଭଲ ହୋଇ ଯାଇଛି । ନିହାରବାଳା କେମିତି ଯାଇଁ ତାକୁ କହିବ....ଚାଲିଯାଅ ।

 

ନାଁ, ସେ କହିପାରିବ ନାହିଁ । ସେ କାହାରିକୁ ଡାକି ଆଣି ନାହିଁ । କାହାରିକୁ ବି ସେ ବିଦାୟ ଦେଇ ପାରିବ ନାହିଁ ।

 

ଚବିଶ ନମ୍ବର ବିଛଣାର ରୋଗୀଟି ବହୁତ ବେଳ ଚାହିଁ ଧୀରେ ତେଇଶି ନମ୍ବର ରୋଗୀକୁ କହିଲା—ରହିବାକୁ ଭଲ ଲାଗୁଛି ? ନା, ନୂଆ ଲୋକଟିକୁ ଦେଖି ରହୁଛ ?

 

—ନାହିଁ । ମୋ ଦେହ ପୂରା ଭଲ ହୋଇନାହିଁ ।

 

—ଘରେ ଭଲ ହୋଇଯିବ ଯେ । ....ଏଠି ରହିଲେ ଦେହ ଭଲ ହୋଇଗଲା ବେଳେ ମନ ଏକାବେଳକେ ବିଗିଡ଼ି ଯାଇଥିବ, ଏଇ ନୂଆ ନର୍ସର ମାୟାରେ । ଚିହ୍ନିଛ ତାକୁ ?

 

—ନା

 

—ଓ, ସେଥିପାଇଁ ସେ ସ୍ୱାମୀଙ୍କୁ ଛାଡ଼ି ନର୍ସ ହେବାକୁ ଆସିଛି । ନାଁ ହେଉଛି ନିହାରବାଳା । କହେ ଯେତେ ତା’ ଠାରୁ ବେଶି ଜଣାଇ ଦିଏ । ଆପଣଙ୍କର ତ ସ୍ତ୍ରୀ ପିଲା ଅଛନ୍ତି । ସେମାନଙ୍କର ସେବା କ’ଣ ଯଥେଷ୍ଟ ନୁହେଁ ?

 

ନିରୁତ୍ତର ହୋଇ ରୋଗୀଟି ଅପର ରୋଗୀକୁ ଚାହିଁ ରହିଲା ।

 

ଚବିଶ ନମ୍ବର ରୋଗୀ ସେମିତି ହସି ପୁଣି କହିଲା—ନିଜ ଲୋକଙ୍କ ସେବା ଭଲ ଲାଗେ ନାହିଁ । ନୂଆଲୋକର ହାତ ଭାରି ମିଠା ଲାଗେ । ଆପଣଙ୍କର ଦୁର୍ଭାଗ୍ୟ ଯେ ନୂଆ ଲୋକର ସେବା ପାଇ ପାରିଲେ ନାହିଁ ।

 

ଦୂରରେ ନିହାରବାଳା ଲକ୍ଷ୍ୟ କରୁଥିଲା ଯେ ଚବିଶ ନମ୍ବର ରୋଗୀଟି ନିହାର ବିଷୟରେ ଆଲୋଚନା କରୁଛି....ମନରେ ରାଗ ଆସିଲା । ଭାବୁଥିଲା ଆସି ତାଗିଦ୍ କରିଦେବ ଯେ ଡାକ୍ତରଖାନା ଗପିବା ପାଇଁ ହୋଇନାହିଁ । ଲୋକଟା ନିଶ୍ଚେ କୁତ୍ସା ପ୍ରଚାର କରୁଛି । —ଚିହ୍ନେ ବୋଧହୁଏ ।

 

ଚିହ୍ନିନଥିବ ତ । ନିହାରବାଳା ଆସିଛି ସେଦିନ । ଏତେ ଶ୍ରୀଘ୍ର ତା’ର ସମ୍ବାଦ ଡାକ୍ତରଖାନା ରୋଗୀ ପାଖରେ ରହିବା ସମ୍ଭବ ନୁହେଁ...ତେବେ ସେ ଆଲୋଚନା କରୁଛି କ’ଣ ? ନୂଆ ଆସିଛି ବୋଲି ଅବା କ’ଣ ଛିଗୁଲେଇ କହୁଥିବ । ରୋଗୀଟିକୁ ନାନା କଥା କହି ମତାଉଥିବ ।

 

ନିହାରବାଳା କାମରେ ମନ ଲଗାଇ ପାରିଲା ନାହିଁ ! ତା’ର ମନେ ହେଲା ଯେପରି ସେମାନେ ତାକୁ ସମ୍ପୂର୍ଣ୍ଣ ଭାବରେ ଦେଖୁଛନ୍ତି । ତା’ର ଅତୀତ ଓ ବର୍ତ୍ତମାନକୁ ମୁକୁଳା କରିଦେଇ ନିହାରବାଳା ବିଷୟରେ ମନ ଭିତରେ କଦର୍ଯ୍ୟ ଚିତ୍ର ଆଙ୍କୁଛନ୍ତି....କେତେ ଅନ୍ୟାୟ !

 

ନିହାରବାଳାକୁ ନୂଆ କରି ଆଉ ଥରେ ଜୀବନ ଆରମ୍ଭ କାରିବାର ସୁବିଧା ସେମାନେ ଦେବେ ନାହିଁ । ତା’ ବିଷୟରେ ନିଜେ ଜାଣିବେ ଆଉ ଅନ୍ୟ ଲୋକଙ୍କୁ ଜଣାଇବେ...ନିହାରବାଳା ଖରାପ ।

 

ବାରମ୍ବାର ଚାହିଁ ନିହାରବାଳା ସ୍ଥିର କଲା, ସେ ଫେରିବ ସେମାନଙ୍କ ପାଖକୁ । ଚବିଶ ନମ୍ବର ରୋଗୀ କଥା କହିବା ବନ୍ଦ କରୁନାହିଁ । କହିଲାବେଳେ ଚାହୁଁଛି ନିହାରବାଳା ଆଡ଼େ—ସେ ଗୋଟିଏ ଅପରାଧୀ । ତା’ର ଅନ୍ୟପ୍ରକାରର ସ୍ୱଚ୍ଛ ପରିଚୟ ନାହିଁ ।

 

ନିଜର କାମର ସେଖନା ଦେଖାଇ ନିହାରବାଳା ଅନ୍ୟମନସ୍କ ଥିବାପରି ଫେରିଲା । ନିକଟ ହୋଇଯିବାରୁ ଚବିଶ ନମ୍ବର ରୋଗୀଟି ପଚାରିଲା—କେତେଟା ବାଜିଛି ?

 

—ମୁଁ କହିପାରିବି ନାହିଁ ?

 

—ଘଡ଼ି ନ ବାନ୍ଧିଲେ ନର୍ସ କଣ ହେବେ...କହି ସେ ହସି ଚାହିଁଲା ।

 

ସେଇ ହସ ନିହାରକୁ ବିବ୍ରତ କଲା । ମନ ଭିତରେ ତା’ର ସେଇ ଗୋଟିଏ ପ୍ରଶ୍ନ—ନିହାରବାଳାର ଘଡ଼ି ନାହିଁ । ସେ ଅସମ୍ପୂର୍ଣ୍ଣ, ସେ ଅନୁପଯୁକ୍ତ ।

 

ସିଷ୍ଟରର କୋଠରିକୁ ଫେରିଗଲାବେଳେ ନିହାରବାଳାର ମନେ ହେଉଥାଏ ଯେପରି ସେ ଅତି ଦରିଦ୍ର । ଅପରଲୋକକୁ ଦି’ ପଦ କଥା କହିବାକୁ ତା’ର କୌଣସି ସଂସ୍ଥା ନାହିଁ ।

 

ସିଷ୍ଟରଙ୍କ ଘଡ଼ିରେ ଛ’ଟା ବାଜିବାକୁ କୋଡ଼ିଏ ମିନିଟ୍ ବାକି । ତା’ର ଛୁଟି ହେବାକୁ ଆଉ କୋଡ଼ିଏ ମିନିଟ୍ ।

 

ଟେବୁଲ ଉପରେ ଭରାଦେଇ ନିହାରବାଳା ସେଇ ୱାର୍ଡ଼କୁ ଚାହିଁଲା । ସବୁ ରୋଗୀ ଆପଣା ଚିନ୍ତାରେ ମଗ୍ନ । କେହି କାହାରିଠାରୁ ଅଲଗା ନୁହନ୍ତି । ସେଇ ଷୋଳଟି ରୋଗୀ ଭିତରୁ ଦୁଇଜଣ ନିହାର ବିଷୟରେ ପ୍ରଶ୍ନ କରିଥିଲେ । ତେଇଶ ନମ୍ବର ରୋଗୀଟି ତାକୁ କହିଥିଲା....ତା'ରି ସାହାଯ୍ୟ ମିଳିଲେ ସେ ଆଉ କିଛି ଦିନ ରହିପାରିବ । ଚବିଶ ନମ୍ବର ରୋଗୀଟି ତାକୁ କହିଥିଲା—ତା’ର କିଛି ନାହିଁ ।

 

ଚବିଶି ନମ୍ବର ରୋଗୀଟି ଉପରେ ତା’ର ରାଗ ହେଲା—ଘଡ଼ି ନ ଥିଲେ ନର୍ସ ହୋଇପାରିବ ନାହିଁ । ହାତରେ ଚୁଡ଼ି ଆଉ ମୁଦି ଓହ୍ଲାଇ ଦେବାକୁ ସିଷ୍ଟର ହୁକୁମ ଦେଇଥିଲେ—ସେ ସବୁ ଥିଲେ ମଇଳା ରହିତ । ରୋଗୀମାନେ ଅନ୍ୟମନସ୍କ ହେବେ ।

 

ହାତରୁ ସବୁ ଓହ୍ଲାଇବାକୁ ସଙ୍କୋଚ ଆସିଥିଲା । ପଟେ ପଟେ ଚୁଡ଼ି ରଖିବାକୁ ଚାହିଁଥିଲା ଯେ ସିଷ୍ଟର ଅନୁମତି ଦେଇଥିଲେ ଗୋଟିଏ ହାତରେ ପଟେ ରଖିବାକୁ....ସେଥିରେ ତାକୁ ଅତିମାତ୍ରାରେ ଅସଜ ଲାଗୁଥିଲା...କିନ୍ତୁ ଘଡ଼ିଟିଏ ଦରକାର । ଘଡ଼ି ନ ଥିଲେ ଜୀବନ ବୃଥା ।

 

ସମୟ ପଚାରି ତାକୁ ତଡ଼ି ଦେଇଛନ୍ତି । ନିହାର ଡରି ଯାଇଛି । ଅଭାବକୁ ଭୟ କରିଛି....ଭୟ କରିବାର ତ କିଛି କାରଣ ନାହିଁ । ସେ ଯାଇ ତାଙ୍କୁ କହି ଆସିବ ସମୟ...ଏଥିରେ ତ କିଛି ଭୟ ନାହିଁ । ନିହାରବାଳା ରୋଗୀ ପାଖକୁ ଫେରିଲା । ମନରେ ତା’ର ଉତ୍ସାହ ।

 

—କୋଡ଼ିଏ ମିନିଟ ଅଛି ଛ’ଟା ବାଜିବାକୁ....କହିଲା ବେଳେ ସେ ଶୁଣିଲା, ଭଦ୍ରଲୋକଟି କହୁଛନ୍ତି, ‘ଅନ୍ୟାୟରେ ତାକୁ ସେମାନେ ଘରୁ ବାହାର କରିଦେଲେ ।’ ନିହାର ଚମକି ପଡ଼ିଲା ।

 

ତା’ରି ବିଷୟରେ ଏ କଥା । ଅଚିହ୍ନା ଭଦ୍ରଲୋକଟି ନିହାରକୁ ଚିହ୍ନନ୍ତି ବୋଧହୁଏ । ନିହାରବାଳା ପଚାରିଲା—କାହା କଥା କହୁଥିଲେ ?

 

—ଆପଣଙ୍କ କଥା—ଯାହା ହେଉ ଭଲ କଲେ । ଉଚିତ ଶିକ୍ଷା ଦେଇପାରିବେ ।

 

ନିହାରର କଣ୍ଠସ୍ୱର ରୁନ୍ଧି ହୋଇଗଲା । ସେ କାହାକୁ ଶିକ୍ଷା ଦେବ ? ତାକୁ ତ ସମସ୍ତ ଶିକ୍ଷା ଦେଇଛନ୍ତି...ପଚାରିଲା—ଆପଣ ମୋତେ ଚିହ୍ନିଲେ କେମିତି ?

 

ହସି ଭଦ୍ରଲୋକଟି କହିଲେ—ଆପଣ ମଧ୍ୟ ମୋତେ ଚିହ୍ନନ୍ତି । କିଛ ଦିନ ଗଲେ ଜାଣିବେ ଯେ...

 

ନିହାରବାଳା ଚାହିଁ ରହିଲା ସେହି ଅପରିଚିତ ଲୋକଟିକୁ । ବେଶି ବେଳ ଠିଆ ହେଲେ ପୁଣି ସିଷ୍ଟର ଆସି ପହଞ୍ଚିଯିବେ । ସେ ଯେ ଭାବିଥିଲା ନିଜକୁ ଅପରିଚିତ ବୋଲି ସେମିତି ନୁହେଁ । ତାଙ୍କୁ ଚିହ୍ନିବା ଲୋକ ଅଛନ୍ତି—କ’ଣ ଭାବିଥିବେ ସେ କେଜାଣି ! ତେଇଶି ନମ୍ବର ରୋଗୀ ସାଙ୍ଗରେ ନିହାର କଥା କହୁଥିଲା ।

 

ଦୀର୍ଘନିଃଶ୍ୱାସ ପକାଇ ନିହାରବାଳା ଫେରିଆସିଲା । ଫେରିଲାବେଳେ ତା’ର ମନେ ହେଲା ଯେପରି ସେ ବଡ଼ ଅଭାଗିନୀ । ପରିଚିତ ଲୋକଙ୍କର ପରିଚୟ ଭୁଲିଛି । ଅପରିଚିତ ଲୋକଙ୍କର ପରିଚୟ ନେଉଛି ।

 

ସେହି ଦିନ ନିହାରବାଳା ଡାକ୍ତରଖାନାରେ ଦୁଇଟି ଚିହ୍ନା ଲୋକ ଆବିଷ୍କାର କଲା । ଆଉ ବି ଦୁଇଜଣ ଅଚିହ୍ନା ଲୋକ ତାହାରି ସାଙ୍ଗରେ ପରିଚୟ କଲେ—ତାଙ୍କ କଥା ଭାବି ଭାବି ସେ ହଷ୍ଟେଲକୁ ଫେରିଲା ।

 

ନର୍ସ ହଷ୍ଟେଲର କୋଠରୀ ଭିତରେ ଗୋଡ଼ ଦେଲାବେଳେ ନିହାରବାଳା ମନରେ ସେହି ତେଇଶି ଆଉ ଚବିଶି ନମ୍ବର ରୋଗୀ ଦୁଇଟି ଭାବନାର ଝଙ୍କାର ତୋଳିଥିଲେ । ସେ ସେମାନଙ୍କ ବିଷୟରେ ନ ଭାବିଲେ ଯେପରି ତା’ର ଆଉ ଚଳିବ ନାହିଁ । ହଷ୍ଟେଲଟି ଧୀରେ ଧୀରେ ପୂରି ଉଠିଲା । ଗୀତା ଓ ଆଶା ଆସି କହିଲେ—କିଛି ସୁବିଧା କାମ ନୁହେଁ ।

 

ଗୀତା କହିଲା—ଡାକ୍ତରଖାନାକୁ ଆସିଛନ୍ତି ବୋଲି ରୋଗୀଗୁଡ଼ାକ ଖାଲି ସେବାଶୁଶ୍ରୂଷା ଖୋଜୁଛନ୍ତି । ସତେ ଯେପରି ଘରେ ସେବାକାରୀ ପୁଞ୍ଜା ପୁଞ୍ଜା ଖଞ୍ଜିଥିଲେ ।

 

ଆଶା କହିଲା—ତମକୁ ସେମିତି ନିକମା ଦେଖିବାରୁ ସେମାନେ ଓଜର କରିଥିବେ । ମତେ ଯେବେ କିଏ କହିଥାନ୍ତା ମୁଁ କଥା ପଦକରେ ତା’ମୁହଁ ବଙ୍କା କରିଦେଇଥାନ୍ତି....ତେବେ ଆମ ୱାର୍ଡ଼ରେ ଡାକ୍ତରୀ ପିଲାଙ୍କର ଉତ୍ପାତ ବେଶି । ତୁଚ୍ଛାଟାରେ ମୋ ଦେହ ଘଷି ଗୋଟିଏ ଯା’ ଆସ କରୁଥାଏ । —ତା’ କଥା କାଲି ବୁଝିବି ।

 

—କ’ଣ ବୁଝିବ ? ତମେ ତ ଯେଉଁଠି ସେ ତ ସେଇଠି । ବୁଝିଥାଅ ଆଶା, ତାଙ୍କ ସାଙ୍ଗରେ କଳି କରିବ ନାହିଁ । ମତେ ପରା ଜଣେ କହିଥିଲେ, ‘ଯେତେ ଯାହା ଭଲ କି ଖରାପ କରୁଛ କର କଳି କରିବ ନାହିଁ ।’...ଆଶା କହିଲା ।

 

—ନାହିଁ କଳି କରିବ ନାହିଁ । ଯାହାର ଯେମିତି ଇଚ୍ଛା ସେ ତମ ସାଙ୍ଗରେ ସେମିତି ବ୍ୟବହାର କରୁଥିବ । ଏସବୁ ଅନ୍ୟାୟ କଥା ଦେଖିଲେ ମୋ ଦେହ ଚିଡ଼େ—କ’ଣ କହୁଛ ନିହାର-? ନିହାର ଭାରି ଭଲ ବ୍ୟବହାର ଦେଖାଇପାରେ ।

 

ମନେ ପଡ଼ିଗଲାପରି ନିହାରବାଳା କହିଲା—ସେଇ ବ୍ୟବହାର କେତେବେଳେ କାହାକୁ ଭଲ ଲାଗେ ଦେଖାଇବାକୁ । ପୁଣି କାହାକୁ ଭଲ ଲାଗେ ସେଇ ବ୍ୟବହାର ପାଇଲେ । ପୁଣି କେତେବେଳେ ଦେଖାଇବା ଲୋକ ଓ ପାଇବା ଲୋକ ଉଭୟଙ୍କୁ ସେଇଟା ପିତା ।

 

ଗୀତା ଓ ଆଶା ଚାହିଁ ରହିଲେ ନିହାରବାଳା ମୁହଁକୁ । ଗୀତା ପଚାରିଲା—ତମକୁ କିଏ ଆଜି କହିଲେ ଘଷା ଆଉଁସା କରିବାକୁ ?

 

—ନାହିଁ ତ । କହିବାକୁ କେତେ ଡେରି ! ଆଜି କହି ନାହାନ୍ତି, କାଲି କହିବେ । ଆଜି ଖାଲି ଜଣେ କହୁଥିଲା—ଡାକ୍ତରଙ୍କୁ ସୁପାରିସ୍‍ କରି ତାକୁ ଖଟିଆରେ ରଖାଇବାକୁ କେଇ ଦିନ ।

 

—କ’ଣ କଲ ? ଆଶା ପଚାରିଲା ।

 

—ମୁଁ ଆଉ କ’ଣ କହିବି ? ସେତ ଡାକ୍ତରଙ୍କ କାମ । ତେବେ ଶୁଣି ମନଟା ଟିକିଏ କେମିତି ହେଲା । ବିଚେରା ରୋଗୀଟି ଚାହିଁ ରହିଥିଲା ।

 

ସମସ୍ତଙ୍କର କହିବାପାଇଁ—ବହୁତ କଥା ଅଛି । ଡାକ୍ତରଖାନାରେ ଦିନଟିଏ ହୋଇଥିଲେ ବି ସମସ୍ତେ ଯେମିତି ଜାଣିବାକୁ ଚାହାନ୍ତି ଏଇ ନର୍ସଗୁଡ଼ିଙ୍କୁ । —ସମସ୍ତେ ତାଙ୍କର ସେବା ଖୋଜନ୍ତି ।

 

କାହାରିକୁ ତ ଖରାପ ଲାଗେ ନାହିଁ—ଅଜଣା ଲୋକର ପରିଚୟ ସବୁବେଳେ ମନକୁ ଭଲ ଲାଗେ । ପ୍ରତ୍ୟେକ ଲୋକ ମନର ଭାବକୁ ଯେତେବେଳେ ଭାଷାର ଅବରୋଧ ଭାଙ୍ଗି ଧୀରେ ଧୀରେ ପ୍ରକାଶ କରନ୍ତି, ସେତେବେଳେ ଦେଖିବାକୁ, ଶୁଣିବାକୁ ଆଉ ଭାବିବାକୁ ଭାରି ସୁନ୍ଦର ଲାଗେ-। କେହି ଯଦି ପରିଚୟ କରିବାକୁ, ଅନ୍ତରଙ୍ଗ ହେବାକୁ କୌତୂହଳ ନ ଦେଖାନ୍ତା ତେବେ ତ ଜୀବନ ବଡ଼ ଦୁର୍ବହ ହୋଇପଡ଼ନ୍ତା ।

 

ପ୍ରତ୍ୟେକ ତରୁଣୀ ତାଙ୍କର ଗୋପନ କଥାଗୁଡ଼ିକ ମନରେ ଏପାଖ ସେପାଖ ଖେଳାଇଲା ବେଳେ ପରସ୍ପରକୁ ଚାହୁଁଥିଲେ ।

 

ସେ ନିଜେ ଏକା ସୁନ୍ଦର—ଅନ୍ୟଗୁଡ଼ାକ କିଛି ନୁହନ୍ତି । ତା’ରି ନିଜର ଚରିତ୍ର ଭଲ—ଅନ୍ୟମାନେ କିଛି ନୁହନ୍ତି....ତଥାପି ତିନିଜଣଙ୍କ ଭିତରେ ବନ୍ଧୁତା । ସେଇଟା ମନର ବନ୍ଧୁତା ନୁହେଁ–ଏକାଠି ରହିବାର, ଏକା କାମ କରିବାର ବନ୍ଧୁତା ।

 

ନିହାରବାଳାର ମନେ ପଡ଼ୁଥିଲା ଚବିଶି ନମ୍ବର ରୋଗୀଟିର କଥା—ସେ ନିହାରକୁ ଚିହ୍ନିଲା କିପରି ? ଜାଣିଥିବ ତ ବଳରାମ କଥା । ନିହାର ତା’ରି ଆଗରେ କେମିତି ମୁହଁ ଦେଖାଇବ ତହିଁଆର ଦିନ....କେଜାଣି କାଳେ ଦିଗମ୍ବର କଥା ଜାଣିଥିବ । ନିହାରର ବହୁତ ବନ୍ଧୁ ଅଛନ୍ତି ବୋଲି ମନରେ ଖରାପ ଭାବିଥିବ ।

 

କ’ଣ ମନେ ପଡ଼ିଗଲା ପରି ନିହାର ପଚାରିଲା—ଆଚ୍ଛା, ତମକୁ ଚିହ୍ନନ୍ତି ସମସ୍ତେ ।

 

ଆଶା ଓ ଗୀତା ଏକା ସାଙ୍ଗରେ କହିଲେ—ନା । ଆମେ କାହାରିକୁ ନାଁ କହିନାହୁଁ ।

 

—ନାହିଁ ତମ ଚିହ୍ନା ଲୋକ କେହି ରୋଗୀ କି ଡାକ୍ତର ନାହାନ୍ତି ?

 

ମୁହଁ ଶୁଖାଇ ଦୁଇଜଣଯାକ ନୀରବ ରହି ଚାହିଁଲେ ନିହାରବାଳା ମୁହଁକୁ । ଦୀର୍ଘନିଃଶ୍ୱାସ ପକାଇ ଆଶା କହିଲା—ଅନ୍ୟ ଲୋକେ ଆମକୁ ଚିହ୍ନିବାର ସୌଭାଗ୍ୟ ସବୁବେଳେ ସମସ୍ତଙ୍କର କ’ଣ ହେବ ?

 

ନିହରବାଳା ସହାନୁଭୂତି ଦେଖାଇ କହିଲା—ବେଶୀ ଲୋକ ଚିହ୍ନିବା ଯେତିକି ଭାଗ୍ୟ ସେତିକି ବି ଦୁର୍ଯୋଗ । ତେବେ ଚିହ୍ନା ଲୋକ ମିଳିଲେ ଏକୁଟିଆ ଲାଗେ ନାହିଁ ।

 

ଆଶା କହିଲା—ତୁଚ୍ଛାଟାରେ ମୋତେ ଆଶା ଦେବୀ ଆଶା ଦେବୀ ବୋଲି ସେ ଡାକ୍ତର ପିଲାଟି ଡାକୁଥିଲା । ମୋତେ ଭାରି ବିରକ୍ତ ଲାଗୁଥାଏ । ଡାକ୍ତରଖାନାରେ ଏତେ ବଡ଼ ବଡ଼ ମଣିଷ ଅଛନ୍ତି, ସେଠି ପିଲାଟିଏ କାହିଁକି ମୋ ନାଁ ଧରି ବାରମ୍ବାର ଡାକିବ ।

 

ନିହାର ପଚାରିଲା—ଦେଖିବାକୁ କେମିତି ?

 

—ମନ୍ଦ ନୁହେଁ । ତେବେ ଏମିତି ଯେଉଁ ପୁରୁଷମାନେ ପରିଚୟ କରିବାକୁ ଅଥୟ ହୁଅନ୍ତି, ସେମାନଙ୍କୁ କୋଟି ଜୁହାର ।

 

ବୁଝି ନ ପାରିଲା ପରି ଗୀତା କହିଲା—କାହିଁକି ?

 

—ସେମାନେ ଚିହ୍ନା ହେବାକୁ ଯେତିକି ବ୍ୟଗ୍ର, ନିକୃଷ୍ଟ ଦେବାକୁ ତହୁଁ ଊଣା ନୁହନ୍ତି । ସେମାନେ ନିଜ ମନକୁ ନ ବୁଝି ଖାଲି ଉଚାଟ ହୁଅନ୍ତି । ମନ ଭାରି ଅସ୍ଥିର ।

 

ଗୀତା କହିଲା—ସେମିତି ଲୋକ ତ ଭଲ । ଆସିବେ ଝଡ଼ ପରି । ଆଉ ଝଡ଼ ବୋହିଗଲା ପରେ ସବୁ ଥିର । ଆଉ ଯେଉଁମାନେ ସାପପରି ଟିକି ଟିକି ଗିଳୁଥାନ୍ତି, ସେମାନେ ଛାଡ଼ନ୍ତି ନାହିଁ, ଭାରି ଦହଗଞ୍ଜ କରନ୍ତି ।

 

ହସି ନିହାରବାଳା କହିଲା—ଆଶା ଖୋଜୁଛି ଝଡ଼ । ...ଆଲୋ ଆଶା, ଝଡ଼ ସାଙ୍ଗରେ ଘର କରିବୁ ନାହିଁ, ବନ୍ଧୁ ବାନ୍ଧିବୁ ନାହିଁ । ଝଡ଼ କାହାରି ନୁହେଁ । ସେ ଆସେ ଖାଲି ଧ୍ୱଂସ କରିବାକୁ । ଧୀର ପାଣି ଯେତେ କଷ୍ଟ ଦେଲେ ବି କେବେ ଛାଡ଼ିଯାଏ ନାହିଁ ।

 

—ତମ ବର କେମିତିକା...ଝଡ଼ ନା ଧୀର ପାଣି ?

 

ନିହାରବାଳାର ମୁହଁ ଉପରେ ଦୁଃଖର ଗଭୀର ରେଖା ଫୁଟି ଉଠିଲା । ତା’ର ସବୁ ଥିଲା-। କିନ୍ତୁ ସ୍ୱାମୀଙ୍କର ସ୍ନେହ ସେ ପାଇପାରି ନାହିଁ । ଆଉ ସେ ତାଙ୍କୁ ଏତେଦୂର ଘୃଣା କରିଥିଲେ ଯେ ନିହାରବାଳା ମନରେ ବଳରାମଙ୍କ କଥା ଭାବିଲେ କ୍ରୋଧ ଓ ପ୍ରତିହିଂସା ଛଡ଼ା ଆଉ କୌଣସି ଭାବ ଆସେ ନାହିଁ....କ’ଣ ବୋଲି ସେ ଆଜି ସମସ୍ତଙ୍କୁ କହିବ ? ଗୀତା ଓ ଆଶା ବିଭା ହୋଇ ନାହାନ୍ତି-

 

ନାରୀର ମନ ଏଡ଼େ ଅଭିଶପ୍ତ ଯେ ଅତି ନଗଣ୍ୟ ଜଣେ ଲୋକର ଭଲ ପାଇବା ସେ ପାଇନାହିଁ ବୋଲି କେହି ତାକୁ କହିଦେଲେ ସେ ମନେ କରେ ନିଜକୁ ଦୁଃଖୀ ବୋଲି । ....ତହିଁଅନ୍ତୁ ପଛେ ବଳରାମ ଜଣେ ନଗଣ୍ୟ ଲୋକ, ତାଙ୍କରି ଭଲପାଇବା ନିଭାଇପାରି ନାହିଁ କହିଲେ ନିହାରର ସିନା ଅପମାନ ।

 

ହସି ନିହାରବାଳା କହିଲା—ସେ ମୋତେ ଭାରି ଭଲ ପାଆନ୍ତି । ମୁଁ ତାଙ୍କୁ କହିବୋଲି ଆସିଛି ।

 

—ସତେ ! ଚିଠି ଦଉଥିବ । ସେ ଆସିଲେ ଆମକୁ ଟିକିଏ ଚିହ୍ନା କରିଦେବ । ଭଲ ପାଉଥିଲେ ତ ନିଶ୍ଚେ ଆସିବେ...ଗୀତା ଓ ଆଶା ପଦକୁ ପଦ ଯୋଡ଼ି ନିହାରବାଳାକୁ କହିଲେ ।

 

ସମସ୍ତେ ଏକାପରି ଅଭିଶପ୍ତ ଏକାପରି ବିଫଳ । ସ୍ୱାମୀ ପାଇ ନ ଥିବା ଲୋକେ ଯେମିତି ଆଉ ସ୍ୱାମୀ ପାଇଥିବା ଲୋକେ ବି ଠିକ୍ ସେମିତି । କାହାରିକୁ ଉଚ୍ଚ ଆସନ ଦିଆଯାଇପାରେନା ।

 

ବୁକୁ ଫୁଲାଇ ଆଶା କହିଲା—ମୁଁ ହୋଇଥିଲେ ମୋଟେ ତାଙ୍କୁ ଦିନକ ପାଇଁ ବି ଛାଡ଼ି ଆସନ୍ତି ନାହିଁ । ଭଲ, ଖରାପ, ବଡ଼, ସାନ ଯାହା ହୋଇଥାନ୍ତୁ ।

 

ଗୀତା ଚାହିଁ ରହିଲା ଆଶା ମୁହଁକୁ । ହସି ଆଶା କହିଲା—ନିହାର ଲୁଚାଇଲେ ବି ସବୁ କଥା ମୁଁ ବୁଝିଛି ।

 

ନିହାରବାଳା ମୁହଁ ମଉଳି ଗଲା । ତା’ର ଗୋପନ କଥାଗୁଡ଼ିକ ଫିଟିଯିବା ଯୋଗୁଁ ନୁହେଁ-। ନିଶ୍ଚୟ କେହି ହିଂସାପରାୟଣ ଲୋକ ନିହାର ବିଷୟରେ ପ୍ରଚାର କରୁଛି । ଡାକ୍ତରଖାନା ରୋଗୀଙ୍କୁ, ନର୍ସ ହଷ୍ଟେଲର ସାଙ୍ଗମାନଙ୍କୁ କହୁଛି ଯେ ନିହାରବାଳା ସ୍ୱାମୀପରିତ୍ୟକ୍ତ-

 

ଏଇଟା ତ ନାରୀର ଭୂଷଣ ନୁହେଁ । ଯେ କେହି ହେଉ, ତାକୁ ଛାଡ଼ିଯାଇଛି ବୋଲି ଜଣାପଡ଼ିଲେ ଭାରି କ୍ଷତି ହେଲାପରି ଲାଗେ ।

 

ସଂଧ୍ୟାର ମଉକା ଅନ୍ଧାରରେ କ୍ଳାନ୍ତ ଦେହଗୁଡ଼ିକ ବିଛଣାରେ ଗଡ଼ି ପଡ଼ିଲେ । ହସି ଗୀତା ଆଶାକୁ କହିଲା—ନିହାରକୁ ମୋଟେ ଭଲ ଲାଗୁ ନ ଥିବ ଏମିତି ଆମରିପରି ନିଅଙ୍ଗୀ ମଠରେ ପଡ଼ି ରହବାକୁ । ...ଆଚ୍ଛା କହିଲ ନିହାର, ଏକୁଟିଆ ରହିବା ଆଉ ବର ସାଙ୍ଗରେ ରହିବା ଭିତରେ କି ପ୍ରଭେଦ ?

 

ଦୁଃଖଭରାକଣ୍ଠରେ ନିହାର କହିଲା—ଆକାଶରେ ତାରା ନଥିଲାବେଳେ ଯେମିତି ଜହ୍ନ ସୁନ୍ଦର ଦିଶେ ନାହିଁ, ସେମିତି କାହାରି ସାଙ୍ଗରେ ରହିଲେ ମନରେ କୌଣସି ଅପୂର୍ଣ୍ଣତା ରହିପାରେ ନାହିଁ....ପାଖରେ ଥିବା ଲୋକଟି ତମ ମନ ଭିତରୁ ସବୁ ଅଭାବ ଯେମିତି ହରିନିଏ ।

 

—କାହିଁ ଆମକୁ ତ ସେମିତି ଲାଗୁ ନାହିଁ ।

ଜୋତା ନ ପିନ୍ଧିବାଯାଏ ଯେମିତି ପାଦଗୁଡ଼ିକ କୌଣସି ଅଭାବ ଲକ୍ଷ୍ୟ କରିପାରନ୍ତି ନାହିଁ, ସେମିତି ନିଜର ଲୋକ ନ ଥିବାଯାଏ ମଣିଷ ଅପରର ଅଭାବ କେବେହେଲେ ମନରେ ସ୍ପଷ୍ଟ କରି ଧାରଣା କରିପାରେ ନାହିଁ...ତମେମାନେ ସିନା ମିଛଟାରେ ମିଛ କଥା ଗୁଡ଼ାଏ କହୁଛ । ଭାବୁଥିବ ଯେ ତମେମାନେ ବଡ଼ ସରଳ ।

ଗୀତା ଓ ଆଶା ଦୁହିଙ୍କ ମନରେ ହଠାତ୍ ଉତ୍ସାହ ଦେଖାଦେଲା । ସେମାନଙ୍କର ଜୀବନ ଅସମ୍ପୂର୍ଣ୍ଣ ନୁହେଁ । ସେମାନେ ମଧ୍ୟ ସ୍ନେହ ପ୍ରୀତିରେ ରିକ୍ତ ନୁହନ୍ତି । ନିହାରବାଳା ପରି ସେମାନେ ମଧ୍ୟ ପରିପୂର୍ଣ୍ଣ ।

ନିହାରବାଳା ପଚାରିଲା—ତମେମାନେ କହୁନାହଁ...ନିଶ୍ଚେ ତ କାହାରିକୁ ଭଲ ପାଇଥିବ-? ଭଲ ପାଇଲାବେଳେ ତୁମେ କ’ଣ ବୁଝି ନାହିଁ ଭଲ ପାଇବାର କି ମୂଲ୍ୟ ?

ଗୀତା କହିଲା—ଭଲ ପାଇଲେ ଦୁଃଖ ଅର୍ଜିବା ଖାଲି ସାର । ଲୋକ ଆସିଲାବେଳେ ଯେତିକି ସୁଖ ଦେଇଥାଏ, ଗଲାବେଳେ ତହିଁରୁ ଅଧିକ ଦୁଃଖ ଦେଇଯାଏ ।

ଆଶା କହିଲା—ନାହିଁ, ସେମିତି ନୁହେଁ । ଆସିଲାବେଳେ ସେ କ’ଣ ଗୁଡ଼ାଏ ଅଜାଡ଼ି ଦେବ ବୋଲି କହୁଥାଏ କିନ୍ତୁ ଗଲାବେଳେ ଠିକ୍ ଠିକ୍ ଜଣାପଡ଼େ ଯେ ସେ ଦୁଃଖ ଦେବାକୁ ଆସିଥିଲା...ଭଲ ପାଇବା ହେଉଛି ନାରୀ ଜୀବନର ଦୁଃଖ ।

ନିହାରବାଳା ପ୍ରତିବାଦ କରି କହିଥିଲା—ହିଁ, ଦୁଃଖ ହେଲେ ବି ଭଲ ନ ପାଇଲେ କିଛି ସୁଖ ଲାଗେ ନାହିଁ...କହି ନିଜର ହାତଟିକୁ ଆର ହାତରେ ଚାପିଧରି ଦୃଢ଼ଭାବରେ କହିଥିଲା ।

—କେହି ଜଣେ ନିର୍ଦ୍ଦିଷ୍ଟ ଲୋକକୁ ଭଲ ପାଇବା ହେଉଛି ଦୁଃଖ । ମଣିଷକୁ ଭଲ ପାଇ ହୁଏ ନାହିଁ ।

—ଆଉ କାହାକୁ ଭଲ ପାଇବ ?

—ମଣିଷକୁ ଭଲ ପାଇବ ତ । ତା’ ଛଡ଼ା ଆଉ ବାଟ ନାହିଁ । କିନ୍ତୁ ସେହି ମଣିଷ ଦିନେ ନା ଦିନେ କହିଦେଇ ଯାଆନ୍ତି—ଭଲ ପାଇବା ହେଉଛି ଗୋଟିଏ ଦୁର୍ଯୋଗ...ଡାକ୍ତରଖାନାକୁ ଆସି ରୋଗୀମାନଙ୍କୁ ପୁଣି ଭଲ ପାଇବାକୁ ହେବ ।

—କିଏ ସେମାନଙ୍କୁ ଭଲ ପାଇବ ? କାହିଁକି ଅବା ଭଲ ପାଇବ ? ଭଳ ପାଇବା ଖୋଜି ଖୋଜି ଶେଷରେ ରୋଗୀଙ୍କୁ....ଗୀତା ହସିଲା ।

ଆଶା କହିଲା—ନିହାରର ବେଶ୍ ବିଚାର । ସେ କାହାକୁ ହେଲେ ଭଲ ପାଇବ । ଭଲ ମଣିଷ ନ ମିଳିଲେ ରୋଗୀଙ୍କୁ । ଆଉ ରୋଗୀ ନ ମିଳିଲେ ମୁର୍ଦ୍ଦାରକୁ । ନିହାରର ଭଣ୍ଡାର ସବୁବେଳେ ପୂରି ରହିଥିବ ।

ଶୁଖିଲା ହସ ହସି ନିହାର କହିଲା—କ’ଣ କରିବା ଭଉଣୀ, ତମମାନଙ୍କର ପାଇବାର ଆଶା ଅଛି ବୋଲି ସିନା ତମେ ଭଲ ଖରାପ ବାଛି ପାରୁଛ । କିନ୍ତୁ ଯେ ପାଇ ହରାଇଛି, ଆଉ ହରେଇ ସାରି ପାଇବ ବୋଲି ଆଶା ରଖିନାହିଁ, ତା’ ପାଇଁ ସମସ୍ତେ ସମାନ—ଜୀଅନ୍ତା ଓ ମଲା ମଣିଷ, ଭଲ ଆଉ ଖାରପ ମଣିଷ...ଡାକ୍ତରଖାନା ରୋଗୀ ବି ।

 

ନିହାରର କଥାର ଗାମ୍ଭୀର୍ଯ୍ୟ ଆଉ ଦୁଇଟି ନାରୀଙ୍କୁ ଅଭିଭୂତି କରିଥିଲା ।

 

ଦୁଃଖୀ ସମସ୍ତଙ୍କର ଭଲ ପାଇବା ଖୋଜେ । ସମସ୍ତେ ତାଙ୍କୁ ବିକଳ କରନ୍ତି ।

 

ତହିଁ ଆରଦିନ ସକାଳେ ନିହାରବାଳା ଡାକ୍ତରଖାନାରେ ପହଞ୍ଚିଲାବେଳେ ତାହାର ଆଖି ଆଗରେ ତେଇଶ ନମ୍ବର ରୋଗୀଟିର ବିଦାୟ ବେଳା ଆଙ୍କି ହୋଇଯାଉଥିଲା—ଯେବେ ତାକୁ ବିଦାୟ କରିଦିଅନ୍ତି, ତାହାହେଲେ ସେହି ଦିନ ସେ ଯିବ । ସେ ଖଟିଆଟି ଖାଲି ପଡ଼ିବ ।

 

ନିହାରବାଳା କୌଣସି ଶୂନ୍ୟ ସ୍ଥାନ ଦେଖି ପାରି ନ ଥିଲା ଡାକ୍ତରଖାନାରେ । କୌଣସି ଲୋକର ଆସିବା ଯିବା ସେ ଦେଖିନାହିଁ । ତା’ର ଇଚ୍ଛା ହେଉଥିଲା—ସମସ୍ତେ ସେ ଯେଉଁଠି ଅଛନ୍ତି ଥାଅନ୍ତୁ । ତାଙ୍କର ମନ ନ ହେଲାଯାଏଁ ସେମାନେ ଯିବେ ନାହିଁ । ଡାକ୍ତରଖାନାର କଟକଣା ଲୋକଙ୍କୁ ଠେଲି ବାହାର କରିଦିଏ । ତେଇଶ ନମ୍ବର ରୋଗୀଟିକୁ ବିଦାୟ କରିଦେବ—ସହାନୁଭୂତିରେ ଭାବିଲାବେଳେ ତାହାର ମନ ଉପରେ ସେହି ରୋଗୀଟି ଗଲାଦିନର କ୍ଷୀଣ ସ୍ମୃତିରେଖାଟିକୁ ଗଭୀର କରି ଆଙ୍କି ଦେଇଥିଲା ।

 

ସେ କିଏ ନିହାରବାଳା ଜାଣେ ନାହିଁ । ସେ ହୁଏତ ନିହାରବାଳାର ପରିଚୟ ପାଇ ନାହିଁ-। କିନ୍ତୁ ଏମିତି ପରସ୍ପର ଅଜଣା ଲୋକଟି ନିହାରବାଳାକୁ ଆନମନା କରିଥିଲା-

 

ଇଏ କ’ଣ ପ୍ରେମ ?—ଯାହାକୁ ସମସ୍ତେ କହନ୍ତି ନର୍ସର ଭୂଷଣ...ନୁହେଁ ତ । ରୋଗୀ ନ ହୋଇ ହସ୍‌ପିଟାଲକୁ ନ ଆସିଥିଲେ ଆଉ ନର୍ସ ହେବାକୁ ଡାକ୍ତରଖାନାରେ ନିହାର ପାଦ ପକାଇ ନ ଥିଲେ ସେମାନେ ଅବା କାହିଁକି ଭେଟାଭେଟି ହୋଇଥାନ୍ତେ । ...କିଛି ନୁହେଁ ସେ ।

 

ସିଷ୍ଟରଙ୍କ କୋଠରୀ ଭିତରେ ଦେଇ ନିହାରବାଳା ୱାର୍ଡ଼ ଭିତରକୁ ପାଦ ପକାଇଲାବେଳେ ତା’ର ପାଦଟି ରହିଯାଇଥିଲା । ତେଇଶ ଆଉ ଚବିଶ ନମ୍ବର ରୋଗୀ ଦୁଇଟି ଅପଲକ ଆଖିରେ ତାକୁ ଚାହିଁଥିଲେ । ଗୋଟିଏ ଦିନରେ ଦୁଇଜଣଙ୍କର ପରିଚୟ ନିହାରବାଳା ଅର୍ଜନ କରିଛି । ସେ ଦୁଇଜଣଙ୍କର ଠିକଣା ଜାଣେ ନାହିଁ—ମଣିଷର ମଣିଷ ସାଙ୍ଗରେ ପରିଚୟ ।

 

ହାତରେ ଥର୍ମୋମିଟର ଇତ୍ୟାଦିର ଡାଲାଟି ଧରି ନିହାରବାଳା ତାହାର କାମ ଆରମ୍ଭ କରିଦେଲା । ଗୋଟିଏ ପରେ ଗୋଟିଏ ରୋଗୀ ପାଖରେ ଠିଆ ହୋଇ ନାଡ଼ି ଦେଖିବାକୁ, ନିଃଶ୍ୱାସ ଗଣିବାକୁ ଓ ଦେହର ଉତ୍ତାପ ମାପିବାକୁ ନିହାରବାଳା ପ୍ରତ୍ୟେକ ରୋଗୀ ପାଖରେ ଠିଆ ହେଲାବେଳେ ତା’ର ମନଟି ଉତ୍ସୁକ ଓ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଥାଏ ସେହି ତେଇଶ ନମ୍ବର ରୋଗୀଟିକୁ ।

 

ପ୍ରତ୍ୟେକ ଲୋକର ନାଡ଼ି ଓ ନିଃଶ୍ୱାସ ପରଖ କଲାବେଳେ ନିହାରବାଳାର ହୃତ୍‌ପିଣ୍ଡ ଚଞ୍ଚଳ ହୋଇ ଉଠୁଥାଏ । ସେ କେବେ ଏମିତି ନିଜର ଦୈନନ୍ଦିନ କାମ ରୂପେ ଅପର ପୁରୁଷଙ୍କ ହାତ ଧରି ତାଙ୍କର ନାଡ଼ିର ଗତି ଆଉ ନିଃଶ୍ୱାସ ପରିମାଣ ଗଣି ନ ଥିଲା....ଲୋକେ କହନ୍ତି ପର ଦେହରେ ଦେହ ବାଜିଲେ, ହାତଟି ହାତକୁ ଛୁଇଁଲେ ପରସ୍ପର ହୃଦୟ ବିନିମୟ ହୁଏ ।

 

ଏହି ଭଲ ପାଇବା, ଏଇ ହୃଦୟ ବିନିମୟର ଆଶଙ୍କା ଥିବାର ବୃତ୍ତକୁ ତରୁଣୀ ଓ ସୁନ୍ଦରୀ ନାରୀ ତା’ର ଜୀବିକା କରିବାକୁ ଆସି ପହଞ୍ଚିଛି ।

ରୋଗୀମାନଙ୍କୁ ସେ ଚାହିଁଥିଲା । ରୋଗରେ ପଡ଼ି, ରୋଗର ପ୍ରକାଶକୁ ଦେହରେ ଦେଖାଇ ସେମାନେ ତାଙ୍କର ଦେହରୁ ଭଲ ପାଇବାର ବିଜୁଳି ହରାଇଛନ୍ତି । ବୟସ ବେଶି ନୁହେଁ । ତା’ରି ୱାର୍ଡ଼ରେ ବୁଢ଼ାଠାରୁ ଯୁବକ ବେଶି । ଏ ପାଖ ସେ ପାଖ ଚାହିଁ ନିହାର ନିଜକୁ ନିଜେ ପଚାରିଥିଲା—ଗାଲି ଯୁବକମାନଙ୍କୁ ଏତେ ରୋଗ କ’ଣ ପାଇଁ ହେଉଛି ? କାହାରିକୁ ପଚାରିବାକୁ ସାହସ ହେଲା ନାହିଁ ।

ତା’ର ବା କ’ଣ ଯାଏ ଆସେ ? ରୋଗୀର ବୟସ ନେଇ ପଚାରିବା ଶିଷ୍ଟାଚାରବିରୁଦ୍ଧ । କିନ୍ତୁ ସମାଜର ଶିଷ୍ଟାଚାର ହୃଦୟର ପ୍ରଶ୍ନକୁ ଲିଭାଇ ଦେଇପାରେ ନାହିଁ । ନାଡ଼ିର ଗତି, ନିଃଶ୍ୱାସର ସଂଖ୍ୟା ଆଉ ଉତ୍ତାପର ମାସ ପ୍ରତ୍ୟେକ ରୋଗୀର କାଗଜ ଉପରେ ଆଙ୍କିଲାବେଳେ ନିହାରବାଳା ବହୁତ ବେଳ ଚାହିଁ ରହେ । ରୋଗୀର ନାଁ ଆଉ ବୟସ ଇଂରାଜୀରେ ଧୀରେ ଧୀରେ ପଢ଼ି ସ୍ମରଣ କରିବାକୁ ଚେଷ୍ଟା କରେ ।

କାମ ସଳଖ କରିବାକୁ ରୋଗୀଙ୍କୁ ନମ୍ବରଦ୍ୱାରା ଚିହ୍ନିବା ସହଜ । କୋଠାରୀ ଭିତରେ ଦୁଇଧାଡ଼ି ଖଟ । ପ୍ରତି ଧାଡ଼ିରେ ଆଠଟି କରି ଖଟିଆ । ଏଇ ଷୋଳ ଜଣ ତା’ର ଆଶ୍ରିତ । ନୂଆ ଜୀବନର ଆରମ୍ଭରେ ଏଇ ଷୋଳଟି ରୋଗୀଙ୍କର ପରିଚୟ ଓ ପରିଚର୍ଯ୍ୟା କରିବାକୁ ନିହାରବାଳାର ପ୍ରଥମ ଅଧ୍ୟାୟରେ ଆରମ୍ଭ ହୋଇଛି ।

ମନକୁ ମାନିଲା ପରି ଓ ମନକୁ ପାଇଲା ପରି ସେମାନେ ନୁହନ୍ତି । ଘଟଣାଚକ୍ରରେ କିଏ କେଉଁଠୁ ଆସି ଖାଲି ରହିଥିବା ଯୋଗୁଁ ନିହାରବାଳା ସଙ୍ଗରେ ପରିଚୟ କରିଥିଲେ ।

ସନ୍ତୁଷ୍ଟ ମନରେ ନିହାରବାଳା ଧୀରେ ଧୀରେ ଗୋଟିଏ ରୋଗୀ ପାଖରୁ ଆରଟି ପାଖକୁ ଯାଏ । ପ୍ରତ୍ୟେକଙ୍କର ମୁହଁକୁ ଚାହେଁ, ନାମକୁ ଦେଖେ । କିନ୍ତୁ ପ୍ରତ୍ୟେକର ମୁହଁ ନିହାରବାଳାକୁ ଭଲ ପାଇବା ଦେଖାଏ ନାହିଁ । କେତେ ଆଖି ଉଦାସ । କେତୋଟି ବି ନିର୍ଲିପ୍ତ । ପୁଣି ଏଠି ସେଠି ଗୋଟଏ ନିହାରକୁ କହିଦିଏ—ନିହାର ହେଉଛି ନାରୀ....ଯୁବତୀ ନାରୀ ।

ଅପରର ଆଖିରେ କାମନାର ବ୍ୟଗ୍ରତା ଦେଖି ତା’ରି ହାରଟିକୁ ହାତ ଭିତରେ ଧରି ତା’ର ମୁହଁଟିକୁ ଚାହିଁ ରହିବା କେଡ଼େ ମଧୁର ଓ କଷ୍ଟକର—ଅନୁଭବୀ ବିନା କେହି କହିପାରିବ ନାହିଁ ।

ସେଇ ରୋଗୀଗୁଡ଼ିକଙ୍କର ନାଡ଼ି ଦ୍ରୁତ ହୁଏ । ନିଃଶ୍ୱାସ ଖର ହୁଏ । ଆଉ ହୁଏତ ଦେହର ଉତ୍ତାପ ବଢ଼ିଯାଏ ।

ଯାହା ଯେତିକି ବୁଝିପାରିଲା ସେତକ ଏକାଠି କରି ରୋଗୀର ଟିକଟରେ ଲେଖିଲାବେଳେ ନିହାରବାଳା ଆପଣା ମନକୁ ପଚାରିଥିଲା—ରୋଗପାଇଁ ନୁହେଁ, ମନର ଚିକାର ପାଇଁ ଏଇ ରୋଗୀଟିର ସବୁ ଜିନିଷ ଯେ ଭୁଲ...କେମିତି ସେ ପଚାରିବ ଏଇ ରୋଗୀମାନଙ୍କର କଥା ।

 

ସିଷ୍ଟରଙ୍କ କୋଠରୀ ଆଡ଼େ ଚାହିଁଥିଲା । ନୂଆ ନର୍ସର ମନରେ ଏଇ ଯେଉଁ ଦ୍ୱନ୍ଦ୍ୱ ଆସିଛି, ତା’ର ଉତ୍ତର କେମିତି ମିଳିବ....ପଚାରିବାକୁ ସାହସ ହେଲା ନାହିଁ ।

 

ଜଣେ ପଚାରିଥିଲା—ଜର କେତେ ଉଠିଲା ?

ନିହାରବାଳାର ଗାଲ ଉପରେ ରକ୍ତିମ ଛଟା ଆଙ୍କି ହୋଇଯାଇଥିଲା । ସେ ଆଖି ଉଠାଇ ଚାହିଁଥିଲା ରୋଗୀଟିର ମୁହଁକୁ । ସେଇ କାମନାସିକ୍ତ ଆଖି ଦୁଇଟି ଜାଣିବାକୁ ଚାହୁଁଥିଲେ ନିହାରବାଳାର ଉତ୍ତର....ନିହାରର ନିଃଶ୍ୱାସ ରୁଦ୍ଧ ହେବାର ଉପକ୍ରମ କରୁଥିଲା । ସେ ଡାଲାଟି ଧରି ଘୁଞ୍ଚିଗଲା ଆଗକୁ ।

ଏମିତି ଯଦି ସକାଳୁ ଅନ୍ୟର ଭଲ ପାଇବା ଭିତରେ ଦିନଟା ଆରମ୍ଭ କରିବାକୁ ହୁଏ, ତେବେ ତ ଜୀବନାଟା ନିଶ୍ଚୟ ଯନ୍ତ୍ରଣାଦାୟକ ହେବ—ପୁଣି ସେମିତି ସଂଧ୍ୟାବେଳେ ନିହାରବାଳାର ଉପସ୍ଥିତ ସମସ୍ତଙ୍କର ମନରେ ନ ହେଲେ ବି କେତେକଙ୍କ ମନରେ ଏଇ ଯେଉଁ ପ୍ରୀତିର ତରଙ୍ଗ ଉଠାଇବ, ସେଥିରେ ନିହାରବାଳା ନର୍ସ କିପରି ଭାବରେ ଦାୟୀ ! ତା’ର ଇଚ୍ଛା ହେଉଥିଲା...ସେ ହେଲେ ଅସୁନ୍ଦର ହୋଇଥାନ୍ତା ! ତାକୁ ଦେଖି କାହାରି ମନରେ କାହାରି ମନରେ କାମନାର ଦୀପ ଜଳନ୍ତା ନାହିଁ । ତେବେ ସିନା ନିହାରବାଳା ରୋଗୀକୁ ରୋଗୀ ଭାବରେ ଦେଖି ତାହାର ସେବାଯତ୍ନ କରିପାରନ୍ତା ।

ଏମିତି ବିଭିନ୍ନ ପ୍ରକାରର ନୂଆ ଭାବନାର ବୋଝ ବୋହି ନିହାରବାଳା ତେଇଶ ନମ୍ବର ବିଛଣା ପାଖରେ ଆସି ପହଞ୍ଚିଲା । ରୋଗୀଟିର ଆଖିରେ କାମନା ନାହିଁ—କାକୁତି । ଚାଲିଯିବ ବୋଲି ସେ ବିବ୍ରତ । ନିହାରବାଳା ଆସି ତା’ର ହାତଟିକୁ ଧରିବାକୁ ହାତ ବଢ଼ାଇଲାବେଳେ ସେ ପଚାରିଲା—କିଛି ବୁଝିଲେ ମୋ କଥା ?

—ନାହିଁ । କେହି ତ କିଛି କହୁ ନାହାନ୍ତି ଆପଣଙ୍କ ପିତା ବିଷୟରେ । ଆପଣ ଯଦି ଭଲ ହୋଇ ନାହାନ୍ତି ତେବେ ଆପଣଙ୍କୁ କିଏ କାହିଁକି ଏଠୁ ବିଦାୟ କରିବ ?

—ମୁଁ ଶୁଣିଥିଲି, ଏଇ ୱାର୍ଡ଼ରେ ଦି’ଟା ଗୋଟାଏ ଜାଗା ଖାଲି ହେବ । ସେଥିରୁ ଗୋଟିଏ ମୋର । ସିଭିଲ ସର୍ଜନଙ୍କ ସୁପାରିସ୍‍ ନେଇ ରୋଗୀ ଆସୁଛନ୍ତି । ଆପଣ ଟିକିଏ ତାଙ୍କୁ କହିଲେ ନାହିଁ ?

ନିହାରବାଳାର ମନେ ପଡ଼ିଲା...ପ୍ରାର୍ଥିନୀମାନଙ୍କ ସାକ୍ଷାତ୍‌କାର ଦିନ ବିଷୟରେ । ନିହାର ଦେଇଥିବା ଉତ୍ତର ଆସି ରୋଗୀଟିର କାନରେ ପହଞ୍ଚିଛି । ସେ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲା ସେହି ରୋଗୀଟିକୁ । ଧୀରେ କହିଲା—ମୁଁ କହିଲେ କେମିତି ହେବ ? ସେ କ’ଣ ମୋ କଥା ଶୁଣିବେ ?

—ମୁଁ ଜାଣେ ସବୁ କଥା । ଆପଣ କହିଥିଲେ ନିଶ୍ଚୟ ହୁଅନ୍ତା । ଅନ୍ୟର ସୁବିଧାପାଇଁ ଆପଣ ନିଜର ମାନ ଅପମାନକୁ ଏତେ ବଡ଼ ସ୍ଥାନ ଦେବେ ବୋଲି ମୁଁ ଭାବି ନ ଥିଲି ।

ରୋଗୀଟି ନିହାରକୁ ଅନ୍ୟମନସ୍କ କରିଦେଉଛି । ସିଷ୍ଟର କେଉଁଠି ଚାହିଁଦେଲେ ପୁଣି ଆସି ବିରକ୍ତ ହେବେ । ପାଖରେ ଚବିଶ ନମ୍ବର ରୋଗୀଟି ଗମ୍ଭୀର ହୋଇ ବିଛଣାରେ ଶୋଇଛନ୍ତି । ସେ ଯେପରି ଶୁଣୁନାହାନ୍ତି କିଛି...ସେଇ ନିଶ୍ଚୟ ଏଇ ଲୋକଟିକୁ ନିହାର ବିଷୟରେ କହିଛନ୍ତି । ସେ ସବୁ ଖବର ରଖିଛନ୍ତି ।

ନିହାର କଣେଇଁ ଚାହିଁଲା । ତା’ପରେ ସାଧାରଣ ଭାବରେ କାହିଲା—ମୁଁ ନୂଆ ଲୋକ । କାହାରିକୁ ମୁଁ ଚିହ୍ନେ ନାହିଁ । କେହି ମୋ ନାଁରେ କୁତ୍ସା ପ୍ରଚାର କରିବାକୁ ଆପଣଙ୍କୁ କହିଥିବ । ଆପଣ କରନ୍ତି କ’ଣ ?

 

—ଏଇ ଚାକିରି କରେ । ପିଲାମାନଙ୍କୁ ଖବର ଦେଇନାହିଁ । ଏତେ ମେସକୁ ଫେରିଲେ କିଛି ସୁବିଧା ହେବ ନାହିଁ । ସଂମ୍ପୂର୍ଣ୍ଣ ଭାବରେ ଭଲ ନ ହୋଇ ଘରକୁ ଫେରିବା ଉଚିତ ନୁହେଁ ।

 

ଲୋକଟି ତରୁଣ । ତରୁଣ ହୋଇଥିବାରୁ ସେ ପ୍ରତ୍ୟେକ ବିଷୟକୁ ଅଧିକ ଗୁରୁତ୍ୱ ଦେଇ ଭାବୁଛି । ସାଧାରଣ ବିଷୟକୁ ସେ ଖାଲି ନିଜର ଭାବପ୍ରବଣତାରେ ଗୋଟାଏ ସମସ୍ୟା ବୋଲି ମନେ କରି ସେଥିରେ ବ୍ୟସ୍ତ ବିବ୍ରତ ହେବାକୁ ଚେଷ୍ଟା କରୁଛି ।

 

ତାହାର ହାତଟିକୁ ନିଜ ହାତରେ ଧରି ନିହାରବାଳା ଚାହିଁରହିଲା ତଳକୁ । ସେ ଥିର ହୋଇ ପଡ଼ିଥାଏ । ନିହାରର ମନ ଭିତରେ ବହୁତ ବିଷୟ ବୁଝିବାର ଇଚ୍ଛା ଘୂରି ବୁଲୁଥିଲା...ସେଇ ଜଣେ ରୋଗୀ । ସେଇ ତାକୁ ପ୍ରାଧାନ୍ୟ ଦେଇଛି । ନିହାର ବିଷୟରେ ନୀଚ ଧାରଣା ନ ଆଣି ନିହାରକୁ ନିଜଠାରୁ ବଡ଼ ବୋଲି ବ୍ୟବହାରରେ ଦେଖାଇଛି ।

 

ନିହାରବାଳା ରୋଗୀଟିର ଅଚିହ୍ନା ମୁହଁଟିକୁ ଚିହ୍ନିବାକୁ ଚେଷ୍ଟା କରୁଥିଲା । ତା’ର ଆଖିରେ ଥିଲା ମିନତି । କିନ୍ତୁ ସେଥିରେ ପ୍ରୀତି ନ ଥିଲା । ସେ ନିହାର ଠାରୁ କାମ ନେବାକୁ ଚାହୁଁଥିଲା । ତା’ର କଥାରେ ସରଳତା ନ ଥିଲା ।

 

ତା’ର ପରିଚୟ ଜାଣିବାକୁ ନିହାରବାଳା ଟିକଟ ଉପରେ ଆଖି ପକାଇଲା । ପ୍ରକୃତରେ ସେ ଭଲ ହୋଇଗଲାଣି । ନାଡ଼ିର ଗତି ଧୀର । ଦେହରେ ଉତ୍ତାପ ନାହଁ । ନିଃଶ୍ୱାସରେ କ୍ଷିପ୍ରତା ନାହିଁ । ସେ ମନକୁ ମନ କହିଥିଲା—ବୋଧହୁଏ ଯିବ...ସଦାନନ୍ଦ ଦାଶ । ଲେଖିବା କାମ ସାରିଦେଇ ନିହାରବାଳା ସଦାନନ୍ଦ ବାବୁଙ୍କୁ ଚାହିଁ କହିଲା—ଆପଣଙ୍କର ଭାରି ଦୟା । ଅତି ଅକିଞ୍ଚନ ଲୋକକୁ ଆପଣ ବଡ଼ ବୋଲି କହିପାରନ୍ତି...କହି ଘୁଞ୍ଚିଗଲା ଚବିଶ ନମ୍ୱର ରୋଗୀ ପାଖକୁ-

 

ସେଠି ଛିଡ଼ା ହୋଇ ରହିଲା । ସେ ଆଖି ବନ୍ଦ କରି ଶୋଇବାର ଛଳନା କରିଥିଲେ । ଏହି ଲୋକ ସମସ୍ତ ପ୍ରଚାରର କେନ୍ଦ୍ର । ବୟସ୍କ ନୁହେଁ, ତରୁଣ ନୁହେଁ, ପ୍ରୌଢ଼ । ସଂସାରୀ ଲୋକ ପରି ଦିଶୁଛି । ସେ ଚାହାନ୍ତି ଯେ ନିହାରବାଳା ତାଙ୍କୁ ନିଦରୁ ଉଠାଇ ତାଙ୍କର ଖବର ବୁଝିବ ।

 

ଆଶା ଓ ଗୀତାଙ୍କର କଥା ନିହାରର ମନେ ପଡ଼ିଲା । ସେହିମାନେ କହିଥିଲେ ଯେ ରୋଗୀମାନେ ବଡ଼ ଅଦ୍ଭୁତ...ଏଇ ଚବିଶ ନମ୍ୱର ରୋଗୀ ତାଙ୍କରି ପରି ଜଣେ ।

 

ଟିକିଏ ହଲଚଲ ହୋଇ ନିହାରବାଳା ରୋଗୀର ଦୃଷ୍ଟି ଅକର୍ଷଣ କରିବାକୁ ଚେଷ୍ଟା କଲା-। ଭାବିଲା ଯେ ତାଙ୍କ ନିଦ ଭଙ୍ଗାଇବ । ପୁଣି କ’ଣ ଭାବି ସେ କିଛି ନ ଦେଖି ଆଗ ଦିନର ହିସାବ ଅନୁସାରେ ରୋଗୀଟିର ଟିକଟ ପୂରଣ କରିଦେଇ ସେଠୁ ଧୀରେ ଘୁଞ୍ଚିଗଲା...ଶୋଇଥିବା ଲୋକେ ଶୋଇଥାନ୍ତୁ ।

 

ସେ ଚାଲିଯିବାର ଟିକକ ପରେ ଭଦ୍ରଲୋକଟି ଆଖି ମେଲିଲେ । ସଦାନନ୍ଦ କହିଲେ—ଆପଣଙ୍କର ଆଜି ଜର ଦେଖା ହେଲା ନାହିଁ । ଆପଣ ଶୋଇଥିଲେ ବୋଲି ସେ ସେମିତି ଲେଖି ଦେଇ ଚାଲିଗଲେ ।

 

—ଭାରି ବିଷମ ଲୋକ ତ । ଦୃଷ୍ଟ ବଦ୍‌ମାସ୍‌ କହିଲେ ଭୁଲ କ’ଣ ହେବ ? ଏମିତି କ’ଣ ରୋଗୀର ସେବା କରାଯାଏ ? କହୁଥିଲି ପରା ଏଇ ନିହାରବାଳା ଭାରି ଖରାପ ।

ସଦାନନ୍ଦ ଚାହିଁରହିଲା... ହସି ସେ କହିଲେ—ମୁଁ ତ ରହୁଛି ଦିନାକେତେ । ୟାକୁ ସାଧ୍ୟ କଲେ ଯାଇ ହସ୍‌ପିଟାଲ ଛାଡ଼ିବି । ୟେ ଏମିତି ମୋ ସାଙ୍ଗରେ ଖେଳିବା ଆରମ୍ଭ କରିଛି ।

—ଆପଣ ଶୋଇପଡ଼ିଲେ ପରା ।

—ଶୋଇଲେ କ’ଣ ହେଲା ? ମୋତେ ଚିହ୍ନିଛି ବୋଲି କ’ଣ ନିହାରବାଳା ମୋରି କାମରେ ହେଳା କରିବ ଆପଣମାନଙ୍କର ସରଳ ମୁହଁ ଦେଖି ସେ ଛଟକ କାଢ଼ୁଛି । ନିହାରକୁ ଶାସନ ନ କଲେ ସେ ଉତ୍ପାତ କରିବ...ଆସୁ ସେ ।

ଓ୍ୱାର୍ଡ଼ରୁ ଫେରିଯାଇ ନିହାରବାଳା ମନ ଭିତରେ ଥରୁଥିଲା । ସେହି ଚବିଶ ନମ୍ୱର ରୋଗୀଟି ଗୋଟାଏ ବିପଦ । ଗୋଳମାଳିଆ ଲୋକଟାଏ ପରି ଜଣାପଡ଼ୁଛି ।

କାଳେ ସେ ସିଷ୍ଟରକୁ କହିବ, ଡାକ୍ତରଙ୍କୁ ଜଣାଇବ...ତା’ର ଦେହ ଖରାପ ଥାଇପାରେ । ଏମିତିଭାବରେ ଟିକଟ ପୂରଣ କରିବା ଠିକ୍‌ ହେଲା ନାହିଁ ।

କରିଦେଇଛି ତ, ଏବେ ଆଉ ଉପାୟ କ’ଣ ! ତେବେ ବି କଥାଟା ନିହାରବାଳା ମନ ଭିତରେ ଗୋଳମାଳ ସୃଷ୍ଟି କରୁଥିଲା ।

ଓଃ, ଡାକ୍ତରଖାନାକୁ ଏତେ ପ୍ରକାରର ମଣିଷ ଆସନ୍ତି । ଭଲ, ଖରାପ, ଥଣ୍ଡା ଓ ଉଷୁମ...ସେ ଆସି ଦୁଆର ପାଖରେ ସବୁ ରୋଗୀଙ୍କୁ ଛାଡ଼ିଦେଇ କଣପଟର ସେ ରୋଗୀଟିକୁ ଚାହିଁଲା । ବିଛଣା ଉପରେ ବସି ସେ ବୁଝାଉଛନ୍ତି ସଦାନନ୍ଦବାବୁଙ୍କୁ ।

ନ ଗଲେ ନ ଚଳେ । ଏଇ କଟାଳିଆ ରୋଗୀଗୁଡ଼ିକ ମୋଟେ ସୁବିଧା ନୁହନ୍ତି । ଏମାନଙ୍କର ସବୁ ପ୍ରୟୋଜନ । ଆଉ ଯେତେ ହେଲେ ବି ୟାଙ୍କର ସନ୍ତୋଷ ନାହିଁ । ଲୋକଟି ସାଙ୍ଗରେ ରଫା ନ କଲେ ସେ ବିଷମ ଅବସ୍ଥା ସୃଷ୍ଟି କରିପାରେ ।

ରୋଗୀଟିର ଗମ୍ଭୀର ମୁହଁକୁ ଭୟ ନ କରି, ମୁହଁରେ ତରଳ ହସ ଖେଳାଇ ନିହାରବାଳା ଧୀରେ ଧୀରେ ଆଗେଇଗଲା । ଲୋକଟିର ମୁହଁରେ କ୍ରୋଧ ଓ ଅଭିମାନ ବିଞ୍ଚି ହୋଇ ପଡ଼ିଛି । ନିହାରବାଳା ଯାଇ ତା’ର ଖଟିଆ ପାଖରେ ଠିଆ ହେଲା । ସେ ପଚାରିଲେ ସଂକ୍ଷିପ୍ତରେ—କ’ଣ ?

—ମୁଁ ଗୋଟିଏ ଭୁଲ କରିଛି ।

ରାଗର ଲହର ଦେଇ ସେ କହିଲେ—କେବେ ଠିକ୍‌ କରିଥିଲେ ଯେ ଆଜି ଭୁଲ୍‌ ହୋଇଗଲା !

ବିଷଣ୍ଣ ହସ ହସି ନିହାରବାଳା କହିଲା—ଆପଣ ଶୋଇଥିଲେ । ଶୋଇବା ଲୋକକୁ ଉଠାନ୍ତି ନାହିଁ...ନିଜ ଲୋକ କେହି ଉଠାଇଲେ ଅବା ଉଠାଇପାରେ...କହି ନିହାରବାଳା ତଳକୁ ମୁହଁ ପୋତିଲା ।

ସେଇ କଥା କେଇପଦ ଭିତରେ ଥିଲା ବହୁତ କଥାର ସଂକ୍ଷିପ୍ତ ପରିଚୟ । ସେହି ସ୍ୱରର ଝଙ୍କାରରେ ଥିଲା ମନର ଅଭିମାନ ଆକୁଳତା ଓ କ୍ଷମାପ୍ରାର୍ଥନା ।

Unknown

 

ଖାଇବା ଜିନିଷର ମିଠାପରି, ଭଲ ଜିନିଷ ଶୁଣିବାର ଶେଷ ମଧୁରତା ପରି ସେହି ରୋଗୀଟିର ଆଖି ଆଗରେ ନିହାରବାଳାର ସେହି ଲାଜରା ମୁହଁ ଗୋଟିଏ ସୁନ୍ଦର ଦୃଶ୍ୟର ଅସରନ୍ତି ଆନନ୍ଦ ଖେଳାଇ ସେଇଠି ଗୋଡ଼ ପାଖକୁ ଠିଆ ହୋଇଥିଲା । ମନ ଭିତରୁ ସମସ୍ତ କ୍ରୋଧର କଳୁଷ ପୋଛି ହୋଇଗଲା । ସେ ଚାହିଁ ରହିଲେ ନିହାର ମୁହଁକୁ । ନିହାର ତଳକୁ ମୁହଁ ପୋତିଥାଏ ।

 

ତାଙ୍କର ଇଚ୍ଛା ହେଉଥିଲା ଦୁଇ ହାତରେ ନିହାରର ମୁହଁକୁ ସଳଖେଇ ତାକୁ ପଚାରିଥାନ୍ତେ । ହାତ ଦୁଇଟି ପଛଘୁଞ୍ଚା ଦେଇଥିଲେ । ସେଇ ଓ୍ୱାର୍ଡ଼ର ରୋଗୀଙ୍କ ମେଳରେ, ସ୍ପଷ୍ଟ ଆଲୁଅରେ ନିହାରବାଳାର ମାନଭଞ୍ଜନ କରିପାରିଲେ ନାହିଁ । ନିଜର ଅସାମର୍ଥ ତାଙ୍କରି ପାଖକୁ ଲେଉଟି ଆସିଲା । ନିହାରବାଳାର ତୁଣ୍ଡରେ ଆଉ କୌଣସି କଥା ନାହିଁ । ସେ ଚାହିଁରହିଥାଏ ତେଇଶ ନମ୍ୱର ରୋଗୀ ଆଡ଼କୁ—ତା’ର ବି ସେଇ ଅପଲକ ଚାହାଣୀ । ନିହାରବାଳା ପ୍ରଭୁ ନୁହେଁ–ସେବିକା ।

 

—ମୋର ତ ଭୁଲ୍‌ ହୋଇଥିଲା । ମୁଁ ଶୋଇପଡ଼ିଲି । ସେଥିରେ ଦୋଷ କ’ଣ ହେଲା ଯେ । ଡାକ୍ତରଖାନାରେ ବି ସକାଳେ ଶୋଇବା ଠିକ୍‌ ନୁହେଁ...ପୋଷାକ କ’ଣ ମିଳିନାହିଁ କି ?

 

—ହଁ, ମିଳିଛି ଯେ, ପିନ୍ଧିଲେ ଭାରି ଖରାପ ଦିଶୁଛି । ସିଷ୍ଟର ଗାଳି ଦେଇଛନ୍ତି ଆଜି । ଉପର ଓଳିଠାରୁ ପିନ୍ଧିବି...ଖୁବ୍‌ ଡେରି ହେଲେ କାଲି ସକାଳଯାଏ ।

 

—ଡାକ୍ତରଖାନା ପୋଷାକରେ ଖରାପ କ’ଣ ? ସେ ବି ତ ବେଶ୍‌ ଭଲ ଦିଶେ ।

 

ଅଭିମାନ କରି ନିହାରବାଳା ପଚାରିଲା—ଭଲ ଦିଶେ ?...ଆମେ ତ ପିନ୍ଧି ଆରଶିରେ ଦେଖିଲୁ ଯେ କେମିତି ଗୋଟାଏ ଦିଶୁଛି ।

 

—ନାହିଁ, ଭଲ ଦିଶିବ । ପିନ୍ଧି କରି ଆସ, ଦେଖିବା । ତମେ ଏକାବେଳକେ ନୂଆ, ନା ! ଆଉ କ’ଣ ଯିବ ନାହିଁ ଘରକୁ ?

 

—ଘର କାହିଁ ? ଘର ହେଲେ ସିନା ଯିବି...କହି ନିହାରବାଳା ତାଙ୍କର ମୁହଁ ଉପରେ ଆଖି ବୁଲାଇ ଆଣି ତ୍ରସ୍ତ ସ୍ୱରରେ କହିଲା—ସିଷ୍ଟର ଗାଳି ଦେବେ ।

 

—ସାହସ କର । ସିଷ୍ଟର ନ ରହିବା କଥା ତ ନାହିଁ । ସେ ସବୁବେଳେ ଥିବେ...ଆସିବ-। କଥା ହେବା । ମୁଁ ତମର ନିଜର ଲୋକ ।

 

ଆଖି ଟେକି ନିହାରବାଳା ଚାହିଁଲା ସେହି ରୋଗୀଟି ଆଡ଼େ ।

 

—ଚିହ୍ନିବ କାହିଁକି ? ମୋତେ ତୁମେ ଦେଖିନାହଁ ଦିଗମ୍ୱରବାବୁ କବିରାଜଙ୍କ ଦୋକାନରେ ? ତାଙ୍କ ପାଖକୁ ମୁଁ ସବୁବେଳେ ଯାଏ ।

 

ନିହାରବାଳା ବୁଝିପାରିଲା ନାହିଁ । ସେ ତ ମାତ୍ର କେଇଦିନ ହେଲା ଦିଗମ୍ୱରବାବୁଙ୍କ ବସାକୁ ଆସିଥିଲା । ଇଏ ତ ଆସି ଡାକ୍ତରଖାନାରେ ରହିଛନ୍ତି । ଦେଖିଲେ କେମିତି !

 

—ଦିଗମ୍ୱରବାବୁ ମୋର ବନ୍ଧୁ । ସେଇ ମୋତେ କହୁଥିଲେ ତୁମ କଥା । ତୁମର ଆସିବାର କଥା ଥିଲା । ସେଠି ଅସୁବିଧା ହୋଇଥିଲେ ତୁମେ ମୋରି ଘରେ ରହିଥା’ନ୍ତ ।

 

ନିହାରବାଳା ଚାହିଁ ରହିଲା ତାଙ୍କର ମୁହଁକୁ । ନିହାର ତେବେ ଆସି ଏମିତି ସମସ୍ତଙ୍କର ଓଳି ତଳେ ଓଳିଏ ଓଳିଏ ରହିବ ବୋଲି ଅତି ଉପକାରୀ ଦିଗମ୍ୱରବାବୁ ବ୍ୟବସ୍ଥା କରିଥିଲେ...ଏ ବି ହୋଇଥାନ୍ତେ ଜଣେ ଆଶ୍ରୟଦାତା।

 

ଅତି ଅନୁତପ୍ତ ପରି ଚବିଶ ନମ୍ୱର ରୋଗୀଟି କହିଲେ—ମୋର ବଡ଼ ଦୁର୍ଭାଗ୍ୟ ଯେ ତୁମେ ଆସିଲାବେଳକୁ ମୁଁ ଏଠି ଡାକ୍ତରଖାନାରେ ରୋଗୀ । ଏବେ ଅଛ କୋଉଠି ?

 

ତାଙ୍କର ମୁହଁ ଉପରେ ଆଙ୍କି ହୋଇଯାଇଥିବା ବିଦ୍ରୂପର ରେଖାଗୁଡ଼ିକୁ ଚାହିଁ ନିହାରବାଳା କହିଲା—କାହିଁକି, ଆମର ହଷ୍ଟେଲ ଅଛି ।

 

—ବଡ଼ ଅସୁବିଧା ହେଉଥିବ ?

 

ନିହାରବାଳା ଚାହିଁ ରହିଲା ତାଙ୍କର ମୁହଁକୁ । ସେଇ ମୁହଁ, ଆଖି, ଓଠ କହିବାକୁ ଚାହୁଛି ଯେ ନାରୀର ଗୋଟିଏ କାମନା ଗୋଟିଏ ଲକ୍ଷ୍ୟ ହେଉଛି ପୁରୁଷର ପ୍ରୀତି—ପ୍ରେମ ତ ନୁହେଁ ଲାଳସା ।

 

ଗଭୀର ଅଭିମାନରେ ନିହାରବାଳା କହିଲା—ଅସୁବିଧା ହେଉନାହିଁ । ସବୁବେଳେ ସବୁ ସୁବିଧା ମିଳେ ନାହିଁ । ଛାର ନର୍ସ ଗୋଟିଏ କେତେ ଅବା ସୁବିଧା ପାଇବ ?

 

ନିହାର ଧୀରେ ଧୀରେ ଫେରିଗଲା । ଆଉ ଯେମିତି ତା’ର ଶୁଣିବାର କିଛି ନାହିଁ । ତା’ର ମଧ୍ୟ କହିବାର କିଛି ବିଷୟ ନାହିଁ ।

 

ତା’ର ମନ ଭିତରେ ବାରମ୍ୱାର ସେହି ଚବିଶ ନମ୍ୱର ରୋଗୀଟି ଆସି ତା’ର ପରିଚିତ ଲୋକ ରୂପେ, ଦିଗମ୍ୱର କବିରାଜଙ୍କର ଅନ୍ତରଙ୍ଗ ବନ୍ଧୁ ରୂପେ, ନିହାରବାଳାର ବନ୍ଧୁତା-ପ୍ରୟାସୀ ଆବେଦନକାରୀ ରୂପେ ଦେଖା ଦେଇଥିଲେ । ପରିଚୟର ବ୍ୟବଧାନ ହେଉଛି ଦେହର ବ୍ୟବଧାନ...ନିହାରକୁ ପାଇଥାନ୍ତେ, ପାଇପାରି ନାହାନ୍ତି ।

 

ଘୃଣ୍ୟ ଜୀବନ ନିହାରକୁ ଦୁର୍ବହ ଲାଗିଥିଲା । ଆଶ୍ରୟହୀନା ହୋଇ ସେ ଆଶ୍ରୟ ପାଇବା ପୂର୍ବରୁ ସମସ୍ତଙ୍କର କାମନାର ସରଞ୍ଜାମ । ସମସ୍ତେ ଯେପରି ନିହାରବାଳାର ଯୌବନ ଉପରେ ତାଙ୍କର କାମନା-ବିହୁଳ ସ୍ୱପ୍ନ ଆଣି ଠିଆ କରିଛନ୍ତି...ଇଏ ବି ସେଥିଭିତରୁ ଜଣେ...କିଏ ସେ ? ଡାକ୍ତରଖାନାରେ ନିହାର ଯାହା ଭାବିଥିଲା ଯେ ତାକୁ କେହି ଚିହ୍ନିନ୍ତି ନାହିଁ । ସେ ଯେପରି ଇଚ୍ଛା ସେପରି ଚଳିପାରିବ । ତା’ର ସ୍ୱାଧୀନତାରେ କେହି ହସ୍ତକ୍ଷେପ କରିପାରିବ ନାହିଁ...ସବୁ ଗୁଡ଼ାକ ଯେମିତି ଖାଲି ତା’ର...କିନ୍ତୁ ଏ କ’ଣ ତାକୁ ଭଲ କରି ଚିହ୍ନିଥିବା ଲୋକ ? ତାଙ୍କର ପରିଚୟର ଶୃଙ୍ଖଳରେ ତା’ର ଛୋଟିଆ ସ୍ୱାଧୀନତାକୁ ବାନ୍ଧି ଦେବାକୁ ଚାହୁଛନ୍ତି ?

 

ମୁକ୍ତି ନାହିଁ । ପରିଚିତ ଲୋକ ନ ଥିଲେ ଅବା ମୁକ୍ତି ମିଳନ୍ତା । ଡାକ୍ତରଖାନାରେ ଗୋଡ଼ ଦେଉ ନ ଦେଉଣୁ ଏଇ ଲୋକଟି ଆସି ହୋଇ ନ ଥିବା ପରିଚୟର ବିନିମୟରେ ଅଧିକାର ଦେଖାଉଛି...ନିହାରବାଳା ସମସ୍ତଙ୍କର ।

 

ସତରେ ଜୀବନ ଭାରି ଘୃଣ୍ୟ ! ବୃଥାଟାରେ ସେ ସ୍ୱାଧୀନତା ଖୋଜି ଖୋଜି ଡାକ୍ତରଖାନା ନର୍ସ ହୋଇଛି । କିନ୍ତୁ ସ୍ୱାଧୀନତା କାହିଁ ? ଇଏ ରୋଗୀ ହୋଇ ନ ଥିଲେ ଆଗରୁ ପରିଚୟ ହୋଇଥାନ୍ତା । ରୋଗୀ ହୋଇଥିବାରୁ ଆଜି ପରିଚୟ ହେଲା ।

 

ଏଇ ତେବେ ନିହାରବାଳାର ଶେଷ ପରିଚୟ ! ଜଣକର ଆଶ୍ରୟ ଛାଡ଼ି ସେ ଆଜି ସମସ୍ତଙ୍କର ଆଶ୍ରିତ । ଡାକ୍ତରଖାନାର ରୋଗୀ ନିହାରବାଳାଠାରୁ ଅନେକ ମୂଲ୍ୟବାନ୍‌ ।

 

ନିହାରବାଳା ଚାଲିଗଲା ପରେ କହିପାରି ନ ଥିବା କଥାଗୁଡ଼ାକର ବୋଝ ସେ ପାଖ ରୋଗୀଟିକୁ କହୁଥିଲେ—ତା’ ନାଁ ହେଉଛି ନିହାର । ତା’ର ସ୍ୱାମୀ ଅତି ଦୁଷ୍ଟ ଓ କୁତ୍ସିତ ଲୋକ । ସେ ବିନା କାରଣରେ ନିହାରବାଳାକୁ ଛାଡ଼ି ଦେଇଛି ।

 

—ସତେ ? ଏଡ଼େ ଖରାପ ଲୋକଟାଏ ! ଇଏ ତ ଭାରି ଭଲ ।

 

—ଭଲ ଲୋକ ତ ସମସ୍ତଙ୍କର ଶତ୍ରୁ । ଯିଏ କୌଣସି କଥାରେ ପ୍ରତିବାଦ କରେ ନାହିଁ ତା’ର ସବୁଯାକ ଦୋଷ । ପୁଅ କଥାରେ ବାପ ମା ଆଉ କୁଟୁମ୍ୱଯାକର ସମସ୍ତେ । ବିଚାରୀ ଏକୁଟିଆ ହୋଇଯାଇଛି ।

 

ସଦାନନ୍ଦ ଚାହିଁ ରହିଲା ପାଖ ରୋଗୀଟିର ମୁହଁକୁ । ସେଇ ଲୋକଟି ଗୋଟିଏ ସର୍ବତ୍ତ୍ୱ । ଏତେ କଥା ଜାଣନ୍ତି ସେ ! ଭାରି ଉତ୍ସାହରେ ପଚାରିଲା—ଆପଣ କ’ଣ ଆଗରୁ ଜାଣି ନ ଥିଲେ ସେ ଡାକ୍ତରଖାନାକୁ ଆସୁଛନ୍ତି ବୋଲି ?

 

—ନା ଦିଗମ୍ୱର ମୋତେ ସିନା ଖବର ଦେଇଥାଆନ୍ତା । କାଲି ସେ ଗଲାପରେ ମୁଁ ଜାଣିଲି ।

 

ଦିଗମ୍ୱର ତାଙ୍କର କ’ଣ ହୁଅନ୍ତି ?

 

—କିଛି ନୁହେଁ । ନିଜର ଲୋକ ଯେତେବେଳେ କିଛି ନ ହୁଅନ୍ତି, କିଛି ନ ହେଉଥିବା ଲୋକ ସେତିକିବେଳେ ନିଜର ହୋଇ ଠିଆ ହୁଅନ୍ତି । ଦିଗମ୍ୱର ନ ଥିଲେ ଇୟାର ବହୁତ ଅସୁବିଧା ହୋଇଥାଆନ୍ତା ।

 

ହସ୍‌ପିଟାଲର ଡାକ୍ତରମାନେ ଧାଡ଼ି ଲଗାଇଲେଣି । ଏଣିକି ସମସ୍ତେ ନିୟମ ଶୃଙ୍ଖଳା ମାନିବେ । କେହି କାହାରି ବିଛଣାକୁ ଯିବେ ନାହିଁ । ସମସ୍ତେ ନିଜ ନିଜର ବିଛଣାରେ ରହିବେ ।

 

ନିହାରବାଳା ବଡ଼ ଅସୁବିଧାରେ ପଡ଼ିଥିଲା । ଆଚ୍ଛା ଗୋଟାଏ ଓ୍ୱାର୍ଡ଼ ତା’ ଭାଗ୍ୟରେ ପଡ଼ିଲା ଯେ ଓ୍ୱାର୍ଡ଼ ଭିତରକୁ ଯିବାର ଚାଟ ବନ୍ଦ । ଗୋଟାଏ ରୋଗୀ ମନକୁ ଟାଣୁଛି । ଆଉ ଜଣେ ସେମିତି ଡରାଉଛି । ଜଣେ ଭାବୁଥିଲା, ନିହାର ତା’ର ଉପକାର କରିପାରିବ । ଆଉ ଜଣେ କହୁଥିଲା, ସେ ନିହାରବାଳାର ଉପକାରୀ ଲୋକ । ଜଣେ ବନ୍ଧୁ ଜନ—ଆଉ ଜଣେ ଗୁରୁଜନ ।

 

କାମ ଶିଖିଲାବେଳେ ଭୁଲ୍‌ଭଟକା ଦେଖିବାକୁ ନିଜର ଲୋକ ଯେବେ କେହି ନ ଥାନ୍ତେ, ସେତକ ବି ହେଲା ନାହିଁ । ନିହାରବାଳାକୁ ଶାସ୍ତି ଦେବାକୁ ସତେ ଯେପରି ସେମାନେ ଜଗୁଆଳି ହୋଇ ପହଞ୍ଚିଛନ୍ତି ।

 

ଡାକ୍ତରମାନେ ଆସିଲା ପରେ ନର୍ସମାନେ କାମ ଦେଖାଇବାକୁ ବାଧ୍ୟ । ପ୍ରତ୍ୟେକ କାମରେ ଠକିବାର ପ୍ରବୃତ୍ତି ଥାଏ । କିନ୍ତୁ ରୋଗୀଙ୍କର ସେବାପାଇଁ ଯେତିକି ଆୟୋଜନ ହୋଇଛି, ସେତକ ତ ପୁଣି ହେବା ଦରକାର ! କାମ ଜାଣି ନ ଥିବାରୁ ସହଜ କାମ ବୋଲି ସବୁ ଛୋଟ କାମ ନିହାରବାଳାର କାମ ତାଲିକାରେ ରଖାହୋଇଛି । ବାରମ୍ୱାର ଆସି ପ୍ରତ୍ୟେକ ରୋଗୀର ସୁବିଧା ଅସୁବିଧା ବୁଝିବା ଦରକାର ।

 

ଡାକ୍ତରଙ୍କ ଭିତରେ ନ ହେଲେ ବି ଡାକ୍ତର-ଛାତ୍ରମାନଙ୍କର ବହୁତ ଉତ୍ସାହ ଏଇ ନୂଆ ଲୋକଗୁଡ଼ିକ ବିଷୟରେ । ଚାରିଆଡ଼େ ଖବର ହୋଇଛି ଯେ ନିହାରବାଳା ପରି କେତେ ଜଣ ଡାକ୍ତରଖାନାକୁ ଆସିଛନ୍ତି । —ଉତ୍ସାହୀ ଲୋକେ ତାଙ୍କର ଖବର ନେବାକୁ ଚାହାନ୍ତି ।

 

ଗୀତା ଓ ଆଶା ଯାହା କହିଥିଲେ, ସେଇଟା ବି ନିହାର ବିଷୟରେ ଏକାବେଳକେ ନିର୍ଭୁଲ ନୁହେଁ । ତରୁଣ ଛାତ୍ରଗୁଡ଼ିକ ଦ୍ୱିଧାଗ୍ରସ୍ତ ଓ ସଙ୍କୋଚଭରା ବ୍ୟବହାର ପାଇଲେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ତାଙ୍କ ପାଖରେ ଅପ୍ରତିଭ ବ୍ୟବହାର ହେଉଛି ଆତ୍ମରକ୍ଷାର ଉପାୟ ।

 

ନିହାରବାଳା ମୁହଁକୁ କେହି ଚାହିଁଲେ ସେ ଆଖି ତଳକୁ କରେ ନାହିଁ ଲାଜରେ । ନିର୍ଭୀକ ଓ ସ୍ପଷ୍ଟ ଚାହାଣୀରେ ଚାହିଁ ସେ ତାଙ୍କର କଥାର ଉତ୍ତର ଦିଏ । ଆଉ ଏଇ ବ୍ୟବହାର ପାଇଁ ସେମାନେ ଅଧିକରୁ ଅଧିକ ପ୍ରଚାର କରିବା କଥା, ଆଉ କରୁଥିଲେ ବି ।

 

ସେମାନେ ସମସ୍ତେ ଆସିଛନ୍ତି । ନିହାରବାଳା ଟିକିଏ ନିଜ ଉପରେ ଆଖି ବୁଲାଇ ନେଲା ।

 

ଚରିତ୍ରର ଆଉ ପ୍ରଶ୍ନ ନାହିଁ । ନିଜର ଲୋକଙ୍କର ଭଲ ପାଇବାକୁ ସମର୍ଥନ କରିବା ହେଉଛି ଉତ୍ତମ ଚରିତ୍ରର ଲକ୍ଷଣ । ଆଉ ପର ମଣିଷଙ୍କର ଭଲ ପାଇବାର ବିରୋଧ କରିବା ହେଉଛି ସେହି ସତ୍‌ ଚରିତ୍ରର ଲୋକ-ଦେଖାଣିଆ ପ୍ରମାଣ ।

 

ଆଉ ଯେ ଅନ୍ୟ ଲୋକର ଭଲ ପାଇବାକୁ ସମର୍ଥନ କରିଗଲା, ସେଇ ହେଉଛି ଦୁଶ୍ଚରିତ୍ର ଓ କଦର୍ଯ୍ୟ ପ୍ରକୃତିର ଲୋକ ।

 

ଚରିତ୍ର ହରାଇ ନିହାରବାଳା ଡାକ୍ତରଖାନାକୁ ଆସିଛି ! ବଳରାମଙ୍କ ସାଙ୍ଗରେ ତାହାର ମନ ମିଶିଲା ନାହିଁ—ଏତିକି ହେଉଛି ତା’ର ଚରିତ୍ରହୀନତାର ପ୍ରମାଣ । ନାନାଆଡ଼ୁ ଲାଞ୍ଛିତ ହୋଇ ସେ ସ୍ଥିର କରିଥିଲା ଯେ ସମସ୍ତଙ୍କୁ ସେ ଭଲ ପାଇବ—ଭଲ ପାଇବା ଲୋକଙ୍କୁ ଆଉ ଭଲ ନ ପାଇବା ଲୋକଙ୍କୁ ମଧ୍ୟ ।

 

ତା’ର ତ ଆଉ କୌଣସି ଅସୁବିଧା ନାହିଁ । ମନକୁ ସେ ବୁଝାଇ ଦେଇଛି ଯେ ଏତିକି ହେଉଛି ମଣିଷ ଜୀବନର ସଫଳତା ଆଉ ବିଫଳତା ଭିତରେ ତଫାତ୍‌ । ବୃଥାରେ ମନଟାକୁ ନିଜ ବିରୁଦ୍ଧରେ ଲଗାଇବା ଆଶାନ୍ତି ଯେତିକି, କ୍ଷତି ମଧ୍ୟ ସେତିକି ।

 

ଜଣେ ଜଣେ ହୋଇ ଆସି ନିଜର ଅଧିକାର ଦେଖାଇ ନିହାରବାଳାକୁ ନାନାପ୍ରକାରର କଥା ପଚାରନ୍ତି...। ସଂସାରର କାଇଦା କଟକଣା ସେ ଛାଡ଼ ଆସିଛି । ତା’ର ସ୍ୱାଧୀନ ଜୀବନରେ ସେ ନୂଆ କରି ଛୋଟିଆ ଛୋଟିଆ ସ୍ୱାଧୀନତା ଓ ପରାଧୀନତାର ବନ୍ଧନ ଗଢ଼ିବ ।

 

ନିହାରବାଳାର ସମସ୍ତ ସମ୍ୱାଦ ଏଇ ଦିନ ଦୁଇ ତିନିଟା ଭିତରେ ସଂଗ୍ରହ ହୋଇସାରିଛି । ତା’ର ଦରଖାସ୍ତ ତାଲିକାରୁ ତା’ର ବୟସ, ଯୋଗ୍ୟତା ଠିକଣା ସବୁ ସେମାନେ ସଂଗ୍ରହ କରିଛନ୍ତି । ସେଥିରୁ ସେମାନେ ଜାଣିଛନ୍ତି ଯେ ନିହାରବାଳା ଚରିତ୍ରହୀନା । ଚରିତ୍ରହୀନାର ଲାଜ ସଂଙ୍କୋଚ ନ ଥାଏ । ତା’ର ବ୍ୟବହାରରେ କୌଣସି ପ୍ରକାରର କଟକଣା ନ ଥାଏ ।

 

ତେବେ ସେ ଏତେ ଗମ୍ଭୀର କାହିଁକି ! ଏମାନଙ୍କୁ ଦେଖି ସେ ଆପଣଛାଏଁ ସହଜ ଓ ସରଳ ଭାବରେ ସବୁ କଥା କହୁନାହିଁ କାହିଁକି ! ସେ ବି କ’ଣ ଖୋଜୁଛି ଅନୁନୟ ବିନୟ...ତା’ର ତ ସେ ଅଧିକାର ନାହିଁ ।

 

ବିନା କାରଣରେ ନିହାରବାଳା ପାଖଦେଇ ସେମାନେ ଚଳପ୍ରଚଳ ହେଲାବେଳେ ନିହାରବାଳାକୁ ଛୁଇଁ ଦେଉଥିଲେ—ସେ ପ୍ରତିବାଦ କରୁଛି କି ନାହିଁ ଦେଖିବାକୁ । କାର୍ଯ୍ୟବ୍ୟସ୍ତର ଛଳନା ଦେଖାଇ କାମର ପେଖନା ଧରି ସେମାନେ ନିହାରବାଳାକୁ ପ୍ରସଙ୍ଗ ଥାଇ ନ ଥାଇ ବହୁତ କଥା କହିଥିଲେ । ନିହାରବାଳା ଭାବୁଥିଲା ପ୍ରତିବାଦ କରି କହିବ ବୋଲି—ଏମିତି ବ୍ୟବହାର ଦେଖାଇଲେ କେହି କାହାରିକୁ ଭଲ ପାଇପାରେ ନାହିଁ ।

 

ପୁଣି ବା କହିବ କାହିଁକି ? ଯିଏ ଯାହା ମନରେ ନେଇ ଆସିଛନ୍ତି...ଆସିଥାଆନ୍ତୁ । ଯୁବତୀର ଯୌବନ କେତେବେଳେ ହେଲେ ନିଖୁଣ, ଦୋଷହୀନ ହୋଇ ଏଇ ସଂସାର ଦରିଆକୁ ପାରି ହୋଇପାରିବ ନାହିଁ ।

 

ସମସ୍ତଙ୍କ ମୁହଁକୁ ନିହାରବାଳା ଚାହିଁ ରହିଥିଲା । ତା’ର ଆଖିରେ ଉତ୍ସାହ ନାହିଁ, କୌତୂହଳ ନାହିଁ । ତା’ର ବ୍ୟବହାରରେ ପ୍ରତିବାଦ ନାହିଁ, ଆଉ ବି ସେମିତି ଆମନ୍ତ୍ରଣ ନାହିଁ ।

 

ସମସ୍ତଙ୍କର ସବୁ ଅଳି ଅନୁରୋଧ ଭିତରେ, ସମସ୍ତଙ୍କର ପ୍ରେମର ନିବେଦନକୁ ମନରେ ଧରି, ସେଥିପ୍ରତି କୌଣସି ଉତ୍ସାହ ବା କୃତଜ୍ଞତା ନ ଦେଖାଇ ନିହାରବାଳା ଡାକ୍ତରଖାନାର କାମ କରିଯାଇଥିଲା...ଖାଲି ସେଇ ତେଇଶ ଆଉ ଚବିଶ ନମ୍ୱର ବିଛଣା ପାଖକୁ ଆସିବାକୁ ସଙ୍କୁଚିତ ହୁଏ । ସେଇମାନେ ଯାହା ମନରେ ଗାର ପକାଇଥିଲେ । ସେଇ ଦୁଇ ଜଣ ନିହାରବାଳାକୁ ସଚେତନ କରିଥିଲେ ।

 

ରୋଗୀ ଦେହରେ ହାତ ଦେବାକୁ ନିହାରବାଳାକୁ ଅଡ଼ୁଆ ଓ ସଙ୍କୋଚ ଲାଗୁଥିଲା । କିନ୍ତୁ ତାଙ୍କୁ ଗାଧୋଇ ଦେବା ତା’ର କାମ ଭିତରୁ ଗୋଟିଏ ।

 

ପ୍ରଥମ କରି ପାଣି ଗାମୁଛା ଆଉ ତଉଲିଆ ହାତରେ ଧରି ସେ ଗୋଟିଏ ରୋଗୀ ପାଖରେ ଠିଆ ହୋଇଥିଲା—ସେତିକି ହେଉଛି ରୋଗୀର ସମସ୍ତ ସେବାର ପରିସମାପ୍ତି । ରୋଗୀ ତ ହାତରେ ଖାଏ । ସମସ୍ତେ ଖାଆନ୍ତି । କିନ୍ତୁ ସମସ୍ତେ ହାତରେ ଗାଧୋଇ ପାରନ୍ତି ନାହିଁ ।

 

—ପୋଛିପାଛି ହେବ ପରା ?

 

—ହଁ, ଭାରି ଖରାପ ଲାଗୁଛି । ଦି’ ଦିନ ହେଲାଣି ଦେହରେ ପାଣି ବାଜି ନାହିଁ ।

 

ନିହାରବାଳା ଚାହିଁ ରହିଲା ରୋଗୀଟିର ମୁହଁକୁ । କେମିତି କ’ଣ କରି ସେ ତାକୁ ଓଦା ତଉଲିଆରେ ପୋଛି ଦେବ । ଭାବିଲା, ଏଇତକ କାମ ଯଦି ନ ଥାନ୍ତା, ତେବେ ନର୍ସ କାମ ସେତେ କିଛି ଅସୁବିଧା ହୁଅନ୍ତା ନାହିଁ ।

 

ଘର ଭିତରୁ ସିଷ୍ଟର ଚାହିଁଥିଲେ ନିହାରବାଳା କ’ଣ କରୁଛି ଜାଣିବାପାଇଁ । ଦେଖିଲେ ନିହାରବାଳା ରୋଗୀ ପାଖରେ ଠିଆ ହୋଇଛି । ହସି ନିଜକୁ କହିଲେ—ଏତିକି ବୁଝିବାକୁ ଏମାନେ ଅସମର୍ଥ । ମନରେ ଏତେ ପର-ଆପଣା ଜ୍ଞାନ !

 

ସେ ନିଜେ ଆସି ରୋଗୀଟିର ସେବା କଲେ । କୌଣସି ବିକାର ନାହିଁ । ସତେ ଯେପରି ନିଜର ହାତ ସେ ଧୋଉଛନ୍ତି ।

 

ନିହାରବାଳା ପ୍ରଶଂସା କରି ନ ପାରି ମୁଗ୍ଧ ଚାହାଣୀରେ ଚାହିଁଥିଲା ସିଷ୍ଟରଙ୍କୁ । ଦେଖିଲେ କେହି ୟାଙ୍କୁ ଭଲ ପାଇବ ନାହିଁ । କିନ୍ତୁ ତାଙ୍କ ସେବାରେ ସମସ୍ତେ ହିଁ ମୁଗ୍ଧ ହେବେ । ନିର୍ଲିପ୍ତ ଭାବରେ ସେ ହୀନ, ଅବହେଳିତ ଓ କ୍ଳିଷ୍ଟକର ସେବା କରିପାରୁଛନ୍ତି । ତାଙ୍କର ଦେହରେ ସୌନ୍ଦର୍ଯ୍ୟ ନାହିଁ କିନ୍ତୁ ମନରେ ଦେବତ୍ୱ ।

 

ଠିକ୍‌ ନିଜର ଲୋକପରି ରୋଗୀଟିକୁ ପୋଛାପୋଛି କରି ସିଷ୍ଟର ପଚାରିଲେ—କେମିତି, ଭଲ ଲାଗିଲା ?

 

ରୋଗୀଟିର ମୁହଁରେ କୃତଜ୍ଞତା । ତା’ର ଗୋଟିଏ ଗୋଡ଼ ଅଚଳ । ବନ୍ଧା ହୋଇ ପଡ଼ିଛି-

 

ନିହାରବାଳା ଭାବୁଥିଲା କହିବ ବୋଲି ସିଷ୍ଟରଙ୍କୁ ଯେ ଏତିକି ନିଃସ୍ୱାର୍ଥପର ଭାବରେ ସେବା କରିବା ତା’ର ପକ୍ଷରେ ସମ୍ଭବ ନୁହେଁ ।

 

ରୋଗୀ ଦେହର ପୋଛା ହୋଇଥିବା ମଇଳା ପାଣିକୁ ଗାମୁଲାରେ ଧରି ଫେରିଲାବେଳେ ସେ ଦେଖିଥିଲା ଯେ ତା’ର ସେହି ପରିଚିତ ଲୋକ ଦୁଇଟି ନିହାରବାଳାର ଦ୍ୱିଧା, ସଙ୍କୋଚ ଲକ୍ଷ୍ୟ କରୁଛନ୍ତି । ବିନା କାରଣରେ ମୁହଁ ଉପରେ ପ୍ରପୁଷ୍ଟତା ଦେଖାଇ ସେ ସିଷ୍ଟରଙ୍କ ପଛେ ପଛେ ଫେରିଲା ।

 

ଏଇ ହେଉଛି ତା’ର ଜୀବନ । ଗୁଡ଼ିଏ ଳୋକ ତାକୁ ବିନା କାରଣରେ ଭଲ ପାଇବେ—ତା’ର ମନକୁ ନୁହେଁ, ତା’ର ଦେହକୁ । ଆଉ ଗୁଡ଼ିଏ ଲୋକଙ୍କୁ ନିହାରବାଳା ନିଜେ ଭଲ ପାଇବ ଖାଲି ବାଧ୍ୟରେ, ନିଜ ଜୀବିକାର ଉପରୋଧରେ । ଗୋଟିଏ ପାଖେ ତା’ର ଦେହ ଆର ପାଖେ ତା’ର ମନ...ଏତକ ହେଲେ ଠିକ୍‌ ଓଲଟି ଯାଆନ୍ତା ! ହବାର କଥା ନୁହେଁ । ଏତିକି ହେଉଛି ମଣିଷର ସାଧନା । ନ ମିଳିବା କଥାକୁ ମିଳିଛି ବୋଳି ଗ୍ରହଣ କରିବା ହେଉଛି ଜୀବନର ଚରମ ସାଧନା...ସେବାର ପ୍ରାଣ ।

 

ବାରମ୍ୱାର ଔଷଧ ନେଇ ବିଭିନ୍ନ ରୋଗୀଙ୍କ ପାଖରେ ଛିଡ଼ା ହେଲାବେଳେ ସେ ପ୍ରତ୍ୟେକ ରୋଗୀଙ୍କ ରୋଗୀଙ୍କ ମୁହଁକୁ ଚାହିଁ ହାତରେ ଧରିଥିବା ଔଷଧ ଉପରେ ଆଖି ପକାଏ । ରୋଗୀ ପଚାରେ—କ’ଣ ଭାରି ପିତା...ଇସ୍‌, ସେହି ଔଷଧ ଗୁଡ଼ାକ ।

 

—ବେଶି ଖରାପ ନୁହେଁ । ଖାଇ ଦିଅ । ଦେହ ଭଲ ହୋଇଯିବ ।

 

ରୋଗୀ ପାଟି ମେଲା କରେ । ଆଉ ନିଜକୁ ଖରାପ ଲାଗୁଥିବା ପରି ନିହାରବାଳା ଓଠ ଚିପି ଭାରି ଟାଣରେ ଗିଲାସଟାକୁ ଧରି ରୋଗୀ ପାଟିରେ ଔଷଧକୁ ଢାଳି ଦେଇ ଅପଲକ ହୋଇ ଚାହିଁ ରହେ...ଟିକକ ପରେ ପଚାରେ—ଭାରି ଖରାପ ଲାଗିଲା ନା ?

 

—ସେତେ ଖରାପ ଲାଗିଲା ନାହିଁ । ତମେ ଦିଦି ଭାରି ଭଲ ।

 

ନିହାରବାଳା ମୁହଁ ଉପରେ ରଙ୍ଗ ଚହଟିଯାଏ । କେଇ ଦିନ ପରେ ଏଇ ଅବାଞ୍ଛିତ, ଅନାକାଙ୍‌କ୍ଷିତ ରୋଗୀଗୁଡ଼ିକ ତା’ର ଏଇ ସମ୍ୱାଦ ଆଣି ଦେଉଛନ୍ତି—ତାହାର ମଧ୍ୟ କେତେକ ତ ଗୁଣ ଅଛି ।

 

କୃତଜ୍ଞତାଭରା ଚହାଣୀରେ ନିହାରବାଳା ଚାହିଁରହେ ସେହି ଅପରିଚିତ ମୁହଁଗୁଡ଼ିକୁ ।

 

ନିହାରବାଳା ଭୁଲିଯାଏ ନିଜର ବୟସ, ସ୍ୱାସ୍ଥ୍ୟ ଓ ଚରିତ୍ର । ସମାଜର ଲୋକନିନ୍ଦା, ସମସ୍ତଙ୍କର ଶତ୍ରୁତା ଅତି ଅଳ୍ପ ସମୟପାଇଁ ହେଲେ ବି ତା’ର ଆଖି ଆଗରେ ଭାସିଉଠେ ଗୋଟିଏ ମଧୁର ସ୍ୱପ୍ନ—ମଣିଷର ମଣିଷ ସାଙ୍ଗରେ ପ୍ରକୃତି ପରିଚୟ ହୁଏ ଏମିତି ସେବା କଲାବେଳେ । ଦେହର ରୂପ, ସୌନ୍ଦର୍ଯ୍ୟ ଓ ଯୌବନପାଇଁ ନୁହେଁ । ସେତେବେଳେ ଭୁଲିହୁଏ ଯେ ସେ ଗୋଟିଏ ନାରୀ ।

 

ନିହାରବାଳା ଫେରିଆସେ । ପୁଣି ସେହି ସିଷ୍ଟରଙ୍କ କୋଠରୀରୁ ତା’ର ସେହି ପରିଚିତ ରୋଗୀ ଦୁଇଟିଙ୍କ କଥା ଭାବେ । ସେମାନଙ୍କୁ ହେଲେ ସେ ସେହି ପ୍ରକାରର ସେବା ଦେଇପାରନ୍ତା । ତାଙ୍କ ପାଖରେ ହେଲେ ନିହାରବାଳା ନାରୀ ରୂପରେ ନୁହେଁ, ମା କିମ୍ୱା ଭଉଣୀ ରୂପରେ ଦେଖା ଦେଇ ତାଙ୍କରି ପାଖରେ ସେବାର ନୈବେଦ୍ୟ ଦେଇପାରନ୍ତା ।

 

ବାରମ୍ୱାର ଭାବିଛି ତାଙ୍କର ପାଖକୁ ଯିବ ବୋଲି । କିନ୍ତୁ ପରିଚୟର ସଙ୍କୋଚ ନିହାରବାଳାକୁ ଦୂରରେ ରଖି ଦେଇଛି । ଅପରିଚିତ ଲୋକେ କେଡ଼େ ସହଜରେ ନିଜର ହୋଇପାରନ୍ତି । କିନ୍ତୁ ପରିଚିତ ଲୋକେ ସବୁ ସୁବିଧା ଥିଲେ ବି ଦୂର ହୋଇଯାଆନ୍ତି ।

 

ସିଷ୍ଟର ଆପଣା ମନକୁ ଗୁଣୁ ଗୁଣୁ ହୋଇ କହୁଥିଲେ—ଆଜି ତେଇଶ ନମ୍ୱର ରୋଗୀ ଚାଲିଯିବ...ଖାଇ ସାରିଲେ ।

 

ନିହାରବାଳା ଚମକି ପଡ଼ିଥିଲା—ସେ ଠିକ୍‌ ଜାଣିଥିଲା । ତା’ର ଆଖି ଆଗରେ ସଦାନନ୍ଦର ସେହି ବ୍ୟଥା-କାତର, ସେହି କାକୁତିଭରା ମୁହଁଟି ନାଚି ଉଠିଲା...ସେ ଚାଲିଯିବ ।

 

ଯେତେ ଇଚ୍ଛା ଥିଲେ ବି ତାଙ୍କର ପାଖକୁ ନିହାରବାଳା ଯାଇପାରିଲା ନାହିଁ । ଗଲେ କ’ଣ ବୋଲି ତାଙ୍କୁ କହିବ ? ଏତେ କଠୋର ହୋଇ ସେ ଅପ୍ରିୟ କଥା କହିପାରିବ ନାହିଁ ।

 

ହସ୍‌ପିଟାଲରୁ ଗଲାବେଳେ ନିହାରବାଳା ତା’ର କୋଠରୀ ଭିତର ସଦାନନ୍ଦକୁ ଚାହିଁ ଭାବିଥିଲା—କାଲି ଦେଖା ଆଉ ଆଜି ମେଲାଣି । ଦିନକର ପରିଚୟ, ଦିନକର ବନ୍ଧନ କାହିଁକି କେଜାଣି ମନଟାକୁ ଚଞ୍ଚଳ କରୁଛି...ସତେ ଯେପରି କେଜାଣି କେତେ ଦିନରୁ ଚିହ୍ନା ।

 

ସେ ଯାହା ହୋଇଥାଆନ୍ତୁ ଆଉ ଫେରିଲାବେଳେ ତାଙ୍କୁ ନିହାରବାଳା ଦେଖିବ ନାହିଁ । ଟିଫ୍‌ନ୍‌ କାରିଅରରେ ତାଙ୍କର ଖାଇବା ଜିନିଷ ଥୁଆ ହୋଇଛି । ...ସିଷ୍ଟର ବାରମ୍ୱାର ଚାହିଁ ଯାଉଛନ୍ତି-। ସେ ଖାଇ ସାରିଲେ ତାକୁ କହିବେ ।

 

କେତେ ଦୟା ତାଙ୍କର ! ସେ ନିଜେ ବି ଜାଣୁଛନ୍ତି ଯେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ-। ଡାକ୍ତରଖାନାରେ ରହିବାପାଇଁ ତା’ର ଅଧିକାର ଅଛି । କିନ୍ତୁ ସଂସାରରେ ରୋଗ ଆଉ ଦୁଃଖର ଅଧିକାର ଠାରୁ ବଳି ବଡ଼ ଅଧିକାର ମଧ୍ୟ ଅଛି । ସେଇଟା ହେଉଛି ପ୍ରତିପତ୍ତିର ଅଧିକାର, ବଡ଼ ମଣିଷଙ୍କ ବନ୍ଧୁତା ଓ ସାହାଯ୍ୟର ଅଧିକାର । ଦୀନ ଦରିଦ୍ର, ରୋଗୀ, ଦୁଃଖୀ ସେହିପରି ଗୁରୁତର ଅବସ୍ଥା ନ ଥିଲେ ବିଶେଷ ସୁବିଧା ପାଆନ୍ତି ନାହିଁ ।

 

ଚବିଶ ନମ୍ୱର ରୋଗୀ ଯାଇପାରିଥାନ୍ତା । କିନ୍ତୁ ତା’ ପାଇଁ ହୁକୁମ ନାହିଁ—ସେ ରହିବ ।

 

ନିହାରବାଳାର ସେହି ମମତାହୀନ ଆଖି ଦୁଇଟି ଟଳ ଟଳ ଦିଶିଲେ । ସେ ତା’ର ନୂଆ ଜୀବନରେ ପ୍ରଥମଥର ପାଇଁ ଭଲ ପାଇବାର ଆଘାତ ଅନୁଭବ କରିଥିଲା ।

 

ଘଣ୍ଟାକ ପରେ କ୍ଲାସ । ପଢ଼ିବାକୁ ହେବ । ଏଇ ଘଣ୍ଟାକ ଭିତରେ ନିଜର ସମସ୍ତ କାମ ଶେଷ କରି ଆସିବାକୁ ହେବ । ବିଶ୍ରାମ କେହି ନେବେ ନାହିଁ । ବିଶ୍ରାମ ଯେଡ଼େ ଆବଶ୍ୟକ ଥିଲେ ବି କାମ ଶିଖିଲାବେଳେ ଓ କାମ କଲାବେଳେ ମନର ଅନ୍ୟମନସ୍କତା ଦୂର କରିବାକୁ ସତେ ଯେପରି ସମସ୍ତେ କାମର ଗୋଟିଏ ଲମ୍ୱା ଚଉଡ଼ା ଫର୍ଦ୍ଦ ତିଆରି କରି ଦେଇଛନ୍ତି...କୌଣସି ଦୃଶ୍ୟର ପ୍ରଥମ ଆଘାତକୁ ମନ ଉପରୁ ଲିଭାଇ ଦେବାକୁ ।

 

ଠିକ୍‌ ଯେମିତି ଔଷଧ ପାଣିର ଗନ୍ଧ ହାତରେ ଲାଗିଥିବା ସବୁ ରୋଗୀଙ୍କର ଦେହର ବାସକୁ ପୋଛି ଲିଭାଇ ଦେଇଛି, ଠିକ୍‌ ସେମିତି ନିଜ କାମ-ତାଲିକା ମନ ଉପରୁ ସବୁ ପ୍ରକାରର ଦାଗ ଲିଭାଇ ଦେବ ।

 

ସଂଧ୍ୟାବେଳକୁ ଫେରିଲାବେଳେ ନିହାରବାଳାର ଉତ୍କଣ୍ଠା ସେଇ ତେଇଶ ନମ୍ୱର ରୋଗୀ ବିଷୟରେ ଥିଲା । ସେ ପରଖ କରି ଦେଖିବାକୁ ଚାହେ—ସତରେ କ’ଣ ଡାକ୍ତରଖାନାର ବିଛଣା ଖାଲି ହୁଏ ? ଆଉ ଜଣେ ନୂଆ ଲୋକ ଆସିବ ।

 

ମନ ଭିତରେ ସେହି କୌତୁହଳ ପୁଣି ଚେଇ ଉଠିଥିଲା ନୂଆ ରୋଗୀଟି ବିଷୟରେ । ସଦାନନ୍ଦ ବଦଳରେ କିଏ ଆସିବ ? ଯିଏ ବା ଆସିବ, ସେ କ’ଣ ଠିକ୍‌ ସେମିତି ସଦାନନ୍ଦ ପରି ନିହାରବାଳାକୁ ମନେ ପକାଇଦେବ ଯେ ସେ ଜଣେ ସାଧାରଣ ନର୍ସ ନୁହେଁ, ସେ ଜଣେ ଅସାଧାରଣ ନାରୀ ।

 

...ନା, ପାରିବ ନାହିଁ । ଦୁଇ ଜଣ ମଣିଷ କେବେହେଲେ ସମାନ ହୋଇପାରନ୍ତି ନାହିଁ । ସମାନ ହେଲେ ବି ସମାନ ଲାଗନ୍ତି ନାହିଁ । ସେହି ବିଛଣାରେ ପୁରୁଣା ଲୋକ ବଦଳରେ ନୂଆ ଲୋକ ଆସିବ । ...ହଁ, ସେ ନୂଆ ।

 

ନୂଆ ଲୋକ ପରି ପରିଚୟ କରିବ । ନିହାରବାଳାକୁ ପ୍ରଥମ ଥରପାଇଁ ଦେଖିବ । ନୂଆ ପରିଚୟର କୌତୂହଳରେ ହୁଏତ ପାଖର ଚବିଶ ନମ୍ୱର ରୋଗୀକୁ ପଚାରିବ—ଇଏ କିଏ ?

 

ତା’ରି ପାଖରେ ନିହାରବାଳା ସଙ୍କୋଚ କରିବ ନାହିଁ । ଠିକ୍‌ ସେବିକା ଭାବରେ ତାକୁ କେବଳ ରୋଗୀ ଛଡ଼ା ଆଉ କିଛି ବୋଲି ସେ ଭାବିବ ନାହିଁ । ସେ ଡାକ୍ତରଖାନାକୁ ଆସିବା ପରେ ସେଇ ହେବ ପ୍ରଥମ ରୋଗୀ ।

 

ନାରୀସୁଲଭ କୌତୂହଳରେ ନିହାରବାଳା ଆସିଲାବେଳେ ଚାହିଁଥିଲା—ନୂଆ ଲୋକ ଜଣେ ଶୋଇଛି...ସତେ ତ ନିହାରବାଳାକୁ ପୁରୁଣା ପରିଚୟର ସ୍ମରଣିକା ଦେବ ନାହିଁ ।

 

ଶୀଘ୍ର ଶୀଘ୍ର ନିହାରବାଳା କାମ ଆରମ୍ଭ କରିଦେଲା । ରୋଗୀମାନଙ୍କର ନାଡ଼ି, ନିଶ୍ୱାସ ଓ ଜର ଦେଖିବା କାମ ସହଜ ହୋଇଗଲାଣି । ସେ ରୋଗୀ ପରେ ରୋଗୀ ଶେଷ କରି ତେଇଶ ନମ୍ୱର ବିଛଣା ପାଖରେ ଯାଇଁ ଠିଆ ହେଲା...ନୂଆ ଲୋକଟି ଶୋଇଛି ।

 

ନୂଆ ଲୋକ ତ । ତା’ର ଏବେ ମାପ୍‌ଚୁପ୍‌ ଦରକାର କ’ଣ । ଜଣାପଡ଼ୁଛି ସୁସ୍ଥ ଲୋକ ପରି । ଚବିଶ ନମ୍ୱର ରୋଗୀଟି ହସି ଇସାରାରେ କହିଲେ—ସେ ଶୋଇଛି । ନିହାରବାଳା ଚଟି ଘୋଷାରି ଘୋଷାରି ଚବିଶ ନମ୍ୱର ପାଖକୁ ଆସିଲା । ବିଛଣାକୁ ଲାଗି ଠିଆ ହୋଇ ତାଙ୍କର ହାତଟିକୁ କଅଁଳ ଭାବରେ ନିଜ ମୁଠା ଭିତରକୁ ନେଇ ଧୀରେ କହିଲା—ଆଜି ସକାଳ ଓଳି ଓ ଉପର ଓଳି ଦୁଇ ଥରର ମାପ ନିଆଯିବ ।

 

ସେତିକି କଥାରେ ତାଙ୍କର ନିଶ୍ୱାସ ପ୍ରଖର ହୋଇଆସିଲା । ଓଠ ଉପରେ ଗାମ୍ଭୀର୍ଯ୍ୟଭରା ହସ ଫୁଟି ଉଠିଲା । ପ୍ରକୃତ ରୋଗୀପରି ସେ ସ୍ଥିର ହୋଇ ଶୋଇ ରହିଲେ ।

 

ନିହାରବାଳା ଭାବୁଥିଲା ତାଙ୍କୁ କହିବାକୁ—ଏତିକି ହେଉଛି ନର୍ସର ଭଲ ପାଇବା । ଏତିକି କରି ନ ଥିଲା ବୋଲି ସେ ଅସନ୍ତୁଷ୍ଟ ହୋଇଥିଲେ । ଏତିକି ତାଙ୍କପାଇଁ ଯଥେଷ୍ଟ ।

 

ନିଜର ଭାବନାର ମାଦକତାପାଇଁ ନିହାରବାଳାକୁ ଅତି ସୁନ୍ଦର ଦିଶୁଥିଲା ରୋଗୀଟି ।

 

ପାଟିରେ ଥର୍ମୋମିଟର ଦେଇ ମୁହଁ ବନ୍ଦ କରିଛନ୍ତି । ନିହାରବାଳା ହାତ କଚଟିକୁ ଧରିଛି-। ଆଉ ଏଣେ ଆର ହାତରେ ଘଡ଼ିଟିକୁ ଚାହିଁ ରହିଛି . . କହିବାର କି ହଲିଲେ ହେବାର ସୁବିଧା ନାହିଁ । ସେ ବ୍ୟସ୍ତ ହୋଇପଡ଼ିଲେ ।

 

କପଟ ଗାମ୍ଭୀର୍ଯ୍ୟ ଦେଖାଇ ନିହାରବାଳା କହିଲା—ରୋଗୀମାନେ ହଲଚଲ୍‌ ହୋଇପାରିବେ ନାହିଁ । ତାଙ୍କର ଜର ଦେଖା ହେଉଛି ।

 

ରୋଗୀଟିର ଆଖି ଦୁଇଟି ତାରୁଣ୍ୟରେ ଚହଟି ଉଠିଲା । ସେ ବିହ୍ୱଳ ହୋଇ ଚାହିଁ ରହିଲେ ନିହାରବାଳାର ମୁହଁକୁ । କେଡ଼େ ଛୋଟିଆ କାମ ଟିକକରେ ନିହାରବାଳା ତାଙ୍କୁ ବିମୋହିତ କରିଛି ।

 

ନିଜ ହାତରେ ଥର୍ମୋମିଟରଟି କାଢ଼ିଦେଇ ଅସ୍ପଷ୍ଟ ସ୍ୱରରେ କହିଲେ—ଏତିକିରେ କ୍ଷତିପୂରଣ ହେଲା ନାହିଁ ? ତମେ ସକାଳେ କାହିଁକି ଜର ଦେଖିଲ ନାହିଁ...କାଲି କାହିଁକି ଚିହ୍ନା ଦେଲ ନାହିଁ ?

 

ବେଦନାଭରା ଆଖି ଦୁଇଟି ଚାହିଁ ରହିଲେ ରୋଗୀର ଆଖି ଦୁଇଟିକୁ । ଧୀରେ ନିହାରବାଳା କହିଲା—ଆପଣ ସିନା ମୋର ପରିଚୟ ପାଇଥିଲେ, ମୁଁ ତ ଆପଣଙ୍କର ପରିଚୟ ପାଇନାହିଁ...ଯାଉଛି ସିଷ୍ଟର ଖୋଜୁଥିବେ ।

 

ବୁଲିପଡ଼ି ଶୋଇଯାଇଥିବା ତେଇଶ ନମ୍ବର ରୋଗୀକୁ ଚାହିଁ ଅନୁନୟ କଲାପରି କହିଲା–ଶୋଇଛନ୍ତି ତ । ତାଙ୍କୁ ଉଠିଲେ କହିବେ ଜର ଦେଖା ସରିଗଲାଣି ।

 

ନିହାରବାଳା ଚାଲିଗଲାବେଳେ କାଳେ ରୋଗୀର ନିଦ ଭାଙ୍ଗିବଣି ବୋଲି ଥରେ ବୁଲି ଚାହିଁଥିଲା । ସେ ଉଠି ନାହିଁ...ନିଜ ଘର ପରି ଆନନ୍ଦରେ ଶୋଇ ପଡ଼ିଛି ।

 

ସିଷ୍ଟର ପଚାରିଲେ—ଆଜି ଓ୍ୱାର୍ଡ଼ରେ କ’ଣ ଦେଖିଲ ?

 

ବିବ୍ରତ ହୋଇ ନିହାରବାଳା ଚାହିଁଲା ତାଙ୍କ ମୁହଁକୁ । କିଛି ଦେଖିନାହିଁ ତ ସେ । ...ଟିକକ ପରେ ଭାବି କହିଲା—ନୂଆ ରୋଗୀଟି ଘରୋଇ ପୋଷାକ ପିନ୍ଧି ଶୋଇ ପଡ଼ିଛି । ତାହାର କିଛି ନୋଟ୍‌ କରିନାହିଁ ।

 

—ସେ ଡାକ୍ତରଙ୍କର ଲୋକ । ସେଥିପାଇଁ ଓଜର କରି କହିଛି ଯେ ଡାକ୍ତରଖାନା ପୋଷାକ ପିନ୍ଧିବ ନାହିଁ...ଆଜି ଦିନକ ।

 

ନିହାରବାଳାର ମୁହଁକୁ ଚାହିଁ ସିଷ୍ଟର କହିଲେ—ଡାକ୍ତରଖାନାର ନିୟମ ସମସ୍ତଙ୍କୁ ମାନିବାକୁ ହେବ । ପଢ଼ାପିଲାଙ୍କର ଆଉ ଏଇ ଅଳ୍ପ ବୟସର ଲୋକଙ୍କର ଗୋଟାଏ ମିଛ ଅଭିମାନ ଥାଏ—ସେମାନେ ଅନ୍ୟମାନଙ୍କଠାରୁ ଅଲଗା । ତାଙ୍କର ସବୁବେଳେ ଓଜର ହୁଏ ବିଶେଷ ସୁବିଧାପାଇଁ ।

 

ନିହାରବାଳାକୁ ସତର୍କ କରିଦେବାକୁ କହିଲେ—ଆମ ପାଖରେ ସବୁ ରୋଗୀ ସମାନ । ସମସ୍ତେ ଗୋଟିଏ କଟକଣାରେ ବନ୍ଧା । ରୋଗୀ ଅନେକ କଥା ଚାହିପାରେ । କିନ୍ତୁ ରୋଗର ଗୁରୁତ୍ୱ ଅନୁସାରେ ଯିଏ ଯେତିକି ପାଇବାକୁ ଦାବୀଦାର, ସେତିକି ଛଡ଼ା ଅଧିକ କାହାରିକୁ ଦିଆ ହେବ ନାହିଁ...କାଲି ସେ ପୋଷାକ ପିନ୍ଧିବ...ଆଜି ଦିନକ ମୁଁ ଛାଡ଼ି କରିଦେଇଛି ।

 

ସିଷ୍ଟର ତାଙ୍କର କାମରେ ଲାଗିଲେ । ନିହାରବାଳା ଡାକ୍ତରଖାନା କାମରେ ମନ ଲଗାଇବାକୁ ଚେଷ୍ଟା କଲା ।

 

ରୋଗୀଟି ଉଠି ବସିଲାଣି । ଚାରିଆଡ଼କୁ ଚାହୁଁଛି । ତାକୁ ଚବିଶ ନମ୍ବର ରୋଗୀଟି କହିଛି ଯେ ନର୍ସ ଆସି ଫେରିଗଲା । ଉଠାଇବାକୁ ସାହସ କଲା ନାହିଁ ।

 

ନିହାରବାଳା ସେତେବେଳେ ସେହି ପାଖକୁ ଆସୁଥିଲା । ନିହାରକୁ ଦେଖି ସଞ୍ଜୟ ଭାବିଳା ଯେ ତା’ରି ପାଖକୁ ନର୍ସ ଆସିବ ।

 

ଦୁହିଁଙ୍କ ଆଖିରେ କଥା...ଶୋଇଥିଲି...ମୋ କାମ ମୁଁ ସାରିଛି ।

 

ସୁସ୍ଥ ଲୋକଟିଏ । ଅସୁସ୍ଥ ଲୋକଟିକୁ ଡାକ୍ତରଖାନାରୁ ତଡ଼ି ଦେଇ ନିଜେ ଖଟିଆଟି ଅଧିକାର କରି ବସିଛି । ନିହାରକୁ ଭଲ ଲାଗିଲା ନାହିଁ ।

 

ପଢ଼ାପିଲା । ତରୁଣ ବୟସ । ବିଭିନ୍ନପ୍ରକାର ବିଶେଷ ସୁବିଧା ଖୋଜନ୍ତି...ଏଇ ଲୋକଟି ସେ । ସେ ଯେତେ ବଡ଼ କି ସାନ ହୋଇଥାଆନ୍ତୁ, ନିହାରବାଳା ଖାଲି ତା’ର କର୍ତ୍ତବ୍ୟ କରିବ...ହେଲେ ତାଙ୍କର ନାଁଟି ଜାଣିଥାଆନ୍ତା ! ଭୁଲ ହୋଇଗଲା ।

 

କଥା ନ କହି ଦୁହେଁ ଦୁହିଙ୍କର ପରିଚୟ କରିଥିଲେ । ସଞ୍ଜୟକୁ ଜଣାଯାଉଥିଲା, ସତେ ଯେପରି ସେ ଅତ୍ୟନ୍ତ ସୁନ୍ଦର । ଦୂରରେ ରହି ସେ ଆଉରି ଅଧିକ ମନୋରମ ଦିଶୁଥିଲା ।

 

ଚବିଶ ନମ୍ବର ବିଛଣା ପାଖକୁ ଯାଇ ଡାକ୍ତରଖାନା ଛାଡ଼ିବ । ସଞ୍ଜୟକୁ ଦେଖି ନିହାରବାଳା କହିବାକୁ ଚାହୁଁଥିଲା—ଆପଣଙ୍କ ସହିତ ଆଜି ପରିଚୟ ହୋଇପାରିଲା ନାହିଁ ।

 

ତା’ର ଚିହ୍ନା ରୋଗୀଟି ହସି କହିଲେ—ସଞ୍ଜୟବାବୁ ଶୋଇ ପଡ଼ିଥିଲେ । ଆଉ ତମେ ଆସି କାମ ସାରିଦେଇ ଗଲ ।

 

ନିହାର ବୁଲି ଚାହିଁଲା ସଞ୍ଜୟକୁ । ସଞ୍ଜୟ ସେତେବେଳେ ନିରୁତ୍ତର । କ’ଣ ସେ ନିହାରକୁ କହିବ ?

 

ଆଖି ଦୁଇଟି ସରଳ ଓ ନିଷ୍କପଟ । ମନରେ ତାରୁଣ୍ୟର କବିତା । କହିବାର ଭାଷା ନାହିଁ-। କିନ୍ତୁ ନିହାରବାଳା ସେଇ ଆଖି ଦୁଇଟିରେ ଦେଖୁଥିଲା ଅମାପ ଉତ୍ସାହ । ସେ ଚମକି ପଡ଼ିଲା ।

 

ଏତେ ଉଗ୍ର କାମନା ବହୁତ ଦିନ ହେଲା ସେ କାହାରିଠାରୁ ଲକ୍ଷ୍ୟ କରି ନ ଥିଲା । ଏଇ ଲୋକଟି ଏକାବେଳକେ ଥରକର ଦେଖାରେ ଉତ୍ସୃଙ୍ଖଳ ହୋଇପଡ଼ିଛି । ନିହାରବାଳା ମୁହଁ ବୁଲାଇ ନେଲା ।

 

—ମୋର ବେଳ ହୋଇଗଲାଣି...ସିଷ୍ଟର କହିଲେ କାଲି ସେ ଡାକ୍ତରଖାନା ପୋଷାକ ପିନ୍ଧିବେ—କହି ହସି ସଞ୍ଜୟକୁ ଚାହିଁ ନରମ ସ୍ୱରରେ କହିଲା—ସବୁ ରୋଗୀ ସମାନ । କେହି କୌଣସି ବିଶେଷ ସୁବିଧା ପାଇପାରିବେ ନାହିଁ ।

 

କଥାର ବୋଝ ହାଲୁକା କରିବାକୁ ସଞ୍ଜୟ କହିଲା—ଖୋଜିଲେ କ’ଣ ସବୁ ଜିନିଷ ମିଳେ ଯେ ମୁଁ ବିଶେଷ ସୁବିଧା ଖୋଜିବି । ଅନ୍ୟମାନେ ଯାହା ପାଉଛନ୍ତି ମୋର ବି ସେତିକି ।

 

ଓଠ କଣରେ ଟିକିଏ ହସ ଖେଳାଇ ନିହାରବାଳା ଚାହିଁଥିଲା ସଞ୍ଜୟକୁ । ସେଇ ଆଖି ଦୁଇଟିର ଉତ୍ସାହକୁ ଆଉ ଥରେ ଦେଖି ସେ ଫେରିଗଲା । କିନ୍ତୁ ଗଲାବେଳେ ସେ ନିର୍ବିକାର ଭାବରେ ଫେରିପାରିଲା ନାହିଁ । ନିଜକୁ ନିଜେ ବାରମ୍ବାର କହିଥିଲା—ଲୋକଟି ସରଳ । କିନ୍ତୁ ବହୁତ ଦିନ ପରେ ଏପରି ଜଣେ ଲୋକ ଦେଖା ପଡ଼ିଲା ।

 

କୌଣସି ଅନୁଭୂତି ନ ଥିବା ଲୋକ ସବୁବେଳେ ଭାରି ଭଲ ଲାଗେ । ଅନୁଭବ ଥିବା ଲୋକଙ୍କୁ ଅନୁଭବ ନ ଥିବା ଲୋକ ବିଶେଷ ଭାବରେ ଆକର୍ଷଣ କରନ୍ତି ।

 

ସଦାନନ୍ଦ ଚାଲିଗଲେ । ସଞ୍ଜୟ ଆସିଛନ୍ତି । କିନ୍ତୁ ଏଇ ନୂଆ ଲୋକଟି ପୁରୁଣା ଲୋକଟିର ସମସ୍ତ ସ୍ମୃତି ଚିହ୍ନ ଲିଭାଇ ଦେବାକୁ ଚେଷ୍ଟା କରିଛି ନିଜର ଭାବପ୍ରବଣତାରେ ।

 

ଡାକ୍ତରଖାନା ହତା ଭିତରେ ସେମାନଙ୍କର ଚିତ୍ର ଯେତିକି ସ୍ପଷ୍ଟ ହୋଇଥିଲା, ହତା ବାହାରେ ସେତିକି ଅସ୍ପଷ୍ଟ ହୋଇଗଲା । ରୋଗୀମାନଙ୍କର ସମସ୍ତ ଦୁଃଖସୁଖ ସେଇ ହତା ଭିତରେ ରହିଗଲା ।

 

ପ୍ରତ୍ୟେକ ଛାତ୍ରୀର ନୂଆ ଅନୁଭୂତି । ପ୍ରତ୍ୟେକଙ୍କର ସେହି ଗୋଟିଏ ସମସ୍ୟା—କିଏ କାହାର ଭଲ ପାଇବାକୁ କିପରି ଭାବରେ ଗ୍ରହଣ ଓ ପ୍ରତ୍ୟାଖ୍ୟାନ କରିଛି ।

 

ସାଧାରଣ ସଂସାରୀ ଜୀବନରେ ଏତେଗୁଡ଼ାଏ ଭଲ ପାଇବା କଥା ଏକାଠି ସବୁବେଳେ ସମ୍ଭବ ହୋଇପାରେ ନାହିଁ । କେବଳ ଡାକ୍ତରଖାନାର ସେବିକା ଜୀବନରେ ଏଇଟା ସମ୍ଭବ ।

 

ଦିନର କ୍ଳାନ୍ତି ଲୁଚିଯାଏ । ପ୍ରତ୍ୟେକଙ୍କ ମନରେ ସେ ଦିନର ସମସ୍ତ ଭାବର ଆଦାନପ୍ରଦାନ ତହିଁ ଆରଦିନପାଇଁ ସଜାଡ଼ି ହୋଇଯାଏ ।

 

କିଏ କେତେ ନାଁରେ କାହାକୁ ଡାକିଛି । ରୋଗୀର ରୋଗ ଯନ୍ତ୍ରଣା ଭିତରେ, ଡାକ୍ତରଖାନାର ଅସ୍ୱାଭାବିକ ରହଣି ଭିତରେ କିଏ କେମିତି ନିଜର ଭଲ ପାଇବା ଦେଖାଇଛି ।

 

ନିହାରବାଳାର ମନେ ପଡ଼ୁଥିଲା ସଞ୍ଜୟର ସେହି ଆଖି ଦୁଇଟି । ସେଥିରେ ଚାହାଣୀର ଉଗ୍ରତା ଥିଲା । କିନ୍ତୁ ବୁଦ୍ଧିର ପ୍ରଖରତା ନାହିଁ । ଏକାଗ୍ର ବିହ୍ୱଳତା ଥିଲା । କିନ୍ତୁ କବିତ୍ୱ ନାହିଁ । ଭଲ ପାଇବାର ସମସ୍ତ ଆବେଦନ ଥିଲା । କିନ୍ତୁ ସେଥିରେ ସଂସାରୀର ସମୀକ୍ଷା ନାହିଁ । ମୋଟ ଉପରେ ସେଥିରେ କୌଣସି ବିଶେଷତ୍ୱ ନ ଥିଲା—ଥିଲା ଖାଲି ଗୋଟାଏ ବୁକୁଥରା ଆକର୍ଷଣ ।

 

ନିହାରବାଳା ନିଜକୁ ଚାହିଁ ଆପଣା ମନକୁ ପଚାରିଥିଲା—ଆଜି ବି କ’ଣ ପାଇଁ ମୁଁ ଅପରିଚିତ ଲୋକକୁ ଏଡ଼େ ଶୀଘ୍ର ଅଭିଭୂତ କରିପାରୁଛି । ଏତିକି ସୌନ୍ଦର୍ଯ୍ୟ, ଏତିକି ଯୌବନ କ’ଣ ଅନ୍ୟକୁ ଏତିକି ବିହ୍ୱଳ କରିବା ସମ୍ଭବ...ନା, ନିହାରର ଭୁଲ ହୋଇଛି ।

 

ନ ଥିବା ଲୋକଟିର ସେହି ଚାହାଣୀ ନିହାର ଆଗରେ ନାଚି ଉଠିଥିଲା । ସେହି ଆଖି ଦୁଇଟି ଅନ୍ୟମାନଙ୍କଠାରୁ ଫରକ...ହେଲେ ବି ପିଲାଲୋକ । ଥରକର ଦେଖା । ହୁଏତ କିଛି ଗୋଟାଏ ବାଜେ କାରଣରୁ ମନରେ ଚଟକ ଲାଗିଯାଇଛି ।

 

ନିହାର ସେହି ନୂଆ ରୋଗୀଟିର କଥା ବନ୍ଧୁମାନଙ୍କୁ କହିଲା ନାହିଁ । ତାହାର କିଛି ବିଶେଷତ୍ୱ ନାହିଁ । ବିଶେଷତ୍ୱ ଥିବା ଲୋକର ଭଲ ପାଇବା ସିନା ପ୍ରଚାର କରାଯାଏ । ସେଥିରେ ସିନା ନିଜ ସୌନ୍ଦର୍ଯ୍ୟର ଗୌରବ ବଢ଼େ । କିନ୍ତୁ ବିଶେଷତ୍ୱ ନ ଥିବା ଲୋକର ଭଲ ପାଇବା ଗୌରବ ବଢ଼ାଏ ନାହିଁ । ମଣିଷକୁ ଇତର ଶ୍ରେଣୀକୁ ନେଇଯାଏ ।

 

ସହାନୁଭୂତିରେ ନିହାରବାଳା ସେହି ରୋଗୀଟି କଥା ଭାବିଥିଲା । ସେ ଯଦି ଜଣେ ଜଣାଶୁଣା ମାତବର ଲୋକ ହୋଇଥାନ୍ତେ, ତାଙ୍କରି କଥା କହିବାରେ ନିହାରବାଳାର ଆପତ୍ତି ରହନ୍ତା ନାହିଁ । ସେ ସମସ୍ତଙ୍କୁ ଡାକି ଫୁକାରି କହିଥାନ୍ତା...ମୋତେ ଅମୁକ ଲୋକ ଭଲ ପାଆନ୍ତି ।

 

କିନ୍ତୁ ସଞ୍ଜୟ ସେହି ଶ୍ରେଣୀର ବହୁତ ତଳେ । ଖଟିଆ ଉପରେ ଶୋଇ ସଞ୍ଜୟ ନିହାରବାଳାକୁ କଳ୍ପନା କରୁଥିଲା—ଆକାଶର ଚାନ୍ଦ, ପୋଖରୀର ଫୁଲ, ଆଉ ନାନାପ୍ରକାର ସୁନ୍ଦର ଜିନିଷ ସାଙ୍ଗରେ ସମାନ କରି । ସେମାନେ ଯେମିତି ସୌନ୍ଦର୍ଯ୍ୟ ଦେଖାଇଲାବେଳେ ପରିଚୟ କରନ୍ତି ନାହିଁ, ଯେତେ ଅଭିଭୂତ କଲେ ବି ଅନ୍ତରଙ୍ଗ ହୁଅନ୍ତି ନାହିଁ; ନିହାରବାଳା ହୁଏତ ସେହିପରି ପରିଚୟ କରିବ ନାହିଁ, ଅନ୍ତରଙ୍ଗ ହେବ ନାହିଁ, ସଞ୍ଜୟକୁ ଚିହ୍ନିବ ନାହିଁ । କିନ୍ତୁ ଏହିସବୁ ବିଚାର କରିବାର ଇଚ୍ଛା ଓ ଶକ୍ତି ସଞ୍ଜୟର ନ ଥିଲା ।

 

ପ୍ରଥମ ଦେଖାରୁ ସେ ଭଲ ପାଇଛି । ସେବିକାମାନଙ୍କ ବିଷୟରେ ସେ ଶୁଣିଥିଲା, ସେମାନେ ଭାରି ଭୁଲାଇ ପାରନ୍ତି । ମଧୁମୟ ଜୀବନକୁ ହତାହତରେ ଭରିଦେଇ ପାରନ୍ତି । କିନ୍ତୁ ନିହାରବାଳାକୁ ଦେଖି ଭଲ ପାଇଲାବେଳେ ନିହାରବାଳାର ବୃତ୍ତର ପରିଚୟ କୌଣସି ପ୍ରତିବନ୍ଧକ ଆଣି ନ ଥିଲା ।

 

ଭଲ ପାଇଲାବେଳେ ମଣିଷ ଏମିତି କାରଣ ଓ ପ୍ରମାଣ ନ ଥାଇ ଭଲପାଏ । ସଞ୍ଜୟର ମନେ ପଡ଼ୁଥିଲା ନିହାରବାଳାର ସେହି ଦେହ—ସେ ସର୍ବାଙ୍ଗରେ ସୁନ୍ଦର । ଠିଆ ହେଲାବେଳେ, ଚାଲିଲାବେଳେ, କଥା କହିଲାବେଳେ ସେ ସୁନ୍ଦର । କିନ୍ତୁ ନିଶ୍ୱାସ ମାରିଲାବେଳେ ସବୁଠାରୁ ସେ ବେଶି ସୁନ୍ଦର ।

 

ନିହାରବାଳାର ଯେଉଁ ଚିତ୍ର ସେ ଆଙ୍କି ଦେଇଥିଲା, ସେଇ ଛବିଟି ସଞ୍ଜୟକୁ ବାରମ୍ବାର ମୁଗ୍ଧ କରିଥିଲା । ଲୋକେ ହୁଏତ କହିବେ, ଏଥିରେ କାମନା ଓ ଲାଳସା ଭରି ରହିଥିଲା । କିନ୍ତୁ ସଞ୍ଜୟର କୌଣସି ଲାଳସା ସେଦିନ ସେହି ସଂଧ୍ୟାରେ, ତରୁଣର ଯାତ୍ରାପଥର ଆରମ୍ଭରେ ଦେଖା ଦେଇ ନ ଥିଲା । ଏହାର ସାକ୍ଷୀ ସେ ନିଜେ ।

 

ସଞ୍ଜୟକୁ ନୀରବ ରହିବାର ଦେଖି ପାଖ ରୋଗୀଟି ତାକୁ ପଚାରିଥିଲେ—ବହୁତ ବେଳ ଚୁପ୍‌ଚାପ୍‌ ରହି କ’ଣ ଭାବୁଛନ୍ତି ? ... ପଚାରିପାରେ କି ?

 

—କିଛି ନାହିଁ ।

 

ହସି ସେ ପୁଣି କହିଲେ—ନାହିଁ ଆପଣ ବୋଧହୁଏ ନିହାରବାଳା କଥା ଭାବୁଛନ୍ତି । ନୂଆ ଲୋକକୁ ସେ ସେମିତି ଦିଶେ । ଆଉ ସବୁ ପୁରୁଣା ଲୋକେ ତାହା ଉପରେ ବିରକ୍ତ ହୁଅନ୍ତି ।

 

ଅତି ଆଗ୍ରହରେ ସଞ୍ଜୟ ପଚାରିଲା—କାହିଁକି ?

 

—ଯେଉଁମାନଙ୍କୁ ପ୍ରଥମ ଦେଖାରେ ଭାରି ଭଲ ଲାଗେ ସେମାନଙ୍କୁ ବାରମ୍ବାର ଦେଖିଲେ ବଡ଼ ବିରକ୍ତ ଲାଗେ...ବହୁବାର ଦେଖିଲା ପରେ, ବହୁତ ସମୟ ଏକାଠି ମିଶିଲା ପରେ ଯେଉଁମାନଙ୍କୁ ମଣିଷ ଭଲ ପାଇପାରେ ସେହିମାନେ ହେଉଛନ୍ତି ତା’ର ମନର ମଣିଷ ।

 

ସଞ୍ଜୟ ଚାହିଁ ରହିଲା ସେହି ରୋଗୀଟିକୁ । ଉପରର ବିଜୁଳି ଆଲୁଅର ସାମାନ୍ୟ ଆଲୁଅରେ ସଞ୍ଜୟ ସ୍ପଷ୍ଟ କରି ସେହି ମୁହଁଟିକୁ ଦେଖିପାରୁ ନ ଥିଲା । ସେ ବି ଚାହିଁ ରହିଥିଲେ ସଞ୍ଜୟକୁ । ଖସଡ଼ା ବାଟରେ ହଠାତ୍‌ ପଡ଼ିଯାଇ ସଞ୍ଜୟ ଯେପରି ମାଟି କାଦୁଅର ଛିଟାରେ ଖରାପ ଦିଶୁଛି ।

 

ସେ ପୁଣି କହିଲେ—ନର୍ସ ଏମିତି ମସୃଣ ଯେ ଗୋଡ଼ ଦେଲେ ଗୋଡ଼ ଶିଉଳିକୁ ଚିହ୍ନିବା ଆଗରୁ ଖସିଯାଏ । ଆପଣ ନିଶ୍ଚୟ ନିହାରକୁ ଦେଖି ଅସୁବିଧାରେ ପଡ଼ିଛନ୍ତି...ମୁଁ ତାକୁ ଜାଣେ । ତାହାଠାରୁ ଦୂରରେ ରହିବେ । ନ ହେଲେ ଆପଣଙ୍କର ଭବିଷ୍ୟତ୍‌ ବଡ଼ ଦୁଃଖକର ହୋଇ ଉଠିବ ।

 

କପଟ ଉତ୍ସାହରେ ସଞ୍ଜୟ କହିଲା—ନର୍ସ ସାଙ୍ଗରେ ମୋର କି ସମ୍ବନ୍ଧ !

 

—ସେ କଥା ମୁଁ ଜାଣେ ନା । ମଣିଷର କାହାରି ସାଙ୍ଗରେ ସମ୍ବନ୍ଧ ନ ଥାଏ । କାରଣ ନ ଥାଇ ଲୋକେ ଆମର କ୍ଷତି କରିବାକୁ ଆସି ପହଞ୍ଚିଯାଆନ୍ତି । ଯେ ଯାହାର ଶକ୍ତି ଅନୁସାରେ ନେଇଯାଆନ୍ତି....ଆପଣଙ୍କର ବି ଆଖି ପଶିଯିବ । ମୁହଁ ଉପରର ସତେଜ ଶୁଭ୍ରତା ଊଣା ହୋଇଯିବ-। ମନର ସରଳତା କୁଟିଳ ହୋଇଯିବ । ଆପଣ ବି ଦିନେ ନିହାରକୁ ଘୃଣା କରି ମୋତେ ମଧ୍ୟ କହିପାରନ୍ତି ।

 

—ଘୃଣା କରିବି କାହିଁକି...ମୋର ଏତେ କ୍ଷତି ହେବ କାହିଁକି ?

 

—ଯେ ବହୁ ଲୋକଙ୍କୁ ଭଲପାଏ, ସେ ସମସ୍ତଙ୍କଠାରୁ ଘୃଣା ପାଏ । କାହରିଠାରୁ ଭଲ ପାଇବା ପାଇପାରେ ନାହିଁ । ଖୋଜୁଥିବା ପ୍ରୀତି ନ ପାଇଲେ ସେ ନିଜେ ସମସ୍ତଙ୍କୁ ଅଭିଶପ୍ତ କରିବାକୁ ଖୋଜେ । ଲୋକ ହସିଲେ ଅନ୍ୟକୁ ହସାଏ । କାନ୍ଦିଲେ ସେମିତି ଅନ୍ୟକୁ କନ୍ଦାଏ । ପ୍ରୀତି ପାଇଥିଲେ ଅନ୍ୟକୁ ଭଲପାଏ । ପ୍ରୀତି ହରାଇଥିଲେ ସମସ୍ତଙ୍କୁ ସେମିତି ବିଷାକ୍ତ କରିଦିଏ...ବହୁ ଲୋକଙ୍କୁ ଭଲ ପାଇବା ଲୋକ ଡାକ୍ତରଖାନାରେ ନର୍ସ ହେବାକୁ ଖୋଜେ ।

 

—ସତେ !

 

—ବଡ଼ ହେଲେ ଜାଣିବେ । ସାଧାରଣ ସ୍ୱାଭାବିକ ଅବସ୍ଥାର ଲୋକ ସାଧାରଣ ଭାବରେ ରହିବାକୁ ଚାହେ । ଅସ୍ୱାଭାବିକ ଲୋକ ଏମିତି ଅପ୍ରାକୃତିକ ହୋଇ ଚଳେ । ନିହାରବାଳା ସ୍ୱାମୀକୁ ଛାଡ଼ି ଏବେ ଏଇଠି ଡାକ୍ତରଖାନାରେ ଖଟିଆରୁ ଖଟିଆ ପାଖକୁ ଆସି ପ୍ରତ୍ୟେକ ରୋଗୀର ମୁହଁକୁ ଚାହିଁଛି । ନିଜର ସେହି ଅସ୍ୱାଭାବିକ ଭଲ ପାଇବାକୁ କାମରେ ଲଗାଉଛି...ଆଉ ସେ ସେମିତି ହୋଇ ନ ଥିଲେ ଆପଣଙ୍କ ପରି, ମୋ ପରି ଲୋକଙ୍କୁ ସେ ଏଡ଼େ ଶୀଘ୍ର ଭଲ ଲାଗନ୍ତା କେମିତି ?

 

—ମୁଁ ତ ମୋଟେ ତା’ କଥା ଭାବୁ ନାହିଁ ।

 

—ତାହାହେଲେ ଆପଣଙ୍କର ମଙ୍ଗଳ । ଏହି ନିହାର ପରି ଲୋକକୁ ଥରେ ଭଲ ପାଇଲେ ଆଉ ଆପଣ ତାକୁ ଛାଡ଼ି ପାରିବେ ନାହିଁ । ପୁଣି ଖାଲି ଭଲ ପାଇବା ପର୍ଯ୍ୟନ୍ତ ଏଇ ନିହାର ପରି ଲୋକେ ଆପଣଙ୍କ ପାଖରେ ଛଳନା ଦେଖାଉଥିବେ । ଠିକ୍‌ ଯେତେବଳେ ଆପଣ ସେମାନଙ୍କୁ ଭଲ ପାଇବା ଆରମ୍ଭ କରିଦେବେ, ଆଉ ତାଙ୍କର ଦେଖା ପାଇବେ ନାହିଁ...ସେମାନଙ୍କର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଏତିକି ।

 

ସଞ୍ଜୟକୁ ବିରକ୍ତ ଲାଗିଲା । କାଳେ ନିଜ କଥା ଖୋଲିଯିବ ବୋଲି ସେ ନିହାରବାଳାର କଥା ବନ୍ଦ କରି ଏଣୁ ତେଣୁ ଗପ ପକାଇଲା । କିନ୍ତୁ ତା’ର ମନ ଭିତରେ ସେ ନିହାରବାଳାକୁ ବହୁତ ବେଶି ଭଲ ପାଇଲା...ସମସ୍ତେ ଯଦି ତୁମକୁ କହୁଛନ୍ତି ଖରାପ, ତାହାହେଲେ ତୁମେ ଭଲ...ଯାହାକୁ ସବୁଦିନେ ଧରି ରଖିବା ସମ୍ଭବ ନୁହେଁ, ସେହି ପ୍ରକାରର ଲୋକକୁ ଭଲ ପାଇବାରେ ଗୌରବ ଅଛି-। କ୍ଷତି ଥାଇପାରେ ।

 

ନର୍ସ ହଷ୍ଟେଲର ଧଳା ବିଛଣା ଉପରେ ଅଧା ଆଉଜି ନିହାରବାଳା ଅତ୍ୟନ୍ତ ସହାନୁଭୂତି ସହିତ ସଞ୍ଜୟ ବିଷୟରେ ଭାବିଥିଲା...ପ୍ରକୃତରେ ନିହାର ବଡ଼ ଦୁଃଖୀ । ସେ ଏମିତି କାରଣ ନ ଥାଇ ଲୋକଙ୍କୁ ବିଚଳିତ କରେ । କିଛି କଥା ନ ଥିଲା । ଦିଗମ୍ବରଙ୍କ ସାଥିରେ ଦି’ପଦ କଥା ହୋଇ ସେ ଯାଇ ତାଙ୍କରି ଘରେ ରହିଥିଲା । ଆହା ଦିଗମ୍ବର ଲତାକୁ କି କୈଫିୟତ ଦେବେ—ସେଇ କଥା ଭାବୁଥିବେ । ଭଲ ପାଇବାର ମୁଲ ଦେଇ ନ ଥିଲେ, ଦେବାକୁ ଚେଷ୍ଟା କରିବେ ।

 

ଆପଣା ମନକୁ ହସି ସେ ଭାବିଥିଲା—ସ୍ୱାର୍ଥପର ଲୋକେ ଦାମ୍‌ ନ ଦେଇ ଜିନିଷ କିଣିବାକୁ ଭଲ ପାଅନ୍ତି । କଷ୍ଟ ନ ସହି ଭଲ ପାଇବାକୁ ଚେଷ୍ଟା କରନ୍ତି । ସବୁଠାରୁ ସୁନ୍ଦର ମନୋହର ଲୋକକୁ ନିଜର କରିବାକୁ ଚାହାନ୍ତି...ଦିଗମ୍ବର ବି ଚାହିଁଥିଲେ । ଏଣେ ନିଜର ଛୋଟିଆ ସଂସାରକୁ ଠିକ୍‌ ସେମିତି ସଜେଇ ରଖିବାକୁ ଚାହାନ୍ତି । ସବୁ ନେଇ କିଛି ନ ଦେବାକୁ ଚେଷ୍ଟା କରନ୍ତି-

 

ପୋଡ଼ିଯାଉ ତାଙ୍କର ସଂସାର । ସେ ସଂସାର ରହିଲେ କି ଗଲେ ନିହାରର କ’ଣ ଯାଏ ଆସେ । ନିହାର ପ୍ରତି ସହାନୁଭୂତିରେ କେହି କିଛି କରିନାହିଁ । ମନ ଟାଣି ହେଲେ ସାହାଯ୍ୟ କରିବା ଆରମ୍ଭ କରନ୍ତି । ସେ ସାହାଯ୍ୟ ତ ପ୍ରୀତି ନୁହେଁ । ...କିନ୍ତୁ ସଞ୍ଜୟ ଦିଗମ୍ବରଠାରୁ ଅଲଗା, ବଳରାମଙ୍କଠାରୁ ଅଲଗା । କଅଁଳ ଛନ ଛନ ମୁହଁଟି ବାରମ୍ବାର ଦେଖା ଦେଉଥିଲା । ଦେହର ଓ ବୟସର କୋମଳତା ଛଡ଼ା ତା’ର ଆଉ କିଛି ସମ୍ପଦ ନାହିଁ । ବିହ୍ଵଳ ବିମୋହିତ ହେବା ଛଡ଼ା ସେ ଆଉ କିଛି କରିପାରି ନାହିଁ । ଚାହାଣୀର ଅଧୀରତା ଛଡ଼ା ଆଉ କିଛି ଦେଇପାରି ନାହିଁ । କିନ୍ତୁ ସେଇ ଆଖିରେ ଥିଲା ସର୍ବସ୍ୱ ଦାନର ଇଙ୍ଗିତ ।

 

ଯାହାର କିଛି ନାହିଁ ସେ ସବୁ ଦେଇପାରେ । ଯାହାର ସବୁ କିଛି, ସେ କିଛି ଦେଇପାରେ ନାହିଁ । କିଛି ନ ଥିବା ଲୋକକୁ କହି ପଚାରନ୍ତି ନାହିଁ ।

 

ରାତି ପାହିବାର ଢେର ଆଗରୁ ସଞ୍ଜୟ ଉଠି ନିହାରବାଳା କଥା ଭାବୁଥିଲା । ...ନିହାର ଆସିବ । ଆଜି ସେ ନିହାରକୁ ଭଲ କରି ଦେଖିବ । ଆଗ ଦିନ ସେ ଶୋଇଥିଲା । ନିହାର ତା’ର ଜର ଦେଖିନାହିଁ । ଆଉ ତାକୁ ଭାବିବାକୁ ଗୋଟାଏ ରାତି ଦେଇଯାଇଛି...ଭାରି ଦୁଷ୍ଟ ସେ ।

 

ସକାଳୁ ଉଠି ଦର୍ପଣ ପାଖରେ ଆଗ ଦିନର ସୌନ୍ଦର୍ଯ୍ୟକୁ ମନ ଭିତରେ ତୁଳନା କଲାବେଳେ ନିହାରବାଳାକୁ ସୁଖ ଲାଗିଲା ନାହିଁ...କାଲିଠାରୁ ସେ ଖରାପ ଦିଶୁଛି । ତେଇଶ ଓ ଚବିଶ ନମ୍ବର ରୋଗୀ ଦୁଇଟି ନିହାରକୁ ଦେଖିଲେ ଖୁସି ହେବେ ନାହିଁ । ନିହାର ତାଙ୍କୁ ପୁରୁଣା ପୁରୁଣା ଦିଶିବ ।

 

ତାକୁ ଭଲ ଲାଗିଲା ନାହିଁ । ପ୍ରତିଦିନ ସେ ଯଦି ନୂଆ ପ୍ରକାରର ନ ଦିଶିଲା, ତେବେ ଭଲ କ’ଣ ହେଲା ! ସ୍ୱାଧୀନ ଜୀବନରେ ସେ ଯଦି ସବୁବେଳେ ଆଉ ସବୁଦିନେ ନିଜକୁ ନୂଆ ପ୍ରକାରର କରି ନ ପାରିଲା, ତେବେ ସେପରି ସ୍ୱାଧୀନ ଜୀବନ ଥାଇ ଲାଭ କଣ ? ପୁରୁଣାରୁ ନୂଆ ହେବାକୁ ସେ ବଳରାମଙ୍କର ପରାଧୀନତାର ବନ୍ଧନ କାଟିଦେଇ ଡାକ୍ତରଖାନାର ରୋଗୀଙ୍କ ମେଳରେ ଆସି ପହଞ୍ଚିଛି—ଆର୍ତ୍ତ ଓ ଦୁଃସ୍ଥଙ୍କ ସେବାରେ ଯୌବନର ବଳକା ସମୟତକ ସେ କଟେଇବ ବୋଲି ।

 

ସୁଟକେଶ୍‌ ଖୋଲି ଭିତରକୁ ଚାହିଁଲା । ଆଖିକୁ ଭଲ ଦିଶିଲାପରି ଲୁଗା ଅଛି । କିନ୍ତୁ ଡାକ୍ତରଖାନାରେ ପିନ୍ଧିବା ମନା । ପୋଷାକ ଓ ଗହଣାର ନୂତନତା ଓ ସୌନ୍ଦର୍ଯ୍ୟରେ ରୋଗୀମାନଙ୍କୁ ଚଞ୍ଚଳ କରିବା ଡାକ୍ତରଖାନାର କଟକଣା ବିରୋଧି । ସିଷ୍ଟର କହିଥିଲେ—ରୋଗୀ ଯେପରି ତମର ସେବା ଗ୍ରହଣ କରେ ସେତିକି ତାଙ୍କୁ ଭଲ ପାଇବ । ଗୁଡ଼ାଏ ଏଣୁ ତେଣୁ କାମ କରି ରୋଗୀଙ୍କୁ ଉତ୍ତେଜିତ କରିବ ନାହିଁ ।

 

ଡାକ୍ତରଖାନାରେ ଦୁଇ ପ୍ରକାରର ଲୋକ ଦେଖା ଦିଅନ୍ତି । ଦଳେ ହେଉଛନ୍ତି ରୋଗୀଙ୍କର ପ୍ରିୟଜନ । ଭଲ ବେଶ ପୋଷାକ ହୋଇ ରୋଗୀ ଦେଖିବା ବାହାନରେ ନିଜକୁ ଦେଖାଇବାକୁ ଆସି ପହଞ୍ଚନ୍ତି । ସେମାନେ ମଧ୍ୟ ସବୁବେଳେ ବିହ୍ୱଳ । ଭୁଲ୍‌ କରିବାକୁ, ଖସିଯିବାକୁ, ପଡ଼ିଯିବାକୁ ଆଉ ଅନ୍ୟକୁ ଭୁଲ କରିବାକୁ, ଖସାଇବାକୁ ଆଉ ତଳେ ପକାଇ ଦେବାକୁ ମନରେ ବହୁ କୁପାଞ୍ଚ ନେଇ ଆସନ୍ତି ।

 

ନର୍ସ ହଷ୍ଟେଲରେ ଏମିତି ବର୍ଷ ବର୍ଷ ତାଙ୍କର କଥା ପଡ଼ିଛି ବୋଲି ପୁରୁଣା ଲୋକେ କହୁଛନ୍ତି । ରୋଗୀ ଭଲ ହେଲା ପରେ ଡାକ୍ତରଖାନାକୁ ଫେରେ । ଡାକ୍ତରଖାନାକୁ ରୋଗୀ ହୋଇ ଆସେ । ରୋଗୀ ହୋଇ ଆସିଲାବେଳେ ତା’ର ବନ୍ଧୁ ଓ ପ୍ରିୟ ଲୋକେ ଆସନ୍ତି । ଡାକ୍ତର ଆଉ ଡାକ୍ତରଖାନାର କର୍ମଚାରୀଙ୍କୁ ଛାଡ଼ିଲେ ଏଇ ଏତିକି ହେଲେ ବାହାରର ଲୋକ । ଏମାନଙ୍କ ଆଖି ଥାଏ ନର୍ସ ଉପରେ ।

 

ନର୍ସର ଚରିତ୍ର ନାହିଁ ବୋଲି ଚାରିଆଡ଼େ ଖବର । ସଚ୍ଚରିତ୍ର ଲୋକେ ନିଜକୁ ଚରିତ୍ରହୀନ କରିବାକୁ ଦାମିକା ଲୁଗା ପିନ୍ଧି, ଦାମିକା ଘଡ଼ି, କଲମ ଆଉ ଯୋତା ମଡ଼ାଇ ରୋଗୀମାନଙ୍କୁ ଉପଲକ୍ଷ୍ୟ କରି ନର୍ସମାନଙ୍କୁ ଦେଖିବାକୁ ଆସନ୍ତି ।

 

ଏଇଟା ଜଣାଶୁଣା କଥା । କିନ୍ତୁ କେହି କାହାରିକୁ ଦୋଷ ଦେଇପାରିବେ ନାହିଁ । ସିଷ୍ଟରମାନେ ଯେତେ ବିରକ୍ତ ହେଲେ ବି ଏଇ ଗୋଟିଏ କଟକଣା କରାଯାଇ ପାରିବ ନାହିଁ । ସକାଳ ଓ ଉପର ଓଳି ଦିନରେ ଦୁଇଥର ସେମାନେ ଡାକ୍ତରଖାନାରେ ବୁଲନ୍ତି । ସକାଳ ଓଳି ସମୟଟା ସୁବିଧା ନୁହେଁ—ଦି’ପହରିଆ । ସେତେବେଳେ ବି ନର୍ସମାନେ ଛୁଟିରେ ଥାଆନ୍ତି ।

 

କିନ୍ତୁ ଉପରଓଳି ନର୍ସମାନଙ୍କର ଗତିବିଧି ଲକ୍ଷ୍ୟ କରିବାକୁ ଏଇ ବୁଦ୍ଧିମାନ୍‌ ଓ ଚତୁର ଲୋକେ ଯା’ଆସ କରନ୍ତି । ବିକଳ ଓ ରଙ୍କ ଚାହାଣୀ ପ୍ରତ୍ୟେକ ସୁନ୍ଦରୀ ନର୍ସ ଉପରେ ବାରମ୍ବାର ବୁଲିଯାଉଥାଏ । ସେମାନେ ସମସ୍ତେ କଥା ହେଉଥାଆନ୍ତି—ନର୍ସମାନଙ୍କର ଚରିତ୍ର ବିଷୟରେ । ଚରିତ୍ରହୀନାଙ୍କୁ ଆଉରି କଳଙ୍କିତ କରିବାକୁ ଧନ, ଯୌବନ ଓ କ୍ଷମତାର ସବୁ ପ୍ରଲୋଭନ ଓ କୁଟିଳ ବୁଦ୍ଧିର ସବୁ ସାଜସରଞ୍ଜାମ ନେଇ ସେହିମାନେ ଡାକ୍ତରଖାନାକୁ ପ୍ରେମତୀର୍ଥ ବୋଲି ଭାବି ଡାକ୍ତରଖାନା ଆରମ୍ଭରୁ ଏମିତି ଆସୁଛନ୍ତି ଓ ଆସିବେ ।

 

ତାଙ୍କର ସବୁ ପ୍ରଲୋଭନ ଏଡ଼ାଇ ଗୋଟିଏ ଯୁବତୀ ନର୍ସକୁ ତା’ର ଶିକ୍ଷା ଓ ଚାକିରି ଭିତରେ ଗୋଟାଏ ଯୌବନ ପାର କରାଇ ଦେବା ବଡ଼ ଦୁଃସାଧ୍ୟ । ପ୍ରତିଦିନ ଅତର୍କିତ ଅବସ୍ଥାରେ ବିଭିନ୍ନ ପ୍ରକାରର ଲୋକ ବିଭିନ୍ନ ସମୟରେ ନିହାରବାଳା ପରି ଅନଭିଜ୍ଞ ଓ ଅଭିଜ୍ଞ, ସରଳ ଓ ଜଟିଳ ନାରୀମାନଙ୍କୁ ତାଙ୍କର ଶୃଙ୍ଖଳାର ଭୟହୀନ ବାଟରୁ ଖସାଇ ନେବାକୁ ଚେଷ୍ଟା କରିଆସୁଛନ୍ତି ।

 

ନିହାରବାଳା ସେହି ସମସ୍ତଙ୍କ କଥା ଭାବିଥିଲା । ତା’ର ମନ ହେଉଥିଲା ଯେ ଅତି ଅଧିକ ସୌନ୍ଦର୍ଯ୍ୟ ହେଉଛି ନାରୀର ରକ୍ଷା-କବଚ । ନାରୀର ସୌନ୍ଦର୍ଯ୍ୟ ଯେମିତି ତାହାରି ଆଡ଼କୁ ଲୋଲୁପ ଦୃଷ୍ଟି ଟାଣିଆଣେ ସେମିତି ସେଇ ମୁଗ୍ଧ ଲୋକଙ୍କୁ ତା’ର ଚାରିଆଡ଼େ ପ୍ରହରୀ କରି ରଖିଦିଏ । କିନ୍ତୁ ଅସୁନ୍ଦର ବା ଅଳ୍ପ ସୁନ୍ଦର ନାରୀଙ୍କର କେହି ଜଗୁଆଳ ନାହିଁ ।

 

ଛାଡ଼ି ଆସିଥିବା ଜୀବନର ଛୋଟ ବଡ଼ କଥା ନିହାରବାଳାର ମନରେ ନାଚି ଯାଉଥିଲା । ପରିବାର ଭିତରେ ଟିକିଏ ବାହାରକୁ ମନ ବଳାଇଲେ ପରିବାରର ସମସ୍ତେ ଏକାଠି ହୋଇ ଅଜାଡ଼ି ହୋଇପଡ଼ନ୍ତି । ସେମାନେ ସମସ୍ତେ ଚରିତ୍ରକୁ ନିର୍ମଳ କରାଇ ନ ପାରିଲେ ବି ମଳିନମୁକ୍ତ ରଖିବାକୁ ବହୁତ ଗର୍ଜନତର୍ଜନ କରନ୍ତି ।

 

ସେଇ ଜୀବନର କାଇଦା କଟକଣା ନିହାରବାଳା ସମ୍ପୂର୍ଣ୍ଣଭାବରେ ମାନି ପାରି ନ ଥିଲା ବୋଲି ସମସ୍ତେ ନିହାରବାଳାକୁ ଟିକିଏ ଟିକିଏ ଠେଲୁ ଠେଲୁ ଆଣି ପହଞ୍ଚାଇ ଦେଲେଣି ଡାକ୍ତରଖାନା ହତା ଭିତରେ । ଡାକରେ ଯାଉଥିବା ଚିଠି ପରି ସେ କେତେ ହାତ ଦେଇ ବୁଲି ଆସିଲାଣି । ସମସ୍ତେ ଯେପରି ଚାହାନ୍ତି ଭଲ ପାଇବାର ମୋହରଟିଏ ଦେଇ ନିଜର ଅଧିକାର ଜାହିର କରିଦେଇ ନିଜ ନିଜ କାମରେ ଯିବେ ।

 

ମଣିଷର ରକ୍ତ ଏତିକି ଉଷୁମ ଥାଇ କି ବିଭ୍ରାଟ ନ କରେ ! ରୋଗୀମାନଙ୍କର ଉତ୍ତାପ ମାପିଲାବେଳେ ନିହାରବାଳା ମନରେ ବାରମ୍ବାର ସେଇ ଗୋଟିଏ କଥା ଆସିଛି—ଉତ୍ତାପ ଟିକିଏ ବଢ଼ିଲେ ଜର । ଟିକିଏ କମିଲେ ସନ୍ନିପାତ । ଆଉ ଯେତିକି ରହିବା କଥା ସେତିକି ରହିଲେ ହେଉଛି ସ୍ୱାସ୍ଥ୍ୟ ଓ ଜୀବନ ।

 

ଆଉ ସେ ଜୀବନ ସବୁବେଳେ ଅନ୍ୟର ଦେହର ଓ ମନର ଉତ୍ତାପ ସାଙ୍ଗରେ ନିଜର ଉଷ୍ଣତାକୁ ପରୀକ୍ଷା କରିବା ସକାଶେ ପାଖେଇ ଆସିବାକୁ ବଡ଼ ଉତ୍ସାହୀ । ଦିଗମ୍ବର, ବଳରାମ ଯାହା ଅନ୍ୟମାନେ ମଧ୍ୟ ସେୟା । ନିହାରବାଳା ରୋଗୀ ନୁହେଁ ବୋଲି ତା’ର ଉତ୍ତାପ ବେଶି କି କମ୍‌ ହୋଇ ନ ଥିବାରୁ ସମସ୍ତେ ନିହାରବାଳାର ହସ ଖୋଜୁଛନ୍ତି ।

 

ଡାକ୍ତରଖାନାକୁ ଆସି ସେ ଦେଖିଥିଲା କଙ୍କାଳ । କଙ୍କାଳର ହସ କାହାରିକୁ ଭୁଲାଏ ନାହିଁ । ଚବିଶ ନମ୍ବର ରୋଗୀ ନିହାରବାଳାକୁ ପରିଚୟ ନ ଦେଇ ତା’ରି ଉପରେ ଅଧିକାର ଦେଖାଇଥିଲେ..ହୁଏତ କହୁଥିବେ ସମସ୍ତଙ୍କୁ ନିହାରର ଇତିହାସ ।

 

ସେତିକି ଲୁଚାଇବ ବୋଲି ନିହାରବାଳା ଏତେ ଦୂର ଆସିଥିଲା । ସ୍ୱାଧୀନ ହୋଇ ରହିବ । ଖଟିବ ଓ ଖାଇବ । ପାଞ୍ଚ ଲୋକଙ୍କର ଉପକାରରେ ଲାଗିବ । ସବୁ ଠିକ୍‌ ଥିଲା । ଖାଲି ଏତିକି ଅସୁବିଧା ଛାଡ଼ି—ଅପରିଚିତ ଲୋକେ ପରିଚିତ କରିବାକୁ ଚାହୁଁଛନ୍ତି ।

 

ମନର ପରିଚୟ ନୁହେଁ—ଦେହର ପରିଚୟ । ନିହାରବାଳାର ପରିଚୟ ନୁହେଁ, ତା’ର ଯୌବନ, ସୌନ୍ଦର୍ଯ୍ୟ ଆଉ ପ୍ରୀତିର ପରିଚୟ ।

 

ମନେ ମନେ ସେ ଗୀତା, ଆଶା ଆଉ ଅନ୍ୟମାନଙ୍କୁ ମନେ ପକାଇଥିଲା । ସମସ୍ତେ ସେମିତି ବ୍ୟଗ୍ର-ଲାଳସା, କାମନା-ଦୀପ୍ତ ଆଖି, ପ୍ରବଞ୍ଚନାଭରା ସ୍ୱର ଶୁଣିଛନ୍ତି ଓ ଶୁଣୁଛନ୍ତି । ନିହାର ବି ଶୁଣିବ ।

 

ଏଇ ସଦାନନ୍ଦ ଆଉ ସଞ୍ଜୟ ପରି ଲୋକେ ନିହାରବାଳାର ଚିତ୍ତ ନେବାକୁ ଆସିବେ । ଡାକ୍ତରଖାନାକୁ ଗାରଦଖାନା ପରି ଅଭିସାର-କାରଖାନା କୁହାଗଲେ କେଡ଼େ ଭଲ ନ ହୁଅନ୍ତା ! ଆଉ ସେମାନଙ୍କୁ ସେବିକା ବୋଲି ଡାକି ଗୌରବ ନ ଦେଇ ଅଭିସାରିକା ବୋଲି କହିଲେ କ’ଣ ବା କ୍ଷତି ସେବିକାମାନଙ୍କର ହୁଅନ୍ତା । ...ହୋଇପାରିବ ନାହିଁ ।

 

ଲୋକଙ୍କୁ ଖରାପ ଦିଶିବ । ଖରାପଟାକୁ ଖରାପ ବୋଲି ସେମାନେ ଗ୍ରହଣ କରିପାରିବେ ନାହିଁ । ଗୋଟାଏ ଭଲ ନାଁ ଦେଇ ମାଟି ଢଙ୍କା ହୋଇଥିବା ଅଳିଆ ଗଦା ପରି ତାଙ୍କୁ ରଖିଥିବେ ।

 

ଏୟା ତ ! ତେବେ ମନର ସବୁ ଆବର୍ଜନାକୁ ଓ ଦେହର ସମସ୍ତ ବିକାରକୁ ବାହାରର ସାଜସଜ୍ଜାରେ ଢାଙ୍କି ଓଠ ଓ ଆଖିରେ ହସ ଖେଳାଇ ବୁଭୁକ୍ଷିତ ଆଖି ଆଉ ବୁଭୁକ୍ଷିତ ମନକୁ ଦୂରରେ ରଖିବାର ସବୁ କୌଶଳ ନିହାରବାଳାକୁ ଓ ତା’ରି ପରି ଅନ୍ୟମାନଙ୍କୁ କରିବାକୁ ହେବ ।

 

ସିଷ୍ଟର ତାଗଦା କରି କହିଛନ୍ତି, ଭଲ ସେବିକା ହେବାକୁ ହେଲେ ରୋଗୀଙ୍କୁ ଘୃଣା କରିବ ନାହିଁ । ରୋଗୀଙ୍କୁ ଭଲ ପାଇଲେ ରୋଗୀର ସମସ୍ତ ପ୍ରିୟଜନଙ୍କୁ ମଧ୍ୟ ଘୃଣା କରିପାରିବ ନାହିଁ । ଏଇ ଦୁରୂହ ବାଟରେ ନିଜକୁ କଳଙ୍କିତ କରିବ ନାହିଁ ।

 

ସଂସାର ସବୁ ସହିପାରେ । କିନ୍ତୁ ଭଲ ପାଇବାର କଳଙ୍କ ଦାଗ ସହିପାରେ ନାହିଁ । ସ୍ୱାଧୀନ ମନରେ ଅନ୍ୟକୁ ଭଲ ପାଇବା ହେଉଛି ସଂସାରର କଳଙ୍କ । ସେହି କଳଙ୍କଠାରୁ ଦୂରରେ ରହିବାକୁ ନିହାରବାଳା ଡାକ୍ତରଖାନାକୁ ଆସିଥିଲା । ଆଉ ସେଠି ସେହି କଳଙ୍କର ପାହାଡ଼ ତା’ର ଭୀଷଣ ରୂପ ଦେଖାଇ ଠିଆ ହୋଇଛି ।

 

ସିଭିଲ୍‌ ସର୍ଜନଙ୍କ ସହିତ ଦେଖା ହେବା ଦିନଠାରୁ ସେଇ କେତେ ଦିନ ସେ ଯେତେ ଜଣଙ୍କ ପାଖ ଦେଇ ଯାଇଛି ସେମାନେ ପ୍ରତ୍ୟେକ ନିହାରବାଳାର ନାରୀତ୍ୱ ପରୀକ୍ଷା କରିବାକୁ ଚେଷ୍ଟା କରିଛନ୍ତି । ଆଉ ଏଇଟା ଠିକ୍‌ ନୁହେଁ ବୋଲି ସମସ୍ତେ କହିଛନ୍ତି ।

 

ଅସଂଲଗ୍ନ ଭାବନା ଘଡ଼ି ଉପରୁ ଧୀରେ ଧୀରେ କଣ୍ଟା ଠେଲୁଛି । ନିହାରବାଳା ଜାଗ୍ରତ ହୋଇଉଠିଲା । ଭାବନାରେ ଲାଭ ନାହିଁ । ଗୋଟିଏ ଦିନ ଅଛିଣ୍ଡା କାମର ତାଲିକା ଆଣି ଠିଆ କରୁଛି । ବାହାରକୁ ବାହାରିଲେ ସାଜି ହେବାକୁ ହେବ । ଡାକ୍ତରଖାନା ଯିବାକୁ ହେବ । ରୋଗୀଙ୍କ ଦେହରେ ହାତ ଦେବାକୁ ହେବ । ଆଉ ସେଥିଭିତରେ ନିଜକୁ ବିପଥଗାମୀ କରିବାର ସ୍ୱାଧୀନତା ରହିବ ନାହିଁ ।

 

ସମସ୍ତେ ହେଉଛନ୍ତି ରୋଗୀ । ସମସ୍ତେ ସମାନ । ସମସ୍ତଙ୍କ ପାଖରେ ଏକାପରି ହସିବାକୁ ହେବ । ମୁହଁ ଶୁଖାଇଲେ ଚଳିବ ନାହିଁ । ଧୀର ପ୍ରକୃତିସ୍ଥ ହୋଇ ଦିନକର କାମ ଛିଣ୍ଡାଇଲେ ପୁଣି ତହିଁଆର ଦିନର କାମ ଦେଖା ଦେବ । ଏମିତି ଚାଲିଥିବ ଗୋଟିଏ ପରେ ଗୋଟିଏ ଦିନ । ପଢ଼ା ସରିଲେ ଚାକିରି...

 

ତେବେ ସେ ନିଜକୁ ନୂଆ କରି ସଜାଇବ ନାହିଁ କାହିଁକି ? କୁତ୍ସିତ କଦାକର ଜିନିଷକୁ ସମସ୍ତେ ଯଦି ସୁନ୍ଦର ନାମ ଓ ପୋଷାକ ଦେଇ ଭଲ ବୋଲି ଦେଖାଇବାକୁ ଚେଷ୍ଟା କରୁଛନ୍ତି, ସେ ନିଜେ ସେଥିରୁ ଅଲଗା ହୋଇ ଠିଆ ହେଲେ କ’ଣ ବା ସୁବିଧା ହେବ ! ତାକୁ ଦେଖି ରୋଗୀ କ’ଣ ଭାବି ପାରନ୍ତି...ଭାବିବେ ତ ସେ ସୁନ୍ଦର...ଭାବିବେ ତ ସେ କଳଙ୍କିନୀ ଓ ଚରିତ୍ରହୀନା ।

 

ସଂସାରରେ ସୁନ୍ଦର ହେଉଛନ୍ତି ଏଇ କଳଙ୍କିନୀ ଓ ଚରିତ୍ରହୀନାମାନେ । ସୌନ୍ଦର୍ଯ୍ୟର ସୁବାସ ହେଉଛି ଚରିତ୍ରହୀନତା । ନିହାରବାଳା ହସିଥିଲା—ସେ ଟିକିଏ ଚରିତ୍ରହୀନା ହେବାକୁ ଇଚ୍ଛା କରିଥିଲା । ଏବେ ସେ ଚରିତ୍ରହୀନତା ଭିତରେ ନିଜକୁ ସଚ୍ଚରିତ୍ର ରଖିବ ।

 

ଉଞ୍ଚା ପାହାଡ଼ ପରି ତା’ର ଆଖି ଆଗରେ ତା’ର ସେହି ଅନିଶ୍ଚିତ ଖସଡ଼ା ଜୀବନ ତାକୁ ଦିଶୁଥିଲା । ନିଜକୁ ସତେଜ ଓ ସୁନ୍ଦର କରି ସେ ସମସ୍ତଙ୍କର ପ୍ରଶଂସା ଓ ପ୍ରୀତିକୁ ଆଡ଼େଇ ଦେବ ସେମିତି ହସି ହସି । ହସି ଭିତରେ ସେ ଯେମିତି ତାଙ୍କୁ ନିଜ ଆଡ଼କୁ ଟାଣି ଆଣିବ, ପୁଣି ସେମିତି ସେଇ ହସରେ ସେ ସେମାନଙ୍କୁ ଦୂରରେ ରଖିବ । ସେଥିରୁ ସେ ନେବ ବଳରାମ ଓ ତାଙ୍କରି ଜାତି ଉପରେ ପ୍ରତିଶୋଧ ।

 

ସଞ୍ଜୟ କଥା ମନେ ପଡ଼ିଲା । ସେ ଯେମିତି ଆଗ୍ରହରେ ତାକୁ ଚାହିଁଥିଲା । ସେଇ ଆଗ୍ରହରେ ଯେପରି ସବୁଦିନେ ସେ ତାକୁ ଚାହୁଁଥିବ । ନିହାରବାଳାର ଆକର୍ଷଣ ଓ ଆଘାତ ସଞ୍ଜୟକୁ ସେମିତି ତନ୍ମୟ କରି ରଖିଥିବ । ସଞ୍ଜୟ ପାଖରେ ସେ ପୁରୁଣା ହେବ ନାହିଁ । ଦିନେ ସେ ସଦାନନ୍ଦ ପରି ଛୁଟି ନେଇ ଚାଲିଯିବ । ଗଲାବେଳେ ଦେଖା ହେବ ନାହିଁ ।

 

ଅତି ଅଳ୍ପ ଦିନର ସଂସାର । ତା’ରି ଭିତରେ ଆଉରି ହାତଗଣତା କେଇଟା ଦିନର ବେଭାର । ସେତିକିରେ ସେ ଯିବ । ପୁଣି ତେଇଶ ନମ୍ବର ଖଟିଆକୁ ନୂଆ ଲୋକ ଆସିବେ...ଆସୁଥିବେ ।

 

ପ୍ରାଣହୀନ ପଦାର୍ଥ ପରି ସେଇ ହସ ହସି ସେଇ ଭଲ ପାଇବାର ସାଜ ଦେଖାଇ ନିହାରବାଳା ସେମାନଙ୍କୁ ପାଛୋଟି ଆଣିବ ଆଉ ବିଦାୟ ଦେବ । —ଏୟା ହେଉଛି ତା’ର ଜୀବନ-

 

ତେବେ ସେ ନିଜକୁ କାହିଁକି ନୂଆ କରି ସଜେଇବ ନାହିଁ ? ଏକା ସଞ୍ଜୟ କାହିଁକି ଆଉ ଅନ୍ୟ ଲୋକେ କ’ଣ ଠିକ୍‌ ସଞ୍ଜୟ ପରି ଦେଖା ଦେବେ ନାହିଁ ?

 

ନିହାରବାଳା ମୁଣ୍ଡକୁ ଅଲଗା ପ୍ରକାରରେ କୁଣ୍ଡାଇଲା ।

 

ବେଳ ହୋଇ ଆସିଲାଣି । ପୁଣି ସେହି ପୁରୁଣା ଲୋକଙ୍କୁ ଦେଖିବାକୁ ମନ ଭିତରେ କୁମାରୀସୁଲଭ ଆବେଗ ନେଇ ନିହାରବାଳା ଡାକ୍ତରଖାନାରେ ପହଞ୍ଚିଲାବେଳେ ମୁଣ୍ଡରେ ଖୋଷିବ ବୋଲି ଦୁଇଟି ଫୁଲ ବଗିଚାରୁ ଛିଣ୍ଡାଇ ଆଣିଥିଲା ।

 

ବାଟରେ ଆସିଲାବେଳେ ସେଇ ଫୁଲ ଦୁଇଟିକୁ ଜୂଡ଼ାରେ ଖୋଷି ନିଜକୁ ସନ୍ତୁଷ୍ଟ କରିଥିଲା—କେହି ପଛେ ନ ଦେଖୁ, ଗୀତା ଦେଖିଛି ଯା’ଆସ କରୁଥିବା ଲୋକେ ଅନ୍ୟମନସ୍କ ହୋଇ ଚାହିଁଛନ୍ତି ।

 

ଓ୍ୱାର୍ଡ଼ର ଫାଟକ ପାଖରେ ନିହାରବାଳା ଫୁଲ ଦୁଇଟିକୁ ଖସାଇ ନେଲା—ଏଣିକି ଏଇଟା ମନା । ଓ୍ୱାର୍ଡ଼ରେ ଗୋଡ଼ ଦେଇ ସିଷ୍ଟରଙ୍କ କୋଠରୀକୁ ଯିବା ପୂର୍ବରୁ ଆଗ ସେ ସେଇ ଚିହ୍ନା ରୋଗୀ ଦୁଇଟିଙ୍କର ବିଛଣା ପାଖରେ ପହଞ୍ଚି ହସି ନମସ୍କାର କରି କହିଲା—ଏଇ ଦୁଇଟି ଆଣିଥିଲି-

 

ଦୁଇ ଜଣଙ୍କର ମୁହଁ ହସି ଉଠିଲା । ନିହାରବାଳାର ଫୁଲ ଦୁଇଟିକୁ ଚାହିଁ ଦିହେଁ ଚାହିଁଥିଲେ ନିହାରକୁ । ଦୁହେଁ ଦେଖୁଥିଲେ ସେଇ ମୁହଁଟିରେ ଅସୀମ ସ୍ନେହ ।

 

ସେମାନଙ୍କର ସେଇ ଚାରୋଟି ଆଖିର କୃତଜ୍ଞତା ନିହାରବାଳାକୁ ଚମକାଇ ଦେଇଥିଲା–ଏତେ ଅଳ୍ପରେ ବାହାରର ଲୋକେ ସନ୍ତୁଷ୍ଟ । ତା’ର ଛାତି ଫୁଲି ଉଠିଥିଲା ଆନନ୍ଦରେ । ଭଲ ନ ପାଇ ସେ ସେମାନଙ୍କର ଭଲ ପାଇବା ନିଜ ଆଡ଼କୁ ଆଣିପାରିଛି ।

 

ନିଜର ସାମର୍ଥ୍ୟ ଓ ଶକ୍ତି ବିଷୟରେ ନିହାରବାଳାର ସ୍ପଷ୍ଟ ଧାରଣା ନ ଥିଲା । ସେ ଯେ ଏତେ ସହଜରେ ଏତେ ସାମାନ୍ୟ ସହୃଦୟତା ଦେଖାଇ ଏପରିଭାବରେ ବିଭିନ୍ନ ବୟସର ଓ ବିଭିନ୍ନ ଅବସ୍ଥାର ଦୁଇଟି ମଣିଷଙ୍କୁ ଅଲୋଡ଼ିତ କରିପାରେ—ଏଇଟା ତା’ର ଜୀବନର ପ୍ରଥମ ଅନୁଭୂତି ।

 

ଅତି ଉତ୍ସାହ ଓ ଦୃପ୍ତ ଗତିରେ ସେ ଓ୍ୱାର୍ଡ଼ର ରୋଗୀମାନଙ୍କୁ ଚାହିଁ ଚାହିଁ ସିଷ୍ଟରଙ୍କ କୋଠରୀରେ ପହଞ୍ଚିଲା । ତାଙ୍କୁ ନମସ୍କାର କଲାପରେ ସେ ହସି କହିଲେ—ଠିକ୍‌ ଏମିତି ହସଖୁସିରେ ଆସିଲେ ଡାକ୍ତରଖାନାର କାମ ଭଲ ହେବ...ଖାଲି ଡାକ୍ତରଖାନା କାହିଁକି ସବୁ କାମରେ ମନ ଖୁସି ରହିଲେ କାମରେ ମନ ଲାଗେ ।

 

ମନର ଆନନ୍ଦ ଓ ଉତ୍ସାହ ଏକାଠି ଗୋଟିଏ ସୂତାରେ ଗୁନ୍ଥା । ନିହାରବାଳାକୁ ଭାରି ଭଲ ଲାଗିଲା—ଏତେ ଦିନ ପରେ ପ୍ରଥମ ଥରପାଇଁ ନିଜର ମଳିନତାରୁ ମୁକ୍ତି ପାଇଛି । ଅନ୍ୟକୁ ଭଲ ନ ପାଇ ମଧ୍ୟ ସେ ନିଜକୁ ଭୁଲିଛି ।

 

ତା’ର ମନ ସଞ୍ଜୟ ପାଇଁ କୃତଜ୍ଞତାରେ ପୂରିଗଲା । ସେ ତାକୁ ସେପରିଭାବରେ ଚାହିଁ ନ ଥିଲେ ନିହାର ସେ ଦିନ ସକାଳେ ନିଜକୁ ନୂଆ ପ୍ରକାରରେ ଦେଖି ନ ଥାନ୍ତା । ନୂଆ ଜୀବନରେ ସନ୍ଧାନ ପାଇ ନ ଥାନ୍ତା । ବହୁ ବର୍ଷର ଦୁଶ୍ଚିନ୍ତା, କଳୁଷ ସେ ଗୋଟିଏ ତରୁଣର ଆଖି ଦୁଇଟିକୁ ଚାହିଁ ପୋଛି ଲିଭାଇ ଦେଇପାରି ନ ଥାନ୍ତା ।

 

ନିହାରବାଳାର ଫୁଲ ଦୁଇଟିକୁ ଚାହିଁ ସଞ୍ଜୟ କହିଲା—ଭାରି ସ୍ନେହ ତାଙ୍କର । ଆମକୁ ଭଲ ଲାଗିବ ବୋଲି ସେ କେଡ଼େ ସୁନ୍ଦର ଫୁଲ ଦୁଇଟି ଆଣିଥିଲେ ।

 

—ଆମକୁ ଭଲ ଲାଗିବ ବୋଲି ନା ଆମକୁ ଭଲ ପାଇବେ ବୋଲି ?...ରାତି ପାହିଲେ ତାଙ୍କର ଏଇ ଗୋଟିକ କାମ । ମତେ ଭାରି ବିରକ୍ତ ଲାଗେ ଏମାନଙ୍କର ଏଇସବୁ ଛଟକ ଦେଖି ।

 

—ଆପଣ ବୃଥାରେ ଦୋଷାରୋପ କରୁଛନ୍ତି । ଏପରି କହିଲେ ଭଲ ଲୋକର ବି ମନ ବିଗିଡ଼ିଯିବ ।

 

—ଆପଣ ବୁଝି ନାହାନ୍ତି ସଞ୍ଜୟ ବାବୁ ! ବୟସ କମ୍‌ ଥିଲାବେଳେ କେହି ବୁଝିପାରେ ନାହିଁ । ଜୀବନର ସବୁଠାରୁ ଭାରି ବୋଝ, ସବୁଠାରୁ ବଡ଼ ଦୁଃଖ ହେଉଛି ଭଲ ପାଇବାର ବୋଝ, ଭଲ ପାଇବାର ଦୁଃଖ....ଆଉ ଏଇ ନିହାରବାଳା ପରି ଲୋକଙ୍କର ଭଲ ପାଇବା ହେଉଛି ଜୀବନ ଅଭିଶାପ ।

 

—ଅଭିଶାପ ହେଉ କି ଯାହାକିଛି ହେଉ, ମୁଁ କହିବି ଯେ, ଇଏ ଯାହାକୁ ଭଲ ପାଇବେ ସେ ବଡ଼ ଭାଗ୍ୟବାନ୍‌ ।

 

ତାଚ୍ଛଲ୍ୟଭରା ହସ ହସି ସେ କହିଲେ—ଯିଏ ତାଙ୍କୁ ଭଲ ପାଇଛନ୍ତି ସମସ୍ତେ ସହଳ ଉଚ୍ଛୁରରେ ନିଜକୁ ଅଭିଶପ୍ତ ମନେ କରିଛନ୍ତି । ଏବେ ଆପଣଙ୍କର ସେହି ଯୋଗ ପଡ଼ିଲାଣି ।

 

ନିହାରବାଳା ଓ୍ୱାର୍ଡ଼ ଭିତରେ ଦେଖା ଦେଲା । ଓଠ କଣରେ ସେହି ମିଠା ହସ ଟିକକ ଲାଗି ରହିଛି । ସେ ଦିନ ଓ୍ୱାର୍ଡ଼ର ପ୍ରତ୍ୟେକ ରୋଗୀ ତା’ରି ପାଖରେ ପ୍ରିୟ । ସଂସାରରେ ଯେପରି ଦୁଃଖ, ମଇଳା ଓ ରୋଗ ନାହିଁ । ସବୁ ମଣିଷ ସମାନ ।

 

ସେ ଦିନ ପ୍ରଥମ ଥରପାଇଁ ନିହାରବାଳା ରୋଗୀମାନଙ୍କ ପାଖରେ ଅପ୍ରତିଭ ହୋଇ ନ ଥିଲା । ନିଜର ସୌନ୍ଦର୍ଯ୍ୟପାଇଁ ସଚେତନ ଓ ସଜାଗ ହୋଇ ନ ଥିଲା । ହସି ସମସ୍ତଙ୍କୁ ଚାହିଁଛି । ସୁବିଧା ଅସୁବିଧା କଥା ପଚାରିଛି । ପ୍ରତ୍ୟେକଙ୍କର ବିହୁଳ ଆଖିକୁ ଦେଖିଛି । କିନ୍ତୁ ସେଥିରେ ସେ ଉତ୍ତେଜିତ ହୋଇନାହିଁ ।

 

ସଞ୍ଜୟ ସେମିତି ଚାହିଁ ରହିଥାଏ । ଆଖିରେ ତା’ର ଅଧୀରତା । କେତେବେଳେ ନିହାରବାଳା ଆସି ତା’ରି ପାଖରେ ପହଞ୍ଚିବ । ଏତେ ଦୂରରେ ଖଟିଆ ପାଇଥିବାରୁ ସେ ନିଜକୁ ବଡ଼ ଦୁଃଖୀ ମନେ କରିଥିଲା ।

 

ଡାକ୍ତରଖାନାର ଓ୍ୱାର୍ଡ଼ଟି ହସିଉଠିଛି—ଗୋଟିଏ ଫୁଲର ସୌରଭ, ଗୋଟିଏ ହୃଦୟର ଉତ୍ସାହ ଓ ଗୋଟିଏ ମୁହଁର ସୁନ୍ଦର ହସରେ । ଅଳ୍ପ ସମୟପାଇଁ ହେଉ ପଛକେ, ସେହି ଅଳ୍ପ ସମୟର ଆନନ୍ଦରେ ପ୍ରତ୍ୟେକଙ୍କର ଦିନକର ଦୁଃଖ ଓ କ୍ଳାନ୍ତି ଊଣା ହୋଇଯାଇଛି ।

 

ସେମାନଙ୍କ ଭିତରୁ କେହି କେହି ହୁଏତ ମନେ ରଖିବେ—ନିହାରବାଳାର ସେହି ସକାଳର ମୁହଁଟିକୁ । ଯେତେ ଅଳ୍ପ ବା ବେଶି ଦିନକୁ ମନେ ରହୁ ପଛକେ—ମନେ ରହିଯିବ ।

 

ଅପ୍ରତିଭ ହସ ହସି ନିହାରବାଳା ସଞ୍ଜୟ ପାଖରେ ପହଞ୍ଚିଲା । ସଞ୍ଜୟ ହଠାତ୍‌ ତାକୁ ପାଖରେ ପାଇ ନିଜର ସମସ୍ତ ବ୍ୟଗ୍ରତା ଏକାବେଳକେ ଯେପରି ହଜାଇ ଦେଲା....ନିହାରବାଳା ଆସି ପହଞ୍ଚିଛି ।

 

ଫୁଲ ଦୁଇଟି ଟୁଲ ଉପରେ ଥୁଆ ହୋଇଥାଏ । ନିହାରବାଳା ସେଥିରୁ ଗୋଟିଏ ନେଇ ଚବିଶ ନମ୍ୱର ରୋଗୀର ହାତରେ ଦେଇ ହସି କହିଲା—ଆପଣ ବଡ଼ ବିଚିତ୍ର ମଣିଷ । କାହାରି ଶ୍ରଦ୍ଧା ରଖିପାରନ୍ତି ନାହିଁ ।

 

—ତୁମେ କ’ଣ ଆଣିଥିଲ ମୋପାଇଁ, ଏଇ ବୁଢ଼ା ବିଦ୍ୟାଧର ପାଇଁ...ଦୁଇଟିଯାକ ଦିଅ ସଞ୍ଜୟ ବାବୁଙ୍କୁ । ସେ ଏବେ କଲେଜରେ ପଢ଼ୁଛନ୍ତି, କବିତା ଲେଖୁଛନ୍ତି, ବଡ଼ ହେବାକୁ ଭାବୁଛନ୍ତି ।

 

ସଞ୍ଜୟକୁ ଚାହିଁ ନିହାରବାଳା କହିଲା—ଆପଣଙ୍କର ଏତେ ଗୁଡ଼ାଏ କାମ । ଆପଣଙ୍କୁ ତ ମୋଟେ ବେଳ ମିଳୁ ନ ଥିବ—ହସି ଦୁଇଟିଯାକ ଫୁଲ ବିଦ୍ୟାଧର ବାବୁଙ୍କୁ ଦେଇ କହିଲା—ଯିଏ ଖୋଜେ ନାହିଁ ସଂସାରରେ ସବୁ ଜିନିଷ ତା’ର । ଖୋଜିବା ଲୋକକୁ କିଛି ମିଳେ ନାହିଁ । ସେ ଖାଲି ଖୋଜିବ ।

 

ସଞ୍ଜୟର ମୁହଁ ମଉଳିଗଲା । ନିହାରବାଳା ଫୁଲ ଦୁଇଟି ନେଇ ବିଦ୍ୟାଧର ବାବୁଙ୍କ ସେଲ୍‌ଫରେ ରଖି ହସି କହିଲା—ଆପଣଙ୍କ ପରି ଲୋକଙ୍କୁ ସନ୍ତୁଷ୍ଟ ଓ ଖୁସିରେ ରଖିବାକୁ ସିଷ୍ଟରଙ୍କର ହୁକୁମ୍‌ ।

 

ତାଙ୍କୁ ନିରୁତ୍ତର ଦେଖି ଥର୍ମୋମିଟରଟି ତାଙ୍କ ପାଟିରେ ଲଗାଇ ଶାସନ କଲାପରି କହିଲା—ଦେହ ଖରାପ ଅଛି ବୋଧହୁଏ । ଦେହ ଖରାପ ଥିଲେ ମନ ମଉଳିଯାଏ...ମଉଳା ମନକୁ କିଏ କି ଔଷଧ ଦେବ !

 

ଅତି ଅସ୍ପଷ୍ଟ ଭାବରେ ଏକା ବିଦ୍ୟାଧରଙ୍କୁ ଶୁଭିଲାପରି ନିହାରବାଳା କହିଥିଲା—ଥର୍ମୋମିଟର ଥିବାରୁ ପାଟି ବନ୍ଦ୍‌ । ତାଙ୍କର ହାତଟି ନିହାରବାଳା ଧରିଛି । ତାଙ୍କର ଆଖି ଦୁଇଟିକୁ ନିହାରବାଳା ଚାହିଁ ରହିଛି ।

 

ନିହାରବାଳା ଦେଖିଲା ତାଙ୍କର ନାଡ଼ି ଦ୍ରୁତ ହୋଇ ଆସିଛି, ନିଶ୍ୱାସର ସଂଖ୍ୟା ବଢ଼ିଛି । ତାଙ୍କର ହିମଶୀତଳ ମନ ପୁଣିଥରେ ଦେହର ଉଷ୍ଣତାକୁ ନିଜର କରି ତାଙ୍କର ଆଖି ଦୁଇଟିରେ ଆନନ୍ଦର ଧାରା ଖେଳାଇଛି ।

 

ଥର୍ମୋମିଟର କାଢ଼ିନେଲା ପରେ ସେ ବି ବିହ୍ୱଳ ହୋଇ ନିହାରବାଳାକୁ କହିଥିଲେ—ତମେ ଭାରି ଭଲ ନର୍ସ ହେବ । ଏହି ବାର ଦିନ ଭିତରେ କେହି ଏମିତି ତମପରି ପଦେ କଥା କହିନାହିଁ ।

 

ନିହାରବାଳା ମୁହଁ ଶୁଖାଇଲା...ଏଇ ପ୍ରଶଂସା ଆଜି ମୂଲ୍ୟହୀନ । ଅନ୍ୟକୁ ଆନନ୍ଦ ଦେବାକୁ ଯାଇ ସେ ତାର ମନ ଭିତରୁ ଆନନ୍ଦର ଧାରା ଶୁଖାଇ ଦେଇଛି । ଅନ୍ୟର ମୁହଁରେ ହସ ଫୁଟେଇବାକୁ ସେ ନିଜ ମୁହଁରୁ ହସର ଗାର ଲିଭାଇବାକୁ ବାଧ୍ୟ ହୋଇଛି ।

 

ଏଇ ନୂଆ ଜୀବନର ଶପଥ ସେ ନେଇଛି—ବିଚାର ନ କରି ଅନ୍ୟକୁ ଭଲ ପାଇବାର ଛଳନା କରିଚ । ସେମାନଙ୍କର ଶୁଖିଲା ମୁହଁରେ ହସ ଖେଳାଇବ, ସେତିକି ତା’ର କାମ । ସେଥିଭିତରେ ତା’ର ହୃଦୟ, ମନ ଓ ଭଲ ପାଇବାର କୌଣସି ବିଶେଷ ସ୍ଥାନ ନାହିଁ ।

 

ପ୍ରତ୍ୟେକ ନର୍ସର ଜୀବନର ଚିନ୍ତାର ଏହି ସ୍ତର ଦେଖା ନ ଦେଲେ ବି ବ୍ୟବହାର ଠିକ୍‌ ଧାରାରେ ଗଡ଼ିଚାଲେ । ସେଥିପାଇଁ ଦୁନିଆର ଲୋକେ ତା’କୁ କହନ୍ତି ହୃଦୟହୀନ....ଆଉ ହୃଦୟ ନ ଦେଇ ସରସ ବ୍ୟବହାର ଦେଖାଇଲେ ସବୁ ଅବସ୍ଥାରେ ସମସ୍ତଙ୍କୁ କୁହାଯାଏ—କୁଟିଳ ଓ କୁଶଳୀ ।

 

ବିଦ୍ୟାଧର ଯାହା ଭାବୁଥିଲେ ସମସ୍ତେ ଊଣା ବହୁତେ ସେଇଆ ଭାବନ୍ତି ।

 

ନିହାରବାଳା ସଞ୍ଜୟ ପାଖକୁ ଫେରିଆସିଲା । ସେତେବେଳେଯାଏ ସେ ନିହାରର ମୁଣ୍ଡର ଜୁଡ଼ାକୁ ଲକ୍ଷ୍ୟ କରୁଥିଲା । ନିହାରବାଳା ଏଡ଼େ ସୁନ୍ଦର—ଜୁଡ଼ା ତଳେ ଥିବା ଲୁଗାର ଧଡ଼ି ନିହାରର ସୌନ୍ଦର୍ଯ୍ୟ ପରି ସଞ୍ଜୟର ଆଖିକୁ ଦିଶୁଥିଲା । ନିହାରର ଉଚ୍ଚତା, ସ୍ଥୂଳତା, ଲୁଗାର ରଙ୍ଗ, ଚଟିର ରଙ୍ଗ ଓ ଦେହର ରଙ୍ଗ ଓ ସୌଷ୍ଠବ ସବୁ ସଞ୍ଜୟକୁ ବାରମ୍ୱାର ମୁଗ୍ଧ କରୁଥିଲା ।

 

ଏଇ ଭଲ ପାଇବାରେ ସଞ୍ଜୟ କି ନିହାରବାଳା କିଏ ଦୋଷୀ, ଏତକର ବିଚାର କେବେହେଲେ ହୋଇପାରିବ ନାହିଁ । ଦୁନିଆର ସମସ୍ତଙ୍କ ପାଇଁ ସେ ନିଜକୁ ଏକାପରି ସଜାଇ ନିହାରବାଳା ଯଦି ଜଣକର ଅପରିଣତ ମନ ଉପରେ ଅତିରିକ୍ତ ଭଲ ପାଇବାର ଜୁଆର ଉଠାଇ ଆଣେ, ତାହାହେଲେ ସେଇଟା କ’ଣ ନିହାରର ଦୋଷ ?

 

ଆଗଦିନ ସଞ୍ଜୟ ସାଙ୍ଗରେ କଥା ନ କହି ସଞ୍ଜୟର ମୁହଁରେ ସେଇ ଅତିରିକ୍ତ ଲାଳସାର ଆକର୍ଷଣ ଦେଖି ନିହାରବାଳା ନିଜକୁ ଦୋଷୀ ମନେ କରୁଥିଲା । ଏକା ନିହାର କାହିଁକି, ସଞ୍ଜୟର ନିଜ ଲୋକେ, ଦୁନିଆର ସବୁ ଲୋକେ ନିହାରପରି ପ୍ରତ୍ୟେକ ସ୍ତ୍ରୀକୁ ଭଲ ପାଇବାର ଜୁଆର ଉଠାଇବାପାଇଁ ଦୋଷ ଦେଇ ଦୋଷୀ ସାବ୍ୟସ୍ତ କରି ଚିର ଦିନକୁ କଳଙ୍କ ଲେପି ଦେଇଛନ୍ତି ।

 

କିନ୍ତୁ ଅପରିଣତ, ଅନଭିଜ୍ଞ ଲୋକକୁ ଜାଣି ଜାଣି ବାଟଭୁଲା ନ କରିଥିଲେ ଅପରର ଅପରିପକ୍ୱତା ପାଇଁ ନିର୍ଦ୍ଦୋଷକୁ ଦୋଷ କାହିଁକି ଦିଆ ହେବ ?

 

ସଂସାରରେ ଏପରି କୌଣସି ନାରୀ ନାହିଁ, ଯେ ଅପରର ଆଖିରେ ଅତିରିକ୍ତ ଲାଳସା ଦେଖିଲେ ନିଜକୁ ଦୋଷୀ ମନେ ନକରେ । ଆଉ ନିଜକୁ ଦୋଷୀ ବୋଲି ଭାବିଲେ ସେ ସେହି ଦୋଷର କ୍ଷାଳନପାଇଁ ନିଜେ ନିଜେ ଆସି ଆଘାତ ନ ଦେଇ କୋମଳ ବ୍ୟବହାରରେ ସହଜ, ସରଳ ଓ ସ୍ପଷ୍ଟ ଭାବରେ କହି ନ ଦିଏ—ବନ୍ଧୁ...ପ୍ରିୟ, ଏପରି ଅତିରିକ୍ତ ଲାଳସା କୌଣସି ନାରୀ କେବେହେଲେ ଭଲପାଏ ନାହିଁ ।

 

ଭାବ ଆଦାନପ୍ରଦାନର ଏହି ଗୋପନ ଇତିହାସ କେବେ ବାହାରେ ପ୍ରକାଶ ପାଏ ନାହିଁ-। ଭଲ ପାଇବାରୁ ଯେଉଁ ଲାଳସାର ଉତ୍ପତି, ସେ ଲାଳସା ପ୍ରୀତିର ପୁଣ୍ୟରେ ସବୁବେଳେ ପବିତ୍ର ବନ୍ଧନ—ରୂପେ ଅତି କଳୁଷିତ ନାରୀର ସର୍ବକଳୁଷିତ ମନରେ ସବୁ ଦିନକୁ ଗୋଟିଏ ପବିତ୍ର ବନ୍ଧନରୂପେ ରହିଯାଏ ।

 

ସେଇ ଲାଳସା ଯୋଗୁଁ ନିହାରବାଳା ଅପରିଚିତ ସଞ୍ଜୟ ପାଇଁ ଫୁଲ ଦୁଇଟି ତୋଳି ଆଣିଥିଲା । ତାହାରି ଆଖିରେ ଟିକିଏ ଆନନ୍ଦର ରେଖା ଲଗାଇ ଦେବ ବୋଲି ସେ ନିଜକୁ ଅନ୍ୟ ପ୍ରକାରେ ସଜାଇଥିଲା । ସେଇ ଟିକିଏ ଦେଖି ଖୁସି ହେବ ବୋଲି ବିଦ୍ୟାଧରକୁ ବେଶି ଅନୁରକ୍ତି ଦେଖାଇବାର ଛଳନା କରି ସଞ୍ଜୟକୁ ସମ୍ପୂର୍ଣ୍ଣଭାବରେ ନିଜକୁ ଦେଖାଇଥିଲା ।

 

କେହି ହୁଏତ ବୁଝିବ ନାହିଁ, ସଞ୍ଜୟ ଭାବୁଥିବ ଯେ ସୁବିଧା ପାଇ ସେ ନିହାରବାଳାର ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣଭାବେ ଦେଖିପାରିଛି । କିନ୍ତୁ ନିହାରବାଳା ଯେ ସଞ୍ଜୟପାଇଁ ସେ ଦିନ ସକାଳେ ଏତେ ଅର୍ଥହୀନ ଚିନ୍ତା ଆଉ ଏତକ ପରିଶ୍ରମ କରିଥିଲା, ତା’ର ସାଥି ସେହି ଜଣକ—ବଳରାମ ପରି ଗୋଟିଏ ସ୍ୱାମୀର ପରିତ୍ୟକ୍ତା ନିହାରବାଳା ।

 

ବିଦ୍ୟାଧରର ବିଛଣା ପାଖରେ ଠିଆ ହୋଇ ବିଦ୍ୟାଧରର ମନ ନେବାପାଇଁ ଗୁଡ଼ାଏ ଛଳନା-ମିଶା ବ୍ୟବହାର ଦେଖାଇଲାବେଳେ ନିହାରବାଳା ଆଖି ଆଗରେ ବିଦ୍ୟାଧର ନ ଥିଲା । ସେତେବେଳେ ସେ ଅନ୍ୟମନସ୍କ ହୋଇ ତା’ରି ପିଠି ଆଡ଼େ ଥିବା ସଞ୍ଜୟ କଥା ଭାବି ମନକୁ ମନ କହୁଥିଲା—ଆହା, ସରଳ ଲୋକଟି କେଡ଼େ କଷ୍ଟ ନ ପାଉଥିବ....ଏଇ ନିହାରବାଳା ପାଇଁ ।

 

ଯେତେ ଭଲ ପାଇଲେ ବି ଭଲ ପାଉଥିବା ଲୋକର ଅବିବେକିତା ଓ ତାର ଦୁଃଖ ଅତି ଅଧମ, ଅତି ହୀନ, ପତିତାର ଆଖିରେ ସହାନୁଭୂତିର ଗାର ଟାଣିଦିଏ । ପାଖରେ ଦେଖି ନିହାରବାଳା ଫୁଲ ଦୁଇଟି ବିଦ୍ୟାଧରକୁ ଦେବାକୁ ବାଧ୍ୟ ହୋଇଥିଲା । ଆଉ ତାକୁ ଦେଲାବେଳେ ସେଇ ସଞ୍ଜୟକୁ ଉପଲକ୍ଷ୍ୟ କରି କହିଥିଲା—ଖୋଜିଲା ଲୋକକୁ କିଛି ମିଳେ ନାହିଁ ।

 

ସେତେବେଳେ ତା’ର ମନରେ ଏକାନ୍ତେ ପ୍ରାର୍ଥନା ଯେ ପ୍ରଭୁ ଏଇ ସଞ୍ଜୟର ମନରେ ବଳ ଦିଅନ୍ତୁ । ତା’ର ଏହି ବିଚାରହୀନ ଦୁର୍ବଳତାକୁ ତା’ର ମନ ଉପରୁ ଖସେଇ ଦିଅନ୍ତୁ । ଭଲ ପାଇବାର ମାତ୍ରାଧିକ ଆକର୍ଷଣ ହେଉଛି ଜୀବନର ଅଭିଶାପ । ସେଇ ଅଭିଶାପ କାହାରି ପାଖକୁ ନ ଆସୁ ।

 

ଇତସ୍ତତ ହୋଇ ସେ ସଞ୍ଜୟ ପାଖକୁ ଆସିଲା । ସେଇ ଓ୍ୱାର୍ଡ଼ର ସେ ଶେଷ ରୋଗୀ । ରୋଗୀ ଦେଖିବାର କ୍ରମ ବଦଳାଇ ସମସ୍ତଙ୍କ କାମ ସାରି ସେ ସଞ୍ଜୟ ପାଖରେ ଆସି ଛିଡ଼ା ହେଲାବେଳେ ନିଜକୁ ଅତ୍ୟନ୍ତ ଦୁର୍ବଳ ମନେ କରୁଥିଲା । ସଞ୍ଜୟର ମୁହଁକୁ ସ୍ପଷ୍ଟ କରି ଚାହିଁପାରିଲା ନାହିଁ । ଆଖି ଦୁଇଟି ନିଜ ଦେହ ଉପରେ ରଖି ଲୁଗା ସଜାଡ଼ି ନିହାରବାଳା ଠିଆ ହେଲା ।

 

ଯେଉଁ ନିହାରବାଳା ନିଶଙ୍କ ମନରେ ନିଜର ସ୍ୱାମୀଙ୍କର ଓ ନିଜର ଘର ଛାଡ଼ି ଚାରିଆଡ଼େ ଚଳପ୍ରଚଳ ହୋଇଥିଲା, ସେଇ ଆଜି ଗୋଟିଏ ତରୁଣ ଛାତ୍ର ନିକଟରେ, ତା’ର ଅପରିଣତ ବୟସର ବିହୁଳତା ନିକଟରେ ମୁଣ୍ଡ ନୁଆଁଇ ଠିଆ ହୋଇଛି । ତା’ର ଆଖି ଆଗରେ ସଞ୍ଜୟ ହେଉଛି ସବୁଠାରୁ ବଡ଼ ମଣିଷ । ସେ ଆଗ ପଛ ନ ଭାବି, ନିହାରବାଳାର ଦୋଷଗୁଣ ବିଚାର ନ କରି ତା’ର ମନକୁ ଉଜାଡ଼ି ଦେଇଛି ।

 

କର୍ତ୍ତବ୍ୟର ଅନୁରୋଧରେ ନିହାରବାଳା ଥର୍ମୋମିଟରଟି ସଞ୍ଜୟର ପାଟି ପାଖରେ ଧରିଲା । ସଞ୍ଜୟ କିଛି ନ କହି ପାଟିଟି ମେଲା କରିଦେଲାବେଳେ ନିହାରକୁ ଦିଶୁଥିଲା, ସତେ ଯେପରି ଏଡ଼େ ଅପୂର୍ବ ରୂପ, ଏତେ ମଧୁର ବ୍ୟବହାର ସେ କୋଉଠି ପାଇ ନାହିଁ ।

 

ଯୋଉ ନିହାରବାଳା ସଞ୍ଜୟର ବୁକୁ ଭିତରେ ଝଡ଼ ଉଠାଇଥିଲା, ଏବେ ସେଇ ଆସି ସଞ୍ଜୟର ହାତ ଧରି ଠିଆ ହୋଇଛି । ଡାକ୍ତରଖାନାର କାମ ନିହାରବାଳାର ମନ ଉପରେ ନିବୁଜ କଳା ପରଦାଟିଏ ଆଣି ଟାଣି ଦେଇଛି । ଅନ୍ୟ ସମୟରେ ଏଇ ସଞ୍ଜୟର ହାତ ଧରିଥିଲେ ହୋଇଥାଆନ୍ତା ଗୋଟିଏ ମଧୁର ମିଳନର ଶେଷ ପରିଚ୍ଛେଦ । କିନ୍ତୁ ଡାକ୍ତରଖାନାରେ ତା’ର କିଛି ଅର୍ଥ ନାହିଁ...ସିଷ୍ଟର କହିଛନ୍ତି ସବୁ ରୋଗୀ ସମାନ ।

 

ସଞ୍ଜୟର ହାତଟି ନିଜର ସେହି ସ୍ପର୍ଶ-କାତର ହାତରେ ଧରି ବିହ୍ୱଳ ହୋଇ ନିହାରବାଳା ନିଜକୁ ଚାହିଁଥିଲା । ତା’ର ଓଠ ଉପରେ ଅଜସ୍ର ପ୍ରଶ୍ନ ଅଜାଡ଼ି ହୋଇ ପଡ଼ୁଥିଲା...ସେ ପାଖରେ ବିଦ୍ୟାଧର । ସେ ଜାଣିବା ଉଚିତ ନୁହେଁ ଯେ ନିହାରବାଳା ସଞ୍ଜୟକୁ ଭଲ ପାଉଛି ।

 

ସେମିତି ସଞ୍ଜୟ ମଧ୍ୟ ଜାଣିବା ଉଚିତ ନୁହେଁ ଯେ ନିହାରବାଳା ତା’ରି ପ୍ରତି ସଚେତନ....ନା, ନା, ନିହାରବାଳା ମନ କଥା ଲୁଚାଇ ରଖିବ ସଞ୍ଜୟ ପାଖରୁ । କେମିତି କେମିତି ସେ ଡାକ୍ତରଖାନାରେ ରହି ଚାଲିଯାଉ । ଏଇ ଲାଳସାର ବୋଝ ତାକୁ ବିବ୍ରତ ନ କରୁ । ନିହାରବାଳା ବହୁତ ବିଷୟରେ ଦୁଃଖୀ । ସେ ଦୁଃଖ ଦେବାକୁ ଚାହେ ନାହିଁ ।

 

ଡାକ୍ତରଖାନା ଚଟାଣ ଉପରେ ଠିଆ ହୋଇ ସେ ଦିନ ନିହାରବାଳା ନିଜର ହୃଦୟରେ ପରଖ କରିଥିଲା । ଦିଗମ୍ୱର ଯାହା ଭାବି ଥାଆନ୍ତୁ, ବଳରାମଙ୍କର ମତ ଯାହା ହୋଇଥାଉ, ଅତି କଳୁଷିତ ନାରୀ ମଧ୍ୟ ଅତି ପବିତ୍ର ଭାବରେ କୌଣସି ବିଷୟରେ ମଣିଷରେ ସୁମାରି ହେଉ ନ ଥିବା ସଞ୍ଜୟ ପରି ଗୋଟିଏ ତରୁଣ ଛାତ୍ରକୁ ମଧ୍ୟ ଭଲ ପାଇବାରେ ।

 

ଅନ୍ୟମନସ୍କ ହୋଇ ସେ ନିଜର ଅଭିଶପ୍ତ ହୃଦୟରେ ଭଲ ପାଇବାର ଆକର୍ଷଣ ସମ୍ପୂର୍ଣ୍ଣ ଭାବରେ ବୁଝି ଗୋଟିଏ ଛୋଟ ଦୀର୍ଘ ନିଶ୍ୱାସ ପକାଇ ସଞ୍ଜୟର ଟିକଟ ଉପରେ ଲେଖିଲା । ଲେଖିସାରି କାହାରିକୁ ନ ଚାହିଁ କାମ ସରିଯିବାର ଛୁତକରେ ଚାଲିଯିବାବେଳେ ଅସମ୍ଭବ ହେଲେ ବି ଭାବିଥିଲା—ସଞ୍ଜୟ ଚାଲିଯାଆନ୍ତା କି ।

 

କ୍ଳାନ୍ତ ପାଦ ଦୁଇଟିକୁ ଟାଣି ଟାଣି ସକାଳର ସମସ୍ତ ଉତ୍ସାହ ସଞ୍ଜୟ ପାଖରେ ଫୋପାଡ଼ି ଦେଇ ଅତ୍ୟନ୍ତ ଅବସନ୍ନ ମନରେ ସେ ଯାଇ ସିଷ୍ଟରଙ୍କ କୋଠରୀର ଚୌକିରେ ବସିଲା ।

 

ସେ କ୍ଳାନ୍ତିର କାରଣ କେହି ଜାଣନ୍ତି ନାହିଁ । ନିହାରବାଳା ପରି ଜଣେ ନାରୀ ହଠାତ୍‌ ଏପରି ଅନଭିଜ୍ଞ କୁମାରୀ ପରି ଭଲ ପାଇବାଦ୍ୱାରା ଆଘାତ ପାଇପାରେ—ଏ କଥା କେହି କ’ଣ ସତ ବୁଝିବ ।

 

ଆଖି ଆଗରେ କେତେ ଲୋକ ଭାସିଗଲେ । ସେମାନଙ୍କୁ ସେ ପୁରୁଷ ରୂପେ, ପ୍ରେମିକ ରୂପେ ପାଖରେ ପାଇଥିଲା । କିନ୍ତୁ ମନର ଆକର୍ଷଣ ଏପରିଭାବରେ ସେ କେବେ ଅନୁଭବ କରି ନ ଥିଲା ।

 

ପୁଣି ଓ୍ୱାର୍ଡ଼କୁ ଯିବାକୁ ହେବ । ରୋଗୀଙ୍କର କାମ ଅଛି । ଗଲାବେଳେ ବିନା କାରଣରେ ସେ ସଞ୍ଜୟକୁ ବାରମ୍ୱାର ଚାହିଁଥିଲା । ସଞ୍ଜୟ ଆଖି ଲୁଚାଇ ଦେବାକୁ ଚେଷ୍ଟା କରେ । ତା’ର ମନେ ହୁଏ —ନିହାରବାଳା ! ସଞ୍ଜୟର ମୁହଁ ଦେଖିଲେ ବିରକ୍ତ ହେବ ।

 

ଅତିରିକ୍ତ ଲାଳସାଭରା ଭଲ ପାଇବାର ଇଏ ବି ଗୋଟିଏ ଲକ୍ଷଣ । ଭଲ ପାଇଥିବା ଲୋକଟି ପାଖରୁ ଲୁଚି ରହିବାକୁ ମଣିଷ ସବୁବେଳେ ଚେଷ୍ଟା କରେ । ଭଗବାନ ଏପରିଭାବରେ ନିୟମ ବାନ୍ଧି ଦେଇଛନ୍ତି ଯେ ଯେତେବେଳେ ଲୋକଟି ଠାରୁ ଲୁଚିବାକୁ ଇଚ୍ଛା ହୁଏ, ସେତିକିବେଳେ ସେ ଲୋକଟିକୁ ଭଲ ପାଇହୁଏ ।

 

ନିହାରବାଳା ଚାଲିଗଲା ପରେ ବିଦ୍ୟାଧର ଫୁଲ ଦୁଇଟିକୁ ଦେଖାଇ ସଞ୍ଜୟକୁ କହିଥିଲା–ବାବୁ, ଦେଖିଲେ ତ । କେଡ଼େ ଚତୁରୀ ଏ ପିଲା ! ମତେ ବି ହାତରେ ରଖୁଛି ।

 

ମୁହଁ ଶୁଖାଇ ସଞ୍ଜୟ କହିଲା—ସେ ଆପଣଙ୍କୁ ଭଲ ପାଆନ୍ତି ।

 

—ସେ କାହାରିକୁ ଭଲ ପାଇପାରିବ ନାହିଁ । ପ୍ରକୃତ ଭଲ ପାଇବା ପବିତ୍ର ମନରେ ସମ୍ଭବ । କଳଙ୍କିନୀ କେବେହେଲେ ଭଲ ପାଇପାରିବ ନାହିଁ । ଯେ ନିଜର ଲୋକଙ୍କୁ ଭଲ ପାଇସାରି ନାହିଁ, ସେ କେବେହେଲେ ପର ମଣିଷଙ୍କୁ...

 

—ଆପଣ ଅନ୍ୟାୟ କରୁଛନ୍ତି ।

 

—ସ୍ତ୍ରୀ କୁଟୁମ୍ୱ ଧରି ଅନ୍ୟକୁ ଭଲ ପାଇବାକୁ ଚେଷ୍ଟା କରିବା ହେଉଛି ଅନ୍ୟାୟ । ମୋ ପରି ଲୋକ ଏହିପରି ଜଣେ ନର୍ସକୁ ଭଲ ପାଇଲେ ସବୁ ହିସାବରୁ ଘୋର ଅନ୍ୟାୟ ଛଡ଼ା ଆଉ କିଛି ହୋଇପାରେ ନା ।

 

ଦୁହେଁ ନୀରବ ରହିଲେ । ସଞ୍ଜୟ ନିହାରବାଳାର ଛବିକୁ ମନେ ପକାଇ ଆପଣା ମନକୁ କହିଥିଲା—ବଡ଼ ଅଭାଗିନୀ । କିଛି ନ ଜାଣି ଓ ନ ବୁଝି ସେ ଅକାରଣଟାରେ ଫୁଲ ଦୁଇଟି ଆଣିଥିଲା ଯେ...

 

ନିହାରବାଳାର ଚଟିର ଶବ୍ଦ ଶୁଭିଲା । ବିଦ୍ୟାଧର ମୁହଁ ବୁଲାଇ ବହିଟିଏ ପଢ଼ିବାକୁ ଚେଷ୍ଟା କରୁଥିଲା । ବହି ଉପରେ ଆଖି ରଖି ସେ ନିଜକୁ ତାରିଫ କରୁଥିଲା । ଏତେ ବୟସରେ ବି ତାକୁ ସ୍ତ୍ରୀମାନେ ଭଲ ପାଆନ୍ତି । ଫୁଲ ଦୁଇଟିରେ ସେ ନିଜକୁ କୃତାର୍ଥ ମନେ କରୁଥିଲା ।

 

କିନ୍ତୁ ନିହାରବାଳାର ଉପହାରରେ ଏତିକି ହେଉଛି ପ୍ରତିଦାନ ।

 

ଥରେ ନିହାରବାଳା ପାଖଯାଏ ଆସିଥିଲା । ନିଜର ଗର୍ବରେ ବିଦ୍ୟାଧର କହିଲା—ଏଣେ ଆସିବ ନାହିଁ ?

 

ସଙ୍କୋଚ ମନ ନେଇ ନିହାରବାଳା ଆସିଥିଲା । ହସି ବିଦ୍ୟାଧର ଧୀରେ କହିଲା—ଭାରି ଚମତ୍କାର ଦିଶୁଛ !

 

ନିହାରବାଳାର ମୁହଁ ଲାଲ ପଡ଼ିଯାଇଥିଲା—କ୍ରୋଧ ଓ ଅଭିମାନରେ । ନିଜର ଲୋକ ବୋଲି କହୁଥିବା ଲୋକେ ଏମିତି ଅପଦସ୍ତ କରି ଭଲ ପାଇବା ଦେଖାନ୍ତି । ଆଉ ନିଜର ଅଧିକାରକୁ ସର୍ବସାଧାରଣରେ ଏଇ ରୂପରେ ଦେଖାଇ ଗର୍ବ ଅନୁଭବ କରନ୍ତି ।

 

କୌଣସି ନାରୀକୁ ବିଦ୍ରୂପ ନ କଲେ ଯେପରି ତା’ରି ପ୍ରତି ନିଜର ଭଲ ପାଇବା ଦେଖାଇବାର ଅନ୍ୟ ବାଟ ଏମାନଙ୍କୁ ଜଣା ନାହିଁ ।

 

ଅପବାଦ ଓ ବିଦ୍ରୂପ ବହୁତ ଦିନରୁ ନିହାରବାଳାର ସାଥି ହେଲେଣି । ବାରମ୍ୱାର ହସି ସେଇ ଅପବାଦର ଦୁର୍ନାମ ଆଉ ବିଦ୍ରୂପର ଆଘାତ ନିଜ ଉପରୁ ଫୁଙ୍କି ଉଡ଼ାଇ ଦେଇଛି ।

 

ନିହାରବାଳା ହସି ଆଖି କଣରେ ସଞ୍ଜୟକୁ ଚାହିଁଥିଲା ।

 

—ତା’ର ମୁହଁ ଶୁଖିଯାଇଛି ।

 

ଡାକ୍ତରଖାନାର କାମ ପରେ କ୍ଳାସ । କ୍ଳାସ ପରେ ପୁଣି ଡାକ୍ତରଖାନା । ଗୋଟିଏ ପରେ ଗୋଟିଏ କାମର ରୁଟିନ୍‌ ଭିତରେ ନିହାରବାଳା ଆଉ ଏକୁଟିଆ ସଞ୍ଜୟ କଥା ଭାବିବାକୁ ବେଳ ପାଇ ନ ଥିଲା ।

 

ଦ୍ୱିତୀୟ ଥର ଓ୍ୱାର୍ଡ଼କୁ ଆସିଲାବେଳେ ସେ ସଞ୍ଜୟକୁ ଦେଖି ସାଧାରଣ ଭାବରେ ସବୁ କଥାର ବିଚାର କରିଥିଲା । ଭଲ ପାଇବାର ଉଗ୍ରତା କମି ଯାଇଛି । ଆବେଗର ଗତି ଧୀର ହୋଇଗଲାଣି । ଖୁସି ହୋଇ ନିହାରବାଳା ଭାବିଲା, ଭଲ ହେଲା ।

 

ସଞ୍ଜୟ ପାଖରେ ପହଞ୍ଚିଲାବେଳେ ସେ ସ୍ଥିରଦୃଷ୍ଟିରେ ସଞ୍ଜୟକୁ ଚାହିଁଥିଲା । ଗୁଣୁ ଗୁଣୁ ହୋଇ ନିଜକୁ କହିଥିଲା—କୋଉଠି ଦେଖିଛି ।

 

ବିଦ୍ୟାଧରଙ୍କ ପାଖରେ ଗୁଡ଼ିଏ ଲୋକ ଆସି ପହଞ୍ଚିଛନ୍ତି । ସମସ୍ତଙ୍କ ଆଖି ନିହାରବାଳା ଉପରେ । ଦିଗମ୍ୱର ଆସି ନାହାନ୍ତି । ତାଙ୍କର ସ୍ତ୍ରୀ ଆସିଛି । ସେ ଦିଗମ୍ୱରକୁ କହିଛି ଯେ ନିହାରବାଳା ସାଙ୍ଗରେ ଦିଗମ୍ୱର ଦେଖା କଲେ ଲତା ଆତ୍ମହତ୍ୟା କରିବ । ନିହାରବାଳାକୁ ଶୁଣାଇଲା ପରି ସେମାନେ ବିଦ୍ୟାଧରକୁ କହୁଥିଲେ—ଦୁନିଆଁରେ ପ୍ରଚାର ହେଉ ନିହାରବାଳାର ଅପକୀର୍ତ୍ତି ।

 

ବାରମ୍ୱାର ନିହାରବାଳା ଚମକି ପଡ଼େ । ସାଧାରଣ ଭଦ୍ରତା ଜ୍ଞାନ ଦେଖାଇଲେ କ’ଣ ବା କ୍ଷତି ହୁଅନ୍ତା ? ଦିଗମ୍ୱର କିଛି ଅବୋଧ ବାଳକ ନୁହନ୍ତି ଯେ ନିହାରବାଳା ତାଙ୍କୁ ଠକି ଦେଇ ତାଙ୍କର ଜୀବନ ନଷ୍ଟ କରିଛି...କରିନାହିଁ ତ । ସେହିଦିନୁ ସେ ଦିଗମ୍ୱରଙ୍କ ସାଙ୍ଗରେ ଦେଖା କରିନାହିଁ-

 

ତାଙ୍କ ଭିତରେ ସମ୍ୱନ୍ଧ ଯାହା ହୋଇଥାଉ, ସେହି ସମ୍ୱନ୍ଧର ଆକର୍ଷଣ ନିହାରବାଳାକୁ ଟାଣି ନେଇପାରି ନାହିଁ ଦିଗମ୍ୱରଙ୍କ ବସାକୁ । ସେ ଯାହା ଦେବାର ଦେଇଛି । ଦିଗମ୍ୱର ତାଙ୍କର ପ୍ରାପ୍ୟ ନେଇଯାଇଛନ୍ତି । ସେତିକିରେ କ’ଣ ହିସାବ ଚୁକ୍ତି ହେଲା ନାହିଁ ଯେ ପୁଣି ନିହାରବାଳା ମନରେ ଦୁଃଖ ଦେବାକୁ ଦିଗମ୍ୱରଙ୍କ ଶୁଭାକାଙ୍‌କ୍ଷୀ ବନ୍ଧୁମାନେ ଡାକ୍ତରଖାନା ଭିତରେ ତା’ରି ବିଷୟରେ ଚର୍ଚ୍ଚା କରୁଛନ୍ତି !

 

ସେ ପୁଣି ଯିବ ବିଦ୍ୟାଧରଙ୍କ ପାଖକୁ । ସେଠି ସମସ୍ତେ ତା’ର ବିରୋଧୀ....ଏଇ ଚାକିରିଟା ହେଲେ ନ ଥାନ୍ତା । ତାଙ୍କ ଟିକଟ ଉପରେ ନମ୍ୱର ନ ପକାଇଲେ ଠିକ୍‌ ହେବ ନାହିଁ । ତା’ରି କଥା ସଞ୍ଜୟ ନ ଜାଣିଲେ ଭଲ ହୁଅନ୍ତା ।

 

ସଞ୍ଜୟ କ’ଣ ଶୁଣି ନ ଥିବ ? ତାକୁ ଶୁଣାଇଲା ପରି ସେମାନେ କହୁଛନ୍ତି । ଦୁନିଆଁ ଜାଣିଛି, ସଞ୍ଜୟ ଏବେ ଜାଣିବ । ଭାବିବ ତ ନିହାରବାଳା ଖରାପ—ସେଥିକି ଏବେ ବଳ କ’ଣ ?

 

ମନକୁ ଦୃଢ଼ କରି ମୁହଁ ଗମ୍ଭୀର କରି ନିହାରବାଳା ଆସି ଠିଆ ହେଲା ବିଦ୍ୟାଧରଙ୍କ ପାଖରେ । ସମସ୍ତେ ଚୁପ୍‌ ହୋଇଗଲେ । ହସି ସେ ବିଦ୍ୟାଧରଙ୍କୁ ପଚାରିଲେ—କ’ଣ ଭାରି ଉତ୍ସବ ଲାଗିଛି ? କିଏ ଆତ୍ମହତ୍ୟା କରିବ ?

 

କଥାର ଦୃଢ଼ତା ଦେଖି ବିଦ୍ୟାଧର କହିଲେ—ସେଥିରେ ଆମର କ’ଣ ଅଛି ? କେହି ତ କିଛି କଲାବେଳେ ଦୁନିଆଁ କଥା ଭାବେ ନାହିଁ ।

 

ବିଦ୍ୟାଧରଙ୍କ ବନ୍ଧୁମାନଙ୍କ ମୁହଁରେ ଅସରନ୍ତି ଲାଳସା । ନିହାରବାଳା ଯେପରି ସମସ୍ତଙ୍କର । ସେହି ପରିଚିତ ଚାହାଣୀ ନିହାରବାଳା ବହୁତ ଦେଖିଛି । ଚରିତ୍ରହୀନା ବୋଲି ଜାଣିଲେ ପୁରୁଷର ଆଖି ଯେଉଁ ଛବି ଆଙ୍କିଦିଏ, ସେହି ଛବି ନିହାରବାଳା ପାଖରେ ମୋଟେ ନୂଆ ନୁହେଁ ।

 

ବସିଥିବା ଲୋକଗୁଡ଼ିକ ଚୁପ୍‌ ହୋଇଗଲେ । ସେମାନେ ସମସ୍ତେ ଯେପରି ଦୋଷୀ । ଆପଣା ମନକୁ କହିଲା ପରି ନିହାରବାଳା କହିଲା—କେହି ତ ସବୁ ଆଡ଼ର କଥା ବୁଝି, ଶୁଣି ଓ ଦେଖି କଥା କହେ ନାହିଁ..ସିଷ୍ଟର କହୁଛନ୍ତି ଓ୍ୱାର୍ଡ଼ରେ ଗୋଳମାଳ ବନ୍ଦ କରିବ । ମୁଁ କରିବି କେମିତି-? ଯେ ଯାହା ଚାହୁଁଛନ୍ତି କରନ୍ତୁ ।

 

ବିଦ୍ୟାଧର ଖୁସି ହେଲାପରି କହିଲା—ଦେହ ଭଲ ହୋଇଆସିଲାଣି ବୋଲି ବନ୍ଧୁମାନେ ସଙ୍ଖୋଳି ଆସିଥିଲେ । ଏଣିକି ଆମେ ଚାଲିଯିବା । ଆଉ ଗୋଳମାଳ ହେବ ନାହିଁ ।

 

ସିଷ୍ଟର ଖୋଜୁଥିବାର ପେଖନା ଦେଖାଇ ନିହାରବାଳା ଚଞ୍ଚଳ ହୋଇଉଠିଲା । ଶୀଘ୍ର କାମ ସାରିଦେଇ ସେ ବାହାରିଲାବେଳକୁ ବିଦ୍ୟାଧର କହିଲା—ଇଏ ନରେନ୍ଦ୍ର ତୁମର ଭାଇଙ୍କର ଜଣେ ଚିହ୍ନା ଲୋକ ।

 

କିଛି ବୁଝି ନ ପାରିଲାପରି ନିହାରବାଳା ନରେନ୍ଦ୍ରକୁ ଚାହିଁ ରହିଲା । ସେଇ କହୁଥିଲା ଦିଗମ୍ୱର ବିଷୟରେ ।

 

ନରେନ୍ଦ୍ରକୁ ନମସ୍କାର କରି ନିହାରବାଳା କ୍ଷମା ପ୍ରାର୍ଥନା ଜଣାଇ କହିଲା—ମୁଁ ଯାଉଛି । ସିଷ୍ଟର ଗାଳି ଦେବେ ।

 

ଉତ୍ସାହ ନ ଥିଲେ ବି ସେ ସ୍ଥାନରୁ ଚାଲିଯିବାକୁ ନିହାରବାଳା ଶୀଘ୍ର ଶୀଘ୍ର ଆଗେଇ ଗଲା-। ଏଇମାନେ ଆସିଥିଲେ ନିହାରବାଳାକୁ ମନେ ପକେଇ ଦେବାକୁ—ତାର ଗତ ଜୀବନ-

 

ଭଲ ଲୋକ ନା ସେମାନେ ! ସେଥିପାଇଁ ଖରାପଟାକୁ ଖରାପ ବୋଲି କହିବାକୁ ତାଙ୍କର ଭାରି ଉତ୍ସାହ । ଏଣେ ତୁଣ୍ଡରେ ଯେତିକି ନିନ୍ଦା, ଆଖିରେ ସେତିକି ଚଟକ । ଲୋକଙ୍କ ମେଳରେ ଯେଉଁମାନେ ନିନ୍ଦା କରିବାରେ ମୁଖର, କେହି ନ ଥିଲାବେଳେ ସେହିମାନେ ଅତିରିକ୍ତ ଆଜ୍ଞାଧୀନ ।

 

ନିଜର ଅସାମର୍ଥ୍ୟ ଘୋଡ଼ାଇବାକୁ ସେମାନେ ଏହିପରି ଅନ୍ୟର ଅପମାନ କରିଥାନ୍ତି । ଏମାନଙ୍କର ନିଜର ଯୋଗ୍ୟତା ହେଉଛି ଅପରକୁ ନିନ୍ଦା କରିବାର ଶକ୍ତି ।

 

ନିହାରବାଳା ଦୁଃଖିତ ହୋଇ ସେ ଦିନ ଫେରିଲା । ଲୋକେ ତାକୁ ଏକୁଟିଆ ଛାଡ଼ି ଦେବେ ନାହିଁ । ବିନା କାରଣରେ ଶତ୍ରୁତା କରିବେ । ତା’ର ଚରିତ୍ର ବିରୁଦ୍ଧରେ ନାନା କଥା କହି ତା’ର ସାଧାରଣ ସହଜ ଗର୍ବକୁ ମାଟିରେ ମିଶାଇ ଦେବେ ।

 

ନର୍ସ ହଷ୍ଟେଲକୁ ଫେରିଲା । ବାଟରେ ଭାବି ଭାବି ଯାଇଥିଲା ସେଇ ଗୋଟିକ କଥା—କ’ଣ କଲେ ସେ ଲୋକନିନ୍ଦାର ଝଡ଼ ଭିତରେ ନିଜକୁ ସ୍ଥିର ରଖିପାରିବ । ପ୍ରତିବାଦ କରି ଲାଭ ନାହିଁ-। ପ୍ରତିବାଦ କଲେ ଲୋକନିନ୍ଦା ଅଧିକରୁ ଅଧିକ ତେଜି ଉଠେ । ନିନ୍ଦୁକଙ୍କୁ ଭଲ ପାଇଲେ...

 

ନିନ୍ଦୁକଙ୍କୁ କ’ଣ ଭଲ ପାଇ ହେବ ? ସେମାନେ ତ ସବୁବେଳେ କାରଣ ନ ଥାଇ କ୍ଷତି କରିବାକୁ ଆଗଭର । ବଳରାମ ଛାଡ଼ିଦେଲେ ଯେ ସେଇଟାପାଇଁ ନିହାରକୁ ନିନ୍ଦା ସହିବାକୁ ହେବ–ବଳରାମ ଛାଡ଼ିଦେଲା କାହିଁକି ?

 

ସ୍ୱାମୀ ଛାଡ଼ିଦେଲେ ବି ସ୍ତ୍ରୀ ପୁଣି ତାଙ୍କରି ମତାମତକୁ ଅପେକ୍ଷା ରଖି ଚଳପ୍ରଚଳ ହେବ । ...ଭଲ ବୁଝାମଣା ତ । ହେଲା ଏବେ ସେ ଆସି ଦିଗମ୍ୱରଙ୍କ ସାଙ୍ଗରେ ଯେମିତି ମନ, ଯେମିତି ଇଚ୍ଛା ସେମିତି ଚଳିଲା । ...ନା, ସେ ସ୍ୱାଧୀନତା ବି ତା’ର ନାହିଁ । ଏଥିପାଇଁ କେହି ବଳରାମ କି ଦିଗମ୍ୱରଙ୍କୁ ଦୋଷ ଦେଉ ନାହାନ୍ତି । ଦୋଷ ହେଉଛି ନିହାରବାଳାର ।

 

ସବୁ ସହି ହୁଏ । କିନ୍ତୁ ଅଯଥା ଲୋକନିନ୍ଦାର, ଆଘାତ ସହି ହୁଏ ନାହିଁ । ସେତେବେଳେ ମଣିଷ ନିଜକୁ ବଡ଼ ଅନୁକମ୍ପା ଦେଖାଏ । ନିହାରବାଳା ବିଛଣାରେ ଶୋଇରହି ନିଜକୁ ନିଜେ ଦୋଷୀ କରୁଥିଲା । ନିଜର ଜିଦରେ ସେ ଗୁଡ଼ାଏ ଲୋକନିନ୍ଦା ଉଡ଼ାଇ ଆଣିଛି ନିଜ ପାଖକୁ ।

 

କାହାରିକୁ କହି ହେବ ନାହିଁ । ସେଇ ହଷ୍ଟେଲ ଭିତରେ ସମସ୍ତେ ସେଇ ଲୋକନିନ୍ଦାର ଆଘାତରେ ମ୍ରିୟମାଣ । ସମସ୍ତଙ୍କର ସେହି ଗୋଟିଏ ସମସ୍ୟା—ବଡ଼ଠାରୁ ଛୋଟଯାକ । ବିନାକାରଣରେ ଲୋକେ ନର୍ସମାନଙ୍କୁ ଭଲ ପାଇବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଅତୀତ ଜୀବନକୁ ଖୋଳି ତାଡ଼ି ଦେଖିବାକୁ ଚାହୁଛନ୍ତି ।

 

ଆଶା ଆସି ସେଇ କଥା କହୁଥିଲା । ସେ ଦିନ ଜଣେ ଲୋକ ତାକୁ ବିଦ୍ରୂପ କରି କହିଥିଲା—ଏମିତି କାହିଁକି ମ ! ଆପଣ ପଦେ କଥା କହିଲେ ମୁହଁ ମୋଡ଼ି ଦିଅନ୍ତି । ଆମେ କ’ଣ ମଣିଷ ନୋହୁଁ ?

 

ଆଶା ତାକୁ ଜବାବ ଦେଇଥିଲା—ଆପଣ ମଣିଷ ହୋଇଥିଲେ ଏପରି କଥା କୁହନ୍ତେ ନାହିଁ କି ଏପରି ବ୍ୟବହାର ପାଆନ୍ତେ ନାହିଁ...ଆଶା ବିରକ୍ତ ହୋଇ ନିହାରକୁ ପଚାରୁଥିଲା—ସମସ୍ତଙ୍କୁ କ’ଣ ଭଲ ପାଇ ହେବ ? ଭଲ ନ ପାଇବାଯାଏ ସେମାନଙ୍କ ଜଞ୍ଜାଳରୁ ତ୍ରାହି ନାହିଁ ।

 

ସେଇ କଥା ନିହାର ଆଶାକୁ ପଚାରିବାକୁ ଚାହୁଁଥିଲା । ଆଶାର ପ୍ରଶ୍ନ ଶୁଣି ନିହାର କହିଲା—ସମସ୍ତଙ୍କୁ ଭଲ ପାଇବାକୁ ମୁଁ ତ ମନେ ମନେ ଚେଷ୍ଟା କରିଥାଏ । ମୋର ନିଜର ଅସଂଖ୍ୟ ଦୋଷ ଥିବାରୁ ମୁଁ କାହାରି ଦୋଷକୁ ଦୋଷ ବୋଲି ଦେଖେ ନାହିଁ । ଯେତେ ମନ ଉଦାର କଲେ ବି ଲୋକେ ମାଡ଼ ଦେବାକୁ ପଛାଉ ନାହାନ୍ତି ।

 

—ଏମିତି ଲୋକଙ୍କୁ ଭଲ ପାଇବା କାହିଁକି ? ଆମର ଦୋଷ ଥିଲେ କେତେ ନ ଥିଲେ ବା କେତେ । ଦୁନିଆଯାକ ଲୋକଙ୍କୁ କାହିଁକି ଅବା ଭଲ ପାଇବ ? ମୁଁ ତ ଠିକ୍‌ କରିଛି, ଯେ ଯେତେବଳେ ଆସି ଏମିତି ଖେଳ ଦେଖାଇବ, ତାକୁ ପାନେ ପାନେ ଦେବି ।

 

ନିହାର ଚାହିଁ ରହିଲା ଆଶାର ମୁହଁକୁ । ମୁହଁରେ କପଟତା ଓ ନିଷ୍ଠୁରତା ପୂରି ରହିଛି...ତାକୁ ଆଉଁସି ଦେଇ ନିହାର କହିଲା—ଭଲ ପାଇବାର ଛଳନା ଦେଖାଇ କ’ଣ ତମର ଲାଭ ହେବ ? ସେମାନେ ଟାଣି ହୋଇ ଆସୁଛନ୍ତି କ୍ଷତି କରିବାକୁ । ଭଲ ନ ଲାଗିଲେ ଆଡ଼େଇ ହୋଇଗଲେ ଯିବ ତ ।

 

—ଆଡ଼େଇ ହେବ କୋଉଠିକି ? ସେମାନେ ଯେ ପଛେ ପଛେ ଛୁଟିଛନ୍ତି । ନିଜେ ନ ଆସିଲାବେଳେ ତାଙ୍କର ଆଖି ଦୁଇଟି ଗୋଡ଼ାଇଛି । ମନ ତମର ପିଛା ଧରିଛି । ତମ ମନ କଥା ବୁଝିବାକୁ ତାଙ୍କର ବେଳ କାହିଁ ? ତାକୁ କ’ଣ ଭଲ ପାଇବା କହନ୍ତି ?

 

—ସେତିକିର ସେମାନେ ଅଧିକାରୀ । ସେତିକି ତାଙ୍କୁ ଜଣାଅଛି । ତାଙ୍କୁ ଖୁଣିଲେ କ’ଣ ହେବ । ପାରୁଛ ଯଦି ମିଠା କଥା କହି ତାଙ୍କୁ ଖୁସି କରି ରଖ ।

 

—ବେଶ୍‌ ଭଲ କଥା, ନିହାର ! ତୁମର ବହୁତ ବନ୍ଧୁ ହୋଇଯିବେ । ସମସ୍ତେ ତ ଆସିଲାବେଳେ କହୁଛନ୍ତି ଭାଇ । ଏତେ ଭାଇ ଆମର କ’ଣ ହେବେ ?

 

—କାହିଁକି ? ଉପହାର ଦେବେ, ଭେଟି ଦେବେ, କାମରେ ଲାଗିବେ । ତମର ଯଦି କାମ ନ ଥାଏ, ନୂଆ ନୂଆ କାମ ବାହାର କର...ନେବାକୁ ଚାହୁଛନ୍ତି ତ । ତାଙ୍କୁ ଠେଲି ବାହାର କରି ନ ଦେଇ ତାଙ୍କ ଉପରେ ଭଲ ପାଇବାର ଗୋଟାଏ ମୂଲ ଲଗାଇ ଦେଲେ ସେମାନେ ଚାଲିଯିବେ ନାହିଁ କି ?

 

ଆଶା ନିହାର ମୁହଁକୁ ନିରୀକ୍ଷଣ କରି ସେହି ଆଖି ଦୁଇଟିର ସବୁ ଅଭିସନ୍ଧି ଜାଣିବାକୁ ଚାହୁଁଥିଲା । ନିହାରବାଳା ଯେପରି ଗୋଟାଏ ଯୋଜନା କରିଛି—ଲୋକଙ୍କୁ ଦେଇ ପୁଣି ତାଙ୍କଠାରୁ ନେବାର ଯୋଜନା । ତା’ର ମନରେ ଆଶାର ମନପରି ବିଦ୍ରୋହ ନାହିଁ । ଆଶା ଭାବୁଥିଲା ଯେ ସେ ନିହାରଠାରୁ ବହୁତ ଉପରେ । ତା’ର ଚରିତ୍ର ନିଷ୍କଳଙ୍କ ।

 

ଆଶାର ମୁହଁରେ ସନ୍ଦେହ ଦେଖି ନିହାର ପଚାରିଲା—ଖରାପ ଲାଗିଲା, ନା ? ଖୋଲା କଥାଟାକୁ ଖୋଲାଖୋଲି କହିଦେଲି ବୋଲି ଖରାପ ଲାଗିଲା...ତୁମକୁ କ’ଣ କେହି ଭଲ ପାଇ ନାହିଁ-? କେହି କ’ଣ ତମକୁ ଭଲ ପାଇବାକୁ ଆସି ଘୃଣା କରି ନାହାନ୍ତି ?

 

ଆଶା ଚମକି ପଡ଼ିଲା...ସତେ ତ ! ସେ ଆଜି ନର୍ସ ହୋଇଛି କେବତ ସେହି ଗୋଟିଏ କାରଣରୁ । ମନକୁ ଥୟ ରଖିପାରି ନ ଥିଲା ବୋଲି ସେ ପ୍ରିୟନାଥକୁ ଭଲ ପାଇଥିଲା । ସେହି ପ୍ରିୟନାଥ ଆଶାକୁ ଡାକ୍ତରଖାନା ପଠାଇ ଦେଇଥିଲେ । ସେତେବେଳେ ଆଶା ଭାବିଥିଲା, ପ୍ରିୟନାଥ ତାକୁ ବିଭା ହେବେ । ତାଙ୍କରି ସନ୍ତାନଟିକୁ ନିଜର ବୋଲି ସ୍ୱୀକୃତି ଦେବେ...କାହିଁ ? ପ୍ରିୟନାଥ ନିଜେ ଆପଣା ମନକୁ ଖାଲି ଯେ ଅଲଗା ହୋଇଗଲେ ସେତିକି ନୁହେଁ, ଅଲଗା ହେଲାବେଳେ ଚିରଦିନପାଇଁ ଆଶାର ମୁଣ୍ଡ ଉପରେ କଳଙ୍କର ବୋଝ ଥାପି ଦେଇଗଲେ । ସେଇ ଖବର ଆଶା ଲୁଚାଇଛି ଦୁନିଆର ସମସ୍ତଙ୍କଠାରୁ—ନିହାରବାଳା ବି ଜାଣେ ନାହିଁ...

 

ନିହାର ମୁହଁକୁ ଚାହିଁ ଆଶା କପଟ ଦୃଢ଼ତା ଦେଖାଇ କହିଲା—ମୋତେ କେହି ଭଲ ପାଇ ନାହାନ୍ତି ।

 

ଅସୀମ ବିଦ୍ରୂପ ନିହାରବାଳାର ଆଖିରେ । ସେ ସତ ବୁଝିଲା ପରି କହିଲା—ଯାହାହେଉ ଆଶା, ତମେ ବଡ଼ ସୁଖୀ । ଯୌବନ ଓ ସୌନ୍ଦର୍ଯ୍ୟ ଥାଇ ତମକୁ କେହି ଭଲ ପାଇ ନାହାନ୍ତି—ଇଏ ଆଜି ଗୋଟାଏ ବଡ଼ ଖବର । ଆଉ ବି କାହାର ପ୍ରୀତିରେ ବିଫଳ ନ ହୋଇ, କାହାରି ପ୍ରୀତି ନ ପାଇ ତମେ ଡାକ୍ତରଖାନାକୁ ନର୍ସକୁ ହେବାକୁ ଆସଛି । ଆଉ ଦି’ଦିନ ଭିତରେ ଏତେ ଲୋକଙ୍କର ଏତେ କଥାକୁ ତମେ ଖାଲି ଗୋଡ଼ରେ ହାତରେ ଅଡ଼େଇ ଦଉଛ...କହି ନିହାରବାଳା ହସିଲା ।

 

ନିଜେ ମୁକୁଳା ହୋଇଗଲା ପରି ଆଶାକୁ ଭାରି ଅଡ଼ୁଆ ଲାଗିଲା । ସେ ଟିକିଏ ପାଖକୁ ଘୁଞ୍ଚିଆସି କହିଲା—ନିହାର, ବାହାର ଲୋକ ଅପମାନ ଦେଲେ ବି ତମେ ବି ଶେଷରେ ଆଶାକୁ ଏମିତି କଥା କହିଲ । ତା’ର କଣ୍ଠସ୍ୱର ଅଭିମାନ-ଭରା ।

 

ନଇଁପଡ଼ିଥିବା ଆଶାକୁ ନିଜ ପାଖକୁ ଟାଣିନେଇ ନିହାର କହିଲା—ଭଲ ପାଇବା ଗୋଟାଏ ଦୋଷ ନୁହେଁ । ସେହି ସ୍ନେହଶ୍ରଦ୍ଧା ଉପରେ ସଂସାର ଗଢ଼ା ହୋଇଛି । ଯାହାକୁ ତମେ ଫେରେଇ ଦେଇଛ ଅବା ଯିଏ ଆମକୁ ଫେରେଇ ଦେଇଛି, ସେହିମାନେ ହେଉଛନ୍ତି ଆମର ଲୋକ-। ତାଙ୍କରି ଘୃଣା ଭିତରେ ଯେତିକି ସ୍ନେହ ଅଛି ଆଉ ସ୍ନେହ ଭିତରେ ଯେତିକି ଘୃଣା ଅଛି, ସେତିକି ହେଉଛି ଆମର ପରିଚୟ ।

 

ଆଶା ଚାହିଁ ରହିଲା ସାଥି ନର୍ସଟିର ମୁହଁକୁ । ଆଶାପରି ଦେଖିବାକୁ ସଫା ନୁହେଁ । କିନ୍ତୁ ତା’ର ମନରେ କେତେ ଦୁଃଖର ଦାଗ । ହସିଲାବେଳେ ବି ହସ ଭିତରୁ ଦୁଃଖର କଳା ଦାଗ ଦିଶିଯାଏ । ସେଇ ନିହାରକୁ ଆଶା ଟିକକ ଆଗରୁ ଗୁଡ଼ାଏ ମିଛ କହୁଥିଲା । ଏବେ ନିହାରର ବାହୁବନ୍ଧନ ଭିତରେ ଆଶା ନିଜକୁ ପ୍ରବୋଧ ଦେଉଥିଲା—ତାକୁ ଜଣେ ଲୋକ ଭଲ ପାଇ ସହାନୁଭୂତି ଦେଖାଉଛି ।

 

ଆଶାର ଆଖି ଦୁଇଟି ଲୋତକସିକ୍ତ ଦେଖି ଗଭୀର ସହାନୁଭୂତିରେ ନିହାର କହିଲା—ପ୍ରଥମେ ପ୍ରଥମେ କାନ୍ଦିବାକୁ ଇଚ୍ଛା ହୁଏ । କିନ୍ତୁ ଆଖିର ଲୁହ କାହାରି ମନକୁ ଗ୍ରହଣ କରୁଣ କରେ ନାହିଁ । ପ୍ରୀତି ସବୁବେଳେ ହସର ପିଆରା । କାନ୍ଦିଲେ ସ୍ନେହ, ପ୍ରେମ ମରିଯାଆନ୍ତି । କ’ଣପାଇଁ ଓ କାହାପାଇଁ କାନ୍ଦିବ ?

 

ଆଶା ଅଧୈର୍ଯ୍ୟ ହୋଇପଡ଼ିଲା । ତା’ର ଛୋଟିଆ ମୁହଁକୁ ନିଜର ଛାତି ଭିତରେ ଜାକିରଖି ନିହାର କହିଲା—ଆହା ! ନ ଜାଣି ତମୁକୁ ଆଘାତ ଦେଲି । ଗଲା କେଇବର୍ଷ ହେଲାଣି ମୁଁ ଭୋଗୁଛି । ମତେ ସମସ୍ତେ ତଡ଼ି ତଡ଼ି ଏଇ ଡାକ୍ତରଖାନାକୁ ଆଣି ପହଞ୍ଚାଇଛନ୍ତି । ମୁଁ ଯେମିତି ସମସ୍ତଙ୍କୁ ଭଲ ପାଇବାକୁ ଓ ସମସ୍ତଙ୍କର ସେବା କରିବାକୁ ବାଧ୍ୟ ହେବି । ତୁମେ ବୋଧହୁଏ ଜାଣ ନାହିଁ ଆଶା, ମୁଁ ଏଠିକି ଆସି ମୋର ଦୁଇ କୁଳରେ କଳା ବୋଳିଛି । ଏବେ ବି ଲୋକେ ଆସି ବାରମ୍ବାର ମୋତେ କହିବାକୁ ଚାହୁଁଛନ୍ତି ଯେ ନିହାର ସବୁଠାରୁ ଖରାପ ।

 

—ସମସ୍ତେ ତ ଆମକୁ କହିବେ !

 

—କହିବେ ନାହିଁ କାହିଁକି ? ଚିହ୍ନାଲୋକ ଦୂରେଇଯିବେ । ପୁଣି ଅଚିହ୍ନା ଲୋକେ ଆସିବେ । ଇଏ—ଇଏ ନ ହେଲେ ସିଏ । କେହି ନା କେହି ଆସି ଆମକୁ ଭଲ ପାଇବ । କିଏ ଅବା ତମକୁ ମତେ ଆଉ ସମସ୍ତଙ୍କୁ ଖୋଜିବ । ଆଉ କିଏ ଏକା ତମର ନଇଲେ ଏକା ମୋର ।

 

—ମୁଁ ଶୁଣିଥିଲି, ଡାକ୍ତରମାନେ ଭାବନ୍ତି ଯେ ନର୍ସମାନେ ତାଙ୍କର ପ୍ରଜା । ତମେ ଶୁଣିଛ-?

 

—ନାହିଁ ତ । ବେଶିଗୁଡ଼ାଏ ବଳତ୍କାର କଲେ ଆମେ କ’ଣ ତାଙ୍କୁ ଲେଉଟାଇ ଦେଇ ପାରିବା ନାହିଁ ?

 

—ସେମାନେ କୁଆଡ଼େ ଜୋର ଜବରଦସ୍ତି କରନ୍ତି ! ତାଙ୍କ କଥା ନ ଶୁଣିଲେ ପରୀକ୍ଷାରେ ନମ୍ବର କାଟନ୍ତି । ଚାକିରି ମିଳେ ନାହିଁ ।

 

ଦୀର୍ଘନିଶ୍ୱାସ ପକାଇ ନିହାର କହିଲା—ଆଉ ସେ କଥା ଭାବି ଲାଭ କ’ଣ ? ବିଜ୍ଞାପନରେ ଆମେ ତ ଦେଖିଥିଲେ ଯେ ନର୍ସ ହେବାପାଇଁ ଖାଲି ଯୁବତୀ, ସୁନ୍ଦରୀ ଓ ଶିକ୍ଷିତା ଦରକାର । ଦରଖାସ୍ତ ଭିତରୁ ବଛା ହୋଇ ଆମେ ତ ଆସିଛୁ ।

 

—ତେବେ କ’ଣ ଏମିତି ମନ ନ ଥାଉ ଇଚ୍ଛା ନ ଥାଉ ସମସ୍ତଙ୍କ ପାଇଁ ଆମେ କେଇଜଣ ଆସି ରହିଲୁ । ମତେ ଭାରି ଡର ମାଡ଼ୁଛି ।

 

—ଡରିଲେ କ’ଣ ହେବ ! ସବୁବେଳେ ଯାହାଙ୍କ ପାଖରେ ଚଳିବା ସେମାନେ ଆମକୁ ଭଲ ପାଇଲେ ତ ଅତି ଉତ୍ତମ । ଭଲ ନ ପାଇଲେ ବଳ କ’ଣ ! ତାଙ୍କର ମନକୁ ବୁଝାଇବାକୁ ସରକାରୀ ଟିକସ ପରି ଯାହା ଯେତିକି ନେଇ ପାରିବେ ନେବେ ତ । ଆଉ ଗୁଡ଼ାଏ ଅନର୍ଥ ଭିଆଇ ପାଟିତୁଣ୍ଡ କରି ବୁଲିଲେ ଖାଲି ନିଜର କ୍ଷତି... ସମସ୍ତେ କହିବେ, ନର୍ସମାନେ ପ୍ରତିବାଦ କରୁଛନ୍ତି—କହି ନିହାର ହସିଲା ।

 

—ମୁଁ ଭାବୁଛି, ପଳେଇବି । ମୋତେ ମୋଟେ ଭଲ ଲାଗୁ ନାହିଁ । ଏତେ ଲୋକଙ୍କର ଏତେ ପ୍ରକାର ଖିଜିମଦ୍‌ କରି ଚଳି ହେବ ନାହିଁ ।

 

—ପଳେଇବ ? କୋଉଠିକି ଯିବ ? ଆଉ ଏ ଜୀବନରେ ଲୋକନିନ୍ଦାରୁ ମୁକ୍ତି ନାହିଁ । ସକାଳୁ ସଂଧ୍ୟାଯାଏ ଖାଲି ରୋଗୀଙ୍କର ଆକ୍ରମଣ, ରୋଗୀ ଆଉ ତାଙ୍କର ନିଜ ଲୋକ ସମସ୍ତଙ୍କର । ମୁଁ ଭାବୁଛି ଖରାପଟାକୁ ଖରାପ ବୋଲି ନ ଭାବିଲେ ଲୋକ ବେଶି ଖରାପ ହେବ ନାହିଁ । ଲୋକନିନ୍ଦାକୁ କାନ ନ ଦେଲେ ଲୋକେ ଊଣା ନିନ୍ଦା କରିବେ । ସମସ୍ତଙ୍କୁ ଭଲ ପାଇଲେ ସେମାନଙ୍କର ଭଲ ପାଇବା କମିଯିବ ।

 

ଆଶା ପଚାରିଲା—ତେବେ କ’ଣ ଆମେ ୟାରି ଭିତରେ ରହି ନିଜକୁ ଭଲ ରଖିପାରିବା ନାହିଁ ?

 

—ଭଲ କ’ଣ, ଖରାପ କ’ଣ ? କେତେକ କାମକୁ ଠାକୁର ଖରାପ କହନ୍ତି । ଆଉ କେତେକ କାମ ମଣିଷ ଖରାପ ବୋଲି କହେ । ଜୀବିକାପାଇଁ ଯେତକ କରୁଛୁ, ସିଏ ତ ଖରାପ ହୋଇପାରେ ନା । ନିଜ ପାଇଁ କ’ଣ ବା କଲୁ ?... ଆମେ ତ କାହାକୁ ଘରୁ ନିମନ୍ତ୍ରଣ କରି ଡାକିନାହୁଁ । ଆସିବା ଲୋକ ଯଦି ଆପଣାଛାଏଁ ଭଲ ପାଇ ବସେ !

 

—ସତେ ତ ! ତାଙ୍କର ତ କିଛି ଦୋଷ ନାହିଁ । ଆମର ତ କିଛି ଦୋଷ ନାହିଁ । ଏଇ ଏଡ଼େ ବଡ଼ ସଂସାର ଭିତରେ ମଣିଷ ତା’ର ବାଟ ଅବାଟରେ ଚାଲିଛି ।

 

—ଚାଲୁ ଚାଲୁ ଭୁଲ୍‌ କରି ଚାଲିବା ଯେମିତି ମଣିଷର ଗୁଣ, ସେମିତି ଚାଲିବାବେଳେ ରାସ୍ତାକୁ ଖୁଣିବା ବି ସେଇ ମଣିଷର କାମ ।

 

ଦୁହିଙ୍କ ଆଖିରେ ଡାକ୍ତରଖାନାର ଓ୍ୱାର୍ଡ଼ଗୁଡ଼ିକ ନୂଆ ପ୍ରକାରରେ ଦେଖା ଦେଇଥିଲା । ସେଠି ସମସ୍ତେ ସମସ୍ତଙ୍କଠାରୁ ସ୍ନେହ ଆଦର ଖୋଜୁଛନ୍ତି । ସମସ୍ତେ ସମସ୍ତଙ୍କୁ ନିନ୍ଦା କରୁଛନ୍ତି । ଦୁନିଆର ବଡ଼ ଦାଣ୍ଡରେ ଯାହା, ଡାକ୍ତରଖାନାର ପାଚିରି ଭିତରେ ବି ସେୟା । ମଣିଷର କାମ ଭିତରେ ଭଲ ମନ୍ଦ କି ନ୍ୟାୟ ଅନ୍ୟାୟ କିଛି ନାହିଁ । ଯାହାକୁ ଯେତେବେଳେ ଯୋଉ କାମ ଖରାପ ଲାଗିଲା, ସେ ତାକୁ ଖରାପ ବୋଲି କହେ । ଆଉ ଯେତେବେଳ ତାକୁ ସେମିତି କରିବାକୁ ଭଲ ଲାଗେ, ସେ ସେହି କାମକୁ ଆଉ ସେହି କଥାକୁ ଭଲ ବୋଲି ଭାବେ ।

 

ସେଇ ଦିନ ଯୋଡ଼ିଏ ନର୍ସ ମନ ଭିତରେ ଗୋଟିଏ ଅବସ୍ଥାରୁ ଆର ଅବସ୍ଥାକୁ ଚାଲିଯାଇଥିଲେ । ସେମାନଙ୍କ ମନ ଭିତରୁ ଭଲ ପାଇବାର ଆକର୍ଷଣ ଚାଲିଯାଇଥିଲା । ସେମାନଙ୍କ ହୃଦୟ ଭିତରୁ ସେହି ଗୋପନ ସ୍ପର୍ଶ ଲିଭିଯାଇଥିଲା । କିନ୍ତୁ ସେତିକି ଛାଡ଼ିଦେଲା ପରେ ସେମାନଙ୍କ ମନ ଭିତରେ ସ୍ନେହ, ଶ୍ରଦ୍ଧା, ଆଦର ଓ ପ୍ରୀତି ବଢ଼ିଯାଇଥିଲା ।

 

ସକାଳ ଆସିଛି । ଆଉ ଡାକ୍ତରଖାନାରେ ସଞ୍ଜୟ ପ୍ରତି ଉତ୍ସାହ ନାହିଁ, ବିଦ୍ୟାଧରଙ୍କ ପ୍ରତି ଭୟ ନାହିଁ । ବିଦ୍ୟାଧରଙ୍କର ବନ୍ଧୁମାନଙ୍କ ପ୍ରତି ଅଭିଯୋଗ ନାହିଁ । କାହାରି ପ୍ରତି ମନରେ ସରାଗ ନାହିଁ ।

 

ଆଉ ବେଶପରିପାଟୀ କରିବାରେ ମନରେ ସଙ୍କୋଚ ନାହିଁ । ସେହି ସୌନ୍ଦର୍ଯ୍ୟର ନିହାରବାଳାର ହୃଦୟ ନାହିଁ । କିନ୍ତୁ କାହିଁକି କେଜାଣି ସେହି ହୃଦୟହୀନ ସୌନ୍ଦର୍ଯ୍ୟ ନିହାରବାଳାକୁ ବିସ୍ମିତ କରିଥିଲା । ମନ ଭିତରୁ କୁଣ୍ଠା କମିଯିବାରୁ ସେ ଯେପରି ଅତି ସୁନ୍ଦର ଦିଶୁଛି ।

 

ସକାଳର ସୂର୍ଯ୍ୟ ନିହାରବାଳାକୁ ସେମିତି ପାଛୋଟି ନେଇଥିଲେ । ନିହାର ଶୀଘ୍ର ଚାଲି ଚାଲି ଆସୁଥିଲା ହଷ୍ଟେଲରୁ ଡାକ୍ତରଖାନାକୁ । ତା’ର ହାତ ଦୁଇଟି କହୁଣୀ ପାଖରୁ ବଡ଼ ଅସୁନ୍ଦର ଭାବରେ ଦୂରକୁ ଝୁଲୁଥାଏ ।

 

ଡାକ୍ତରଖାନାର ପୋଷାକ ସଞ୍ଜୟ ପିନ୍ଧିଛି ଆଗଦିନ ସଂଧ୍ୟାରେ—ନିହାରବାଳା ଗଲା ପରେ । ସକାଳେ ନିହାର ଆସିଲେ ଦେଖିବ—ସଞ୍ଜୟ କି ଅସୁନ୍ଦର । ସେହି ଗୋଟିଏ କଥା ଭାବି ସଞ୍ଜୟର ମନ ବାରମ୍ବାର କାତର ହୋଇପଡ଼ିଥିଲା ।

 

ସକାଳେ ସେମାନେ ଆସିବା ଆଗରୁ ସେ ଯାଇ ବାହାରେ ଠିଆ ହୋଇଥିଲା—ନିହାର ଆସିଲାବେଳେ ଦେଖୁ । ତା’ର ଆଖି ଉପରୁ ବିସ୍ମୟର ଦାଗ ଲିଭିଯାଉ । ସେ ଦେଖୁ ଆଉ ବୁଝୁ ଯେ ଡାକ୍ତରଖାନାର କାଇଦାକଟକଣା କେମିତି ସଞ୍ଜୟକୁ କଦର୍ଯ୍ୟ କରିଦେଇଛନ୍ତି ।

 

ନିହାରବାଳାର ଆଉ କୌତୁହଳ ନାହିଁ । ଗୋଟିଏ ନିୟମ ସେ ପାଳିବ ବୋଲି ସ୍ଥିର କରିଛି—କାହାରି ପାଖକୁ ସେ ନିଜର ଆଖିରେ ଆମନ୍ତ୍ରଣ ନେଇ, ଆବେଦନ ଜଣାଇ ଆସି ଠିଆ ହେବ ନାହିଁ । ତା’ ପାଖରେ ସମସ୍ତେ ସମାନ—ଚିହ୍ନା ଲୋକ ଯେମିତି ଅଚିହ୍ନା ଲୋକ ବି ସେମିତି । ସେ ସିଷ୍ଟର ପରି ନିର୍ବିକାର ହେବ ।

 

ସଞ୍ଜୟ ସ୍ଥିରଦୃଷ୍ଟିରେ ଚାହିଁ ରହିଥିଲା ନିହାରବାଳାକୁ । —ଦୂରରୁ ଦେଖିଲେ ତ ଚିହ୍ନି ହୁଏନା । ନିହାର ଆଗରୁ ଆସୁଥିବା ଲୋକଙ୍କୁ ନିହାର ବୋଲି ଭାବି ସଞ୍ଜୟ ବାରମ୍ବାର ଉତ୍କଣ୍ଠିତ ହୋଇ ଭେଟିବାକୁ ଆଗେଇ ଆସିଥିଲା । ଡାକ୍ତରଖାନା ବାରଣ୍ଡାରେ ଗୋଟିଏ ରୋଗୀ ଠିଆ ହୋଇଥିବାର ସେମାନେ ଦେଖି ବିନା କୌତୁହଳରେ ନିଜ ନିଜର ଓ୍ୱାର୍ଡ଼କୁ ଚାଲିଯାଇଥିଲେ ।

 

ସଞ୍ଜୟର ମନ ବିଦ୍ରୋହ କରିଥିଲା । କାହାରି ଆଖି ଦୁଇଟିକୁ ଟିକକପାଇଁ ବ୍ୟଗ୍ର, ବ୍ୟାକୁଳ କରିବାକୁ ସେ କ’ଣ ସତରେ ଅସମର୍ଥ ! ସେମିତି ଚାଲିଗଲା ଲୋକ ଚାହିଁଦେଇ ଚାଲିଯାଇଥିଲେ ।

 

ସେମାନଙ୍କୁ ଦେଖି, ସେମାନଙ୍କୁ କାହିଁକି ନିହାର ବୋଲି ସଞ୍ଜୟ ଭାବିଥିଲା, ସେ ଜାଣେ ନାହିଁ । ପାଖରେ ନାରୀମାନେ ଏତେ ଅଲଗା ଦିଶନ୍ତି । ଆଉ ଦୂରରୁ ସେମାନେ ଏମିତି ଏକାପ୍ରକାରର ଦିଶନ୍ତି । ଅନ୍ୟମାନେ ବି ନିହାରବାଳା ପରି ଦିଶିପାରନ୍ତି ।

 

ସେମାନଙ୍କର ଚାଲିବା ଠାଣି, ହାତ ଗୋଡ଼ ହଲାଇବାର, ଝୁଲାଇବାର ରୀତି ସଞ୍ଜୟକୁ ମୋଟେ ଭଲ ଲାଗୁ ନ ଥିଲା । ସେ ମନେ ମନେ ନିହାରବାଳାକୁ ସେମାନଙ୍କଠାରୁ ବହୁତ ବେଶି ସୁନ୍ଦର ବୋଲି ସ୍ଥିର କରି ବଡ଼ ଖୁସି ହେଉଥିଲା । ...ସମସ୍ତେ ତ ଆସିଲେ । ନିହାରବାଳା କାହିଁ ? ସଞ୍ଜୟ ଆଖିରେ ଉଦବେଗ । ନିଶ୍ଚୟ ନିହାରବାଳା ଆଜି ଛୁଟି ନେଇଛି । ସମୟ ଗଡ଼ିଗଲାଣି । ନିହାରବାଳା ଆସିବ ନାହିଁ ।

 

ନିହାର ଆସିଲାବେଳେ ସଞ୍ଜୟକୁ ଠିଆ ହୋଇଥିବାର ଦେଖିଲା । ଟିକିଏ ସଙ୍କୋଚ ନେଇ ଭାବିଥିଲା ଯେ ଡାକ୍ତରଖାନାର ପୋଷାକ ପିନ୍ଧି, ନିହାରବାଳା ଆସିବ ବୋଲି ଜାଣି ସଞ୍ଜୟ ସତେ ଯେପରି ତାକୁ ଦେଖିବାକୁ ବାହାରେ ଆସି ଠିଆ ହୋଇଛି ।

 

ନିଜ ଦୁଃଖରେ ନିଜକୁ କହିଥିଲା—ଟିକିଏ ଭଲ କରି ଲୁଗାପଟା ପିନ୍ଧିବାର ସୁବିଧା ଡାକ୍ତରଖାନାରେ ନର୍ସମାନଙ୍କର ନାହିଁ । ଏଠି ସମସ୍ତେ ସମାନ—ଖୁବ୍‌ ଭଲ ଆଉ ଖୁବ୍‌ ଖରାପ ସମସ୍ତେ ।

 

ସଞ୍ଜୟ ଅନ୍ୟମନସ୍କ ହୋଇ ଚାହିଁଥିଲା ରାସ୍ତା ଉପରକୁ । ଅଳ୍ପ ଦୂରରେ ନିହାରବାଳା ଚାଲିଯାଇଛି । ଆଉ ଯେଉଁ ନିହାର କଥା ଭାବି ଭାବି ତନ୍ମୟ ରହି ସଞ୍ଜୟ ରାସ୍ତାକୁ ଚାହିଁ ମଧ୍ୟ ନିହାରକୁ ଦେଖିପାରି ନ ଥିଲା, ସେହି ନିହାର ଆସି ଓ୍ୱାର୍ଡ଼ରେ ପହଞ୍ଚିଛି ।

 

ଡାକ୍ତରଖାନା ପୋଷାକ ପିନ୍ଧିଲା ପରେ ନିହାରର ମନ ବଦଳି ଯାଇଥିଲା । ସେଇ ପୋଷାକ ତଳେ ତା’ର ନାରୀତ୍ୱର ସମସ୍ତ କମନୀୟତା ଲୁଚିଯାଇଥିଲା... ଗୋଡ଼ ତଳର ଘାସ ଯେମିତି ରାସ୍ତାର ମାଟିକୁ ଢାଙ୍କିରଖି ଶାଗୁଆ ରଙ୍ଗର ଲହରୀ ଖେଳାଉଥିଲା ଡାକ୍ତରଖାନାର ରାସ୍ତା ପାଖରେ ।

 

ଦିନକୁ ଦିନ ସବୁ ବଦଳି ଯାଉଛି । ସେବିକା-ଜୀବନର ଅତିରିକ୍ତ ସୌନ୍ଦର୍ଯ୍ୟ ଲୁଚିଯାଇଛି-। ରୋଗୀମାନଙ୍କର କୌତୁହଳ ଆଉ ତାକୁ ବିବ୍ରତ କରୁନାହିଁ । ସିଷ୍ଟରଙ୍କୁ ଦେଖିଲେ ଆଉ ସେହି ସତର୍କ ଚାହାଣୀ ଫେରି ପାଉନାହିଁ । ସେ ଡାକ୍ତରଖାନାର ଧଳା କାନୁ ପରି ଜଣେ ସେବିକା-। ମନରେ ଆଉ ଉତ୍କଣ୍ଠା କି ଉଦବେଗ ନାହିଁ । ହାତରେ ସେହିପରି ସକାଳର ସାଜସରଞ୍ଜାମ ଧରି ନିହାରବାଳା ଓ୍ୱାର୍ଡ଼ ଭିତରେ ପାଦ ଦେଲାବେଳେ ତାକୁ ଦେଖିବାକୁ ଅପେକ୍ଷା କରୁଥିବା ଲୋକେ ଠିକ୍‌ ସେମିତି ଉତ୍ସାହର ଚାହିଁଥିଲେ ବି ଆଉ ସେହି ଚାହାଣୀର ଅର୍ଥ ବୁଝିବାକୁ ନିହାରର ଉନ୍ମାଦନା ନ ଥିଲା ।

 

ସଞ୍ଜୟ ପାଖରେ ପହଞ୍ଚିଲାବେଳେ ସଞ୍ଜୟ ନିହାରକୁ କ’ଣ ପଚାରିବ ତା’ର ଅସୁମାର ତାଲିକା ମନ ଭିତରେ ରଖିଥିଲା । ଭାବିଥିଲା କହିବ ବୋଲି—ସେ ନିହାରବାଳାକୁ ଭଲପାଏ ।

 

କହିପାରିଲା ନାହିଁ । ପାଖରେ ପହଞ୍ଚିଲେ ନିହାରବାଳା ସଞ୍ଜୟର ମନ ଭିତରୁ ସବୁ ପୁରୁଣା ପ୍ରଶ୍ନ ଲିଭାଇଦିଏ । ପହଞ୍ଚି ସଞ୍ଜୟକୁ ହସି ପଚାରିଲା—ଡାକ୍ତରଖାନା ପୋଷାକ ଖରାପ ଲାଗୁଥିଲା ପରା ? କାହିଁ ଭଲ ଦିଶୁଛି ତ !

 

ସଞ୍ଜୟ ମୁହଁ ଶୁଖାଇ ଚୁପ୍‌ ରହିଲା ।

 

ତା’ର ଶୁଖିଲା ମୁହଁରେ ହସ ଖେଳାଇବାକୁ ନିହାର କହିଲା—ପୋଷାକରେ ସୌନ୍ଦର୍ଯ୍ୟ ନ ଥାଏ । ଆମକୁ ଡାକ୍ତରଖାନାରେ ଏଇ ଡାକ୍ତରଖାନା ପୋଷାକ ଭାରି ସୁନ୍ଦର ଦିଶେ । କେତେବେଳେ ପିନ୍ଧିଲେ...

 

ବିଦ୍ୟାଧର ସଞ୍ଜୟ ତରଫରୁ କହିଲା—କାଲି ତୁମେ ଗଲା ପରେ । ମୁଁ କହୁଥିଲି—ଭଲ ଦିଶୁଛି ବୋଲି ।

 

ହସି ବିଦ୍ୟାଧରକୁ ଚାହିଁ ନିହାର କହିଲା—ମତେ ବି ତ ଭଲ ଦିଶୁଛି । ଏବେ ଯେ ସଞ୍ଜୟବାବୁ ଦିଶିଲେ ରୋଗୀପରି । ଆଗରୁ ଜଣାପଡ଼ୁଥିଲେ ରୋଗୀଙ୍କ ପାଖକୁ ଆସୁଥିବା ଭଦ୍ରଲୋକ ପରି ।

 

ସଞ୍ଜୟ ଚାହିଁ ରହିଲା ନିହାରବାଳା ମୁହଁକୁ । ...ସହାନୁଭୂତିଭରା କଣ୍ଠରେ ନିହାର କହିଲା–ମୁଁ ଭାବୁଥିଲି ଆଜି ସକାଳେ ନିଜେ ଆଣି ଆପଣଙ୍କୁ ପୋଷାକ ପିନ୍ଧେଇବାକୁ । ମନେ ରଖିଥିବେ, ଏଇ ଡାକ୍ତରଖାନା ପୋଷାକ ମନ ଭିତରୁ ଡାକ୍ତରଖାନା ପ୍ରତି ସବୁ କୁଣ୍ଠା କାଢ଼ିନିଏ-। ...ମୋର ବି ଆଜି ଏଇ ପୋଷାକ ପିନ୍ଧିଲା ପରେ ନୂଆ ପ୍ରକାରର ଭାବ ଆସୁଛି ।

 

ବିଦ୍ୟାଧର ରହସ୍ୟ କରି କହିଲେ—ତମେ ତ ସବୁଦିନେ ନୂଆ ଥିଲ ।

 

ସେ କଥାର ଉତ୍ତର ନ ଦେଇ କାତର ଚାହାଣୀରେ ସଞ୍ଜୟକୁ ଚାହିଁ ନିହାରବାଳା ତାର କାମ ଆରମ୍ଭ କଲା । ନାଡ଼ି ଦେଖିଲାବେଳେ ହାତଟି ଧରିଥିଲା ଅତି ସହଜ ଓ ସ୍ୱାଭାବିକ ଭାବରେ-। ସଞ୍ଜୟର ମନରେ ବି ସେହି ଝଙ୍କାରର ଆବେଗ ନ ଥିଲା । ନିହାର ଯେପରି ସଞ୍ଜୟର ଅତି ପରିଚିତ ଲୋକ । ଆଉ ନିହାରର ସେହି ଆବେଗଭରା ମନ ନାହିଁ । ବ୍ୟବହାରରେ ପ୍ରେମିକାସୁଲଭ କୁଣ୍ଠା ନାହିଁ । ଆଖିରେ ସେହି ଅଭିସାରିକାର ଚାହାଣୀ ନାହିଁ । ଡାକ୍ତରଖାନାର କର୍ତ୍ତବ୍ୟ ଯେମିତି ତା’ର ଦେହରେ ଆଉ ମନରେ ଛାପ ବସେଇ ଦେଲାଣି । ଦୁଇ ଦିନ ତଳର ନିହାରବାଳା ଆଉ ଯେପରି ଦେଖାପଡ଼ିବ ନାହିଁ । ...ତର ତର ହୋଇ କାମ ସାରି ନିହାରବାଳା ଫେରିଗଲା ତା’ର କୋଠରୀ ଭିତରକୁ । ଆସେ ଓ ଯାଏ । କିନ୍ତୁ ଯେଉଁ ଟିକକ ଉତ୍ସାହ ପୂର୍ବରୁ ସେ ଆଣି ପହଞ୍ଚାଇ ପାରୁଥିଲା, ଆଉ ସେତକ ପାରେ ନାହିଁ । ହଠାତ୍‌ ଯେପରି ସେ ନିଜେ ଅନ୍ୟମାନଙ୍କ ପାଖରେ ଓ ଅନ୍ୟମାନଙ୍କୁ ନିଜ ପାଖରେ ଅତି ସାଧାରଣ ଓ ମାମୁଲି କରିଦେଇଛି ।

 

ପ୍ରତିଦିନ କୌଣସି ନା କୌଣସି ନୂଆ କଥା ଜାଣିବାକୁ ଓ ନୂଆ କଥା ଦେଖାଇବାକୁ ଯେତେ ପାଞ୍ଚ କଲେ ବି ମଣିଷ ନିଜ ପାଖରେ, ନିଜର କୌତୁହଳ ପାଖରେ ଓ ଆଶା-ଅଭିଳାଷ ପାଖରେ ଖୁବ୍‌ ଶୀଘ୍ର ଅତି ପୁରୁଣା ହୋଇଯାଏ । ନିହାରବାଳା ନିଜ ପାଖରେ ସେହିପରି ଗୋଟିଏ ସାଧାରଣ ନାରୀ ହୋଇଯାଇଥିଲା । ଧରାବନ୍ଧା ଦିନର ଅତି ଜଣାଶୁଣା କର୍ମସୂଚୀ ତାକୁ ଧୀରେ ଧୀରେ ଗଡ଼ାଇ ଗଡ଼ାଇ ନେଉଥିଲା ।

 

ଡାକ୍ତରଖାନାକୁ ନୂଆ ଲୋକ ଆସନ୍ତି—ସେହି ଏକା-କଥାକୁ ନୂଆ ନୂଆ ଲୋକ ନୂଆ ନୂଆ ସ୍ୱରରେ ପ୍ରକାର ପ୍ରକାର କରି କହନ୍ତି । କାହା ଆଖିରେ ବିଜୁଳି, କାହା ଆଖିରେ କୌତୁହଳ । ନିହାରବାଳା ଦେଖି ମନେ ମନେ ହସେ । ସେଥିରୁ ସେ କୌଣସି ବିଶେଷ ଅର୍ଥ ପାଏନାହିଁ । ଏମିତି ବି ସମୟ ଆସେ ଯେତେବେଳେ ମଣିଷ ଅସାଧାରଣ କଥାକୁ ସାଧାରଣ ବୋଲି ମନେ କରେ, ନାରୀ ବି ତା’ର ନାରୀତ୍ୱକୁ ଭୁଲେ ।

 

ପରିଚିତ ନିହାରବାଳାର ପରିଚୟକୁ ଅନ୍ତରଙ୍ଗ କରିବାପାଇଁ ପ୍ରତ୍ୟେକ ଆଗ୍ରହୀ ଆଖି ଓ ବ୍ୟାକୁଳ ମନ ଯେତେବେଳେ ସେହି ପରିଚୟର ସୁବିଧା ନେଇ ନିହାରବାଳା ପାଖକୁ ଆସନ୍ତି, ନିହାରବାଳା ଦେଖିପାରେ ନିଜର ଗୋଟିଏ ନୂଆ ରୂପ ।

 

ଭୋକବେଳେ ଭାତ ଥାଳି ବଢ଼ା ହୋଇଛି । ଭାତ ଶୁଖିଲା । ଡାଲି ରହି ରହି ଖରାପ ହୋଇଗଲାଣି । ତରକାରି ଅଲଣା ଓ ଥଣ୍ଡା । ଯେତେ ଭୋକ କରୁଥିଲେ ବି ଜିଭ ବାରଣ କରେ । ମଣିଷ ସେମିତି ନିଜର ବ୍ୟବହାରର ଉଷ୍ମତା ଶୀତଳତା ନେଇ, ନିଜ ରୁଚିର ଉତ୍ତାପ ଅନୁସାରେ ମଣିଷକୁ ମଣିଷଠାରୁ ଦୂରେଇ ଦିଏ ।

 

ନର୍ସ ହଷ୍ଟେଲର ଜଣାଶୁଣା ଚଳିବାର ଧାରା ପରସ୍ପର ଭିତରେ ପ୍ରତିଯୋଗିତା କଲାପରି ଡାକ୍ତରଖାନାର କଟକଣା ଭିତରେ ପ୍ରତ୍ୟେକ ଯୁବତୀ, ନିଜକୁ ଅଧିକ ଆବେଗମୟୀ, ସୁନ୍ଦରୀ ତରୁଣୀ ରୂପେ ଦେଖାଇବାକୁ ଆପଣାଛାଏଁ ଯେମିତି ଖଟି ଯାଆନ୍ତି । ଗାଁରୁ ଆସିଥିବା ନିହାରବାଳା ଆଉ ନର୍ସ ନିହାରବାଳା ଭିତରେ ଏବେ ବହୁତ ପ୍ରଭେଦ ।

 

ଆଜିର ନିହାରବାଳା ବହୁତ ଅଧିକ ଲୋଭନୀୟ । କିନ୍ତୁ ଆଜି ସେ ପୁରୁଷମାନଙ୍କଠାରୁ ଦୂରରେ । କାରଣ ତା’ର ମନ ଭିତରେ ପୁରୁଷର ପୌରୁଷ ଆଉ ସେହି ପରିଚିତ ସ୍ଥାନ ନେଇପାରୁ ନାହିଁ ।

 

ରୋଗୀ ଆଉ ରୋଗୀଙ୍କର ପ୍ରିୟଜନଙ୍କର ଆଖି, ଡାକ୍ତର-ଛାତ୍ର ଓ ଡାକ୍ତରମାନଙ୍କର ରଙ୍ଗରହସ୍ୟ ନିହାରବାଳାକୁ ବାରମ୍ବାର କହିଦିଏ—ଆଜିର ନିହାରବାଳାର କୌଣସି ଆଶଙ୍କା ନାହିଁ-। ତା’ର ମନ ଏବେ ତା’ର ବନ୍ଧୁ । ନିଜର ମନ ନିହାରକୁ ରକ୍ଷା କରୁଛି ।

 

ସେଥିଭିତରେ ସଞ୍ଜୟ ନିହାର ପାଖକୁ ଅଧିକରୁ ଅଧିକ ଟାଣି ହୋଇଯାଉଥିଲେ ବି ନିହାର ମନରୁ ସଞ୍ଜୟ ଦୂରରୁ ଦୂରକୁ ଚାଲିଯାଉଥିଲା । ସେବାକାରୀ ନର୍ସ ରୋଗୀର ବିଛଣା ପାଖକୁ ଆସିବ, ରୋଗୀର ଦେହରେ ହାତ ଦେବ, ହସି ରୋଗୀକୁ ପଚାରିବ, ରୋଗୀର ଦୁଃଖରେ ସହାନୁଭୂତି ଦେଖାଇବ... ଦେଖାଇଛି ତ, କରିଛି ତ, କିନ୍ତୁ ସେ ସମ୍ବନ୍ଧ ସେହି ସେବାର ସମ୍ବନ୍ଧ ।

 

ସଞ୍ଜୟର ବନ୍ଧୁମାନେ ଅଭ୍ୟାସ କଲାପରି ଆସନ୍ତି । ସଞ୍ଜୟକୁ ଦେଖିବାକୁ ଯେତିକି ଆଗ୍ରହ ନିହାର ସାଙ୍ଗରେ ପଦେ କଥା କହିବାକୁ ତହିଁରୁ ବଳି ବେଶି ଉତ୍କଣ୍ଠା । ନିହାରବାଳା ଦେଖେ–ସେମାନଙ୍କର ବୟସ... କାହାର ନିହାରଠାରୁ ଊଣା, କିଏ ନିହାରର ସମବୟସୀ, ଆଉ କିଏ ଅବା ଟିକିଏ ବଡ଼ । ପ୍ରକାର ପ୍ରକାର ପୋଷାକ, ମୁଣ୍ଡକୁଣ୍ଡା, ଉତ୍ସାହ ପ୍ରକାଶର ବିଭିନ୍ନ ଭଙ୍ଗୀ–ନିହାରର ମନକୁ ଟାଣିବାକୁ ବହୁତ ପ୍ରକାରର ଆୟୋଜନ । ସବୁ ସେହିପରି ନିହାର ଦେଖେ-

 

ଭାବେ ତାଙ୍କୁ ଯାଇଁ କହିବ—ବୃଥାଟାରେ ନିହାର ପଛରେ ଧାଇଁ ନିଜକୁ ଅନୁତପ୍ତ କରିବାର କୌଣସି କାରଣ ନାହିଁ । ନିହାର ତୁମର ଭଲ ପାଇବାର ଉଷ୍ମତା ଖୋଜେ ନାହିଁ, ତୁମର ଉପହାର ଖୋଜେ ନାହିଁ । ସେ ନିଷ୍କଳଙ୍କ ନ ହୋଇପାରେ । କିନ୍ତୁ କାହାରିକୁ ଅଭିଶପ୍ତ କରିବାକୁ ଚାହେଁନା । ବହୁତ ଭାବେ । କିନ୍ତୁ ମୁହଁ ଖୋଲି କହିପାରେ ନାହିଁ । ଓଲଟି ପାଖରେ ପହଞ୍ଚିଲେ ନିଜର ସଙ୍କୋଚ ଯୋଗୁଁ ଲାଜରେ ଝାଉଁଳି ପଡ଼େ ।

 

ନିହାର ଦେଖେ ଯେ ତରୁଣ ବନ୍ଧୁଗୁଡ଼ିକଙ୍କର କପାଳ ଉପରେ ଝାଳ ବିନ୍ଦୁ ବିନ୍ଦୁ ହୋଇ ଦେଖାଦିଏ । କାହାରି କାହାରି ଓଠ ଶୁଖିଯାଏ । କେତେବେଳେ କୌତୂହଳ ଓ ଆଉ କେତେବେଳେ ସହାନୁଭୂତିରେ ନିହାର ସେମାନଙ୍କ କଥା ଭାବେ—ଆହା ! ବୃଥାଟାରେ ଏମାନେ ନିହାର ପ୍ରତି ଟାଣି ହୋଇ ଆସିଛନ୍ତି । ଏତକ ହେଲେ ନ ହୋଇଥାନ୍ତା ।

 

ନିଜ କୋଠରୀକୁ ଯାଇ ନିହାର ଭାବେ । ସେଇ ତରୁଣ ମୁହଁଗୁଡ଼ିକ ନିହାରବାଳାର ମନରେ ସହାନୁଭୂତିର ମର୍ମର ଉଠାନ୍ତି । ଗୁଡ଼ିଏ ଉତ୍ସାହୀ ଯୁବକ ନିଜର ଯୌବନର ଉନ୍ମାଦନାରେ ଉନ୍ମତ୍ତ ପରି ନିହାରବାଳାକୁ ଖୋଜୁଛନ୍ତି... ନିହାରର ବନ୍ଧୁତ୍ୱ, ସ୍ନେହ । ତାଙ୍କର କାମନା ବହୁ ରୂପରେ ଦେଖାଦିଏ ।

 

କେବେ ଅବା ନିହାର ନିଜ ଭିତରେ ଏହିପରି ତରୁଣଙ୍କର ଭଲ ପାଇବା ଅର୍ଘ୍ୟ ଖୋଜିଥିଲା । ଏହିପରି ତରୁଣମାନଙ୍କୁ ଦେଖିଲେ ସେ ନିଜକୁ ତାଙ୍କର ଉତ୍ସାହର ତରାଜୁରେ ତଉଲିବାକୁ ଚେଷ୍ଟା କରୁଥିଲା । ସେହି ନିହାରବାଳା ଆଜି ସେମାନଙ୍କୁ ଦୂରରେ ରଖିବାକୁ ଚାହୁଛି । ସେମାନଙ୍କର ଉତ୍ସାହକୁ ଦୁର୍ଗୁଣ ବୋଲି ମନେ କରୁଛି ।

 

ଅପରର ଅଲକ୍ଷ୍ୟରେ ନିହାରବାଳା ବାରମ୍ବାର ଭାବିଛି, ତା’ର ହେଲେ ବୟସ ଶୀଘ୍ର ବଢ଼ିଯାଆନ୍ତା । ସେହି ସାମାନ୍ୟ ରୂପର ମାଦକତା ହେଲେ ଶୀଘ୍ର ଊଣା ହୋଇଯାଆନ୍ତା । ତେବେ ସେ ମୁକ୍ତି ପାଆନ୍ତା ଏଇ ପ୍ରକାର ଚିନ୍ତା ଓ ଦୁଶ୍ଚିନ୍ତାର ଗ୍ଳାନିରୁ । ତା’ର ଦେଖାଚାହାଁ ସଂସାରର ନାନାପ୍ରକାରର ଲୋକଙ୍କ ପରି ଏମାନେ ବି... ନାରୀର ଯୌବନ ଓ ନାରୀତ୍ୱ ଏମାନଙ୍କୁ ବାଟଭୁଲା କରିଦିଏ ।

 

କେହି ଏହି ଦୁଃଖ ବୁଝିନାହାନ୍ତି । କହିଲେ ମଧ୍ୟ କେହି ବୁଝିବେ ନାହିଁ । ସେବିକାକୁ ଗଣିକା ସାଙ୍ଗରେ ସମାନ କରି ସଂସାରର ମାନଦଣ୍ଡରେ ମାପିବାକୁ ଚେଷ୍ଟା କରନ୍ତି । ଖାଲି ଗଣିକାର ଡାକହାକ ଟିକିଏ ବେଶି ।

 

ଅପରର ଉତ୍ସାହର, ଅଧୀରତାର ସୁବିଧା ନେଇ ସେମାନଙ୍କ ମନ ସାଙ୍ଗରେ ଯେ ମନକୁ ମିଶାଏ, ସେଇ ଲୋକଙ୍କର ଉତ୍ସାହ ଯେ ଉତ୍ତେଜିତ କରେ—ସେଇ ଲୋକକୁ ଖରାପ କୁହାଯାଏ । ସେ ଅପସୃଷ୍ଟିମାନଙ୍କ ଭିତରେ ସେବିକାମାନଙ୍କୁ ସମାନ କରି ଗଣନ୍ତି ।

 

ଅଳ୍ପ କେଇଦିନର ଅନୁଭବରେ ନିହାରବାଳା ଏତ ବୁଝିଛି । ତା’ର ଦେହ ଓ ଯୌବନ ପ୍ରତି ସମସ୍ତେ ମନୋଯୋଗ ଦେଇଛନ୍ତି । କିନ୍ତୁ ତାହାର ହୃଦୟ ମନ ଓ ରୁଚି ପ୍ରତି କେହି ଦୃଷ୍ଟି ଦେଇ ନାହାନ୍ତି । ମୋଟାମୋଟି ତାକୁ କୁହନ୍ତି ଗୋଟିଏ ନର୍ସ ସେବିକା । ନୂଆ ଯେମିତି, ପୁରୁଣା ସେମିତି । ନିହାର ଯେମିତି, ଆଶା ସେମିତି... ସମସ୍ତେ ସମାନ ।

 

ବେଳେ ବେଳେ ନିହାରବାଳାର ମନ ଭିତରେ ଅଭିମାନ ଢେଉ ଭାଙ୍ଗେ । କେହି ତାକୁ ଟିକିଏ ବିଶେଷ ବିଚାରକୁ ନେଲା ନାହିଁ । ସେ ତ ସମସ୍ତଙ୍କ ସାଙ୍ଗରେ ସମାନ ନୁହେଁ । ସମସ୍ତଙ୍କପରି ସେ ତ ନିଜକୁ ସାଧାରଣରୁ ଅତି ସାଧାରଣ କରିବାକୁ ଚେଷ୍ଟା କରିନାହିଁ । ବରଂ ସେବିକା ହେଲେ ମଧ୍ୟ ନିଜକୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଛି ।

 

ନିଜର ଅଭିମାନ ନିଜ ଭିତରେ ମରେ । କାହାକୁ ଅବା ସେ ବୁଝାଇବ ? ଦିଗମ୍ବର ଆସି ବାରମ୍ବାର ଦେଖା ଦେଇଛନ୍ତି । ସେ ଏତେ ଥର ଆସିଛନ୍ତି ଯେ ନର୍ସ ହଷ୍ଟେଲରେ ତାଙ୍କୁ କେନ୍ଦ୍ର କରି ନାନାପ୍ରକାରର ଆଲୋଚନା ହୋଇଛି । ସେ ଦିନ ଆସି ଦେଖା ଦେଲେ—

 

ନିହାରବାଳା ତାଙ୍କୁ ସେ ଦିନ ବୁଝାଇଥିଲା ଲତା ଆସିଛି । ତାହା ମନରେ କଷ୍ଟ ଦେବା ଉଚିତ ନୁହେଁ । ସେ ନିର୍ଦ୍ଦୋଷ । ନିହାର ସାଙ୍ଗରେ ଏତେ ଆତ୍ମୀୟତା ରଖିବା ସୁନ୍ଦର ନୁହେଁ । ତାଙ୍କର ସେଇ ପଦେ କଥା... ନିହାରବାଳା ବଦଳିଯାଇଛି । ନିହାର ପର କରିଦେଇଛି ।

 

ଦିଗମ୍ବରଙ୍କର ମୁହଁକୁ ଚାହିଁ ନିହାରବାଳାର ଆଖି ଦୁଇଟି ଥରିଉଠେ—ଅନୁତାପରେ ନୁହେଁ, ଭୟରେ । ଦିନକର ପୁରୁଣା କଥାକୁ ଧରିରଖି ଦିଗମ୍ବର ସବୁ ଦିନପାଇଁ ନିହାର ମୁଣ୍ଡରେ ଘର ଭାଙ୍ଗିବାର କଳଙ୍କ ଲଗାଇ ଦେବାକୁ ଚାହୁଛନ୍ତି । ୟାକୁ କ’ଣ କହନ୍ତି ଭଲ ପାଇବା ?

 

ସେ ନିଜକୁ ନିଜେ ପଚାରେ—ସେ କ’ଣ ଦିଗମ୍ବରଙ୍କୁ ଭଲପାଏ ନାହିଁ ଯେ ବୃଥାଟାରେ ତାଙ୍କର ଛୋଟିଆ ସଂସାରକୁ ଭାଙ୍ଗି ଦେବ । ଲତା ତା’ର ଶତ୍ରୁ ନୁହେଁ । ଲତାକୁ ସେ ଭଲପାଏ । ଦିଗମ୍ବରକୁ ଭଲ ପାଇ ନ ଥିଲା । ଦିଗମ୍ବର ତାକୁ ହୁଏତ ଭଲ ପାଇ ନ ଥିଲେ । ସେ ରହିଥିଲା ତାଙ୍କରି ପାଖରେ । ଶୋଇଥିଲା ଏକା ବିଛଣାରେ ।

 

ସେଇ ସମ୍ବନ୍ଧକୁ ସବୁ ଦିନପାଇଁ ଜୀବନ୍ତ କରିବାକୁ ସେ ଆସି ମନର ଦୁଆରରେ ହାତ ମାରୁଛନ୍ତି । କିନ୍ତୁ ସେଇଟା ସ୍ନେହର କରାଘାତ ନୁହେଁ । ସେଇ କଥା ତାଙ୍କୁ କହିବ କହିବ ବୋଲି ନିହାର କହିପାରେ ନାହିଁ । ତଳକୁ ଚାହିଁ କୋମଳ ସ୍ୱରରେ କହେ—ଭୁଲ ତ ସମସ୍ତେ କରନ୍ତି । କିନ୍ତୁ ଭୁଲ୍‌ଟାକୁ ସବୁ ଦିନପାଇଁ ଯେ ସମ୍ପାଦିବାକୁ ଚେଷ୍ଟା କରେ ସେ ତ ଖରାପ ମଣିଷ ।

 

—ଖରାପ, ଅଧମ, ନୀଚ, ହୀନ ଯାହା କହିବ କୁହ । ତମକୁ ନ ଦେଖିଲେ ମୋତେ ବଡ଼ ଅସ୍ଥିର ଲାଗୁଛି ।

 

ଭାବିଲା ଭାବିଲା ପରି ନିହାରବାଳା କହେ—ତୁମେ କ’ଣ ମୋତେ ଏତେ ଭଲ ପାଅ ଯେ, ମୋ’ରି ପାଇଁ ଏତେ ଭୋଗୁଛ...କହି ହସେ ।

 

ଆଉ କାହିଁକି ମନେ ରଖିବ ? ଆଜି ସିନା ନିହାରବାଳା ବଡ଼ ମଣିଷ । ସେ ଦିଗମ୍ବରକୁ ଛୋଟିଆ ମଣିଷଟିଏ ବୋଲି ପର କରିଦେଇଛି । କିନ୍ତୁ ଦିଗମ୍ବରର ତ କେହି ନାହିଁ ।

ବାହାର ଲୋକେ ଶୁଣିବେ ବୋଲି ନିହାରବାଳା ତାଙ୍କୁ ସ୍ଥିର କରିବାକୁ କହିଥିଲା—ଛି ଭାଇ ! କ’ଣ ଗୁଡ଼ାଏ ତୁମେ କହୁଛ ! ସବୁ ଦିନକୁ ତୁମେ କ’ଣ ମୋର ନୁହଁ ଯେ ଏସବୁ କଥା ତୁଣ୍ଡରେ ଧରୁଛ ! ମୁଁ ତ ବହୁତ ଦୁଃଖରେ ଦୁଃଖୀ । ସେଥିରେ ପୁଣି ଲତାର ଅଭିଶାପ କାହିଁକି ନିଜ ମୁଣ୍ଡରେ କୁଢ଼ାଇବି ? ତୁମକୁ ଯଦି ପ୍ରକୃତରେ ଭଲ ପାଇଥାଏ, ତେବେ କ’ଣ ତୁମକୁ ଲତା ପାଖରେ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିପାରିବି ନାହିଁ ? କରିଛି ତ । ... ଦିନକର କି ଟିକିକର ଭୁଲ୍‌କୁ ବଡ଼ କର ନାହିଁ । ନିଜକୁ ଉତ୍ସୃଙ୍ଖଳ କର ନାହିଁ । ... ତେବେ ସବୁ ଦିନେ ତୁମେ ମୋର ହୋଇ ରହିବ ।

—ତୁମେ ଆସୁନାହଁ କାହିଁକି ? ସେହିଦିନୁ ଯେ ଗଲ ଆଉ କାହିଁକି ଫେରୁନାହିଁ ? ତୁମେ ନିଶ୍ଚୟ ମୋତେ ଘୃଣା କର—ଦିଗମ୍ବରର ଆଖିରେ କାମନାର ବ୍ୟାକୁଳତା ।

—ତୁମ ପାଖକୁ ନ ଗଲେ ବି ତୁମ କଥା ତ ସବୁବେଳେ ଭାବେ । ସେଇ କେଇଟି ଦିନର ହସଖୁସି ପାଇଁ ମୁଁ କ’ଣ ସବୁ ଦିନକୁ ତୁମର ଇଚ୍ଛାଧୀନ ହୋଇ ରହିଲି ନାହିଁ କି ?

—ତୁମେ ମୋତେ ଠକୁଛ, ନିହାରବାଳା । ମୁଁ ଆତ୍ମହତ୍ୟା କରିଦେବି ।

ନିହାରବାଳା ସେତେବେଳେ ଦିଗମ୍ବରଙ୍କର ମୁହଁକୁ ଚାହିଁଥିଲା । କଳଙ୍କର ଶେଷ ଅପବାଦ ଦେବାପାଇଁ ସେ ଯେପରି ପଣ କରିଛନ୍ତି । ନିହାରପାଇଁ ଦିଗମ୍ବର କାହିଁକି ଆତ୍ମହତ୍ୟା କରିବେ ? ଆତ୍ମହତ୍ୟା କ’ଣ ଭଲ ପାଇବା ଜଣାଇବାର ଖାଲି ଗୋଟିଏ ବାଟ ?

ନିହାର ତାଙ୍କୁ ବୁଝେଇ ଶୁଝେଇ ବିଦାୟ କରିଥିଲା । କିନ୍ତୁ ମନ ଭିତରେ ରହିଗଲା ଟିକିଏ ଖଟକା । ଏଇ ଦିଗମ୍ବରଙ୍କୁ ସେ ତ ଏପରି କୌଣସି କାରଣରୁ ଉତ୍ତେଜିତ କି ଉତ୍ସୃଙ୍ଖଳ କରି ନାହିଁ । ସେ ନିଜେ ସୁବିଧାର ସୁଯୋଗ ନେଇ ନିହାରବାଳା ଦୁର୍ବଳତାର ମାହାସୁଲ୍‌ ନେଇସାରି ଏବେ ପୁଣି ତାକୁ ସବୁ ଦିନପାଇଁ ଗୋଟିଏ ବିଭୀଷିକା ଦେଇଯିବାକୁ ଚେଷ୍ଟା କରୁଛନ୍ତି ।

...ଜଣକୁ ହତ୍ୟା କରିବା ଯାହା, ତାକୁ ଆତ୍ମହତ୍ୟା କରିବାକୁ ବାଟ ଛାଡ଼ିଦେବା ମଧ୍ୟ ସେୟା । ଦିଗମ୍ବର ଭଲ କି ଖରାପ ମଣିଷ ଯାହା ହୋଇଥାଆନ୍ତୁ, ତାଙ୍କର ମନର ଏଇ ହାହାକାର ଓ ଦୁଃଖକୁ ଦେଖି ନିହାରବାଳା ମନରେ ତାଙ୍କପ୍ରତି ଅସୀମ ଦରଦ ଆସୁଥିଲା—ଯେ ନିନ୍ଦା ଦେଇଛି, ଯେ କଳଙ୍କ ଲଗାଇଛି, ସେଇ ବି ମନକୁ ଅଧୀର କରିପାରେ ।

ସାଙ୍ଗସାଥି ଦିଗମ୍ବରଙ୍କର ରୂପ ଭେକ ଦେଖି ତାଙ୍କର କଥାରୁ ଠଉର କରି ନିହାରବାଳାକୁ ନାନାପ୍ରକାରର ପ୍ରଶ୍ନ କରିଥିଲେ । ପଦେ କଥାରେ ନିହାରବାଳା ଘୋଡ଼ାଇ ଦେଲା–ସେ ଜଣେ ପବିତ୍ର ଲୋକ । ନିହାରର ଶୁଭକାମୀ ।

ନର୍ସ ହଷ୍ଟେଲର ବନ୍ଧୁମାନଙ୍କ ମୁହଁରେ ନାନାପ୍ରକାରର ସନ୍ଦେହ ଖେଳିଯାଇଥିଲା । ନର୍ସର ଶୁଭାକାଙ୍‌କ୍ଷୀ ହେଉଛନ୍ତି ତା’ର ପ୍ରେମିକ । ଯୁବତୀର ପ୍ରେମିକ ଛଡ଼ା ଆଉ କେହି ପବିତ୍ର ଲୋକ ନାହାନ୍ତି ।

କେତେ ପ୍ରକାର କଟୂକ୍ତି... କିଏ ସେ ମହାତ୍ମା ! ତୁମକୁ କ’ଣ କାନରେ ମନ୍ତ୍ର ଦେଇଛନ୍ତି କି...ଭାରି ହସ ଉଠିଥିଲା । ...ଦେଇଥିବେ ତ । କାନ ପାଖରେ ମୁହଁ ଲଗାଇ କାହାରିକୁ ନ ଶୁଭିଲା ପରି ମନ୍ତ୍ର ଦେଇଥିବେ ।

 

ନିହାରର ଛାତି ଭିତର ପ୍ରତିବାଦରେ ଗର୍ଜି ଉଠେ । ସେଇ ଟିକକର ଭୁଲ୍‌ ଚିରଦିନକୁ ତା’ର କଳଙ୍କ । ସେ ହେଲେ କେମିତି କେମିତି ଦିଗମ୍ବରଙ୍କ ସାଙ୍ଗରେ ମିଶି ଏତେ ପାଖକୁ ନ ଆସିଥାନ୍ତା, ତାହାହେଲେ ସେ ଆଜି ସମସ୍ତଙ୍କ ଆଗରେ ନିଜର ଟେକ ରଖିପାରନ୍ତା ।

 

ହେଲା ନାହିଁ । ଅନ୍ୟକୁ ଭଲ ପାଇ ନିଜର ସମ୍ବନ୍ଧକୁ ପବିତ୍ର ରଖିପାରିଲେ ପ୍ରକୃତରେ ବାହାଦୁରି ଅଛି । ଆଉ ନିକଟରୁ ଆସିଛି ବୋଲି ନିଜକୁ ତାଙ୍କ ସାଙ୍ଗରେ ଗୁନ୍ଥିଦେଲେ ସବୁବେଳକୁ ମନ ଊଣା ହୋଇଯାଏ ।

 

ନିହାର ନିଜକୁ ନିଜେ ବାରମ୍ବାର ସେହି ପବିତ୍ର ସମ୍ବନ୍ଧ ପାଇଁ ତିଆରି କରିଥିଲା—ସ୍ନେହ, ଶ୍ରଦ୍ଧା ରହିବ । କିନ୍ତୁ ସେଥିରେ କୌଣସିପ୍ରକାରେ ଦୋଷ ନ ଥିବ । ସେତିକି ହେଲେ ନିହାର ସମସ୍ତଙ୍କ ଆଗରେ ଛାତି ଫୁଲେଇ ସମସ୍ତଙ୍କ ସ୍ନେହକୁ ବଡ଼ାଇ କରି କହିପାରିବ ।

 

ଯେତେ କଳଙ୍କ ଥାଉ ପଛକେ ନିହାରବାଳା ଡାକ୍ତରଖାନାରେ ଗୋଡ଼ ଦେଲା ଦିନୁ ନିଜକୁ ସେହି କଳଙ୍କର ପାପରୁ ଉପରକୁ ଉଠାଇବାକୁ ଚେଷ୍ଟା କରିଥିଲା....ସଞ୍ଜୟ ଦେଖା ଦେଇଛି-

 

ତା’ର କଅଁଳ ମୁହଁ ଉପରେ, ସରଳ ଆଖି ଦୁଇଟି ଉପରେ ଭଲ ପାଇବାର ଅସରନ୍ତି ଉତ୍ସାହ । ସଞ୍ଜୟକୁ କ’ଣ ସେମିତି ଭଲ ପାଇ ହେବ ? ସଞ୍ଜୟର ଭଲ ପାଇବାକୁ ପବିତ୍ର ନିଷ୍କଳଙ୍କ ରଖି ସମସ୍ତଙ୍କ ଆଗରେ ନିହାରବାଳା କ’ଣ କରିପାରିବ—ମୁଁ ସଞ୍ଜୟକୁ ଭଲପାଏ, କିନ୍ତୁ ଆମର ସମ୍ବନ୍ଧ ଅତି ପବିତ୍ର ଓ ଅତି ନିର୍ମଳ ।

 

କେଜାଣି ! ପୁରୁଷ ଓ ନାରୀର ସମ୍ବନ୍ଧରେ ସେମାନଙ୍କର ପରସ୍ପରର ସ୍ନେହ, ପ୍ରୀତି ଓ ମମତାର ଆକର୍ଷଣ ଭିତରେ, ପରସ୍ପର ପ୍ରତି ଦେହାତୀତ ଭଲ ପାଇବା ଚିର ଦିନକୁ ଜଳାଇ ରଖିବା କ’ଣ ସମ୍ଭବ ?

 

ମନ ଆଗରେ ସଞ୍ଜୟକୁ ଥୋଇ ସଞ୍ଜୟର ସେହି ମୁହଁଟିକୁ ନିହାର ବାରମ୍ବାର ପାଗଳୀ ପରି ପଚାରିଥିଲା—ତୁମେ କ’ଣ ଏଇ ଦିଗମ୍ବରଙ୍କ ପରି ଓ ଦୁନିଆର ଆଉ ପାଞ୍ଚ ଜଣଙ୍କ ପରି ଜଣେ ? ...ନୁହଁ । ତୁମ ଆଖିରେ ସେ କାମନା କି ସେ ଲାଳସା ନାହିଁ...ତୁମେ ବିଦ୍ୟାଧରଙ୍କ ପରି ନୁହଁ, ତୁମେ ଅନ୍ୟମାନଙ୍କ ପରି ନୁହଁ ।

 

...ନର୍ସ ବୋଲି ତୁମେ କ’ଣ ଘୃଣା ନ କରିବ ? ଦୋଷତ୍ରୁଟି ଦେଖିଲେ ତୁମେ କ’ଣ ଘୃଣାରେ ମୁହଁ ଆଡ଼େଇ ନ ଦେବ ! ତୁମେ କ’ଣ ନିହାରକୁ ଭୁଲ ନ ବୁଝିବ...ତୁମେ କ’ଣ ସତେ ନିହାରକୁ ନିଜର କରିପାରିବ ? ...ଦୁନିଆ ଯାହା ଦେଇନାହିଁ, ତୁମେ କ’ଣ ସେତିକି ଦେବାକୁ ସକ୍ଷମ-?

 

ଲୋକନିନ୍ଦାର ଯେମିତି ଉତ୍ତର ନାହିଁ, କଳଙ୍କର ଯେମିତି କୈଫିୟତ ନାହିଁ, ମନର କୌତୂହଳର ଯେମିତି କାରଣ ନାହିଁ; ସେମିତି ମଣିଷର ଆଶାର ଆଗ-ପଛ ମଧ୍ୟ ନାହିଁ ।

 

ଭାବିଲାବେଳେ ନିହାରବାଳା ଚମକି ପଡ଼େ । ...ଏଇ ସଞ୍ଜୟ କିଏ ?... କ’ଣ ପାଇଁ ସେ ତା’ର ମନ ଭିତରେ ଆସି ଏମିତି ଘୂରି ବୁଲୁଛି ! ଜଣେ ରୋଗୀର ସାମାନ୍ୟ ପରିଚୟ ଭିତରେ ସେ କାହିଁକି ଏମିତି ଏତେ ବଡ଼ ସ୍ଥାନ ଅଧିକାର କରୁଛି !

 

ମନ ଭିତରୁ ସଞ୍ଜୟକୁ ତଡ଼ିବାକୁ ନିହାରବାଳା ଚେଷ୍ଟା କରେ । ତଥାପି ସଞ୍ଜୟ ବାରମ୍ବାର ଆସେ—କିଛି ଥିଲା ବୋଲି ନୁହେଁ, କିଛି ନ ଥିଲା ବୋଲି ବୋଧହୁଏ ।

 

ଏଇ ହେଉଛି ସଞ୍ଜୟ ସାଙ୍ଗରେ ପରିଚୟର ଆରମ୍ଭ । ମନର ଘାତପ୍ରତିଘାତ ଭିତରେ, ମନର ଅଜସ୍ର କୁଣ୍ଠା, ସଙ୍କୋଚ ଓ ସନ୍ଦେହ ଭିତରେ ଦୈବ-ପ୍ରେରିତ ପରି ସଞ୍ଜୟ ଆସି ପହଞ୍ଚିଥିଲା ତା’ର ସମସ୍ତ ଅନଭିଜ୍ଞତା, ତାରୁଣ୍ୟ ଓ ସରଳତା ନେଇ ।

 

ବିଦ୍ୟାଧର ଚାଲିଗଲେଣି । ସେ ନ ଯିବାଯାଏ ନିହାରବାଳାକୁ ସେଇ ଓ୍ୱାର୍ଡ଼ଟି ଭଲ ଲାଗୁ ନ ଥିଲା । ସେଠି ପହଞ୍ଚିଲେ ନିହାର ପ୍ରତ୍ୟେକ ଥର ବୁଝେ ଯେପରି ସେ ଗୋଟିଏ ଦୋଷୀ । ତା’ର ସମସ୍ତ ଅତୀତ ଆସି ତା’ରି ଆଖି ଆଗରେ ନାଚିଯାଏ—କୁଳକଳଙ୍କିନୀ ନିହାରବାଳାର ଗୋଟାଏ କଦର୍ଯ୍ୟ ଚିତ୍ର ।

 

ବିଦ୍ୟାଧର ଗଲା ପରେ ନିହାରବାଳାର ମନ ଉଶ୍ୱାସ ହୋଇଗଲା । ସେ ଆଉ ଫେରିବ ନାହିଁ, ସକାଳ ସଂଧ୍ୟାରେ ଆଉ ଦେଖା ଦେବେ ନାହିଁ । ଦିଗମ୍ବରଙ୍କର ବନ୍ଧୁମାନେ ଆସିବେ ନାହିଁ । ନିହାର ପ୍ରତି ତାଚ୍ଛଲ୍ୟଭରା ଭଲ ପାଇବା ଫୋପାଡ଼ିବେ ନାହିଁ ।

 

ନିହାର ଔଷଧ ଗିଲାସଟି ଧରି ସଞ୍ଜୟ ପାଖରେ ପହଞ୍ଚିଥିଲା ।

 

—ଭାରି ପିତା ।

 

ଅତି କଅଁଳ ସ୍ୱରରେ ନ ଜାଣିଲା ପରି ନିହାର କହିଥିଲା—ମୁଁ ଜାଣି ନାହିଁ ତ । ଭଲ ଔଷଧ ଦେବାକୁ କହିଥିଲେ ।

 

ଔଷଧ ଖାଇ ସଞ୍ଜୟ ଭ୍ରୂକୁଟି କରିଥିଲା । ନିହାର ଚାହିଁରହିଥିଲା ତା’ର ମୁହଁକୁ । ସଞ୍ଜୟର ଆଖି ବନ୍ଦ । ମୁହଁରେ ଔଷଧ ପ୍ରତି ବିରକ୍ତି... ନିହାରର ଇଚ୍ଛା ହେଉଥିଲା ଯାଇ ସଞ୍ଜୟକୁ ଆଉଁସି ଦେଇଥାନ୍ତା... ନୁହେଁ । ସଞ୍ଜୟ ବୁଝିବ ନାହିଁ ।

 

ପାଖରେ ଠିଆ ହୋଇଥିବା ନିହାରର ମନକୁ କ’ଣ ସଞ୍ଜୟ ବୁଝିପାରିବ ? ନିହାରର ଆଖି ଦୁଇଟି କରୁଣ ହୋଇ ଉଠିଥିଲେ । ମନ କହୁଥିଲା—ନା, ସେ କାହିଁକି, କେହି ବୁଝିବେ ନାହିଁ । ସମସ୍ତେ ଖୋଜିବେ ଦେହକୁ । ନିହାରବାଳା ହାତକୁ ବୁଝିବେ, ଆଖି ଓ ମୁହଁକୁ ବୁଝିବେ । କିନ୍ତୁ ତା’ର ମନକୁ ବୁଝିବେ ନାହିଁ ।

 

ସଞ୍ଜୟ ଆଖି ଖୋଲିଲା । ନିହାର ପଚାରିଲା—ମସଲାମସଲି କିଛି ନାହିଁ ?

 

କରୁଣ ସ୍ୱରରେ ଉତ୍ତର ପାଇଲା—ନା ।

 

ଦୀର୍ଘନିଶ୍ୱାସଟିଏ ପକାଇ ନିହାରବାଳା ଚାଲିଗଲାବେଳେ ତା’ର ବ୍ୟବହାର କହିଦେଇଥିଲା ଯେ ସେ ସଞ୍ଜୟକୁ ଭଲପାଏ ।

 

ସଞ୍ଜୟ ସେହି ଔଷଧର କଟୂତା ଭୁଲିଯାଇଥିଲା । —ମନର ଏତେ ଶକ୍ତି !

 

ତହିଁଆରଦିନ ନାଡ଼ି ଦେଖିବାକୁ ଆସିଲାବେଳେ ଗୋଟିଏ ସାଧା ଲଫାପାରେ କିଛି ମସଲା ଆଣି ନିହାରବାଳା ଥୋଇ ଦେଇଥିଲା—ସଞ୍ଜୟ ପାଖରେ । ସଞ୍ଜୟର ମୁହଁକୁ ଚାହିଁନାହିଁ । ଅସୀମ କୌତୂହଳରେ ସଞ୍ଜୟ ଲଫାପା ଭିତରୁ ମସଲାତକ କାଢ଼ି ତାକୁ ହାତପାପୁଲିରେ ମଣିମାଣିକ ଦେଖିଲାପରି ଦେଖି ବସିଲା ।

 

ଦୂରରୁ ନିହାରବାଳା ଚାହିଁଥିଲା । କେତେ ସାମାନ୍ୟ ଜିନିଷକୁ ସଞ୍ଜୟ କେତେ ଯତ୍ନରେ ରଖୁଛି । କେତେ ସତର୍କ ହୋଇ ସେଗୁଡ଼ିକୁ ପରୀକ୍ଷା କରୁଛି ।

 

ସେହି ବିଛଣା ପାଖକୁ ନିହାରବାଳା ଆସିଲାବେଳେ ସଞ୍ଜୟର ଆଖି ଦୁଇଟି ହସୁଥିଲେ–ସଫଳତାରେ, କୃତଜ୍ଞତାରେ ଓ ଆନନ୍ଦରେ । ସେଇ ଆଖି ଦୁଇଟି ନିହାରବାଳାକୁ କହିଦେଉଥିଲେ... ମୁଁ ଜାଣେ—ତୁମେ ମୋତେ ଭଲ ପାଅ ।

 

ନିହାରବାଳା ସତର୍କ ହୋଇଥିଲା—ନା ଏତେ ଦୂରକୁ ନୁହେଁ ତ । ମସଲା ଦି’ଟା ଉପହାର ବୋଲି ଭାବିବ ନାହିଁ । ତାକୁ ହୃଦୟ-ନିବେଦନ ବୋଲି ମନେ କରିବ ନାହିଁ ।

 

ଭୁଲ୍‌ କରିଛି । ନର୍ସ ସାଙ୍ଗରେ କାହାରି ପବିତ୍ର ସମ୍ବନ୍ଧ ରହିପାରେନା । ସେ ସବୁବେଳେ ଘୃଣ୍ୟ । ଅପରକୁ ଭଲପାଇଲାବେଳେ ସେ ଅତି ଘୃଣ୍ୟ... ଭୟରେ ନିହାରବାଳା ଫେରିଚାଲିଯାଇଥିଲା । ସଞ୍ଜୟର ପାଖରେ ରହିବା ବିପଦ ।

 

ଯେଉଁ ନିହାରବାଳା ଅତି ହୀନ, ବର୍ବର ପୁରୁଷଙ୍କୁ ମଧ୍ୟ ଭୟ କରୁ ନ ଥିଲା, ସେଇ ଏବେ ଅପରିଣତ, ତରୁଣ ଛାତ୍ରଟି ପାଖରେ ଭୟରେ ଥରି ଉଠୁଥିଲା.... ଭଲ ପାଇବାର ଭୟ । ଯେଉଁ ପ୍ରେମର ପ୍ରତିଦାନ ସେ ଦେଇପାରିବ ନାହିଁ, ସେଇ ପ୍ରୀତି ତା’ରି ଉପରେ ଅଜାଡ଼ି ହୋଇପଡ଼ୁଛି । ଯେଉଁ ସଞ୍ଜୟକୁ ସେ ଅତି ସାଧାରଣ ବୋଲି ଭାବିଥିଲା, ସେଇ ସଞ୍ଜୟ ନିହାରବାଳା ମନରେ କୌତୁହଳ ଜଗାଇଛି ।

 

ଦୂରରେ ରୋଗୀ ପାଖରେ ଠିଆ ହୋଇ ରୋଗୀଙ୍କ କାମ କଲାବେଳେ ନିହାରବାଳା ସଞ୍ଜୟ ଆଡ଼କୁ ପିଠି କରି ଅଧିକରୁ ଅଧିକ ଦୂରତା ବଢ଼ାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ତା’ର ପିଠି ଯେପରି ତାତି ଉଠୁଥିଲା ସଞ୍ଜୟର ଚାହାଣୀର ଉତ୍ତାପରେ ।

 

ରୋଗୀର ବିଛଣାରେ ଶୋଇ ସଞ୍ଜୟ ନିହାରବାଳାକୁ ଛୁଇଁବାକୁ ପାଗଳଙ୍କ ପରି ନାନା ପାଞ୍ଚ କରୁଥିଲା । ନିଜକୁ ନିଜେ ବାରମ୍ବାର କହୁଥିଲା—ନିହାରବାଳା ମୋର... ମୋର ପ୍ରିୟ ନିହାରବାଳା ।

 

ତା’ର ସେହି ତରୁଣ ମନର କାତର ନିବେଦନ ନିହାରବାଳା ପାଖରେ ପହଞ୍ଚି ପାରି ନ ଥିଲା । ତୁଣ୍ଡର କଥା, ଆଖିର ଚାହାଣୀ, ହାତଲେଖା ଚିଠି ସାହାଯ୍ୟ ନ କଲେ ମନର ସବୁ ଆକୁଳତା ବନ୍ଦୀ ହୋଇ ମନ ଭିତରେ ମରେ ।

 

ସଞ୍ଜୟକୁ ଦେଖିଲେ ନିହାରବାଳା ପଚାରେ—କେମିତି ଲାଗୁଛି ?

 

—ମୁଣ୍ଡ ଭାରି ବିନ୍ଧୁଛି । କିଛି ଭଲ ଲାଗୁ ନାହିଁ । ...କହି କପାଳକୁ ଚିପେ ।

 

ସଞ୍ଜୟ ଆଡ଼େ ନ ଚାହିଁ ନିହାରବାଳା ପଚାରେ—ଡାକ୍ତର କ’ଣ କହିଲେ ?

ଅଭିମାନ ଝରିପଡ଼େ ସଞ୍ଜୟର କଥା କେଇ ପଦରେ । —ଡାକ୍ତର କ’ଣ କରିବେ ମୁଣ୍ଡବିନ୍ଧାକୁ ।

ଦୀର୍ଘନିଶ୍ୱାସ ପକାଇ ନିହାରବାଳା ଘୁଞ୍ଚିଯାଏ । ଅଧିକ କିଛି ସେ କରିପାରିବ ନାହିଁ । ସଞ୍ଜୟ ଦେହରେ ସେ ହାତ ଦେଇ ନାହିଁ । ସବୁ ରୋଗୀଙ୍କଠାରୁ ଅଧିକ ସେବାଯତ୍ନ ଦେଇପାରିବ ନାହିଁ । ମନର ଆଗ୍ରହ ବିରୁଦ୍ଧରେ ସେ ନିଜକୁ ସଞ୍ଜୟଠାରୁ ଦୂରରେ ରଖିବ । ଆଉ ତାକୁ ବୁଝାଇବ ଯେ ନିହାରବାଳା ତା’ର କେହି ନୁହେଁ ।

ଏଇ କଥା ଜଣାଇ ନିହାରବାଳା ଚାଲିଯାଇଥିଲା ସତ, କିନ୍ତୁ ମନ ଭିତରେ ସେଇ ତା’ର ନାରୀସୁଲଭ ଅଭିମାନ ନେଇ ନିଜ କୋଠରୀକୁ ଫେରିଥିଲା । ....ମୁଁ ତୁମର କେହି ନୁହେଁ । ମୁଁ ତୁମର ନିକଟକୁ ଆସିବା ଉଚିତ ନୁହେଁ... କାହିଁ, ତୁମେ ତ ମୋତେ ନିକଟକୁ ନେଲ ନାହିଁ । ତୁମେ ତ ମୋତେ ନିଜର କରିପାରିଲ ନାହିଁ ।

ତକିଆ ଖୋଳ ଉପରେ ଲାଗିଥିବା ସୁଗନ୍ଧ ତେଲର ସୁବାସ ସତେ ଯେପରି ତା’ର ଆଖିରୁ ଦୁଇ ଟୋପା ପାଣି ଗଡ଼ାଇ ଆଣେ । ସେହି ନୀରବ ଅଶୁର ଅର୍ଘ୍ୟ ସଞ୍ଜୟପାଇଁ । କିନ୍ତୁ ସଞ୍ଜୟକୁ ସେ କଥା ସେ କହିବ ନାହିଁ । ସେ ତାହାଠାରୁ ଦୂରରେ ରହିବ ।

ମନର ସମସ୍ତ ଅଭିଯୋଗ ମନ ଭିତରେ ରଖି ହୃଦୟର ସମସ୍ତ ଅଭିମାନକୁ ସେହି ହୃଦୟରେ ବୁଡ଼ାଇ ଦେଇ ନିହାରବାଳା ତା’ର ଶୁଖିଲା ଓଠରେ ସେହି ପରିଚିତ ହସ ଟାଣି ସଞ୍ଜୟକୁ ଡାକ୍ତରଖାନାକୁ ବିଦାୟ ଦେଇଥିଲା ।

ସଞ୍ଜୟ କହିଥିଲା—ଯାଉଛି । ତୁମେ ତ ଭୁଲିଯିବ । କିନ୍ତୁ ମୁଁ ତୁମକୁ ଭୁଲିପାରିବି ନାହିଁ... ନିହାରବାଳାର ସେହି ଓଠଟି ଥରି ଉଠିଥିଲା । କ’ଣ କହି ସେ ଏଇ ଗୁରୁତର କଥାର ଉତ୍ତର ଦେବ-

ଅତୀତର ବହୁ ଅଭିଜ୍ଞତା ସେଇ ପତଳା ଓଠ ଦିଓଟି ଉପରେ କେଜାଣି କେତେ ଦୁଃଖ ଅଭିଯୋଗର କାହାଣୀ ଆଙ୍କି ଦେଇ ଯାଇଛନ୍ତି । ସରଳ ନିଷ୍ପାପ ଲୋକର କଥାର ଉତ୍ତର ସେ ଦେବାକୁ ଅକ୍ଷମ ।

ବୁକୁଭରା ଆବେଗରେ ନିହାରବାଳା ଶୁଣିବାକୁ ଚାହୁଁଥିଲା ସଞ୍ଜୟର କଥା । ନିହାରକୁ ନିରୁତ୍ତର ଦେଖି ସଞ୍ଜୟ ନିଜକୁ ଅପରାଧୀ ମନେ କରିଥିଲା... କହିଦେଇ ସେ ଯେପରି ଭୁଲ କରିଛି-। ନିହାରବାଳା କାଳେ କ’ଣ ଭାବିଥିବ !

ନିହାରବାଳା ସେତେବେଳେ ଭାବୁଥିଲା କ’ଣ କହି ସଞ୍ଜୟକୁ ଭୁଲାଇ ଡାକ୍ତରଖାନାକୁ ଚାଲିଯିବାକୁ କହିବ । ଡାକ୍ତରଖାନାର ସେଇ ଦିନ କେଇଟା ରହଣି ଭିତରେ ସଞ୍ଜୟ ତାକୁ ଯେପରି ବ୍ୟାକୁଳ କରିଥିଲା । ସେହି ବ୍ୟାକୁଳତାରୁ ନିହାରବାଳା ଛୁଟି ନେବାକୁ ଚାହେଁ ।

ନିହାରବାଳାର ମନେ ପଡ଼ୁଥିଲା ସଞ୍ଜୟର ପ୍ରତ୍ୟେକ କଥା । ପିତା ଔଷଧ ଖାଇବାକୁ ଯେଡ଼େ ଖରାପ ଲାଗିଲେ ବି ନିହାର ଆସିବ ବୋଲି ସଞ୍ଜୟ ଉତ୍ସାହରେ ଅପେକ୍ଷା କରି ରହିଥାଏ । ଦିନେ ନିହାରକୁ କହିଥିଲା ଦି’ପାନ ଔଷଧରେ ଭଲ ହେଉନାହିଁ । ମୋତେ ଚାରି ପାନ କରି ଦିଅ... ନିହାର ହସିଥିଲା । କେଡ଼େ ଶଙ୍କିତ ହୃଦୟରେ ସଞ୍ଜୟ ସାମାନ୍ୟ ଟିକିଏ ସାନିଧ୍ୟପାଇଁ ନିହାରବାଳାକୁ ଖୋଜୁଛି !

 

ତରୁଣର କଳ୍ପନାବିଳାସୀ ମନ ଛୋଟ କଥାକୁ ବଡ଼ ବୋଲି ଭାବେ । ସାମାନ୍ୟ ପରିଚୟକୁ ବନ୍ଧୁତା ବୋଲି ଧରିନେଇଥିଲା । ଦି’ପଦ କଅଁଳ କଥାକୁ ପ୍ରେମ ବୋଲି କଳ୍ପନା କରୁଥିଲା । ଦିନକର ଦେଖାରୁ ଆରଦିନ ମନେ ପକାଉଥିଲା—ମନେ ପକାଇ ଭଲ ପାଇବାକୁ ଚେଷ୍ଟା କରୁଥିଲା ।

 

ସେଇ ଛୋଟ କଅଁଳ ମୁହଁଟିକୁ ଦେଖିଲେ ନିହାରର ସହାନୁଭୂତି ଆସେ । ଯୋଉ ରୋଗ ତାକୁ ଧରିଛି, ସେଥିରୁ ସେ କ’ଣ ସହଜରେ ଭଲ ହୋଇପାରିବ... ନିହାରଠାରୁ ଦୂରରେ ନୁହେଁ, ନିହାର ପାଖରେ ବି ନୁହେଁ ।

 

ସଞ୍ଜୟର ଆଖି ଦୁଇଟି ଏତେ ଅନାହାର ଭିତରେ ବି ଉଜ୍ଜ୍ୱଳ ଦିଶେ । ସେହି ଆଖି ଦୁଇଟିର ତାରକା କହିଦିଏ ଯେ ନିହାରବାଳାକୁ ସେ ଭଲ ପାଉଛି ।

 

ନର୍ସ ହୋଇ ନିହାରବାଳା ଅପରକୁ ଭଲ ପାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେମାନଙ୍କର ପ୍ରତିଦାନ ସେ ତ କେବେ ଖୋଜି ନାହିଁ । ସଦାନନ୍ଦ ଚାଲିଗଲାବେଳେ ନିହାରବାଳା ଦୁଃଖ କରିଥିଲା—ପଦେ କଥା ନ କହି ଚାଲିଗଲେ ବୋଲି । ବିଦ୍ୟାଧର ଚାଲିଗଲାବେଳେ ନିହାର ଖୁସି ହୋଇଗଲା... ସେ ନିଜେ କୃତଜ୍ଞ, ବିଦ୍ୟାଧର ଚାଲିଯାଇଛନ୍ତି ବୋଲି । ଆଉ ସଞ୍ଜୟ ଗଲାବେଳେ ନିହାରବାଳା ବଡ଼ କାତର ହୋଇ ନିଜକୁ ପଚାରୁଥିଲା—ଏଇଠି କ’ଣ ଶେଷ ?

 

ନିହାର ଚାହିଁଥିଲେ ସଞ୍ଜୟକୁ ନିଜ ଆଡ଼କୁ ଟାଣିବାକୁ, ସହଜରେ ପାରିଥାନ୍ତା... ନା ତା’ର ପ୍ରୟୋଜନ ନାହିଁ । ଏଇ ଉନ୍ମୁକ୍ତ ଜୀବନରେ ସେ ଆଉ ବନ୍ଧନ ଖୋଜେ ନାହିଁ । ଭଲ ପାଇବା ହେଉଛି ବଡ଼ ବନ୍ଧନ । ସେଇ ବନ୍ଧନରୁ ଦୂରରେ ରହିବାକୁ ନିହାରବାଳା ଆପଣା ମନରୁ ସଞ୍ଜୟକୁ ଦୂର କରିଦେବାକୁ ନିଜ ଆଡ଼ୁ ଚେଷ୍ଟା କରିଥିଲା ।

 

ଆଖିରେ ଅସୀମ କୃତଜ୍ଞତା ଖେଳାଇ ସଞ୍ଜୟ କହୁଥିଲା—ଭାରି ଭଲ ମସଲା ହୋଇଛି-। ମୁଁ ମସଲାରୁ ଗୋଟିଏ ଖାଇଲେ ତୁମକୁ ମନେ ପକାଏ ।

 

ନିହାରବାଳା ମୁହଁ ଶୁଖାଇଦିଏ । ସଞ୍ଜୟ ଚମକି ପଡ଼େ । ଅଭଦ୍ରତା କରିଛି ବୋଲି କ୍ଷମା ମାଗେ... ତା’ର ଆଖିରେ ସେତେବେଳେ ବହୁତ ଦୁଃଖ । ଦୁଃଖ-ବିହ୍ୱଳ ଆଖିରେ ସେ କହେ—କିଛି ମନେ କଲ କି ?

 

ନା, କ’ଣ ମନେ କରିବି...

 

ମୁଁ ଏମିତି କହିଦେଲି ବୋଲି ମୁହଁ ଶୁଖାଇ ଦେଲ...

 

ହସି ନିହାରବାଳା କହେ—ନାହିଁ, ସେଥିପାଇଁ ନୁହେଁ ଯେ ମୋର ଗୋଟିଏ କଥା ମନେ ପଡ଼ିଲା ।

 

ହସି ଦେଇ ନିହାରବାଳା ଚାଲିଯାଏ । ନିଜକୁ ନିଜେ କହେ—ଏ ବି ସଂସାରର ମଣିଷ । ଭଲ ପାଉଛନ୍ତି ବୋଲି କହିଦେଲେ ନିଜେ ନିଜେ ତ୍ରସ୍ତ ହୋଇପଡ଼ନ୍ତି । ଅନ୍ୟମାନେ ବି ସେମିତି ମଣିଷ, ଭଲ ପାଉଛନ୍ତି ବୋଲି କହି ନିହାରବାଳାର ମଜ୍ଜା ଥରାଇ ପକାନ୍ତି ।

 

ବ୍ୟାକୁଳ ମନ ନିହାରକୁ ସଞ୍ଜୟ ପାଖକୁ ଟାଣେ । ନିହାର ନିଜକୁ ନିଜେ ବାରଣ କରେ... ସଞ୍ଜୟ ସେମିତି ଥାଉ । ଶୀଘ୍ର ସେ ଭୁଲିଯାଉ, ଆଉ ଭୁଲିଯାଉ ନିହାରବାଳାକୁ ।

 

ସଞ୍ଜୟ ନିଜେ ନିଜେ ପ୍ରତିଜ୍ଞା କରୁଥାଏ—ଚିରଦିନ ନିହାରବାଳାକୁ ଭଲ ପାଇବ । ସଞ୍ଜୟର ବନ୍ଧୁମାନେ ନିହାରବାଳା ପ୍ରସଙ୍ଗରେ ସଞ୍ଜୟକୁ ରହସ୍ୟ କରି କିଛି କହିଲେ ସେ ପ୍ରତିବାଦ କରେ—ତମେମାନେ ବୁଝିନାହଁ । ସେ ଭାରି ଭଲ ।

 

—ଭଲ ! ସବୁ ରୋଗୀଙ୍କୁ ନର୍ସମାନେ ଅପୂର୍ବ ପରି ଦିଶନ୍ତି । ଡାକ୍ତରଖାନା ହତା ଭିତରେ ଏକା ନିହାର କାହିଁକି, ସମସ୍ତେ ଅପୂର୍ବ ଅପ୍‌ସରା । ଆମେ ଦେଖିଛୁ ନିହାରବାଳାକୁ... ସଞ୍ଜୟ ଶୁଣି ନାହିଁ ନିହାରବାଳାର ଅତୀତର ଭିତିରି କଥା ।

 

ସଞ୍ଜୟ ଚାହିଁ ରହେ ସେମାନଙ୍କ ମୁହଁକୁ... କ’ଣ ସବୁ ଶୁଣାଯାଏ ନିହାର ବିଷୟରେ ?

 

—କ’ଣ ଶୁଣା ନ ଯାଏ ଯେ ! ଓଲେଇ ଗାଈକୁ କିଏ କ’ଣ ତାଲିକା କରି ସେ କୋଉଠି କୋଉଠି ମୁହଁ ମାରିଥିଲା, ସେତକ ମନେ ରଖେ ? ...ଅସଲ ଓଲେଇଟାଏ ।

 

ନିହାରବାଳା ପାଖକୁ ଆସିଲେ ସେମାନେ ତାକୁ ରହସ୍ୟ କରି କହନ୍ତି—ସିଷ୍ଟର, ଭାରି ଶୋଷ କରୁଛି ।

 

—ପାଣି ପିଇ ଆସିଲେ ନାହିଁ । ଏଇ ପାଖ କଳରେ ପାଣି ଅଛି ।

 

—ଆମେ କ’ଣ ଜାଣିନାହୁଁ ସେ କଥା ! ତମେ ଆଣିଦିଅନ୍ତ ନା ଗିଲାସେ ପାଣି... ଭାରି ଥଣ୍ଡା ଆଉ ସୁନ୍ଦର ଲାଗିବ ?

 

ଦୃଢ଼ ସ୍ୱରରେ ନିହାରବାଳା କହେ—ଏଇଟା କାମ ନୁହେଁ କହି ବିରକ୍ତ ହେଲା ପରି ଧପ୍‌ ଧପ୍‌ ଚାଲିଯାଏ । ପଚାରିଥିବା ଲୋକର ମୁହଁକୁ ଚାହିଁ ଅନ୍ୟମାନେ କୌତୁକ କରନ୍ତି—କଥା କହୁଥିଲା, ପାଇଲା ଯେ ।

 

ଟିକକ ପରେ ଗିଲାସ ଧୋଇଲାବେଳେ ନିହାରବାଳା ଭାବେ—ପାଣି ଗିଲାସେ ପାଇଲେ ସେମାନେ କେଡ଼େ ଖୁସି ନ ହେବେ ! ଭାବିବେ ଯେ ନିହାର ତାଙ୍କୁ ଭଲ ପାଉଛି... ଆପଣା ମନକୁ ହସି ପଚାରେ—ଭଲ ପାଉଛି କି ?

 

ସଞ୍ଜୟର ବନ୍ଧୁ ବେଆଡ଼ା କଥା ଓ ଖରାପ ବ୍ୟବହାର ଦେଖାଇଲେ ବି ତା’ର ବନ୍ଧୁ । ତାର ସେହି ମୁହଁଟିକୁ ମନେ ପକାଇ ନିହାରବାଳା ସଫା ଗିଲାସରେ ରିଫ୍ରିଜରେଟର ପାଣି ଆଣି କହେ—ଏଣିକି ଆସିଲାବେଳେ ପାଣି ପିଇ ଆସିବେ । ସିଷ୍ଟର ଜାଣିଲେ ଏକାବେଳକେ ଡାକ୍ତରଖାନା ହତା ଡିଆଇଁ ଦେବେ । ସେତେବେଳେ ବୁଝିଯିବେ ଯେ ।

 

ପାଣି ପିଉ ପିଉ ଓଠ ପାଖରେ ଚହଲିଯାଏ । ମେଞ୍ଚାଏ ପାଣି ଛିଟିକି ପଡ଼େ ଲୁଗା ଉପରେ । ନିହାରବାଳା ସେମିତି ଉଦାସ ଆଖିରେ ଚାହିଁ ପଚାରେ—ଇଏ କ’ଣ ହେଲା ଭଲ ! ରୁମାଲରେ ପୋଛି ପକାନ୍ତୁ ।

 

ନିହାରବାଳା ଫେରିଗଲେ ନିହାର ବିଷୟରେ କଟୂକ୍ତି କମିଯାଏ । ସେହି ବ୍ୟଙ୍ଗବିଦ୍ରୂପ କରୁଥିବା ଲୋକର ବି ଭଲ ପାଇବାର ଅଧିକାର ଅଛି । ନିହାରବାଳା ମଧ୍ୟ ତାକୁ ଭଲ ପାଉଛି ।

 

ଏମିତି ଭଲ ପାଇବା ଯୋଗୁଁ ନିହାରବାଳା ଯେତିକି ଅପରଠାରୁ ନିନ୍ଦା ଶୁଣେ, ପୁଣି ସେମିତି ସେମାନଙ୍କର ମୁହଁରୁ ପ୍ରଶଂସା ବି ଶୁଣେ । ପଦେ ପଦେ କଥାରେ ତା’ରି ସହିତ ବନ୍ଧୁତା କରିବାକୁ, ତା’ରି ମନ ଜାଣି ଚଳିବାକୁ ତରୁଣ ଯୁବକଗୁଡ଼ିକ ଆଗେଇ ଆସନ୍ତି—ସଙ୍କୋଚ ନାହିଁ, ଦ୍ୱିଧା ନାହିଁ । ଖାଲି ଗୋଟାଏ ଲକ୍ଷ୍ୟ, ସେମାନେ ନିହାରବାଳାକୁ ଭଲ ପାଇବେ ।

 

ନିହାରବାଳା ଶୁଣୁ କି ନ ଶୁଣୁ ତା’ରି ପ୍ରଶଂସାରେ ଗୁଞ୍ଜରି ଉଠେ କେତେ ମନ ! ନିହାରର ରୂପ ଓ ସୌନ୍ଦର୍ଯ୍ୟ ବିଷୟରେ ବହୁତ ପ୍ରକାର ପ୍ରଶଂସା । ନିହାରର ଯାହା ନାହିଁ, ସେ ସବୁ ମଧ୍ୟ ସେମାନେ ଆବିଷ୍କାର କରିଯାନ୍ତି ।

 

କିନ୍ତୁ ନିହାରବାଳା ଗୋଟିଏ ସାଧାରଣ ନାରୀ—ସାଧାରଣ କାହିଁକି ଅତି ସାଧାରଣ । ଏତେ ରୂପର ଅଧିକାରିଣୀ ବୋଲି ସେ ନିଜେ ବି ଭାବି ନ ଥିଲା ।

 

ଖାଲି ସଞ୍ଜୟ କାହିଁକି, ସଞ୍ଜୟର ପ୍ରତ୍ୟେକ ବନ୍ଧୁକୁ ନିହାରବାଳା ଦୂରରେ ରଖିବାକୁ ଚାହୁଥିଲା । ଦୂରରେ ରଖିବାକୁ ଚେଷ୍ଟା କଲେ ସେମାନେ ପାଖକୁ ମାଡ଼ି ଆସନ୍ତି । ନିହାର ବିଷଣ୍ଣ ହୋଇ ଭାବେ—ତା’ରି ଭୁଲ । ସେ ବୋଧହୁଏ ସେମାନଙ୍କୁ ବିଚଳିତ କରୁଛି ।

 

କ’ଣ ତା’ର ଦରକାର ଏଇ ତରୁଣ ଛାତ୍ରଗୁଡ଼ିଙ୍କୁ ଅନ୍ୟମନସ୍କ କରିବାରେ ! କିଛି ତ ନାହିଁ-। ଡାକ୍ତରଖାନା ହତା ଭିତରେ ଏତେ ହିତାକାଂଙ୍‌କ୍ଷୀ ଓ ବନ୍ଧୁତାକାମୀ ଲୋକ ଅଛନ୍ତି ଯେ ସେଥିଭିତରେ ଆଉ ବାହାରର ଲୋକଙ୍କୁ ଆଣି ନିଜେ ବ୍ୟସ୍ତ ରହିବା ଓ ତାଙ୍କୁ ବିବ୍ରତ କରିବାର କିଛି କାରଣ ନାହିଁ ।

 

ସଞ୍ଜୟର ଚାଲିଯିବା ଦିନର କଥାଗୁଡ଼ିକ ନିହାରବାଳା ମନରେ ଆଙ୍କି ହୋଇଯାଇଥିଲା–କୌଣସି କୌତୂହଳ ଯୋଗୁଁ ନୁହେଁ, ସଞ୍ଜୟର ବିହ୍ୱଳତା ଯୋଗୁଁ ।

 

ସଞ୍ଜୟ ଚାଲିଯାଇଛି । ଗଲାବେଳେ ନିହାରବାଳା ନ ଥିଲା । କିନ୍ତୁ ନିହାରବାଳା ଜାଣିଥିଲା, ସେ ଦିନ ସଞ୍ଜୟ ଚାଲିଯିବ । ଫେରିଆସି ସଞ୍ଜୟକୁ ଖୋଜିଥିଲା । ସେଇ ତେଇଶ୍‌ ନମ୍ବର ବିଛଣା ନୂଆ ରୋଗୀଟିଏ ଧରି ବସିଛି ।

 

ଅଳ୍ପ କେଇ ଦିନରେ ସେଇ ବିଛଣାଟି ତିନୋଟି ରୋଗୀ ଦେଖିଲାଣି । ନୂଆ ରୋଗୀଟି ପରିଚୟ କରିଥିଲା ନିହାରବାଳା ସାଙ୍ଗରେ । ସେ ଗୋଟିଏ ଦୁଃସ୍ଥ । ତା’ର କେହି ନାହିଁ ଏକା ନିହାରବାଳାକୁ ଛାଡ଼ି । ଯେ ଯେତିକି ଅସମର୍ଥ, ସେ ସେତିକି ଆତୁର ନିହାରବାଳାର ସ୍ନେହପାଇଁ ।

 

ନିଜର ଇଚ୍ଛା ବିରୁଦ୍ଧରେ ସେ ଦିନ ସେ ତେଇଶ ନମ୍ବର ବିଛଣାର ରୋଗୀକୁ ତା’ର ଦରକାରୀ ସେବା ଶୁଶ୍ରୂଷା କରିଥିଲା । କିନ୍ତୁ ବାରମ୍ବାର ମନେ ପଡ଼ୁଥିଲା ସଞ୍ଜୟର ସେହି ତନ୍ମୟତା, ସେହି ସପନଭରା ଆଖି ଦୁଇଟି—ନିଜର ଅଜ୍ଞତା, ଅପରିପକ୍ୱତା ଓ ଅଧୀରତାରେ ନାଚିଯାଉଥିଲେ ନିହାରବାଳା ପାଖରେ—ସେ ବି ଚାଲିଯାଇଛି ।

 

ଏମିତି ଜଣ ପରେ ଜଣେ ବନ୍ଧୁତାର ନିବେଦନ କରି କିଏ ଭଲ ପାଇ, କିଏ କୃତଜ୍ଞତା ଦେଖାଇ ଛାଡ଼ିଯିବେ । ସେ ବି ସେମିତି ଗୋଟିଏ ପରେ ଗୋଟିଏ ରୋଗୀକୁ ନିଜର କରି ସେବାଶୁଶ୍ରୂଷା ଦେଇ, ପ୍ରତିଦାନର ଆଶା ନ ରଖି ଛାଡ଼ି ଚାଲିଯିବ । ଏତେଗୁଡ଼ାଏ ମିଳନ ବିଚ୍ଛେଦ ନିହାରକୁ ଭଲ ଲାଗୁ ନ ଥିଲା... ଇଏ ତ ଗୋଟିଏ ଖଟିଆର ଦୁଃଖ କାହାଣୀ । ପୂରା ଓ୍ୱାର୍ଡ଼ଟାକୁ ହିସାବ କଲେ ତାକୁ ଜଣାଯାଉଥିଲା—ସତେ ଯେପରି ଏଇଟି ଗୋଟିଏ ଧର୍ମଶାଳା !

 

ଧର୍ମଶାଳାର ସବୁଦିନିଆ ଜଗୁଆଳି ପରି ନିହାର ଯେପରି ଠିଆ ହୋଇଛି ଫାଟକ ପାଖରେ । ଆସିବା ଲୋକକୁ ଭିତରକୁ ଛାଡ଼ିବ ଆଉ ଚାଲିଗଲା ଲୋକଙ୍କୁ ବିଦାୟ ଦେବ । ଖାଲି ସେମାନେ ଲେଖିଦେଇ ଯିବେ ତାଙ୍କର ନାଁ ଓ ପରିଚୟ... ନିହାର ବି ବହୁତ ଲୋକଙ୍କର ପରିଚୟ ପାଇଲାଣି ।

 

ସେଇଠି ସେ ଦେଖିଛି ସବୁପ୍ରକାର ଜଣାଶୁଣା ସମ୍ବନ୍ଧ...ମା’ମାନଙ୍କୁ ପୁଅ ପାଖରେ, ପୁଅକୁ ବାପା ପାଖରେ, ବନ୍ଧୁକୁ ବନ୍ଧୁ ପାଖରେ, ଭାଇକୁ ଭାଇ ପାଖରେ ଆଉ ସ୍ତ୍ରୀକୁ ସ୍ୱାମୀ ପାଖରେ-

 

ବାପ ପୁଅ ଏକାଠି ନିହାରବାଳାକୁ ଲକ୍ଷ୍ୟ କରିବା, ସେଇ ଡାକ୍ତରଖାନା ଭିତରେ ନିହାରର ଅନୁଭୂତି ଭିତରକୁ ଥରେ ନୁହେଁ, ବାରମ୍ବାର ଆସିଛି । ଭାବେ, ତାଙ୍କୁ ଏକାଠି କରି ନିହାର କହନ୍ତା—ନର୍ସମାନେ ଯେତେ ଜଘନ୍ୟ ହେଲେ ବି ଏମିତି ଏକାପ୍ରକାରର କୁଟିଳ ଚାହାଣୀ ବାପ ଓ ପୁଅ ଦୁହିଙ୍କଠାରୁ ପାଇବାକୁ ଆଶା କରନ୍ତି ନାହିଁ ।

 

ରୋଗୀମାନଙ୍କ ପାଖକୁ ଆସିଥିବା ସ୍ତ୍ରୀଗୁଡ଼ିକ ସେମିତି ନିହାରବାଳାକୁ ଗୋଟିଏ ଅଲୋଡ଼ା ନାରୀରୂପେ ଚାହିଁ ରହନ୍ତି । ତାଙ୍କର ଚାହାଣୀ କହିଦିଏ...ତାଙ୍କର ସବୁ ଅଛି, କିନ୍ତୁ ନିହାରବାଳାର କିଛି ନାହିଁ । ସେମାନେ ଗର୍ବରେ ଖାଲି ବିଛଣା ପାଖରେ ଠିଆ ହେଲାବେଳେ ନିହାରକୁ ମନେ କରନ୍ତି—ସେ ଡାକ୍ତରଖାନାରେ ଠେଲାଗାଡ଼ି ପରି ଗୋଟିଏ ଯନ୍ତ୍ର । ଠେଲାଗାଡ଼ି ଯେମିତି ଔଷଧ ବୁହାଏ, ଏମାନେ ସେହିପରି କଳଙ୍କିତ ଜୀବନ ସାଙ୍ଗରେ ଧରି ଡାକ୍ତରଖାନାକୁ ଆସିଛନ୍ତି ପେଟ ପୋଷିବାକୁ ।

 

ତାଙ୍କୁ ବି ନିହାର ଉତ୍ତର ଦେଇପାରେ ନାହିଁ । ତା’ର ସେହି ଆଖି ଦୁଇଟିରେ ପ୍ରତିହିଂସାର ନିଆଁ ଜଳି ଉଠେ । ସେମାନଙ୍କର ବିଦ୍ରୂପଭରା ଚାହାଣୀ ନିହାର ମନରେ ପ୍ରତିରୋଧ ଆଣେ । କର୍ତ୍ତବ୍ୟ ଅନୁରୋଧରେ ନିହାରବାଳା ପାଖକୁ ଆସି, ସେମାନେ ଅଛନ୍ତି କି ନାହିଁ ସେ ବିଷୟରେ ମନ ନ ଦେଇ ତା’ର କାମ ସାରିଦେଇ ଚାଲିଯାଏ । ରୋଗୀ ଉପରେ ତା’ର ଘୃଣା ଆସେ ।

 

ସେତିକିବେଳେ ନିହାରବାଳା ବୁଝିପାରେ ଯେ ତା’ରି ଜୀବନରେ ଗୋଟିଏ ଅଭାବ ରହିଗଲା । ସେ ସଂସାରର ଆଉ ପାଞ୍ଚଟି ନାରୀଙ୍କଠାରୁ ସରସ ନୁହେଁ । ସେଇ ରୋଗୀଟିର ଯେଉଁ ସତୃଷ୍ଣ ଚାହାଣୀ ନିହାରବାଳା ଦେଖି ଆସିଥିଲା, ସେଇ ଚାହାଣୀ ଆଉ ନାହିଁ । ତାଙ୍କରି ଚାରିଆଡ଼େ ଘେରି ହୋଇ ରହିଛି ତାଙ୍କର ସ୍ତ୍ରୀ । ସେ ଅଧିକାର ଭିତରକୁ ନିହାରବାଳାର ଯିବାର ଅଧିକାର ନାହିଁ-

 

ସେଇଠି ସେ ଦେଖିଛି ମା’କୁ ରୋଗୀଣା ପୁଅର ସେବାକାରିଣୀ ହିସାବରେ । ମା’ର ସେହି ଆଖି ଦୁଇଟିରେ ନିହାରବାଳାପାଇଁ ଭାସି ଉଠିଛି ସହାନୁଭୂତି ଓ ଦୟାର ମେଘ । ନିହାରକୁ ପାଖକୁ ଡାକି କଅଁଳ ସ୍ୱରରେ ସେମାନେ ତା’ର ପରିଚୟ ନେବାକୁ ଚେଷ୍ଟା କରିଛନ୍ତି ।

 

ପୁଣି ସେଇ ନାରୀ ସ୍ତ୍ରୀ ରୂପରେ ନିହାରବାଳାକୁ ବିଦ୍ରୂପ କରିଛି...ନିହାର ନିଜେ ବି ସ୍ତ୍ରୀ, ଆଉ ନିଜେ ବି ମା ।

 

ନିହାରର ମନେ ପଡ଼ିଯାଏ ନିଜର ପିଲାଟି କଥା । ସେ ବି ଏମିତି ମା ପାଖରେ ଖୁସି ହୁଅନ୍ତା ! କିନ୍ତୁ ନିହାର ବାଧ୍ୟରେ ନିଜର ପିଲାଟି କଥା ଲୁଚାଇ ଦେଇଛି ସମସ୍ତଙ୍କ ପାଖରୁ । ସମସ୍ତେ ତରୁଣୀକୁ ତରୁଣୀ ହିସାବରେ ଦେଖିବାକୁ ଚାହାନ୍ତି, ମା’ ବୋଲି ଜାଣିବାକୁ ଭଲ ପାଆନ୍ତି ନାହିଁ ।

 

ସେତିକିବେଳେ ନିହାର ମନରେ ଦ୍ୱନ୍ଦ୍ୱ ଆସେ । ଛାଡ଼ିଆସିଥିବା ପିଲାଟି ପ୍ରତି ମନଟା ଟଣକେ । ଏଣେ ମା ଏତେ ରୋଗୀରଙ୍କର ସେବାଶୁଶ୍ରୂଷା କଲାବେଳେ ତା’ର ପିଲାଟି ପାଖରେ କେହି ନାହିଁ ।

 

ପିଲାଟି ଛୋଟ । ଚିଠି ଦେଲେ ବୁଝିବ ନାହିଁ । ଚିଠି ଲେଖିପାରିବ ନାହିଁ । ତାକୁ ପାଖକୁ ଆଣିହେବ ନାହିଁ । ବାରମ୍ବାର ତାହାରି ପାଖକୁ ଯାଇହେବ ନାହିଁ ।

 

ସବୁପ୍ରକାରର ରୋଗୀଙ୍କ ମେଳରେ ନିହାରବାଳା ମନରେ ସବୁପ୍ରକାରର ଅଶାନ୍ତି ପୂରି ରହିଥାଏ । କେଡ଼େ ବିଭଙ୍ଗ ଏ ଜୀବନ ! ଯାହାକୁ ଭଲ ପାଇବା କଥା, ଯାହାକୁ ନିକଟରେ ଧରି ରଖିବା କଥା, ସେମାନେ ସମସ୍ତେ ଦୂରରେ ଅଛନ୍ତି । ଆଉ ପାଖରେ ଆସି ପହଞ୍ଚୁଛି ଅନ୍ୟପ୍ରକାରର ସବୁ ଜିନିଷ ।

 

ଦାଢ଼ିଆ ସିଷ୍ଟରଙ୍କ କଥା ମନେ ପଡ଼ିଯାଏ । ସେ ନିହାରକୁ ଉପଦେଶ ଦେଇଥିଲେ...ରୋଗୀକୁ ଭଲ ପାଇବାକୁ । ଭଲ ନ ପାଇଲେ ସେବା କରି ହୁଏ ନାହିଁ । କିନ୍ତୁ ଅନ୍ୟକୁ ଭଲ ପାଇବାକୁ ଚେଷ୍ଟା କଲାବେଳେ ନିଜର ଅତୀତ ଆସି ବାଧାଦିଏ । ସେଇ ଅତୀତର ଛୋଟ ଛୋଟ ଅଧ୍ୟାୟ ଆସି ମନେ ପକାଇ ଦିଅନ୍ତି—ନିହାରବାଳା ସେମାନଙ୍କର, ଏଇ ଡାକ୍ତରଖାନାର ନୁହେଁ ।

 

କିନ୍ତୁ ଡାକ୍ତରଖାନା ହତା ଭିତରେ ନିହାରବାଳା ତା’ରି ସେହି ପୁରୁଣା ମୁହଁଗୁଡ଼ିକୁ ଭୁଲିବାକୁ ଚେଷ୍ଟା କରେ । ସେଇମାନେ ତା’ରି ମୁହଁରେ ଦୁଃଖର କାଳିମା ବୋଳି ଦେଇଛନ୍ତି ।

 

ମନ ଭିତରେ ଏହିପରି ପରସ୍ପରର ବିପରୀତ ଭାବନାର ବୋଝ ବୋହି ନିହାରବାଳା ଡାକ୍ତରଖାନାର କାମ ଶେଷ କରୁଥିଲା । ତା’ରି ଏଇ ଉଦାସ ଭାବ ଦେଖି ତା’ର ପରିଚିତ ଲୋକେ ତା’ରି ମୁହଁକୁ, ତାଙ୍କର ସବୁ ସନ୍ଦେହର ଉତ୍ତର ଜାଣିବାକୁ ବାରମ୍ବାର ଚାହୁଁଥିଲେ ।

 

ପଢ଼ାଉଥିବା ଡାକ୍ତର ବି ଚାହିଁରହନ୍ତି—ସାର୍‌ଙ୍କ ଆଖିରେ ଥାଏ ସେଇ ଏକା ନିବେଦନ...ମୋତେ ଭଲ ପାଅ ।

 

ସେହି ଶ୍ରେଣୀର ସବୁ ନର୍ସ-ଛାତ୍ରୀ ତାଙ୍କରି ମୁହଁକୁ ଚାହିଁରହନ୍ତି ସବୁପ୍ରକାର ଆଶ୍ରୟ ଓ ଅଭୟପାଇଁ । ସମସ୍ତଙ୍କୁ ସେ ଏକାଠି କରି ଭଲ ପାଆନ୍ତି । ସେ ସମସ୍ତେ ତାଙ୍କର ।

 

ତାଙ୍କର ରହସ୍ୟମିଶା କଥା ଶୁଣିଲେ ସବୁ ଯୁବତୀଙ୍କ ଓଠରେ ହସ ଫୁଟିଉଠେ । ନିହାରବାଳା ଗମ୍ଭୀର ହୋଇ ବସେ । ଡାକ୍ତରବାବୁ ଖାଲି ନିଜ ସାଙ୍ଗରେ ଛଳନା କରୁଛନ୍ତି—ଯେଉଁ ଭଲ ପାଇବାର ପ୍ରୟୋଜନ ତାଙ୍କର ନାହିଁ, ସେଇସବୁ ନେବାକୁ ଚେଷ୍ଟା କରୁଛନ୍ତି ।

 

ଉଦାସ ନିହାରବାଳା ମୁହଁରେ ହସ ଖେଳାଇବାକୁ ସେ ବହୁତ ଥର ନିର୍ଦ୍ଦିଷ୍ଟ କରି ନିହାରକୁ ହସାଇବାକୁ ଚାହିଁଥିଲେ। ନିହାର ହସିଲା ନାହିଁ...ଏଇଟା ବି ନର୍ସ-ଛାତ୍ରୀର ଭୁଲ । ସେ ବି ଗମ୍ଭୀର ରହିଲେ । ନିହାରକୁ ଦେଖିଲେ ରାଗରେ ଜଳି ଉଠନ୍ତି ।

 

ସାର୍‌ଙ୍କ ଠାରୁ ପଢ଼ା ବୁଝିବାପାଇଁ, ବିଭିନ୍ନପ୍ରକାରର ଛୋଟ ବଡ଼ କାମରେ ସାର୍‌ଙ୍କ ସାହାଯ୍ୟ ନେବାପାଇଁ ନିହାରର ବନ୍ଧୁମାନେ ଡାକ୍ତରଙ୍କ ଘରକୁ ଯାଇଥାନ୍ତି । ପ୍ରତ୍ୟେକ ତାଙ୍କର ଖେଳଣା । ପ୍ରତ୍ୟେକଙ୍କୁ ସେ କହନ୍ତି...ତୁମେ ଭାରି ସୁନ୍ଦର । ତୁମେ ଭଲ ନର୍ସ ହେବ ।

 

ନିହାର ଏକା ଆସି ନାହିଁ । ସେଥିପାଇଁ ସେ ଅସନ୍ତୋଷ ପ୍ରକାଶ କରି ସମସ୍ତଙ୍କୁ କହିଛନ୍ତି ଯେ ନିହାରବାଳାର କାମରେ ମନ ନାହିଁ ।

 

ନିହାରବାଳା ଭାବେ । ଡାକ୍ତରଙ୍କୁ ଦେଖି ସେ ନିଜକୁ ନିଜେ ପଚାରେ—ଏଇ ତେବେ ତା’ର କଳଙ୍କିତ ଜୀବନର କଢ଼ୁଆଳ । ଓ୍ୱାର୍ଡ଼ର ସିଷ୍ଟର ନୁହେଁ, ଏଇ ଡାକ୍ତରବାବୁ ତା’ର ଭାଗ୍ୟବିଧାତା ।

 

ତାଙ୍କୁ ଚାହିଁଲେ ସେ ବିରକ୍ତ ଦେଖାଇ ବିଦ୍ରୂପ କରି ନିହାରକୁ କହନ୍ତି ଅନ୍ୟମନସ୍କ ନ ହେବାପାଇଁ । ଖାତାକୁ ଚାହିଁ ନିହାରବାଳା ମନକୁ ଦୃଢ଼ କରିବାକୁ ଚେଷ୍ଟା କରେ । ସେ ତାଙ୍କର ଅପ୍ରିୟ ।

 

ଅନ୍ୟମାନେ ଅତୀତକୁ ନଷ୍ଟ କରିଥିଲେ—ଅତୀତ ବିଷୟରେ ବଖାଣିଥିଲେ । କିନ୍ତୁ ଇଏ ଚାହୁଁଛନ୍ତି ଭବିଷ୍ୟତ୍‌ ନଷ୍ଟ କରିବାକୁ । ଏତକ ବି ତାହାହେଲେ ବାଦ୍‌ ଯିବ ନାହିଁ । ଉତ୍ସୃଙ୍ଖଳ, ଅସଂଯତ ଜୀବନରେ ତାହାହେଲେ କ’ଣ ମୁକ୍ତି ନାହିଁ ? ନିହାରବାଳା ମନେପକାଏ ବଳରାମ, ଦିଗମ୍ବର ଓ ସଞ୍ଜୟ ସମସ୍ତଙ୍କୁ । ସେମାନେ କେବେହେଲେ ଏଇ ଅନ୍ୟାୟ ଲଦିବାକୁ ଚାହିଁ ନ ଥିଲେ-

 

ଯାହା ହେବାର ହେଉ, ନିହାରବାଳା ନିଜକୁ ସମସ୍ତଙ୍କଠାରୁ ଦୂରରେ ରଖିବ । ସେତିକି ତା’ର ପାଞ୍ଚ ଓ କାମନା ।

 

ନିହାର ବିଷୟରେ ଆଶା, ଗୀତା ଓ ଅନ୍ୟମାନେ ନାନାପ୍ରକାର କଥା କହିବୁଲନ୍ତି । ଡାକ୍ତରଙ୍କ ଆଗରେ ଚୁଗୁଲି କହନ୍ତି । ନିହାରବାଳାକୁ ସବୁଠାରୁ ବିଭତ୍ସ ଓ ଚରିତ୍ରହୀନ ବୋଲି ପ୍ରମାଣ କରି ନିହାରବାଳାର କ୍ଷତି କରିବାକୁ ସବୁବେଳେ ଚେଷ୍ଟା କରନ୍ତି ।

 

ନିହାରବାଳା ପାଖକୁ ବହୁତ ଚିଠି ଆସେ । ଅନେକ ଲୋକ ତା’ର ଚିହ୍ନା । ଅନେକ ଲୋକ ତା’ର ଭାଇ । ଲମ୍ବା ଲମ୍ବା ଚିଠି ଦିଅନ୍ତି । ଏମିତି ଚିଠି ଆମ ପାଖକୁ ଆସିଲେ ଆମେ ତ ଡାକଘରକୁ ଫେରାଇ ଦିଅନ୍ତୁ ।

 

ନିହାର ଭାବେ ସେହି ବନ୍ଧୁ ମାନଙ୍କର କଥା । ତାଙ୍କ କହିବା କଥା ଅନୁସାରେ ନିହାର ଯଦି ଏତେ ଖରାପ, ତେବେ ତା’ ସାଙ୍ଗରେ ସମ୍ବନ୍ଧ ନ ରଖିଲେ ଭଲ ହୁଅନ୍ତା । ଏଣେ ବନ୍ଧୁସାଜି ତେଣେ ନିହାରକୁ ଏହିପରି ଚିତ୍ର କଲେ ନିହାର ତ ବଦଳିବ ନାହିଁ, ଓଲଟି ସେମାନଙ୍କର ନିନ୍ଦା ହେବ-। ସେମାନଙ୍କ ସାଙ୍ଗରେ ଅବା କି ସମ୍ବନ୍ଧ ! ଚରିତ୍ରବାନ୍‌ ଲୋକଙ୍କର ସିନା ପରସ୍ପର ଭିତରେ ବନ୍ଧୁତା ହୁଏ, ଚରିତ୍ରହୀନା ଲୋକଙ୍କର ପରସ୍ପର ଶତ୍ରୁତା । ତଥାପି ସେହିମାନେ ବହୁତ ବେଶି ଏକାଠି ଚଳନ୍ତି... ଏମିତି ଚଳୁଛନ୍ତି କେଜାଣି କେଉଁ ଯୁଗରୁ ।

Unknown

 

ନିହାରବାଳା ବହୁତ ରକମ ଲୋକଙ୍କର ଶତ୍ରୁତା ଜାଣିଥିଲା—ନିଜ ଲୋକଙ୍କର, ତାକୁ ଭଲ ପାଇବା ଲୋକଙ୍କର, ତାକୁ ଚିହ୍ନି ନ ଥିବା ଲୋକଙ୍କର । କିନ୍ତୁ ଏବେ ତା’ର ନୂଆ ହୋଇ ବନ୍ଧୁ ହୋଇଥିବା ତା’ର ପରି ସ୍ତ୍ରୀଗୁଡ଼ିକଙ୍କର ସେହି ଶତ୍ରୁତା ସେ ବୁଝିପାରୁ ନ ଥିଲା.. ସେ କ’ଣ କେତେବେଳେ ନ ଜାଣି ସେମାନଙ୍କ ସାଙ୍ଗରେ କୋଉଠି ପ୍ରତିଦ୍ୱନ୍ଦ୍ୱୀ ହୋଇଛି କି ?

 

ବାରମ୍ବାର ଚାହେଁ ଗୀତା ମୁହଁକୁ, ଆଶା ମୁହଁକୁ ଆଉ ତା’ର ନିନ୍ଦା କରୁଥିବା ସ୍ତ୍ରୀମାନଙ୍କର ମୁହଁକୁ । ସମସ୍ତଙ୍କର ତ ବହୁତ ପୁରୁଷଙ୍କ ସାଙ୍ଗରେ ଚିହ୍ନା । ସମସ୍ତେ ସ୍ୱାଧୀନ । ନର୍ସ ହଷ୍ଟେଲର ଡାକବାଲା ସମସ୍ତଙ୍କପାଇଁ ଅଲଗା ଅଲଗା ଚିଠିର ତାଡ଼ା ଆଣିଥାଏ । ନିହାର ତ ସେତେ ଚିଠି ପାଇନାହିଁ । ଆଉ ତେବେ ହଠାତ୍‌ ସେଇ ଚିଠି ପାଉଥିବା ଲୋକଙ୍କ ମେଳରେ ନିହାରର ନିନ୍ଦା ଏମିତି ତେଜି ଉଠୁଛି କାହିଁକି ?

 

ପ୍ରଶଂସା ଭିତରେ ରହିହୁଏ । କିନ୍ତୁ ନିନ୍ଦା ଭିତରେ ରହିବାକୁ ଭାରି ଆଡ଼ୁଆ ଲାଗେ । ନିନ୍ଦା ଓ ପ୍ରଶଂସା ଠିକ୍‌ ଏକାପରି ହୁଏତ ସେହି ଲୋକର ପରିଚୟ ଦିଅନ୍ତି । କିନ୍ତୁ ନିନ୍ଦା ଶୁଣିବାକୁ ଭଲ ଲାଗେ ନାହିଁ ।

 

ନିହାରବାଳା ମନେ ପକାଇଲା—କେହି ତ ନୂଆ ପ୍ରେମିକ ଚିଠି ଲେଖି ନାହାନ୍ତି । କେହି ପ୍ରେମ ଚିଠି ଦେଇ ପ୍ରେମିକ ହେବାକୁ ଚେଷ୍ଟା କରି ନାହାନ୍ତି । ତେବେ ହଠାତ୍‌ ସେ ଖରାପ ହୋଇଗଲା କେମିତି ?

 

ସାଥିମାନଙ୍କୁ ମୁହଁରେ ଡାକ୍ତରଙ୍କର ପ୍ରଶଂସା । ସେତିକିରେ ନିହାର ଭାଗ ନିଏ ନାହିଁ । ପଢ଼ାଇଲାବେଳେ ଡାକ୍ତର ଚିଡ଼ନ୍ତି ନିହାର ଉପରେ । ନିହାର ଯେପରି ସମସ୍ତଙ୍କଠାରୁ ନିରସ ।

 

ଡାକ୍ତରଙ୍କ କଥା ମନ ଭିତରେ ଏ ପାଖ ସେ ପାଖ କରେ । ସେଇ ଜଣେ ଲୋକ ନିହାର ଉପରେ ବିରକ୍ତ ହୁଅନ୍ତି । ସେ ପଢ଼ାଉଛନ୍ତି । ଡାକ୍ତରଖାନାର ଜଣେ ହାକିମ । ସମସ୍ତଙ୍କୁ ପାଖରେ ଦେଖିବାକୁ ଚାହାନ୍ତି । ଟେବଲ ଉପରର ଫୁଲତୋଡ଼ା ପରି ସମସ୍ତଙ୍କୁ ଏକାଠି ଦେଖିବାରେ ତାଙ୍କର ଆନନ୍ଦ । କାହାରିକୁ କାହରିଠାରୁ ଅଲଗା ବୋଲି ସେ ଭାବନ୍ତି ନାହିଁ ।

 

ସେଇ କ’ଣ ବିରକ୍ତ ହୋଇ ଏତକ ଆରମ୍ଭ କରିଛନ୍ତି....କରିବାର କଥା ନୁହେଁ ତ । ସେ ନିଜେ ବହୁତ ଉପରେ । ତଳୁଆ ଲୋକ ସିନା ନିନ୍ଦା କରେ । ସାଙ୍ଗସାଥି କୁତ୍ସା କରନ୍ତି । କିନ୍ତୁ ଉପରର ଲୋକ ଏସବୁ କାହିଁକି କରିବ ।

 

ନିହାରବାଳାକୁ କେହି ଭଲପାଆନ୍ତି ନାହିଁ । କିନ୍ତୁ ସମସ୍ତେ ନିହାରକୁ ସନ୍ଦେହମିଶା ଚାହାଣୀରେ ଚାହାନ୍ତି । ଏକାଠି ବସିଲାବେଳେ ରୁଚିହୀନ ବିଦ୍ରୂପ ଓ ରହସ୍ୟ ଚାରିଆଡ଼େ ବୁଣି ହୋଇ ପଡ଼େ । ନିହାର ସାଥିରେ ଯୋଗ ଦିଏ ନାହିଁ । ...ସେ କ’ଣ ତା’ର ଏହି ବିମର୍ଷ ସ୍ୱଭାବ ଯୋଗୁଁ ସମସ୍ତଙ୍କର ଅବମାନନାର ପାତ୍ର ?

 

ନିଜର ସାଙ୍ଗସାଥି ମେଳରେ ଆଦର ନ ପାଇ ନିହାରବାଳାର ମନ ବିରକ୍ତ ହୋଇଯାଏ-। ସମସ୍ତଙ୍କ ଉପରେ ଅଭିଯୋଗ ଉଙ୍କିମାରେ ମନରେ । ଓ୍ୱାର୍ଡ଼ରେ ରୋଗୀମାନଙ୍କୁ ସେ ଆଉ ସେମିତି ଶ୍ରଦ୍ଧା ନେଇ ସେବା କରିପାରେ ନାହିଁ । ତା’ର ସମୟ ବଳିପଡ଼େ । କୌଣସି କାମରେ ମନ ଲାଗେ ନାହିଁ ।

 

ଦିଗମ୍ବରଙ୍କଠାରୁ ଚିଠି ଆସିଥିଲା । ସଦାନନ୍ଦ ଚିଠି ଦେଇଥିଲା । ଦୁଇଟି ଚିଠି ନିହାରବାଳା ଲୁଚାଇ ଲୁଚାଇ ପଢ଼ିଥିଲା । ଦୁହେଁ ପଚାରିଛନ୍ତି ସେହି ଗୋଟିଏ କଥା...ଦିଗମ୍ବର ପଚାରିଛନ୍ତି, ନିହାର ଆଉ ତାଙ୍କୁ ଭଲ ପାଉଛି କି ନାହିଁ । ସଦାନନ୍ଦ ପଚାରିଛନ୍ତି, ସେ ତାଙ୍କୁ ଭଲ ପାଇବ କି ନାହିଁ ।

 

ପ୍ରତ୍ୟେକ ବିବାହିତ ଲୋକ ଏକାପ୍ରକାରର କଥା କହନ୍ତି । ସେମାନେ ପ୍ରତ୍ୟେକ ନାରୀଙ୍କୁ ନିଜର ସ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି ।

 

ବହୁତ ଦେଖି ଆସିଛି । ଏଇ ବିବାହିତ ଲୋକଙ୍କର ମନର ଗତି ସବୁବେଳେ ଏକାପ୍ରକାରର । ସେମାନେ କହନ୍ତି ଯେ ତାଙ୍କର ସ୍ତ୍ରୀ ପାଖରେ ସେମାନେ ବଡ଼ ଦୁଃଖୀ । ନିହାରକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି—ସ୍ତ୍ରୀର ସମସ୍ତ ରୂପଗୁଣ ତୁଳନାରେ ନିହାରବାଳା ଗୋଟିଏ ଅପ୍‌ସରା ଗୋଟିଏ ଦେବୀ । ନିହାରକୁ ଦେଖିଲା ଦିନୁ ସେମାନଙ୍କର ମନ ସଂସାର ଉପରେ ପିତା ହୋଇଯାଇଛି ।

 

ସେମାନଙ୍କର ସଂସାର ଉଜାଡ଼ିବାକୁ ସେମାନେ ନିହାରକୁ ଡାକନ୍ତି.. ନିହାର ଯାଇ ସେମାନଙ୍କ ଘରେ ସେମାନଙ୍କୁ ଖୁସି କରି ଫେରିଆସିବ । ଏଇଟା ତ ନିହାରର କୌଣସି ପ୍ରକାରର କାମ ଭିତରେ ଗଣା ହେବା କଥା ନୁହେଁ । କିନ୍ତୁ ଏ ଦାବୀ ନିହାର ଉପରେ ଚାଲେ ।

 

ସେମାନଙ୍କର ସେହି ଗୋଟିଏ ଯୁକ୍ତି—ତମେ ଯେମିତି ତୁମର ସ୍ୱାମୀଙ୍କଠାରେ ଅସୁଖୀ, ଆମେ ସେମିତି ଅସୁଖୀ । ଆମର ହୋଇଛି ଗୋଟିଏ ପରିବାର...ଦୁଃଖୀଙ୍କର ପରିବାର ।

 

ନିହାରର ସମବେଦନା ପାଇବାକୁ ଲେଖା ହୋଇଥିବା ଚିଠି ଦେଖିଲେ ସେ ବିରକ୍ତ ହୋଇଯାଏ । ଏଇ ଦୁଃଖୀ ଲୋକଙ୍କ କଥା ଭାବିଲେ ସେ ନିଜକୁ ଅଧିକ ଦୁଃଖୀ ବୋଲି ଭାବେ । ସେମାନଙ୍କର ଏହି ଦୁରାଶା ନିହାରକୁ ବିବ୍ରତ କରେ । ଚିଠିକୁ ଚାହିଁ ନିହାର ଭାବେ—ଏମାନଙ୍କର ଚିଠିକୁ ଚିରି ଫୋପାଡ଼ି ଦେବ.. ଫୋପାଡ଼ି ନ ଦେଇ ପୁଣି ସେମିତି ଲଫାପାରେ ଭରତି କରି ଫେରାଇଦେବ ତାଙ୍କ ପାଖକୁ ଚିଠିର ଉତ୍ତର ।

 

ପୁଣି ମନ ଦବିଯାଏ । ଦୁଇଟି ଲୋକ ବୃଥାରେ ଶତ୍ରୁ ହେବେ । ନା, ତାଙ୍କର ଚିଠି ଦୁଇଟି ଥାଉ । ଦରକାରବେଳେ କାମରେ ଆସିବ । ଘୃଣା କରୁଥିବା ଚିଠି ଦୁଇଖଣ୍ଡ ଲୁଚାଇ ନିହାରବାଳା ସୁଟକେଶ୍‌ ଭିତରେ ରଖିଦିଏ । ସେମାନଙ୍କର ଶତ୍ରୁତାପାଇଁ ଏ ଦୁଇଟି ହତିଆର ପରି କାମ ଦେଖାଇବ ।

 

ସେମାନଙ୍କର ଚିଠି ପଢ଼ି ନିହାରବାଳା ନିଜର ଆଜି ଗୋଟିଏ ପରିଚୟ ପାଏ—ସତେ ଯେପରି ସେ ଅନ୍ୟର ଘର ଭାଙ୍ଗିବକୁ ଜନ୍ମ । ଅପରର ସ୍ତ୍ରୀମାନଙ୍କୁ ସ୍ୱାମୀପରିତ୍ୟକ୍ତା କରିବାକୁ ନିହାରବାଳା ସଂସାରକୁ ଆସିଛି ।

 

ସମସ୍ତେ ତ ବଳରାମଙ୍କ ପରି । ବଳରାମଙ୍କଠାରେ ଯେଉଁ ଦୋଷ ଦେଖି ନିହାରବାଳାର ମନ ତାଙ୍କଠାରୁ ଛାଡ଼ିଯାଇଥିଲା ସମସ୍ତଙ୍କଠାରେ ସେ ସେହି ଦୋଷ ଦେଖୁଛି । ଯେଉଁ କାରଣରୁ ସେ ସ୍ୱାମୀପରିତ୍ୟକ୍ତା, ସେହି କାରଣ ଅଳ୍ପବହୁତେ ବହୁତ ଜାଗାରେ ଦେଖିଥିଲା, ଆଉ ବି ଦେଖୁଛି ।

 

ଏଥିରେ ସେ ଆଉ ଭାଗ ନେବ ନାହିଁ । ବିବାହିତ ଲୋକଙ୍କଠାରୁ ସେ ଦୂରେଇ ରହିବ । ତାଙ୍କୁ ପଢ଼ାଉଥିବା ଡାକ୍ତର ଆଉ ନିଜର ସ୍ୱାମୀ ବଳରାମଙ୍କ ଭିତରେ ବେଶି ପ୍ରଭେଦ ନାହିଁ ।

 

ପୁରୁଷମାନେ ଦୁଇ ଶ୍ରେଣୀର—ବିବାହିତ ଓ ଅବିବାହିତ । ଅବିବାହିତ ପୁରୁଷ ଯେତିକି ଆଶଙ୍କା ଓ ଦ୍ୱିଧା ନେଇ ନିଜର ଭଲ ପାଇବା ଜଣାଏ, ବିବାହିତ ପୁରୁଷ ସେତିକି ସ୍ୱାଧୀନ ଓ ଭୟହୀନ ହୋଇ ନିଜର ମନକୁ ଖୋଲିଦିଏ । ବିବାହିତ ପୁରୁଷ ଭାରି ଶୀଘ୍ର ସ୍ତ୍ରୀମାନଙ୍କୁ କୁଳଟା ବୋଲି ଅପବାଦ ଦେଇପାରେ । କିନ୍ତୁ ଅବିବାହିତ ଲୋକ କୁଳଟାକୁ ମଧ୍ୟ ଆନନ୍ଦରେ ନିଜର ବୋଲି ସ୍ୱୀକାର କରିପାରେ ।

ପୁଣି ବିବାହିତ ପୁରୁଷଙ୍କ ମଧ୍ୟରେ ଯେଉଁମାନେ ସ୍ତ୍ରୀକୁ ଭଲ ପାଆନ୍ତି ଓ ଯେଉଁମାନେ ସ୍ତ୍ରୀକୁ ଭଲ ନ ପାଇ ଭଲ ପାଇବାର ଛଳନା କରନ୍ତି ଓ ଯେଉଁମାନେ ସ୍ତ୍ରୀକୁ ଭଲ ନ ପାଇ ସେଇ କଥା ପ୍ରକାଶ୍ୟରେ କହିହୁଅନ୍ତି, ସେମାନଙ୍କ ଭିତରେ ବି ବହୁତ ପ୍ରଭେଦ ।

ସ୍ତ୍ରୀକୁ ଭଲ ପାଉ ନ ଥିବା ଲୋକ କୌଣସି ନାରୀକୁ ଶ୍ରଦ୍ଧା କରେ ନାହିଁ । ସ୍ତ୍ରୀକୁ ଭଲ ପାଇବାର ଛଳନା କରୁଥିବା ଲୋକ ପ୍ରତ୍ୟେକ ସ୍ତ୍ରୀକୁ ଭଲ ପାଇବାକୁ ଚେଷ୍ଟା କରେ । ଆଉ ନିଜର ସ୍ତ୍ରୀକୁ ଭଲ ପାଉଥିବା ଲୋକ ପ୍ରତ୍ୟେକ ନାରୀକୁ ଶ୍ରଦ୍ଧା କରେ ।

ଜଣେ ବିବାହିତା ନାରୀ ଭାବରେ ନିହାରବାଳା ମନ ଭିତରେ ସବୁପ୍ରକାରର ଲୋକଙ୍କୁ ପରୀକ୍ଷା କରିଛି । ନିଜର ତିକ୍ତ ଅନୁଭବରୁ ସେ ବୁଝିଛି ଯେ ଏଇ ସଞ୍ଜୟପରି ଅବିବାହିତ ଲୋକେ ଭଲ ପାଇ ଜାଣନ୍ତି । ନିଃସ୍ୱାର୍ଥପର ଭଲ ପାଇବା.... ପ୍ରକୃତ ରୂପର ଆରାଧନା । ସେହିମାନେ କେବଳ ପ୍ରୀତିର ଅର୍ଘ୍ୟ ଦେଇପାରନ୍ତି ।

ଅନ୍ୟକୁ ଭଲ ପାଇବାର ଚେଷ୍ଟା ଯଦି ସବୁ ବିଷୟରେ ନିନ୍ଦନୀୟ ହୋଇଥାଏ, ତଥାପି ସଞ୍ଜୟପରି ଲୋକଙ୍କର ଭଲ ପାଇବାର କିଛି ମୂଲ୍ୟ ଅଛି । ସେମାନେ କବି ବା କଳାକାର ନ ହୋଇଥିଲେ ବି ଠିକ୍‌ ତାଙ୍କରି ପରି ପ୍ରତିଦାନରେ ଆଶା ନ ରଖି ତନ୍ମୟ ହୋଇପାରନ୍ତି । ରୂପ, ଗୁଣ ଓ ଚରିତ୍ରର ଦୋଷତ୍ରୁଟି ନ ଦେଖି ସେମାନେ ଭଲ ପାଇପାରନ୍ତି ।

ସଞ୍ଜୟର ଆଉ ଦେଖା ମିଳିନାହିଁ । ସଞ୍ଜୟଠାରୁ ଚିଠି ଆସିନାହିଁ । ଅଚିହ୍ନା ଅକ୍ଷର ଦେଖିଲେ ନିହାରବାଳା ଉଦବେଗରେ ଚିଠିଟିକୁ ନେଇ ଖୋଲେ...କାଳେ ସଞ୍ଜୟ ଲେଖିଥିବ ପରା-। ସଞ୍ଜୟଠାରୁ ଖଣ୍ଡେ ଚିଠି ପାଇଲେ ସେ ନିଜକୁ ବଡ଼ ସୁଖୀ ମନେ କରିବ । ସେହି ଏକା ନିହାରଠାରୁ କୌଣସି ନିର୍ଦ୍ଦିଷ୍ଟ ଆଶା ନ ରଖି ନିହାର ପାଖରେ ତା’ର ହୃଦୟ ନିବେଦନ କରିଥିଲା-। ...କେହି କାହାରିକୁ କହି ନାହାନ୍ତି । ସଞ୍ଜୟ ହୁଏତ ଜାଣିବ ନାହିଁ ନିହାର ବୁଝିଛି ବୋଲି । ସେ ହୁଏତ ଜାଣେ ନାହିଁ, ନିହାର ସଞ୍ଜୟର ଖଣ୍ଡେ ଚିଠିକୁ ପ୍ରତିଦିନ ଚାହିଁ ବସିଛି ବୋଲି ।

କିନ୍ତୁ ନିହାରବାଳାର ମୁଣ୍ଡ ଉପରେ ଅଜାଡ଼ି ହୋଇପଡ଼ିଛନ୍ତି ସମସ୍ତେ—ଏକା ସଞ୍ଜୟକୁ ଛାଡ଼ି । ସେମାନଙ୍କର ଅତ୍ୟାଚାର ଦେଖି ନିହାରବାଳା ସଂଜୟକୁ ଦୂରକୁ ଠେଲିଦିଏ ମନ ଭିତରେ–ଏଇ ଖରାପ ଲୋକଙ୍କ ମେଳରେ ସଞ୍ଜୟ କାହିଁକି ପଶିବ ।

ସମସ୍ତେ ଯେପରି ଧରିବାନ୍ଧି ନିହାରକୁ ଟାଣୁଛନ୍ତି ପୁଣି ଥରେ କଳଙ୍କର ବାଟକୁ । ଯେ ତା’ର ଚିହ୍ନା ରାସ୍ତାରୁ ବାହାରକୁ ଚାଲିଆସେ, ସେ ତ ବାଟବଣା ହୁଏ । ବାଟ ଖୋଜେ । ନିହାରବାଳା ଏଇ ଅସୁବିଧା ଭିତରେ ଯେତେ ଲୋକଙ୍କ ପାଖକୁ ଯାଇଛି, ସମସ୍ତେ ତାକୁ ବାଟ ନ ଦେଖାଇ ପଢ଼ାଉଥିବା ଡାକ୍ତରଙ୍କ ପୁରସ୍କାର ପରି ଟିକିଏ ଟିକିଏ ପୁରସ୍କାର ଦେଇ ଯାଇଛନ୍ତି, ଆଉ ଚାହୁଁଛନ୍ତି ସେତିକି ସବୁ ଦିନକୁ ।

 

ସହଜ ସରଳ ହୋଇ ରହିବା ଯଦି ଅସମ୍ଭବ ହୁଏ, ତାହାହେଲେ ଅବା ନିହାର କିଛି ଗୋଟାଏ ବାଟ ବାଛି ଦିଅନ୍ତା । କିନ୍ତୁ ସମ୍ଭବ ମନେ ହେଉଥିବା ଲକ୍ଷ୍ୟ ଭିତରେ ସେ ପୁଣି କାହିଁକି ବିନା କାରଣରେ ବାରମ୍ବାର ଅନ୍ୟ ଲୋକଙ୍କ ପାଖରେ ଅବଜ୍ଞାର ପାତ୍ର ହେବ ।

 

ଚୁପ୍‌ ଚୁପ୍‌ କରି ଗୀତା କହିଥିଲା—ଚିଡ଼ିବ ନାହିଁ ନିହାର । ସାର୍‌ ତୁମ କଥା ପଚାରୁଥିଲେ । ଆଜିଯାଏ ତମେ ତାଙ୍କ ଘରକୁ ଯାଇନାହଁ କାହିଁକି ?

 

—ସେଠି କ’ଣ କାମ ଅଛି ମୋର ?

 

—ସେ ପରୀକ୍ଷାରେ ଫେଲ କରିଦେବେ । ତୁମେ କ’ଣ ଜାଣିନାହିଁ ତାଙ୍କୁ ?

 

—ତେବେ ଫେରିଯିବି ମୋ ଘରକୁ ।

 

—ସେମିତି କୁହନା । ସେ ଭାରି ଭଲ ଲୋକ, ଭାରି ଉଦାସ ଲୋକ ।

 

—ତାହାହେଲେ ଫେଲ କରେଇ ଦେବେ କାହିଁକି ?

 

—ତାଙ୍କ ହାତରେ ସବୁ । ସେ ତୁମକୁ ଯିବାକୁ କହିଛନ୍ତି ।

 

—ହଉ, ତାଙ୍କୁ କହିଦବ, ନିହାର ଯିବ ନାହିଁ ।

 

ତିନି ଦିନ ପରେ ହଠାତ୍‌ ଦିନେ ଡାକ୍ତରଖାନା ଭିତରେ କ’ଣ ଟିକିଏ ଭୁଲପାଇଁ ଡାକ୍ତର ଏକବେଳକେ ରାଗି ଉଠିଲେ... ପାଖରେ ଡାକ୍ତରଖାନାର ତଳିଆ କର୍ମଚାରୀ, ଡାକ୍ତର-ଛାତ୍ର, ଆଉ ତା’ରି ପରି ନର୍ସମାନେ ।

 

ରୋଗୀର ହେଳା ହୋଇଛି । ଏଇ ନିହାରର ହେଳାରେ ରୋଗୀ ମରିବେ । ଡାକ୍ତରୀବିଦ୍ୟା ଓ ଡାକ୍ତରଖାନାର ନିନ୍ଦା ହେବ ।

 

ଅଶ୍ରାବ୍ୟ ଭର୍ତ୍ସନାର ଗର୍ଜନ ଓ୍ୱାର୍ଡ଼ର ରୋଗୀମାନଙ୍କୁ ଚମକାଇ ଦେଇଥିଲା । ଡାକ୍ତର ପ୍ରମାଣ କରିଥିଲେ ଯେ ଏଇ ନର୍ସ ନିହାରବାଳା ସବୁବେଳେ ଅନ୍ୟମନସ୍କ । ଡାକ୍ତରଖାନା ହତାରୁ ସେ ବାହାରିଯିବା ଦରକାର ।

 

ନିଜର ଦୋଷ ଯୋଗୁଁ ନୁହେଁ । ନିହାରବାଳା ଜୀବନରେ କାହାରିଠାରୁ ଏପରି କଟୁ କଥାର ଜୁଆର ଦେଖି ନ ଥିଲା । ସବୁ ଭୁଲ ଯେପରି ନିହାରବାଳାର ! ତା’ର ସେହି ଆଖି ଦୁଇଟିରୁ ପାଣି ଗଡ଼ିପଡ଼ିଥିଲା କଥାର ଆଘାତରେ । ସମସ୍ତଙ୍କ ପାଖରେ ସେ ନ୍ୟୂନ । ସମସ୍ତଙ୍କଠାରୁ ସେ ଅଧମ । ...ଘରୁ ଆସିଛି କଳଙ୍କ-ପସରା ମୁଣ୍ଡରେ ଥୋଇ । ପୁଣି ସେ ଫେରିବି ଆଉରି ଗୁଡ଼ିଏ କଳଙ୍କ ନେଇ ।

 

ଘରକୁ ଚାଲିଯିବ ବୋଲି ଗୀତାକୁ କହିଥିଲା । ଫେରିବା ବାଟ ଆସି ଦେଖାଗଲାଣି । ଭାବିଲାବେଳେ ନିହାରବାଳାର ମନ ଥରି ଉଠିଥିଲା । ତା’ର ମନ ତାକୁ କହିଥିଲା...ଫେରିବାର ବାଟ ନାହିଁ ।

 

ଡାକ୍ତରଖାନାର ପ୍ରତ୍ୟେକ ପରିଚିତ ଲୋକକୁ ସେ ଦିନ ସେ ଆଶ୍ୱାସପାଇଁ ଚାହିଁଛି । କାହାରିଠାରୁ ସମବେଦନା ପାଇନାହିଁ । ସେ ଏକାବେଳକେ ନିରାଶ୍ରୟ । ତା’ର ଦୋଷ ହେଉଛି ଯେ ସେ ନିଜକୁ ନାରୀତ୍ୱର ମୂଲ୍ୟବୋଧ ଦେବାକୁ ଚାହୁଁଥିଲା । ସେତିକି ହେଉଛି ତା’ର ଅବାଧ୍ୟତା ।

 

ସେଇ ପ୍ରକାରର ଅସୁନ୍ଦର ପରିସ୍ଥିତି ଭିତରେ ନିହାରବାଳାକୁ ବହୁତ ସମୟ ରହିବାକୁ ହୋଇଥିଲା । ଡାକ୍ତରଙ୍କ ଆଖି ତାକୁ ବାରମ୍ବାର କହିଥିଲା...ତା’ର ସ୍ୱାଧୀନ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରୋଗୀଙ୍କୁ ଖାଲି ଭଲ ପାଇଲେ କି ରୋଗୀଙ୍କର ସେବା କରିବାକୁ ରାଜି ହେଲେ କେହି ନର୍ସ ହୋଇପାରେ ନାହିଁ । ସେ ଡାକ୍ତରଙ୍କୁ ଭଲ ପାଇବାକୁ ବାଧ୍ୟ ।

 

ମନ ଖୋଲି କହିବାର ଅଧିକାର ତା’ର ନାହିଁ । ମନର ଦୃଢ଼ତା ଭାଙ୍ଗିଯାଇଛି । ନିହାରବାଳା ଫେରିଆସିଥିଲା ହଷ୍ଟେଲକୁ । ସମସ୍ତଙ୍କ ମୁହଁରେ ସେଇ ଏକା କଥା—ନିହାରବାଳାର ଅପମାନ ।

 

ଖରାବେଳେ ସେ ବହୁତ ଥର ନିଜର ଏଇ ସମସ୍ୟା କଥା ଭାବିଛି । ସ୍ୱାଧୀନ ନାରୀ କେବେ ସ୍ୱାଧୀନ ହୋଇପାରେନା । ତା’ର ରୂପଯୌବନ କେବେହେଲେ ତା’ର ଇଚ୍ଛାର ଅଧୀନ ହୋଇପାରେନା । ତା’ ପକ୍ଷରେ ଦୃଢ଼ତା ଦେଖାଇବା ବିଡ଼ମ୍ବନା...

 

ସଞ୍ଜୟ, ଦିଗମ୍ବର ଓ ସଦାନନ୍ଦଙ୍କ ପରି ଲୋକେ ଏହିପରି ଦୁଃଖ ଦେଇପାରିବେ ନାହିଁ । ସେ ବାରମ୍ବାର ଡାକ୍ତରଙ୍କ କଥା ଭାବିଥିଲା । —କ୍ଷମତା ଯେତିକି ବେଶି ନିଜର ଅବିବେକିତା ତହିଁରୁ ଅଧିକ । ...ସେ ଖୋଜୁଛନ୍ତି ନିହାରବାଳକୁ । ନିହାର ଯାଇନାହିଁ ବୋଲି ଏଇସବୁ ଝଡ଼ ତୋଫାନ ।

 

ସେ ଦିନ ନିହାର ଆଖିରେ ବଳରାମ ଯଥେଷ୍ଟ ବଡ଼ ମଣିଷ ରୂପରେ ଦେଖା ଦେଇଥିଲେ । ସେ ବହୁତ ପ୍ରକାରର ଅତ୍ୟାଚାର କରିଛନ୍ତି । କିନ୍ତୁ ଏଇ ଡାକ୍ତରଙ୍କ ପରି ସେ ହୃଦୟହୀନ ନୁହନ୍ତି । ସେ ନିଜେ ଚରିତ୍ରହୀନ ହୋଇଥିଲେ, କିନ୍ତୁ ନିହାରକୁ ଚରିତ୍ରହୀନା କରି ନଥିଲେ ।

 

ଡାକ୍ତରଖାନାରେ ନିହାରକୁ ରହିବାକୁ ହେଲେ ଡାକ୍ତରଙ୍କ ମନ ନେଇ ରହିବାକୁ ହେବ । ସ୍ୱାଧୀନ ଜୀବନରେ ବି ପରାଧୀନତା ଅଛି ।

 

ଅତୀତର ସମସ୍ତ କଳଙ୍କ-ଘେରା ଘଟଣା, ନିଜର ଖିଆଲର ସମସ୍ତ ଆତ୍ମ-ପ୍ରକାଶ ନିହାରର ମନ ଭିତରେ ସ୍ତର ସ୍ତର ହୋଇ ଦେଖା ଦେଇଥିଲା । ସେ ତ ପ୍ରକୃତରେ ସତ୍‌ଚରିତ୍ର ନୁହେଁ । ସେ ତ ବହୁତ ଲୋକଙ୍କୁ ଭଲ ପାଇଛି । ଦିଗମ୍ବରଙ୍କ ପାଖରେ ରହିଛି...ଏବେ ଡାକ୍ତର...

 

ନା, ସେ ପୁଣି ଫେରିଯିବ ସେହି ପରିଚିତ ଜଗତକୁ । ସମସ୍ତେ ନିହାରକୁ ଭଲ ପାଇଥିଲେ । ନିହାରବାଳାର ଉତ୍ସାହ ସମସ୍ତଙ୍କୁ ଖୁସି କରିଥିଲା ।

 

ଗୀତା ଓ ଆଶା ନିହାରକୁ ଅଧିକ ତାଚ୍ଛଲ୍ୟ ଦେଖାଇଥିଲେ । ସେ ସମସ୍ତଙ୍କଠାରୁ ତଳେ–କାରଣ ଡାକ୍ତର ଭଲ ପାଆନ୍ତି ନାହିଁ ।

 

ତେବେ ଡାକ୍ତର କାହିଁକି ଭଲ ନ ପାଇବେ ? ଅନ୍ୟମାନଙ୍କଠାରୁ ଅଲଗା ହେବାକୁ ଯାଇ ସେ କାହିଁକି ସମସ୍ତଙ୍କଠାରୁ ନ୍ୟୂନ ହେବ ?

 

ସେତେବେଳର ଭାବନାଗୁଡ଼ିକ ନିହାରବାଳାକୁ ଗୋଟିଏ ନୂଆ ଦୃଷ୍ଟିକୋଣ ଦେଇଥିଲା...ତା’ର ରୂପଯୌବନର ଓ ଅଭିଜ୍ଞତାର ଗୋଟିଏ ବ୍ୟବହାରିକ ବିନିଯୋଗ ।

 

ଭାବିଲାବେଳେ ନିହାରବାଳା ମନେ କରିଥିଲା ସେ ବିରକ୍ତ ହେବ ନିଜ ଉପରେ । ଧିକ୍‌କାର ଦେବ ନିଜକୁ...କିନ୍ତୁ ଗୋଟାଏ ଆଡ଼େ ଭବିଷ୍ୟତ୍‌ର ସ୍ୱପ୍ନ । ଛୋଟିଆ ଭବିଷ୍ୟତ୍‌ ହେଲେ ବି ତା’ର ଗୋଟିଏ ପରିପୂର୍ଣ୍ଣ ଚିତ୍ର । ଆଉ ଗୋଟାଏ ଆଡ଼େ ଅତୀତ...ନିଜର ଖିଆଲ, ଉତ୍ସାହ ଓ ଅନଭିଜ୍ଞତାର ଚିତ୍ର ।

 

ମନକୁ ମନ ସେ ପଚାରିଥିଲା—ଏଥିରେ କ’ଣ କିଛି ପ୍ରଭେଦ ଅଛି ? ଗୋଟାଏ ପ୍ରକାରର ମନ ନେଇ ଜଣକ ସାଙ୍ଗରେ ହସକୌତୁକ କଲେ, ଆଉ ଗୋଟାଏ ପ୍ରକାର ମନ ନେଇ ବାଧ୍ୟବାଧକତାରେ ଆଉ ଜଣକ ପାଖକୁ ଆସିଲେ, ସେଇ ଏକା ମଣିଷର ଦୁଇଟି କାମରେ କ’ଣ ଆକାଶପାତାଳ ପ୍ରଭେଦ ?

 

ସମସ୍ତେ କହନ୍ତି ଯେ ଇଚ୍ଛା ବିରୁଦ୍ଧରେ କିଛି କରିବା ସବୁଠାରୁ ବଳି ଅଧମ କାର୍ଯ୍ୟ । କିନ୍ତୁ ଇଚ୍ଛାକୁ ଗଢ଼ିବାରେ ମଣିଷ ତ କିଛି କରିପାରେ ନାହିଁ । ଯେତେବେଳେ ଯାହା ମନକୁ ଆସେ, ଯାହା ସେ ଭଲ ବୋଲି ଭାବେ ସେୟାକୁ ମଣିଷ କହେ ଇଚ୍ଛା—କିଛି ଅନୁଭବର ଅଭାବରୁ, କିଛି ଜ୍ଞାନର ଅପରିପକ୍ୱତାରୁ, ଆଉ କିଛି ପିଲାଦିନର ଦେଖାଚାହାଁ ସଂସାରର ଶିକ୍ଷାରୁ ।

 

ଯାହା ସେ ଜାଣିଥିଲା କି ବୁଝିଥିଲା, ସେଥିରେ ଅବଶ୍ୟ ସେ କାହାରି ପାଖରେ ବାଧ୍ୟବାଧକତାରେ ହସଖୁସି ହେବାକୁ ଚାହିଁ ନ ଥିଲା । ଆଜି ତା’ ଆଖିରେ ଗୋଟିଏ ସମସ୍ୟା । ସେ କ’ଣ ବାଧ୍ୟବାଧକତାରେ ନିଜର ରୁଚି ପରିବର୍ତ୍ତନ ନ କରି ସବୁବେଳକୁ ସେହି ପୁରୁଣା କଥାକୁ ବଡ଼ ବୋଲି ଧରି ରଖିବ ।

 

ସେହି ନର୍ସ ହଷ୍ଟେଲର କୋଠାବାଡ଼ି ତାକୁ ଅନେକ ନୂଆ କଥା ଦେଖାଇଥିଲା । ଇଚ୍ଛା କରି ଲୋକେ ଏଠାକୁ ଆସି ଇଚ୍ଛା ବିରୁଦ୍ଧରେ ଅନେକ କାମ କରିଛନ୍ତି । ଇଚ୍ଛା ବିରୁଦ୍ଧରେ ଏଠାକୁ ଆସି ଇଚ୍ଛା କରି ସେମିତି ବହୁତ କାମ କରିପାଇଛନ୍ତି । ତାକୁ କିଏ କହିଛି କଳଙ୍କ, କିଏ କହିଛି ନିଜର ଚରିତ୍ର ଓ ସ୍ୱଭାବର ଦୋଷ ।

 

ଜଣାଶୁଣା ଭଲ ଲୋକଙ୍କ ସମାଜରୁ ବାହାରିଆସି ସେ ଆଜି ବି ତା’ର ନୂଆ ସମାଜରୁ ବାଛନ୍ଦ ହେବାକୁ ଯାଉଛି...ନା, ନା, ସେ ଅଲଗା ହୋଇଯିବ ନାହିଁ । ସେ ଆଉ ପାଞ୍ଚ ଜଣ ନର୍ସଙ୍କ ପରି ଜଣେ ହେବ । ଉପରଓଳି ଯେତିକି ପରିପାଟୀ କରିବା ସମ୍ଭବ, ସେ ସବୁ କରି ଭାରି ଖୁସି ଥିଲାପରି ଡାକ୍ତରଖାନାକୁ ଆସିଥିଲା...ଡାକ୍ତରଙ୍କୁ ଅପେକ୍ଷା କରିବାକୁ । ଓ୍ୱାର୍ଡ଼ରୁ ଛୁଟି ନେଇଥିଲା । ଆଜି ସେ ଡାକ୍ତରଙ୍କୁ ଭଲ ପାଇବାକୁ ଚେଷ୍ଟା କରିବ । ତାଙ୍କର ମନ ଓ ଦେହ ବିକାରଗ୍ରସ୍ତ...ହଁ ସେ ରୋଗୀ ।

 

ଡାକ୍ତର ରୋଗୀ ଦେଖିବାକୁ ଆସିବାବେଳେ ନିହାରବାଳା ତାଙ୍କୁ ପ୍ରଣାମ ଜଣାଇ ହସି ପଚାରିଲା—ସାର୍‌, ମୋ’ ଆଖିଟା ଭାରି ଖରାପ ହୋଇ ମୁଣ୍ଡ ବିନ୍ଧୁଛି ।

 

ଇଏ ତ ଗୋଟିଏ ନୂଆ ନିହାରବାଳା । ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରେ କମନୀୟତା । ପୁରୁଷର ଆଖିକୁ ନିଜ ଆଡ଼କୁ ଟାଣି ଆଣିବାକୁ ଅଶେଷ କ୍ଷମତା । କଥାରେ ତା’ର ମୂର୍ଚ୍ଛନା—ସେ ଯେପରି କହୁଛି, ତା’ର ଅଧିକାର ଅଛି, ଦାବି ଅଛି ଓ ସେ ବିନୟର ସହିତ ଅନୁମତି ମାଗୁଛି ।

ଡାକ୍ତରଙ୍କର ସେହି ସ୍ୱଚ୍ଛ ଆଖି ଦୁଇଟି ହସି ଉଠିଲା । ମନ ଭିତରେ ଅନୁତାପ ନାହିଁ । ନିହାରବାଳା ସାଧାରଣ ଭଦ୍ର ବ୍ୟବହାରର ମର୍ଯ୍ୟାଦା ବୁଝେ ନାହିଁ । ଧମକ, ଚମକ, ଶାସ୍ତି, ଭୟ ଠିକ୍‌ ବୁଝିପାରେ...ନିହାର ମୁହଁକୁ ଚାହିଁ ହସି କହିଲେ—ଏଠି ସୁବିଧା ହେବ ନାହିଁ । ଘରକୁ ଆସିବ-। ଛ’ଟା ସାତଟା ମଧ୍ୟରେ ଆଖି ଦେଖାଇବ ।

ସେମିତି ସ୍ନିଗ୍ଧ ହସ ହସି କିଛି ନ ଜାଣିଲା ପରି ନିହାରବାଳା ପଚାରିଲା—ଟିକିଏ ମଟର ପଠାଇବେ ?

—ନା, ରିକ୍‌ସା କରି ଆସିବ ।

ନିହାରବାଳା ତାଙ୍କୁ ନମସ୍କାର କରି ଫେରିଲା । ତା’ର ସେହି ଫେରିବା ରୂପକୁ ଡାକ୍ତରଙ୍କ ଲୋଭ-ସିକ୍ତ ଆଖି ଅନୁସରଣ କରିଥିଲା । ସେ ନିଜକୁ ନିଜେ କହିଥିଲେ—ନିହାରବାଳା ସମସ୍ତଙ୍କଠାରୁ ଅଲଗା ଆଉ ସୁନ୍ଦର ।

ତାଙ୍କର ବି ମନରେ ଆଲୋଡ଼ନ ଆସିଛି । ତରୁଣ ପ୍ରେମିକ ପରି ସେ ବି ନିହାରବାଳାକୁ ଅପେକ୍ଷା କରୁଥିଲେ ଘର ଭିତରେ ବସି । ଆଜି ଗୋଟିଏ ଭଲ ଦିନ...ସେ ବି ଅପେକ୍ଷା କରିପାରନ୍ତି-

ବାରମ୍ବାର ରାସ୍ତାକୁ ଚାହିଁଥିଲେ । ସମୟଟା ବିଳମ୍ବ କରିଦେଇଥିବାରୁ ସେ ନିଜେ ଦୁଃଖିତ ହେଉଥିଲେ । ନିହାରବାଳାର ରିକ୍‌ସାଟିକୁ ଅଧୀର ହୋଇ ଅପେକ୍ଷା କରୁଥିଲେ ।

ଅଭିମାନଭରା ଚାହାଣୀରେ ଡାକ୍ତରଙ୍କ ମୁହଁକୁ ଆଲୋକିତ କରି ନିହାରବାଳା ଘର ଭିତରକୁ ପଶି ଆସିଲା । ଭଡ଼ା ଦେବାକୁ ଡାକ୍ତର ବ୍ୟସ୍ତ ହୋଇପଡ଼ିଲେ—ସେ ନିଜେ ବାହାରକୁ ଯାଇ ଦେବା ଠିକ୍‌ ହେବ କି ନାହିଁ, ସେତିକି ତାଙ୍କର ମନରେ ସନ୍ଦେହ । କିନ୍ତୁ ନିହାରବାଳା ନିରୁତ୍ତର...ଆସିଛି ତ । ଯାହା ସେ ଯେମିତି ଚାହୁଁଛନ୍ତି କରନ୍ତୁ । କିନ୍ତୁ ରିକ୍‌ସାବାଲାକୁ ଭଡ଼ା ଛିଣ୍ଡାଇ ଦେଇଥାଏ ।

ଡାକ୍ତରଖାନାରୁ ଡାକ୍ତରଙ୍କ ଘରକୁ ଆସିଲାବେଳେ ସେ ବଡ଼ ସଙ୍କୁଚିତ ହୋଇ ରିକ୍‌ସାବାଲା ବିଷୟରେ ଭାବିଥିଲା । ଯାହାକୁ ଟିକିଏ ଭଲ ପାଇ ପ୍ରେମ କରିବେ ବୋଲି ଡାକି ଆଣିଛନ୍ତି ତା’ର ଗୌରବ ପ୍ରତି ଟିକିଏ ବି ବିଚାର ନାହିଁ । ଡାକ୍ତରଖାନାର ରିକ୍‌ସାବାଲାମାନେ ଏହି ଡାକ୍ତରଙ୍କୁ ଭଲ କରି ଚିହ୍ନନ୍ତି । ଏହି ରିକ୍‌ସା ବି ଡାକ୍ତରଙ୍କ ଘରୁ ନର୍ସ ହଷ୍ଟେଲକୁ ଲୋକ ନବା ଆଣିବା କରିଛି । ଡାକ୍ତରଙ୍କ ଠିକଣା ଶୁଣି ରିକ୍‌ସାବାଲା ବି ହସି କହିଥିଲା—ଭଲ କରି ଭଡ଼ା ଦେବେ ।

ଅତୀତ ସାଙ୍ଗରେ ଏଇ ଜୀବନ କେତେ ଅଲଗା । ଏଠି ତ ଗୋପନ ଭାବ ନାହିଁ, ଅନ୍ୟର ମନକୁ ଜୟ କରିବାର ଇଚ୍ଛା ନାହିଁ, ଅନ୍ୟର ଗୌରବକୁ ବଢ଼ାଇବା ମନ ନାହିଁ । ଲଜ୍ଜିତ ହୋଇ ନିହାରବାଳା ରିକ୍‌ସା ଉପରେ ନିଜ ଆଡ଼କୁ ଚାହିଁ ଦୁଃଖିତ ହୋଇଥିଲା—ଏଇ ରୂପ, ଯୌବନ ଓ ବୁଦ୍ଧି ହେଉଛନ୍ତି ତା’ର ଶତ୍ରୁ ।

ଡାକ୍ତର ବିବ୍ରତ ହୋଇପଡ଼ିଲେ । ତାଙ୍କର ବି ମର୍ଯ୍ୟାଦା ଅଛି । ନିହାରବାଳା ଦେଖୁଥାଏ ସେହି ମୁହଁଟିକୁ । ସେଠି ଉଦାରତା ନାହିଁ, କିନ୍ତୁ ଗୌରବ-ବୋଧ ଅଛି । ଭାବିଥିଲା କହିବ ବୋଲି–ରିକ୍‌ସାବାଲାକୁ ଭଡ଼ା ଦେଇଛି । କିଛି କହିଲା ନାହିଁ ।

ସେ ପଦାକୁ ଆସି ଚାହିଁଲେ । ତାଙ୍କର ଚାହାଣୀ ଅତି ଚକିତ । ମନ ଅତ୍ୟନ୍ତ ବିଚଳିତ । ବାହାରେ କାହାକୁ ନ ଦେଖି ଫେରିଆସି ପଚାରିଲେ—ସେ ଗଲା କୁଆଡ଼େ ?

 

—ଚାଲିଗଲାଣି । ପଇସା ନେଇଛି ।

 

ସେଇ ଉଦାସ ଆଖି ଦୁଇଟିକୁ ଚାହିଁ ନିଜର ବାହୁ ବନ୍ଧନ ଭିତରେ ନିହାରାବାଳାକୁ ଧରି ରଖି ଆବେଗଭରା କଣ୍ଠରେ ପଚାରିଲେ—କାହିଁକି ମୋତେ ଏମିତି କଷ୍ଟ ଦେଉଛୁ ନିହାରବାଳା ।

 

ପ୍ରତିବାଦ ନାହିଁ, ଉତ୍ତର ନାହିଁ...ସେ ଚାହିଁଥିଲେ ଗୋଟିଏ ଜଡ଼ ପଦାର୍ଥ । ଆସିଛି, ନିଅନ୍ତୁ-

 

—ନା, ଏମିତି ନୁହେଁ । ତୁମେ କଥା କହୁନାହଁ କାହିଁକି ? କୁହ ନିହାର କୁହ ।

 

ଡାକ୍ତରଙ୍କୁ ଯେତେ ଘୃଣା କଲେ ବି ତାଙ୍କର ସେହି ଉଷ୍ଣ ନିଶ୍ୱାସ ଆଉ ବୁକୁଭରା ଉଚ୍ଛ୍ୱାସମିଶା କଥାଗୁଡ଼ିକ ନିହାରବାଳାକୁ ଯେପରି ଅନୁନୟ କରୁଥିଲା କଥା କହିବାକୁ...କି କଥା କହିବ ? କଥା ତ ନାହିଁ ।

 

ନିହାରାବାଳାର ଶୀତଳ ଉଦାସ ମନକୁ ଛନ୍ଦମୟ କରିବାକୁ ଡାକ୍ତର ତାକୁ ଆଣି ତାଙ୍କର ସମସ୍ତ ଅଭିଜ୍ଞତା ଓ ବୁଦ୍ଧିରେ ଚଞ୍ଚଳ କରିବାକୁ ଚାହିଁଥିଲେ । କିନ୍ତୁ ନିହାରବାଳାର ତରୁଣୀ ଦେହ ଉତ୍ତର ଦେଇ ନ ଥିଲା । ତା’ର ମନ ତାକୁ କହୁଥିଲା—ଏଇ ଡାକ୍ତର ଜୀବନ୍ତ ନିହାରବାଳାକୁ ଖୋଜନ୍ତି ନାହିଁ । ସେ ଚାହାନ୍ତି ନିହାରର ଜଡ଼ ଦେହ । ...ସନ୍ତୁଷ୍ଟ ହେଉନାହାନ୍ତି କାହିଁକି ?

 

ଏଡ଼େ ପ୍ରତାପୀ ଲୋକର ଏତେ ଶିଶୁସୁଲଭ ଅନୁନୟ ! ନିହାରବାଳାଠାରୁ ସ୍ନେହ ପାଇବାପାଇଁ ବାରମ୍ବାର ସେଇ କଥା ସେ ଶୁଣିଛି । ସେ ସେତେବେଳେ ଡାକ୍ତରଙ୍କ ଘର ବିଷୟରେ ଅଚେତନ । ସେଠି କିଏ ଅଛନ୍ତି କି ନାହାନ୍ତି, ଡାକ୍ତରଙ୍କ ବ୍ୟବହାର ଗୋପନ କି ନୁହେଁ—ଏତକ ଭାବିବାର ପ୍ରବୃତ୍ତ ଆଉ ନିହାରବାଳାର ନ ଥିଲା ।

 

ରିକ୍‌ସାବାଲାର ଆଖି ଆଗରେ ନିଜର ଦେହରେ ନିଜେ କଳା ବୋଳି ନିହାରବାଳା ଆସିଛି । ରାସ୍ତାରେ ଶହ ଶହ ଦେଖଣାହାରୀ—ଚିହ୍ନନ୍ତୁ କି ନ ଚିହ୍ନନ୍ତୁ, ନିହାରବାଳାକୁ ଚାହିଁଛନ୍ତି । ସେ ଆସିଛି ଜୀବନର ଗୋଟିଏ ତୀର୍ଥକୁ—ବଞ୍ଚିବାର ଧର୍ମ-ତୀର୍ଥ ।

 

ଡାକ୍ତରଙ୍କ କଥା ସେତିକି ତାକୁ ଶୁଭୁଥାଏ । ଜଣାଶୁଣା ଅଦରକାରୀ ଶବ୍ଦପରି ସେ ନିଜେ ଅନୁତପ୍ତ ହୋଇ ବାରମ୍ବାର ନିହାରକୁ କ୍ଷମା ମାଗୁଥାନ୍ତି ହାତ ଧରି ଓ ପାଦ ଧରି । ତାଙ୍କର ରକ୍ତଚାପ ଥିବାରୁ ହଠାତ୍ ସେ ରାଗିଯାନ୍ତି ସାମାନ୍ୟ ଭୁଲରେ ।

 

ନିହାରବାଳା ଅଶ୍ରୁସିକ୍ତ ଆଖିରେ ତାଙ୍କରି ମୁହଁକୁ ଚାହିଁଲା । ସେ ତାଙ୍କୁ ଉତ୍ତର ଦେଇପାରି ନ ଥିଲା । ତାଙ୍କର ଅପବ୍ୟବହାରର ପ୍ରତିବାଦ ଜଣାଇ ପାରି ନ ଥିଲା । ତାଙ୍କର ଅଭିସନ୍ଧି ସେ ପ୍ରତିରୋଧ କରିପାରି ନ ଥିଲା । ସେ ସମସ୍ତର ଗୋଟିଏ ରେଖା—ଅଶ୍ରୁର ରେଖା ।

 

କାହିଁ ସେ ବିଭତ୍ସ ମଣିଷ ! ଯେଉଁ ଡାକ୍ତର ମଣିଷକୁ ମଣିଷ ପରି ବ୍ୟବହାର କରନ୍ତି ନାହିଁ, ସେହି ଡାକ୍ତରଙ୍କର ଯେ ଗୋଟାଏ କମନୀୟ ଚିତ୍ର ଥାଇପାରେ, ସେ କଥା ଡାକ୍ତର ବି ଜାଣି ନ ଥିଲେ । ତାଙ୍କର ଆଉ ସେ ପ୍ରବୃତ୍ତ ନାହିଁ । ନିରୁତ୍ତର ଓ ଦୁର୍ବଳ ନିହାରବାଳାକୁ ସେ ଭଲ ପାଉଛନ୍ତି । ନିହାର ମନରେ ଦେଇଥିବା ଆଘାତପାଇଁ ନିଜକୁ ଦୋଷୀ କରୁଛନ୍ତି । ତାଙ୍କ ବ୍ୟବହାରରେ ସେ ଯେପରି ବାରମ୍ବାର କହୁଛନ୍ତି ଯେ ନିହାରବାଳା ତାଙ୍କଠାରୁ ଉପରେ । ସେ ନିହାରର ମନ ଖୋଜୁଛନ୍ତି ।

 

ଦୂରକୁ ଘୁଞ୍ଚିଯାଇ ଡାକ୍ତର ଚୁପ୍ ହୋଇ ବସିଲେ । ତାଙ୍କର ଏ ବ୍ୟବହାର ନିହାରବାଳା ବି ବୁଝିପାରିଲା ନାହିଁ । ଆଖି ଦୁଇଟି ସେମିତି ପାଣିରେ ଢଳ ଢଳ ହେଇ କହୁଛି—ହୃଦୟହୀନର ବି ହୃଦୟ ଅଛି । ଚରିତ୍ରହୀନର ବି ଚରିତ୍ର ଅଛି ।

 

ବହୁତ ବେଳ ଦୁହେଁ ଦୁହିଁଙ୍କୁ ଚାହିଁଥିଲେ । ନିହାର ସେମିତି ନିଃଶବ୍ଦରେ ପଚାରୁଥିଲା—କାହିଁକି ଡାକିଥିଲେ, ଆସିଛି ତ । ଡାକ୍ତର ବି ସେମିତି ତାଙ୍କର ସେହି ନୀରବ ଚାହାଣୀ ଭିତରେ କହୁଥିଲେ—ଡାକିଥିଲି; କିନ୍ତୁ ତମ ପାଖରେ ପ୍ରୟୋଜନ ନାହିଁ ।

 

ଘରର ନିଃଶବ୍ଦତା ଭିତରେ ନିହାରବାଳା ରୁଦ୍ଧକଣ୍ଠରେ ପଚାରିଲା—ଡାକିଥିଲେ ସାର୍ !

 

ଡାକ୍ତରଙ୍କ ଆଖିରୁ ପାଣିପଡ଼ିଲା ଗୋଟିଏ ନର୍ସର ପାଦତଳେ । କେହି ସିନା ଦେଖିବେ ନାହିଁ, କିନ୍ତୁ ଡାକ୍ତର ତ ନିହାରବାଳା ପାଖରେ ଲୁଚେଇ ପାରିବେ ନାହିଁ ।

 

ଡାକ୍ତରଙ୍କ ଆଖି ପୋଛିଦେଇ ନିହାରବାଳା ତାଙ୍କୁ ସ୍ନେହରେ କହିଲା—ସାର, କ’ଣ କରୁଛନ୍ତି ! ଆପଣଙ୍କର ମନ ଏମିତି ବଦଳିଯାଇଛି କାହିଁକି ? ମୋର ଦୋଷ ଥିଲେ କ୍ଷମା ଦେବେ । ଜାଣି ଜାଣି ଭୁଲ୍ କରିନାହିଁ ।

 

ଇତସ୍ତତ କଣ୍ଠରେ ଡାକ୍ତର ପଚାରିଲେ—ତୁମେ ମୋତେ ଘୃଣା କର, ନିହାରବାଳା ?

 

—ଆପଣଙ୍କୁ ଘୃଣା କରିବି ! ଆପଣଙ୍କ ହାତର କଲମ ଉପରେ ମୋର ଦାନାପାଣି ।

 

ଡାକ୍ତରଙ୍କ ଆଖିରୁ ଅନୁତାପର ଲୁହ ଗଡ଼ିଯାଇଥିଲା । ସେ ଯେପରି ମଣିଷର ମନକୁ କେବେ ଚିହ୍ନି ନ ଥିଲେ । ଆଜି ଚିହ୍ନୁଛନ୍ତି ।

 

ତାଙ୍କର ମୁହଁଟିକୁ ନିଜର ଛାତି ଉପରକୁ ଆଉଜାଇ ଆଣି ନିହାରବାଳା ଧୀରେ କହିଲା–ଛି, ସାର୍, କାନ୍ଦନ୍ତୁ ନାହିଁ । ଆପଣଙ୍କର କିଛି ଭୁଲ୍ ନାହିଁ । ସଂସାରଟା ଏମିତି ।

 

—ତମକୁ ମୁଁ ଭଲପାଏ, ନିହାରବାଳା !

 

—ହଁ, ମୁଁ ଜାଣେ ।

 

—ଆଗରୁ ତମକୁ ଯେଉଁ ଆଖିରେ ଦେଖୁଥିଲି, ଆଜି ତାହାଠାରୁ ଅଲଗା । ସତରେ ତମକୁ ଆଜି ମୁଁ ଭଲପାଏ । ତମେ ଭାରି ଭଲ ।

 

—ଛାର ନର୍ସକୁ ଆପଣ ଭଲ ପାଆନ୍ତି ! କେହି ତ ତାଙ୍କୁ ଭଲ ପାଆନ୍ତି ନାହିଁ ।

 

—ତମେ ମୋତେ କ୍ଷମା କରିଛ ତ ?

 

ନିହାରବାଳା ଚୁପ୍ ରହିଲା...କାହାକୁ ସେ କ୍ଷମା କରିବ । ତାକୁ ସମସ୍ତେ କ୍ଷମା କରନ୍ତୁ ବୋଲି ସେ ନିଜେ ତ ପାଣି, ପବନ, ଆକାଶ, ପୃଥିବୀ ସମସ୍ତଙ୍କୁ କହୁଛି ।

 

ଡାକ୍ତରଙ୍କ ପାଖରେ ଦେହକୁ ଦେହ ଲଗାଇ ବସି ନିହାରବାଳା ଭାବୁଥିଲା—ଏଣିକି ଭାଗ୍ୟଦେବୀ ହସିବେ । ସାଧୁଙ୍କର ତପସ୍ୟା ଭାଙ୍ଗିଲା ପରି ସତ୍‌-ଚରିତ୍ରର ଓ ସତ୍‌-ସ୍ୱଭାବର ତପସ୍ୟା ଭାଙ୍ଗି ଦେବାକୁ ସମସ୍ତେ ଚାହାନ୍ତି । ଲୁହା କଡ଼ିରେ ଲାଗୁଥିବା କଳଙ୍କିପରି ଯେତେ ଯାହା କଲେ ବି ଲୁହା ଦେହରେ ବାରମ୍ବାର କଳଙ୍କ ଫୁଟିଉଠେ ।

 

ସତ୍‌ମାର୍ଗର ଯେପରି କୌଣସି ସ୍ଥାନ ନାହିଁ ଏଇ ମଣିଷ-ଗଢ଼ା ପୃଥିବୀରେ । ଆସିଲାବେଳେ ସେ ତା’ର ନୂଆ କରି ଗଢ଼ୁଥିବା ଦିଓଟି ଗୋଟିଏ ଭଲ ଅଭ୍ୟାସକୁ ନର୍ସ ହଷ୍ଟେଲର ଫାଟକ ପାଖରେ ଥୋଇଦେଇ ଆସିଥିଲା । ସେଥିରେ କିଛି କାମ ନାହିଁ ।

 

ଏଇ ଡାକ୍ତରଙ୍କ ପାଖରେ ବସି ଆଉ ସେ ସତ୍-ସ୍ୱଭାବ, ସାଧୁ ଜୀବନ ଓ ନିର୍ମଳ ପବିତ୍ରତା କଥା ଭାବୁ ନ ଥିଲା । ଆସିଛି ମୂଲ ଦେବାକୁ, ମାହାସୁଲ ଦେବାକୁ...ସେ ଯାହା ଦିଗମ୍ବର ସେୟା । ଜଣେ ଖୁସି କରି ନେଇଥିଲା, ଆଉ ଜଣେ ଜୋର କରି ନେବ ।

 

ଡାକ୍ତରଙ୍କ ଆଡ଼ୁ କୌଣସି ପ୍ରକାରର ଚଞ୍ଚଳତା ନାହିଁ । ସତେ ଯେପରି ମାମୁଲି ଭାବରେ ସେ କ୍ଳାସରେ ବସିଛନ୍ତି । ନିହାରବାଳା ଭାବିଲା—ଏମିତି କ’ଣ !

 

କୌତୁକ କରି ପଚାରିଲା—ଆପଣ ଜାଣନ୍ତି ସାର୍ ମୋତେ ଏମିତି ଡକାଇ ଆଣି କିଛି ନ କହିବା ମୋପ୍ରତି ଅନ୍ୟାୟ ନୁହେଁ କି ? ...କହି ନିହାରବାଳା ତଳକୁ ମୁହଁ ପୋତିଲା ।

 

—ତମେ ପ୍ରକୃତରେ ଗୋଟିଏ ପ୍ରହେଳିକା ! ତୁମ ନାଁ ନିହାରବାଳା କିଏ ଦେଲା ?

 

ହସି ନିହାରବାଳା ଚାହିଁଲା ଡାକ୍ତରଙ୍କ ମୁହଁକୁ । ସେ ଦେଖୁଥିଲେ ନିହାର ମୁହଁର କେତେ ଗୋଲାପୀ ଛବି ।

 

—କ’ଣ କହିଲ ପ୍ରହେଳିକା ?

 

ଲାଜ ଲାଜ ହୋଇ ଚାହିଁ ନିହାରବାଳା ଟିକିଏ ନିଜକୁ ସଂଯତ କରିବସିଲା । ଡାକ୍ତର ଉଠିଆସିଲେ ପାଖକୁ । ତା’ର ମୁହଁକୁ ହଲାଇ ଦେଇ ଉତ୍ସାହରେ କହିଲେ—ସତରେ ତମୁକୁ ମୁଁ ଭାରି ଭଲପାଏ । ନିହାରବାଳା ନିଜକୁ ଆଉଜାଇ ଦେଲା ଡାକ୍ତରଙ୍କ ଦେହ ଉପରେ । ତାଙ୍କର ଆଖିରେ ଅନୁତାପର ଲୋତକ ନାହିଁ, ତାଙ୍କର ମନରେ ଆଉ ନିଷ୍କ୍ରିୟତା ନାହିଁ । ନିହାରବାଳା ସ୍ପର୍ଶରେ ସେ ତାଙ୍କର ସ୍ୱାଭାବିକ ତାରୁଣ୍ୟ ଫେରିପାଇଛନ୍ତି । ନିହାରବାଳାର ପ୍ରତ୍ୟେକ ଅବୟବ ତାଙ୍କୁ ସୁନ୍ଦର ଦିଶୁଥିଲା । ସେ ପ୍ରତ୍ୟେକଟିର ପ୍ରଶଂସା କରୁଥିଲେ ।

 

କାହାରି ମନ ନେବାକୁ ହେଲେ ତାକୁ ଖୁସି କରିବା ଉଚିତ ...ଡାକ୍ତର ବି ଖୁସି ହୁଅନ୍ତୁ । ଯାହା ଚାହୁଁଛନ୍ତି, ସେତକ ପାଆନ୍ତୁ । ଦେବା ଜିନିଷରେ ହୃଦୟର ଭାବ ମିଶେ ନାହିଁ । ଚଢ଼େଇର ରଙ୍ଗ ପରି ରଙ୍ଗରଙ୍ଗିଆ ଡେଣା ତାକୁ ଉଡ଼ିବାରେ ବିଶେଷ ସାହାଯ୍ୟ କରେ ନାହିଁ । ସୁଆଦିଆ ରାନ୍ଧଣା, ନାନା କାରୁକାର୍ଯ୍ୟର ଲୁଗା, ଗହଣା ହୃଦୟର ଆବେଗ ବୁଝନ୍ତି ନାହିଁ । ସେମାନଙ୍କର ନିଜ ନିଜର ମୂଲ୍ୟ ଅଛି ।

 

ନିହାରବାଳା ଫେରିଲା ମଟରରେ । ଡାକ୍ତରବାବୁ ତାଙ୍କୁ ସବୁଠାରୁ ବଡ଼ ସ୍ଥାନ ଦେଇଛନ୍ତି କି ନାହିଁ ସେ ତାଙ୍କୁ ପରୀକ୍ଷା କରିବ ଡାକ୍ତରଖାନା ହତା ଭିତରେ । ସେଥିରେ ସେ ରାଜି ।

 

ଫେରିଲାବେଳେ ନିହାରବାଳା ରିକ୍‌ସାରେ ଫେରିବାକୁ ଚାହୁଁଥିଲା । କିନ୍ତୁ ଡାକ୍ତରଙ୍କର ଏକା ଜିଦ୍ । ନିହାରବାଳା ଫେରୁଥିଲା ତାଙ୍କର ମଟରରେ । ଡ୍ରାଇଭର ମୁହଁରେ ସେହି ପରିଚିତ ସ୍ମିତହସ । —ଯାହାକୁ ବୁଝେ ସେଇ ଜଣେ ଲୋକ, ଯାହାପାଇଁ ସେଇଟି ନିର୍ଦ୍ଦିଷ୍ଟ ।

 

ବାଟରେ ଡ୍ରାଇଭର ପଚାରିଥିଲା ଯେ ନିହାର ଦେବୀ ଆଉ କୁଆଡ଼େ ବୁଲାବୁଲି କରିବେ ନା ସିଧାସଳଖ ହଷ୍ଟେଲକୁ ଫେରିବେ ।

 

—ଶୀଘ୍ର ଚଲାଅ । ବହୁତ ଡେରି ହୋଇଗଲାଣି ।

 

ବାଟରେ ଡ୍ରାଇଭରର ହାତଟି ନିହାରବାଳାକୁ ଚମକାଇ ଦେଇଥିଲା....ମୋର ଦେହ ଭଲ ନାହିଁ । ସାର୍‌ଙ୍କୁ ତମ କଥା କହିଦେବି ।

 

—ଏମିତି କ’ଣ ମ ! ସବୁବେଳେ ମୁହଁ ଶୁଖାଇ ବସି ରହିଲେ କ’ଣ ତମକୁ ସମସ୍ତେ ପୂଜା କରିବେ ?

 

ଡ୍ରାଇଭର ବି ତେବେ କ’ଣ ହକ୍‌ଦାର ? ନିହାରବାଳା ଡାକ୍ତରଙ୍କ ମଟରର ମର୍ଯ୍ୟାଦା ଖୋଜୁଥିଲା ଯେ, ଏଇ କ’ଣ ହେଉଛି ମର୍ଯ୍ୟାଦାର ରୂପରେଖ ?

 

—ତମକୁ କହିଲି ପରା, ତୁମେ ଏମିତି ବଳ ଖଟାଇଲେ ଅସୁବିଧା ହେବ—ନିହାରର କଣ୍ଠ ସ୍ୱରରେ ଦୃଢ଼ତା ।

 

—ଗରିବ ଲୋକେ ସମସ୍ତଙ୍କର ନାପସନ୍ଦ ହୁଅନ୍ତି । ହଉ ତମର ତମେ ବଡ଼ପଣ ରଖିଥାଅ । ଏଇ ମଟର କେତେ ନବାଆଣିବା କରିବ ତମକୁ । ଲୋକେ ଯାହା ପଚାରିବେ ମୋତେ ପଚାରିବେ ତ !

 

—ଦେଖ, ତମେ ତ ଜାଣ ତୁମର ବାବୁଙ୍କୁ । ମୋର କିଛି ଦୋଷନାହିଁ । ମୁଁ ତମମାନଙ୍କ ହାତରେ ।

 

ନିହାରବାଳା ମୁହଁର ସେହି ମ୍ଳାନ ହସ ଦେଖି ଡ୍ରାଇଭରର ମନ ବଦଳିଗଲା । ସେ ଉତ୍ସାହରେ କହିଥିଲା—ମୋତେ ଭୁଲିବ ନାହିଁ । ମୁଁ ତୁମର ବହୁତ ଉପକାରରେ ଲାଗିବି ।

 

ନର୍ସ ହଷ୍ଟେଲକୁ ଫେରିଲାବେଳେ ନିହାରବାଳା ଖବର ପାଇଲା ଯେ ଦିଗମ୍ବର ଆସି ବସି ବସି ଯାଇଛି । ଶୁଣି ବିରସ ମନରେ ନିଜକୁ କହିଥିଲା, ପୁରୁଣା ଜୀବନକୁ ଧରି ରଖିବାରେ କିଛି ଲାଭ ନାହିଁ । ପୁରୁଣା ଲୋକଙ୍କୁ ମନରେ ବାନ୍ଧି ରଖିଲେ ମନ ତ ଉପରକୁ ଉଠେ ନାହିଁ; ଖାଲି ସେତିକି ନୁହେଁ, ସେଥିରେ କିଛି ଉପକାର ନାହିଁ । ଏବେ ନିହାରବାଳା ଫେରୁଛି—ଦୁଃଖ କହ କି ସୁଖ କହ, ଗୋଟାଏ ନୂଆ ଅଭିଜ୍ଞତା ନେଇ ଫେରୁଛି । ସ୍ୱାଧୀନ ଜୀବନର ଗୋଟିଏ ପରାଧୀନତାର ଚିତ୍ର ସାଙ୍ଗରେ ଆଣିଛି ।

 

ଡାକ୍ତରଙ୍କ ଘରକୁ ଯାଇଛି ବୋଲି ଗୀତା ଓ ଆଶା ଅନୁମାନ କରିଥିଲେ । ତାଙ୍କର ଆଖିଗୁଡ଼ିକରେ ସନ୍ଦେହ ଓ କୌତୂହଳ....—କୁଆଡ଼େ ଯାଇଥିଲ କି ?

 

—ଜଣେ ବନ୍ଧୁ ଘରକୁ ।

 

—କୋଉଠି କି ? କିଏ ସେ ?

 

—ସେ ଯିଏ ହୁଅନ୍ତୁ, ତମର ସେଥିରେ କ’ଣ ଅଛି ?

 

—ଚିଡ଼ୁଛ କାହିଁକି ? ଆମେ ସିନା ଖରାପ ଆଉ ତମେ ଭଲ । ଚିଡ଼ିଲେ କ’ଣ ଆମେ ଭଲ ହୋଇଯିବୁ ?

 

ନିହାରବାଳା ଚାଲିଗଲା । ମିଛରେ ଆଲୋଚନା କରି ଲାଭ କ’ଣ । କ’ଣ କରିବ କି ନ କରିବ ଭାବୁଥିଲା ବୋଲି ସିନା ସେ ଆଗପଛ ଭାବି ବାର ଲୋକଙ୍କୁ ପଚାରି ହେଉଥିଲା । ଏବେ ସେ ମନକୁ ଦୃଢ଼ କରି ସୁବିଧା ସୁଯୋଗର ବାଟ ଆଦରି ନେଇଛି । ସେଥିରେ ଆଉ ଏମାନଙ୍କ ସାଙ୍ଗରେ ଆଲୋଚନା କରିବାର କ’ଣ ଅଛି ?

 

ତହିଁଆରଦିନ ଡାକ୍ତରଖାନାକୁ ଆସିଲାବେଳେ ରୋଗୀମାନଙ୍କ ମୁହଁରେ, ଡାକ୍ତର ପିଲା ଓ ଓ୍ୱାର୍ଡ଼ ଡାକ୍ତରଙ୍କ ମୁହଁରେ ତାଙ୍କର କୌତୂହଳର ନୂଆ ଅର୍ଥ ପାଉଥିଲା । ସେମାନଙ୍କର କ୍ଷମତା ନାହିଁ, ନିହାରବାଳାର ମୁଣ୍ଡକୁ ନୁଆଁଇ ଦେବାର ସାମର୍ଥ୍ୟ ନାହିଁ । ତା’ର ଆଖି ଦୁଇଟିରେ ସେମାନଙ୍କ ପ୍ରତି ତାଚ୍ଛଲ୍ୟ ଆସିଥିଲା ।

 

ସେମାନଙ୍କର ମଧୁର ରହସ୍ୟର ସିଧାସଳଖ ଉତ୍ତର ନିହାରବାଳା ଦିଏ । ଦେଲାବେଳେ ଭାବେ, ଭୟ ଥିଲେ ସିନା କଥା ଅସ୍ପଷ୍ଟ, ସ୍ୱର ଅସ୍ପଷ୍ଟ । ...ଆଉତ ଭୟ ନାହିଁ । ଆଉତ ଲୋକନିନ୍ଦାର ଡର ନାହିଁ । ଲୋକନିନ୍ଦା ଏବେ ତା’ର ଭୂଷଣ ।

 

ନିହାରବାଳା ଡାକ୍ତରଖାନାରେ ଚହଳ ପକାଇଛି । ପ୍ରତ୍ୟେକ ଲୋକକୁ ସେ ନିଜର କରିବାକୁ ଚାହେଁ । ସମସ୍ତଙ୍କ ପ୍ରତି ତା’ର ଆସକ୍ତି । କାହାରିପ୍ରତି ଭୟ ନାହିଁ । ସମସ୍ତେ କୁହାକୁହି ହୁଅନ୍ତି—ନିହାରବାଳା ଗୋଟିଏ ପକ୍‌କା ଲୋକ ।

 

କିନ୍ତୁ ତାକୁ ନିକଟରେ ପାଇବାକୁ ସବୁ ନିନ୍ଦୁକଙ୍କ ଭିତରେ ଗୋଟିଏ ପ୍ରତିଯୋଗିତା ଚାଲେ । ସମସ୍ତେ ନିହାରବାଳାକୁ ଆସି ଆଗରୁ ସତର୍କ କରିଯାଆନ୍ତି—ନିହାରକୁ ଅପଦସ୍ତ କରିବାକୁ ନର୍ସ ଓ ଡାକ୍ତରମାନେ ନାନାପ୍ରକାରର ମେଳି ବାନ୍ଧୁଛନ୍ତି, ଆଉ ତାକୁ ସେଥିରୁ ରକ୍ଷା କରିବାକୁ ସମସ୍ତଙ୍କର ଆଗ୍ରହ ।

 

ନିହାରବାଳା ଚାହିଁ ରହେ ସେମାନଙ୍କୁ । ସେହି କମନୀୟ ଆଖି ଦୁଇଟି ହସିଉଠେ । ସେ ଭାବେ...ଇଏ ବି ତ ଗୋଟାଏ ଅନୁଭୂତି । ନିହାରବାଳାକୁ ନିଷ୍କଳଙ୍କ କରିବାକୁ ଏତେ ଲୋକଙ୍କର ଆଗ୍ରହ । ଭାବେ ତାଙ୍କୁ ପଚାରିବ—ନିହାର ତାଙ୍କର କିଏ ?

 

ପଚାରିପାରେ ନାହିଁ । କିନ୍ତୁ ତା’ର ଶତ୍ରୁ ହଠାତ୍ ତେଜି ଉଠିବା ଆଉ ସେମିତି ବିନା କାରଣରେ ଗୁଡ଼ିଏ ବନ୍ଧୁ ପାଇବା ଏକାବେଳକେ ସମ୍ଭବ ହୋଇଛି । ସେ ତ ନିଷ୍କଳଙ୍କ ନ ଥିଲା । ଆଜି ବି ତ ସେ ସେହି କଳଙ୍କିତ ଅବସ୍ଥାରେ । କିନ୍ତୁ ତା’ର ବନ୍ଧୁ ନ ଥିଲେ । ଆଜି ବନ୍ଧୁ ମିଳିଛନ୍ତି । ସବୁ ଦିନେ ଶତ୍ରୁ ଥିଲେ । ସେମାନେ ଆଜି ବି ଅଛନ୍ତି ।

 

ଶତ୍ରୁଙ୍କୁ ନେଇ ତ ବଞ୍ଚିହୁଏନା, ମଣିଷ ବଞ୍ଚିଛି ବୋଲି ସେମାନେ କହିଦେଇ ଯାଆନ୍ତି । କିନ୍ତୁ ବଞ୍ଚିବାପାଇଁ ବନ୍ଧୁଗୁଡ଼ିକ ପ୍ରୟୋଜନ ।

 

କେବେ ସେ ବାଛବିଚାର କରି ମଣିଷ ମଣିଷ ଭିତରେ ଶ୍ରେଣୀବିଭାଗ କରୁଥିଲା । ନର୍ସ ନିହାରବାଳାର ଆଜି ଆଉ ସେ ସୂକ୍ଷ୍ମ ବିଚାର କରିବାର କୌଣସି କାରଣ ନାହିଁ । ସମସ୍ତଙ୍କୁ ସେ ସମଦୃଷ୍ଟିରେ ଦେଖେ ।

 

ପ୍ରତିଦିନ ନୂଆ ନୂଆ ଉଦଯୋଗ । ସବୁ ଆସେ ଚିଠିରେ । ବହୁତ ପ୍ରକାର ଲୋକଙ୍କର ଚିଠି । ସମସ୍ତେ ସମାନ ନୁହନ୍ତି । କିଏ ବିଷୟୀ, କିଏ କବି, କିଏ ପ୍ରେମିକ, କିଏ କଳାକାର—ସମସ୍ତେ ନିହାରବାଳାକୁ ଭଲ ପାଉଛନ୍ତି ବୋଲି କହନ୍ତି।

 

ହସି ହସି ନିହାରବାଳା ସମସ୍ତଙ୍କୁ ସ୍ୱାଗତ ଜଣାଏ । ସମସ୍ତେ ନୂଆ ଅଭିଜ୍ଞତା ଦେବାକୁ ଆସୁଛନ୍ତି । ନିହାରବାଳାକୁ ଖୁସି କରିବାକୁ ଚେଷ୍ଟା କରୁଚନ୍ତି । ସେମାନଙ୍କର ବଳ ପ୍ରୟୋଗ ନାହିଁ । ପ୍ରତ୍ୟେକଙ୍କର ତୁଣ୍ଡରେ ଭିକ୍ଷାର୍ଥୀର କଥା । ସମସ୍ତେ ଚାହାନ୍ତି ଟିକିଏ ଗୌରବ ଯେ ନିହାରବାଳା ତାଙ୍କୁ ଭଲପାଏ ।

 

ଇଏ ତ ଭାରି ସହଜ । ଅଯଥା ଗାମ୍ଭୀର୍ଯ୍ୟରେ ନିଜର ମୂଲ୍ୟ ନ ବଢ଼ାଇଲେ ବନ୍ଧୁତା-ପ୍ରୟାସୀ ଲୋକଙ୍କ ପ୍ରତି ଟିକିଏ ଉଦାର ହେଲେ ଖୁବ୍‌ ଶୀଘ୍ର ବନ୍ଧୁ ବଢ଼ିଯାଆନ୍ତି । ସମସ୍ତେ ଖୋଜନ୍ତି ଟିକିଏ ସ୍ନେହ, ଟିକିଏ ହସ, ଆଉ ଟିକିଏ ମନରଖା କଥା । ନିହାରବାଳା ସେଥିରେ କେବେ କୃପଣତା ଦେଖାଇ ନାହିଁ । ବ୍ୟବହାରର ସେହି ଗୋଟିଏ ଦିଗପାଇଁ ସେ ବନ୍ଧୁ ଯେମିତି ଅର୍ଜିଛି, ନିନ୍ଦା ବି ସେମିତି ମୁଣ୍ଡାଇଛି ।

 

ଡାକ୍ତରଙ୍କ ସାଙ୍ଗରେ ମିଳାମିଶା ହୋଇଯିବା ଦିନୁ ନିହାରବାଳାର ପ୍ରତିପତ୍ତି ବଢ଼ିଥିଲା । ଡାକ୍ତରବାବୁ ସେହି ଦିନଠାରୁ ନିହାରବାଳାକୁ ସମସ୍ତଙ୍କଠାରୁ ଅଧିକ ଭଲ ପାଉଥିଲେ ।

 

ଏବେ ସେ ସମସ୍ତଙ୍କୁ ନିଜର କରିବାକୁ ଚାହେଁ । ଅଳ୍ପ ଦିନପାଇଁ ହୁଅନ୍ତୁ ପଛକେ—ସେମାନଙ୍କୁ ସେ ପାଖରେ ରଖିବାକୁ ଚାହେଁ । ମନର ଏଇଟା ଗୋଟାଏ ଦିଗ, ନିହାରବାଳା ଜାଣି ନ ଥିଲା । ଡାକ୍ତରଖାନାରେ ରହି ସେ ବୁଝିପାରିଲା ଯେ ସ୍ନେହୀମନ ଥରେ ଶାସନ ଓ ଲୋକାଚାରର ଶିଙ୍କୁଳିରୁ ଫିଟିଗଲା ବଡ଼ ଉଦାର ହୋଇଯାଏ ।

 

ସଞ୍ଜୟ ପାଖରେ ଏଇ ସମ୍ବାଦ ଆସି ପହଞ୍ଚିଲା । ତା’ର ଅନ୍ତରର ଦେବତା ଆଜି ସମସ୍ତଙ୍କର ପ୍ରିୟ । ସଞ୍ଜୟ ନିଜେ ବିଶ୍ୱାସ କରିପାରିଲା ନାହିଁ । ସେ ବି ଅନ୍ୟମାନଙ୍କ ପରି ଲୋକାଚାରର ମାନ-ଦଣ୍ଡରେ ନିହାରବାଳାକୁ ତଉଲିଥିଲା ।

 

ମୋତେ ଭଲ ପାଇଲେ—ସେଇଟାକୁ କହନ୍ତି ପ୍ରେମ । ପ୍ରତିଦାନ ଆଶା ନ ରଖି ଭଲ ପାଇଲେ—ପ୍ରେମର ଅତି ଉତ୍ତମ ଦିଗ । ସମସ୍ତଙ୍କୁ ଭଲ ପାଇଲେ—ସେଇଟା ହେଉଛି ବ୍ୟଭିଚାର-

 

ସଞ୍ଜୟର ବିଚାରରେ ନିହାରବାଳା ତଳକୁ ଖସିଛି । ବହୁତ ଲୋକଙ୍କ ଭଲ ପାଇ ସେ ନିଜକୁ ଅତି ଅଧମ ଅବସ୍ଥାକୁ ନେଇଯାଇଛି ।

 

ମନ ଭିତରେ ଗୋଟିଏ ନୂଆ ସମସ୍ୟା ଦେଖାଦେଲା—ନିହାରବାଳା କ’ଣ ପ୍ରକୃତରେ ତାକୁ ଭଲପାଏ...ପାଉଥିଲେ ସେ ଏମିତି ଏତେ ଲୋକଙ୍କ ସାଙ୍ଗରେ ମିଶୁଛି କାହିଁକି ?

 

ସଞ୍ଜୟ ଚିଠି ଲେଖିଥିଲା । ତା’ର ମନର ସବୁ ଅଭିମାନ ଚିଠି ଉପରେ ଢାଳିହୋଇ ଯାଇଥିଲା । ଚିଠିଟି ହୋଇଥିଲା ଅସ୍ପଷ୍ଟ । ଯାହା ସେ ଲେଖିବାକୁ ଚାହୁଁଥିଲା ଲେଖିପାରି ନାହିଁ । କିନ୍ତୁ ସେଥିର ଭାବ ଅସ୍ପଷ୍ଟ ହେଲେ ବି ଗୋଟିଏ ତରୁଣ ହୃଦୟର ସବୁ ଆବେଗ ବିଭିନ୍ନ ପ୍ରକାରରେ ଆଙ୍କିହୋଇ ଯାଇଥିଲା ।

 

ଚିଠିଟି ଖୋଲି ନିହାରବାଳା ବାରମ୍ବାର ପଢ଼ିଥିଲା—ସଞ୍ଜୟର ପ୍ରଥମ ଚିଠି । ସେଥିରେ ଗୁଡ଼ାଏ ସ୍ନେହ, ଘୃଣା ଭଳି ଶବ୍ଦ ପୂରି ରହିଥିଲେ ବି ଅଧିକାଂଶର ଭାବ ନିହାରବାଳା ପାଖରେ ଅବୋଧ୍ୟ ।

 

....ତୁମକୁ ଦେଖିଲା ଦିନୁ ଏଇ ଜୀବନରେ ଯେଉଁ ଦକ୍ଷିଣା ପବନ ବୋହିଥିଲା, ତାକୁ କ’ଣ ତୁମେ ଫେରାଇ ଦେବାକୁ ଚାହଁ....ତୁମେ ବୁଝନାହିଁ ସଂସାରକୁ । ଅନିଷ୍ଟ ପାଞ୍ଚୁଥିବା ଈର୍ଷାପରାୟଣ ଲୋକଙ୍କୁ ଭଲ ବ୍ୟବହାର ଦେଖାଇ ତୁମେ କ’ଣ ମୋତେ ଆଘାତ ଦେବାକୁ ଚାହଁ...ତୁମେ କ’ଣ କହିପାରିବ ଯେ ନିର୍ମଳ ପ୍ରୀତି ବହୁତ ଲୋକଙ୍କୁ ଭଲ ପାଇବାରେ ପ୍ରକାଶ ପାଇପାରେ...ତୁମକୁ ମୁଁ ମୋର ମାନସୀ-ପ୍ରତିମା କରି ଗଢ଼ିଥିଲି, ତୁମେ କ’ର ତା’ର ଉପଯୁକ୍ତ ହେବ ନାହିଁ ? ...ତୁମର ଉତ୍ତରକୁ ଚାହିଁ ରହିଲି । ତୁମରି ଉତ୍ତର ଉପରେ ମୋର ଭବିଷ୍ୟତ୍ ସୁଖଶାନ୍ତି ନିର୍ଭର କରୁଛି ।

 

ନାନାପ୍ରକାରର ଅବୋଧ୍ୟ ବାକ୍ୟ ଭିତରେ ନିହାରବାଳା ଏଇ କେତୋଟିର ବିଷୟକୁ ମନ ଭିତରେ ତଉଲିଥିଲା—ନିହାର ବିଷୟରେ ସଞ୍ଜୟର ବିଚାର ।

 

ଏକାଗ୍ର ମନରେ ସଞ୍ଜୟର ଚିଠିଟିକୁ, ସଞ୍ଜୟକୁ ଆଉ ନିଜକୁ ପରଖିବାକୁ ଚେଷ୍ଟା କରିଥିଲା । ସଞ୍ଜୟ କହୁଛି ଯେ ନିହାର ତା’ର ମନର ମଣିଷ । ତେଣୁ ସେ ସଞ୍ଜୟର ମନ ନେଇ ଚଳିବ । ସେଥିରେ ବ୍ୟତିକ୍ରମ ହେଲେ ସଞ୍ଜୟ ତାକୁ ଭଲ ପାଇବ ନାହିଁ ।

 

ଅନ୍ୟକୁ ଭଲ ପାଇବା ସଞ୍ଜୟକୁ ଭଲ ପାଇବାର ବିରୋଧୀ । କେତେ ଦିନୁ ସଞ୍ଜୟ ଗଲାଣି । ନିହାରବାଳାର ଦୁର୍ନାମ ଶୁଣି ତାହାର କୁଶଳ ସମାଚାର ବୁଝିବାକୁ ଆସିଥିଲା । ଏଥିଭିତରେ ନିହାରର କ’ଣ ସୁବିଧା ଅସୁବିଧା ହୋଇଛି ଜାଣିବାକୁ କେବେ ସେ ମନ ବଳାଇ ନାହିଁ-

 

ଏଇ ତ ହେଉଛି ସବୁ ପ୍ରେମିକଙ୍କର ଗୋଟିଏ ବିଚାର, ଗୋଟିଏ ଗୁଣ ! ତାଙ୍କୁ ଏକା ଭଲ ପାଇଲେ ସେମାନେ ଯେତିକି ବଡ଼ ବୋଲି ନିହାରକୁ ଭାବିବେ, ପାଞ୍ଚ ଜଣଙ୍କ ସାଙ୍ଗରେ ଜଣେ ବୋଲି ହିସାବ କରି ତାଙ୍କୁ ଭଲ ପାଇଲେ, ସେମାନେ ନିହାରକୁ ସେତିକି ଛୋଟ ବୋଲି କହି ବୁଲିବେ ।

 

ନିହାର ସଂସାରକୁ ବୁଝିନାହିଁ । ନିହାର ନିଜର ଭଲମନ୍ଦ ଜାଣେ ନାହିଁ... ଚିଠିଟିକୁ ବାରମ୍ବାର ପଢ଼ି ନିହାରବାଳା ନ ବୁଝି ପାରୁଥିବା ଅଂଶଗୁଡ଼ିକ ବୁଝିପାରୁଥିବା ଅଂଶ ସାଙ୍ଗରେ ମିଳାଉଥିଲା ।

 

ଅବୋଧ୍ୟ ଭାଷାରେ ମନର ଭାବକୁ ସଞ୍ଜୟ ଜଣାଇଛନ୍ତି । ତା’ର ମନେ ପଡ଼ିଲା ସଞ୍ଜୟର ସେହି କଅଁଳ ମୁହଁ ଆଉ ସରଳ ଆଖି । ସେହି ମନ ଆଉ ଆଖି ନିହାରବାଳାକୁ ବଡ଼ ଓ ସାନ କରିବାକୁ ଚେଷ୍ଟା କରିଛି ।

 

ଚିଠିର ଜବାବ ଦେବାକୁ ହେବ । ସଞ୍ଜୟର ଠିକଣା ଅଛି । ନିହାରବାଳା କାଗଜ କଲମ ଧରି ବସିଲା । କିନ୍ତୁ ଲେଖିବାକୁ କିଛି ନାହିଁ ।

 

...ସେ ନିହାରକୁ ଭଲ ବୋଲି ଭାବୁଥିଲେ ଏଇ ଚିଠିଟା ତାଙ୍କର ଭଲ ପାଇବାର ଉପଯୁକ୍ତ ନୁହେଁ । ଆଉ ଖରାପ ବୋଲି ଭାବୁଥିଲେ ଉତ୍ତର ପାଇବାର ସେ ଯୋଗ୍ୟ ନୁହନ୍ତି ।

 

ଚିଠି ଲେଖି ସେ ତ ଡାକଘରକୁ ଚାହିଁ ବସିଥିବେ । ଛୋଟିଆ ମଣିଷର ମନ ବି କିଛି କମ୍ କଷ୍ଟ ପାଏ ନାହିଁ ।

 

ନିହାରବାଳା ଲେଖିଥିଲା—ଭାଇ ସଞ୍ଜୟବାବୁ !...ଆପଣ ଏକା କାହିଁକି, ଦୁନିଆରେ ସମସ୍ତେ ଛୋଟକୁ ବଡ଼ କରନ୍ତି । ଭଲକୁ ଖରାପ ଆଖିରେ ଦେଖନ୍ତି । ତେବେ ବି ତ ସେମିତି । ତମୁକୁ ଚିଠି ନ ଲେଖିଲେ ତମେ ଦୁଃଖ କରିବ ବୋଲି ଏଇ ଚିଠିଟି ଦେଲି । କିନ୍ତୁ ଯେତେ ଦିନଯାଏ, ତମେ ମୋତେ ଭଲ ଆଖିରେ ଦେଖି ନ ପାରିବ, ସେତେ ଦିନ ଆଉ ମୋତେ ଚିଠି ଦେବ ନାହିଁ । ...ଖରାପ ବୋଲି ଭାବି କ’ଣ ମୋତେ ଚିଠି ଲେଖିଛ । ଖରାପ ଲୋକକୁ ଭଲ ପାଇବାକୁ ଚେଷ୍ଟା କରୁଛ...ସେମିତି କରିବ ନାହିଁ । ତମେ ପିଲାଲୋକ । ବଡ଼ ହେଲେ ବୁଝିବ ଯେ ନିହାରବାଳା ଖରାପ ନୁହେଁ । ତୁମକୁ ଟିକିଏ ବେଶି ସ୍ନେହ କରିଥିଲି ଆଉ କରିବି ମଧ୍ୟ । ମୋତେ ଆଉ ଚିଠି ଦେବ ନାହିଁ ।

 

ଚିଠିଟି ଲେଖି ନିହାରବାଳା ସଞ୍ଜୟର ଠିକଣା ଲେଖିଲାବେଳେ ଦୁଃଖିତ ହୋଇ ଭାବିଥିଲା ...ସଞ୍ଜୟ ତେବେ ଦୂରକୁ ଗଲେ ଏଥର....ତାଙ୍କପ୍ରତି ଟିକିଏ ମାୟା ଆସିଯାଇଥିଲା ଯେ କଟାଇ ନ ଦେବାକୁ ବାଟ ମିଳିଲା ନାହିଁ ।

 

ସେ କିଛି ନେଇନାହିଁ, କିଛି ବି ଦେଇ ନାହିଁ । କିନ୍ତୁ ମନର ଅନ୍ଧାରୀ କୋଣରେ ସେ କହିଯାଇଥିଲା...ନିହାର ମୂଲ୍ୟହୀନ ନୁହେଁ । ଏବେ ସେ କହିଛି ଯେ ନିହାର ମୂଲ୍ୟହୀନ । ଗୋଟିଏ ଇତର ନାରୀ । ସେ ସଞ୍ଜୟର ମନର ପ୍ରତିମା ହେବାର ଉପଯୁକ୍ତ ନୁହେଁ ।

 

ସେ ଭାବିଲା ଯେ ପୁଣି ଥରେ ଚିଠି ଦେବ । ସଞ୍ଜୟକୁ ଆସିବାପାଇଁ ଡାକିବ । କଲମ ଧରି କାଗଜକୁ ଚାହିଁଲା । ଥରେ ଚିଠି ଦେଇଛି । ସେଥିରେ ତା’ର ଯାହା କହିବାର କଥା ସେ କହିଯାଇଛି । ଆଉ ତାକୁ ବଦଳାଇବ କାହିଁକି ? ଦୁନିଆର ଅସଂଖ୍ୟ ଲୋକ ଆଉ ସଞ୍ଜୟ ଭିତରେ ପ୍ରଭେଦ କ’ଣ ? ...କିଛି ନାହିଁ ।

 

ପାଖରେ ଥିବା ଲୋକେ ତାକୁ ଘେରି ରହନ୍ତି । ଗାଁରେ ବଳରାମ ନିହାରବାଳାର ସମ୍ବାଦ ପାଆନ୍ତି । ନିହାରବାଳା ସମସ୍ତଙ୍କର ପ୍ରିୟ ହୋଇଛି ।

 

ବଳରାମ ବିରକ୍ତ ହୋଇ ଡାକ୍ତରଖାନାକୁ ଲେଖିଥିଲେ—ନିହାରବାଳା ଗୋଟିଏ ପତିତା, ଘୃଣ୍ୟ ନାରୀ । ତା’ ହାତରେ ରୋଗୀର ଜୀବନ, କଅଁଳା ପିଲାଙ୍କ ଜୀବନ ନିରାପଦ ନୁହେଁ । ତାକୁ ବାହାର କରିଦିଆଯାଉ...ଯେ ସ୍ୱାମୀକୁ ଛାଡ଼ିପାରେ ସେ ସମସ୍ତଙ୍କୁ ଛାଡ଼ିଦେଇପାରେ ।

 

ସେତେବେଳେ ନିହାରବାଳା ହସିଥିଲା । ବଳରାମଙ୍କ ଅଭିଯୋଗ ଭିତରେ ତାଙ୍କର ବ୍ୟର୍ଥତା ଦେଖାଦେଇଥିଲା । ନିହାରବାଳାକୁ ଛାଡ଼ି ଅନ୍ୟ ସ୍ତ୍ରୀକୁ ବିଭା ହେବାର ଆୟୋଜନ କଲାବେଳେ ଓ ବିଭା ହେବା ପୂର୍ବରୁ ଅନ୍ୟ ସ୍ତ୍ରୀଙ୍କୁ ନିଜର ବୋଲି ଦେଖାଇବା ଗୌରବ ନେଲାବେଳେ ସେ ଆଉ ତାଙ୍କର ନିଜ ଲୋକେ ଭାବିଥିଲେ—ନିହାରବାଳା ପ୍ରତିବାଦ କରିବ—ଫେରିଆସିବ ।

 

ଗଲା ନାହିଁ ତ । ବଳରାମ ବିଭା ହେଲେ ନାହିଁ । ନିହାରବାଳା ତାଙ୍କୁ ନିର୍ଦ୍ଦିଷ୍ଟ ଖବର ଦେଇଥିଲା ଯେ ବିଭା ନ ହୋଇ ସେ ଯେତେ ଯାହା କରନ୍ତୁ ତାଙ୍କୁ ନିହାରବାଳା କ୍ଷମା ଦେବ । କିନ୍ତୁ ବଳରାମ ଯେଉଁଦିନ ଆଉ ଗୋଟିଏ ସ୍ତ୍ରୀକୁ ବିଭା ହୋଇ ନିଜ ଘରକୁ ଆଣିବେ, ଆଉ ତାକୁ ନିହାରବାଳାର ସଉତୁଣୀ ବୋଲି ପ୍ରଚାର କରିବେ, ସେହିଦିନଠାରୁ ସେହି ସ୍ତ୍ରୀ ନିଜର ପରମାୟୁ ଗଣିବ...ଯାହା ହେବାର ହେଉ ।

 

ବଳରାମ ବିଭା ହୋଇ ନ ଥିଲେ । ତାଙ୍କର ମନକୁ ଯେମିତି ଇଚ୍ଛା ସେମିତି ଚଳାଇଥିଲେ । ନିହାର ଖବର ପାଏ । ବଳରାମଙ୍କ ପ୍ରତି ଘୃଣା ଆସେ । ତାଙ୍କ ଉପରେ ପ୍ରତିଶୋଧ ନେବାପାଇଁ ନିହାର ବି ସେମିତି ମନଇଚ୍ଛା ଏଣେ ତେଣେ ବୁଲେ—ବୁଲୁଛି ତ । ବନ୍ଧୁ ସଂଗ୍ରହ କରିଛି-। ତା’ପରେ ଡାକ୍ତରଖାନା ।

 

ଡାକ୍ତରଖାନାରେ ପୁଣିଥରେ ନୂଆ ପ୍ରକାରରେ ନିଜର ରଥକୁ ଠେଲିଲାବେଳେ ନିହାର ମନରେ ବଳରାମଙ୍କ ପ୍ରତି ପୁଣି ମାୟା ଆସିଥିଲା । ତାଙ୍କୁ ଘୃଣା କରି ତାଙ୍କ ଉପର ପ୍ରତିଶୋଧ ନେବାକୁ ଆସିଥିଲା । ତାଙ୍କୁ ଘୃଣା କରି ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ସେ ବହୁତ ଦୂର ଚାଲିଆସିଛି । ଏବେ ସେ ନିଜର କ୍ରୋଧରେ ନିଜେ ପରିଶ୍ରାନ୍ତ ।

 

ଏହି ବଳରାମ ଥିଲେ କେତେ ଆଶ୍ରୟ ନ ହୋଇଥାନ୍ତେ । ବହୁତଗୁଡ଼ିଏ ଭୁଲରୁ ରକ୍ଷା ମିଳିଥାନ୍ତା । ସ୍ୱାମୀର ଭଲପାଇବା ହରାଇବା ଯେତିକି ଦୁଃଖକର, ତାଙ୍କୁ ଛାଡ଼ିଆସିବା ତହୁଁ ଅଧିକ ଅସୁବିଧା । ବଳରାମଙ୍କର ଅଭିଯୋଗ ନିହାରବାଳାକୁ ଅନୁତପ୍ତ କରିଥିଲା । ସେ ଭୁଲ୍ କରିଛି ବୋଲି ତାକୁ ଦେଖାଇ ଦେଇଥିଲା । ଖାଲି ଭାବିବାରେ ଯେଉଁ ବିଚାର ଭ୍ରମ ଆସେ ତା’ର ସଂଶୋଧନ ଅଛି । କିନ୍ତୁ ହଠାତ୍ କୌଣସି କାମ କରିଦେଲେ...ଏପରିକି ଚିଠି ଖଣ୍ଡେ ଲେଖିଦେଲେ...ସେ ଭୁଲକୁ ଆଉ ସୁଧାରି ହୁଏନାହିଁ ।

 

ଡାକ୍ତରଖାନାକୁ ଆସିବା ମାସକରୁ ଅଧିକ ହେଲାଣି । ନିହାର ଦେଖୁଥିଲା ଯେ ତା’ରି ଭିତରେ କେତେ ପରିବର୍ତ୍ତନ ହୋଇଯାଇଛି—ତା’ର ବ୍ୟବହାର, ଲୋକଙ୍କର ବ୍ୟବହାର, ଆଉ ତା’ରି ପ୍ରତି ଲୋକଙ୍କର ଆଉ ତା’ର ଲୋକଙ୍କ ପ୍ରତି ମନର ଭାବ ।

 

ବଳରାମ ପ୍ରିୟ ହୋଇଛନ୍ତି । ଅଜଣା ଅଶୁଣା ଲୋକେ ମନକୁ ଟାଣିଛନ୍ତି । ଦିଗମ୍ବର ଚାଲିଯାଇଛନ୍ତି । ସଞ୍ଜୟ ଆସିଛି । ଆଉ ଅସଂଖ୍ୟ ଲୋକେ ପାଖରୁ ପାଖକୁ ଆସିବାକୁ ପ୍ରତିଦିନ ଆଗେଇ ଆସୁଛନ୍ତି । ସମସ୍ତେ ନିହାରକୁ ନିଜର କରିନେବାକୁ ଚାହୁଁଛନ୍ତି... ଏକା ବଳରାମ ନାହାନ୍ତି ବୋଲି । ସଞ୍ଜୟ କଥା ଭାବିଲେ ସବୁଠାରୁ ବେଶି ଅଭିମାନ ଆସେ ନିହାରବାଳାର । ତା’ରି ପରି ଲୋକ ବି ଶେଷରେ ତାକୁ ଦୋଷ ଦେଲେ । ସେ ସଞ୍ଜୟର ଉପଯୁକ୍ତ ନୁହେଁ ବୋଲି ତାକୁ କହିଲେ-

ତା’ର ଇଚ୍ଛା ହେଉଥିଲା ଡାକ୍ତରଖାନା ଛାଡ଼ି ଚାଲିଯିବାକୁ । ଏଠି ସେ ସୁଖସନ୍ତୋଷ ପାଉନାହିଁ । ସମସ୍ତେ ତା’ର ଦୋଷ ଦେଖାଉଛନ୍ତି । ସମସ୍ତେ ତାକୁ ଆଘାତ ଦେବାକୁ ଚାହୁଛନ୍ତି । ସମସ୍ତେ ନିହାରକୁ ନିଜର କରିବା ଛଳନା ଦେଖାଇ ସାତ ପର କରିଛନ୍ତି । ନିନ୍ଦା ଦେଇଛନ୍ତି । କିନ୍ତୁ ବଳରାମ ତାକୁ ସେଯାଏ ପର କରିପାରି ନାହିଁ ।

ନିଜକୁ ନିଜେ ପଚାରିଲା—ଭଲ ପାଇବାରେ କ୍ଷତି କ’ଣ ...ଏଇ ପ୍ରଶ୍ନ ସମସ୍ତେ ସମସ୍ତଙ୍କୁ ଆଉ ସମସ୍ତେ ନିଜକୁ କେତେବେଳେ ନା କେତେବେଳେ, କିଏ ବହୁବାର, ଆଉ ବା କିଏ ଥରେଅଧେ ପଚାରିଥାନ୍ତି । ଭଲ ପାଇବା ବଦଳରେ ମୂଲ ମାହାସୁଲ ଗ୍ରହର କଲେ ସେଇଟାକୁ ଖରାପ ବୋଲି ନିନ୍ଦା କରାଯାଏ । ସମସ୍ତଙ୍କୁ ଏକାପରି ଭଲ ପାଇଲେ ସେ ପ୍ରକାର ଭଲ ପାଇବାକୁ ହୀନ ବୋଲି କୁହାଯାଏ । କିନ୍ତୁ ଜଣକୁ କୌଣସି ପାଇବାର ଆଶା ନ ରଖି ପ୍ରାଣପଣେ ଭଲ ପାଇଲେ ତାକୁ କୁହାଯାଏ ଆଦର୍ଶ ।

ନିହାରବାଳା ଓଠରେ ହସ ଖେଳିଗଲା । ଯୋଉ ମଣିଷ ଭଲ ପାଇବା ଶିଖାଇଛି, ସେଇ ପୁଣି ଭଲ ପାଇବାର କାଇଦା-କଟକଣା ଗଢ଼ିଛି । କେଡ଼େ ଅମାନିଆଁ ଏଇ କଟକଣାଗୁଡ଼ିକ ! ଆଜି ଯାହାକୁ ଭଲ ପାଇବ, ତାକୁ କାହିଁକି ସବୁବେଳେ ଆଉ ସବୁଦିନେ ଭଲ ପାଇବ ? ପିଲାଠାରୁ ବୁଢ଼ାଯାଏ ସମସ୍ତେ କେତେବେଳେ କୋଉ ଜିନିଷଟାକୁ ଭାରି ଅପୂର୍ବ ବୋଲି ସମ୍ପାଦିଥାନ୍ତି । ଯୋଉଥିରେ ମନ ଲାଗିଲା ତାକୁ ସେତେବେଳେ ସେଇ କେଇଦିନପାଇଁ ଏକାବେଳକେ ଅଣ୍ଟି ଧରିଥାନ୍ତି । ପୁଣି ତ ଛାଡ଼ି ଯାଆନ୍ତି ।

ମନ ବଦଳେ । ମନ ବଦଳିଗଲେ ତାଙ୍କର ଦିନକର ନୟନ-ପିତୁଳା ଓ ମନର ଖେଳଣା କୁଆପଥରପରି ମିଳେଇଯାଏ । ସେତେବେଳେ ତ କେହି କେବେ ଅଭିଯୋଗ କରିନାହିଁ ।

ଲୋକେ ଏମିତି ଅଯଥା ନିନ୍ଦା ଦେଇ ଦିନକର ସ୍ନେହକୁ, କ୍ଷଣିକର ଖିଆଲକୁ ଚିରସ୍ଥାୟୀ ଚିର ଶାଶ୍ୱତ କରି ରଖିବାକୁ ଲୋକନିନ୍ଦାଦ୍ୱାରା ଚେଷ୍ଟା କଲାବେଳେ କରୁଛନ୍ତି କ’ଣ—ନିହାର ଯେମିତି ଅଛି, ସେମିତି ଥାଉ । ଯେଉଁଠି ପଡ଼ିରହିଛି ସେମିତି ସେ ସେଇଠି ପଡ଼ିରହିଥାଉ ।

ନା, ସେ ରହିବ ନାହିଁ । ସମସ୍ତେ ସେ ଯାହାର କାମରେ ଲାଗିଛନ୍ତି । ପେଟ ପୋଷିବାକୁ ସବୁପ୍ରକାର ନିନ୍ଦା, ଦୁର୍ନୀତି, ଅନୀତି ପାସୋରି ଯାଉଛନ୍ତି । ହବା କଥା ତ ! ଖାଲି ଚରିତ୍ର କଥା ବଖାଣି ହେଲେ ଜୀବନ ସାର୍ଥକ ହୋଇପାରେ କି ? ନିଜପାଇଁ ନୁହେଁ—କିନ୍ତୁ ନିଜର ପିଲାଟିପାଇଁ ନିହାରକୁ ସବୁ ପାସୋରି ଯିବାକୁ ହେବ ।

ଚରିତ୍ର ଯଦି ବଞ୍ଚିବାରେ ସାହାଯ୍ୟ ନ କଲା ତେବେ ସେ ଚରିତ୍ର କ’ଣ ମୂଲ୍ୟହୀନ ନୁହେଁ-? ଅସତ୍ ଚରିତ୍ରର ଲୋକ କ’ଣ ଜୀବନରେ ସାର୍ଥକତା ପାଏ ନାହିଁ ? ଅସତ୍ ଚରିତ୍ରର ଲୋକ ଈଶ୍ୱରଙ୍କଠାରୁ କ’ଣ ଦୂରରେ ?

ନିଜ କଥା ମନେ ପକାଇଲାବେଳେ ସେ ତ ସ୍ପଷ୍ଟ ଦେଖିପାରୁଥିଲା ଯେ ତା’ର ଦୋଷ ହିସାବରେ ଗଣିଲେ ଖାଲି ଗୋଟିଏ ଦୋଷ ସେ ଦେଖିପାରୁଛି । ଚରିତ୍ର-ଦୋଷର ନିନ୍ଦା ଦେଇ ବଳରାମ ତାକୁ ଛାଡ଼ି ଦେଇଛନ୍ତି । ସେହି ଚରିତ୍ର-ଦୋଷର ସୁବିଧା ନେଇ ଦିଗମ୍ବରଙ୍କ ପରି କେତେ ଜଣ ଆସିଛନ୍ତି । ସେହି ଚରିତ୍ରଦୋଷ କାଳେ ସଂଶୋଧିତ ହୋଇଯିବ ବୋଲି ପଢ଼ାଉଥିବା ଡାକ୍ତରବାବୁଙ୍କ ପରି ଲୋକେ ବି ଉତ୍ପାତ କରିଛନ୍ତି । ସେହି ଚରିତ୍ରଦୋଷ ଖୁବ୍ ବଡ଼ ଦୋଷ ବୋଲି ଲୋକେ ତାଙ୍କର କାମଦାମ ଛାଡ଼ି ତା’ରି ବିଷୟରେ ଗୁଡ଼ାଏ କଥା କହି ହୋ ହୋ କରୁଛନ୍ତି ।

 

କେତେ ଦିନ ଅବା ଏହି ଚରିତ୍ରର ଦୋଷ ! ଟିକିଏ ସୁଖଶାନ୍ତିରେ ରହିବାପାଇଁ ଚେଷ୍ଟା କଲାବେଳକୁ ଏଇ ଲୋକନିନ୍ଦା ସେଠି ଆସି ପାହାଡ଼ ପରି ଠିଆ ହୋଇଯାଉଛି । ଲୋକଙ୍କଠାରୁ ଶୁଣି ଶୁଣି, ନିଜର ଦୋଷକୁ ବଡ଼ କରି ଦେଖିବାକୁ ଇଚ୍ଛା ହେଉଛି । ମନ ଭିତରୁ ଭୂତ ବାହାରି ଭୟ ଦେଖାଉଛି ।

 

ହେଲା ଏବେ ସେଇଟା ଭୁଲ୍ । କିନ୍ତୁ ଆଉ କୋଉ ବିଷୟରେ ନିହାରବାଳା ଅନ୍ୟମାନଙ୍କଠାରୁ ଅଲଗା ? ସବୁ ପ୍ରକାରରେ ସେ ନିଜର ପ୍ରତିଦିନର କାମକୁ ପରଖ କରିଥିଲା । ସେଥିରୁ ସେ ଅନ୍ୟମାନଙ୍କଠାରୁ ଅଲଗା ହୋଇ ରୁଚିବିହୀନ କି ନୀତିବିହୀନ କୌଣସି କାମ କରିଛି ବା କରୁଛି ବୋଲି ଦେଖିପାରିଲା ନାହିଁ ।

 

ସେହିମାନେ ଏବେ ତାଙ୍କର ନିଜର ବ୍ୟର୍ଥତା ଢାଙ୍କିବାକୁ ସେହି ବ୍ୟର୍ଥତାକୁ ଆଣି ଲଦି ଦେଉଛନ୍ତି ନିହାରର ଦଦରା ମନ ଉପରେ....ସେହିମାନେ କହୁଛନ୍ତି—ନିହାର ସମସ୍ତଙ୍କର । ନିହାର ସମସ୍ତଙ୍କର ମନ ନେବାକୁ ବ୍ୟସ୍ତ ।

 

କେଡ଼େ ମିଛ କଥା । କେବେ ତ ନିହାର ସେମାନଙ୍କର କି କାହାର ମନ ନେବାକୁ ଚେଷ୍ଟା କରିନାହିଁ । ତାକୁ ଲୋକେ ନିନ୍ଦା କରୁଛନ୍ତି ବୋଲି କାହାରି ପାଖରେ ବସି ତାଙ୍କର ଦୟା, ଅନୁକମ୍ପା କି ପ୍ରବୋଧ ନେବାକୁ ଆଖିରୁ ଲୁହ ଗଡ଼ାଇ ନାହିଁ ।

 

କେତେ ନାଁ ତା’ର ଦିଆଗଲାଣି ! ଡାକ୍ତରବାବୁ ଦେଇଛନ୍ତି ପ୍ରହେଳିକା’ ବୋଲି । ସଞ୍ଜୟର ବନ୍ଧୁ ଚୁପ୍ ଚୁପ୍ କରି କହୁଥିଲେ—ନିହାର ଦେବୀ, ତୁମେ ହେଉଛ ପ୍ରକୃତରେ ତୁଷାର ।

 

ସଞ୍ଜୟ ଜାଣେ ନାହିଁ । କହିଲେ ବିଚେରା ବଡ଼ ଦୁଃଖ ପାଆନ୍ତା । ବନ୍ଧୁଟି ଉପରେ ବିରକ୍ତ ହୁଅନ୍ତା । ସା କହୁଥିଲେ ଗଳ୍ପ ଲେଖିବେ ବୋଲି—ତୁଷାରର ଆଶୀର୍ବାଦ ।

 

ତାଙ୍କୁ କ’ଣ ନିହାର ଡାକି ଆଣିଥିଲା ? ସେ ଗଳ୍ପ ଲେଖନ୍ତି କି ନାହିଁ, କେବେ କଣ ନିହାର ବୁଝିବାକୁ ପାଇଥିଲା? ସେ ‘‘ତୁଷାରର ଆଶୀର୍ବାଦ ଓ ଅଭିଶାପ’’ ସେ ବିଷୟରେ ଗଳ୍ପ ଲେଖନ୍ତୁ—ଏଥିପାଇଁ କ’ଣ ନିହାର କେବେ ତାଙ୍କୁ ଅନୁରୋଧ ଜଣାଇଥିଲା ? ...ନୁହେଁ ତ ।

 

ଗଳ୍ପ ଲେଖିବେ ବୋଲି କହି ସେହି ବନ୍ଧୁଟି କ’ଣ ନିହାରକୁ ବିଚଳିତ କରିବାକୁ ଚେଷ୍ଟା କରି ନାହାନ୍ତି । ସେ କ’ଣ ଦେଖା ହେଲେ ନିହାରକୁ ନିନ୍ଦା କରିବେ ନାହିଁ । ନିହାରର ଚରିତ୍ର ବିଷୟରେ କରିବେ ତ ।

 

ଏଇ ତରୁଣମାନେ ବଡ଼ ବିଚିତ୍ର ଲୋକ । ଆପଣାଛାଏଁ ଆସି ବଳତ୍କାର କରି ଝଡ଼ର ବେଗରେ ମନର ପ୍ରୀତିକୁସୁମ ଢାଳିଦେଇ ଶେଷକୁ ଯେମିତି ଇଚ୍ଛା ସେମିତି କହିବେ ।

 

ସଞ୍ଜୟର ବନ୍ଧୁମାନେ ତାକୁ କେତେଗୁଡ଼ିଏ ନାଁ ଦେଇ ନ ଗଲେ ! ସେହିମାନେ କହିଲେ–ନିହାର ହେଉଛି ବିଚିତ୍ରା । ରୋଗୀମାନଙ୍କ ପାଖରେ ନିହାରର ଛବି କୁଆଡ଼େ ଅଲଗା ଅଲଗା ରକମର ଦିଶେ । ସେହି କଥା ଭାବିଲେ ନିହାର ବାରମ୍ବାର ଖୁସି ହୁଏ । ପ୍ରତ୍ୟେକ ରୋଗୀକୁ ଚାହିଁଲେ ନିଜ କଥା ଭାବେ...ସେ ସମସ୍ତଙ୍କ ପାଖରେ ଅଲଗା ।

 

ସେ ପ୍ରକୃତରେ ବିଚିତ୍ରା । ସେଥିପାଇଁ ସେ ନିଜର କାମରେ ଉତ୍ସାହ ପାଇଛି । ରୋଗୀମାନଙ୍କୁ ନିଜର କରିବାକୁ ଚେଷ୍ଟା କରିଛି । ସେମାନଙ୍କର ସେବା କଲାବେଳେ ନିଜକୁ ବିଚିତ୍ରା ବୋଲି ଭାବି ସେ ଗୋଟିଏ ନୂଆ ପ୍ରକାରର ପ୍ରେରଣା ପାଇଛି ।

 

କେତେ ଅଳ୍ପ ଦିନରେ ଲୋକଙ୍କର ନାନାପ୍ରକାର ମନର ପ୍ରଶଂସା ତା’ରି ଉପରେ ଅଜାଡ଼ି ହୋଇ ପଡ଼ିଛି—ଲୋକଙ୍କ ନିନ୍ଦା ଯେମିତି ପ୍ରଶଂସା ବି ସେମିତି ।

 

ଏବେ ଡାକ୍ତରବାବୁଙ୍କ ମନକୁ କ’ଣ ଲାଗିଛି କେଜାଣି, ସେ ସବୁବେଳେ ତାକୁ ଡାକୁଛନ୍ତି ‘ମାୟା’ ବୋଲି । ସେ ନିହାର ନୁହେଁ । ସେ ହେଉଛି ମାୟା । ତାଙ୍କୁ ଦେଖିଲେ ତାଙ୍କର ସବୁ ଅନ୍ୟାୟ ପାସୋରି ଯିବାକୁ ଆତ୍ମା ଡାକେ । ପ୍ରଥମେ ସେ ଯାହା ଭାବି ଯାହା କରିଥାନ୍ତୁ, ଶେଷରେ ସେ ତାଙ୍କର ବ୍ୟବହାରରେ ନିହାରକୁ ତାଙ୍କ ଆଡ଼କୁ ଟାଣି ନେଇଛନ୍ତି ।

 

ତାଙ୍କ ପାଖରେ ଠିଆ ହେଲେ ନିହାରବାଳାକୁ କେମିତି ଗୋଟାଏ ମଜା ଲାଗେ । ସେ କ’ଣ ସତରେ ଜଣେ ମାୟା... ହୋଇଥିବ । କାମ ଭିତରେ, ଡାକ୍ତରଖାନା ଭିତରେ କେଜାଣି କେମିତି ସୁବିଧା କରି ସେ ତ ନିହାରବାଳାକୁ କହିଦିଅନ୍ତି...ନିହାରର ଚାହାଣୀ, ପୋଷାକ, ବସିବାର ଢଙ୍ଗ, କହିବାର ଲହର, ହସିବାର ଛଟା ସବୁ ଯେପରି ନୂଆ ।

 

ତାଙ୍କର ବୟସ ବହୁତ ହେଲାଣି ତ । ଜୀବନରେ ସେ ଏଇ ବାଟରେ ଯଦି ସବୁଦିନେ ଚାଲିଥିବେ, ତେବେ ସେ କେତେ-ପ୍ରକାରର ମଣିଷ ଦେଖି ନ ଥିବେ ! ସେ ସମସ୍ତଙ୍କ ଭିତରେ ଏଇ ନର୍ସ ନିହାରବାଳାକୁ ସେ ଅଲଗା କରି ଏତେ ସ୍ତବ ବୋଲି ପାରୁଛନ୍ତି ।

 

ବରଂ ନିହାରର ମନ କଷ୍ଟ ହେଉଛି ଯେ ସେ ଯେପରି ଡାକ୍ତରବାବୁଙ୍କ ସ୍ନେହର ଉପଯୁକ୍ତ ପ୍ରତିଦାନ ଦେଇପାରି ନାହିଁ । ତାଙ୍କୁ ସେ ଯେପରି ମନ ପୂରାଇ ଭଲ ପାଇପାରି ନାହିଁ । ତାଙ୍କର ସ୍ନେହର ଗଭୀରତା ଅଟକଳ କରିପାରି ନାହିଁ ।

 

ଚରିତ୍ର-ଦୋଷ ତାଙ୍କର ଯେମିତି ଅଛି ନିହାରର ବି ଠିକ୍‌ ସେମିତି । କିନ୍ତୁ ନିହାରବାଳା ତାଙ୍କୁ କ’ଣ ସେମିତି ପ୍ରେମପୂର୍ଣ୍ଣ ଆଖିରେ ଦେଖି ତାଙ୍କର ସୌନ୍ଦର୍ଯ୍ୟ କାଢ଼ି ପାରିଛି କି? ନୁହେଁ ତ ।

 

ନିଜକୁ ସେ ମାୟା, ବିଚିତ୍ରା ଆଉ ତୁଷାର ବୋଲି ଭାବିଥିଲା । ଏତେଗୁଡ଼ାଏ ନାଁ ତା’ର ବିଭିନ୍ନ ଲୋକଙ୍କ ସାଙ୍ଗରେ ପରିଚୟର ଗୋଟିଏ ଗୋଟିଏ ଚିହ୍ନ । ସେ କାହାରିକୁ କହିନାହିଁ । ପ୍ରତ୍ୟେକଙ୍କ କଥା ସେ ଗୋପନ ରଖିଛି । କିନ୍ତୁ ସେହି ସେହି ଲୋକଙ୍କ କଥା ମନେ ପଡ଼ିଲେ ଆଉ ତାଙ୍କରି ସାଙ୍ଗରେ ଦେଖା ହୋଇଗଲେ ସେ ନିଜକୁ ସେମିତି ସେହି ପ୍ରକାରର କରିବାକୁ ଚେଷ୍ଟା କରେ ।

 

ଏଥିରୁ ଜୀବନର ସୁଆଦ ନିହାର କ’ଣ ପାଇନାହିଁ ? ଚରିତ୍ରହୀନତାରୁ ସେ କ’ଣ ବଞ୍ଚିବାର ଯଥାର୍ଥତା ପାଇଁନାହିଁ ? ନାନା ନିନ୍ଦା ଓ କଳଙ୍କରେ ଜଡ଼ି ହୋଇ ରହିଥିବା ନିହାରବାଳା କ’ଣ ଏଇ ଚରିତ୍ରହୀନତାରୁ ଜୀବନର ଗୋଟିଏ ମଧୁର ସ୍ପର୍ଶ ପାଇନାହିଁ ?

 

ପାଇଛି ତ । ତା’ର ମାୟା ଆସିଛି ଏହି ଡାକ୍ତରଖାନା ପ୍ରତି ଆଉ ଏହି ନୂଆ ଜୀବନ ପ୍ରତି-। ସେଥିରେ ସଞ୍ଜୟ କହୁଛନ୍ତି—ସେ ଗୋଟିଏ ପ୍ରହେଳିକା । ହେଲେ ଏବେ ସେ ପ୍ରହେଳିକା-। ପଦେ କଥାରେ ସେ କ’ଣ ମନ ଲୁଟାଇ ଦେବ ସଞ୍ଜୟ ପାଖରେ ? ...ନା ।

 

ଯେଉଁ ଚିଠି ଯାଉଛି ଯାଉ । ଚିଠିଟିକୁ ଥୋଇ ନିହାରବାଳା ଦେଖିଲା ଯେ ତା’ର ଜୀବନ ସବୁଦିଗରେ ପରିପୂର୍ଣ୍ଣ । ତାକୁ ତା’ର ସ୍ୱାମୀ ଭଲ ପାଇପାରି ନ ଥିଲେ । କିନ୍ତୁ ଭଲ ପାଇବା ତାକୁ ହତାଶ କରିନାହିଁ । ତା’ର ଜୀବନରେ ଆଶା ଜଗେଇଛି । ଖରାପଟାକୁ ଭଲ ବୋଲି ଭାବିବାକୁ ଶିଖାଇଛି । ନିଷ୍ଫଳତାକୁ ସାର୍ଥକତା କରିବାକୁ, ଭଙ୍ଗୁର, ଅସାର କଥାକୁ ଅଳ୍ପଦିନପାଇଁ ହେଉ ପଛକେ, ସତ ଓ ଅକ୍ଷୁର୍ଣ୍ଣ ବୋଲି ଭାବିବାକୁ ତା’ର ମନରେ କଳ୍ପନା ଜଗାଇଛି ।

 

ହଷ୍ଟେଲର ମାଟ୍ରନ୍‌ ସବୁବେଳେ ସମସ୍ତଙ୍କ ଉପରେ ବିରକ୍ତ । ତାଙ୍କର ଖାଲି ଗୋଟିଏ କାମ—ଏଇ ତରୁଣୀମାନଙ୍କର ଚରିତ୍ର ସଂଶୋଧନ କରିବା । ସେମାନେ ଯେମିତି କାହାରି ପାଖକୁ ଚିଠି ନ ଦିଅନ୍ତୁ କି ଚିଠି ନ ପାଆନ୍ତୁ—ତା’ର ତଦାରଖ କରିବା ।

 

ତାଙ୍କର ପାଟି ଶୁଭିଲା । ନିହାରବାଳା ଚିଠି ଲୁଚାଇ ଦେଇ ଶୋଇପଡ଼ିଲା । ସେ ଘରଭିତରକୁ ପଶିଆସି ନିହାରକୁ ପଚାରିଲେ—ମୁଁ ଶୁଣୁଛି, ତମେ ବହୁତ ଚିଠି ପାଉଛ ?

 

—ନାହିଁ ତ । ଆଗରୁ ଚିହ୍ନା ଲୋକେ କେବେ କେମିତି କିଏ ଚିଠି ଦିଅନ୍ତି । ଡାକ୍ତରଖାନାକୁ ଆସିବା ପରେ ମୁଁ ତ କାହାକୁ ଚିଠି ଦେଇନାହିଁ । ଚିଠି ନ ଦେଲେ ସେମାନେ ବାରମ୍ୱାର ଚିଠି ଦେଇ ବିରକ୍ତ କରିବେ ବୋଲି ଭାବୁଛି । ଚିଠି ଲେଖି ସମସ୍ତଙ୍କୁ ମନା କରିଦେବି ।

 

—ହଁ, ସେମିତି କର । ଚିଠି ଆସିଲେ ଆମର ଦୁର୍ନାମ ହେବ ।

 

ନିହାର କୌଣସି କାରଣ ନ ଥିଲେ ବି ତାଙ୍କୁ କହିଲା—ତମର ଆଜି କାହିଁକି ମୁହଁ ଶୁଖିଲା ଦିଶୁଛି ? ଦେହ ଭଲ ନାହିଁ କି ?

 

—ନା । ମୁଣ୍ଡ ଧରିଛି ।

 

ଅଧୈର୍ଯ୍ୟ ହୋଇ ନିହାର ଔଷଧ ଆଣି ଜବରଦସ୍ତି ଲଗାଇଲା । ବିଛଣାର ଶୁଆଇ ତାଙ୍କର ମୁଣ୍ଡ ଆଉଁସି ତାଙ୍କର ବହୁତ ତାରିଫ୍‌ କଲା । ଦରକାର ନ ଥିଲେ ବି ତାଙ୍କପ୍ରତି ବହୁତ ଉତ୍ସାହ ଥିବାର ଛଳନା କଲା । ସେ ସହାନୁଭୂତି ଦେଖାଇ ପଚାରିଲେ—ନର୍ସ କାହିଁକି ହେଲ ? ଏଠି ତ ସମସ୍ତେ ନର୍ସଠାରୁ ଯାହା ନେବାର ନେବେ । ତାକୁ ଶେଷରେ କାଙ୍ଗାଳି କରି ମଶାଣିକୁ ଠେଲି ଦେବେ ।

 

ଦୀର୍ଘନିଶ୍ୱାସ ପକାଇ ନିହାର କହିଲା—ମୋତେ ତ ସମସ୍ତେ ବାହାର କରିଦେଇଛନ୍ତି । ନିଜର ଲୋକେ ଠେଲି ଦେଇଛନ୍ତି ମରିବାପାଇଁ ଖରା କାକରରେ ।

 

ମାଟ୍ରନ୍‌ଙ୍କ ମୁହଁ ଭାରାକ୍ରାନ୍ତ ଦିଶିଲା । ତାଙ୍କର ଜୀବନ ଠିକ୍‌ ଏମିତି । ଚରିତ୍ର-ଦୋଷରୁ ସମାଜ-ଚ୍ୟୁତ ହୋଇ ଡାକ୍ତରଖାନାକୁ ଆସିଥିଲା । ପୁରୁଣା ଜୀବନର ଗୋଟିଏ ଚିହ୍ନ ରହିଯାଇଛି...ଗୋଟିଏ ପିଲା । ତା’ର ବାପା ତାକୁ ଗ୍ରହଣ କରି ନାହାନ୍ତି । ମା ବୋଲି ସେ ତାକୁ ଛାଡ଼ିପାରି ନାହିଁ । ତା’ରି ମୁହଁକୁ ଚାହିଁ ସେ ଆଜିଯାଏ ବଞ୍ଚିଛି ।

 

ଆପଣା ମନକୁ ସେ କହିଲେ—ଦରପାଠୋଇ ଆଉ ମନରେ ଫାଜିଲ ହୋଇଥିଲେ ସ୍ତ୍ରୀର ବହୁତ ବିପଦ ।

 

ଦୁଇଟି ନାରୀ ପରସ୍ପର ମୁହଁକୁ ଚାହିଁ ଆଖି ଚାରୋଟି ଭାରାକ୍ରାନ୍ତ କରିଥିଲେ...ଜୀବନର ଦୁଃଖ ସମାନ । ନିହାର ଭାବୁଥିଲା ଯେ ଯେଉଁ ଦୋଷ କି ଦୁର୍ବଳତା କଥା ସେ କହୁଥିଲେ, ସେଗୁଡ଼ିକ ବି ନିହାରର ଅଛି । ସେ କ’ଣ ତାଙ୍କରି ପରି ଦିନେ ଏମିତି ଶୁଖିଲା ପତ୍ର ପରି...ନୁହେଁ ଗଛର ନୁହେଁ ମାଟିର ହୋଇ ଗଛରେ ଝୁଲୁଥିବ ?...ତାଙ୍କରି ପରି ସେ କ’ଣ ଦିନେ ଏମିତି ମୁଣ୍ଡବାଳକୁ କଳା ଓ ଧଳା କରି ଅନୁତାପର ଦୀର୍ଘନିଶ୍ୱାସ ପକାଇବ ତା’ର ଏଇ ତୁଷାର, ପ୍ରହେଳିକା, ମାୟା ଆଉ ବିଚିତ୍ରା ନାଁଗୁଡ଼ିକ ଲୁଚିଯିବ ?

 

ସେ କ’ଣ ଭାବୁଥିଲା ଆଉ ଭାବିଥାନ୍ତା । ମାଟ୍ରନ୍‌ଙ୍କ ମୁହଁକୁ ଚାହିଁ ପଚାରିଲା—କ’ଣ କଲେ ବୟସ ଦିନକୁ ଦୁଃଖ ରହିବ ନାହିଁ ?

 

—ସେ କଥା ମୁଁ କହିପାରିବି ନାହିଁ । ଯାହାକୁ ଅଳ୍ପ ବୟସରେ ବେଶି ଆନନ୍ଦ ମିଳେ, ତାକୁ ବେଶି ବୟସରେ ବେଶି ଦୁଃଖ ମିଳେ । ହେଲେ ବି ବୟସ ଥିବାଯାଏ ଜୀବନକୁ ଭୋଗ ନ କଲେ, ବୟସ ଗଲାପରେ ଆଉ କିଛି ନ ଥିବ...ହେଉ ପଛକେ ଶେଷକୁ ମନସ୍ତାପ, ଅନୁତାପ ଆଉ ଦୁଃଖର ବାହୁନା, କିନ୍ତୁ ଯୌବନକୁ ନଷ୍ଟ କରିବା ଉଚିତ ନୁହେଁ ।

 

—ବଡ଼ ହେଲେ ବୁଝିବ । ମୋରି ପରି ଯେତେବେଳେ ତୁମର ମୁଣ୍ଡବାଳ ଧଳା ହେବ, ହଲିଲା ଦାନ୍ତ ପଡ଼ିବ, ବୁଢ଼ୀ ବୋଲି ଯେତେବେଳେ ଲୋକେ ତମୁକୁ ଆଉ ଚାହିଁବେ ନାହିଁ, ସେତିକିବେଳେ ମନରେ ଗୋଟାଏ ଭୀଷଣ ପ୍ରତିଶୋଧର ଇଚ୍ଛା ଆସେ । ଯାହା କରି ନ ଥିଲି, ସେତକ କରିବାକୁ ଇଚ୍ଛା ହୁଏ । ଯାହା ନେଇ ନ ଥିଲି, ସେତକ କାଢ଼ିନେବାପାଇଁ ବ୍ୟାକୁଳତା ଆସେ-। ଆଜି ମୋର ପ୍ରଧାନ ଅନୁତାପ ଯେ ମୁଁ ଲୋଭ କରି ନ ଥିଲି । ଲୋଭ କରିଥିଲେ, ଅନ୍ୟକୁ ଲୁଟି କରିଥିଲେ ମୋର ମୂଲ ଗଣ୍ଡାକ ମୁଁ ନେଇଯାଇଥାନ୍ତି । ଆଜି ଆଉ ଆଖି ଓ ମନ କାନ୍ଦନ୍ତା କାହିଁକି-?

 

କହି ବେଶିଗୁଡ଼ାଏ କହିଯାଉଛନ୍ତି ବୋଲି ସେ ଉଠିଗଲେ । ଚାରିଆଡ଼େ ମାଟ୍ରନ୍‌ କଥା ବୁଝିବାକୁ ଅନ୍ୟ ନର୍ସମାନେ ଆସି ଏ ପାଖ ସେ ପାଖ ହେଲେଣି । ତାଙ୍କୁ ସମସ୍ତେ ଖବର ଦେଇ ପଠାଇଥିଲେ । ନିହାରବାଳା ପାଖରେ ବହୁତ ଚିଠି ଅଛି । ସେ ଧରିବେ । ସେ କାମ ନ କରି ଆସି ନିହାର ବିଛଣାରେ ଶୋଇ ଖୁସି ଗପ କରୁଛନ୍ତି ।

 

ନିହାର ସେଦିନ ମାଟ୍ରନ୍‌ଙ୍କ କଥାଗୁଡ଼ିକ ନିଜପାଇଁ ଲଗାଇଲା ବେଳେ ଆପଣା ମନରୁ ଉତ୍ତର ପାଇଲା—ସେମିତି ସେ କରିବ ନାହିଁ । ଛାଡ଼ିଗଲା ଲୋକେ ଛାଡ଼ି ଯାଆନ୍ତୁ । ସେ ଯେମିତି କାହାକୁ ଆସିବାକୁ କହିବ ନାହିଁ, କାହାରିକୁ ଯିବାକୁ ମଧ୍ୟ କହିବ ନାହିଁ । ଥିଲାବେଳେ ତାଙ୍କୁ ସେ ଧରି ରଖିବାକୁ ବି ଚେଷ୍ଟା କରିବ ନାହିଁ ।

 

ସେମାନେ ଯେତେ ଇଚ୍ଛା ସେତେ ନାଁ ଦିଅନ୍ତୁ । ଯେତେପ୍ରକାରେ ତାଙ୍କ ମନ ସେପରି ସ୍ନେହ, ଆଦର ଦେଖାନ୍ତୁ, ସେଥିରେ ନିହାର ଭୁଲିବ ନାହିଁ । ସେମାନଙ୍କୁ ଭଲ ନ ପାଇଲେ ବି ଘୃଣା କରିବ ନାହିଁ । ନିଜର ଜୀବନକୁ ସେ ଥରେ ପରଖ କରିବ । ଆଉ ଯଦି ସୁବିଧା ହୁଏ, ଆଉ ମାଟ୍ରନ୍‌ ସେତେବେଳକୁ ବଞ୍ଚିଥାନ୍ତି, ତାଙ୍କୁ କହିବ ଯେ ବିନା ଦୁଃଖରେ, ଅନୁତାପରେ ଜୀବନ ବିତାଇବାକୁ ହେଲେ, ମିଳିଲାବେଳେ ସବୁ ଜିନିଷ ନେଇଯିବା, ବୁଦ୍ଧି ଖଟାଇ ଅନ୍ୟକୁ ସର୍ବସ୍ୱାନ୍ତ କରିବା ଠିକ୍‌ ବାଟ ନୁହେଁ ।

 

ସେତେବେଳେ ତା’ର ସେହି ଛାଡ଼ିଆସିଥିବା ସ୍ୱାମୀ ବଳରାମଙ୍କ ପ୍ରତି, ଛାଡ଼ି ଦେଇଥିବା ଦିଗମ୍ୱରଙ୍କ ପ୍ରତି, ମନା କରିଦେଇଥିବା ସଞ୍ଜୟ ପ୍ରତି ସ୍ନେହ ଆସିଲା । ଦେଖାଇ ନ ପାରିଲେ ବି ସେ ସମସ୍ତଙ୍କୁ ଭଲ ପାଇଛି । ସବୁ ଦିନକୁ ମନେ ରଖିବ । ସବୁ ଦିନକୁ ଭଲ ପାଇବ ?

 

ଇଚ୍ଛା ହେଲା, ବଳରାମଙ୍କ ପାଖକୁ ଖଣ୍ଡେ ଚିଠି ଦେବାକୁ । ସେ ତାଙ୍କୁ ଖୋଲି ଲେଖିଦେବ ଯେ ନିହାର ତାଙ୍କ ପାଖକୁ ଫେରିବାକୁ ଚାହେଁ ନାହିଁ । କିନ୍ତୁ ସେ ଯଦି ନିହାରଠାରୁ କିଛି ଆଶା କରନ୍ତି, ନିହାରକୁ କୌଣସି କାମରେ ଲଗାଇବାକୁ ଭାବନ୍ତି, ତେବେ ସେ ବଳରାମଙ୍କ ପାଇଁ ସେତକ କରିବାକୁ ସବୁବେଳେ ତିଆର ।

 

ବଳରାମଙ୍କ କଥା ଭାବି, ତା’ର ମନରେ ବଳରାମଙ୍କ ବିଷୟରେ ଧାରଣା ହେଲା ଯେ ସେ ଭୁଲ୍‌ ବୁଝି, ଲୋକଙ୍କ କଥାରେ ପଡ଼ି ନିହାର ପ୍ରତି ଅନ୍ୟାୟ କରିଛନ୍ତି । ଭୁଲ୍‌, ଦୋଷ ସମସ୍ତଙ୍କର ଥାଏ—କାହାର ବେଶି, କାହାର କମ୍‌ । ସେଥିପାଇଁ କ’ଣ କ୍ଷମା ମିଳେ ନାହିଁ ? ସେ ତ କ୍ଷମା ଦେଲେ ନାହିଁ । ଏବେ ନିହାର ତାଙ୍କୁ କ୍ଷମା ଦେବ ।

 

ସେ ନିଶ୍ଚୟ ଚିଠି ଦେବ । କାଳେ ମନ ବଦଳିଯିବ ବୋଲି ସେ ସେତିକିବେଳେ ବସି ଚିଠି ଲେଖିଲା । ଛୋଟିଆ ଚିଠି...ସେଥିରେ କାକୁତିମିନତି ନାହିଁ, ଘୃଣା ନାହିଁ । ପରିଚିତ ଲୋକର ଚିଠି ପରି ସେ ସଞ୍ଜୟ କି ଦିଗମ୍ୱରଙ୍କ ପାଖକୁ ଲେଖିଲା ପରି ତାଙ୍କରି ପାଖକୁ ଲେଖିଲା । ଆଉ ସବା ଶେଷରେ ଲେଖିଲା, ଖାଲି ‘ନିହାରବାଳା’...ତୁମର କି ଆପଣଙ୍କର ବିନୀତ, ସ୍ନେହାଧୀନ କି ଇଚ୍ଛାଧୀନ କିଛି ଲେଖିଲା ନାହିଁ ।

 

ସେ ଦିନ ସେ ସମସ୍ତଙ୍କୁ ପାଖକୁ ଆଣିଛି ଅବା ସମସ୍ତଙ୍କଠାରୁ ଦୂରେଇ ଯାଇଛି, ସେ ଜାଣେ ନାହିଁ । ସେ ଦିନ ସେ ଚରିତ୍ରହୀନା କି କ୍ଷମାଶୀଳା—ସେ କଥା ସେ କହିପାରିବ ନାହିଁ ।

 

କେତେ ଜଣ ନାରୀ ଏଇ ନର୍ସ ନିହାରବାଳା ପରି ନିଜ ଉପରେ ମାଡ଼ିପଡ଼ୁଥିବା ନିନ୍ଦା, ଅପବାଦ, ଅପମାନକୁ ଠେଲିଦେଇ ଏତିକି ସ୍ନେହ ଦେଖାଇ ପାରନ୍ତି ? ଖରାପ ଲୋକଙ୍କୁ ଖରାପ ନ କହି ରହିପାରନ୍ତି ? ଭଲ ଲୋକକୁ ଭଲ ବୋଲି ଭାବି ପାଖକୁ ଟାଣି ଆଣିବାକୁ ଚେଷ୍ଟା ନ କରନ୍ତି-?

 

ଇଚ୍ଛା ହେଉଥିଲା ଏଇ କଥା ନିହାର ସମସ୍ତଙ୍କୁ କହିବ...କିନ୍ତୁ କହିବାକୁ ଲୋକ ନାହିଁ । ସଞ୍ଜୟର ବନ୍ଧୁମାନେ ହେଲେ ଶୁଣନ୍ତେ । ଶୁଣିଲେ ବୁଝନ୍ତେ କାହାରିକୁ କହିଲ, କେହି ଅବା ତା’ର ଅଭିଶପ୍ତ ଜୀବନରୁ ଟିକିଏ ଆନନ୍ଦ ପାଆନ୍ତା । ନିଜର ଦୁର୍ବହ ଜବୀନକୁ ସୁଖକର ଭାବନ୍ତା ।

 

ଖାଲି ଚରିତ୍ରର ଦୋଷକୁ ଖୁବ୍‌ ବଡ଼ ସ୍ଥାନ ଦେଇ ଯେଉଁମାନେ ସେହି ବିଚାର ଉପରେ ନିଜର ଜୀବନକୁ ବୃଥାରେ ଅଭିଶପ୍ତ କରିଦିଅନ୍ତି, କେବଳ ସେହିମାନଙ୍କ ପାଇଁ କେମିତି ହେଲେ ପଦେ ନିହାର କହିପାରନ୍ତା । ମୁହଁ ଖୋଲି ସେ ହେଲେ କହନ୍ତା ଯେ ଚରିତ୍ରର ଦୋଷ ନାରୀକୁ ଏକାବେଳକେ ଘୃଣ୍ୟ, ନାରକୀ କରିଦିଏ ନାହିଁ । ସେ ସବୁ ବିଷୟରେ ସେମାନଙ୍କ ସାଙ୍ଗରେ ସମାନ-

 

କିନ୍ତୁ ସେମାନେ ଜାଣନ୍ତି ନାହିଁ ଗୋଟିଏ କଥା—ଯାହା ସ୍ୱାମୀପରିତ୍ୟକ୍ତା, ଚରିତ୍ରହୀନା ନିହାରବାଳା କହିପାରିବ । ଚରିତ୍ର-ହୀନତା ମନରେ ଅଧିକ ସୁସମ ଭାବ ଆଣେ, ହୃଦୟରେ କ୍ଷମା ବଢ଼ାଏ । ସଂସାରଟାକୁ ସ୍ୱପ୍ନମୟ, ସୁଖମୟ ଓ ଇଙ୍ଗିତମୟ କରିଦିଏ ।

 

ଆଉ ବି ତାଙ୍କୁ କହନ୍ତା—ଦୁନିଆର ଅସଂଖ୍ୟ ନାରୀ ପ୍ରକୃତରେ ଭଲ ପାଇବା ନ ଦେଇ ମଧ୍ୟ ଦେଉଥିବାର ଛଳନା କରି ନିଜର ମନକୁ ସବୁବେଳେ ବିଷାକ୍ତ କରି ରଖନ୍ତି । ନାନାପ୍ରକାରରେ ଶରୀରକୁ ପୀଡ଼ା ଦେଇ ମନକୁ ପାସୋରାଇବାକୁ କପଟ ଅଭିନୟ କରୁଥାନ୍ତି ।

 

ସେମାନେ ଯଦି କିଛି ଦିନପାଇଁ ଏଇ ନିହାରପରି ନର୍ସ ନ ହେଲେ ବି ଚରିତ୍ରହୀନ ହୁଅନ୍ତେ, ମନକୁ ଅସାଧ୍ୟ ସାଧନ ନ କରି ମନ ଅନୁସାରେ ଅଳ୍ପ କିଛିଦିନ ଚଳନ୍ତେ, ତେବେ ତାଙ୍କର ଆପଣାଛାଏଁ ଜୀବନର ମାର୍ଗ ବଦଳିଯାଆନ୍ତା । ...କାହାକୁ ସେ କହିବ ! କିଏ ବା ସେ କଥା ବୁଝିବ-!

 

ଚରିତ୍ରହୀନା ନାରୀ ଯେତିକି ସଂସାରର ପରିବାରକୁ ଆଉ ବ୍ୟକ୍ତିଗତ ଭାବରେ ତା’ର ସ୍ୱାମୀ ଓ ପ୍ରେମିକକୁ ସୁଖୀ କରିପାରେ—ସେତିକିର ସମ୍ୱାଦ ସେମାନେ ହେଲେ ପାଆନ୍ତେ !

 

ହଷ୍ଟେଲର ଘଣ୍ଟା ପଡ଼ିଲା । ନିହାରବାଳା ନିଜର ସେହି ଅଛିଣ୍ଡା ଭବାନାର ଖିଅକୁ ଗୋଟାଇ ନେଇ ବିଛଣା ଉପରେ ବସିଲା...ଏସବୁ ସ୍ୱପ୍ନ । ଏସବୁ ଖାଲି ମନର କଳ୍ପନା । ଏଇ ସଂସାରର ଲୋକେ ଏସବୁ ବୁଝିବେ ନାହିଁ । ମାଟ୍ରନ୍‌ ବୋଧହୁଏ ଠିକ୍‌ କହିଥିଲେ ।

 

କେଇଦିନ ଶୁଖିଲା ରହିଲା ପରେ ଯେତେବେଳେ ପହିଲି ବର୍ଷାର ପାଣି ପବନର ଧୂଳିକୁ ନିଜ ଦେହରେ ବୁହାଇ ଆଣି ମାଟି ଉପରର ଧୂଳି-ମଖା ଗଛ ପତ୍ର ଉପରେ ଛିଞ୍ଚେ, ସେତେବେଳେ ମନେ ହୁଏ, ସତେ ଯେପରି ଗଛପତ୍ରଗୁଡ଼ିକ ଆଶ୍ଚର୍ଯ୍ୟ ହୋଇ ପଚାରୁଛନ୍ତି—ଏମିତି କ’ଣ ପାଣି ପଡ଼ିବ ?...ଥଣ୍ଡା ପାଣି ।

 

ନିହାରବାଳାର ଅଭିଶପ୍ତ ଜୀବନର କଳୁଷ ଉପରେ ଯେତେବେଳେ ଏହି ଉତ୍ସାହର ପହଲି ଦାଗ ତା’ର ଦୁଃଖ ଦୂର କରିବାକୁ ଚେଷ୍ଟା କରିଥିଲା, ସେତିକିବେଳେ ତା’ର ମନ ଇତସ୍ତତ ହୋଇ ପ୍ରଶ୍ନ କରୁଥିଲା—ଅଭିଶପ୍ତ ଜୀବନରେ ଉତ୍ସାହ କ’ଣ ଏମିତି ଦେଖା ଦେଇପାରେ?...ଏଇ କ’ଣ ଆରମ୍ଭ ନା ଶେଷ ?

 

କଳଙ୍କପସରା ଉପରେ ପୁଣି ନୂଆ କଳଙ୍କ ପରି ଯେଉଁ କେତୋଟି ଘଟଣା ତା’ରି ଜୀବନରେ ରେଖାପାତ କରିଥିଲା, ସେହି ଘଟଣାଗୁଡ଼ିକୁ କେନ୍ଦ୍ର କରି ସେ ନିଜକୁ ନିଜେ ପଚାରିଥିଲା–ନୂଆ କଳଙ୍କ ଆଉ ଜୀବନକୁ ସୁନ୍ଦର କି ସୁଖକର କରିବ କେମିତି ?

 

ପ୍ରଶ୍ନର ଉତ୍ତର କେହି ଦେଇ ନ ଥିଲେ । ପ୍ରତ୍ୟେକ ପ୍ରଶ୍ନକୁ ତାରି ଉତ୍ତର ପୁଣି ପ୍ରଶ୍ନପରି ପଚାରିଥିଲା । ମେଘୁଆ ଆକାଶର ବିଜୁଳିର ଛଟା ପରି ପ୍ରଶ୍ନଗୁଡ଼ିକ ଆପଣାଛାଏଁ ତା’ର ମନର ଆକାଶକୁ ଆଲୋକିତ କରି, ତା’ର ମନ ଭିତରର ଅନ୍ଧାରକୁ ଠେଲି ଦେଇ ତାକୁ କହିଥିଲେ—ଅନ୍ଧାରରେ ବସି ରହିବା ଜୀବନ୍ତ ମଣିଷର ଧର୍ମ ନୁହେଁ ।

 

ନିଜର ଭୁଲ୍‌ରୁ ହେଉ ବା ଅପରର ବୁଝିବା ଦୋଷରୁ ଯେଉ ଯଦି କୌଣସି କାରଣରୁ ଜୀବନଟା ତୁଚ୍ଛ ମନେ ହେଉଛି, ତେବେ ସେହି ବ୍ୟର୍ଥ-ଜୀବନକୁ ବସି ବସି ଆଉଁସିବା ଆହୁରି ଅଧିକ ଦୁଃଖକର ଓ ହାନିକର ।

 

ଜଣାଶୁଣା ମଣିଷଙ୍କର ଜଣାଶୁଣା କଥାର ମାନଦଣ୍ଡରେ ମାସ ହେଲେ ମଣିଷର ଜୀବନର ତଉଲ ନିଆଯାଏ । କୌଣସି ପ୍ରକାରର ଜୀବନ ଅଭିଶପ୍ତ ନୁହେଁ । କେହି ସମ୍ପୂର୍ଣ୍ଣ ଭାବରେ ବ୍ୟର୍ଥ ନୁହେଁ । ଅତି ବ୍ୟର୍ଥ ଓ ଅତି ହେୟ ଓ ହୀନ ଜୀବନରେ ମଧ୍ୟ ହୃଦୟର ସ୍ପନ୍ଦନ ଥିବାଯାକେ, ପ୍ରାଣବାୟୁର ଆଲୋଡ଼ନ ଥିବାଯାକେ, ସେହି ଜୀବନର ମୂଲ୍ୟ ଅଛି—ସେହି ମୂଲ୍ୟ ହେଉଛି ଅପରର ସେବାରେ ନିଜକୁ ଲଗାଇବ ।

 

ମଣିଷକୁ ମପାଯାଏ ଏଇ ଗୋଟିଏ ମାନଦଣ୍ଡରେ । ପ୍ରତ୍ୟେକ ଜୀବନର ମାପ ଠିକ୍‌ ଏମିତି ଏଇ ପ୍ରକାରେ ସବୁ ଦେଶରେ ଓ ସବୁ ଯୁଗରେ ନିଆଯାଇଛି ଓ ନିଆଯାଉଥିବ । ଏହି ନିଖିଳ ବିଶ୍ୱରେ ଅଦରକାରୀ ଓ ଘୃଣ୍ୟ ଜିନିଷ କିଛି ନାହିଁ । ପ୍ରତ୍ୟେକ ଜୀବନ୍ତ ଶରୀରରେ ଆତ୍ମା ଅଛି ପରମାତ୍ମା ବିରାଜମାନ କରୁଛନ୍ତି । ସେ ଏହିସବୁ ଦୋଷଗୁଣର ବିଚାର ରଖନ୍ତି ନାହିଁ ।

 

ସାଧୁସନ୍ଥଙ୍କର ଯେତିକି ଦୋଷ ଅଛି, ଅତି ପାପାତ୍ମା ପାପିଷ୍ଠଙ୍କର ମଧ୍ୟ ସେମିତି ଗୁଣ ଅଛି । ଏଇ ଦୋଷ-ଗୁଣର ଅଧିକାରୀ ହେବା ମଣିଷର ଦୋଷ ନୁହେଁ । କେତେଗୁଡ଼ିଏ ତା’ର ଦେଶ, କାଳ, ପାତ୍ରର ଫଳ । ଆଉ କେତୋଟି ତାହାର ଏଇ ଜନ୍ମ ଓ ପୂର୍ବ ଜନ୍ମର ଫଳ ।

 

ପିଲାଦିନରୁ ଆଜିଯାଏ ସେ ଯାହା ଶୁଣିଥିଲା କି ଜାଣିଥିଲା, ସେ ସମସ୍ତ ଜ୍ଞାନ ଏକାଠି ହୋଇ ତା’ର ପରିବର୍ତ୍ତନର ସେହି ସନ୍ଧିକ୍ଷଣରେ ତାହାକୁ ବୁଝାଇଥିଲେ ଯେ ନିହାରବାଳା ଜୀବନର ବହୁତ ଆବଶ୍ୟକତା ଅଛି ।

 

ବଞ୍ଚିବାର ଆଗ୍ରହ ମଣିଷ ମନରେ ଏଇସବୁ ଭାବନା ଆଣିଦିଏ । ତା’ର ମନର ଅଭାବକୁ ଲୁଚାଇବାର ତାକୁ ବହୁତ ନୂଆ କଥା ଦେଖାଏ ଓ ଶୁଣାଏ । ନିହାରବାଳାର ମନେ ହେଉଥିଲା, ସେ ଯେପରି ଗୋଟିଏ ଉନ୍ନତ ଜୀବନରେ ପାଦ ଦେଇଛି ।

 

ଆଖି ଓ ମୁହଁ ହସି ଉଠିଲାଣି । ନିଜ ଉପରେ ବିଶ୍ୱାସ ଆସିଲାଣି ।

 

ସେତିକି ହେଲେ ପୁଣି ସେହି ସ୍ୱାମୀ ଓ ସ୍ୱାମୀଙ୍କର ପରିବାର ଓ ପିତୃକୁଳର ସମସ୍ତେ, ପୁରୁଣା ଜୀବନର ସବୁ ବନ୍ଧୁ ଓ ପରିଚିତ ଲୋକେ ନିହାରବାଳାକୁ ପୁଣି ଥରେ ନିଜର କରି ଆପଣା ପାଖକୁ ନେବେ ।

 

ସେତେବେଳେ ସେ ଛାଡ଼ିଯିବ ଏଇ ନୂଆ ଲୋକଗୁଡ଼ିଙ୍କୁ । ସେମାନଙ୍କୁ ସେ ଛାତି ଫୁଲେଇ କହିବ—ମୁଁ ମୋ ଘରକୁ ଫେରିଯାଉଛି । ସେଠୁ ଆସିଥିଲି ନୂଆ ସଂସାରର ପରିଚୟ କରିବାକୁ । ଦେଖାଚାହାଁ, ମିଳାମିଶା, ଆନନ୍ଦ କନ୍ଦୋଳ ସବୁ ହେଲା । ଏବେ ମୁଁ ଫେରିଯାଏଁ—ପୁଣି ମୋର ସେହି ଛୋଟିଆ ସଂସାରକୁ ।

 

ରୋଗୀର ଟିକଟ ଦେଖୁ ଦେଖୁ ନିହାରବାଳା ଗୋଟିଏ ରୋଗୀର ଗାଁ ନାଁ ଦେଖି ଚମକି ପଡ଼ିଲା । ଏଠି ତା’ର ନଣନ୍ଦ ବିଭା ହୋଇଥିଲେ । ଅଜ୍ଞାନ ଅବସ୍ଥାରେ ରୋଗୀଟି ଆସିଛି । ଅତି ଦରିଦ୍ର । ନିଜର ଲୋକ କେହି ନାହାନ୍ତି ।

 

ବଞ୍ଚିବ କି ମରିବ—ଏ ବିଷୟରେ ଡାକ୍ତରମାନଙ୍କର କୌଣସି ନିଶ୍ଚିତ ମତ ନାହିଁ । ରହିବାର ଅସୁବିଧା ଯୋଗୁଁ ଡାକ୍ତରଖାନାରେ ସମର୍ପି ଦେଇ ତାକୁ ବୋହି ଆଣିଥିବା ଲୋକେ ବିଦାୟ ହୋଇ ଚାଲିଯାଇଛନ୍ତି । ନିହାରବାଳା ସେହି ଓ୍ୱାର୍ଡ଼ରେ ଅଛି ବୋଲି ସେମାନେ ଜାଣିଥିଲେ ଅବା ପରିଚୟ ଦେଇଥାନ୍ତେ ଆଉ ତା’ର ସାହାଯ୍ୟ ମାଗିଥାନ୍ତେ ।

 

ନିଜର ପରିଚିତ ଲୋକ ପରି ନିହାରବାଳା ତା’ର ସେବା କରିଥିଲା । ତା’ର ପୁରୁଣା ସଂସାରର ସମ୍ୱନ୍ଧ ଲଗାଇ ଲୋକଟି ଆସିଛି—ସେ ଦୁଃଖୀ, ସେ ରୋଗୀ ।

 

ନିହାର ସମସ୍ତଙ୍କୁ ସେହି ରୋଗୀଟି ବିଷୟରେ ପଚାରିଛି । କେହି କେହି ହସିଛନ୍ତି—ନର୍ସ ହୋଇ କୌଣସି ନିର୍ଦ୍ଦିଷ୍ଟ ରୋଗୀ ପ୍ରତି ଏତେ ଉତ୍ସାହ କାହିଁକି !

 

ନିହାରର ସମସ୍ତ ଅନୁରୋଧ, ଆଗ୍ରହ ଏଡ଼ିଦେଲାପରି ରୋଗୀଟି ଖରାପ ଅବସ୍ଥାକୁ ଗଲା...ଆହା, ସେ ବଞ୍ଚିବ ନାହିଁ ।

 

ନିହାର ମନରେ ଗୋଟିଏ ପ୍ରଶ୍ନ ଦେଖାଦେଲା—ସେ ମଶାଣିକୁ ଯିବ କେମିତି ? ନିରାଶୟ ଲୋକର ମରଣ କ’ଣ ଏଇ ଲୋକଟିର, ଭାଗ୍ୟରେ ହୋଇଛି...ନିହାର ତାକୁ ତ ଚିହ୍ନେ । ପରିଚୟ ନ ଥିଲେ ବି ଚିହ୍ନେ...ରୋଗୀଟିର ନିଶ୍ଚୟ ସତ୍କାର କରାହେବ ।

 

ନିହାର ପ୍ରତି ଆଗ୍ରହୀ ଥିବା କେତେକ ଛାତ୍ରଙ୍କୁ ନିହାର ଅନୁରୋଧ କଲା ରୋଗୀଟି ବିଷୟରେ । ସେହି ଲୋକଟି ପାଇଁ ସତ୍କାରର ବ୍ୟବସ୍ଥା କରିବାକୁ ଚାନ୍ଦାର ଆୟୋଜନ କଲା । ସେ ନିଜେ ବି କିଛି ଦେଲା । ସମସ୍ତଙ୍କୁ କହିରଖିଥାଏ ଯେ ରୋଗୀଟି ଯେମିତି ସହାୟସମ୍ୱଳଶୂନ୍ୟ ହୋଇ ମଶାଣିକୁ ନ ଯାଏ ।

 

ତଥାପି ମନ ବୁଝିଲା ନାହିଁ । ତା’ର ଘରଲୋକେ ଆସିବା ଦରକାର...ଅନ୍ତତ ନିହାର ଅଛି ବୋଲି ଜାଣିବା ଦରକାର । ରୋଗୀର ଅବସ୍ଥା ଅତ୍ୟନ୍ତ ଖରାପ ବୋଲି ସେମାନେ ଜାଣନ୍ତି । ନିହାର ଟେଲିଗ୍ରାମ ପଠାଇଲା ଯେ ରୋଗୀ ସତ୍କାରପାଇଁ ସେମାନେ ଆସନ୍ତୁ ।

 

ମଣିଷ ମଲାବେଳେ ବେଶି ସଂଖ୍ୟାରେ ମରନ୍ତି ରାତି ପାହିଲା ବେଳକୁ । ନିହାର ମନ ଭିତରେ ସ୍ଥିର କରିନେଇଥିଲା ଯେ ସେ ଦିନ ରୋଗୀଟି ନିଶ୍ଚୟ ମରିବ । ସକାଳୁ ସେ ଯାଇ ତା’ର ମଢ଼ ଦେଖିବ । ସମସ୍ତଙ୍କୁ ଖବର ଦେବ । ଦରକାର ପଡ଼ିଲେ ଛୁଟି ନେବ । ସେଥିପାଇଁ ଚଞ୍ଚଳ ଚାଲିଯାଇଥିଲା ।

 

ରୋଗୀ ମରି ନାହିଁ । ତା’ର ଚେତା ଫେରିଛି । ନିହାର ବିବ୍ରତ ହୋଇପଡ଼ିଲା—ରୋଗୀ ମରିଯାଇଛି ବୋଲି ନିହାରବାଳା ନିଜ ନାଁରେ ତାର କରିଦେଇଛି । ସେମାନେ ଆସିଲେ ଲୋକଟିକୁ ବଞ୍ଚିବାର ଦେଖି ଆଉ ଯାହା ଭାବନ୍ତୁ ନା କାହିଁକି ନିହାରକୁ ଦୋଷ ଦେବେ ।

 

ଲୁହଭରା ଆଖିରେ ସେ ନିଜକୁ କହିଲା—ମନ୍ଦ ଗ୍ରହରେ ଜନ୍ମ ହୋଇ ନ ଥିଲେ କିଛି ଗୋଟାଏ ଭଲ କାମ କଲାବେଳକୁ ଯାବତ୍‌ ବିଭ୍ରାଟ ହୁଅନ୍ତା କାହିଁକି ?...ହୋଇଛି ତ । ଏବେ ନିହାର କରିବ କ’ଣ ?

 

ଚିଠି ଖଣ୍ଡେ ଲେଖି ଶ୍ରୀଧରବାବୁଙ୍କୁ ସାଙ୍ଗେ ସାଙ୍ଗେ ଆସିବାକୁ ମିନତି ଜଣାଇଲା—ଏଇଟି ନିହାରର ପ୍ରଥମ ଅଯାଚିତ ଚିଠି ।

 

ଶ୍ରୀଧର ଓ ତା’ର ବନ୍ଧୁ ବାସୁଦେବ ଆସି ପହଞ୍ଚିଲେ । ସବୁ କଥା ଶୁଣି ନିହାରକୁ ଭର୍ତ୍ସନା କଲେ । ଏଇଟା ତ ଡାକ୍ତରଖାନାର ଲୋକଙ୍କର କାମ ନୁହେଁ । ମରି ନ ଥିବା ଲୋକକୁ ମରିଯାଇଛି ବୋଲି ଜଣାଇବା କେଡ଼େ ଖରାପ କଥା ।

 

—କ’ଣ କରିବି ! ମୁଁ ଜାଣିଥିଲି ବୋଲି ଟେଲିଗ୍ରାମ୍‌ କରିଦେଲି । ନିହାରର ସ୍ୱରରେ ଗଭୀର ଅନୁତାପ ।

 

—କ’ଣ ଆଉ କରାହେବ । ରୋଗୀ ଯଦି ବଞ୍ଚିଯାଏ, ସତରେ ବଡ଼ ବିପଦ ହେବ । ଡାକ୍ତରଖାନାର ଉପରିସ୍ଥ ଲୋକେ ଜାଣିବେ । ନିହାରକୁ ସେମାନେ ବାହାର କରିଦେଇ ପାରନ୍ତି ।

 

—କ’ଣ ଟିକିଏ କରନ୍ତୁ । ମୁଁ ଆଉ ଏମିତି ଭୁଲ୍‌ କେବେ କରିବି ନାହିଁ ।

 

—ବଞ୍ଚିଥିବା ଲୋକକୁ କ’ଣ ଇଞ୍ଜେକ୍‌ସନ୍‌ ଦେଇ ମାରିବ ...ଶ୍ରୀଧର ଚାହିଁଲା ବାସୁଦେବ ମୁହଁକୁ । ନିହାରବାଳାର ମନ ନେବାପାଇଁ ବାସୁଦେବ ଟିକିଏ ଚଞ୍ଚଳ ହେଉଥାଏ ।

 

ଓ୍ୱାର୍ଡ଼ କାମ ଆରମ୍ଭ ହୋଇନାହିଁ । ନିହାରବାଳାର ମନ ଅତ୍ୟନ୍ତ ବିଷଣ୍ଣ । ସେ କହିଲା–ପଳାଇବି । ଆଉ ଏ ଜୀବନ ରଖି ଲାଭ ନାହିଁ ।

 

—ଏମିତି କାହିଁକି ହେଉଛ ? ଆସିଲେ କହିବ, ମୋରିଠାରୁ ଖବର ପାଇ ଭୁଲରେ ଟେଲିଗ୍ରାମ କରିଥିଲ...ଶ୍ରୀଧର କହିଲା ।

 

ବାସୁଦେବ ତାକୁ ଅଭୟ ଦେଇ କହିଲା—କିଛି ଭୟ ନାହିଁ । ସେମାନେ ଆସିଲେ ମୁଁ ତାଙ୍କୁ ଯାଇ ବୁଝେଇ ଦେବି । ଟେଲିଗ୍ରାମଟାକୁ ଫେରାଇ ଆଣିବି । ନିହାରବାଳା ଚାହିଁ ରହିଲା ସେ ଦୁହିଙ୍କର ମୁହଁକୁ । ସେମାନେ ନିଜର ଲୋକ ନୁହନ୍ତି । ସେହିମାନଙ୍କର ସାହସର ଭରସାରେ ସେ ଦିନ ସେ ଠିଆ ହୋଇଛି ।

 

ସେ ଦିନ ସେ ସବୁ ଦେବଦେବୀଙ୍କୁ ସ୍ମରଣ କରିଥିଲା । କୌଣସି ଅପରାଧ ନ ଥାଇ ଖାଲି ଟିକିଏ ଉତ୍ସାହ ଯୋଗୁଁ ସେ ସେ ଦିନ କେଡ଼େ ବିଷମ ପରିସ୍ଥିତିରେ ପଡ଼ିଛି, ତା’ରି ଦୁଃଖ ଠାକୁରଙ୍କୁ ଜଣାଇଥିଲା ।

 

ବାରମ୍ୱାର ଆସି ରୋଗୀ ପାଖରେ ଠିଆ ହୁଏ । ତା’ର ସେ ଆଖି ଦୁଇଟିକୁ ଚାହିଁ ମନକୁ ମନ କହେ—ତୁମେ ବି ଶେଷରେ ଥିଲ ଏଠି ମୋତେ ଅପଦସ୍ତ କରିବାକୁ । ସେହି ଦରିଦ୍ର ଓ ଅକର୍ତ୍ତବ୍ୟ ରୋଗୀଟିକୁ ଦେଖି ନିହାରବାଳା ଭାବେ...ଏଇ ରୋଗୀର ଜୀବନ—ପାଇଁ ନିହାରବାଳା ଭାବିପାରୁ ନାହିଁ ତ ।

 

ସେଥିପାଇଁ ସେ ବଡ଼ ଲଜ୍ଜିତ ହୋଇଛି । ନିଜର ଭୁଲ—ପାଇଁ ଡାକ୍ତରଖାନାର ଗୋଟିଏ ରୋଗୀର ମରଣ ବାଞ୍ଛା କରିଛି...କରିଛି ତ । ଲୋକନିନ୍ଦା କେଡ଼େ ଭୟଙ୍କର ।

 

ସେ ଦିନ ନିହାରବାଳାର ଆଉ ହଷ୍ଟେଲକୁ ଫେରିବାକୁ ଇଚ୍ଛା ନ ଥିଲା । ସେ ପାଞ୍ଚୁ ଥାଏ ଯେ ରୋଗୀ ପାଖରେ ସେମିତି ରହିଯିବ ସେ ସମ୍ପୂର୍ଣ୍ଣ ଭଲ ହେବାଯାଏ...ଭଲ ହେଲେ କ୍ଷମା ମାଗିବ । ଆଉ ଭଲ ନ ହେଲେ...

 

ଉପରଓଳି ଆସିଲାବେଳକୁ ରୋଗୀଟି ମରିଯାଇଛି । ତାକୁ କାଢ଼ିନିଆ ହୋଇଛି ବିଛଣା ଉପରୁ । ବାହାରେ ଶୁଆଇ ଦିଆ ହୋଇଛି । ନିହାର ଯାଇ ତା’ର ମୁହଁ ଉପରୁ ଲୁଗା କାଢ଼ି ସେହି ଲୋକଟିକୁ ମନେ ମନେ କ୍ଷମା ମାଗିଥିଲା—ଆହା, ମନର କଳ୍ପନା ତେବେ ଫଳିଗଲା । ବଞ୍ଚିଯାଇଥାନ୍ତା ହେଲେ !

 

ପୁଣି ଚିଠି ଲେଖିଲା ସେହି ଶ୍ରୀଧରବାବୁ ଓ ବାସୁଦେବଙ୍କ ପାଖକୁ...ରୋଗୀ ମରିଯାଇଛି-

 

ସମସ୍ତଙ୍କ ମୁହଁରେ ହସ । ରୋଗୀଟି ଯାହାହେଉ ଶେଷରେ ନିହାରବାଳାର ଭୁଲକୁ ସଂଶୋଧନ କରିଦେଇଯାଇଛି ।

 

ଗଦ୍‌ଗଦ ହୋଇ ନିହାରବାଳା ଆରମ୍ଭ କଲା—ହେଲେ ସେ ବଞ୍ଚିଯାଇଥାଆନ୍ତା !

 

—ବଞ୍ଚିଥିଲେ କାହାର କ’ଣ ସେ କରନ୍ତା ? ଯାଇଛି ଭଲ ହୋଇଛି...ଶ୍ରୀଧର କହିଲା ।

 

—ନାହିଁ ସେ ମୋର ଅଭିଶାପରୁ ଗଲା । ମୁଁ ତ ସବୁବେଳେ କାଳତୁଣ୍ଡୀ ହୋଇ ସେ ମରୁ ମରୁ ବୋଲି ଭଜି ହେଲି ।

 

ବାସୁଦେବ ହସି କହିଲା—ଆଉ କରିଥାନ୍ତ କ’ଣ ? ତାଙ୍କ ଲୋକ ଆସିଲାବେଳକୁ ସେ ବଞ୍ଚିଥିଲେ...ଆଉ ଏକାବେଳକେ ଭଲ ହୋଇଯାଇଥିଲେ କ’ଣ ଅବା କାହାର ହୋଇଥାନ୍ତା ? ଅଦରକାରୀ ଲୋକଟାଏ ।

 

ଅଭିମାନିଆ ସ୍ୱରରେ ନିହାରବାଳା କହିଲା—ଆପଣଙ୍କ ଡାକ୍ତରଖାନା କଥା । ଏମିତିକା ଲୋକ ଆସିବେ । ସେ ଆଉ ଅଧିକା ଅଦରକାରୀ କ’ଣ ?

 

ବାସୁଦେବ କହିଲା—ଅଦରକାରୀ ନୁହେଁ ଭାରି ଦରକାରୀ ଲୋକଟିଏ ସିଏ । ଥିଲା ବୋଲି ନିହାର ଦେବୀ ଆମୁକୁ ଦି’ ଦି’ ଥର ଚିଠି ଲେଖିଲେ । ଆଗେ ତ ପାଞ୍ଚ ପଦ ପଚାରିଲେ ପଦେ ଉତ୍ତର ମିଳୁ ନ ଥିଲା...ପୁଣି ତା’ର ସତ୍କାର କାମ ଅଛି ।

 

—ସତ୍କାର କ’ଣ ହେବ ? ଡାକ୍ତରଖାନା ଲୋକଙ୍କୁ କହିଦେଲେ ସେମାନେ କରିଦେବେ-

 

ନିହାରବାଳା ଦୃଢ଼ କଣ୍ଠରେ କହିଲା—ସେମିତି ହୋଇ—ପାରିବ ନାହିଁ । କେହି କିଛି ନ କଲେ, ମୁଁ ସେ ଲୋକଟିର ସବୁ ଦାୟିତ୍ୱ ନେବି...ଆପଣମାନେ ମୋତେ ଠକିଲେ ନା ?

 

—ଠକିଲା କିଏ ? ଆମେ ତ ସମସ୍ତେ ଚାନ୍ଦା ଦେଇଛୁ ଆଉ ରାଜି ଅଛୁ । ତେବେ ଏହି ମଲାଲୋକଟିପାଇଁ ତମର ଏତେ ବିକଳ କାହିଁକି ? ସମସ୍ତଙ୍କର ପାଇଁ ତମେ କ’ଣ କରୁଛ ?

 

ଆହତ ସ୍ୱରରେ ନିହାର କହିଲା—କଲେ ତ କିଛି ଆପତ୍ତି ନାହିଁ । କରି ହେଉଛି କଉଠି-? ଇୟେ ମୋର ନଣନ୍ଦଘର ଗାଁର ଲୋକ ! ତାଙ୍କର କୁଟୁମ୍ୱ ।

 

—ସତେ ନା ! ସତ କଥା ତେବେ ! ମୁଁ ଭାବିଥିଲି ଏଇଟା ଆମ ନିହାର ଦେବୀଙ୍କର ଗୋଟାଏ ଖିଆଲ । ଆପଣମାନଙ୍କର ତ କିଛି ଠିକଣା ନାହିଁ । କେତେବେଳେ କାହା ପଛରେ ମନ ଦଉଡ଼େଇଲେ ତ...ବାହାରିଲା ଗୋଟାଏ କାମ ।

 

ଶ୍ରୀଧରର କଥାର ଉତ୍ତର ନିହାର ଦେଇପାରିଲା ନାହିଁ । ବାସୁଦେବ କହିଲା—ଆମ ନିହାର ଦେବୀଙ୍କର ଭାରି ମାୟା ଶାଶୁଘର ଉପରେ । ମୁଁ କହୁଛି ମୋ କଥା ଶୁଣନ୍ତୁ...ଆପଣଙ୍କ ମନ ଯଦି ଏଣେତେଣେ ଧାଇଁବ, ତେବେ ଡାକ୍ତରଖାନା କାମ ଖରାପ ହେବ ।

 

ବାସୁଦେବଙ୍କ କଥାର ରହସ୍ୟ ନିହାରବାଳାକୁ ଭଲ ଲାଗିଲା ନାହିଁ । ସେ ସବୁ ଜାଣିଥିଲା ପରି ନିହାରକୁ ଥଟ୍ଟା କରୁଛନ୍ତି । ସେ ଯେପରି ତା’ର ଶାଶୁଘର ଏକବେଳକେ ବିଦେଶୀ । ତା’ର କିଛି ସମ୍ୱନ୍ଧ ନାହିଁ ।

 

—ଜଣାଶୁଣା ଗାଁ ବୋଲି ମୁଁ ଟିକିଏ ଯତ୍ନ କରୁଥିଲି । ଆପଣମାନଙ୍କ ସାହାଯ୍ୟ ମାଗୁଛି-। ଆପଣମାନେ ଯଦି ସାହାଯ୍ୟ ନ କରିପାରିବେ ତାହାହେଲେ ମୁଁ ତ କିଛି କରିପାରିବି ନାହିଁ...ମତେ ଆଉ ଏମିତି କଥାଗୁଡ଼ାଏ କହି ଲାଜ ଦେବାର କ’ଣ ଅଛି?

 

ମିଳାମିଶା ହେଲା । ନିହାରକୁ ସେମାନେ ଅସନ୍ତୁଷ୍ଟ କରିବେ ନାହିଁ । ନିହାରର ସେହି ରୋଗୀଟିର ଯଥାବିଧି କ୍ରିୟା ହେବ ।

 

ନିଜର ବନ୍ଧୁମାନଙ୍କ ସାହାଯ୍ୟରେ ତାକୁ ଶ୍ମଶାନକୁ ନେଇ କାମସାରି ଫେରିବା ପରେ ସେମାନେ ନିହାରକୁ ସେହି ଖବର ଦେବାକୁ ଯାଇଥିଲେ...ଆଖିରେ ଅସୀମ କୃତଜ୍ଞତା ଓ ସ୍ନେହ ।

 

ଶ୍ରୀଧରକୁ ଆଉଁସି ଦେଇ ନିହାର କହିଲା—ଆପଣ ଆଜିଠାରୁ ମୋର ଭାଇ ହେଲେ । ମୋର ସାମାନ୍ୟ କଥାକୁ ଆପଣ ଯେ ପାଳିଲେ ସେଥିପାଇଁ ଆପଣଙ୍କୁ ଆଶୀର୍ବାଦ କରୁଛି ।

 

—ଆଉ ମୋତେ ?

 

ହସି ନିହାର ବାସୁଦେବକୁ କହିଲା—ମୁଁ ତ ଜାଣେ, ଆପଣ ମୋତେ ଭଉଣୀ ଆଖିରେ ଦେଖନ୍ତି । ଆପଣ ଶ୍ରୀଧରବାବୁଙ୍କ ପରି ନୁହନ୍ତି । ତାଙ୍କୁ ସିନା ଅନୁରୋଧ କରିବା ଦରକାର ।

 

—ସେ ତେବେ କ’ଣ ବଡ଼, ଆଉ ବାସୁଦେବ କିଛି ନୁହେଁ ?

 

—ନାହିଁ । କେତେ ଲୋକଙ୍କୁ ମଣିଷ ତା’ର ମନ କଥା କହେ ଆଉ ମନ ଦିଏ । ଆଉ କେତେ ଲୋକଙ୍କୁ ସେମିତି ଡରି ଡରି କଥା କହିହୁଏ ।

 

ଶ୍ରୀଧରର ମୁହଁ ମଉଳିଗଲା । ନିହାର ବିବ୍ରତ ହୋଇପଡ଼ିଲା । କ’ଣ କଲେ ସେ ଏଇ ଦୁଇଜଣଙ୍କୁ ସନ୍ତୁଷ୍ଟ କରିପାରିବ ? ଏକାଠି ଆସିଛନ୍ତି । ଏକାପ୍ରକାରର ବ୍ୟବହାର ଖୋଜୁଛନ୍ତି । ଉପକାର କରୁଛନ୍ତି । ବଦଳରେ ମାଗୁଛନ୍ତି ନିହାରକୁ...ନିହାରର ବନ୍ଧୁତା ।

 

ଦୁହିଁଙ୍କୁ ହସି ନିହାର କହିଲା—ବଳେ ଆପଣମାନେ ଜାଣିବେ ଯେ...କିଏ ବଡ଼, କିଏ ସାନ । କାହାକୁ ବେଶି ଭଲ ପାଇ ହୁଏ । କିଏ ବେଶି ଭଲପାଏ । ଆଉ ଗୁଡ଼ାଏ ତୁଣ୍ଡର ସୁଆଦିଆ କଥା ଶୁଣି ଲାଭ କ’ଣ । ଆଜିଯାଏ ମୋର କେହି ବନ୍ଧୁ ନ ଥିଲେ । ନିଜର ବୋଲି କାହାରିକୁ ପାଇ ନ ଥିଲି ।

 

ନିହାରର ଆଖି ଦୁଇଟି ଭାବପ୍ରବଣ ହୋଇଉଠିଲା । ତା’ର ଆଖି ଡୋଳାରେ କ୍ଷୀଣ ଜଳଧାର ।

 

ନିହାରକୁ ସେପରି ଭାବରେ ବିବ୍ରତ ହେବାର ଦେଖି ଛାତ୍ର ଦୁଇଟି ବ୍ୟସ୍ତ ହୋଇପଡ଼ିଲେ-। ସେମାନେ ଆସିଥିଲେ ସିନେମା ଓ ନାଟକର ଛବି ଦେଖିବାକୁ । ଆନ୍ତରିକତା ଖୋଜୁ ନ ଥିଲେ । କେବଳ ତା’ର ଅଭିନୟ ସେମାନଙ୍କର ଦରକାର ଥିଲା ।

 

ନର୍ସ ହଷ୍ଟେଲର ପ୍ରତ୍ୟେକଙ୍କ ପାଖରେ ତାଙ୍କର ମୂଲ୍ୟ ଅଛି । ନିହାରବାଳା ସେଥିଭିତରେ ଜଣେ । ଏହି ନର୍ସମାନେ ଏଡ଼େ ଚତୁର ଯେ ପଦେ ଭଲ କଥା କହିଲେ, ବଦଳରେ ଦଶଟା କାମ କରାଇନେବେ...କାହିଁ କେତେ ଦୂରରେ ଶ୍ମଶାନ । ଏମାନେ କାମ ଛାଡ଼ି, ଲୋକବାକ ଯୋଗାଡ଼ କରି ଗୋଟାଏ ଅଜଣା ଅଚିହ୍ନା ରୋଗୀକୁ ନେଇ ମାତିଲେ ।

 

ନିହାର ଆଖିରୁ ବିନା କାରଣରେ ଦୁଇ ଟୋପା ଅଧୈର୍ଯ୍ୟ ଲୁହ ଖସିପଡ଼ିଲା । ସେତେବେଳେ ସେ ଭାବୁଥିଲା ନିଜ କଥା । ସେ ବି ଦିନେ ଏମିତି ସହାୟ ସମ୍ୱଳଶୂନ୍ୟ ହୋଇ କେଜାଣି କୋଉଠି ଜୀବନ-ଦୀପ ଲିଭାଇବ...ସେତେବେଳକୁ...

 

—କାନ୍ଦୁଛ କାହିଁକି ? ସେ କ’ଣ ତମର ନିଜର କେହି ଲୋକ ?

 

—ମୁଁ ତ ତା’ରି ପରି । ତା’ ପାଇଁ ସିନା ମୁଁ ଆପଣମାନଙ୍କୁ ଡାକି ଆଣିଲି...ମୋର ତ କେହି ନାହିଁ । ମୁଁ ମଲାବେଳକୁ ସତେ କ’ଣ ମୋତେ କିଏ କାନ୍ଧରେ ବୋହି ନେଇ ମୋପାଇଁ କିଛି କରିବ ?

 

—ତମପାଇଁ କରିବେ ନାହିଁ । ନିଶ୍ଚୟ କରିବେ । ଆମେ କହୁଛୁ କରିବେ ।

 

—କେହି କରିବେ ନାହିଁ । ଆପଣମାନେ କୋଉଠି ଥିବେ କେଜାଣି...ଭାରି ମନଟା ଖରାପ ଲାଗୁଛି । ଆପଣମାନେ ଦୟାକରି ଯାଆନ୍ତୁ...କହି ନିହାର ଟେବୁଲ ଉପରେ ମୁହଁ ମାଡ଼ି କାନ୍ଦି ବସିଲା ।

 

ଠରାଠରି ହୋଇ ଶ୍ରୀଧର ଓ ବାସୁଦେବ ବାହାରିଗଲେ...ପୁଣି ଆସିବେ ବୋଲି ନିହାରକୁ ଶୁଣାଇ ଦେଇ ଗଲେ । ଗଲାବେଳେ ଆପଣା ଭିତରେ କୁହାକୋହି ହେଲେ...ସ୍ନେହୀ ହେଲେ କ’ଣ ହେଲା, ମୁଣ୍ଡପାଗଳୀଟାଏ । ବୋଧ ହୁଏ ଏଇଥିପାଇଁ ତାକୁ ତା’ର ସ୍ୱାମୀ ଛାଡ଼ିଦେଇଛି...ଗୋଟାଏ ସାମାନ୍ୟ ରୋଗୀପାଇଁ ଦେଖ କେଡ଼େ ମମତା ! ଶେଷକୁ କାନ୍ଦ ।

 

ଏହି ନିହାରକୁ କେତେଦୂର ଭଲ ପାଇ ହେବ, ସେ ବିଷୟରେ ବନ୍ଧୁ ଦୁଇଟି ଅଟକଳ କରୁଥିଲେ...ଶ୍ରୀଧର କହିଲା—ତା’ ସାଙ୍ଗରେ କଥା କହିବାକୁ ମୋତେ ଭାରି ଭଲ ଲାଗେ । କଥା କହିଲେ ଜବାବ ଦେଉ ନ ଥିଲା । ଏଥର ଦେଖିବା...ବାସୁଦେବ କହିଲା—ମତେ ତାକୁ ଭାରି ଭଲ ଲାଗେ । ସୁନ୍ଦର ନ ହେଲେ ବି ତା’ର ମୁହଁରେ ଗୋଟାଏ ପ୍ରକାରର ଇନ୍ଦ୍ରଜାଲ ଅଛି ।

 

—କି ଇନ୍ଦ୍ରଜାଲ ?

 

—ତମେ ଦେଖିଥିବ, ସେ କେବେହେଲେ ସଳଖ ଚାହିଁ କଥା କହେ ନାହିଁ । କେମିତି ଡୋଳାଟା ବୁଲାଏ ଯେ, ଥରେ ଦେଖିଲେ ବାରମ୍ୱାର ଦେଖିବାକୁ ଇଚ୍ଛା ହୁଏ ।

 

ଭାରି ଛଟକୀ ସେ ! ଦେଖୁନ, ଡାକ୍ତର ସାହେବ ଚିଡ଼ୁଥିଲେ । କେମିତି ତାଙ୍କୁ ସେ ମନେଇ ନେଇଛି ଯେ ନିହାରକୁ ନ ଦେଖିଲେ ତାଙ୍କ ବୁଦ୍ଧି ବଣା ହୋଇଯାଉଛି । ବୁଢ଼ାମାନଙ୍କୁ ଏହି ନର୍ସଯାକ ବଡ଼ ମଜାରେ ବାଗେଇ ନେଇ ପାରନ୍ତି ।

 

—ବୁଢ଼ା ନୁହେଁ, ବୁଢ଼ା, ପିଲା ସମସ୍ତଙ୍କୁ । କଥା କ’ଣ କି, ଏମାନେ ବାହାରେ ବୁଲି ଅଭ୍ୟାସ କଲାପରି ବହୁତ ପ୍ରକାରର ଛଟକ ଶିଖିଗଲେଣି । ହେଲେ ବାସୁଦେବ ପାଲରେ ପଡ଼ିବା ଲୋକ ନୁହେଁ ।

 

—ନର୍ସ ପାଲରେ ଗୋଟାଏ କ’ଣ ପଡ଼ିବ ? ହକ ଦବ ଆଉ ନବ । ଭଲ ପାଇବ, ଟଙ୍କା ଦବ ।

 

ବାସୁଦେବକୁ ଭଲ ଲାଗିଲା ନାହିଁ । ଏମିତି କଥା କହିବା, ନିହାର ପ୍ରତି ଅନ୍ୟାୟ । ନିହାର ସେପରି ନୁହେଁ । ସେ ନିହାର ତରଫର ହୋଇ କହିଲା—ତମେ ଭୁଲ୍‌ ବୁଝୁଛ । ଦେଖୁନାହିଁ, ତମକୁ ସେ କେତେ ଭଲପାଏ ।

 

—ହଁ ତ । ସେଇଥିପାଇଁ ମୁଁ ଭାବୁଛି, ସେ ଗୋଟାଏ ଫାନ୍ଦ ପାତୁଛି । ଟିକିଏ ମଜା କରିବାପାଇଁ ମୋର ଆପତ୍ତି ନାହିଁ । ...କାନ୍ଦିଲା କାହିଁକି ?

 

ବାସୁଦେବ ଭାବି କହିଲା—କିଛି ତ ବୁଝି ହେଉନାହିଁ । ରୋଗୀଟା ତ ମୋଟେ ମାତବର ଲୋକ ନୁହେଁ । ତାକୁ ତ ତା’ ଘର ଲୋକେ ଛାଡ଼ିଗଲେ । ଏଣେ ତାକୁ ନେଇ ନିହାର ଫାର୍ଶ ଲଗାଇଛି ।

 

—ନାହିଁ ତମେ ବୁଝିନାହିଁ । ସେ କାନ୍ଦୁଥିଲା ନିଜପାଇଁ । ତାହାର କେହି ନାହାନ୍ତି । ସେ ଅପନ୍ତରାରେ ମରିବ । ସେ ମଲା ବେଳକୁ କେମିତି ନିଆହେବ, ସେଇଥିପାଇଁ କାନ୍ଦ ।

 

ଆହା ! କେଡ଼େ ଦୁଃଖୀ ସେମାନେ ! ପ୍ରତିଦିନ ରୋଗୀର ସେବା କରିବେ ନିଜର ଲୋକପରି । ମାଇପୀ ଲୋକ ବୋଲି ରୋଗୀର ଦୁଃଖସୁଖକୁ ଭାରି ଆଖି...ନିଜପାଇଁ ତ କିଛି ନାହିଁ-

 

ବାସୁଦେବ ପିଠି ଥାପଡ଼େଇ ଶ୍ରୀଧର କହିଲା—ବୁଝିଲେ ବାବୁ, ତମପାଇଁ ଏ ଡାକ୍ତରୀ କାମ ବଡ଼ କଷ୍ଟ ହେବ । ସମସ୍ତେ ତମକୁ ନିଜ ଦୁଃଖ କଥା କହି, ଫିସ୍‌ ନ ଦେଇ ଖସି ଚାଲିଯିବେ । ଖାଇବ କ’ଣ ଯେ ତମେ ଦୟା ଦେଖାଇବ ।

 

—ଯାହା ହବାର ଥିବ ହବ ।

 

—ମନକୁ ବଦଳାଅ । ମନକୁ ଟାଣ କର । ମଉଜ ମଜଲିସ୍‌ କରିବ ତ କର । ଆଉ ଗୁଡ଼ାଏ ସବୁବେଳେ ଦୟାରେ ନିଜକୁ ତିନ୍ତାଅ ନାହିଁ । ତାହାହେଲେ ଭଲ ହେବ ।

 

ନିହାରବାଳା ପାଖରେ ଠିଆ ହୋଇ ଗୀତା ତାକୁ ବାରମ୍ୱାର ପଚାରୁଥିଲା—କାନ୍ଦୁଛ କାହିଁକି ?

 

—ଭାରି ଖରାପ ଲାଗୁଛି ସେ ଲୋକଟି ମରିଗଲା ବୋଲି ।

 

—ଆମେ କ’ଣ ତାକୁ ମରିବାକୁ କହିଥିଲୁ ? ସବୁ ମଲାମଣିଷ ପାଇଁ କାନ୍ଦିଲେ କାନ୍ଦିବାକୁ ବେଳ ଅଣ୍ଟିବ ନାହିଁ ।

 

ନିହାର ଗୀତାକୁ ଚାହିଁ ପଚାରିଲା—ଆମ ପାଇଁ କିଏ କାନ୍ଦିବ, ଗୀତା ?

 

ଗୀତା ବିବ୍ରତ ହୋଇପଡ଼ିଲା...କେହି କ’ଣ କାନ୍ଦିବେ ନାହିଁ ! ନିହାର, ଡାକ୍ତରବାବୁ ଆଉ ଅନ୍ୟ ଲୋକେ ।

 

ନିହାର ଆବେଗରେ ପଚାରିଲା—ସତରେ ଗୀତା, ଆଜି ସେ ଲୋକଟି ମଲାପରେ, ମୁଁ ସେହି କଥା ଭାବୁଛି । ଆମର କେହି ନାହିଁ । ...ବଞ୍ଚି ଥାଉ ଥାଉ ଲୋକେ ତ ଆମ ସାଙ୍ଗରେ କଥା କହୁ କହୁ ନାନା ପ୍ରପଞ୍ଚ ଭାବ ଆଣି ଠିଆ ହେଉଛନ୍ତି । ମଲାବେଳେ ସେହିମାନେ କ’ଣ ଆଉ ମଢ଼ ପାଖକୁ ଆସିବେ...କେହି ଆସିବେ ନାହିଁ ।

 

—ନ ଆସିଲେ କ’ଣ ହେଲା । ଆମେ ତ ମରିଯାଇଥିବା, କୋଉ ଦେଖୁଥିବା ଯେ !

 

—ତେବେ ଏତେ ଦିନର ସବୁ ଆଶା, ସବୁ ସୁଖ, ଏଇ ଦେହ, ଏଇ ରୂପ ସବୁ ସେମତି ଶୁଖି ଝଡ଼ିଯିବ । କେହି ଆମକୁ ପଚାରିବେ ନାହିଁ । ଆଜି ଯିଏ ଆମକୁ ଭଲ ପାଉଛନ୍ତି, ତାଙ୍କ ଭିତରୁ କେହି କ’ଣ ଆମପାଇଁ ଦି’ଟୋପା ଲୁହ ଗଡ଼ାଇବ ନାହିଁ ?

 

ସନ୍ଦେହ କଲାପରି ଗୀତା କହିଲା—ନାହିଁ, କେହି ପଚାରିବେ ନାହିଁ । ଆମର ତ ମୂଳରେ ଆଉ ଶେଷରେ ଲାଗିଲା ଆମର ପଦବୀ ...ନର୍ସ । ନର୍ସ କୁଆଡ଼େ ସମସ୍ତଙ୍କୁ ଖୋଜେ । ସମସ୍ତଙ୍କୁ ଜାଲ ପକାଇ ଧରେ । ତାକୁ ହୁସିଆର ରହିବାପାଇଁ ସମସ୍ତେ ଜାଗ୍ରତ । ନର୍ସପାଇଁ ନର୍ସମାନେ କାନ୍ଦିଲେ ଅବା କାନ୍ଦିବେ ।

 

—ସେ ବି ନୁହେଁ । ଆମ ଭିତରେ ତ ଯାବତ ବାଦ । କେଜାଣି ଚିହ୍ନା ଲୋକେ ଅବା ମନେ ପକାଇ ପାରନ୍ତି ।

 

—ଚିହ୍ନା ଲୋକେ ତାଙ୍କର କାମପାଇଁ ଚିହ୍ନା ହୋଇଛନ୍ତି । ଆମେ ନ ହସିଲେ ରାଗଯାଉଛନ୍ତି । ହସିଲେ କହୁଛନ୍ତି ଭଲ କରି ହସ । ତମେ ଖରାପ ଲୋକ...ଲାଜ ସରମ ଛାଡ଼ି ଭାରି ବଢ଼ିଆ କରି ହସ...ମୁଁ ଭାବୁଛି, ହସିବି, ଆଉ ତାଙ୍କୁ ଶୋଷିବି ।

 

ନିହାର ତୁନି ପଡ଼ିଲା—ଏଇଟା ଠିକ୍‌ ନୁହେଁ । ତାକୁ ତ ସମସ୍ତେ ନାନ ଭାବରେ ପ୍ରଶଂସା କରୁଛନ୍ତି, ବୋଧହୁଏ ସେ ଅନ୍ୟମାନଙ୍କ ପରି ନୁହେଁ ବୋଲି । ଟିକିଏ କହିଲା ବୋଲି ଏତେ କଷ୍ଟ କରି ଶ୍ରୀଧର ଓ ବାସୁଦେବ ଏତେ କାମ କରିଗଲେ...ଗୀତାକୁ କହିଲା—ନାହିଁ ଗୀତା, ଆମେ ନିଜ ଆଡ଼ୁ କାହିଁକି କୁପାଞ୍ଚ କରିବା ? ସମସ୍ତଙ୍କୁ ଏମିତି ସେବା କରୁଥିବା, ସ୍ନେହ ଦଉଥିବା, ତେଣିକି ତାଙ୍କ ଧର୍ମ ତାଙ୍କର ।

 

—ଧର୍ମ ନାହିଁ ଏ ସଂସାରରେ । ଏଠି ତ ସମସ୍ତେ ରୋଗୀ, ସମସ୍ତେ ପାପୀ । ଏହା ଭିତରେ ଧର୍ମ ଖୋଜୁଛ ନିହାର ! ମୋ କଥା ମାନ । ଲୋକେ ତମଠଉଁ ଯେମିତି ମଉଜ ପାଉଛନ୍ତି, ତମେ ସେମିତି ତାଙ୍କର ମଉଜ କାଢ଼ିନିଅ । ସୁଝାସୁଝି ହୋଇଯାଉ । ପଛ କଥା ପଛକୁ ।

 

—ସେଇଟା ଠିକ୍‌ ନୁହଁ । ତମେ ଅବା ବାହା ହୋଇନାହଁ, ହବ । ମୁଁ ତ ବାହା ହୋଇଥିଲି । କିଛି ସୁଝେଇ ହୁଏ ନାହିଁ । କାହାରିଠାରୁ କିଛି କାଢ଼ି ନେଇ ହୁଏ ନାହିଁ । ଏତେ ଅଡ଼ୁଆରେ ନ ପଶି ନିଜ ଭାଗ୍ୟକୁ ଆଦରି ନ ରହିବା କାହିଁକି ?

 

—ତେବେ ସବୁ ଦିନେ ଲୋକେ ଆସି ଠକୁଥିବେ, ଆଉ ତମେ ବସି କପାଳକୁ ନିନ୍ଦା କରି ଆଖିରୁ ଲୁହ ଗଡ଼ାଉଥିବ ।

 

—କାନ୍ଦିଲେ ଶାନ୍ତି ମିଳେ ।

 

—ମିଛ କଥା । ମନ ଅଶାନ୍ତି ହେଲେ ତ ମଣିଷ କାନ୍ଦେ । କାହାରି କାନ୍ଦରେ ଶାନ୍ତି ନାହିଁ-। ଏତିକି ତ ଜୀବନ ! ତାକୁ ଆଉ କାନ୍ଦିବାରେ କଟାଇବା କାହିଁକି ? ହସିବା, ମନକୁ ଭୁଲାଇବା-। ଯାହା ମିଳିଲା ଧରିବା । ଯେ ଯାହା ନେଇଗଲା, ତାକୁ ଭୁଲିଯିବା...ଏମିତି ଦିନେ ସଳିତା ଲିଭିଯିବ-

 

ଗୀତା କହିଲା—ମୁଁ ଦିନେ ଏମତି କାନ୍ଦୁଥିଲି ମୋତେ ଜଣେ ଛାଡ଼ିଗଲା ବୋଲି । ମୋର ଆଖି ଲୁହ ତାକୁ ଫେରାଇ ଆଣିଲା ନାହିଁ । ସେ ସେମିତି ହସି ହସି ଆଉ ଜଣକୁ ବିଭା ହୋଇଗଲା । ତମେ କ’ଣ କାନ୍ଦିଲେ ତମର ସ୍ୱାମୀଙ୍କ ପାଖକୁ ଫେରିଯାଇ ପାରିବ ?

 

ନିହାରବାଳାର ଆଖି ଶୁଖିଗଲା । ସମସ୍ତେ ତାକୁ ସେହି ଗୋଟିଏ ପ୍ରଶ୍ନ ଉପରେ ପରଖ କରୁଛନ୍ତି । ତା’ର ହସ, କାନ୍ଦ, ଦୁଃଖ ସୁଖ ସବୁଥିରେ ସେମାନେ ସେହି ଗୋଟିଏ କଥା ପଚାରି ହେଉଛନ୍ତି—ତମର ସ୍ୱାମୀ ତମକୁ ଛାଡ଼ିଲା କାହିଁକି, ତମେ ତା’ ପାଖକୁ ଫେରିପାରିବ କି...ସେ ତମକୁ ପୁଣି ଭଲ ପାଇବ କି?

 

ନିହାର କହିଲା—ହଁ ଫେରିପାରିବି । ଆଉ ସେ ମୋତେ ଭଲ ପାଇବେ ।

 

—କ’ଣ ଏମିତି ଏଠି ବସି କାନ୍ଦିଲେ ସେ ତମକୁ ଭଲ ପାଇବେ ନା ତାଙ୍କୁ ପାଖକୁ ଆଣିବାକୁ ଉପାୟ କରିବ ?

 

—କାନ୍ଦିବି ଆଉ ଉପାୟ କରିବି ।

 

—ତେବେ ତ ଠିକ୍‌ ହେଲା, ଏଇ ଆଖି ଲୁହ ମିଛ । ଆଉ ଭାବିଚିନ୍ତି ନାନା ଉପାୟ ପାଞ୍ଚିବା ହେଉଛି ସତ । ତାଙ୍କୁ ଭୁଲାଇ ଦିଅ । ସେ ତମକୁ ପାଖକୁ ନେବେ । ତାଙ୍କୁ ସତ କଥା ବୁଝେଇ ଦିଅ । ସେ ତମକୁ ଗୋଡ଼ରେ ଠେଲି ଦେବେ ।

 

ନିହାର କହିଲା—ତମ କଥା ଠିକ୍‌ । ମୁଁ ଖାଲି ବିକଳ ହେଉଛି ବୋଲି ଦହଗଞ୍ଜ ହେଉଛି-। ଆଉ କ’ଣ କିଛି ବାଟ ନାହିଁ ?

 

—ଅଛି । ଭୁଲ୍‌ ବାଟରେ ତମେ ଦେବ, ଆଉ କିଛି ନବ ନାହିଁ କି ମାଗିବ ନାହିଁ । ମଲାବେଳେ ତମପାଇଁ ବିଲୁଆ, ଶାଗୁଣା ହସିବେ ଓ ଫିଷ୍ଟ୍‌ କରିବେ...ଆଜି ଏତେ ଆଗରୁ ବସି ଆଖି ଓଦା କରୁଛ କାହିଁକି ? ଆସିଲା ବେଳ ଅଛି...ଦେଖାଯିବ...

 

—କ’ଣ ଦେଖାଯିବ ? ...ନିହାର ପଚାରିଲା ।

 

—ସବୁ କଥା । ଲୋକେ ସେତେବେଳେ କାଳଟାଏ ଗଲା ବୋଲି ନିଶ୍ଚେ ଖବର ନେବାକୁ ଆସିବେ । ନ କାନ୍ଦିଲେ ବି ମନେ ପକାଇବେ । ମଡ଼ା ମୁହଁ ଉପରୁ ଲୁଗା ଟେକି ମରିଛି କି ନାହିଁ ବୁଝିବ...

 

ନିହାର ବି ଭାବିଲା ସେଇ କଥା...ଆଖିର ଲୁହ ଯେମିତି ତୁଚ୍ଛ, ବସି ବସି ସେମିତି ଭାବିବା ବି ଅଲଣା...ତଥାପି ମନ ଉପରେ ଗୀତାର କଥାଗୁଡ଼ିକ ଲିଭି ଲିଭି ଆସୁଥିଲା । ତା’ର ମନ ତାକୁ କହୁଥିଲା—ନିଷ୍ଠୁରଙ୍କୁ ଦୟା ଦେଖାଇବା, ଅବିବେକୀକୁ ସ୍ନେହ ଦେଖାଇବା, ଦୋଷୀକୁ କ୍ଷମା ଦେବା ସବୁବେଳେ ଠିକ୍‌...ଆହା ସେମାନେ ଟିକିଏ ସ୍ନେହ ଆଦର ପାଇଁ କେଡ଼େ ଅଧୀର ।

 

ସଞ୍ଜୟର ଚିଠି ଆସିଛି । ସେ ରାତି ଅନିଦ୍ରାରେ ନିହାରବାଳାର ଚିଠି ପଢ଼ିଛି । ଆସିବ ବୋଲି ଅନୁମତି ମାଗିଛି । ଅନୁମତି ନ ମିଳିଲେ ଡାକ୍ତରଖାନାରେ ଦେଖା କରିବ । ତା’ର ବନ୍ଧୁମାନେ ନିହାରକୁ ନେଇ କଲେଜର ବାର୍ଷିକୋତ୍ସବରେ ଗୋଟିଏ ସେବିକା ନାଟକ କରିବାକୁ ଚାହିଁ ନିହାରର ଅନୁମତି ମାଗିଛନ୍ତି...ସଞ୍ଜୟ ଲେଖିଛି ଯେ ନିହାର ଯେତେପ୍ରକାରରେ ତାକୁ ଠେଲିଦେଲେ ବି ସେ ଆଉ କୁଆଡ଼େ ଯାଇପାରିବ ନାହିଁ ।

 

...ତମକୁ ଭୁଲିବାକୁ ଯେତେପ୍ରକାରରେ ଚେଷ୍ଟା କଲି ହେଲା ନାହିଁ । କିଛି ପାଇନାହିଁ କି କିଛି ଦେଇନାହିଁ । ତେବେ ବି ତ ଡୋରି ଛିଣ୍ଡୁ ନାହିଁ । କ’ଣ କରିବି କୁହ...ଚିଠି ଲେଖି ନ ପାରେ । ଚିଠି ପାଇ ନ ପାରେ । କିନ୍ତୁ ତମକୁ ଭଲ ନ ପାଇ ରହିପାରିବି ନାହିଁ...ତୁମେ ମୋତେ ଯେଉଁ ସ୍ନେହ ଦେଖାଇଛ, ସେଥିପାଇଁ ୠଣୀ ଆଉ ଚିର ୠଣୀ ହୋଇ ରହିବି ।

 

ଏମିତି ନାନପ୍ରକାରର କଥାଗୁଡ଼ାକୁ ନିହାର ବାରମ୍ୱାର ପଢ଼ିଲା । ପ୍ରତ୍ୟେକ ଥର ପଢ଼ିଲେ ସେ ନିଜର ନୂଆ ନୂଆ ରୂପ ଦେଖେ । ସେ ସଂସାରର ସବୁ ସୁନ୍ଦର ଜିନିଷ ଭିତରେ ଗୋଟିଏ...କୋଣାର୍କ ଦେଉଳ, ପାଚିଲା ଧାନ କ୍ଷେତ, ଶାନ୍ତ ସମୁଦ୍ର ଯେମିତି, ନିହାର ବି ସେମିତି ।

 

ମଣିଷ ଆଖିରେ ଏହିସବୁ ସୁନ୍ଦର ଓ ଅସୁନ୍ଦର ହୋଇଛନ୍ତି । ଏହି ମଣିଷ ସୁନ୍ଦର ଜିନିସକୁ ଚାହିଁ ତୃପ୍ତି ପାଇଛି । ମନଲାଖି ଜିନିସକୁ ମନେ ରଖିଛି । ଏହି ସଞ୍ଜୟ ପରି ଲୋକେ ସଂସାରର ଭଲ ଭଲ ଜିନିସ ଖୋଜି କାଢ଼ିଛନ୍ତି...ସେମିତି ତ ଜଣେ ନିହାରବାଳା ।

 

ଗୀତା କଥା ମନେ ପଡ଼ୁଥାଏ । ସେ ଯାହା କହୁଥିଲା ଭୁଲ ବାଟ ବୋଲି—କିଛି ନ ମାଗି, କିଛି ନ ନେଇ ଖାଲି ଦେଇଯିବା । ଦେଇଥିଲା ବୋଲି ଗୀତକୁ ସେମାନେ ଠକି ଦେଇଥିଲେ, ଗୀତାର ତ ଅଭିଯୋଗ ସେତିକି ?

 

ଏବେ ସଞ୍ଜୟ ସେହି କଥା କହୁଛି । ତାକୁ ପଛେ ନିହାର ଠକିହେଉ, ଦୂର କରିଦେଉ, ସେ ଭଲ ପାଉଥିବ । ଛାଡ଼ି ପାରୁନାହିଁ । ସେଥିପାଇଁ କାତର ହୋଇ ରହିଛି...ତାକୁ ନିହାର ଛାଡ଼ିଦେବ । ଜୋର କରି ତାକୁ ଦୂର କରିଦେବ ସେ କିଛି ନୁହେଁ ବୋଲି ।

 

ନାଃ, ହେଇପାରିବ ନାହିଁ । ସଞ୍ଜୟ ଭଲ ପାଉଥିବାଯାଏ ନିହାର ତାକୁ ଠେଲି ଦେବ ନାହିଁ । ସେ ଯେଡ଼େ ସାନ ହୋଇଥାଉ, ଯେତେ ଅଦରକାରୀ ହୋଇଥାଉ, ଆଉ ତା’ରି ପାଇଁ ନିହାରର ଯାହାକି ସୁବିଧା ଅସୁବିଧା ହେଉ, ସଞ୍ଜୟର ମାୟା ସେ ତୁଟାଇ ପାରିବ ନାହିଁ ।

 

ମନ ଚମକି ଉଠୁଥାଏ ଦେଖା ହେବାର ଆନନ୍ଦରେ । ସଞ୍ଜୟ କହିଛି ଆସିବ ବୋଲି । ଆସିଲେ ନିହାର ତାକୁ ତା’ର ଚିଠିଟିର କଠୋରତା ପାଇଁ ଲୁହଭରା ଆଖିରେ କ୍ଷମା ମାଗିବ । କ୍ଷମା ନ ପାଇବା—ଯାଏ ସଞ୍ଜୟକୁ ଛାଡ଼ିବ ନାହିଁ । ଆଉ ତା’ରିଠାରୁ ଶପଥ କରାଇ ନେବ ଯେ ନିହାରପାଇଁ ସେ ଯେପରି ସବୁଦିନେ ସେମିତି ହୃଦୟବାନ୍‌ ହୋଇ ରହିଥିବ । ନିହାରର ସମସ୍ତ ଦୋଷକୁ କ୍ଷମା ଦେବ ।

 

ଏହି ହେଉଛି ନିହାରର ପରିଚୟ—ନାରୀର ପରିଚୟ । ଭଲମନ୍ଦ ନିର୍ବିଶେଷରେ ନାରୀର କୋମଳ ହୃଦୟ ସବୁବେଳେ ଏମତି ଆର୍ତ୍ତ, ଦୁଃସ୍ଥ ଓ କାତର ଲୋକପ୍ରତି ସ୍ନେହଶୀଳ । ଘୃଣ୍ୟଠାରୁ ସେ ଦୂରେଇ ଯାଇପାରେ । କିନ୍ତୁ ସ୍ନେହୀଠାରୁ ଦୂରରେ ରହିବା ତା’ ପକ୍ଷରେ ଅସମମ୍ଭବ-

 

ଘୃଣା କରି ତାକୁ ଆଡ଼େଇ ଦେଲେ ବି ସେ ତା’ର ମନକୁ ପ୍ରବୋଧ ଦେଇପାରେ ନାହିଁ । ନିଜର ସ୍ନେହ ତାକୁ ବାରମ୍ୱାର ଆଣି ପକାଏ ସେହି ଘୃଣ୍ୟ ଲୋକର ପାଖରେ । ଘୃଣ୍ୟ ଲୋକପାଇଁ ମଧ୍ୟ ତା’ର ଅସୀମ ମମତା ।

 

ମନର ଉଲ୍ଲାସ ଜୀବନରେ ପୁଣି ଥରେ ଜୁଆର ଆଣିଛି । ଭାବିବାର ବନ୍ଧନ ହେଉଛି ବଡ଼ ରକ୍ଷଣଶୀଳ । କୌଣସି କାମରେ ଆଗେଇ ଦିଏ ନାହିଁ । ଜାଣିଥିବା କଥାଗୁଡ଼ିକ, ଚିହ୍ନିଥିବା ଲୋକଗୁଡ଼ିକ ସବୁବେଳେ ଆସି ବାଟ ଆଗୁଳେଇ ଛିଡ଼ା ହୋଇ କହନ୍ତି—ଯାହା ଥିଲା ସେତିକି ଭଲ-। ଯାହା ଜାଣିଛ ସେତିକି ଠିକ୍‌। ଏଥିରୁ ବ୍ୟତିକ୍ରମ କଲେ ତୁମେ ଭୁଲ କଲ ବୋଲି ଜଣାପଡ଼ିବ-

 

ଶ୍ରୀଧର ଆସି ଡାକିଥିଲା ସିନେମା ଦେଖିଯିବାପାଇଁ । ସେ ଓ ନିହାରବାଳା ଦୁଇ ଜଣ ଯିବେ । ଟିକଟ କିଣା ହୋଇଛି...ପ୍ରଥମେ ଆସିଥିଲା ଚିଠି । ଚିଠିର ଜବାବ ନ ଦେଲାରୁ ସେ ନିଜେ ଆସି ପହଞ୍ଚିଛି ।

 

ପ୍ରତ୍ୟେକ କଥାରେ ଅନୁରୋଧ...ଯିବା ନିଶ୍ଚୟ ଯିବା ।

 

ତାକୁ କ’ଣ କହିବି ନିହାର ଭାବିପାରିଲା ନାହିଁ । ଏମିତି କିଛି ତ ବେଶି ପରିଚୟ ନାହିଁ । ଶ୍ରୀଧର ସାଙ୍ଗରେ ସେ ସିନେମା ଦେଖିଯିବ କାହିଁକି ?

 

ନିହାରକୁ ନୀରବ ରହିବାର ଦେଖି ଶ୍ରୀଧର କହିଲା—ନାହିଁ କରିଦେବ ?...କ’ଣ ବା କଥା ! ମୋ ସାଙ୍ଗରେ ଯିବାକୁ ଅପମାନ ଲାଗୁଛି ! ମୁଁ କ’ଣ ଏତେ ଘୃଣ୍ୟ ! ଜାଣିଥିଲେ ମୁଁ କେବେ ତୁମକୁ ଏଇ ଅନୁରୋଧ କରି ନ ଥାନ୍ତି ଅବା ତୁମକୁ ନିଜର ବୋଲି ଭାବି ନ ଥାନ୍ତି ।

 

ନିହାର ଚାହିଁଲା ଶ୍ରୀଧର ମୁହଁକୁ । ତରୁଣ ମୁହଁଟିରେ ବିପୁଳ ଉତ୍ସାହ । ନିହାରକୁ ଆପଣାର କରିବାପାଇଁ ସେ ଆଖି ଦୁଇଟିରେ କେତେ ଆଗ୍ରହ...ନିହାର କ’ଣ ନାହିଁ କରିଦେବ ଏହି କ୍ଷଣିକ ଉନ୍ମାଦନାର ନିମନ୍ତ୍ରଣକୁ ? ସ୍ପଷ୍ଟ କରି ସେ କ’ଣ କହିବ—ହଁ, ତମେ ପର... ।

 

ପ୍ରତ୍ୟେକଙ୍କୁ ଦେଖିଲାବେଳେ ତା’ର ମନରେ ଏଇ କଥା ଆସିଛି, ସେ ନିଜର ଲୋକ କି ନୁହେଁ । ଶ୍ରୀଧରକୁ ଦେଖି ସେଇ ଧାରଣା ଆସି ନ ଥିଲା । ରୋଗୀଟି ମଲାବେଳେ ଏତେ ଚିହ୍ନା ମୁହଁ ଭିତରେ ସେ ଶ୍ରୀଧରକୁ ଆପଣାର ବୋଲି ଭାବି ସାହାଯ୍ୟ କରିବାକୁ ଅନୁରୋଧ ଜଣାଇଥିଲା । ସେଇ ଏବେ ଆସି ପଚାରୁଛି ନିହାରକୁ ସେଇ କଥା ।

 

ସଂଧ୍ୟାର ଠିକ୍‌ ପୂର୍ବରୁ ଆକାଶରେ ଗୋଧୂଳିର କ୍ଷୀଣ ଆଲୋକ ଲିଭିଯିବା ପୂର୍ବରୁ ଦୂରରେ ଦିଶୁଥିବା ବିଜୁଳି ଖୁଣ୍ଟର ଆଲୁଅ ପରି ଶ୍ରୀଧର ତାକୁ ଡାକୁଛି—ପୁଣି ଗୋଟାଏ ନୂଆ ବାଟରେ । ନିହାର ଶ୍ରୀଧରର ମୁହଁକୁ ପୁଣି ଚାହିଁଲା—ଇଏ କ’ଣ ଦିଗମ୍ବର, ବଳରାମ ନା ସଞ୍ଜୟ...ୟାଙ୍କର କ’ଣ ଅଭିସନ୍ଧି ଅଛି ?...ଇଏ ଭଲ ପାଇବାକୁ ଚାହାନ୍ତି ନା ନିହାରକୁ ସରଳ, ସହଜ ଆଉ ସୁଲଭ ବୋଲି ଭାବି ଏଇ ଆମନ୍ତ୍ରଣ ଦେଇଛନ୍ତି ?

 

ଶ୍ରୀଧରର ମୁହଁରେ ଅଧୀରତା । ଭଲ ମନ୍ଦ ଯାହା ହେଉ, ଉତ୍ତରଟି ତା’ର ଦରକାର...ରହିଲା ରହିଲା ପରି ହୋଇ ସେ କହୁଛି—ଆଜିଯାଏ ନିହାର ଦେବୀ, ମୁଁ ଭାବିଥିଲି ଯେ ତୁମେ ମୋତେ ବିଶ୍ୱାସ କର । ତୁମେ ମୋତେ ନିଜର ଲୋକ ଭିତରେ ଗଣ । ଭାଇ ବୋଲି କହିଥିଲ ଶ୍ରଦ୍ଧା କରି...ତମ ମନରେ ଏତେ ସଙ୍କୋଚ !

 

ସତେ ତ ! ନିହାରବାଳା ଆରମ୍ଭ କରିଛି ଏଇ ଛୋଟିଆ ସମ୍ବନ୍ଧ । ସେଇ ପ୍ରଥମେ ପରିଚୟକୁ ନିବିଡ଼ କରିବାକୁ ଚେଷ୍ଟା କରିଛି । ସେତେବେଳେ ତା’ର ମନରେ ବଳ ଥିଲା । ଆଜି ତା’ର ସନ୍ଦେହ ଆସୁଛି ।

 

ଯିବ ନାହିଁ ବୋଲି କହିବାକୁ ଭାବି ନିହାର କହିଲା—ଗଲେ କ’ଣ ହେବ ? ...ହଷ୍ଟେଲରେ କେହି କିଛି କହିବେ ନାହିଁ ?

 

—ଅନୁମତି ନିଅ । କହ ଯେ ଶ୍ରୀଧର ମୋର ଦୂର ସମ୍ପର୍କୀୟ ଜ୍ଞାତ ।

 

ନିହାର ଖୁସି ହୋଇଗଲା । ସଂଧ୍ୟାର ପତଳା ଅନ୍ଧାର ଭିତରେ ତା’ର ଆଖି ଆଗରେ ଆକାଶର ନକ୍ଷତ୍ରଗୁଡ଼ିକ ଉଜ୍ଜ୍ୱଳ ଦିଶିଲେ । ଆଜି ସେ ପୁଣି ଥରେ ଏଇ ଦିଗମ୍ବର, ବିଦ୍ୟାଧର ରହିଥିବା ସହରରେ ଶ୍ରୀଧର ସାଙ୍ଗରେ ହାତ ଧରାଧରି ହୋଇ ଗଲାପରି ଏକାଠି ଯିବ ସିନେମା ଦେଖିବାକୁ... ଭୁଲ୍‌ ହେବ ତ । ସେମାନେ ଶୁଣିଲେ କେତେ କଥା ଲଗାଇ କହିବେ ।

 

କଥା କହିଲାବେଳେ ଶ୍ରୀଧରର ଦେହ ବୋଧହୁଏ ତାତି ଉଠୁଥାଏ କି କ’ଣ । ନିହାରବାଳା ଶ୍ରୀଧରର ଉତ୍ସାହର ଗନ୍ଧ ପାଇପାରୁଥାଏ । ସେ ଯେପରି ତାକୁ ତା’ର ବିମର୍ଷତା ଭିତରୁ, ତା’ର ନିଷ୍କ୍ରିୟତା ଭିତରୁ ଠେଲି ବାହାରକୁ ଆଣିବାକୁ ଆସି ଠିଆ ହୋଇଛି ।

 

...ସବୁଦିନେ କ’ଣ ନିହାର ଏମିତି କୁଳବୋହୂ ନ ହୋଇ ମଧ୍ୟ କୁଳବୋହୂର ପରାଧୀନତା ସାଙ୍ଗରେ ଧରି ବସି ରହିଥିବ ? ସେ କ’ଣ ଦିନେ ହେଲେ କାହାରି ସାଙ୍ଗରେ ପରିଚୟ କରି, ବନ୍ଧୁତା କରି, କାହାରିକୁ ଭଲ ପାଇ ସ୍ୱାଧୀନ ଭାବରେ ଚଳପ୍ରଚଳ ହୋଇପାରିବ ନାହିଁ ?

 

ସେ ତ ନିଜେ ଏକୁଟିଆ ରହିବ ବୋଲି ନିଜର ପ୍ରିୟଲୋକ, ନିଜର ବନ୍ଧୁ ଲୋକ ଗଢ଼ି ତାଙ୍କର ସମାଜ ଭିତରେ ଚଳିବ ବୋଲି ଏଠି ଆସି ପହଞ୍ଚିଛି...ହଁ ସେ ଯାଇପାରିବ ।

 

ଭାବିଲା ଭାବିଲା ପରି ହୋଇ ନିହାର କହିଲା—ଯିବା । ...ଭଲ ବେଳ ଅଛି ? ମନେ ରଖିଥାଆନ୍ତୁ ଯଦି ଛବିଟି ଭଲ ହୋଇ ନ ଥାଏ ତେବେ ମୁଁ ଆପଣଙ୍କ ସାଙ୍ଗରେ କଥା କହିବି ନାହିଁ ।

 

ସେତେବେଳେ ଶ୍ରୀଧରର ଆଖି ଦୁଇଟି ନିହାରକୁ ଅତି ନୂଆ ପ୍ରକାରର ଦିଶିଥିଲା । ଆଶଙ୍କା ଲିଭିଯାଇଛି, ସନ୍ଦେହ ଚାଲିଯାଇଛି । ତା’ ବଦଳରେ ଦେଖା ଦେଇଛି ଆଶାର ସ୍ପଷ୍ଟ ରେଖା-। ନିହାର ସାଙ୍ଗରେ ବନ୍ଧୁ ହେବାପାଇଁ ଅସୀମ ବ୍ୟାକୁଳତା ।

 

ଶ୍ରୀଧର କହିଲା—ଡେରି ହୋଇଯିବ, ଲୁଗାପଟା ପିନ୍ଧ । ହଷ୍ଟେଲରେ କହି ଏଇ ଗଛମୂଳକୁ ଆସିବ । ରିକ୍‌ସା ଅପେକ୍ଷା କରିଥିବ ।

 

—ହଉ ।

 

—ଡେରି କରିବ ନାହିଁ । କହି ଶ୍ରୀଧର ଗୋଟିଏ ସିଗାରେଟ ଲଗାଇଲା । ତା’ର ଦେହର ପ୍ରତ୍ୟେକ ଶିରା ଫୁଲି ଉଠିଥିଲେ । ମନ ଭିତରର ଆନ୍ଦୋଳନ ପ୍ରଖର ହୋଇଉଠିଥିଲା...ନିହାର ଆସିବ ।

 

ଝାପ୍‌ସା ଆଲୁଅରେ କେବଳ ଦେହରେ ପଡ଼ିଥିବା ଶାଢ଼ୀରୁ ଦେହର ସୂଚନା ଦେଇ ନିହାରବାଳା ଧୀରେ ଧୀରେ ଆଗେଇ ଆସିଲା ରିକ୍‌ସା ପାଖକୁ । ସେ ଦିନ ସଂଧ୍ୟାରେ ସେ ଗୋଟିଏ ଅଭିସାରିକା । ସିନେମା ଯିବାପାଇଁ ଲୁଗା ପିନ୍ଧିଲାବେଳେ ସେ ନିଜକୁ ମନେ କରୁଥିଲା ସୁଖୀ ବୋଲି । କେତେ ଦ୍ୱନ୍ଦ୍ୱ ବିରୋଧ ମନରେ ରଖି ଶ୍ରୀଧର ତାକୁ ଡାକି ଆସିଥିଲା—ଯିବ କି ନାହିଁ...ଶ୍ରୀଧର ନିଜର କି ନୁହେଁ—ୟାର ଶେଷ ଉତ୍ତର ନିହାରବାଳା ଦେବ । ତା’ର ସେହି କଥା ପଦକରେ ଆଉ ଜଣକ କେତେ ସୁଖ ଅବା ଦୁଃଖ ପାଇବ ।

 

ଶ୍ରୀଧର ଠିଆ ହୋଇଛି—ଦୂରରୁ ସେ ନିହାରକୁ ଭାରି ସୁନ୍ଦର ଦିଶୁଥିଲା । ସେ ଜାଣିବାର ପ୍ରତ୍ୟେକ ଲୋକଠାରୁ ସୁନ୍ଦର । ପୁରୁଷର କାମନାର ଉତ୍ସାହ ହେଉଛି ତା’ର ସୌନ୍ଦର୍ଯ୍ୟ । ମନର ଅଧୀରତା ହେଉଛି ତା’ର ଜ୍ୟୋତି । ନିର୍ଭୀକତା ହେଉଛି ତା’ର ଆକର୍ଷଣ ।

 

କ’ଣ ଅଛି କ’ଣ ନାହିଁ, କ’ଣ ମିଳିବ କି ନାହିଁ—ସେସବୁର ବିଚାର ନ କରି ଶ୍ରୀଧର ଆସିଥିଲା ନିହାରର ବନ୍ଧୁତା ମାଗି । ନିହାର ମନରେ ବାରମ୍ବାର ଗୋଟିଏ ପ୍ରଶ୍ନ ଜାଗିଥିଲା—ଶ୍ରୀଧର କ’ଣ ଚାହେଁ ?

 

ପ୍ରତ୍ୟେକ ନୂଆ ମଣିଷ ଗୋଟିଏ ଆକର୍ଷଣ । ସେହି ଆକର୍ଷଣର ଅନୁଭବ ଜୀବନର ଗୋଟାଏ ବିଶେଷ ଅନୁଭୂତି । ବାରମ୍ବାର ମଣିଷଙ୍କ ବନ୍ଧୁତା ଓ ଶତ୍ରୁତା, ଆଉ ମିଳନ ଓ ବିରହ ଭିତରେ ଏହି ଆକର୍ଷଣ ସବୁବେଳେ ନୂଆ ।

 

ଶ୍ରୀଧର ପାଖକୁ ଆସିଲାବେଳେ ନିହାରବାଳାର ରକ୍ତ ଚଞ୍ଚଳ ହେଉଥିଲା...ନିଶ୍ୱାସ ପ୍ରଖର । କିନ୍ତୁ ଶ୍ରୀଧରର ମନେ ହେଉଥିଲା, ଯେପରି ସେ ହଠାତ୍‌ ଶୀତଳ ପଡ଼ିଯାଇଛି ।

 

ଡାକି ଆଣିଥିଲା ଦେହର କାମନାପାଇଁ । ...ଯୌବନର ଉପଭୋଗପାଇଁ । କିନ୍ତୁ ନିହାର ଆସିଲାବେଳେ ସେ ତାକୁ ସେହି ଅସ୍ପଷ୍ଟ ଅନ୍ଧାର ଭିତରେ ଭଲ ପାଇଥିଲା । ମଣିଷ ଦେହକୁ କାମନା କରେ । କିନ୍ତୁ ସୌନ୍ଦର୍ଯ୍ୟକୁ ଭଲପାଏ ।

 

ରିକ୍‌ସାରେ ଗୋଡ଼ ଦେଇ ନିହାରବାଳା ହସି କହିଲା—ଡେରି ହୋଇଗଲା ।

 

—ନାହିଁ, ବେଳ ଅଛି ।

 

ଶ୍ରୀଧରକୁ ରିକ୍‌ସାରେ ଅତି ନିକଟରେ ପାଇ ନିହାରବାଳା ଆଉଜି ପଡ଼ିଲା ଶ୍ରୀଧର ଦେହରେ ।

 

ଶ୍ରୀଧର ଆଉଜି ପଡ଼ିଲା ନିହାରର ମୁହଁ ଉପରେ—କେଡ଼େ ଉଷୁମ ! କେଡ଼େ ସ୍ନିଗ୍ଧ ! ନିହାରବାଳା ହାତଟି ଛନ୍ଦି ହୋଇଗଲା ଶ୍ରୀଧରର ହାତ ଭିତରେ । ନିହାରବାଳାର ମନରେ ସେତେବେଳେ ସୀମା ଅତିରିକ୍ତ ସ୍ନେହ ଶ୍ରୀଧରପାଇଁ ।

 

ସିନେମା ଗଲାବେଳେ ଶ୍ରୀଧର କହିଲା—ମୋର ଇଚ୍ଛା ହେଉଛି ସେଠିକି ନ ଯାଇ ଆମେ ମହାନଦୀ କୂଳେ କୂଳେ ବୁଲନ୍ତେ । କୃଷ୍ଣପକ୍ଷ ରାତିର ବିଜୁଳି ଆଲୁଅକୁ ଚାହିଁ ଚାହିଁ ଅଧା ଅନ୍ଧାର, ଅଧା ଆଲୁଅରେ ଏମିତି ବୁଲି ଆସନ୍ତେ ।

 

—ତମ ଇଚ୍ଛା । ତୁମେ ତ ମୋତେ ଡାକି ଆଣିଛ...ସିନେମା ଦେଖିବା ନାହିଁ ?

 

—ହଁ ଦେଖିବା । ବହୁତ ଥର ଦେଖିବା । କିନ୍ତୁ ରିକ୍‌ସାରୁ ଓହ୍ଲାଇବାକୁ ଇଚ୍ଛା ହେଉନାହିଁ-। ତମେ ଏଡ଼େ ସୁନ୍ଦର !

 

—କେହି ତ ମୋତେ ସୁନ୍ଦର ବୋଲି କହନ୍ତି ନାହିଁ !... ନିହାରବାଳାର କଣ୍ଠସ୍ୱର ଥରୁଥାଏ ।

 

—ତମେ ଭାରି ଭଲ । ମୋ ପରି ଗୋଟିଏ ଛାତ୍ରକୁ ତମେ ଭଲ ପାଇପାରୁଛ !

 

ହସି ନିହାର କହିଲା—ଛାତ୍ର କଣ ? ତମର ହୃଦୟ ଅଛି...ସବୁଦିନେ ମୋତେ ଭଲ ପାଇପାରିବ ?

 

ଦୁହିଙ୍କ ମୁହଁ ସତେ ଯେପରି ଦୁହିଙ୍କର କଥା ଶୁଣିବାକୁ ପରସ୍ପର ନିକଟକୁ ଆସିଥିଲେ । ରାସ୍ତାର ଅବସ୍ଥିତ, ରିକ୍‌ସାବାଲାର ଉପସ୍ଥିତି ତାଙ୍କୁ ଚେତନା ଦେଇପାରି ନ ଥିଲା । ପରସ୍ପରକୁ ନିକଟରେ ପାଇବା ସତେ ଯେପରି ସେମାନଙ୍କର ଆକାଙ୍‌କ୍ଷାର ଚରମ ପରିଣତି !

 

ଉଦ୍ଦାମ ଉତ୍ତେଜନା ଭାଙ୍ଗି ପଡ଼ୁଥିଲା ଲହରୀ ପରି ଶ୍ରୀଧର ଦେହରେ । ସେହି ଅନ୍ଧାର ଭିତରେ ନିହାର ଦେଖିପାରୁଥିଲା ଶ୍ରୀଧର ମୁହଁର ଉଜ୍ଜ୍ୱଳତା । ନିହାରକୁ ଭାରି ଭଲ ଲାଗୁଥିଲା । ଶ୍ରୀଧର ବଡ଼ କି ସାନ...ତା’ର ବିଚାର ନିହାରବାଳା କରିପାରୁ ନ ଥିଲା ।

 

ସିନେମା ନ ଯାଇ ସେମାନେ ନଈବାଲିରେ ବସିଲେ । ନିହାରବାଳା ଆଉଜି ଶୋଇଥାଏ ଶ୍ରୀଧରର ଦେହ ଉପରେ । ଶ୍ରୀଧର ତାକୁ ବାରମ୍ବାର କହୁଥାଏ...ମୋତେ ଛାଡ଼ିଯିବ ନାହିଁ...କାହାରି ସାଙ୍ଗରେ କଥା କହିବ ନାହିଁ । କାହାରି ସାଙ୍ଗରେ ମିଶିବ ନାହିଁ...ଏକା ତମେ ଆଉ ମୁଁ ।

 

କୃତଜ୍ଞତା ଜଣାଇଲାପରି ନିହାର କହୁଥିଲା—ଆଜି ବଡ଼ ଭାଗ୍ୟର ଦିନ । ତୁମକୁ ପାଇଲି । ସମସ୍ତେ ନିହାରକୁ ନିନ୍ଦା ଦେଇ ଛାଡ଼ି ଯାଇଛନ୍ତି । କେହି ତାକୁ ତମପରି ଭଲ ପାଇନାହାନ୍ତି । ...ଆଗରୁ ହେଲେ ଦେଖା ହୋଇଥାନ୍ତା । ମୁଁ ଆଉ ଆସି ନ ଥାନ୍ତି ଡାକ୍ତରଖାନାକୁ...ଏଠିକି ନ ଆସିଥିଲେ କ’ଣ ତମକୁ ପାଇଥାନ୍ତି ? କେଜାଣି କେତେ ଦୂରରେ ଚିହ୍ନା-

 

ଶ୍ରୀଧରର ଅତିରିକ୍ତ ଉତ୍ସାହକୁ ବାଧା ଦେଇ ନିହାରବାଳା କହୁଥାଏ—ଭଲ ପାଅ ! ଖରାପ ବ୍ୟବହାର ଦେଖାଅ ନାହିଁ । ଆମର ସମ୍ବନ୍ଧ ହେବ ସବୁବେଳେ ପବିତ୍ର ! ତମେ ହେବ ସଂଯମୀ, ମୁଁ ହେବି ତମର ନିଜର ଲୋକ ।

 

ନିକଟ ଲୋକର ପ୍ରଧାନ ଆକର୍ଷଣ ହେଉଛି—ତା’ର କଳ୍ପନାମଖା ଦୂରତ୍ୱ । ନିହାରବାଳା ନିଜର ଉଷ୍ଣତାକୁ ବାରମ୍ବାର ନିଜର ଚେତନ ମନର ଭିତରେ ବାନ୍ଧିରଖି ଶ୍ରୀଧରକୁ ସେହି ଆଜୀବନ ଭଲ ପାଇବା, ଆଜୀବନ ପ୍ରୀତି ମାଗୁଥିଲା । ଆଉ ଶ୍ରୀଧର ତାକୁ ବାରମ୍ବାର ପ୍ରତିଜ୍ଞା କରୁଥିଲା—ସେ ସବୁଦିନେ ନିହାରବାଳାର ।

 

—ଏମିତି ଦିନେ ଦିନେ ତମରି ପରି ଲୋକେ ଆସି କହନ୍ତି, ସବୁଦିନେ ମୁଁ ତମର । ପୁଣି ସେମିତି ଦିନେ ଦିନେ ସେହିମାନେ କହନ୍ତି, ତମେ କେଉଁଦିନ ମୋର ହେବ ନାହିଁ । ନିହାରବାଳାର ଆଖି ଶ୍ରୀଧରର ଜଂଘକୁ ଓଦା କରିଦେଲା ।

 

—ମୁଁ ସେମିତି ନୁହେଁ । ମୁଁ ଯାହାକୁ ଭଲପାଏ, ପ୍ରାଣ ଦେଇ ଭଲପାଏ ।

 

ନିହାର ଚାହିଁ ରହିଲା ଶ୍ରୀଧର ମୁହଁକୁ । ଶ୍ରୀଧର ଉତ୍ସାହରେ ଆଜୀବନ ଭଲ ପାଇବା ଦେବ ବୋଲି ପ୍ରତିଜ୍ଞା କରୁଛି ।

 

ଉପରର ତାରାକୁ ଚାହିଁ ନିହାରବାଳା କହିଲା—ସବୁଦିନେ ଏମିତି କ’ଣ ପାଖରେ ବସାଇ ପାରିବ ? ନିହାରକୁ ଭୁଲିବ ନାହିଁ ବୋଲି ତମେ କ’ଣ ସବୁଦିନେ ଏମିତି ଏକୁଟିଆ ରହିପାରିବ ? ବିଭା ହେବ ନାହିଁ ?

 

—ନା । ତୁମକୁ ମୁଁ ପାଖରେ ରଖିବି ପଢ଼ା ସାରିଲେ ।

 

—କେବେ ତମର ପଢ଼ା ସରିବ ?

 

—ଫେଲ ହୋଇଗଲି ପରା ଗୋଟାଏ ବିଷୟରେ । ଏଥର ପାସ କରିବି ।

 

—ତମେ କ’ଣ କାହାକୁ ଭଲ ପାଇନାହଁ ?

 

—ମିଶିଛି ଯେ, ତେବେ ତମପରି ଲୋକଙ୍କୁ କେବେ ଦେଖି ନ ଥିଲି ।

 

—ମୁଁ ତ ଗୋଟାଏ କୁଳ-କଳଙ୍କିନୀ ।

 

—ସେମିତି ଲୋକେ କହିବେ । ଆମେ ଆଜି ଏମିତି ରିକ୍‌ସାରେ ଆସିଛୁ । ଏଠି ବସିଛୁ-। ଲୋକ କ’ଣ ବହୁତ କଥା କହିବେ ନାହିଁ ? କିନ୍ତୁ ତମେ ଆଉ ମୁଁ କ’ଣ କହିପାରିବୁ ନାହିଁ ଯେ ଆମେ ଭଲ ?

 

ଦୀର୍ଘ ନିଶ୍ୱାସ ପକାଇ ନିହାର କହିଲା—ଦୁନିଆର କଥା ହେଉଛି ତ ବଡ଼ କଥା । ଆମ କଥାକୁ କାନେଇବ କିଏ ?

 

—ଦୁନିଆକୁ ଡରିବା ନାହିଁ । ବୁଢ଼ାମାନେ ଡରନ୍ତି । ମୋର ମନ ଭାରି ଦୃଢ଼ ।

 

ନିହାରବାଳା ହସି କହିଲା—ହଉ, ଶ୍ରୀଧର ବାବୁ, ପରୀକ୍ଷା କଲେ ଜାଣିପାରିବ । ତମେ ବି ଦୁନିଆଁ ଲୋକଙ୍କ କଥାରେ ନିହାରର ନିନ୍ଦା ଶୁଣି ଦିନେ ତାକୁ ନିନ୍ଦା କରିବ ।

 

ନିହାରକୁ ଭିଡ଼ି ଧରି ଶ୍ରୀଧର କହିଲା—ତେବେ ମୁଁ ହେବି ଅକୃତଜ୍ଞ—ପାଷଣ୍ଡ !

 

ଏମିତି ଅସୁମାର କଥା, ତରୁଣର ଭାବ-ପ୍ରବଣ କଥା, ନୂଆ ପ୍ରେମିକର ଉତ୍ସାହୀ ଅର୍ଥହୀନ କଥା ମାଳ ମାଳ ହୋଇ ପରସ୍ପର ତୁଣ୍ଡରୁ ବାହାରି ଅପରର ହୃଦୟରେ ଲମ୍ବି ଯାଉଥିଲା । ଗୁଡ଼ିଏ ସୁନ୍ଦର କଥାର ମାଳା ଏକ ଆରେକକୁ ପିନ୍ଧାଇଥିଲେ । ତା’ରି ଭିତରେ ଉଭୟେ ଉଭୟଙ୍କୁ ପରସ୍ପରର ବନ୍ଧୁ ଭାବରେ ଦେଖୁଥିଲେ ।

 

ଫେରିଆସିଲେ । ଜଣକ ସାଙ୍ଗରେ ନିହାରବାଳାର ଅକୃତ୍ରିମ ସ୍ନେହର ପ୍ରଥମ ଅଧ୍ୟାୟ ଆରମ୍ଭ ହୋଇଛି । ନିହାରବାଳାର ଦୁଃଖ କମିଛି । ଆଶ୍ୱାସନା ବଢ଼ିଛି । ସେ ଭଲରେ ମନ୍ଦରେ ଶ୍ରୀଧର ଉପରେ ଭରସା ରଖିପାରିବ । ଡାକ୍ତରଖାନାର ଜଞ୍ଜାଳ ଭିତରେ ଦିଗମ୍ବର, ବଳରାମ ଓ ସଞ୍ଜୟ ଆଦି ଲୋକେ କିଛି ସାହାଯ୍ୟ କରିପାରିବେ ନାହିଁ । ବିକ୍ଷପ୍ତ ଲୋକଙ୍କର କାମନା-କଳୁଷିତ ଆଖିର ଚାହାଣୀକୁ ଏଡ଼ାଇବାକୁ ବନ୍ଧୁତାର ଦୃଢ଼ତା ନେଇ ଠିଆ ହୋଇଥିବା ଗୋଟିଏ ଆଶ୍ରୟ ଦରକାର ।

 

ନିହାରବାଳାକୁ ସେ ଦିନ ସଂଧ୍ୟାଟି ଭାରି ସଫଳ ଲାଗିଲା । ଦେହକୁ ଉଜାଡ଼ି ନ ଦେଇ ଖାଲି ମନକୁ ମନ ସାଙ୍ଗରେ ସେ ବାନ୍ଧି ପାରିଛି । ଉତ୍ତପ୍ତ ମନର ବଳିପଡ଼ିଥିବା ଉତ୍ତେଜନାକୁ ନିଜେ ନିଜେ ବୁଝାଇଲାବେଳେ ସେ ବିସ୍ମିତ ହୋଇ ଦେଖୁଥିଲା ଶ୍ରୀଧରକୁ ।

 

....କେଡ଼େ ଭଲ ! କେଡ଼େ ସୁନ୍ଦର ସେ ଭଲ ପାଇ ଜାଣନ୍ତି ! କୌଣସିପ୍ରକାରର ଅନ୍ୟାୟ ନ କରି ସେ ବନ୍ଧୁତାର ଅହଙ୍କାର ରଖିପାରନ୍ତି । ତା’ର ମନେ ହେଲା ଯେ ସେ ଶ୍ରୀଧରକୁ ଭାରି ଭଲ ଯାଏ ।

 

କାମ ସାରି କାଗଜ ଖଣ୍ଡିଏ ଆଣି ଲେଖି ବସିଲା ଶ୍ରୀଧରକୁ ଭଲ ପାଉଥିବାର ନାନାପ୍ରକାରର କଥା । ତା’ର ମନେ ପଡ଼ୁଥିଲା ଶ୍ରୀଧରର ପ୍ରତ୍ୟେକ ସ୍ପର୍ଶ ତୁଣ୍ଡର ପ୍ରତ୍ୟେକ ସ୍ୱର, ଚାହାଣୀର ପ୍ରତ୍ୟେକ ଭଙ୍ଗୀ । ସେ ବାରମ୍ୱାର ଲେଖିଲା—ତୁମ ପାଖରୁ ଆସି ପୁଣି ତୁମକୁ ନ ଦେଖିବାଯାଏ ମୋତେ ସବୁ ବିଷ ପରି ଲାଗୁଛି ।

 

ମନ ଭିତରେ ଲାଜ ସରମ ନାହିଁ । ତୁଣ୍ଡର କଥା, ଲେଖନୀର ଭାଷା ହୃଦୟର ପ୍ରତ୍ୟେକ ଭାବକୁ ପ୍ରକାଶ କରିବାରେ ଅସମର୍ଥ । ଯାହା ବା ସେ କହିପାରିଥିଲା କି ଲେଖିଥିଲା, ତହିଁରୁ ଅଧିକ ଯେପରି ରହିଯାଇଛି ।

 

ସେ ସବୁ ଯେପରି—ଦେଖା ହେବାଯାଏ ସବୁ ବିଷପରି ଲାଗୁଛି—ଏଇ ଶବ୍ଦ କେତୋଟି ଭିତରେ ଛତ୍ରେ ଛତ୍ରେ ପୂରି ରହିଛନ୍ତି ।

 

ଚିଠିଟିକୁ ତକିଆ ତଳେ ରଖି ନିହାରବାଳା ମଧୁର ସ୍ୱପ୍ନ ଦେଖିଥିଲା.... ଶ୍ରୀଧରଙ୍କ ତୁଳନା ବଳରାମ ନୁହନ୍ତି । ଯେବେ ସେ ବିଭା ନ ହୋଇ ରହିଯାଇଥାନ୍ତା, ତାହାହେଲେ କ’ଣ ଶ୍ରୀଧରକୁ ପାଆନ୍ତା ନାହିଁ ? ବଳରାମ ସେତିକିରେ ଅନ୍ତରାୟ ।

 

ଇଚ୍ଛା ହେଉଥିଲା ବଳରାମକୁ ଲେଖିବାକୁ—କହୁଥିଲ ପରା ମୁଁ ଖରାପ, ମୁଁ ଚରିତ୍ରହୀନ-। ଥରେ ଏଠିକି ଆସ, ଶ୍ରୀଧରବାବୁଙ୍କୁ ପଚାର, ସେ ତମକୁ କହିବେ ନିହାରବାଳାର ଚରିତ୍ର ବିଷୟରେ ।

 

ଦିଗମ୍ବର ଟିକିଏ ସାହାଯ୍ୟ କଲେ ବୋଲି ନିଜର କେଡ଼େ ଅସୁନ୍ଦର ଚିତ୍ର ଦେଖାଇଥିଲେ-। ସେ ଯଦି ଆସନ୍ତେ, ତାହାହେଲେ ବୁଝିଯାନ୍ତେ ଯେ ନିହାରବାଳାକୁ ସମସ୍ତେ ଚରିତ୍ରହୀନ ମନେ କରନ୍ତି ନାହିଁ । ସବୁ ଜାଣି ସୁଦ୍ଧା ତାକୁ ନିଷ୍କଳଙ୍କ ରୂପେ ଦେଖି ପାରନ୍ତି । ତା’ପ୍ରତି ସହାନୁଭୂତି ଦେଖାଇ ଜାଣନ୍ତି ।

 

ହୀନ ଚରିତ୍ରର ଲୋକେ ସବୁବେଳେ ଚରିତ୍ରହୀନତା କାଢ଼ି ନେଲାପରି, ଅନ୍ୟମାନେ ଯେପରି ହୋଇଥିଲେ କାହିଁ ଶ୍ରୀଧର ତ ସେପରି ହେଲେ ନାହିଁ ! ତାଙ୍କ ପାଖରେ ସେହି ଚରିତ୍ର, ନୀତି, ଆଚାର ଓ ସମସ୍ତ ପ୍ରିୟ ଜିନିସ କୁଢ଼େଇ ଦେବାପାଇଁ ମନରେ ତିଳେମାତ୍ର କୁଣ୍ଠା ନାହିଁ ।

 

ବାରମ୍ବାର ଆଖି ବୁଜି ଶୋଇବାକୁ ଚେଷ୍ଟା କରି ନିହାରବାଳା ତା’ର ଦେହ ଉପରେ ଶ୍ରୀଧରର ତରୁଣ ହାତର ସ୍ପର୍ଶ ଅନୁଭବ କରୁଥିଲା କେଡ଼େ ଭଲ ଲୋକ ! ଯାହା ଚାହିଁଥାନ୍ତେ ତାହା ଦେଇ ପାରିଥାନ୍ତେ । ନେଇଥିଲେ, କିନ୍ତୁ ଶ୍ରୀଧରକୁ ଏପରି ନିବିଡ଼ ଭାବରେ ଭଲ ପାଇପାରି ନ ଥାନ୍ତା । ସେ ଏମିତି ବୁକୁ ଥରେଇ ନିହାରବାଳାକୁ ତାଙ୍କ ଆଡ଼କୁ ଚୁମ୍ବକର ଶକ୍ତିପରି ଦୃଢ଼ଭାବରେ ଟାଣିପାରି ନ ଥାନ୍ତେ ।

 

ସବୁ ଛାଡ଼ିଯାଇ ସେ ସବୁ ନେଇଯିବାକୁ ଦାବୀଦାର ହୋଇଛନ୍ତି । ନିହାରବାଳା ତାଙ୍କୁ ଅନୁରୋଧ ଜଣାଇ କହିବ, ନିହାରର ହୃଦୟ, ମନ ଆଉ ସର୍ବସ୍ୱ ସେ ନିଅନ୍ତୁ ।

 

ନାନାପ୍ରକାରରେ ଶ୍ରୀଧରକୁ ସେ ଦିନ ସେ କଳ୍ପନା କରିଥିଲେ । ସିନେମା ଦେଖାଇବାକୁ ଡାକିଥିଲେ । କିନ୍ତୁ ସେ ନିହାରକୁ ତା’ର ମନଟାକୁ ଦେଖାଇ ଦେଇଛନ୍ତି ।

 

ପ୍ରହେଳିକା, ମାୟା, ବିଚିତ୍ରା ଓ ତୁଷାର ବୋଲି ଯେଉଁମାନେ ନିହାରକୁ ତା’ର ମନ ସାଙ୍ଗରେ ପରିଚୟ କରାଇଥିଲେ ସେମାନେ ଅଲଗା ପ୍ରକାରର ଲୋକ । କେଡ଼େ ଶୀଘ୍ର ନିହାର କେତେ ପ୍ରକାର ଜୀବନର ଆସ୍ୱାଦ ପାଇଲାଣି । ପରାଧୀନ ଜୀବନରେ ଏଇ ବିଚିତ୍ର ଅନୁଭବ ନାହିଁ-। ସେ ଯଦି ଚିରଦିନ ପରାଧୀନ ହୋଇ ରହିଥାନ୍ତା, ତେବେ ନିହାର ତ କେବେ କହିପାରନ୍ତା ନାହିଁ–ସେ ଦୁନିଆକୁ ଚିହ୍ନିଛି । ସେ ନିଜକୁ ଜାଣିଛି ।

 

ସବୁ ଦିନକୁ ତା’ର ମନରେ ସଙ୍କୋଚ ରହନ୍ତା, ଦୁର୍ବଳତା ରହନ୍ତା । ରହିବା ଘରର ଏରୁଣ୍ଡି ବନ୍ଧ ଆରପାଖେ, ପରିବାରର ବନ୍ଧନ ସେ ପାଖରେ ନିହାର ହୋଇଥାନ୍ତା ଏକାବେଳକେ ଅସହାୟ ।

 

ଯାହା ହୋଇଛି ଭଲ ହୋଇଛି । ସେ ଘର ଛାଡ଼ି ଡାକ୍ତରଖାନାକୁ ଆସି ଖୁବ୍‌ ଭଲ କରିଛି-। ଜୀବନକୁ ଉପଭୋଗ କରିପାରିଛି । ଚରିତ୍ରହୀନତା ଓ କଳଙ୍କ କ’ଣ, ତାକୁ ସେ ନିଜର ଧାରଣା ଭିତରକୁ ଆଣି ପାରିଛି । ନିଜର ସେହି ଦରପୋଡ଼ା ଜୀବନପାଇଁ ତାହାର ଉତ୍ସାହ ଆସିଛି । ନିଜର ସୌନ୍ଦର୍ଯ୍ୟକୁ ସେ ଅପରକୁ ଦେଖାଇ ପାରିଛି । ସ୍ୱାଧୀନ ମନର ଓ ସ୍ୱାଧୀନ ନାରୀର ଆକର୍ଷଣ ବିଷୟରେ ସେ ସମ୍ପୂର୍ଣ୍ଣ ଭାବରେ ସଚେତନ ହୋଇପାରିଛି ।

ସ୍ମୃତିପଟରେ ସେ ନିଜକୁ ଭସାଇ ନେଇଥିଲା ପଛକୁ । ଜୀବନର ସାର୍ଥକତା ସ୍ୱାଧୀନତାରେ—ପରାଧୀନତାରେ ନୁହେଁ । ବନ୍ଧୁ ପରେ ବନ୍ଧୁ ସାଉଁଟି ପଛକୁ ପଛକୁ ଉପଯୁକ୍ତ ଲୋକ ପାଇଛି । କେବେହେଲେ ଏଇପରି ଗୋଟାଏ ଜୀବନର ସମ୍ଭାବନା ଅଛି ବୋଲି ସେ ଭାବି ନ ଥିଲା ।

ଚରିତ୍ର ସ୍ଖଳନ ହୋଇନାହିଁ ବୋଲି ସେ କହିପାରିବ ନାହିଁ । କିନ୍ତୁ ସେଥିରେ କ’ଣ ବା ଏମିତି ଅପୂରଣୀୟ କ୍ଷତି ହୋଇଛି ? ଖରାପ ଲୋକ ଖରାପ ବ୍ୟବହାର ଦେଖାଇଛନ୍ତି । ଭଲ ଲୋକ ତାକୁ ବି ଅତି ଭଲ କରିଦେଇଛନ୍ତି । ସେ କ’ଣ ସେଥିଭିତରେ ନିଜକୁ ସଂଯତ ରଖିପାରି ନାହିଁ ? ....ରଖିଛି ତ !

ସଂସାରରେ ଖାଲି ଯଦି ଏଇ ସଞ୍ଜୟ ଓ ଶ୍ରୀଧରଙ୍କ ପରି ଲୋକେ ଦେଖା ପଡ଼ନ୍ତେ, ତାହାହେଲେ ସେ ନିର୍ଭୟରେ, ନିଦ୍ୱନ୍ଦ୍ୱରେ ନିଜର ଜୀବନ-ତରୀ ବାହି ଚାଲିଯାନ୍ତା । ଡାକ୍ତରବାବୁଙ୍କ ପାଖକୁ ଗଲାବେଳେ ରିକ୍‌ସାବାଲା ହସିଥିଲା... ଆଜି ହୁଏତ ହସିଥିବ ! କିନ୍ତୁ ଉପରେ ଈଶ୍ୱର ସାକ୍ଷୀ ।

ଯେଉଁ ଦିନ ସେ ଭଲ ମନରେ ଠାକୁରଙ୍କୁ ଭଲ ହେବାକୁ ଡାକି ଡାକି ଯାଇଥିଲା, ସେ ଦିନେ ସେ ଠକେଇରେ ପଡ଼ିଛି ଆଉ ଯେଉଁଦିନ ସେ କୌଣସି ଫଳାଫଳକୁ ଅପେକ୍ଷା ନ ରଖି ତରୁଣ ଦେହର ସାମୟିକ ଖିଆଲରେ ଯାଇଥିଲା, ସେ ଦିନ ସେ ଫେରିପାଇଛି ଅତି ନିର୍ମଳ ମନ ଓ ଶାନ୍ତି ।

ଶ୍ରୀଧର ପାଖରେ ଠିଆ ହେବାକୁ, ବାସୁଦେବଙ୍କ ସାଙ୍ଗରେ କଥା କହିବାକୁ ତା’ର ଆଉ ଦ୍ୱିଧା ଆସେ ନାହିଁ । ନିଜର ଛୋଟ ଛୋଟ ସୁବିଧା ଅସୁବିଧା ସେ ସେମାନଙ୍କୁ କହେ । ସେମାନଙ୍କର ସହାନୁଭୂତି ଖୋଜେ ।

ସଞ୍ଜୟ ଆସିଥିଲା । ନିହାର ସାଙ୍ଗରେ ଦେଖା କରିବାର ସାହସ ନ ଥିଲାପରି ତା’ର ଗୋଟିଏ ବନ୍ଧୁର ଚିକିତ୍ସାପାଇଁ ଡାକ୍ତରଖାନା ଆସିଥିଲା । ହଠାତ୍‌ ନିହାର ସାଙ୍ଗରେ ଦେଖା—ସଞ୍ଜୟ ମୁହଁ ବୁଲାଇ ନେଲା ।

ହସି ନିହାରବାଳା କହିଲା—କ’ଣ ଏଇ କେଇଟା ଦିନରେ ଭୁଲିଗଲେ ?

—ମୁଁ କାହିଁକି ? ଆପଣ ଭୁଲିଛନ୍ତି ।

ଅନ୍ୟମନସ୍କ ଦୀର୍ଘନିଶ୍ୱାସ ପକାଇ ନିହାର କହିଲା—ସେତିକି ଅଧିକାର ଈଶ୍ୱର ଦେଇ ନାହାନ୍ତି । ମୋତେ ଭୁଲନ୍ତି ସମସ୍ତେ । ମୁଁ ତାଙ୍କୁ ଭୁଲିଗଲେ ଜାଣିବି କେମିତି ଯେ ସେମାନେ ମୋତେ ଭୁଲିଗଲେଣି ବୋଲି ।

ଠିକ୍‌ ସେମିତି କଥା । ନିହାରବାଳା କଥା ଶୁଣିଲେ ମନର ରାଗ ଚାଲିଯିବ । ସଞ୍ଜୟ ଭାବିଲା ନିହାରକୁ ପଚାରିବ ସେହି ଚିଠିର କଠୋରତା ବିଷୟରେ । ମନରେ ଦ୍ୱିଧା.... କାଳେ ନିହାର କ’ଣ ଭାବିବ ।

 

ହସି ନିହାର ପଚାରିଲା—ଆପଣଙ୍କ ବନ୍ଧୁମାନଙ୍କର ଖବର କ’ଣ ? ସେହି ଯେ କହୁଥିଲେ ଗଳ୍ପ ଲେଖିବେ ବୋଲି, ଲେଖିଲେଣି ? ତାଙ୍କୁ କହିବେ, ତୁଷାର ପ୍ରଣାମ ଜଣାଇଛି ।

 

ପୁଣି ବେଦନାର ସ୍ୱରରେ ନିହାର କହିଲା—ଯିଏ ତ ଯାହା ପାରିଲେ କହିଲେ । ଯିଏ ଯେତିକି ପାରିଲେ ନିଷ୍ଠୁର ପରି ହେଲେ.... ନର୍ସଟାଏ ।

 

—କ’ଣ ଗୁଡ଼ାଏ କହୁଛନ୍ତି । ଆପଣଙ୍କୁ ଯେ ଥରେ ଦେଖିବ, ଆପଣଙ୍କ ସାଙ୍ଗରେ ଥରେ କଥା କହିବ, ସିଏ ତ ବାରମ୍ବାର ଆସୁଥିବ ଆପଣଙ୍କ ପାଖକୁ ।

 

—ସେ ଭାଗ୍ୟ ମୋର ନାହିଁ... ଲୋକେ ତ ଏଠିକି ଆସି କାଳେ ମୋ ଚିହ୍ନା ବୋଲି କହିବାକୁ ପଡ଼ିବ ବୋଲି ଲୁଚି ଲୁଚି ରହନ୍ତି ।

 

ନିହାରର ଆଖିରେ ବିଚିତ୍ର ଆକର୍ଷଣ । ସେହି ଆଖି ଦୁଇଟି ଭିତରୁ ସେ ଯେପରି ଅସୀମ ଶ୍ରଦ୍ଧା ଢାଳି ଦେଉଛି ସଞ୍ଜୟ ଉପରେ । ସଞ୍ଜୟର ଦେହ ଚଞ୍ଚଳ ହୋଇଉଠିଲା ।

 

ଅନ୍ୟମନସ୍କ ଥିବାପରି ନିହାର କହିଲା—ଗରିବକୁ ଭୁଲିବେ ନାହିଁ । ମନେ ରଖିଥିବେ ଯେ ନର୍ସମାନଙ୍କର ବି ହୃଦୟ ଅଛି ।

 

ଅନୁତପ୍ତ ସଞ୍ଜୟ କହିଲା—ଆସିପାରି ନ ଥିଲି । କିନ୍ତୁ ଆପଣଙ୍କ କଥା ସବୁବେଳେ ଭାବେ ।

 

—ସେମିତି ଭାବିଲେ ନିହାରର କିଛି ଲାଭ ନାହିଁ । ଭାବୁଥିଲି ଯାଇ ଆପଣଙ୍କ ସାଙ୍ଗରେ ଦେଖା କରିବାକୁ । ଦିନେ ଯିବି ଯେ ।

 

ଚଞ୍ଚଳ ହୋଇ ସଞ୍ଜୟ କହିଲା—ନା, ନା, ମୁଁ ଆସିବି । ଆପଣ କାହିଁକି କଷ୍ଟ କରି ଯିବେ-?

 

ଦୁଃଖିତ ହେଲାପରି ନିହାର କହିଲା—ଆପଣଙ୍କର ଭୟ ହେଉଥିବ ନିହାରବାଳାକୁ ନିଜର ଲୋକ ବୋଲି ବାହାରେ ପରିଚୟ ଦେବାକୁ.. ରହସ୍ୟ କଲାପରି କହିଲା—ଚାହିଁଲେ କହିପାରିବେ । ଏତେ ପାଠ ପଢ଼ି ନିହାରର ପରିଚୟ କ’ଣ ଦେଇପାରିବେ ନାହିଁ ?

 

ବାକ୍ୟହୀନ ହୋଇ ସଞ୍ଜୟ ଚାହିଁ ରହିଲା ନିହାରବାଳାକୁ । କବିସୁଲଭ ଭଲ ପାଇବା ତେବେ କ’ଣ ସମ୍ଭବ ହୋଇପାରିବ ନାହିଁ ? ସମସ୍ତଙ୍କ ଅଲକ୍ଷ୍ୟରେ, ପ୍ରଚ୍ଛନ୍ନ ଭାବରେ ନିହାର କଥା କ’ଣ ଭାବି ହେବ ନାହିଁ ?

 

ନିହାର କ୍ଷମା ମାଗିଲା ପରି କହିଲା—ତେଣେ ବହୁତ କାମ ଅଛି । ଦୟା ରଖିଥିବେ, ମନେ ରଖିଥିବେ । ଭୁଲ ଥିଲେ କ୍ଷମା ଦେବେ...କହି ହସି ନମସ୍କାର ଜଣାଇ ନିହାର ଚାଲିଗଲା ।

 

କିନ୍ତୁ ତା’ର କଥା କେଇ ପଦ ଆଙ୍କି ଦେଇଥିଲା ଭଲ ପାଇବାର ଗଭୀର ରେଖା । ମନ ଖୋଲି ସେ କହିଛି ଓ ସଞ୍ଜୟର ମନକୁ ନିଜର ଅଧୀନସ୍ଥ କରି ନିହାରବାଳା ଚାଲିଯାଇଛି ।

 

ନିହାରବାଳା ଗଲାପରେ ସଞ୍ଜୟ ବାରମ୍ବାର ଭାବିଥିଲା—ତା’ର ଦେଖାଶୁଣା ସଂସାର ଭିତରେ ନିହାରବାଳା ପରି ନାରୀ କେହି ନାହିଁ । ଏତେ ସ୍ପଷ୍ଟ କରି କେହି ସଞ୍ଜୟକୁ ତା’ର ମନର କଥା କହି ନାହିଁ ।

 

ସଞ୍ଜୟ ଫେରିଆସିଲା । କିନ୍ତୁ ସେ ଏକାବେଳକେ ନିହାରବାଳାର ଅନୁଗତ ।

 

ତା’ର ଚିଠିଟି ଖୋଲି ଆଉ ଥରେ ପଢ଼ିଲା । ଚିଠି ଲେଖିଥିବା ନିହାରବାଳା ସେହି କଥା କହିଥିବା ନିହାରବାଳା ନୁହେଁ । ସତେ ଯେପରି ଚିଠି ଲେଖିଦେଲାବେଳେ ତା’ର ମନରେ ବହୁତ ପରିବର୍ତ୍ତନ ଆସିଛି ।

 

ଘରକୁ ଯାଇ ବାରମ୍ବାର ନିହାର କଥା ଭାବିବା ପରେ ଆଉ କୌଣସି କାମ କରିବା ସଞ୍ଜୟ ପକ୍ଷରେ ଦୂରୁହ । ସେ ନିହାର ପାଖକୁ ଚିଠି ଲେଖେ । ଯେଡ଼େ ଅସ୍ପଷ୍ଟ ହେଲେ ବି ଚିଠିଗୁଡ଼ିକ ତା’ର ମନ ଭିତରୁ ଚିନ୍ତାର ଗୁରୁଭାର ଖସାଇ ନିଅନ୍ତି । ପ୍ରତିଦିନ ଲେଖେ—ଡାକରେ ଦିଏ, ଆଉ ଚାହିଁରହେ ଉତ୍ତରକୁ ।

 

ଶ୍ରୀଧର ପଚାରିଥିଲା—ଏତେ ଚିଠି ତୁମର କୁଆଡ଼ୁ ଆସୁଛି ? ପ୍ରତିଦିନ ତ ଡାକବାଲା ପାଖରେ ଏକା ହସ୍ତାକ୍ଷରର ଠିକଣା ଲେଖାଥାଏ ।

 

—ନାହିଁ ତ ।

 

—ମୁଁ ଦେଖିଛି । କିଏ ସେ ?

 

—ସେ ଗୋଟିଏ ପାଗଳ ।

 

—ପାଗଳ ନ ହେଲେ ଏତେ ଚିଠି ଦିଅନ୍ତା କାହିଁକି ? ନୂଆ ଲୋକଟି କିଏ ?

 

—ନାହିଁ, ସେ ଗୋଟିଏ ରୋଗୀ । କୃତଜ୍ଞତା ଜଣାଇ ଚିଠି ଲେଖିଥିଲା ।

 

ପ୍ରତିଦିନ ତ କେହି କୃତଜ୍ଞତା ଜଣାଇବ ନାହିଁ । ସେ ନିଶ୍ଚୟ ତୁମକୁ ଭଲପାଏ ।

 

ଅଭିମାନ କରି ନିହାର କହିଲା—କ’ଣ ମୁଁ କରିବି ଏ ରୋଗୀମାନଙ୍କୁ । ମୁଁ ତ ତାଙ୍କୁ ଚିଠି ଦିଏ ନାହିଁ । ସେମାନେ ମୋତେ ଏମିତି ଅପଦସ୍ତ କଲେ ମୁଁ ତ ନାଚାର ।

 

—ତା’ର ଠିକଣା ଦିଅ । ମୁଁ ତା’ ସାଙ୍ଗରେ ଥରେ ଦେଖା କରିବି ।

 

—ଠିକଣା ତ ମୁଁ ଜାଣେ ନାହିଁ । କ’ଣ ଗୁଡ଼ାଏ ସେ ଲେଖେ, ମୋର ପଢ଼ିବାକୁ ବେଳ କାହିଁ ?

 

—ତେବେ ତାଙ୍କୁ ଭଲପାଅ ନାହିଁ ?

 

—ଛି ! ରୋଗୀଙ୍କୁ କିଏ କ’ଣ ଭଲପାଏ ? ....ଯାହାର ସେବା କରିଥିବ....

 

—ସେ ଯାହା ହେଉ, ତୁମେ ଅନ୍ୟ ଲୋକକୁ ଭଲ ପାଇଲେ ଜାଣିଥାଅ, ଆମର ମନାନ୍ତର ହେବ ।

 

ରହସ୍ୟ କରି ନିହାର ପଚାରିଲା—କାହିଁକି... ତୁମେ କ’ଣ ମୋତେ ଏତେ ଭଲପାଅ ? ଦୁହେଁ ଚାହିଁ ରହିଲେ ଦୁହିଁଙ୍କୁ ।

 

ଶ୍ରୀଧର କଥା ମନେ ପକାଇ ନିହାରବାଳା ରୋଗୀମାନଙ୍କର ବିଛଣା ପଖରେ ଏ ପାଖ ସେ ପାଖ ହେଲାବେଳେ ଭାବୁଥିଲା ନିଜ କଥା—ଶ୍ରୀଧର ମୋତେ ପରାଧୀନ କରି ରଖିଲେଣି । ମୁଁ ଆଉ କାହାରିକୁ ଭଲ ପାଇପାରିବ ନାହିଁ ।

 

...ପରାଧୀନତାରୁ କ’ଣ ନାରୀର ମୁକ୍ତି ନାହିଁ ? ଯେ ତା’ର ବନ୍ଧୁ ହେବେ ସେହି ହେବେ ତା’ର ବିବେକର ଚାଳକ ! ପ୍ରତ୍ୟେକ ରୋଗୀ ସେହି ଭଲ ପାଇବାର ଉଷ୍ଣତା ଟିକକପାଇଁ ଚାହିଁ ରହିଛି । ପ୍ରତ୍ୟେକର ଆଖିରେ ସେହି ଗୋଟିଏ ନିବେଦନ । ପ୍ରତ୍ୟେକ ପୁରୁଷର ମନରେ ସେହି ଗୋଟିଏ ଅନୁରୋଧ ।

 

ନା, ଶ୍ରୀଧରଙ୍କ କଥା ଠିକ୍‌ ନୁହେଁ, ତାଙ୍କପାଇଁ ସେ ସଂସାରର ସମସ୍ତଙ୍କୁ ଦୂର କରିଦେଇ ପାରିବ ନାହିଁ ।

 

ଥରେ ବାସୁଦେବ ଆସି ପଚାରିଲା—ଆଉ କାହିଁକି ଆମକୁ ପଚାରିବ ! ଚିହ୍ନା ନ ଥିଲାବେଳେ ସିନା ଚିହ୍ନା କରିବାକୁ ଦିନେ ଇଚ୍ଛା ହୋଇଥିଲା ।

 

ହସି ନିହାର କହିଲା—ଆଜି କ’ଣ ହଠାତ୍‌ ଏଡ଼େ ଅଭିଯୋଗ ? ଶ୍ରୀଧରବାବୁ କିଛି କହିଛନ୍ତି କି ?

 

କ’ଣ ଆଉ କହିବେ ? ସେ ତ ତମର ଚିଠି ପଢ଼ୁଛନ୍ତି, ଚିଠି ଲେଖୁଛନ୍ତି... ଆମେ ତାଙ୍କରିଠାରୁ ଯାହା ଜାଣିବା କଥା ।

 

ନିହାରବାଳାର ମନ ଭିତରେ ବିଦ୍ରୋହ ଜାଗି ଉଠିଲା । ନିହାରବାଳାର ଚିଠିଗୁଡ଼ିକ ତେବେ ସମସ୍ତଙ୍କ ଆଖିରେ ପଡ଼ୁଛି ! ନରମ ହୋଇ ପଚାରିଲା—ସେଇ ଚିଠି ଖଣ୍ଡକରୁ ଏତେ ଅଭିମାନ !

 

—ଏତେ ବନ୍ଧୁତା ହେଲା କେମିତି... ଶ୍ରୀଧର ପରି ଲୋକ !

 

—ମୁଁ କ’ଣ କରିବି ? ଚିଠି ନ ଦେଲେ ତ ସେ ମୋତେ ଗାଳି ଦିଅନ୍ତି । ସେଇ ଚିଠିକୁ ସେ ପୁଣି ଦେଖାଇଲେ !

 

—ଚିଠି ଲେଖି ସାରିଲା ପରେ ଆଉ ଭାବିଲେ କ’ଣ ହେବ.... ଭଲ ରୁମାଲଟିଏ ହୋଇଥିଲା । ବଡ଼ ଭାଗ୍ୟବାନ୍‌ ସେ ।

 

ନିହାରବାଳାର ମୁହଁ ଝାଉଁଳିଗଲା । ସେ ଯେପରି ସମସ୍ତଙ୍କର ରଙ୍ଗ-ରହସ୍ୟର ବିଷୟ । ମନ ଭିତରେ ତା’ର ସେହି ବିଚାରହୀନ ଚିଠିଟି ତାକୁ ଲାଜ ଦେଉଥିଲା । କିନ୍ତୁ ରାଗ ଦେଖାଇବାର ଉପାୟ ନାହିଁ ।

 

ଅନ୍ତରଙ୍ଗ ଲୋକର ପରିଚିତ ଭାଷାରେ କହିଲା—ଚିଠି ଖଣ୍ଡକ କ’ଣ ଭାବି ଲେଖିଦେଇଥିଲି.. ଆଉ ଲେଖିବି ନାହିଁ ।

 

—ନା, ଲେଖିବ ନାହିଁ । ଶ୍ରୀଧର ସହିତ ସାବଧାନ ହୋଇ ଚଳିବ । ସେ ମେସ୍‌ଯାକ ଗର୍ବ କରି ବୁଲୁଛି ଯେ ତୁମେ ତାକୁ ଭାରି ଭଲପାଅ । ଆଉ ତୁମେ ତାର ପଛରେ ଗୋଡ଼ାଇଛ । ସେ ଭଲ ନ ପାଇଲେ ତମେ ମରିଯିବ ।

 

ଦୀର୍ଘନିଶ୍ୱାସ ପକାଇ ନିହାର କହିଲା—ମୋ ପ୍ରତି ସ୍ନେହ ରଖିଥିବେ । ମୋର ନିନ୍ଦା ହେଉଛି ଆପଣଙ୍କର ନିନ୍ଦା....ହେଲେ ଆପଣଙ୍କ ସାଙ୍ଗରେ ଆଗରୁ ଚିହ୍ନା ହୋଇଥାନ୍ତା ଭଲ କରି !

 

ଖୁସି ହୋଇ ବାସୁଦେବ କହିଲା—ପୁରୁଣା ଭୁଲକୁ ଧରି କଣ୍ଠାଗ୍ରତ ହେଲେ ଲାଭ ନାହିଁ । ତୁମର ସବୁ ଦାୟିତ୍ୱ ମୁଁ ନେଲି । ସାବଧାନ ହୋଇ ଚଳିବ ।

 

କାହାରିକୁ ଭଲ ପାଇ ନିନ୍ଦାକୁ ଏଡ଼ାଇବା ଏକାବେଳକେ ଅସମ୍ଭବ । କିଏ ଈର୍ଷାରେ ତାକୁ ନିହାର ଭଲ ପାଇଲା ନାହିଁ ବୋଲି ନିନ୍ଦା ଦେଇଛି । ଆଉ କିଏ ଭଲ ପାଇଛି ବୋଲି ଅହଙ୍କାରରେ ଫୁଲିଉଠି ଦାଣ୍ଡରେ ହାଟରେ ଡାକିହାକି କହୁଛି—ନିହାର ମୋତେ ଭଲପାଏ ।

 

ମନର ଗୋପନ କଥା ଅପରକୁ ଗୋପନରେ ଜଣାଇବା ହେଉଛି ଭଲ ପାଇବାର ପ୍ରକାଶ ଆଉ ସେହି କଥାଗୁଡ଼ିକୁ ଲୁଚାଇ ରଖିବା ହେଉଛି ପ୍ରୀତିର ସଫଳତା । ପ୍ରୀତିର ଦେବତାକୁ କିଛି କହି ନ ପାରିବା ସେମିତ ହେଉଛି ତା’ର ବ୍ୟର୍ଥତା ।

 

ସେହି ଅଳ୍ପଦିନର ଚିହ୍ନାଲୋକ କେତୋଟି ଏମିତି ଯଦି ନିହାରବାଳାକୁ ଭଲ ପାଇ ତାକୁ ନେଇ ଦାଣ୍ଡରେ ବସାଇବେ, ତେବେ ସେ ତ ଚିହ୍ନଦିଆ ମଣିଷପରି ଦିନେ ନା ଦିନେ ସବୁରିଠାରୁ ଅଲଗା ହୋଇଯିବ । ଏମିତି ଘଟଣା ଘଟିବାର ଆଶଙ୍କା ନିହାର ରଖି ନ ଥିଲା.....କେଡ଼େ ଅବିବେକୀ ଲୋକଟିଏ ଏଇ ଶ୍ରୀଧର...ଏମିତି କ’ଣ କେହି କାହାକୁ କହେ ? ବଳରାମ ଦିଗମ୍ବର ସେପରି ତ କରି ନ ଥିଲେ ।

 

ପ୍ରତ୍ୟେକ ଡାକ୍ତର—ଛାତ୍ର ଓ ଡାକ୍ତରଖାନାର ପ୍ରତ୍ୟେକ ଲୋକକୁ ଦେଖିଲେ ନିହାରବାଳାର ସେହି କଅଁଳ ମୁହଁ ଉପରେ ନାଲି ଗାର ଦିଶିଯାଏ । ଲାଜ ଘେରିଯାଏ ତା’ର ଆଖି ଦୁଇଟିକୁ ହାଡ଼ଭଙ୍ଗା ଶୀତର ହେମାଳ ପରି । ସମସ୍ତେ ଯେମିତି ଚାହିଁ ହସୁଛନ୍ତି—ନିହାରବାଳା ଶ୍ରୀଧରର ।

 

ମନ ଭିତରେ ବିଦ୍ରୋହ ଆସେ । ଏମିତି ଜଣକର ହେବ ନାହିଁ ବୋଲି, ଜଣକୁ ପାଇ ଦୁନିଆକୁ ଭୁଲିବ ନାହିଁ ବୋଲି ନିହାର ଗାଁ ଛାଡ଼ି ଏତେ ଦୂର ଆସିଲାଣି । ତେବେ ବି ସେଇ କଥା ! ଶ୍ରୀଧର ତାକୁ ଆଣି ତାଙ୍କରି ଲୋକ ବୋଲି ମୋହର ମାରି ଦେଇ ଦେଖାଇବାକୁ ଚେଷ୍ଟା କଲେଣି ।

 

ଛାଡ଼ିଆସିଥିବା ଦୁଇ କୁଳରେ ଏଇ ଖବର ବ୍ୟାପିଲେ ସେମାନେ ପୁଣି ନିନ୍ଦା, କୁତ୍ସା ଗୁଡ଼ିଏ ଠେଲି ପଠେଇ ଦେବେ ନିହାର ପାଖକୁ... ଘର କରିଥିଲୁ । ବରକୁ ଭଲ ପାଇଲୁ ନାହିଁ । ସେ ତ ଯାହା ହେବାର ହେଲା । ଏବେ ପୁଣି ପରକୁ ଭଲ ପାଇ କି ନାଟ ଲଗାଉଛୁ ?

 

ଶ୍ରୀଧର କେଡ଼େ ଅଡ଼ୁଆ ନ କଲେ ! ଏତେ କରି କହିଥିଲେ ଜୀବନ ଥିବାଯାକେ ଭଲ ପାଇବେ ବୋଲି ଯେ ଶେଷକୁ ନିହାରବାଳାର ମନରେ ବିରକ୍ତି ଆଣିଲେଣି । ଟିକକର ବିରକ୍ତିରେ ନିହାର ତ କେତେ ଲୋକଙ୍କୁ ଛାଡ଼ି ଦେଇଛି । ଜଣକୁ ଛାଡ଼ି ସେ ଏଠିସେଠି ହୋଇ ବ୍ରହ୍ମାଣ୍ଡ ବୁଲିଲାଣି ।

 

ଶ୍ରୀଧରଙ୍କ ସାଙ୍ଗରେ ଦେଖା ହେଲା । ନିହାରର ଅକୁହା ଦୁଃଖ ତା’ର ମୁହଁଟିକୁ ଫୁଲାଇ ଦେଇଥାଏ । ସେ ହସି ପଚାରିଲେ—କ’ଣ ବର୍ଷାଦିନିଆ ଭଳିଆ ଦିଶୁଛ ?

 

—ହଉ ଥାଉ । ମୋ ଚିଠିକୁ ନେଇ ବୋଡ଼ିଂରେ କାହିଁକି ପ୍ରଘଟ କରିଥିଲ ଶୁଣେ ?

 

—କାହିଁ, ନାହିଁ ତ । ତୁମ ରାଣ !

 

—ପୁଣି ମିଛ । ମୋ ରାଣ ପକାଉଛ କ’ଣ ବେଶିଗୁଡ଼ାଏ ଭଲ ପାଅ ବୋଲି ? ହଉ ଶୁଣ, ତୁମେ ପିଲାଲୋକ । ବୁଝିନାହଁ । କଥାକୁ ପ୍ରଘଟ କରନ୍ତି ନାହିଁ ।

 

—ମୁଁ ପିଲା ନୁହେଁ ।

 

—ପିଲା ନୁହଁ ତ ଆଉ କ’ଣ ? ଜୀବନର ସଙ୍ଗୀର ଚିଠିକୁ ପଦାରେ ଥୋଇ ଚରିତ୍ର ଉପରେ ନିନ୍ଦା ଆଣିଲେ କ’ଣ ଖୁସି ହେବାର କଥା ?

 

ଚିଡ଼ି ଉଠି ଶ୍ରୀଧର କହିଲେ—ହଉ ରଖିଦିଅ ତମ ସତୀତ୍ୱ । ଏମିତି ମୁଁ କେତେ ସତୀଙ୍କୁ ଦେଖିଲିଣି !

 

ପାଖ ରୋଗୀ କେତୋଟି ଚମକି ପଡ଼ିଲେ । ନିହାରର ଆଖିଗୁଡ଼ିକ କୁହୁଡ଼ିଆ ଦିଶିଲା । ୟେ ତ ଭଲ ପାଇବାର ଅପମାନ ନୁହେଁ....ନିହାରର ଦୁର୍ନାମ । ନିହାର ହାଟବଜାରରେ ସଉଦା ହେବ ।

 

ଯଥେଷ୍ଟ ହୋଇ ନଥିଲା ପରି ସେ ତା’ଉପରେ ପୁଣି ସେମିତି ତିକ୍ତ ଭର୍ତ୍ସନା କରି କହିଲେ—ଜାଣିଥିଲେ ତୁମପାଇଁ ମିନିଟିଏ ବି ସମୟ ଦେଇ ନ ଥାନ୍ତି ।

 

...ସମୁଦାୟ କଥା ଶୁଣିବାକୁ ନିହାରର ଆଉ ଧୈର୍ଯ୍ୟ ନ ଥିଲା । ସେ ନିଜର ବଳିପଡ଼ିଥିବା ମାନ ଇଜ୍ଜତ୍‌ ଟିକକ ବଞ୍ଚାଇବାକୁ ସେହି ଜାଗା ଛାଡ଼ି ପଳାଇଲା ।

Unknown

 

ତମ ତମ ହୋଇ ଶ୍ରୀଧର ସେହି ବାଟେ ଚାଲିଗଲେ । ତାଙ୍କ ଚାଲି କହିଦେଉଥିଲା–ଏଇ ହେଉଛି ନିହାରର ପୁରସ୍କାର । ଜୀବନ ଭରି ଭଲ ପାଇବା ଖୋଜିବାର ଏତିକି ହେଉଛି ଶେଷ-

 

ସମସ୍ତଙ୍କଠାରୁ ତା’ର ସେହି କାନ୍ଦିଲା ମୁହଁଟିକୁ ଲୁଚାଇବାକୁ ନିହାର ଯାଇଁ କଳ ପାଖରେ ଧୋଇ ପକାଇଲା । ମୁହଁ ଗୋଟାଯାକ ଓଦା ସର ସର ହୋଇଯାଉ, ଆଖିର ଲୁହ ସେହି ପାଣିରେ ମିଶିଯାଉ । କଳଙ୍କ ଭିତରୁ ସିନ୍ଦୂର କାଢ଼ୁଥିଲା ଯେ ପିଆଜ କଟା ଧାସ ପରି, ପିପରମେଣ୍ଟର ସୁବାସ ପରି ଆଖି ଫଟେଇ ପାଣି ଗଡ଼ିପଡ଼ୁଛି ।

 

ମୁହଁ ଉପରୁ ସ୍ନୋ, ପାଉଡ଼ର ଓ ଆଖି ଉପରୁ କଜଳଗାର ଲିଭିଯାଇଥିଲା । ଲିଭିଯାଉ । କଳଙ୍କକୁ ନ ଧୋଇଲେ ସେହି ଦାଗ ଆଉ ଲିଭିବ କେମିତି ?

 

ଡାକ୍ତରଖାନାରେ ରହିବାକୁ ଭାରି ଅସଜ ଲାଗିଲା । ମୁଣ୍ଡ ବୁଲାଉଛି ବୋଲି କହିଦେଇ ନିହାରବାଳା ଫେରିଗଲା ହଷ୍ଟେଲକୁ । ନିଜର ଲୋକଙ୍କୁ ପର କରିଦେଇ, ପର ମଣିଷଙ୍କୁ ନିଜର କରିବାକୁ ଟିକିଏ ଚେଷ୍ଟା କରୁ କରୁ ଏତିକି ବିପଦ ।

 

ହଷ୍ଟେଲକୁ କେହି ଫେରି ନାହାନ୍ତି । ତକିଆ ଉପରେ ମୁହଁ ମାଡ଼ି ସେହି ତକିଆକୁ ନିହାର ତା’ ଭାବନାର, ଶୋଚନାର ବୋଝ ସବୁ ଲଦିଦେଲା—ଏତକ ଶ୍ରୀଧରର ଦାନ ।

 

ସେ ତେବେ କ’ଣ ସେମିତି ଆଞ୍ଜୁଳି ଦେଖାଇ ସବୁବେଳେ ଏମିତି ଦୁର୍ନାମର, ଅପବାଦର, ଅବିଚାରର ଯାବତ ବିଷ ଧରି ନେଉଥିବ ! କୌଣସି ପୁରୁଷ ଆସି ତାକୁ କ’ଣ କେବେହେଲେ ପ୍ରକୃତରେ ଭଲ ପାଇ ସଂସାରରେ ନିର୍ମଳ, ନିଃସ୍ୱାର୍ଥ ଭଲ ପାଇବା ଅଛି ବୋଲି କେବେ କହିବ ନାହିଁ ?

 

ସେ ସମସ୍ତଙ୍କୁ ଭାବିଗଲା—ସମସ୍ତେ କ’ଣ ସମାନ ! ...ସବୁ ମଟର ଗାଡ଼ି ତ ଦୁର୍ଘଟଣା ଘଟାଇ ପାରନ୍ତି....ସମସ୍ତେ ସମାନ...ସମସ୍ତେ କାଳପୁରୁଷ ।

 

ସେ ଆଉ କାହାରିକୁ ଭଲ ପାଇବ ନାହିଁ । ଏକୁଟିଆ ହୋଇ ରହିବ । ଏଇ ମନର ଟିକିଏ ଏ ପାଖ ସେ ପାଖ ହେଲେ ସବୁ ଦୁର୍ଘଟଣା । ମନ କଥା ମନରେ ମଲେ, ଦେହ ପଛେ ଶୁଖିଯାଉ, ଯୁବତୀ ଦେହରେ ବୁଢ଼ୀର ଛବି ଦିଶୁ....ଆଉ ଯାହା ହେବାର ହେଉ, ସେଥିରେ ଅପବାଦ ନାହିଁ ।

 

ଆଶା ଠିକ୍‌ କହୁଥିଲା । ସେ ଏକୁଟିଆ ଚଳିବାକୁ ସବୁ ଉପାୟ ପାଞ୍ଚିଛି । ନିଜକୁ ଭଲ ପାଇବ । ନିଜ ସାଙ୍ଗରେ ହସଖୁସି ହେବ । ନିଜ ଦେହକୁ ପୋଡ଼ିଜାଳି ଦେବ । ବାହାର ଲୋକଙ୍କ ପାଖ ପଶିବ ନାହିଁ ।

 

...ତେବେ ବି ତ ସେ ଗୁଡ଼ାଏ ଚିଠି ପାଇଥିଲା ବୋଲି ସେ ଦିନ ମାଟ୍ରନ୍‌ ଧରି ତାକୁ ଲୋକହସା କରିଥିଲେ । ଅନ୍ୟକୁ ଭଲ ନ ପାଇ ରହିହେବ ନାହିଁ । ଆଉ ଭଲ ପାଇ ହସଖୁସିରେ ସବୁଦିନେ ଚଳିହେବ ନାହିଁ । କେଡ଼େ ନିଷ୍ଠୁର ମଣିଷ—ଏଇ ଶ୍ରୀଧର ! ବଳରାମ ନିନ୍ଦା ଦେଇଥିଲେ-। କିନ୍ତୁ ସେ ତ ଭଲ ପାଉଛନ୍ତି ବୋଲି କହୁ ନଥିଲେ । ଭଲ ପାଉଛନ୍ତି ବୋଲି କହି ଶ୍ରୀଧର ଆଣି କୁଢ଼ାଇ ଦେଲେ ଆଉରି ଖରାପ କରି ଗୁଡ଼ାଏ ନିନ୍ଦା ।

 

ବାସୁଦେବ ଆସିଥିଲା ଖୋଜିବାକୁ । ବୋର୍ଡ଼ିଂରେ ଶ୍ରୀଧର ଯାଇ ବକ୍ତୃତା କରୁଥିଲେ ଚରିତ୍ରହୀନା ନିହାର ବିଷୟରେ । ସେ କେମିତି ତାଙ୍କୁ ଚିଠି ଲେଖି, ରୁମାର ସିଲେଇ କରି ଉପହାର ଦେଇ ତାଙ୍କୁ ଫାନ୍ଦରେ ପକାଇବାକୁ ବସିଥିଲା, ଆଉ ସେ ଖସିଯାଇଛନ୍ତି ।

 

କ’ଣ ନିନ୍ଦା କରିଛନ୍ତି—ଜାଣିବାକୁ ଅସୀମ କୌତୂହଳ ମନରେ ଧରି ନିହାରବାଳା ବାସୁଦେବ କଥା ଶୁଣିଥିଲା । ସେ ଯେପରି ଏକାବେଳକେ ନିହାରବାଳାର ଦୁଃଖ କଥା ଭାବି ଜୀବନ ଉପରେ ବିତୃଷ୍ଣ ହୋଇଯାଇଛି ! ସମସ୍ତେ ତ ବିରାଗୀ ହେଲାବେଳେ ସଂସାରର ନିଶ୍ୱରତା ବିଷୟରେ ନାନାପ୍ରକାରର ବାଣୀ ଶୁଣାନ୍ତି । ବାସୁଦେବ ସେହିପରି ଶ୍ରୀଧରର ଚରିତ୍ରହୀନତା ବିଷୟରେ ଯେମିତି ନିହାରର ଅବିବେକିତା ଆଉ ପ୍ରଣୟର ବ୍ୟର୍ଥତା ବିଷୟରେ ବହୁତ କହୁଥିଲା ।

 

ଆଉ କେତେବେଳେ ହୋଇଥିଲେ ନିହାର ବାସୁଦେବକୁ କହିଦେଇଥାନ୍ତା—ମଣିଷର ଭଲ ପାଇବା ଏଡ଼େ ଗଭୀର ଯେ ଗମ୍ଭୀର କଥାର ଓ ଗୁରୁଙ୍କର ଉପଦେଶରେ ତାକୁ ମାରିଦେଇ ହୁଏ ନାହିଁ । ଜନ୍ମ ମରଣ ସାଙ୍ଗରେ ଭଲ ପାଇବା ଗୁନ୍ଥି ହୋଇ ରହିଛି ।

 

ଘୋର ଦୁଃଖ ବେଳେ ବହୁତ ଉପଦେଶ ମିଳେ । ସେହି ସାନ୍ତ୍ୱନାବାଣୀ ଦୁଃଖର ସ୍ତରକୁ ଭେଦ କରି ଭିତରକୁ ଯାଇ ନ ପାରିଲେ ବି ସାନ୍ତ୍ୱନାବାଣୀ ମନ ଉପରୁ ଟିକିଏ ବୋଝ ଖସେଇ ଦିଏ-। ଲୁହଭରା ଆଖିରେ ନିହାର ପଚାରିଲା—ମୋର ସେହି ଚିଠି କେଇ ଖଣ୍ଡ ମତେ ଦେଇପାରିବେ-?

 

ନିହାରର ଭଲ ପାଇବା ଏତିକି ମୂଲ୍ୟ ହେଲେ ବି ବାସୁଦେବ ଆଣିପାରିବ ନାହିଁ । ଚରିତ୍ରହୀନାର ଚରିତ୍ରର ବିବରଣ ତା’ରି ନିଜ ହାତଲେଖାରେ କୌତୂହଳୀ ଛାତ୍ରମାନଙ୍କର ବଖରା ପରିକ୍ରମା କରୁଛି । ସେଥିରେ ଅଛି ଗୁପ୍ତଚର, କୁତ୍ସା, କଳଙ୍କ ଓ ସ୍ୱୀକାରୋକ୍ତିର ଅକାଟ୍ୟ ପ୍ରମାଣ ।

 

କୌଣସି ତରୁଣ ଛାତ୍ର ଏହିସବୁ ଦଲିଲ ଦସ୍ତାବିଜ ହସ୍ତାନ୍ତର କରିପାରିବ ନାହିଁ । କାରଣ ଯଦି କେତେବେଳେ ନିହାରବାଳା ବା ସେହିପରି କେହି ଲୋକ ଅକୃତ୍ରିମ ଓ ନିଷ୍କପଟ ପ୍ରେମର ଉଦାହରଣ ହୁଏ, ସେତେବେଳେ ସେମାନେ ସେହି ଚିଠି କେଇ ଖଣ୍ଡ ପଢ଼ି ଦୁନିଆର ବାଟବଣା ତରୁଣମାନଙ୍କୁ ପ୍ରମାଣ କରି ବୁଝେଇ ଦେବେ ଯେ ଚରିତ୍ରହୀନ ନାରୀ ହେଉଛି ନର୍ସ । ତା’ର ଭଲ ପାଇବା ହେଉଛି ବିଷ ।

 

ଯେ ଜଣକୁ ଭଲପାଏ, ସେହି ହେଉଛି ସୁଧାମୟୀ ଓ ଅମୃତବର୍ଷୀ । ଯେ ଜଣକର ଭଲ ପାଇବାର ଦାଗ ମନରେ ଧରି ଆଉ ଜଣକୁ ଭଲପାଇବାକୁ ଚେଷ୍ଟା କରେ ସେ ତ ହେଉଛି ବିଷକନ୍ୟା ।

 

ସବୁ ଦିନକୁ ନିହାରବାଳାକୁ ତା’ର ଏହି ଛୋଟିଆ ବାଟରେ ପ୍ରତିବନ୍ଧକ ଆଣି ଠିଆ କରିବାକୁ ସେହି ଚିଠିଗୁଡ଼ିକ ଆଉ ଫେରିପାରିବ ନାହିଁ । ଦିନକର କଥା କ୍ଷଣିକର ମନ ସବୁ ଦିନକୁ ନିହାରବାଳାର ମୁଣ୍ଡ ଉପରେ ଅଭିଶାପର ଖଡ଼୍‌ଗ ଓ ପ୍ରମାଣ ପରି ଝୁଲୁଥିବ ।

 

—ତେବେ କ’ଣ ସେମାନେ ମୋତେ ସବୁ ଦିନକୁ ଏମିତି କଳଙ୍କିନୀ କରି ରଖିବା ପାଇଁ ଚିଠିକୁ ପାଖରେ ରଖିବେ ?

 

—ହଁ । ରଖିଲେ ରଖନ୍ତୁ । ଆମର ଆମେ ବାଟରେ ରହିଲେ ଗଲା । ତାଙ୍କ କଥାକୁ କିଏ ପଚାରେ !

 

ବୁଝି ନ ପାରିଲା ପରି ବାସୁଦେବ ମୁହଁକୁ ଚାହିଁ ନିହାର ପଚାରିଲା—ଆପଣ ତ ଘୃଣା କରୁଥିବେ ମୋତେ...କରନ୍ତୁ ।

 

ପାଖକୁ ଘୁଞ୍ଚିଆସି ବାସୁଦେବ କହିଲା—ଛି, ନିହାର ଦେବୀ, କ’ଣ ଗୁଡ଼ାଏ କହୁଚ ! ମୁଁ ସେପରି ନୁହେଁ ।

 

କଳଙ୍କିନୀକୁ ଭଲ ପାଇବାକୁ ଏତେ ଲୋକ କ’ଣ ଆଗ୍ରହୀ ! ନିହାରବାଳା ଚାହିଁ ରହିଲା ବାସୁଦେବର ସେହି ଭୟାର୍ତ୍ତ ଆଖି ଦୁଇଟିକୁ । ଆଖି ଦୁଇଟିର ଚାହିଁବାର ଇଚ୍ଛା ଅଛି । କିନ୍ତୁ ଚାହିଁବାର ସାହସ ନାହିଁ । ମନ ଭିତରେ ଭଲ ପାଇବାର ଭାଷା ଅଛି କିନ୍ତୁ ପ୍ରକାଶର ସୁବିଧା ନାହିଁ । ଚରିତ୍ରହୀନା ବୋଲି ଜାଣିବାର ବୁଦ୍ଧି ଅଛି କିନ୍ତୁ ତା’ର ଆକର୍ଷଣ ଏଡ଼ାଇବାର ଶକ୍ତି ନାହିଁ...ସତେ ଯେପରି ଚରିତ୍ରହୀନା ନାରୀ ଦୁର୍ବଳ ଲୋକଙ୍କୁ ଏକାବେଳକେ ଅଧିକାର କରିବସେ ।

 

ଶୁଖିଲା ହସ ହସି ନିହାର କହିଲା—ମୋତେ ବଡ଼ ଆଘାତ ଦେଲେ ଶ୍ରୀଧର ବାବୁ । ମୁଁ ଆଉ କାହାରିକୁ ଜୀବନରେ ବିଶ୍ୱାସ କରିପାରିବି ନାହିଁ ।

 

—କାହିଁକି ? ସମସ୍ତେ କ’ଣ ଅବିଶ୍ୱାସୀ ? ଶ୍ରୀଧର ପାଇଁ ତମେ ମୋତେ ଭୁଲ୍‌ ବୁଝୁଛ । ବାସୁଦେବର ତୁଣ୍ଡର ସ୍ୱର ଅଭିମାନରେ ନଇଁଯାଇଥାଏ । ...ନିହାରବାଳା ପ୍ରତି ଅଭିମାନ ।

 

—ଏତେ ମାୟା ଏହି ନିହାରପାଇଁ !

 

—ସତରେ ନିହାର ଦେବୀ ! ମୋତେ ତୁମକୁ ଭାରି ଭଲ ଲାଗେ । ତୁମର କେହି ନିନ୍ଦା କଲେ ମୁଁ ମୋଟେ ସହିପାରେ ନାହିଁ । ସେଥିପାଇଁ ମତେ ସମସ୍ତେ ନାନାପ୍ରକାରରେ ସାର୍ଟିଫିକେଟ୍‌ ଦିଅନ୍ତି ।

 

ସେହି ଆଖି ଦୁଇଟିରେ କେତେ ବ୍ୟଥା ! ନିହାରର ମନରୁ କାଣିଚାଏ ପାଇବାପାଇଁ ସେହି ଲୋକଟିର କେତେ ପ୍ରୟାସ ! ଶ୍ରୀଧର ଓ ବାସୁଦେବ ଏକାଠି ଆସିଥିଲେ । କିନ୍ତୁ ନିହାରକୁ ଶ୍ରୀଧର ଭାରି ଭଲ ଲାଗିଥିଲା । ତାଙ୍କ ପାଖରେ ଦୁର୍ବଳତା, ଉତ୍କଣ୍ଠା ନ ଥିଲା—ଥିଲା ପୁରୁଷର ଆଗ୍ରହ ।

 

ସେଥିପାଇଁ ସେ ଆଘାତ ଦେଇଛନ୍ତି । ଆଉ ସେହି ଆଘାତର ଦୁଃଖ ଦୂର କରିବାକୁ ବାସୁଦେବ ଆସିଛି ।

 

ମନେ ମନେ ନିହାର କହିଲା—ଏଇ ତେବେ ବିଧାତାଙ୍କ ଇଚ୍ଛା ! ଏଇ ବାସୁଦେବ ପରି ଲୋକେ ମୋତେ ଭଲ ପାଇବେ । ନିହାର ଗୋଟିଏ ଦୀର୍ଘନିଶ୍ୱାସ ପକାଇ କହିଲା—ହଉ ଶ୍ରୀଧରଙ୍କୁ କହିବେ, ତାଙ୍କର ବଡ଼ପଣରେ ଏଇ କଳଙ୍କିନୀକୁ କ୍ଷମା ଦେବେ । ଯେଉଁ ତୁଣ୍ଡରେ ନିନ୍ଦା ରଟେଇଛନ୍ତି, ସେହି ତୁଣ୍ଡରେ ଦୋଷକୁ ଦୋଷ ବୋଲି କହିବେ ନାହିଁ ।

 

ଦୁହିଙ୍କର ଚାରୋଟି ଆଖି ଶ୍ରୀଧରର ଅବିଚାରପାଇଁ ଚାରି ଟୋପା ଲୁହ ଉତ୍ସର୍ଗ କରିଥିଲେ । ଇଏ ବି ଜୀବନର ଗୋଟିଏ ଅଧ୍ୟାୟ ।

 

ବାସୁଦେବ ମୁହଁରୁ କଳଙ୍କିନୀ ନିହାରବାଳାର ସେହି ବୁକୁଥରା କଥା କେଇପଦ ବାରମ୍ୱାର ଶୁଣିବାକୁ ଶ୍ରୀଧରର ଆଗ୍ରହ ବଢ଼ିଥିଲା । ସେତକ ଶୁଣି ସେ ନିଜର ଭୁଲପାଇଁ ଅନୁତାପ କରି ନିହାରବାଳା ପାଖରେ କ୍ଷମା ମାଗିବାକୁ ଅଧୀର ହୋଇପଡ଼ିଲା ।

 

କଥା କହିବାକୁ ନିହାର ଆଉ ରାଜି ନୁହେଁ । ଚାଲିଯାଅ ବୋଲି କରିବାକୁ ସାହସ ନାହିଁ । ମନ ଥରେ ନଇଁପଡ଼ିଥିଲେ ଆଉ ସିଧାସଳଖ ହୋଇ ଠିଆ ହୋଇପାରେ ନାହିଁ ସେହି ଲୋକ ପାଖରେ ।

 

ଶ୍ରୀଧରର ଆଖି ଦୁଇଟି ଅନୁତାପରେ ଅଶ୍ରୁସିକ୍ତ । ଯିଏ ଦିନକ ଆଗରୁ ବିନା କାରଣରେ ଗୁଡ଼ାଏ କଠୋର ବଚନ ଦାନ କରିଥିଲା, ସେହି ଆସି ପୁଣି ଥରେ କ୍ଷମା ପାଇଛି ବୋଲି ଶୁଣିବାକୁ ବ୍ୟାକୁଳ ଆଖିରେ ଚାହିଁ ରହିଛି ।

 

ଅଭିମାନରେ ନିହାରବାଳାର ଆଖି ଦୁଇଟି ଭାସି ଉଠିଲା । ଅପବାଦ ଦେଇଥିବା ଲୋକଟି ପୁଣିଥରେ ନିହାରର ମନ ନେବାକୁ ଆସି ପହଞ୍ଚିଛି ।

 

—ମୋତେ କ’ଣ କ୍ଷମା ଦେବ ନାହିଁ...ଏଇ ଥରକ କ୍ଷମା ଦିଅ । ମୁଁ ତୁମକୁ ଆଉ କେବେ ଭୁଲ୍‌ ବୁଝିବି ନାହିଁ । ମୁଁ ତୁମକୁ ଭଲପାଏ ।

 

ସେହି ଏକା ଲୋକର ସେତେବେଳର ସେହି ଥରିଲା ଥରିଲା କଣ୍ଠସ୍ୱର, ନିହାରର ସେହି କଳଙ୍କିନୀ ହୃଦୟର ତନ୍ତ୍ରୀରେ ଝଙ୍କାର ତୋଳିଥିଲା—ଯେ ଥରେ ଆସିଛି, ସେ ବାରମ୍ୱାର ଆସିପାରିବ । ନାରୀର ପ୍ରୀତି ବୋହିଯାଉଥିବା ପାଣି ପରି ସବୁବେଳେ କ୍ଷମାଶୀଳ । ସେଥିରେ ଯେତେପ୍ରକାରର ଅତ୍ୟାଚାର କଲେ ବି କେବେହେଲେ ତୁମକୁ ଫେରାଇ ଦେଇପାରିବ ନାହିଁ ।

 

—ଆପଣ ଏପରି କଲେ ନା ?

 

ସେହି ଶ୍ରୀଧରର ଆଖିରେ ଅନୁତାପର ଅଶ୍ରୁ ନିହାରବାଳା ସହି ପାରିଲା ନାହିଁ ।

 

ଦି’ଟୋପା ଲୁହ ତା’ର ମନ ଉପରୁ ଅଭିଯୋଗର ସମସ୍ତ କାଳିମା ପୋଛି ଦେଲା । ଶ୍ରୀଧରକୁ ସେ ଫେରିପାଇଲା—ପୁଣି ପାଖରେ । ଏଥର ଶ୍ରୀଧରର ଅକାଟ୍ୟ ପ୍ରତିଜ୍ଞା । ଆଉ ସେ ବଚନରେ, ଭାବନାରେ କେବେହେଲେ ନିହାର ପ୍ରତି ଅନ୍ୟାୟ କରିବ ନାହିଁ । ନିହାର ହସି ଚାହିଁଲା ଶ୍ରୀଧରକୁ—ତା’ର ଆଜୀବନ ବନ୍ଧୁକୁ ସେ ଫେରିଯାଇଛି ।

 

ଡାକବାଲା ଆଣି ସେହି ଦିନ ସଞ୍ଜୟର ଗୋଟିଏ ପାର୍ଶଲ ପହଞ୍ଚାଇଲା । ସଞ୍ଜୟ ଉପହାର ଦେଇଛି ଆଉ ଲେଖିଛି—ଉପହାର ମାଗିବା ଲୋକଙ୍କୁ ଦେବାକୁ ଇଚ୍ଛା ହୁଏ ନାହିଁ । ତୁମେ ତ ମାଗି ନାହଁ । ସେଇଥିପାଇଁ ତମକୁ ମୋର ବହୁତ ବହୁତ ପ୍ରାର୍ଥନା....ଉପହାରଟି ରଖିବ ।

 

ଛୋଟିଆ କଲମଟିଏ । କଲମଟିକୁ ଚାରିଆଡ଼ୁ ପରୀକ୍ଷା କଲାବେଳେ ନିହାରବାଳା ସଞ୍ଜୟର ଛବି ଆଙ୍କୁଥିଲା ମନ ଭିତରେ । ଡାକ୍ତରଖାନାକୁ ଆସିବା ପରେ ଏଇଟି ତା’ର ପ୍ରଥମ ଉପହାର । ସଞ୍ଜୟର ସମସ୍ତ କଥା ଅଲଗା ପ୍ରକାରର । ସାଙ୍ଗରେ ମିଶିଥିବା ଲୋକେ ଯେଉଁ ପ୍ରକାରର ବ୍ୟବହାର ଦେଖାଇଛନ୍ତି, ଯେମିତିକା କଥା କହିଛନ୍ତି, ସେହି ସମସ୍ତଙ୍କଠାରୁ ସଞ୍ଜୟ ଅଲଗା ।

 

ସେ ଯେପରି ଦୂରରେ ରହି ଗ୍ରୀଷ୍ମ ଦିନର ଗ୍ରୀଷ୍ମକୁ ମନରୁ କାଢ଼ି ଦେବାକୁ ମଧୁର ଗଳାର କୋଇଲି ପରି ନିସ୍ୱାର୍ଥ ଭାବରେ ଲାଗିପଡ଼ିଛି ।

 

କିଛି ମାଗି ନାହିଁ । ...ଖାଲି ସେ ଭଲ ପାଇବ । ନିହାର ପଛକେ ଭଲ ନ ପାଉ, ଭଲ ପାଇଛି ବୋଲି କହିଦେଲେ ଯଥେଷ୍ଟ ।

 

ବାସୁଦେବଙ୍କର ସେହି ସହାନୁଭୂତି ଓ ଶ୍ରୀଧରଙ୍କ କ୍ଷମା-ପ୍ରାର୍ଥନାଠାରୁ ଅଧିକ ଆନନ୍ଦ ପାଇଥିଲା ନିହାରବାଳା ସେ ଦିନ ସଞ୍ଜୟଠାରୁ । ସେ ନିହାରକୁ ବୁଝାଇ ଦେଇଥିଲା ଯେ ଦୂରରେ ଥିବା ଲୋକେ କାମକୁ ନ ପାଇଲେ ବି ପ୍ରକୃତରେ ଭଲ ପାଇ ଜାଣନ୍ତି ।

 

ସଞ୍ଜୟ ପାଖକୁ ନିହାର ଚିଠି ଦେଇଥିଲା । ଅନ୍ୟମାନଙ୍କ ଉପରେ ଥିବା ତା’ର ସମସ୍ତ ଅଭିଯୋଗକୁ ସେ ସଞ୍ଜୟ ପାଖରେ ଖୋଲି ଥୋଇ ଦେଇଥିଲା...ଏଠିକାର ଲୋକେ ଶତ୍ରୁ । ସେମାନେ ଭଲ ପାଉଛନ୍ତି ବୋଲି କହି ଏଣେ ବ୍ୟବହାରରେ ଅତି କଦର୍ଯ୍ୟ ନିଷ୍ଠୁରତା ଦେଖାନ୍ତି । ଡାକ୍ତରଖାନାରେ ହୃଦୟ ନାହିଁ । ...ସତ କରି କହିବ, ତୁମେ ମୋତେ କାହିଁକି ଭଲପାଅ ?

 

ନିହାରବାଳାଙ୍କୁ ମୋଟେ ସମୟ ନାହିଁ । ସେ ଏଇ ନୂଆ ବନ୍ଧୁଗୁଡ଼ିକଙ୍କ ବିଷୟରେ ନାନାପ୍ରକାରରେ ବିବ୍ରତ ଓ ବ୍ୟସ୍ତ । ନାନାପ୍ରକାରର ରୋଗୀ କୃତଜ୍ଞତା ଜଣାଇ ଆସୁଛନ୍ତି । ତାଙ୍କର ବନ୍ଧୁମାନେ ତାଙ୍କର ଦିନକର ସରଳ ଓ ସୁସ୍ଥ ପରିଚୟକୁ ଅସୁସ୍ଥ ଓ ଜଟିଳ କରି ଦେଖା ଦେଉଛନ୍ତି ନିହାରବାଳାକୁ । ସମସ୍ତଙ୍କର ସେହି ଗୋଟିଏ ଦରଖାସ୍ତ—ନିହାରବାଳା ତାଙ୍କୁ ଭଲ ପାଇବ କି ନାହିଁ ।

 

ନିହାରବାଳା ପ୍ରତ୍ୟେକଙ୍କ ବିଷୟରେ ଭାବେ । ଆକାଶର ଅଗଣିତ ନକ୍ଷତ୍ର ପରି ପ୍ରତ୍ୟେକଙ୍କର ଆଲୋକ ଅଛି, ଆଉ ନିର୍ଦ୍ଦିଷ୍ଟ ଅବସ୍ଥିତି ମଧ୍ୟ ଅଛି । ତା’ର ଜୀବନର ଅନ୍ଧାରକୁ ଦୂର କରିବାକୁ ସେମାନେ ଯେପରି ବହୁ ସଂଖ୍ୟାରେ ଆସି ଦେଖା ଦେଇଛନ୍ତି ।

 

କ’ଣ ନିହାରବାଳାର ଆକର୍ଷଣରେ...ନା ନିଜ ସହାନୁଭୂତିରେ ? ଯେଉଁ କାରଣରୁ ଆସିଥା’ନ୍ତୁ, ଆସିଲାବେଳେ ଭଲ ଲାଗେ ତ ! ସ୍ୱାଧୀନ ଓ ସାଥିହୀନ ହୋଇ କୌଣସି ନାରୀ ରହିବା ଏକାବେଳକେ ଅସମ୍ଭବ । ସମସ୍ତେ ଆସି କଥାରେ, ଚାହାଣୀରେ ଓ ବ୍ୟବହାରରେ ନିହାରବାଳାକୁ ବିବ୍ରତ କରି ବାରମ୍ୱାର ପଚାରନ୍ତି—ମୁଁ ତ ତମର ଭଲ ପାଇବାର ଅଧିକାରୀ ହୋଇପାରିବି ନାହିଁ ।

 

ନିଜେ କାହାକୁ ଚେଷ୍ଟାପତ୍ନ କରି ଟାଣି ଆଣିବାର କି ଡାକି ଆଣିବାର କଥା ହୋଇଥିଲେ, ନିହାରବାଳା ହୁଏତ ନିଜର ମତାମତ କାମରେ ଲଗାଇ ଥାଆନ୍ତା । କିନ୍ତୁ ଏମାନେ ଆସିଛନ୍ତି ନିଜେ । ଆସି ଭଲ ପାଇଛନ୍ତି । ଭଲ ପାଇବାର ଆକର୍ଷଣରେ ବାରମ୍ୱାର ଆସୁଛନ୍ତି । ମନ ଅଧୀର, ଆଖି ବ୍ୟାକୁଳ ଓ ତୁଣ୍ଡର କଥା ହୃଦୟସ୍ପର୍ଶୀ ।

 

କାହାରିକୁ ନିହାରବାଳା ଫେରାଇପାରି ନାହିଁ । ଚାଲିଯାଅ ବୋଲି କହିବା ଆଗରୁ ତାଙ୍କର ଗୋଟିଏ ଦୋଷ ନ ଦେଖିଲେ ନିହାର ତାଙ୍କୁ ଅବା ଦଣ୍ଡ ଦେବ କେମିତି ? ଦୋଷ କାହିଁ ?

 

ଦୋଷ ଦିଅନ୍ତି ଅନ୍ୟ ଲୋକେ । ନାରୀ କେବେ ତା’ର କୌଣସି ପ୍ରେମିକକୁ ଦଣ୍ଡ ଦେଇ ନିର୍ବାସନ ଦେଇପାରି ନାହିଁ । ଯାହା ଶାସ୍ତି ଦେଇଛନ୍ତି ସେତକ ତା’ର ହିତାକାଙ୍‌କ୍ଷୀ, ମଙ୍ଗଳକାମୀ, ଆଶାୟୀ ଲୋକେ ଅବା ତା’ର ଗୁରୁଜନମାନେ ।

 

ନିହାରବାଳାର ଗୁରୁଜନ କେହି ନାହାନ୍ତି । ସେ ଅଛି କେବଳ ପ୍ରିୟଜନଙ୍କର । ବିଭିନ୍ନ ପ୍ରକାରର ଆକୁଳତା ଓ ପ୍ରୀତି ଭିତରେ କେହି କେହି ନିହାରକୁ ଭଲ ପାଇବା ତାଙ୍କର ଜୀବନର ଲକ୍ଷ୍ୟ ବୋଲି ଧରି ନେଲେଣି । ବେଳେ ବେଳେ ତାକୁ ଆଣି ବିଷମ ପରିସ୍ଥିତିରେ ପକାଉଛନ୍ତି ।

 

କିଏ କହୁଛି ନିହାର ହେବ ତାଙ୍କର ଉପନ୍ୟାସର ନାୟିକା... କାହାର କବିତାର ପ୍ରେୟସୀ...ଅବା ସୌଖୀନ ରଙ୍ଗମଞ୍ଚର ଅଭିନେତ୍ରୀ...ସଭା ସମିତିର ଆବାହନ ଗୀତର ଗାୟିକା...କାହାର ଅବା ନିରୋଳା ପତ୍ର-ବନ୍ଧୁ...ପୁଣି କଳାକାରଙ୍କର ଛବିର ମଡ଼େଲ । ଶେଷକୁ ଅଛି ଡାକ୍ତରଖାନାର ଛୋଟଠାରୁ ବଡ଼ଯାଏ ସମସ୍ତଙ୍କର ସସୀମ ଓ ଅସୀମ କତ୍ତୃତ୍ୱ, ପ୍ରଭୁତ୍ୱ ଓ ଅଧିକାର-

 

ନିହାର ମନକୁ ମନ ହସେ । ଜଣକ ଉପରେ ଏତେ ଲୋକଙ୍କର ଦାବୀ ! ସେତକ ପୁଣି ଗୋଟିଏ ଚରିତ୍ରହୀନ, ଗୌରବହୀନା ଅପରୂପ ସୌନ୍ଦର୍ଯ୍ୟହୀନା ସାମାନ୍ୟ ନାରୀ ଉପରେ ! ସେ ନଥିଲେ ଯେପରି ସଂସାର ଚଳିବ ନାହିଁ । ଅସଂଖ୍ୟ ଲୋକଙ୍କର ଜୀବନ ଦୁର୍ବହ ହୋଇଯିବ । ତାଙ୍କର ଆଖିର ତାରକା ନିଷ୍ପ୍ରଭ ହୋଇଯିବେ ।

 

ଏସବୁ ଭାବିଲେ ନିହାର ସତକୁ ସତ ଦେଖିପାରେ ଯେ ତା’ର ଆଉ ଚରିତ୍ରହୀନା ହେବାର, ଅଭିସାରିକା ସାଜିବାର ଉପାୟ ନାହିଁ । ଅସଂଖ୍ୟ ପ୍ରକାରର ପ୍ରେମିକର ଆଖି ଏଡ଼ାଇ ସେ ଆଉ ନିଜକୁ ଅବାଟରେ ନେଇପାରିବ ନାହିଁ ।

 

ଖରାପ ବାଟରେ ବି ଭଲ ହେବାର ଏତେ ସୁବିଧା ଅଛି । ଛୋଟ ଜୀବନରେ ବି ଦୁର୍ଲ୍ଲଭ ଓ ଧନୀ ହେବାର ଏତେ ସୁଯୋଗ ରହିଛି ବୋଲି ନିହାରବାଳା କେବେ ଭାବି ନ ଥିଲା ।

 

ନିହାର ହସେ । ଦେଖିଲେ ଚିହ୍ନେ । ଚିଠି ଦେଲେ ଉତ୍ତର ଦିଏ । ରାଗିଲେ କ୍ଷମା ଦିଏ । ଡାକିଲେ ପାଖକୁ ଆସେ । କଥା କହିଲେ ଶୁଣେ । ଦୁଃଖ କହିଲେ ସହାନୁଭୂତି ଦେଖାଏ । ଆଉ ଫୋପାଡ଼ି ଦେଲେ ଚୁପ୍‌ ହୋଇ ରହେ । ...ନିହାର ସମସ୍ତଙ୍କର ଗୋଟିଏ ପୋଷା ଓ ଆଦରର କୁକୁର ପରି ।

 

ନିହାର ଯେ ଶୁଣେ ନାହିଁ, ତାହା ନୁହେଁ । ନିହାର ପାଖରେ ନିଜର ସ୍ୱାର୍ଥସାଧନପାଇଁ କହନ୍ତି—ଲୋକ ନ ଚିହ୍ନି ମିଶିବ ନାହିଁ ।

 

ନିହାର ସାଙ୍ଗେ ସାଙ୍ଗେ ରାଜି ହୋଇଯାଏ । କିନ୍ତୁ ରାଜି ହେଲାବେଳେ ବି ଭାବେ, ମଣିଷ ସାଙ୍ଗରେ ମିଶିଲେ ସିନା ତାଙ୍କୁ ଚିହ୍ନି ହେବ...ଲୋକଙ୍କୁ ଚିହ୍ନି ତାଙ୍କ ସାଙ୍ଗରେ ମିଶିବ କେମିତି-?

 

ସବୁ ପ୍ରକାରର ଲୋକେ ତାକୁ ଯେମିତି ନିନ୍ଦା ଦେଇଛନ୍ତି, ସେମିତି ବି ତା’ର ପ୍ରଶଂସା ଗାଇଛନ୍ତି । ନିହାର ଆଉ ନିନ୍ଦାକୁ ଡରେ ନାହିଁ । ସେ ତ କାହାରିଠାରୁ କୌଣସି ଦାବୀ ରଖେ ନାହିଁ-। ସେ ଦେଇଛି ବେଶି, କିନ୍ତୁ ନେଇଛି କମ୍‌ । ତା’ର ଖାଲି ଗୋଟିଏ ନିନ୍ଦା—ସେ ସମସ୍ତଙ୍କ ସାଙ୍ଗରେ ମିଶୁଛି । ...ସେଇଟା ତା’ର ସ୍ୱାଧୀନତାର ନିନ୍ଦା, ସେଇଟା ତା’ର ବନ୍ଧୁମାନଙ୍କର ନିନ୍ଦା ।

 

ନିଜ ବିଷୟରେ ସେ ସ୍ପଷ୍ଟ ଧାରଣା କରିଥିଲା କଳାକାରଙ୍କ ଘରୁ । ସେଇ ତାକୁ କହିଥିଲେ—ନିହାର, ତୋ’ ନାଁ ହେଉଛି ସୀମା । ...ତୁ ଅସୀମ ନୋହୁ ।

 

ଫ୍ରେମବନ୍ଧା ଚଷମା ଭିତରେ ସେ ଚାହିଁ ରହନ୍ତି । ନିହାର ଯାଇଁ ଶୋଇପଡ଼େ ତାଙ୍କର ଖଟ ଉପରେ । ପାଖରେ ବସି ଚୌକି ଉପରୁ ସେ ନିହାରକୁ ଚାହିଁ ରହନ୍ତି ଅପଲକ ଆଖିରେ । ପଚାରନ୍ତି—ସୀମା କହ, ଏମିତି ଶୋଇବାକୁ ତତେ କ’ଣ ଭଲ ଲାଗେ ?

ନିହାରର ଆଖି କଣରେ ଝଲସି ଉଠେ ଲାଜ । ନାକପୁଡ଼ା ଫୁଲିଉଠେ ପ୍ରଖର ନିଶ୍ୱାସରେ । ସେ ହସି ନିର୍ବିକାର ଭାବରେ କହନ୍ତି—ରହ, ତୋ’ର ଛବି ଆଙ୍କିବା ।

ଶୋଇଥିବା ନିହାରର ଦେହର ଛବି ସେ ଆଙ୍କି ବସନ୍ତି । ନିହାର ପଡ଼ିରହେ ସେମିତି ଅଚଳ ହୋଇ । ତାଙ୍କର ସ୍ତ୍ରୀ ନାହିଁ । ନିହାରର ମନରେ ଅସୀମ ଦରଦ ଦେଖାଦିଏ । ସେ ତାଙ୍କୁ ନିଜର କେତେ ଛୋଟବଡ଼ ଦୁଃଖ ଜଣାଇ ବସେ । ରୋଷେଇ ହୋଇଥିବା ଭାତକୁ ଅଲଗା କରି ପଖାଳ କରେ । ହସି କହେ—କାଲି ଆସି ଖାଇବି । ଘର କରି ଦି’ଟା ପଖାଳ ରଖୁନାହଁ ।

କଳାକାରଙ୍କ ଘରେ କେହି ନିହାରକୁ କିଛି ଅପ୍ରାସଙ୍ଗିକ କଥା କହିଲେ, ନିହାର କର୍ତ୍ତୃତ୍ୱ ଦେଖାଇ କହେ—କ’ଣ ବୋଲି ଭାବୁଛ କି ? ମୁଁ ଏଠିକି ଆସିଛି କଳାକାରଙ୍କ ଖାତିରରେ । ତାଙ୍କର ସେହି ମନର ଗୌରବ ମୋତେ ଏଠିକି ଆଣିଛି । ସେ ଥିବାଯାକେ ତୁମେମାନେ ଏପରି ବ୍ୟବହାର ଦେଖାଇ ପାରିବ ନାହିଁ ।

ନିହାର ଇଂରେଜି ପଢ଼ିବ । ତାକୁ ପଢ଼ାଇବେ କଳାକାରଙ୍କ ଭାଇ । ନିହାର ବସି ବସି ପଢ଼େ । କେବେ କେମିତି ଉନ୍ମନା ହୁଏ । ସାନ ପିଲା ପରି ନାନାପ୍ରକାରର ଅବାଧ୍ୟତା ଦେଖାଏ ।

କଳାକାରଙ୍କ ଭାଇ କବିତା ଲେଖନ୍ତି । ନିହାରର ଛବି ଆଙ୍କିବାକୁ ଚେଷ୍ଟା କରନ୍ତି । ନିହାର ଚାହିଁରହେ ତାଙ୍କର ମୁହଁକୁ, ହସି କହେ—ମୋତେ ସିନା ସେ ଡାକୁଛନ୍ତି ସୀମା ବୋଲି, ତମକୁ ମୁଁ କହିବି, ତମେ ଜଣେ ନଗଣ୍ୟ ।

ନଗଣ୍ୟ ଓ ସୀମା କବିତା ଲେଖା ହୋଇଛି । ନିହାର ପଢ଼ି ହସିଛି । ନଗଣ୍ୟର ମନର ଆର୍ତ୍ତନାଦ ସୀମା ଦେବୀଙ୍କ ମନରେ କୋମଳତା ଆଣି ନାହିଁ । ସାମୀ ପ୍ରକୃତ ନାରୀ ନୁହେଁ ।

ହସି ସୀମା କହେ—ପ୍ରତ୍ୟେକ ନାରୀ ଯଦି ପ୍ରତ୍ୟେକ ନଗଣ୍ୟର ସେବା କରିବାକୁ ନିଜର ଦାୟିତ୍ୱ ବା କର୍ତ୍ତବ୍ୟ ବୋଲି ଭାବିବ, ତାହାହେଲେ ତା’ର ନାରୀତ୍ୱର ଅପମୃତ୍ୟୁ ଘଟିବ,...ବିଶେଷ ଯୋଗ୍ୟତା ଦେଖାଇଲେ ଏଇ ନିହାର ତୁମପାଇଁ ଆପଣାଛାଏଁ କଅଁଳ ହୋଇଯିବ-। ତୁମେ କବିତା ଲେଖୁଛ । କିନ୍ତୁ ନାରୀର ମନ ବୁଝିନାହଁ ।

—ଆଉ ବୁଝିଛନ୍ତି କିଏ ? ସେହି ଶିଳ୍ପୀ ?

—ହଁ । ଛବି ଦେଖ, ବୁଝିବ । ଏହି ନିହାରବାଳା ପରି ନଗଣ୍ୟ ନାରୀକୁ ସେ କେମିତି ପ୍ରାଣ ଦେଇ ପାରିଛନ୍ତି ! ତା’ର ସାମାନ୍ୟ ସୌନ୍ଦର୍ଯ୍ୟକୁ ସେ କେମିତି ଦେଖାଇ ପାରିଛନ୍ତି । ତା’ରି ପରି ନଗଣ୍ୟକୁ ସେ ଗଣେଇ ପାରିଛନ୍ତି ତାଙ୍କର ସୃଷ୍ଟି ଭିତରେ ।

—ସେଗୁଡ଼ାକ ତ ତୁଳିର କବିତା । କିନ୍ତୁ ସେ ତମକୁ ଭଲ ପାଆନ୍ତି ନାହିଁ ।

—ସେହି ଭଲ ନ ପାଇବାରେ ମୋର ଗର୍ବ ଅଛି । ଯେଉଁ ନାରୀକୁ କେହି ପ୍ରତ୍ୟାଖ୍ୟାନ କରେ ଆଉ କଲାବେଳେ ଦେଖାଇ ଦିଏ ଯେ ସେହି ପୁରୁଷର ହୃଦୟ ଜୟ କରିବାର ଯୋଗ୍ୟତା ସେହି ନାରୀର ନାହିଁ, ସେହି ନାରୀ ସେହି ପୁରୁଷର ହୁଏ କ୍ରୀତଦାସ ।

 

କଳାକାରଙ୍କ ସାଙ୍ଗରେ ଚାରିଆଖି ହୋଇ ନିହାର କେତେଥର ବସିଛି । କିନ୍ତୁ ସେ କେବେହେଲେ ନିହାରବାଳାକୁ ଅସମ୍ମାନ ଦେଖାଇ ତାକୁ ସମ୍ମାନ ଦେବାର ଚେଷ୍ଟା କରିନାହାନ୍ତି । ନିହାର ତାଙ୍କୁ ପଚାରିଛି—ମତେ କ’ଣ କେହି ଭଲ ପାଇବେ ନାହିଁ ଭଲ ପାଉନାହାନ୍ତି କାହିଁକି ?

 

ଭାରି ସହଜ ପ୍ରଶ୍ନପରି ସେ କିଛି ନ ଭାବି କହନ୍ତି—ଲୋକେ ଯେଉଁ ଦିନ ତୋତେ ଅସୀମ ବୋଲି ଭାବିବେ, ତୋତେ ଯେତେବେଳେ ଖୋଜିଲେ ବି ପାଖରେ ପାଇବେ ନାହିଁ, ସେଇଦିନ ବଳେ ବଳେ ତୋତେ ଭଲ ପାଇବେ । ଭଲ ପାଇବା ଖୋଜିଲେ ମିଳେ ନାହିଁ । ନ ଖୋଜିଲେ ଆସେ ।

 

ନିହାରବାଳା ଚାହିଁରହେ କଳାକରଙ୍କ ମୁହଁକୁ । ତାଙ୍କରି ସୀମା ଏବେ ଅତି ନଗଣ୍ୟ ହୋଇ ତାଙ୍କର ପାଖରେ ବସିଛି । ମନେ ପଡ଼େ ତାଙ୍କର ଭାଇଙ୍କର ସେହି କବିତା—ନଗଣ୍ୟ ଓ ସୀମା ।

 

କଳାକାରଙ୍କୁ ପଚାରେ—ନଗଣ୍ୟର କ’ଣ ଭଲ ପାଇବାର ଅଧିକାର ନାହିଁ ?

 

—ଅଛି । କିନ୍ତୁ ପ୍ରତିଦାନର ଦାବୀ ନାହିଁ ।

 

—କାହିଁକି ?

 

—ମାଗୁଥିବା ଲୋକ ଦେଇପାରେ ନାହିଁ । ଦେଇପାରିବା ଲୋକ ମାଗେ ନାହିଁ ।

 

ନିହାରର ସାହସ ବଢ଼ିଯାଏ । ସେ ମୁହଁ ଖୋଲି ପଚାରେ—ଠିକ୍‌ କରି କହନ୍ତୁ, ମୋତେ ଆପଣ କ’ଣ କେବେ ଭଲ ପାଇ ନାହାନ୍ତି ?

 

—ପାଇଛି ତ । ଖୁବ୍‌ ଭଲ ପାଇଛି ।

 

ଅଭିମାନ କରି ନିହାର କହେ—ନା, ମିଛ କହୁଛନ୍ତି ।

 

ଆହତ ହେଲାପରି ସେ କହନ୍ତି—ତୋତେ କାହିଁକି ମିଛ କହିବି ସୀମା ! ମିଛ କହିଲେ ଲାଭ କ’ଣ ?

 

—ଆପଣ ତେବେ ମୋର ଛବି ଆଙ୍କନ୍ତି କାହିଁକି ?

 

—ତୁ ସୁନ୍ଦର ବୋଲି ।

 

—ମୁଁ ତ ଗୋଟାଏ କଳଙ୍କିନୀ...ଚରିତ୍ରହୀନା ।

 

—ଦୁନିଆର ନଗଣ୍ୟ ଲୋକଙ୍କର ସେଇଟା ନଗଣ୍ୟ ମତ । ସେଇ କଥାକୁ ତୁ ଛଳ କରିଛୁ ? ଦିନେ ଜାଣିବୁ ଯେ ଦୁନିଆର ଲୋକେ ଯାହା କହିଥାନ୍ତି, ସେଥିରେ କେବେହଲେ ପ୍ରକୃତ କଥା ନ ଥାଏ । ଦୁନିଆର ଚରିତ୍ରହୀନ ଲୋକେ ନାରୀକୁ ଚରିତ୍ରହୀନା କହନ୍ତି । ନିଜର ଚିନ୍ତାର ସେଇଟା ହେଉଛି ଭାଷା ।

 

—ତେବେ ମୁଁ କ’ଣ ଚରିତ୍ରହୀନା ନୁହେଁ ?

 

—ନା । ଚରିତ୍ରହୀନା କାହାରିକୁ ଭଲ ପାଇପାରେ ନାହିଁ । କେହି ତାକୁ ଭଲ ପାଆନ୍ତି ନାହିଁ । ତୋ’ର ଗୋଟିଏ ଭଲ ଗୁଣ ଯେ ତୁ ଅନ୍ୟକୁ ଭଲ ପାଉ । ତୋ’ର ହୃଦୟ ଉଚ୍ଚ । ଲୋକଙ୍କୁ ଗୁପ୍ତଚର ପରି ନ ଦେଖି ମଣିଷ ପରି ଦେଖୁ । ଆଉ ସେମାନେ ତୋତେ ଦେଖନ୍ତି ଗୁପ୍ତଚର ପରି ।

 

ଖୁସି ହୋଇ ନିହାର ପଚାରେ—ଆଚ୍ଛା, ମୁଁ ଯଦି ନ ଆସେ, ଆପଣ କ’ଣ ମୋତେ ଖୋଜନ୍ତେ ?

 

—ହଁ ।

 

—କାହିଁ, କେବେ ତ ମୋତେ ଡକାଇ ନାହାନ୍ତି ?

 

—ଭାବେ, ସୀମାର ମନ କିଛି ଗୋଟାଏ ଖେଳନାରେ ମଜ୍ଜି ଯାଇଥିବ । ପିଲାଲୋକ । ଖେଳୁ ।

 

ନିହାର ନିର୍ଭୟରେ ସେଠି ଚଳପ୍ରଚଳ ହୁଏ । ତାଙ୍କୁ ଦିନେ ଦିନେ ପଚାରେ—ଆଚ୍ଛା, ମୋ ନାଁ ଯଦି ବିଚିତ୍ରା କି ପ୍ରହେଳିକା, ତୁଷାର ଅବା ମାୟା ଦିଆ ହୋଇଥାନ୍ତା, ତେବେ କ’ଣ ମୋର ପ୍ରକୃତ ବର୍ଣ୍ଣନା ସେଥିରେ ମିଳନ୍ତା ?

 

ବହୁତ ଭାବିଲା ପରି ହୋଇ ସେ କହନ୍ତି—ନା ।

 

—କାହିଁକି ?

 

—ସେ ସବୁର କୌଣସି ଗୁଣ ତୋ’ଠାରେ ନାହିଁ ।

 

ନିହାର ତାଙ୍କରି କଥା ଶୁଣି ସେହି ନାଁଗୁଡ଼ାକ ଆଉ ନାଁ ଦେଇଥିବା ଲୋକଗୁଡ଼ିକ ଉପରେ ବିରକ୍ତ ହୁଏ । କିଛି ଗୋଟାଏ ଠିକ୍‌ କରି କରିପାରିବେ ନାହିଁ । ଆଉ ଖାଲି ଆସି କହିବେ–ଭଲପାଅ, ଭଲପାଅ...ସେମାନେ ସମସ୍ତେ ନଗଣ୍ୟ । ଏହି ଦୃଷ୍ଟିକୋଣରୁ ନିହାର ସମସ୍ତଙ୍କୁ ବିଚାର କରେ । ରିକ୍‌ସାରେ ବସିଲା ବେଳେ କଳାକାରଙ୍କ ଭାଇଙ୍କୁ ପ୍ରଣାମ ଜଣାଇ ହସି କହେ—ହଉ ନଗଣ୍ୟବାବୁ, ପୁଣି ଦେଖା ହେବ ।

 

କଳାକାରଙ୍କ ସହିତ ପରିଚୟ ନ ହେବା ପର୍ଯ୍ୟନ୍ତ ତା’ର ଧାରଣା ଥିଲା, ସେ ନିଜେ ଜଣେ ସାମାନ୍ୟ ନାରୀ । କିନ୍ତୁ ତାଙ୍କ ସହିତ ପରିଚିତ ହେବା ପରେ ସେ ନିଜର ଆତ୍ମବିଶ୍ୱାସ ଫେରି ପାଇଥିଲା । ଲୋକନିନ୍ଦା ବୋଧେ ନାହିଁ । ସ୍ନେହୀ ଲୋକଙ୍କର ସଂଖ୍ୟା ତାକୁ ବିବ୍ରତ କରେ ନାହିଁ । ମନେ ମନେ କଳାକାରଙ୍କ ପ୍ରତି କୃତଜ୍ଞତା ଜଣାଏ—ସେ ତା’ର ମନର ସାମାନ୍ୟ ସୌନ୍ଦର୍ଯ୍ୟକୁ ତା’ରି ମନର ଚିତ୍ରପଟରେ ଅସାମାନ୍ୟ ସୌନ୍ଦର୍ଯ୍ୟର ରେଖାରୂପେ ଆଙ୍କି ଦେଇଥିଲେ । ତା’ର ଚରିତ୍ରର ସମସ୍ତ ନ୍ୟୂନତା ସେ ପୋଛି ଲିଭାଇ ଦେଇଥିଲେ ।

 

ସେ ବୁଝାଇ ଦେଇଥିଲେ—ଚରିତ୍ରହୀନା ନାରୀ ଭିତରେ ମଧ୍ୟ ଅସାମାନ୍ୟ ନାରୀ ରହିଛି-। ଚରିତ୍ର ସହିତ ପ୍ରତିଭାର ସମ୍ପର୍କ ନାହିଁ । ନିହାରବାଳାର ଜୀବିକା ହେଉଛି ଡାକ୍ତରଖାନାର ସେବିକା-। କିନ୍ତୁ ତା’ର ମନ ଯେ କୌଣସି ପବିତ୍ର ଓ ଚରିତ୍ରବାନ ଲୋକର ମନ ସାଙ୍ଗରେ ସମାନ-

 

ଶ୍ରୀଧର ଓ ବାସୁଦେବଙ୍କ ପରି ଲୋକେ ଯେଉଁ ମନ ଯେଉଁ ଆଖିରେ ଦେଖନ୍ତୁ ନା କାହିଁକି, ସେଇଟା ନିହାରବାଳାର ପରିଚୟ ନୁହେଁ । ଦିଗମ୍ୱର ଓ ବଳରାମଙ୍କପରି ଲୋକଙ୍କର ବିଚାର ତା’ରି ବିଷୟରେ ପ୍ରକୃତ କଥା ନୁହେଁ । ଡାକ୍ତର ସାହେବଙ୍କର ମତାମତ ନିହାର ଜୀବନର ବାସ୍ତବ ଜୀବନୀ ନୁହେଁ । ସେମାନେ ଭୁଲ କରିଛନ୍ତି ।

 

ସେହି କଳାକାରଙ୍କ ସାଙ୍ଗରେ ଦେଖା ହୋଇଥିଲା ଅତି ସାଧାରଣ ଅବସ୍ଥାରେ । ମନର କୌତୂହଳ ମେଣ୍ଟାଇବାକୁ ନିହାର ଯାଇଥିଲା ତାଙ୍କ ଘରକୁ । କଳାକାରଙ୍କର ସେହି ‘ନଗଣ୍ୟ’ ଭାଇ ଡାକି ଆସିଥିଲା—ଶିଳ୍ପୀ ଦେଖିବାକୁ ଚାହାନ୍ତି । ଆସିବାକୁ ଆପତ୍ତି ଅଛି କି ?

 

—କ’ଣ ଦେଖିବେ ?

 

—ସେ ସମସ୍ତଙ୍କୁ ଦେଖିବାକୁ ଚାହାନ୍ତି ଛବି ଆଙ୍କିବେ ବୋଲି । ନିହାରବାଳା ହଷ୍ଟେଲରୁ ଦୁଇଟି ରିକ୍‌ସାରେ ଚାରିଜଣ ନର୍ସ ଯାଇଥିଲେ—ସେମାନେ ଦେଖିବେ ତାଙ୍କୁ ଆଉ ସେ ଦେଖିବେ ସେମାନଙ୍କୁ ।

 

ଡାକ୍ତରଖାନାରେ ସେ କଥା କେହି ଜାଣନ୍ତି ନାହିଁ—ପ୍ରତ୍ୟେକ କଥା ଗୋପନ । ଡାକ୍ତରଖାନାର ଲୋକେ ନର୍ସମାନଙ୍କୁ ଅବରୁଦ୍ଧ ଅନ୍ତପୁରରେ ରଖିବାକୁ ଚାହାନ୍ତି ପୁରୁଣାକାଳିଆ ଗୁରୁଜନଙ୍କ ପରି । ତାଙ୍କର ଆଖି ଆଗରୁ ସବୁ କଥା ଲୁଚାଇ ଦେବାକୁ ଇଚ୍ଛା କରନ୍ତି । ସବୁ ସୁନ୍ଦର ଜିନିସ ଅଛି ଡାକ୍ତରଖାନାରେ । ସବୁ ଗୁଣ ରହିଛି ଡାକ୍ତରଖାନା ଲୋକଙ୍କ ପାଖରେ ।

 

ନିହାରବାଳା ଲୁଚି ଲୁଚି ଯାଇଥିଲା । ସେ ସବୁ ପ୍ରକାରର ଜିନିସ ଜାଣିବ । ସବୁ ପ୍ରକାରର ଲୋକଙ୍କ ସାଙ୍ଗରେ କଥା କହିବ । କିନ୍ତୁ କଳାକାରଙ୍କ ପ୍ରତି ଗୋଟିଏ ପ୍ରକାରର ମମତା ଆସିଥିଲା ।

 

ନିହାରବାଳା ମନ ଭିତରେ ଶ୍ରେଣୀ-ବିଭାଗ କରେ । ବିଭିନ୍ନ ପ୍ରକାରର ଲୋକଙ୍କୁ ନେଇ ତା’ର ସେହି ଶ୍ରେଣୀ-ବିଭାଗ—ବଳରାମ, ଦିଗମ୍ୱର, ସଞ୍ଜୟ ଓ ବିଦ୍ୟାଧର, ଶ୍ରୀଧର, ବାସୁଦେବ, କଳାକାର ଓ ନଗଣ୍ୟ...ବହୁତ ପ୍ରକାରର ରୋଗୀ, ଡାକ୍ତର, ଡାକ୍ତରଖାନାକୁ ଆସିବା ଲୋକେ । ତାଙ୍କ ଭିତରେ ଥିଲେ ବୟସ୍କ, ତରୁଣ, ବଡ଼ ଓ ସାନ, ବିବେକୀ ଓ ଅବିବେକୀ , ଉଦାର ଓ ସଂକୀର୍ଣ୍ଣ ଲୋକେ । ସମସ୍ତଙ୍କୁ ସେ ଦେଖିଛି ।

 

ସିନେମା ହଲର ଦର୍ପଣ ପାଖରେ ଠିଆ ହେଲେ ଯେମିତି ସେଥିରେ ପଡ଼ୁଥିବା ବିଭିନ୍ନ ପ୍ରକାରର ରୂପ ଦିଶେ, ନିହାରବାଳା ସେହିପରି ତା’ର ମନ-ଦର୍ପଣରେ ସମସ୍ତଙ୍କୁ ଦେଖିଛି । ସେମାନଙ୍କର ଉତ୍ସାହ ମାପିଛି । ମନର ଉଦାରତା ଓ ଗଭୀରତା କଳନା କରିଛି । ସେମାନଙ୍କ ସ୍ମୃତି-ଶକ୍ତି ସେ ନାନାପ୍ରକାରର ପରଖି ଦେଖିଛି ।

 

ପାଠ ସିନା ପଢ଼ିଥିଲା କମ୍, ଚାକିରି ଯୋଗୁଁ ହଉ ଅବା ନିଜର ବ୍ୟବହାର ଯୋଗୁଁ ହଉ, ତା’ର ପଦମର୍ଯ୍ୟାଦା ବିଶେଷ ନ ଥିଲା । ବହି ପାଠ କମ୍ ଥିବାରୁ ହାତଲେଖା ସୁନ୍ଦର ହୁଏନାହିଁ । କିନ୍ତୁ ମନର ଅନୁଭବ ଗଭୀର ହୋଇଥିବାରୁ ତା’ର ତୁଣ୍ଡର କଥାଗୁଡ଼ିକ ସବୁବେଳେ ରହସ୍ୟମୟ । ମନରେ ଅସରନ୍ତି କୌତୂହଳ ସେହି କଥାଗୁଡ଼ାକ ଉପରେ ବୁହାଇ ଦିଏ । ଆବେଗର ଲହର ଭାବିଲେ ନିହାରବାଳାକୁ ଦେଖିହୁଏ ଗୋଟିଏ ସାଧାରଣ ନାରୀ ରୂପରେ । କିନ୍ତୁ ତା’ ସାଙ୍ଗରେ ମିଶିଲେ ଜାଣିହୁଏ ଯେ ସେ ଗୋଟିଏ ଅସାଧାରଣ ନାରୀ ।

 

ଖରାପ ଲୋକଙ୍କୁ ଖରାପ ବୋଲି ଜାଣିମଧ୍ୟ ସେ ତାଙ୍କୁ ଅବଜ୍ଞା କରିନାହିଁ—ଚାଲିଯାଅ ବୋଲି କହିନାହିଁ । ଭଲ ଲୋକଙ୍କର ଭଲ ବ୍ୟବହାର ପାଇ ସେ ତାଙ୍କୁ ରହିବାକୁ ଅନୁରୋଧ ଜଣାଇ ନାହିଁ ଅବା ତାଙ୍କୁ ଆସିବାକୁ ଉତ୍ସାହ ଦେଇନାହିଁ । ସମସ୍ତଙ୍କପାଇଁ ସେଇ ଏକା ପ୍ରକାରର ହସ, ଏକା ପ୍ରକାରର କଥା । ସେଥିରୁ ସମସ୍ତେ ତାକୁ ବୁଝିବାକୁ ଚେଷ୍ଟା କରି ଭୁଲ ବୁଝନ୍ତି । ତା’ର ପରିଚୟ ଦେବାକୁ ଯାଇ ତା’ର ନିନ୍ଦା କରାନ୍ତି ।

 

କିନ୍ତୁ ତା’ର ସେହି ବିଷଣ୍ଣ ମୁହଁର ବାହାର ଦେଖାଣିଆଁ ହସ ଉପରେ କୌଣସି ପରିବର୍ତ୍ତନ ଆସେ ନାହିଁ । ମନ ଭିତରେ ସେ ଯେତିକି ବିରୋଗୀ ମୁହଁ ଉପରେ ସେ ସେତିକି ଉତ୍ସାହୀ । ସେ ମନକୁ ମନ କହେ—ଲୋକେ ତ ଆଉ ମୋପାଇଁ ବଦଳିବେ ନାହିଁ । ମୁଁ ତାଙ୍କପାଇଁ ବଦଳିବି କାହିଁକି....ମଣିଷଙ୍କର ସାର୍ଟିଫିକେଟ୍ ମଣିଷ ଫେରାଇ ନିଅନ୍ତି ନାହିଁ । ମୁଁ ଅବା ତାଙ୍କୁ ମତ ବଦଳାଇବାକୁ କହିବି କାହିଁକି ?

 

କିନ୍ତୁ ତା’ର ବେଶି ଅସୁବିଧା ହୁଏ ଲୋକସମାଜରେ ଚଳିଲା ବେଳେ, ଲୋକଙ୍କ ସାଙ୍ଗରେ ଚଳିଲା ବେଳେ ନୁହେଁ । ଲୋକେ ତାକୁ ଭଲ ପାଆନ୍ତି । କିନ୍ତୁ ସମାଜ ତାକୁ ଘୃଣା କରେ । କେତେବେଳେ ସେଥିପାଇଁ ମନରେ ତୀକ୍ଷ୍‌ଣ ପ୍ରତିଶୋଧର ଇଚ୍ଛା ଜାଗିଉଠେ । ଭଲ ପାଉଥିବା ଲୋକେ ସେମାନଙ୍କର ସ୍ତ୍ରୀମାନଙ୍କୁ ନିହାର ବିଷୟରେ ପଦେ ଭଲ କଥା କହିପାରନ୍ତି ନାହିଁ ।

 

ସେମାନଙ୍କର ଏହି ଛଳନା ଦେଖିଲେ ପ୍ରଥମେ ତା’ର ରାଗ ଆସୁଥିଲା । ଅନୁଭବ ଭିତରେ ଦେଖିଚି ସେମାନଙ୍କର ବିବାହ ପୂର୍ବରୁ ଓ ପରେ ଭଲ ପାଇବା ଦୁଇପ୍ରକାର ହୋଇ ଦେଖାଦିଏ । ଅବିବାହିତ ପୁରୁଷମାନଙ୍କୁ ସେ ଯେତିକି ଭୟ କରେ ବିବାହିତ ପୁରୁଷମାନେ ତାକୁ ସେତିକି ଭୟ କରନ୍ତି । ଭୟ ବେଳେ ପ୍ରତ୍ୟେକଙ୍କ ମନରେ ରହେ ଜୀବନ ଅଶାନ୍ତିମୟ ହୋଇଯିବ....ଯେଉଁ ଭଲ ପାଇବା ଶାନ୍ତିସୁଖ ଦେବ ବୋଲି ଭାବିଥା’ନ୍ତି, ସେହି ଭଲ ପାଇବା ସୁଖଶାନ୍ତି କାଢ଼ିନିଏ ।

 

ଏମିତି ସେ କେତେ ଲୋକଙ୍କୁ ବିଦାୟ ଦେଲାଣି । ବିଦାୟ ଦେବାପାଇଁ ଆଉ କିଛି ବିଶେଷ ବ୍ୟବସ୍ଥା ଦରକାର ହୁଏ ନାହିଁ । ବ୍ୟବହାରର ସରାଗ, କହିବା କଥାର ଆଦର କମାଇ ଦେଲେ ସେମାନେ ଆପଣାଛାଏଁ ଚାଲିଯାଆନ୍ତି । ଗଲାବେଳେ ଛାଡ଼ି ଯାଇଥାନ୍ତି କେଇଖଣ୍ଡେ ଚିଠି–ଉଷ୍ମ ମନର, ବେତାଳିଆ ଉତ୍ସାହର ନମୁନା । ଆଉ ନେଇଥାଆନ୍ତି ନିହାରବାଳାର ସେମିତି କେତେ ଖଣ୍ଡ ଚିଠି...ତା’ର ତ ଗୋଟିଏ ଚିଠିଲେଖା ଅଫିସ୍ ।

 

ଚିଠି ନ ଲେଖିଲେ ଯେପରି ନର୍ସର ଜୀବନ ଅପୂର୍ଣ୍ଣ । ଚିଠି ନ ଆସିଲେ ନିହାରବାଳାର ଜୀବନ ସେମିତି ଦୁଃଖମୟ । ନିହାରବାଳାର ଭୟ ହୁଏ ନାହିଁ ନିଜ ଚିଠିପାଇଁ...ଲେଖିଛି ତ ।

 

ଭଲ ପାଇଛି ବୋଲି ଲେଖିଛି । ଭଲ କରି ଲେଖିପାରୁ ନ ଥିବାରୁ ଚିଠିରେ ହୁଏତ ନିହାରବାଳାର ଭଲ ପାଇବା ସ୍ପଷ୍ଟ ହୁଏ ନାହିଁ । ପ୍ରତ୍ୟେକ ଚିଠିରେ ନୂଆ ନୂଆ କଥା । ନିହାରର ଅସଂଖ୍ୟ ଛଦ୍ମ ନାମ । ନିହାରବାଳା ଛଦ୍ମ ନାମରେ ଚିଠି ପାଏ ନାହିଁ, ଚିଠି ଦିଏ ।

 

କେହି କେତେବେଳେ ସଂଗ୍ରହ କଲେ ସେଥିରୁ ପାଇବ ନିହାରର ପରିଚୟ—ମନକୁ ମନ ସାଙ୍ଗରେ ମିଶାଇବାକୁ ଗୋଟିଏ ଦୁର୍ବଳ ସହାୟହୀନ ନାରୀ କେମିତି ଅହରହ ଚେଷ୍ଟା କରିଛି । କିନ୍ତୁ କାହାରି ପାଖରେ କାହାରି କଥା ସେ ଅଭିଯୋଗ କରିନାହିଁ—ସେ ଯେମିତି ଜଣେ ରୋଗୀର ଔଷଧ ଅନ୍ୟ ରୋଗୀକୁ ଦେଇନାହିଁ କି ଜଣକର ରୋଗ ଆର ଜଣକୁ ସମର୍ପି ନାହିଁ ।

 

ସବୁଠାରୁ ବେଶି ଚିଠି ସଞ୍ଜୟ ଦେଇଥିଲା । ନିହାରବାଳାର ବାକ୍ସ ଭିତରେ ସଞ୍ଜୟର ପରିଚୟ ସବୁଠାରୁ ସ୍ପଷ୍ଟ । ସେଥିରେ ସେ ନିହାରବାଳାର ଜୀବନ ସାଙ୍ଗରେ ନିଜକୁ ଗୁନ୍ଥି ଦେଇଥିଲା-। ସଞ୍ଜୟର ଚିଠି ଆସିବା ବନ୍ଦ ହୋଇଛି । କିନ୍ତୁ ତା’ରି ଚିଠି ନିହାର ବସି ବସି ପଢ଼େ-

 

ସଞ୍ଜୟ ସାଙ୍ଗରେ ପରିଚୟ ହେଲାବେଳେ ନିହାରବାଳା ତାକୁ କୌଣସି ବିଶେଷ ସ୍ଥାନ ଦେଇ ନ ଥିଲା । ଯୌବନର ଯୌବନ ପ୍ରତି ଆକର୍ଷଣ—ଅତି ସାଧାରଣ କଥା । ସେତିକି ଛଡ଼ା ଅଧିକ କିଛି ନିହାର ପାଇ ନ ଥିଲା ।

 

କିନ୍ତୁ ସଞ୍ଜୟ ଦୂରରେ ରହି ନିହାର ବିଷୟରେ ସବୁ ଖବର ରଖିଛି । ଦୂରରେ ରହୁଥିବାରୁ ନିଜର ଉତ୍ସାହ ମଧ୍ୟ ରଖିଥିଲା ।

 

ସଞ୍ଜୟ ଦେଖା ପଡ଼େ । ନିହାରବାଳା ହସେ । ସଞ୍ଜୟର ସେହି ବିହ୍ୱଳ ଆଖି ଠିକ୍ ଆଗପରି ଦିଶନ୍ତି । ସଞ୍ଜୟ କହେ—ନିହାର ଦେବୀ, ଆଜିଯାଏ ତମେ ଭୁଲ ବାଟରେ ରହିଲ ।

 

କରୁଣ ସ୍ୱରରେ ନିହାର ପଚାରେ—କ’ଣ କରିବି ? ବାଟ ଛାଡ଼ିବାକୁ ଯେତେ ଚେଷ୍ଟା କଲେ ବି ମତେ ତ ବାଟ ଛାଡ଼ୁ ନାହିଁ । ତମେ ଘୃଣା କରିବ....କର ।

 

ଟିକିଏ ପାଖକୁ ଆସି ସଞ୍ଜୟ ପଚାରେ—ଏତେ ଲୋକଙ୍କୁ ଦେଖି ତମେ କ’ଣ ଏବଯାଏ ମଣିଷ ଚିହ୍ନି ପାରିଲ ନାହିଁ ?

 

—ଆଉ ଏ ଜନ୍ମରେ ଚିହ୍ନିପାରିବି ନାହିଁ । ମଣିଷ ତ ଆସିଲାବେଳେ ଆସନ୍ତି ଦେବତା ପରି । ଫେରିଲାବେଳେ ଫେରିଯାଆନ୍ତି ମଣିଷ ହୋଇ....କହି ସଞ୍ଜୟ ଆଖିକୁ ଚାହେଁ ।

 

ସଞ୍ଜୟ ମନେ ପକାଏ ତା’ର ନିହାରବାଳା ସାଙ୍ଗରେ ଗଢ଼ାହୋଇଥିବା ବନ୍ଧୁତାର ଚିତ୍ର । ସେଥିରେ ସଞ୍ଜୟ ସେମିତି ମଣିଷ ହୋଇ ଫେରିଛି । ସେ ଆଉ ଚାହିଁପାରେ ନାହିଁ ନିହାରକୁ ।

 

ଦୁଃଖରେ କହେ—ତୁମକୁ ଭଲ ପାଇବାକୁ ଚେଷ୍ଟା କରିଥିଲି ଯେ ନାନାପ୍ରକାରର ବିଘ୍ନ ଆସିଲା ।

 

କୌଣସି ସଙ୍କୋଚ ନ ରଖି ନିହାର କହେ—କାହିଁ, ମୁଁ ତ ଏବଯାଏ ତୁମକୁ ଭଲ ପାଉଛି ।

 

ସଞ୍ଜୟର ମନରେ ଉତ୍ତେଜନା ଆସେ । ହସି ନିହାରବାଳା କହେ—ପରେ ଦେଖା ହେବ । ଯାଉଛି ।

 

ସଞ୍ଜୟ ବୁଝିପାରେ ନିହାରବାଳାର ଅଭିମାନ । ସଞ୍ଜୟର ଘରଲୋକେ ନିହାରବାଳାକୁ ଭଲ ପାଆନ୍ତି ନାହିଁ ।

 

ନିହାରବାଳା ବହୁତ ଥର ଆସିଛି । ସଞ୍ଜୟର ଘରଲୋକଙ୍କର ମନରେ ଟିକିଏ ସ୍ନେହ, ଟିକିଏ ସଦ୍ଦିଚ୍ଛା ଅଣାଇବାକୁ...ପାରିନାହିଁ । ସଞ୍ଜୟ ସବୁ ଜାଣେ । ଆଉ ସେଇଥିପାଇଁ ଗଣଦେବତାଙ୍କ ପାଖରେ ମଥା ନୁଆଁଏ । ସେ ନିହାରବାଳାକୁ ନିଜର ବ୍ୟବହାରରେ ଦୂର କରିଦେଇଛି । କିନ୍ତୁ ମନ ଭିତରେ ନିହାରବାଳା ଯେଉଁଠି ଥିଲା, ଠିକ୍ ସେଇଠି ରହିଛି ।

 

ନିହାରବାଳା ମନେ ପକାଏ ସଞ୍ଜୟକୁ । ଥରେ ସଞ୍ଜୟ କେମିତି ଅତିରିକ୍ତ ବିରକ୍ତ ହୋଇ ନିହାରବାଳାକୁ ଡାକ୍ତରଖାନାରୁ ବାହାର କରିଦେବାକୁ ଚାହିଁଥିଲା ।

 

ଅତି ସାଧାରଣ କଥାରୁ ଆରମ୍ଭ । ନିହାରବାଳା ସଞ୍ଜୟକୁ ସ୍ପଷ୍ଟ କରି ଲେଖି ଦେଇଥିଲା...ନିହାର ପରି ଚରିତ୍ରହୀନା ଲୋକଙ୍କୁ ସଂସାରରେ ସବୁ ନ ମିଳିପାରେ, କିନ୍ତୁ ସଞ୍ଜୟ ପରି ଲୋକ ମିଳିବେ...ସଞ୍ଜୟର ଏତେ ଉପଦେଶ ଦେବା କିଛି ଦରକାର ନାହିଁ । ନିହାରବାଳା ଯେପରି ଇଚ୍ଛା ସେପରି ଚଳିବ ।

 

ସଞ୍ଜୟ ନିହାରବାଳାର ଚିଠି ଫଟୋ କରି ବିଜ୍ଞାପନ କାଗଜ ପରି ବଣ୍ଟାଇ ଦେଇଥିଲା । ବାଣ୍ଟିଲା ବେଳେ ସଞ୍ଜୟ ନାଁଟିକୁ କଲମରେ ଗାରେଇ ଦେଇ ଖାଲି ନିହାରବାଳା କଥାଟିକୁ ସ୍ପଷ୍ଟ କରିଦେଇଥିଲା ।

 

ସେ ଦିନ ସକାଳେ ନିହାରବାଳାର ଚାରିଆଡ଼େ ସତେ ଯେପରି ବୁଣି ହୋଇ ଯାଇଥିଲା ତା’ରି ଚିଠି...ତା’ରି ଅକ୍ଷର ।

 

ପ୍ରତ୍ୟେକର ଆଖିରେ ନିହାର ଦେଖିଛି ସେହି ଘୃଣା, ସେହି ତାଚ୍ଛଲ୍ୟ—ଘୃଣା ନିହାରବାଳା ପ୍ରତି, ତାଚ୍ଛଲ୍ୟ ତା’ର ଚରିତ୍ର ପ୍ରତି । ନିହାରବାଳା ବିବ୍ରତ ନ ହୋଇ ପୁଣି ଚିଠି ଲେଖିଥିଲା ।

 

....ତୁମେ ଜଣେ କାପୁରୁଷ, ଭୀରୁ । ମନେ କରିଛ ଯେ ମୋର ଚିଠିକୁ ଛପାଇ ଏମିତି କଳଙ୍କ ଲେପିଲେ ମୁଁ ତୁମକୁ ଭଲ ପାଇବି ? ...ମନେ କରିଥିବ ଯେ ନିହାର ଚାକିରି କରିପାରିବ ନାହିଁ । ଚାକିରି ନ କଲେ ସେ ତା’ର ଶାଶୁଘରକୁ ଫେରିଯିବ । କିନ୍ତୁ ତୁମପରି ଲୋକଙ୍କର ସ୍ନେହ ସେ ଗ୍ରହଣ କରିପାରିବ ନାହିଁ । ସାହସ ଥିଲେ ପରୀକ୍ଷା କରିପାର ।

 

ତା’ର ତିନି ଦିନ ପରେ ପୁଣି ସେମିତି ନିହାରର ଚାରିଆଡ଼େ ତା’ର ସଞ୍ଜୟ ପାଖକୁ ଦେଇଥିବା ଚିଠି ଖଣ୍ଡିକ ସେମିତି କଟାକଟି ହୋଇ ଅଜାଡ଼ି ହୋଇ ପଡ଼ିଥିଲା । ଡାକ୍ତରଖାନାର କାନ୍ଥବାଡ଼ରେ ଲୋକେ ପଢ଼ିଥିଲେ ନିହାରର ଚିଠି ।

 

ଏହି ଦୁରବସ୍ଥା ଦେଖି ନିହାରବାଳା ଫେରିଯାଇଥିଲା ନିଜ ରୁମ୍‌କୁ—ସେ ଆତ୍ମହତ୍ୟା କରିବ । ଆଉ ସେ କାହାରିକୁ ମୁହଁ ଦେଖାଇ ପାରିବ ନାହିଁ । ନିହାରବାଳାର ଚିଠି ପାଇଥିବା ରଖିଥିବା ଲୋକେ ଏହି ସମ୍ବାଦ ପାଇ ଚିଠିଗୁଡ଼ିକ ଚିରି ଦେଇଥିଲେ...ନିହାର ଗୋଟାଏ ବିଷମ, ବିଷମୟ ପଦାର୍ଥ ।

 

ନିହାର ବହୁତ ଲୋକଙ୍କୁ ବହୁତ ଚିଠି ଦେଇଥିଲା । ସେ ଚିଠି ଦିଏ ବୋଲି ବହୁତ ଲୋକ ଜାଣନ୍ତି । କିନ୍ତୁ କେହି ଆଖିରେ ନିହାରର ଅନ୍ୟ ପାଖକୁ ଦେଇଥିବା ଚିଠି ପଢ଼ି ନ ଥିଲେ ।

 

ଚିଠି ଦେଖିଲେ ନିହାରର ଶେଷ ପରିଚୟ ସ୍ଥାନ, ତାରିଖ ସହ ଦେଖି ନିହାରକୁ ଭଲ ପାଇଥିବାରୁ, ନିହାରର ଚିଠି ସାଇତି ଥିବାରୁ ନିଜକୁ ଘୃଣା କରିଥିଲେ....ନିହାର ସାଙ୍ଗରେ କିଛି ସମ୍ବନ୍ଧ ରଖିବା ଉଚିତ ନୁହେଁ ।

 

ପ୍ରଥମ ଚିଠି ଘରୁ ଫେରିଆସିଛି ନିହାର ପାଖକୁ....ସେଥିରେ ଉପଦେଶ ଅଛି ଚିଠି ଲେଖିବା ଉଚିତ ନୁହେଁ । ବଳରାମ ଘରୁ, ଦିଗମ୍ୱରଙ୍କ ଘରୁ ଫେରିଆସିଛି ନିହାରର ସେହି ଚିଠିର ଫଟୋ ଆଉ ସେହି ଏକାପ୍ରକାରର ଉପଦେଶ—ଏଇଥିରୁ ନିଜ କଥା ବୁଝିବ । ...ଚରିତ୍ରହୀନତାର ସୀମା ଅଛି...ଲାଜକୁ ଭୟ ନ କଲେ ଲାଜ ଭୟ ଦେଖାଇବ ।

 

ଇସ୍, କେଡ଼େ ଖରାପ ଏହି ସଞ୍ଜୟ ! କ’ଣ ପାଇଁ ସେ ଉତ୍‌କ୍ଷିପ୍ତ ! ନିହାରବାଳାର ସମ୍ୱନ୍ଧ ସବୁଠାରୁ କମ୍ ସଞ୍ଜୟ ସହିତ । ସେହି ସଞ୍ଜୟ ଏବେ ହଠାତ୍ ନିହାରବାଳାକୁ ଆଣି ବାହାରେ ଥୋଇ ଦେଇଛି । ନିହାରବାଳାର ଜୀବନରେ ସବୁଠାରୁ ବଡ଼ ଆଘାତ ଦେଇପାରିଛି । ଟିକକର ଖିଆଲରେ ନିହାରବାଳା ଜୀବନରୁ ସମସ୍ତ ପ୍ରକାରର ଆଶା ପୋଛି ଲିଭାଇ ଦେଇଛି ।

 

ହଷ୍ଟେଲରେ ନିହାରବାଳା ବିଷୟରେ ଚହଳ ପଡ଼ିଛି । ସମସ୍ତେ ଯେପରି ନିଜର ସମସ୍ତ ଦୋଷଗୁଣ ବୁଝି ନିହାରବାଳାକୁ କହୁଛନ୍ତି—ସେ ଭାରି ଖରାପ । ସେ ଭଲପାଏ ବହୁତ ଲୋକଙ୍କୁ....ଚିଠି ଦିଏ ସମସ୍ତଙ୍କୁ । ସେମାନେ ସେପରି ନୁହନ୍ତି ।

 

ବହୁତ ପ୍ରକାରର ଉପଦେଶ । ନିହାରବାଳା ଶୁଣେ । ସେମାନଙ୍କ ମୁହଁକୁ ଚାହିଁରହେ । ସେମାନେ କହୁଛନ୍ତି—ନିହାର ସଞ୍ଜୟ ପାଖକୁ ଚିଠି ଲେଖିଲା କାହିଁକି ? ସଞ୍ଜୟ କରାଇଛି ବୋଲି ଜଣାପଡ଼ିଲାଣି । ସଞ୍ଜୟ କିଏ ?

 

କେହି ତାକୁ ଠଉର କରିପାରନ୍ତି ନାହିଁ । ନିହାର ପାଖକୁ ଆସିବା ଲୋକ ଭିତରେ ସଞ୍ଜୟ ନ ଥାଏ । ନିହାରବାଳା କେବେ କେମିତି ସଞ୍ଜୟ ସାଙ୍ଗରେ ଏତେ ପରିଚୟ କରିଥିଲା କାହି ଜାଣି ନାହାନ୍ତି । ନିହାର ଲୁଚେଇ ଛପେଇ ଏତେ ବନ୍ଧୁ କରିଛି...ଏବେ ପାଉ ଫଳ !

 

ଅନ୍ୟମାନଙ୍କର ହିଂସା ନିହାର ଉପରେ । ଭାରି ଗର୍ବ ତା’ର । ବହୁତ ଲୋକଙ୍କୁ ସେ ଚିହ୍ନେ । ବହୁତ ଲୋକ ତାକୁ ନିହ୍ନନ୍ତି । ଭାବୁଥିଲା ଗୋଟାଏ ଅପ୍‌ସରା ବୋଲି । ଏବେ ପାଇଲା ଫଳ ।

 

ସେମାନେ ନିହାରକୁ ଆସି ଭୟ ଦେଖାନ୍ତି । ସଞ୍ଜୟ କୁଆଡ଼େ କହୁଥିଲା—ନିହାରବାଳାକୁ ସେ ଖୁଣ୍ କରିଦେବ । ତାକୁ ଡାକ୍ତରଖାନାରେ ଆଉ ରଖାଇ ଦେବ ନାହିଁ । ପରୀକ୍ଷା ଅଛି ଅଳ୍ପଦିନ । ସେଥିପାଇଁ ସେ ରହି ରହି ବହୁତ ସମ୍ବାଦ ସଂଗ୍ରହ କରିଛି । ବହୁତ ଦିନରୁ ରାଗିଥିଲା ନିହାର ଉପରେ...ସେଇ ପ୍ରତିଶୋଧ ନେବ ।

 

ନିଜର ଭୟ ନିହାରକୁ ଡରାଏ । ସତରେ ଯଦି ସଞ୍ଜୟ ନିହାର ଲେଖିଥିବା ସବୁଯାକ ଚିଠିକୁ ଏମିତି ଫଟୋ କରି କାନ୍ଥରେ ବାଡ଼ରେ ଲଗାଏ, ତେବେ ନିହାର ଆଉ ମୁହଁ ଦେଖାଇବ କେମିତି....ନିହାରବାଳା ସଞ୍ଜୟ ପାଖକୁ ଚିଠି ଲେଖିଲା ।

 

....ମତେ ଯଦି ଲୋକହସା କରିବା କଥା ଥିଲା, ତେବେ ତମେ ନିଜକୁ କାହିଁକି ମୋ ସାଙ୍ଗରେ ଯୋଡ଼ିଲ ନାହିଁ । ତମେ ଆସିବ । ତମ ସାଙ୍ଗରେ କଥା ଅଛି । ନ ଆସିଲେ ମୁଁ ତୁମ ପାଖରେ ଦିନେ ପହଞ୍ଚିବି ଆଉ ସେଇଠି ରହିବି....କେଡ଼େ ବଡ଼ କଥାଟାଏ କରିଦେଲ ! ମୋତେ ଭଲ ପାଇ ଶେଷକୁ ମୋତେ ଲୋକହସା କଲେ ମୁଁ କ’ଣ ଆଉ କାହାର ହୋଇପାରିବି ? ମୁଁ ଏକା ତୁମକୁ ଭଲପାଏ ।

 

ଜାଣେ ତମେ ଏ ଚିଠିକୁ ଛପେଇବ । ଛପାଅ । ମନେ ରଖିଥିବ ଯେ ମୁଁ ମରିବାକୁ ଡରେ ନାହିଁ । ଡାକ୍ତରଖାନା ଛାଡ଼ି ଚାଲିଯିବାକୁ ତିଆର । ତେବେ ଜାଣିଥାଅ ଯେ ମୁଁ ତୁମକୁ ଯେମିତି ଭଲପାଏ ଆଉ କାହାକୁ ନୁହେଁ । ସମସ୍ତଙ୍କୁ ନିହାର ସେମିତି ଅଶ୍ରୁମୟ ଆଖିରେ ତା’ର ନିଜର ଦୁଃଖ-କାହାଣୀ କହିଥିଲା....ପ୍ରକୃତ ଚିଠି ସେଗୁଡ଼ିକ ନୁହେଁ । ସେଥିରେ ତା’ର ମନର ଭାବ ନ ଥିଲା-। ଖାଳି ସଞ୍ଜୟର ପାଗଳାମି ବନ୍ଦ କରିବାକୁ ସେ ତାକୁ ସେମିତି କେତେଖଣ୍ଡ ଚିଠି ଲେଖି ଦେଇଥିଲା ।

 

ସଞ୍ଜୟର ଚିଠିଗୁଡ଼ିକ ଆଣି ଦେଖାଏ....ହେଇ ଦେଖ....ମୁଁ ତ ବୁଝିପାରେ ନାହିଁ ଏ ଚିଠିଗୁଡ଼ିକ । ଏଗୁଡ଼ିକ ରଖି ଆଉ ଏଗୁଡ଼ିକର ଉତ୍ତର ଦେଇ ମୁଁ କେଡ଼େ ହଟହଟା ନ ହୋଇଛି !

 

—ୟେ ତ ବେଶ୍ କଥା । ଯିଏ ଯାହା ଲେଖିଲେ କ’ଣ ତମେ ତା’ର ଜବାବ ଦେବାକୁ ବାଧ୍ୟ ? ଚିଠିକି ଚିରି ଫୋପାଡ଼ି ଦେଲ ନାହିଁ ?

 

ଆଖିରୁ ଲୁହ ଖସିପଡ଼େ । ନିହାର କହେ—ସେ ଜଣେ ଅବିଶ୍ୱାସୀ ।

 

ନିହାରପାଇଁ ବିପଦ ଭିତରକୁ ଡେଇଁବାକୁ ସମସ୍ତେ ତିଆର । ସେମାନେ କହନ୍ତି—ଯାଇ ସଞ୍ଜୟକୁ ଥଣ୍ଡା କରିବେ ।

 

ନିହାର କହେ—ସେ ଉପଯୁକ୍ତ ଶାସ୍ତି ପାଇବା ଉଚିତ । କେଡ଼େ ଖରାପ ଲୋକ !

 

ନିହାରକୁ ସହାନୁଭୂତି ଦେଖାଇବାପାଇଁ ଆସିଥିବା ସ୍ନେହୀ ଲୋକଗୁଡ଼ିଙ୍କର ଆଖି ନିହାରର ଆଖିର ଲୁହ ଦେଖି ରାଗରେ ଜଳ ଜଳ ହୋଇଉଠେ ।

 

ସେମାନଙ୍କୁ ବାଧା ଦେଇ ନିହାର କହେ—ନାହିଁ ଥାଉ, ସଞ୍ଜୟକୁ କୌଣସି ପ୍ରକାରର ଆଘାତ ଦେବା ମୋର ଇଚ୍ଛା ନୁହେଁ....ତା’ର କିଛି ନାହିଁ । ତାକୁ ଦେଖିଲେ ମନରେ କରୁଣା ଆସେ-। ସେ ମୋତେ ବାହାରେ ଅପଦସ୍ତ କଲା—କରିଛି, କରିସାରିଲାଣି ।

 

ତାକୁ ଠାକୁରେ କ୍ଷମା ଦିଅନ୍ତୁ । ତାକୁ ଭଲ ବୁଦ୍ଧି ଦିଅନ୍ତୁ ।

 

ପ୍ରତିବାଦ କରି ବନ୍ଧୁମାନେ କହନ୍ତି—ନିହାର ଦେବୀ ! ତମେ ଜଣେ ପାଗଳ ! ମଣିଷଠାରୁ ମାଡ଼ ନ ଖାଇଲେ କେହି ଠାକୁରଙ୍କ କଥା ଶୁଣେ ନାହିଁ । ସଞ୍ଜୟ ଯେମିତି ତମପ୍ରତି ଖରାପ ବ୍ୟବହାର ଦେଖାଇଛି, ତମେ ତା’ପ୍ରତି ସେମିତି ଦୃଢ଼ମନରେ ଖରାପ ବ୍ୟବହାର ଦେଖାଇବା ଉଚିତ...ତମେ କ’ଣ ତାକୁ ଖୁବ୍ ଭଲପାଅ ?

 

—ହଁ....ରହି ରହି ନିହାର କେତେବେଳକେ କହିଲା ।

 

—ବହୁତ କ’ଣ ମିଶିଛ ତା’ ସାଙ୍ଗରେ ? ଆମେ ତାକୁ ଚିହ୍ନି ନ ଥିଲୁ ତ !

 

—ନା, ବେଶି ଦେଖା ହୁଏ ନାହିଁ । କେବେ କେମିତି ସେ ଏଣେ ଆସିଲେ ସେଇ ଡାକ୍ତରଖାନା ହତାରୁ ସେ ଫେରିଯାଏ ....ଚିଠି ଲେଖେ ।

 

—ଆଉ ତେବେ ତାକୁ ତମେ ଭଲ ପାଅ କାହିଁକି ?

 

—କହିପାରିବି ନାହିଁ । କିଛି ନ ଥିଲେ ବି ତାକୁ କାହିଁକି ଭାରି ଭଲ ଲାଗେ । ଉତ୍ପାତ ନାହିଁ । ଜୋର ଜବରଦସ୍ତି ନାହିଁ । ବାହାରର ଲୋକପରି ବାହାରୁ ବାହାରୁ ସଞ୍ଜୟ ଫେରିଯାନ୍ତି । ତାଙ୍କର ଚିଠି ମୁଁ କିଛି ବୁଝେ ନାହିଁ ।

 

ବଡ଼ ବିଚିତ୍ର ଏଇ ସଂସାର । ଆଉ ସେଥିରେ ନିହାର ଦେବୀ ହେଉଛି ଗୋଟିଏ ଆଶ୍ଚର୍ଯ୍ୟ ।

 

ନିହାରବାଳାର କଥା ସେମାନେ ବୁଝିପାରନ୍ତି ନାହିଁ । ଦେଖାଚାହାଁ ନ ଥିଲା କି କୌଣସି ପ୍ରକାରେ ସମ୍ୱନ୍ଧ ନ ଥିଲା । ଏତେ ଲୋକ ଥାଉଁ ଥାଉଁ ନିହାରବାଳା ଯେ ସଞ୍ଜୟ କଥା ମନରେ ଧରି ରଖିପାରେ, ଏତକ ଶୁଣିଲାବେଳେ ସେମାନେ ସମସ୍ତେ ନିହାରକୁ ନିରେଖି ଚାହିଁଥିଲେ ।

 

ଅସଂଖ୍ୟ ଲୋକଙ୍କୁ ଭଲ ପାଇପାରିଥିବା ଜଣେ ନାରୀ, ଜଣେ ସାଧାରଣ ସଞ୍ଜୟ ପରି ଲୋକକୁ ଭଲ ପାଉଛି ବୋଲି ଦୃଢ଼ତାର ସହିତ କେମିତି କହିପାରିଲା କେଜାଣି !

 

ନିହାରବାଳା ମୁହଁରେ ଲାଜ ଦେଖାଦିଏ—ସଞ୍ଜୟ କଥା ଜଣାପଡ଼ିଯିବାରୁ । ସେ ଦୁଃଖିତ ହୁଏ । ଯେଉଁ ସମ୍ୱନ୍ଧକୁ ଏତେ ଯତ୍ନ କରି ନିହାର ସମସ୍ତଙ୍କଠାରୁ ଲୁଚାଇ ରଖିଥିଲା, ସେତକ ପ୍ରଘଟ ହୋଇଯାଇଛି । ତା’ର ଦୁଃଖ ଆସେ ସଞ୍ଜୟପାଇଁ । ବୁଝି ନ ପାରି ସଞ୍ଜୟ ଏତେ ଅସୁବିଧା କଲା...ସଞ୍ଜୟ ସାଙ୍ଗରେ ଦେଖା ହେଲେ ନିହାର ତାକୁ କହିବ—ଏଇ ପୁରସ୍କାର ତମେ ଶେଷକୁ ଦେଲ..କହି ଚିଠିଗୁଡ଼ିକ ଫେରାଇ ଦେବ ।

 

ସଞ୍ଜୟ ନିହାରବାଳାର ଚିଠିକୁ ଓଲଟପାଲଟ କରି ଦେଖିଥିଲା.... ଆଜି ଶେଷକୁ ଭଲ ପାଇବା ଜଣାଇବାର ଅନ୍ୟ ବାଟ ନ ପାଇ ନିହାରବାଳା ସଞ୍ଜୟକୁ ପାଖକୁ ଡାକିଛି ।

 

ଆଉ ନୁହେଁ । ବଳତ୍କାରରେ ନିହାରକୁ ପାଇବାପାଇଁ ସଞ୍ଜୟ କୌଣସି ପ୍ରକାରର ଇଚ୍ଛା କରି ନ ଥିଲା । ନିହାରକୁ ଏକାନ୍ତ ମନରେ ଭଲ ପାଇ ସେ ତାକୁ ଯେତେବେଳେ ପାଖକୁ ଆଣିପାରି ନ ଥିଲା...ଶେଷରେ ତାକୁ ସେମିତି ଘୃଣା କରି ସଞ୍ଜୟ ଆଉ ନିହାରକୁ ଫେରାଇଦେବାକୁ ଚାହେଁ ନାହିଁ ।

 

ଆଘାତ କଲାପରେ ମନରୁ ରାଗ ଖସିଯାଏ । ସଞ୍ଜୟର ମନ ବଦଳି ଯାଇଥିଲା । ନିହାରବାଳାକୁ ସେ ମନ ଭିତରେ ଛାଡ଼ିଦେଇ ସାରିଥିଲା...ନିହାର ସମସ୍ତଙ୍କର । ସେ ସଞ୍ଜୟର ନୁହେଁ । ସେମାନଙ୍କ ଭିତରେ ଠେଲାପେଲା ହୋଇ ସଞ୍ଜୟ ନିହାରକୁ ପାଖରେ ରଖିବାକୁ, ଦେଖିବାକୁ ଅବା ଧରିବାକୁ ଚାହେଁ ନାହିଁ ।

 

ନିହାର ଚିଠିର ଆଉ କୌଣସି ଜବାବ ଦେବା ଦରକାର ନାହିଁ । ସଞ୍ଜୟ ପ୍ରଥମେ ଭାବିଲା ଚିଠିଟା ଫେରାଇ ଦେବ...ନା, ଥାଉ । ନିହାରବାଳାର ପ୍ରତ୍ୟେକ ଚିଠିରେ ସେ ଗୋଟିଏ ନୂଆ କଥା ଲେଖେ । ଚିଠିଟା ଥିଲେ ଭଲ ।

 

ନିହାରବାଳା ଚାହିଁ ରହିଲା—ସଞ୍ଜୟ ଆସିବ । ପ୍ରତିଦିନ ସକାଳୁ ଉଠି ଡାକ୍ତରଖାନାର ପାଚିରିକୁ ଚାହେଁ । ହୁଏତ ତାହାର ଚିଠି ପୁଣି ଫଟୋ ହୋଇ ଆସି କାନ୍ଥରେ ଲଗା ହୋଇଛି...ସଞ୍ଜୟ ଆସି ନାହିଁ, ଚିଠି ଦେଇନାହିଁ କିମ୍ୱା ଆଉ କିଛି କରିନାହିଁ । ନିହାର ମନ ଭିତରେ ବାରମ୍ୱାର ସଞ୍ଜୟ ନାନାପ୍ରକାରର ପ୍ରଶ୍ନ ଆକାରରେ ଦେଖାଦିଏ ।

 

ଖରାପ ଲୋକଙ୍କ ଉପରେ ଦୁର୍ନାମର କଳଙ୍କ ବିଶେଷ ପ୍ରଭାବ ପକାଏ ନାହିଁ । କିଛି ଦିନ ଭିତରେ ନିହାର କଥା ପୁଣି ସମସ୍ତେ ଭୁଲିଗଲେ । ନିହାରର ଚରିତ୍ରରେ ଯେପରି କେହି କଳଙ୍କ ଲଗାଇ ପାରିବେ ନାହିଁ । ସେ ସବୁବେଳେ ନିରାପଦ ।

 

କିନ୍ତୁ ନିହାର ସେହିଦିନୁ ତା’ର ମନର ଗତିକୁ ଅଜାଣତରେ ବଦଳାଇଥିଲା । ତା’ର ସେହି ଗୋଟିଏ ଅଭିଯୋଗ—ସଞ୍ଜୟ ତାକୁ ଲୋକହସା କରିଛି । ସଞ୍ଜୟ ଏକା ତାକୁ ଅପବାଦ ଦେଇଛି ।

 

ଯାହା କେହି କରିପାରି ନ ଥିଲେ, ସେତକ ସଞ୍ଜୟ କରିପାରିଛି । ସମସ୍ତେ ଅପବାଦ ଦେଇଥିଲେ । କିନ୍ତୁ ନିହାରବାଳା ସେଥିରେ ଅଧିକରୁ ଅଧିକ ଉତ୍ତେଜିତ ହୋଇଥିଲା । ସେମାନଙ୍କର ନିନ୍ଦାକୁ ନିହାରବାଳା ଯେତିକି ଅଶ୍ରଦ୍ଧା ଦେଖାଇଥିଲା, ସଞ୍ଜୟର ସେହି ଅପବାଦକୁ ସେତିକି ଶ୍ରଦ୍ଧା ଦେଖାଇ ବାରମ୍ୱାର ନିଜକୁ ପଚାରିଥିଲା ।

 

ଅହନ୍ତା କରୁଥିବା ଲୋକ ଅପବାଦ ଦେଇପାରେ ନାହିଁ । ଭଲ ପାଉଥିବା ଲୋକ ଏକା ସେତିକି କରିପାରେ । ଭଲ ପାଉଥିଲା ବୋଲି କ’ଣ ସଞ୍ଜୟ ଏହି ପ୍ରକାରେ କଠୋର ଆଘାତ କରିବାକୁ ସମର୍ଥ ହୋଇପାରିଲା ?

 

ଭାବିଲେ ନିହାରବାଳା କୂଳକିନାରା ପାଏ ନାହିଁ । ନିଜକୁ ଓ ସଞ୍ଜୟକୁ ଅଟକଳ କରିପାରେ ନାହିଁ । ତା’ର ସେହି ଆଖି ଦୁଇଟି ଲୁହରେ ପୂରିଉଠେ । ସେ ନିଜକୁ ନିଜେ କହେ—ସଞ୍ଜୟ ତାକୁ ଭଲପାଏ ।

 

ପାଖରେ ସଞ୍ଜୟ ନ ଥାଏ । ସୁଟକେଶ୍‌ ଖୋଲି ସେହି ଚିଠିଗୁଡ଼ିକୁ ଆଉ ଥରେ ପଢ଼ିବାକୁ ଚେଷ୍ଟା କରି ବୁଝିବାକୁ ପ୍ରୟାସ କରେ । ...ଚିଠିଗୁଡ଼ିକ ଯେମିତି ଅବୋଧ୍ୟ, ଚିଠି ଲେଖିଥିବା ଲୋକ ବି ସେମିତି..ଚିଠି ପାଇଥିବା ଲୋକ ବି ସେମିତି ।

 

ଯେ କେହି ନୁହେଁ, ସେଇ ହେଉଛି ସବୁ । ଯେଉଁମାନେ ସବୁ ପାଇଥାନ୍ତି, ସେମାନେ କେହି ନୁହନ୍ତି ।

 

ପାଇବା ଜିନିଷକୁ ହରାଇ ଓ ନ ପାଇବା ଜିନିସକୁ ଆଶା କରି ମଣିଷ ଯେତେବେଳେ ନିଜର ଭ୍ରମ ପ୍ରମାଦର ଅନୁତାପ ଓ ଆସି ନ ଥିବା ଜିନିସର ଆଶାରେ ବିକ୍ଷୁବ୍ଧ ହୋଇ ବାଟ ଚାଲେ, ସେତେବେଳେ ବୋଧହୁଏ ସୁନ୍ଦର ଦିଶେ । ଆଉ ତାହାରି ପାଖକୁ ଖୋଜି ଖୋଜି ଦୁନିଆର ଅସଂଖ୍ୟ ଲୋକ ଆସି ପହଞ୍ଚନ୍ତି ।

 

କୌଣସି ପ୍ରକାରର ଅଶାନ୍ତି ନ ଥିବା ଜୀବନ ସତେ ଯେପରି ଅସୁନ୍ଦର ଓ ଅପ୍ରିୟ । ଜୀବନକୁ ଅଭିଶପ୍ତ କରିବାରେ ମଣିଷର ଯେପରି ଜନ୍ମଗତ ରୁଚି । ନୂଆ ଲୋକଙ୍କୁ ଦେଖିଲେ ନିହାରବାଳା ମନରେ ସେହି ପ୍ରଶ୍ନ ଆସେ । ସେମାନଙ୍କ ମୁହଁରେ ସେହି ଏକାପ୍ରକାରର ଉତ୍ସାହ—ନିହାରବାଳାର ମନ କଥା ଜାଣିବେ ଓ ନିହାରବାଳାକୁ ମନ କଥା କହିବେ ।

 

ଏଇ ଲୋକଙ୍କର ଆଉ ସଠିକ ପରିଚୟ ରଖିବାର ଦରକାର ହୁଏ ନାହିଁ ନିହାରବାଳାର-। ସେ ଭଲ କରି ବୁଝିଲାଣି ଯେ ଡାକ୍ତରଖାନା ଜୀବନର ଯାତ୍ରାପଥରେ ଏମାନେ ଏମିତି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସାଙ୍ଗରେ ଆସି ପହଞ୍ଚୁଥିବେ ଓ ବିଦାୟ ନେଉଥିବେ-

 

ଡାକ୍ତରଖାନା ବଗିଚାର ଫୁଲଗଛର ଫୁଲକୁ ଯେମିତି ଚିହ୍ନି ମନେ ରଖିବାର ଅବା ପାସୋରି ଯିବାର ପ୍ରୟୋଜନ ହୁଏ ନାହିଁ, ସେମିତି ଏହି ଦେଖଣାହାରୀ ଲୋକେ କିଏ ସୁବାସ, କିଏ ଦୁର୍ଗନ୍ଧ ଦେଇ, କିଏ ମନରେ ଟିକିଏ କଅଁଳ ପରଖ ଆଉ କିଏ ସେମିତି ଟିକିଏ ନିଷ୍ଠୁର ଆଘାତ ଦେଇ ଚାଲିଯିବେ ।

 

ନିହାରବାଳା ସେମାନଙ୍କୁ ସମଦୃଷ୍ଟିରେ ଦେଖେ । ମିଠା କଥା କହେ । କୋମଳ, ଦରଦଭରା ବ୍ୟବହାର ଦେଖାଏ ଆଉ ଛାଡ଼ିଯାଏ ।

 

ଛାଡ଼ିଯାଇଥିବା ଲୋକେ ପରିଚୟକୁ ବାରମ୍ୱାର ସ୍ମରଣ କରିବାପାଇଁ ନିହାରବାଳାକୁ ଦେଖା ହେଲାବେଳେ ଆଖିରେ, କଥାରେ ଓ ବ୍ୟବହାରରେ ଜଣାଇ ଦିଅନ୍ତି ।

 

କାହାକୁ ସେ ଚିହ୍ନେ, କାହାକୁ ଅବା ସେ ଚିହ୍ନିପାରେ ନାହିଁ । ସମସ୍ତଙ୍କୁ ହସି, ଭଲ ମନ୍ଦର ଖବର ପଚାରି ନିହାରବାଳା ବାଟରେ ଆଗେଇ ଚାଲେ ।

 

ତାଙ୍କ ଭିତରେ ବି ସେମିତି ସବୁ ପ୍ରକାରର ଲୋକ ଥାନ୍ତି । ଉପରେ ମିଠା ବ୍ୟବହାର, ଭିତରେ ଅହନ୍ତା; ଭିତରେ ଓ ବାହାରେ ସେହି ଏକା ପ୍ରକାରର ଅବିଚାର ଥିବା ଲୋକ, ଆଉ ବି ସଞ୍ଜ ପରି ବାହାରେ ପ୍ରକାଶ ନ କରି ଭିତରେ ଭୋଗୁଥିବା ଲୋକେ ।

 

ବହୁତ ଲୋକଙ୍କୁ ଦେଖିସାରି ଲୋକଙ୍କ ବିଷୟରେ ନିହାରବାଳାର ସାଧାରଣ ଜ୍ଞାନ ବଢ଼ିଛି । ସେ ଜାଣେ ଯେ ମଣିଷଙ୍କୁ ଆଉ ବେଶି ପ୍ରିୟ କି ଅପ୍ରିୟ କରିବା ଶକ୍ତିର ବୃଥା ଅପଚୟ । ସମସ୍ତଙ୍କୁ ଦେଖିଲାବେଳେ ତା’ର ମନ ଉପରେ ସେହି ପୁରୁଣା ପରିଚିତ ଲୋକେ ଦେଖା ଦିଅନ୍ତି—ସେମାନେ ତା’ର ମନର ସରାଗକୁ ଅଭିଶପ୍ତ କରିଥିଲେ ।

 

ହଁ ତ । ସମସ୍ତେ କରିଥିଲେ । ବାରମ୍ୱାର ପୁରୁଷଙ୍କୁ ଭଲ ପାଇ ନିହାରବାଳା ସୋମନଙ୍କୁ ଆପଣାର କରିବାକୁ ଚାହିଁଥିଲା । କେହି ଆପଣାର ହେଲେ ନାହିଁ । କେହି ତା’ର ନିଜର ହୋଇ ରହିଲେ ନାହିଁ । ଯେଉଁମାନେ ଆଘାତ ଦେଇଥିଲେ, ଆଉ ଯେଉଁମାନେ ଦେବାର ସୁବିଧା ପାଇ ନ ଥିଲେ—ସମସ୍ତେ ଏକାପ୍ରକାରରେ ନିହାରବାଳାକୁ ବୁଝାଇ ଦେଇ ଯାଇଥିଲେ ଯେ ସେ ସମସ୍ତଙ୍କର କିନ୍ତୁ କେହି ନିହାରବାଳାର ନୁହନ୍ତି ।

 

ପଢ଼ା ସରିଛି । ଚାକିରି ମିଳିଛି । ସବୁଠାରେ ସେହି ଏକା ସମସ୍ୟା । ଜଣେ ଡାକ୍ତର, କେତେଜଣ ରୋଗୀ, ଆଉ କେତେଜଣ ରୋଗୀର ନିଜ ଲୋକ । ତାଙ୍କ ଭିତରୁ ସମସ୍ତଙ୍କର ନ ହେଲେ ବି ବହୁତ ଲୋକଙ୍କର ଆଖି ନିହାରବାଳା ଆଡ଼େ—ତା’ର ସେବା ପାଇଁ ନୁହେଁ, ତା’ର ଯୌବନ ପାଇଁ ।

 

ପ୍ରତ୍ୟେକ ନୂଆ ଲୋକ ହଠାତ୍‌ ଯେପରି ଭାବି ନିଅନ୍ତି ଯେ ନିହାରବାଳା କାହାରିକୁ ଦେଖିନାହିଁ, ତାଙ୍କୁ ପ୍ରଥମ ଥରପାଇଁ ଦେଖୁଛି । ଆଉ ସେମାନେ, ସେମାନଙ୍କର ବୟସ, ପଦମର୍ଯ୍ୟାଦା ଓ ଅଧିକାରର ଅହଙ୍କାରରେ ନିହାରବାଳା ଆଡ଼କୁ ଆଗେଇ ଆସନ୍ତି । ନିହାରବାଳାକୁ ଅଧିକାର କରିବାପାଇଁ ଲୋଭ ଦେଖାଇ ବିଫଳ ହେଲେ, ଭୟ ଦେଖାଇବାକୁ ଚେଷ୍ଟା କରନ୍ତି ।

 

ପୁରୁଣା ଲୋକଙ୍କର ଚିଠିପତ୍ର କମିଯାଇଥାଏ । ସେମାନେ ଆଉ କାହିଁକି ଲେଖିବେ ? ଯେ ଯାହାର ବଡ଼ ଛୋଟ ଘରସଂସାର କରି ଆପଣା ଆପଣା ବାଟରେ ଚାଲିଲେଣି । ସେଥିଭିତରେ କାହାପାଇଁ ନିହାରବାଳା ଗୋଟିଏ ଆଶୀର୍ବାଦ ନୁହେଁ—ସମସ୍ତଙ୍କ ପାଇଁ ସେ ଏକାପରି ଗୋଟିଏ ଦୁଃସ୍ୱପ୍ନ ।

 

ନିହାରବାଳାର ମନ ଦବିଯାଏ । ଦିନକୁ ଦିନ ସେ ଦେଖିଛି ଯେ ବୟସ ଆଗେଇ ଚାଲୁଛି । ଅନୁଭବ ଅଧିକରୁ ଅଧିକ ପିତା ହେଉଛି । ଅଧିକରୁ ଅଧିକ ନୀରସ ଲୋକେ ବନ୍ଦନା ଜଣାଇବାକୁ ଆସୁଛନ୍ତି ।

 

ଆଉ ତେବେ କ’ଣ ମୁକ୍ତି ନାହିଁ । ସେ ମନେ ପକାଏ ତା’ର ସ୍ୱାମୀକୁ । ସେ ଚାଲିଗଲେଣି । କିଛି ଦେଇ ନ ଥିଲେ ବୋଲି ଦେଇଥିଲେ ଜୀବନବ୍ୟାପୀ ଅପବାଦ । ଚାଲିଯିବା ପରେ ଦେଇଗଲେ ସେମିତି ଗୋଟିଏ ଜୀବନବ୍ୟାପୀ ଗଭୀର କ୍ଷତ ।

 

ଛାଡ଼ିଯାଇଥିବା ଲୋକେ ତା’ର ନିଜର ସୁବିଧାପାଇଁ କିଛି ତ ଦେଇଗଲେ ନାହିଁ । ସେମାନଙ୍କର ସ୍ମୃତି ମନକୁ ଚଞ୍ଚଳ କରେ । ଯୌବନ ଯେପରି ବର୍ଷକର ବାର ମାସ ନିହାରବାଳାକୁ ମନେ ପକାଇଦିଏ ଯେ ସେ ନାରୀ ।

 

ସେ ଏକୁଟିଆ । ମନ ବିଶେଷ ଭାବରେ ବିବ୍ରତ ହୋଇପଡ଼ିଲେ ସେ ପୁରୁଣା ଲୋକଙ୍କୁ ମନେ ପକାଇ ଖଣ୍ଡେ ଖଣ୍ଡେ ଚିଠି ଲେଖେ । ଲେଉଟ ଜବାବପାଇଁ ଅନୁରୋଧ ଜଣାଏ । କିନ୍ତୁ ପାଏ ନାହିଁ । ପ୍ରାୟ ସମସ୍ତଙ୍କ ପାଖରୁ ଗୋଟିଏ ପ୍ରକାରର ଚିଠି ଆସେ—ଘର କାମରେ ବ୍ୟସ୍ତ ଥାଇ ସେମାନେ ନିହାରବାଳାକୁ ମନେ ରଖିଥିଲେ ବି ସଙ୍ଖୋଳି ଆସିପାରୁ ନାହାନ୍ତି ।

 

ଅଶେଷ ଉଦବେଗରେ ନିହାରବାଳା ଲଫାପା ଉପରୁ ହସ୍ତାକ୍ଷର ଚିହ୍ନ ଚିଠି ଖୋଲେ । ଖୋଳ ଭିତରେ କିଛି ନାହିଁ । ସେମାନଙ୍କ ଶୂନ୍ୟ ମନ ସେହି ଶୂନ୍ୟତା ନେଇ ଫେରିଆସିଛି । ସେଥିରେ ଅଛି ସେମାନଙ୍କର ପରିଚୟ—ଦିନେ ଯାହା ପୂର୍ଣ୍ଣ ଥିଲା, ଆଜି ସେ ଶୂନ୍ୟ । ଦିନେ ଯାହା ଅର୍ଥପୂର୍ଣ୍ଣ ଥିଲା, ଆଜି ସେ ନିରର୍ଥକ ।

 

ଯେଉଁମାନେ ତା’ରି ପାଖରେ ଅତି ନିକଟରେ ପହଞ୍ଚିଥିଲେ, ସେହିମାନେ ଚାଲିଗଲେଣି-। ଆଉ ଯେଉଁମାନେ ଆସିପାରି ନ ଥିଲେ, ସେହିମାନେ ଆଜି ଆସିବାକୁ ଚାହୁଛନ୍ତି । ସେ ଯେପରି ମଝିରେ ଠିଆ ହୋଇଛି ।

 

ପରଖିବାର ଆଉ କିଛି ନାହିଁ । ପହଁରିଗଲାବେଳେ ମଣିଷ ଯେମିତି ଉତ୍ସାହର ପ୍ରଥମ ଅଧ୍ୟାୟ ପରେ ନଈକୁ ମାପିବାକୁ ଚେଷ୍ଟା କରେ, ନିଜର ସାମର୍ଥ୍ୟକୁ ଅଟକଳ କରି ଫେରିଯିବାକୁ ଚାହେଁ କୂଳକୁ, ନିହାରବାଳା ସେହିପରି ଫେରିଆସିବାକୁ ଚାହୁଁଥିଲା ।

 

କିନ୍ତୁ ସବୁବେଳେ ସେଇଟା ସମ୍ଭବ ନୁହେଁ । ନିଜର ଅଭ୍ୟାସ, ରୁଚି, ଆଉ ଜୀବନର ଆଦ୍ୟ ଉତ୍ସାହ ବାଧା ଦିଅନ୍ତି । ନର୍ସ ନିହାରବାଳା ଦେବୀ ପୁଣିଥରେ ଫେରିଯାଇ ବଳରାମଙ୍କ ଘରେ ବୋହୂ ହୋଇ ରହିପାରିବେ ନାହିଁ । ଯେଉଁମାନଙ୍କ ଉପରେ ଭରସା ରଖି ନିହାରବାଳା ଏତେ ଦୂର ଆସିଥିଲା, ସେମାନେ ଛାଡ଼ିଯାଇଛନ୍ତି ।

 

ସାହାଯ୍ୟ କରିବାକୁ, ଆଗେଇ ଦେବାକୁ ଅବା ଫେରାଇ ଦେବାକୁ କି ଆଘାତ କରିବାକୁ ଏକାବେଳକେ ଅସମର୍ଥ । କିନ୍ତୁ ଜୀବନରେ କେହି ସାଙ୍ଗସାଥୀ ନ ଥାଇ ସବୁବେଳେ ସମାନ ଭାବରେ ରହିପାରିବ ନାହିଁ ।

ଭୋକ କଲାବେଳେ ମଣିଷ ଯେମିତି ଭଲ ଜିନିଷ ନ ପାଇଲେ ଖରାପ ଜିନିସକୁ ଖାଏ, ନିହାରବାଳା ସେହିପରି ନିଜକୁ ପ୍ରବୋଧ ଦେବାକୁ ନୂଆ ନୂଆ ଲୋକଙ୍କ ସାଙ୍ଗରେ ବନ୍ଧୁତା କରୁଥିଲା ।

ତା’ର ଇଚ୍ଛା ହୁଏ ପୁଣିଥରେ ପୁରୁଣା ଲୋକଙ୍କୁ ଦେଖିବାକୁ ପଚାରିଲେ ସେ କହନ୍ତା—ସମସ୍ତେ ଚାଲିଯିବାରୁ ଏଇ ନୂଆ ଲୋକଟି ସାଙ୍ଗରେ ବନ୍ଧୁ ବାନ୍ଧିଛି ।

କିନ୍ତୁ କାହିଁ, କେହି ତ ଆସି ଈର୍ଷାରେ ଓ ସନ୍ଦେହରେ ନିହାରବାଳାର ସମ୍ୱାଦ ନେବାକୁ ଚେଷ୍ଟା କରିନାହିଁ ।

ସଞ୍ଜୟ ଚିଠିର ଉତ୍ତର ଦିଏ । ନିହାରବାଳା, ତୁମକୁ ମୁଁ ଭଲପାଏ ଠିକ୍‌ ଆଗପରି...

ସଞ୍ଜୟର ଚିଠିକୁ ନିହାରବାଳା ଭଲ କରି ପଢ଼େ । ତାହାର ବ୍ୟବହାରରେ ନିହାର ଜାଣି ନ ଥିବା କଥା କିଛି ରହିଛି... କ’ଣ ପାଇଁ ସେ ନିହାରକୁ ଭଲପାଏ...ଆଗପରି ?

କିଛି ମାଗି ନାହିଁ ଓ କିଛି ପାଇ ନାହିଁ । ସେତିକି ତ ସଞ୍ଜୟ ବିଷୟରେ ନୂଆ କଥା । କ’ଣପାଇଁ ସେ ନିହାରକୁ ଏବେ ବି ଭଲ ପାଇବ ?

ଦୀର୍ଘନିଶ୍ୱାସ ପକାଇଲାପରି ନିହାରବାଳା ଲେଖେ—ତମର ଚିଠି ପାଇ ଖୁସି ହେଲି । ତମେ ଆସନ୍ତ କି ଭାରି ଭଲ ଲାଗନ୍ତା । ତମ ସାଙ୍ଗରେ ବହୁତ ଦୁଃଖସୁଖ ହୁଅନ୍ତି । ...ଏଇ ଜୀବନରେ ସବୁ ଭଲ ଜିନିସ ଖୋଜିଥିଲି ଯେ, ପାଇଲି ସଂସାରର ଯାବତ ଖରାପ ଜିନିସ ।

ସେହି ଚିଠି ପାଇଲେ ସଞ୍ଜୟ ବି ଗୋଟିଏ ଦୀର୍ଘନିଶ୍ୱାସ ପକାଏ—ନିହାରବାଳାପାଇଁ ସହାନୁଭୂତିରେ । ଏତେ ଦିନକେ ସେ ନିଜର ଭୁଲ ବୁଝିପାରିଛି । ସଞ୍ଜୟକୁ ପୁଣି ମନେ ପକାଇଛି । ଡାକି ପଠାଇଛି ।

ସଞ୍ଜୟ ନିହାରବାଳାକୁ ତଉଲି ବସେ । ମନ ଭିତରେ କ୍ଷମା ଦେବାକୁ ଚେଷ୍ଟା କରେ । ଦିନେ ସେ ତାକୁ ଅପଦସ୍ତ କରି ଶାସ୍ତି ଦେବାକୁ ଚେଷ୍ଟା କରିଥିଲା । ଏବେ ସେ ତାକୁ ଭୁଲି ନାହିଁ ବୋଲି ଲେଖିବାକୁ ଇଚ୍ଛା କରେ ।

ମନ କଥା ମନରେ ରହେ । ଚିଠି କାଗଜ ଉପରେ କଲମ ଚାଲେ ନାହିଁ । ସେତେବେଳେ ସମସ୍ତେ ଯେପରି ସଞ୍ଜୟକୁ କହନ୍ତି—ଖରାପ ଲୋକକୁ ଭଲ ପାଇ ହୁଏ ନାହିଁ । ଘୃଣା କରୁଥିବା ଲୋକକୁ ଆଉ ଥରେ ଭଲ ପାଇବା ଭୁଲ୍‌ ।

ସଞ୍ଜୟର ଆଖି ଆଗରେ ନିହାରବାଳାର ସେହି ଲୁହଭରା ଆଖି ଭାସି ଉଠେ । ବହୁତ ଦିନରୁ ଦେଖା ହୋଇନାହିଁ । ଦେଖା ହେଲେ ସଞ୍ଜୟ ତାକୁ କ’ଣ କହିବ—ସ୍ଥିର କରିପାରି ନାହିଁ ବୋଲି ଦେଖା କରିପାରି ନାହିଁ ।

ବାହାରେ ସିନା ଏତେ ପ୍ରକାରର ବାଧା । ମନ ଭିତରୁ ନିହାରକୁ ତଡ଼ିଦେବା ଭାରି କଷ୍ଟ-। ସେ ତା’ର ସମସ୍ତ ଦୋଷ ଦୁର୍ଗୁଣ ଦେଇ ଅଳି ଜଣାଇଲା ପରି ସଞ୍ଜୟକୁ ଲାଗେ—ନିହାର ଖରାପ ହେଲେ ବି ତୁମକୁ ଭଲପାଏ ତ । ତା’ର ମନ ଆଗରେ ନିହାରବାଳାର ସେହି ଜଣାଶୁଣା ଓ ଶୁଣାଶୁଣିର ଚିତ୍ର ଆଙ୍କି ହୋଇଯାଏ । ବହୁ ହୃଦୟର ନାରୀ ନିହାରବାଳା ସଞ୍ଜୟ ପାଖରେ ଠିଆ ହୋଇଛି । ତାକୁ କ’ଣ ସଞ୍ଜୟ ଭଲ ପାଇପାରିବ ?—ତା’ର ବ୍ୟବହାର, ତା’ର ଚରିତ୍ର, ତା’ର ଇତିହାସ ।

 

ହେଲେ ଏସବୁ ନ ଥାନ୍ତା । ନିହାରବାଳା ଅତି ସୁନ୍ଦର, ସଚ୍ଚରିତ୍ର ଓ ଏକନିଷ୍ଠ ନାରୀଟିଏ ହୋଇଥାନ୍ତା...ଦୀର୍ଘନିଶ୍ୱାସ ପକାଇ ଭାବେ—ହୋଇପାରିଲା ନାହିଁ ତ ।

 

ନିହାରବାଳାର ଚିଠିର ଜବାବ ପାଇବାପାଇଁ ବାରମ୍ୱାର ମନକୁ ଆଘାତ କରନ୍ତି । ସଞ୍ଜୟ ଲେଖିଦିଏ—ଏମିତି ଦୂରରେ ଥାଇ ଆମେ ପରସ୍ପରକୁ ଯେମିତି ଭଲ ପାଇପାରୁଛୁ, ପାଖରେ ସେମିତି ହୋଇପାରିବ ନାହିଁ....ଯେତେ ନିଜକୁ ବାରଣ କଲେ ବି ଏଇ ମନ, ଏଇ ହୃଦୟ ତୁମକୁ ଛାଡ଼ିପାରିଲେ ନାହିଁ । ସବୁ ଦିନେ ମୁଁ ତମର ।

 

ନିହାରବାଳା ଚିଠିଟି ପାଇଲେ ଅଧୀର ହୋଇପଡ଼େ—ଚିଠିରୁ ଆନନ୍ଦ, କୌତୂହଳ ଓ ସାର୍ଥକତା ବାହାର କରିନେଇଯିବାକୁ । ଭଲ ପାଇଥିବା ଲୋକେ ଚାଲିଯାଇଛନ୍ତି । କିନ୍ତୁ ସଞ୍ଜୟ ଯାଇନାହିଁ ।

 

ଚିଠିଗୁଡ଼ାଏ ଫଟୋ କରି ଛପାଇ ଦେଇଥିଲେ ବୋଲି ବୋଧହୁଏ ଲାଜରେ ଦେଖା କରିବାକୁ ଆସୁନାହାନ୍ତି—ଦୂରେଇ ଦୂରେଇ ରହୁଛନ୍ତି । ନିହାରବାଳାର ଇଚ୍ଛା ହୁଏ ସଞ୍ଜୟକୁ ଯାଇ ଜୋର କରି ନେଇ ଆସିବାକୁ ।

 

...କେତେଦିନ ଅବା ଏ ଜୀବନ । ସରିଆସିଲା ବୋଲି ଲାଗୁଛି । ସମସ୍ତଙ୍କ ସାଙ୍ଗରେ ଗୋଟାଏ ପ୍ରକାରର ହିସାବ ନିକାଶ ହୋଇଯାଇଛି । ଖାଲି ହୋଇପାରିଲା ନାହିଁ ସଞ୍ଜୟ ସାଙ୍ଗରେ । ନୂଆ ଜୀବନ ଡାକ୍ତରଖାନାରେ ଆରମ୍ଭ କଲାବେଳେ ଚିହ୍ନା ହୋଇଥିଲା....ଆଜିଯାଏ ସେହି ପ୍ରଥମ ଦେଖାର କୌତୂହଳ ରହିଛି । ସଞ୍ଜୟକୁ ସେମିତି ବୁଝି ହେଉନାହିଁ କି ଧରି ହେଉନାହିଁ ।

 

ନିହାରକୁ କେହି ଭଲ ପାଆନ୍ତି ନାହିଁ ବୋଲି କେତେବେଳେ କିଏ କହିଲେ, ନିହାରବାଳା ଗର୍ବ କରି କହେ—ମିଛ କଥା । ମୋତେ ଭଲ ପାଇ ନାହାନ୍ତି କେହି....ମୋର ଜଣେ ଅତି ନିକଟର ବନ୍ଧୁ ଅଛନ୍ତି । ସେ ମୋତେ ଶାସ୍ତି ଦେଇଛନ୍ତି । ଆଘାତ ଦେଇଛନ୍ତି । ମୋର କ୍ଷତି କରିବାକୁ ଚେଷ୍ଟା କରିଛନ୍ତି । ଅପବାଦ ଦେଇଛନ୍ତି...ସବୁ କରି ସୁଦ୍ଧା ସେ ମୋତେ ଛାଡ଼ି ନାହାନ୍ତି ।

 

ପଚାରିଥିବା ଲୋକର ଆଖି କୌତୂହଳରେ ଭାରାକ୍ରାନ୍ତ ହୁଏ । କିଏ ସେହି ଲୋକ ? ନିହାରବାଳାର କାହାପାଇଁ ଏତେ ଗର୍ବ ? ...ବିଷୟୀ, ସଂସାରୀ ଓ ବିବେକୀ ଲୋକ ହୋଇ କେହି ଜଣେ କ’ଣ ନିହାରବାଳାକୁ ଏତେ ଉଚ୍ଛ୍ୱସିତ ଭାବରେ ଭଲ ପାଇପାରେ ?

 

ସନ୍ଦେହରେ ଆଖି ନଚାଇ ପୁଣି ସେ କହନ୍ତି—ନ ହେବ କାହିଁକି ! ଆପଣଙ୍କୁ କେହି କ’ଣ ଭଲ ନ ପାଇ ରହିପାରିବ ?

 

ମୁହଁ ଗମ୍ଭୀର କରି ନିହାରବାଳା କହେ—କଅଁଳ କଥା; ଆଦର ସୋହାଗ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ସମସ୍ତେ ଏକାପରି ନୁହନ୍ତି । ସବୁ ମଣିଷ ସମାନ ନୁହନ୍ତି ।

 

—କେମିତି ?

 

ହସି ନିହାରବାଳା କହେ—ଅସନା, ଅପରଛନିଆଁ ଗାଁ ବୋଲି ଲୋକେ ମୋରୁସି ଗାଁକୁ ଛାଡ଼ିଦେଇ ଭଲ ଜାଗାରେ ରହନ୍ତି । ବେଶି ଗରମ ହେଉଛି ବୋଲି ଲୋକେ ଥଣ୍ଡା ଜାଗା ଖୋଜିବାକୁ ଯାଆନ୍ତି । ମୂଲ ମିଳୁ ନାହିଁ ବୋଲି ସେମିତି କିଏ ଦେଶାନ୍ତର ହୁଏ । ...ସେମାନେ ସମସ୍ତେ ନିଜ ଲୋକ, ନିଜ ମାଟି ଆଉ ନିଜ ଦେଶକୁ ଦୋଷ ଦେଇ ବିଦେଶରେ ନିଜର ମନ ଖୋଲି କହନ୍ତି—ତମକୁ ଭଲ ପାଇ ଆସିଛି ।

 

...ମୁଁ ବି ତ ସେମିତି ବହୁତ ଦେଖିଛି । ଲୋକେ ନିଜ ଲୋକଙ୍କୁ ଦୋଷ ଦେଇ ମୋତେ ଭଲ ପାଇଛନ୍ତି । ସେଥିପାଇଁ ଆପଣଙ୍କ ପରି ବହୁତ କହିଛନ୍ତି । କିନ୍ତୁ ଯାହା କଥା ମୁଁ ଆପଣଙ୍କୁ କହୁଥିଲି, ସେ ଆଉ କାହାରିକୁ ଦୋଷ ନ ଦେଇ ନିର୍ମଳ ମନରେ ମୋତେ ଭଲ ପାଇଥିଲେ । ମୋର ଦୋଷ ଦେଖିଲେ ସେ କେବେ ଛାଡ଼ିଯାଇ ନାହାନ୍ତି । ମୋତେ ଶାସ୍ତି ଦେଲେ ବି ସେମିତି ତ ଭଲ ପାଇଛନ୍ତି । ...ନିହାରବାଳା ଯେପରି ବହୁତ କଥା କହିବ ।

 

ଶୁଣିଲେ ଗୋଟାଏ ରକମର ଲାଗେ—ଖରାପ ଲୋକକୁ ବି ଲୋକ ନିଷ୍ଠାରେ ଭଲ ପାଆନ୍ତି । କିନ୍ତୁ ଭାବିଲେ ଖରାପ ଲାଗେ ଯେ ଅସତ୍‌ ଚରିତ୍ର ଲୋକକୁ ଜଣେ ଭଲ ପାଇପାରୁଛି । କେଜାଣି ଅବା ପିଲାବେଳେ ସବୁ କଥା ସମ୍ଭବ ।

 

ପଚାରୁଥିବା ଲୋକଟି ଦୁନିଆର ମାପକାଠିରେ କେହି ନୁହେଁ । ତା’ର ଅଛି ଗୋଟିଏ ଗହଣା ଦୋକାନ । କାଳେ ନିହାରବାଳାର ସୁନା ରୂପା ପ୍ରତି ଲୋଭ ଥିବ ବୋଲି ସେ ଆସି ପରଖୁଥିଲା ନିହାରବାଳାକୁ ।

 

ହସି ନିହାରବାଳା ତାଙ୍କରି କଥା ଭାବୁଥିଲା । ଧନ ଦେଇ ମନ ନେବାକୁ, କ୍ଷମତା ଦେଖାଇ ହୃଦୟ ଜୟ କରିବାକୁ, ଚକ୍ରାନ୍ତ କରି ଭଣ୍ଡି ନେବାକୁ, ଉତ୍ସାହ ଦେଖାଇ ମତୁଆଲା କରିବାକୁ ଏକା ସେ କାହିଁକି, ବହୁତ ଲୋକ ବହୁତ ବେଳେ ଦେଖା ଦେଇଥିଲେ...ଇଏ ବି ତ ଜଣେ-

 

ତାଙ୍କରି ମୁହଁକୁ ନିହାରବାଳା ଚାହିଁ ରହେ । ସେ ମୁହଁରେ ଲେଖା ହୋଇଛି ସାଧାରଣ ପୁରୁଷର ଗୋଟିଏ ସାଧାରଣ ଛବି । ...ତାଙ୍କ ନାଁ ମକର । ମକର ବାବୁଙ୍କର ତାଙ୍କ ଅଞ୍ଚଳରେ ମହିମା ଅଛି । ଏହି ମକରବାବୁଙ୍କ ନାଁ ମନେ ରଖି ଲାଭ କ’ଣ ?

 

ତା’ର ଚାକିରି ଜୀବନରେ ଏମିତି କେତେ ମକର ଦେଖାଦେଇଛନ୍ତି । ଆସିଥାନ୍ତି ବାବୁ ହୋଇ, ଫେରିଯାଆନ୍ତି ଭାଇ ହିସାବରେ । ନିହାରବାଳା ସମସ୍ତଙ୍କୁ ସାନ ଭାଇ ପରି ଦେଖେ । ସେମାନେ ଚଞ୍ଚଳ ହେଲେ ନିହାର ତାଙ୍କର ଚଞ୍ଚଳତାକୁ କ୍ଷମା ଦେଇ ଆବେଗରେ ତାଙ୍କୁ କହେ—ମୋତେ ଭଲ ଆଖିରେ ଦେଖିଲେ, ନିଜର ଲୋକ ପରି ମୋତେ ଶ୍ରଦ୍ଧା ଦେଖାଇଲେ ମୁଁ ସବୁଦିନ ତୁମର...ସେହି କଥା କେଇ ପଦ ଭିତରେ ଚପଳ ମନ ଆପଣାଛାଏଁ ସନ୍ତୁଷ୍ଟ ହୋଇ ଶୋଇପଡ଼େ । ଟିକିଏ ପାଖକୁ ଆସିବାକୁ ଚାହୁଁଥିବା ଲୋକକୁ ବହୁତ ପାଖକୁ ନେଇଆସିଲେ ସେ ଆପଣାମନକୁ ଭଲ ହୋଇଯାଏ ।

 

ଅସଂଖ୍ୟ ଭାଇ କରି ନିହାରବାଳା ତା’ର ସେହି କଳୁଷିତ ଜୀବନରେ ଗୋଟିଏ ସଫା, ଚିକ୍‌କଣ ରାସ୍ତା ଖୋଜି ପାଇଥିଲା । ସେହି ରାସ୍ତାରେ ଖରାପ ଲୋକ ଭଲ ହୁଅନ୍ତି । ମକର ଭାଇ ସେମିତି ପ୍ରେମିକରୁ ବନ୍ଧୁ ହୋଇଥିଲେ । ବନ୍ଧୁ ଭାବରେ ଜୀବନର କାହାଣୀ ଶୁଣିବାକୁ ଚାହାନ୍ତି । ସେତିକିରେ ତାଙ୍କର ମନ ଶାନ୍ତ ହୁଏ । ନିହାରପ୍ରତି ସହାନୁଭୂତି ଆସେ ।

 

ନିହାରବାଳା ଦେଖିଛି ଯେ ପୁରୁଷ ମନରେ ସହାନୁଭୂତି ଜଗାଇପାରିଲେ ସେ ଭଲ ହେବାକୁ ଆରମ୍ଭ କରେ । ତାକୁ ନିଜର ନ କରି ଦୂର କରିଦେଲେ ସେ ନାନାପ୍ରକାରର ବିରୋଧ କରେ—ତା’ର ମନ ବିଦ୍ରୋହୀ ହୁଏ । ପର କରିଦେଲେ ସେ ଚାହେଁ ଶତ୍ରୁରୂପେ ତୁମର କ୍ଷତି କରିବାକୁ । ନିଜର କରି ରଖିଲେ, ସେ ହିତାକାଙ୍‌କ୍ଷୀ ରୂପେ ଭଲ କରିବାକୁ ଚାହେଁ ।

 

ଦୁନିଆର ଲୋକେ ନିହାରବାଳାର ଭାଇମାନଙ୍କୁ ଗଣନ୍ତି । ତାକୁ କହନ୍ତି ଯେ ସେ ଅସଂଖ୍ୟ ହୃଦୟର ଦେବୀ, ଅସଂଖ୍ୟ ଲୋକର ଖେଳଣା । ନିହାରବାଳାର ପରିଚିତ ଲୋକଙ୍କୁ ନିହାରବାଳା ସାଙ୍ଗରେ ଗୁନ୍ଥି ଦେଇ ଦେଖାଇବାକୁ ଚାହାନ୍ତି ଯେ ଚରିତ୍ରହୀନା ନାରୀ ସବୁ ବିଷୟରେ ଘୃଣ୍ୟ ।

 

ନାନାପ୍ରକାରର ବ୍ୟବସାୟ ଓ ଜୀବିକା ସତେ ଯେପରି ନିହାରବାଳାକୁ ଭାରି କୌତୂହଳୀ କରିଛି । ନ ହେଲେ ସେ ଏଡ଼େ ନିର୍ଭୟରେ ଏତେ ପ୍ରକାରର ଲୋକଙ୍କ ସାଙ୍ଗରେ ଅତି ସ୍ୱାଧୀନ ଭାବରେ ଚଳିପାରନ୍ତା କେମିତି ?

 

ପାଠପଢ଼ୁଆ ଲୋକେ ଚାକିରି ଓ ହାକିମିକୁ ଭାରି ପସନ୍ଦ କରନ୍ତି । ସେମାନଙ୍କ ମନ କଥା ହେଲା ଯେ ହାକିମମାନଙ୍କ ସାଙ୍ଗରେ ମିଶିଲେ ନିହାରବାଳାର ଚରିତ୍ର ଉଜ୍ଜ୍ୱଳ ରହିବ । କିନ୍ତୁ ସାଧାରଣ ଜୀବିକା ଓ ସାଧାରଣ ଅବସ୍ଥାର ଲୋକେ ନିହାରକୁ ଚରିତ୍ରହୀନା କରିଦେବେ ।

 

ତା’ର ଜୀବନର ଦୁଃଖ, ଜୀବନର ଇତିହାସ ଅପରକୁ ଶୁଣାଇଲା ବେଳେ ସେ ସମସ୍ତଙ୍କୁ ବୁଝାଇ ଦେଇଥାଏ—ଭଲ ନ ପାଇବା ଲୋକେ ଭଲ ପାଇବାର ଅଭିନୟ ଦେଖାଇ ତାକୁ ଠେଲିଛନ୍ତି ତଳକୁ ।

 

କିନ୍ତୁ ତମେ ମକର ଭାଇ, ମୋରି ସାଙ୍ଗରେ ରିକ୍‌ସା ଚଢ଼ି ଯାଇଛ । ମୋ ପାଖରେ ବସିଛ । ମୋ କଥା ଜାଣିଛ । କାହିଁ କେବେହେଲେ ତ ତୁମେ ମୋତେ ନିନ୍ଦା କରିନାହଁ । ଓଲଟି ସବୁ କଥା ଜାଣି ମୋର ନିନ୍ଦାକୁ ଲୁଚାଇଛ ।

 

—କିଏ ତୁମକୁ ଏତେ ଭଲ ପାଉଥିଲା ?

 

ଦୀର୍ଘନିଶ୍ୱାସ ପକାଇ ନିହାରବାଳା କହେ—ସେ ବି ତ ଜଣେ ତମରି ପରି ମଣିଷ । ସରଳ ମନ । ନାନା କଥା କହି ଭୁଲାଇପାରେ ନାହିଁ । ମନ କଥା ଖୋଲି କହିପାରେ ନାହିଁ । ତା’ରି କଥା ମନେ ପଡ଼ିଲେ ଏଇ ନିହାରର ମନଟା ସତରେ ସମସ୍ତଙ୍କ ପାଖରୁ ଛାଡ଼ିଯାଏ ।

 

—ମୋଠାରୁ କ’ଣ ସେ ବଡ଼ ?

 

—ନାହିଁ ଭାଇ, ତମର ମହତପଣିଆଁ ତାଙ୍କଠାରେ ନାହିଁ । କିନ୍ତୁ ତାଙ୍କର ମନ ତମଠାରୁ ସରଳ । ତୁମେ ତ ନ ଆସି ରହିପାରିବ ନାହିଁ...ସେ ରହିପାରିଛନ୍ତି ।

 

ମକର ନିହାରକୁ ଚାହିଁ ଆପଣାକୁ କହେ—ନିହାର ଗୋଟିଏ ଅଦ୍‌ଭୁତ ଲୋକ । ଭାରି ଏକବାଗିଆ, ଭାରି ଖିଆଲୀ...ନିହାରବାଳାର ସେହି ଆଖି ଓ ମୁହଁକୁ ଚାହିଁ ମକର ବ୍ୟସ୍ତ ହୋଇପଡ଼େ । ତା’ର ଇଚ୍ଛା ହୁଏ ସ୍ତ୍ରୀ ମରିଯାନ୍ତା, ପିଲାମାନେ ପଳାନ୍ତେ, ଆଉ ସେ ନେଇଯାଆନ୍ତା ନିହାରବାଳାକୁ ଘରକୁ ।

 

—କ’ଣ ଭାବୁଛ କି ଭାଇ ?

 

—ଭାବୁଥିଲି, ମୁଁ ହେଲେ ସେହି ଲୋକପରି ତୁମକୁ ଭଲ ପାଇପାରନ୍ତି । ....ତୁମେ କ’ଣ ମୋତେ ସେହିପରି ବଡ଼ କରି ଦେଖିପାରିବ ?

 

—ନା, ତୁମକୁ ସେମିତି ତାଙ୍କପରି ମନରେ ଭାବିପାରିବି ନାହିଁ । ସେ ସବୁ ବିଷୟରେ ତମଠାରୁ ନ୍ୟୂନ...ସେମିତିକା ଲୋକ ତ କେମିତି କାହିଁକି ମନଟାକୁ ବାନ୍ଧି ଦିଅନ୍ତି ।

 

ମକର ବାବୁ ଭୁଲିଯାଆନ୍ତି ନିଜର ସୁନାରୂପା ଦୋକାନ । ତାଙ୍କର ମନେ ହୁଏ ଯେପରି ସେ ଜଣେ ଅତି ନଗଣ୍ୟ ମଣିଷ । ନିହାରବାଳା ତାଙ୍କୁ ଭାଇ ବୋଲି ଡାକି ଏତେ ସ୍ନେହ କରେ । ସେଇ ଏବେ କହୁଛି...ଆଉ ଜଣେ ତା’ ପାଖରେ ବଡ଼ ।

 

ଅଭିମାନ କରି ସେ କହନ୍ତି—ହଉ, ଆମେ ତ ନଗଣ୍ୟ ଲୋକ । ଆମକୁ କାହିଁକି ତମେ ଭଲ ପାଇବ ।

 

କରୁଣ ଆଖିରେ ଅନୁତାପ ଝଟକି ଉଠେ । ହସି ନିହାରବାଳା କହେ—ତୁମକୁ ପରୀକ୍ଷା କରୁଥିଲି । ମିଛରେ ସେମିତି କହୁଥିଲି । ତମଠାରୁ ବଡ଼ ଆଉ କିଏ ଅଛି ମୋ ପାଖରେ ? ...ମୁଁ ଜାଣେ, ତମେ କେବେହେଲେ ମୋତେ ଛାଡ଼ିଯିବ ନାହିଁ ।

 

ତଥାପି ମକରବାବୁଙ୍କ ମନରୁ ସନ୍ଦେହ ପୂରାପୂରି ଯାଏ ନାହିଁ । ସେ ସନ୍ଦେହ ଦୂର କରିବାକୁ ପୁଣି ପଚାରନ୍ତି—କୁହ, ସେ କିଏ । କ’ଣ କରୁଛନ୍ତି ସେ ।

 

—ମିଛ କଥା । କେହି ସେମିତି ନାହାନ୍ତି । କାହା କଥା ତୁମକୁ କହିବି ? ତମର ମନକୁ ପରଖିବାକୁ ମୁଁ ଗୁଡ଼ାଏ ମନଗଢ଼ା କଥା କହୁଥିଲି ।

 

—ମିଛ କଥା ।

 

—ଆଉ ତେବେ ମତେ କିଏ ଜଣେ ଖୁବ୍‌ ଭଲପାଏ ବୋଲି କହିଲେ ତମେ କ’ଣ ଖୁସି ହେବ ?

 

—ଚିଡ଼ିବି ନାହିଁ ତ ।

 

—ମୋତେ ଯଦି କିଏ ନେଇଯାଏ, ଆଉ ତମ ସାଙ୍ଗରେ କଥା କହିବାକୁ ମନା କରିଦିଏ, ତେବେ କ’ଣ ତମେ ସହି ପାରିବ ?

 

—ନା ।

 

—ମୁଁ ଯଦି ତମକୁ କହେ ଭଲପାଏ ନାହିଁ ବୋଲି, ତେବେ କ’ଣ ତମକୁ ଭଲ ଲାଗିବ ?

 

ମକର ବାବୁଙ୍କ ଆଖି ଦୁଇଟି ପୁଣି ଅହଙ୍କାର ଓ ଆସ୍ପର୍ଦ୍ଧାରେ ଉଜ୍ଜ୍ୱଳ ଦିଶିଲା । ନ ବୁଝିପାରିଲା ପରି ନିହାରବାଳା ପଚାରିଲା—ଆଉ ଶୁଣିବ ?

 

—ହଁ ।

 

—ଯାହାକୁ କିଛି ନ ମିଳିଲେ ବି ଭଲ ପାଇପାରେ, ଯିଏ ନିଜର ନ ହୋଇ ମଧ୍ୟ ନିଜର ବୋଲି ମନକୁ ବୁଝାଇପାରେ, ସେଇ ଲୋକ ଭାରି ଭଲ ଲାଗେ ଆମକୁ...ସେମିତିକା ଲୋକକୁ ଖୋଜୁଥାଉ....ତମେ ତ ସେମିତି ଜଣେ ।

 

—ମିଛ କହୁଛ ।

 

—ସତକୁ ମିଛ ଆଉ ମିଛକୁ ସତ ବୋଲି ଯେ ନ ଭାବେ, ଆପଣା ଲୋକର ଚଗଲା ମନକୁ ଯେ ସବୁବେଳେ କ୍ଷମା ଦିଏ, ସେହି ହେଉଛି ପ୍ରକୃତ ମଣିଷ...ଧନ, ବିଦ୍ୟା, ମାନ କି ରୂପ କିଛି ନୁହେଁ....ତମେ ଭାଇ ବଡ଼ ପିଲାଳିଆ ।

 

ମକର ବାବୁଙ୍କ ଆଖି ହସି ଉଠେ । ସେ ନିହାରବାଳାକୁ ନିଜର କରିଛନ୍ତି । ତା’ର ମନକୁ ଜୟ କରିଛନ୍ତି ।

 

କ୍ଳାନ୍ତ ହୋଇପଡ଼ିଥିଲା ପରି ନିହାରବାଳା ଉଠିଯାଏ । ମନ ଭୁଲାଇବାକୁ, ମକର ବାବୁଙ୍କୁ ସନ୍ତୁଷ୍ଟ କରିବାକୁ ଭଲ ପାଇବାର ଅଭିନୟ କରେ । ରହି ରହି ନ ଜାଣିଲାପରି କହେ—ତମେ ମୋର ରୂପଗୁଣ ଦେଖି ମତେ ଭଲ ପାଇନାହଁ । ତମକୁ ଭଲ ଲାଗିଛି ବୋଲି ତମେ ମୋତେ ଭଲ ପାଉଛ ।

 

—ହଁ । ଠିକ୍‌ କଥା ।

 

—ଏଠୁ ଚାଲିଗଲେ ତମେ ଦୁଃଖ କରିବ । ...ଯାଇପାରିବ ମୋ ସାଙ୍ଗରେ ?

 

—ହଁ ।

 

ହସି ନିହାରବାଳା କହେ—ଏମିତି ସମସ୍ତେ ସମସ୍ତଙ୍କୁ କହନ୍ତି । କେହି କାହା ସାଙ୍ଗରେ ଯାଇପାରନ୍ତି ନାହିଁ । ଗଛ ପରି ସମସ୍ତେ ଯେ ଯାହାର ଚକଡ଼ାରେ ବାନ୍ଧି ହୋଇ ରହିଛନ୍ତି । ଗଛରେ ଫୁଲ ଫୁଟିଲେ, ଫଳ ଫଳିଲେ ପଶୁପକ୍ଷୀ, କୀଟପତଙ୍ଗ ଆସି ପହଞ୍ଚନ୍ତି । ...ସେ ବନ୍ଧୁତା ଦୁଇଦିନିଆ-। କେହି କାହାର ନୁହନ୍ତି ।

 

—ତମ ମନ ଆଜି ଖରାପ ଅଛି ।

 

ହସି ନିହାର କହେ—କାହିଁ, ନାହିଁ ତ । ମନ ଆଉ କାହିଁକି ଖରାପ ହେବ ? ଘର ଛାଡ଼ିଲା ଦିନୁ ମୁଁ କ’ଣ ଜାଣେ ନାହିଁ ଯେ ମୋର ଆଉ ଘର ହେବ ନାହିଁ...ହେଲା ନାହିଁ ତ....କେଜାଣି ତୁମେ ଅବା ମୋତେ ସବୁ ଦିନକୁ ଭଲ ପାଇପାରିବ ।

 

—ନିଶ୍ଚୟ ପାଇବି !

 

ବିଗଳିତ ସ୍ୱରରେ ନିହାରବାଳା କହେ...ଏଇ ରଙ୍କୁଣା ମନକୁ କୋଉଠି ଠାଏ ଲଗାଇବି ବୋଲି ଚାରିଆଡ଼େ ବୁଲିଛି । କେହି ତ ତାକୁ ଧରି ରଖିଲେ ନାହିଁ । ମୋର ରଙ୍କପଣିଆକୁ ମୋର ଦୁଷ୍ଟ ବୁଦ୍ଧି ବୋଲି କହିଲେ । ମନର ସବୁ ସୋହାଗ ଆଦରକୁ କହିଲେ—କୁଳଟାର ପ୍ରୀତି । ...ସମସ୍ତେ କହିଲେ—ନର୍ସର ହୃଦୟ ନାହିଁ । ଚରିତ୍ରହୀନାର ହୃଦୟ ନାହିଁ । ତେବେ ବି ତ ମନକୁ ବଦଳାଇ ପାରିଲି ନାହିଁ ।

 

—ମୋତେ ପରୀକ୍ଷା କର ।

 

—ପରୀକ୍ଷା କରି ସାରିଛି । ସେଇଥିପାଇଁ ତମକୁ ମନ ଖୋଲି କହିଲି । ମନେ ରଖିବ । ନିହାରକୁ ଭୁଲିବ ନାହିଁ । କେହି ନିହାରକୁ ଦୋଷ ଦେବାର ଶୁଣିଲେ ପଦେ ଭଲ କଥା ନିହାରପାଇଁ କହିବ ।

 

ମକର ବାବୁ ଚାଲିଗଲା ପରେ ନିହାରବାଳା ହସି ନିଜକୁ କହିଥିଲା—କେତେ ଆଉ ଲୋକଙ୍କୁ ଠକିବି ? ମନରଖା କଥା ନ କହିଲେ ସମସ୍ତେ ରୁଷି ଯାଉଛନ୍ତି । ମନ ରଖି କଥା କହିଲେ ଅସଲ କଥା କହି ହେଉନାହିଁ । ...ଏତେ ମନ ଲଗାଇଲେ ଟିକିଏ ମିଳୁଛି ।

 

ବାରମ୍ୱାର ତା’ର ଦୀର୍ଘନିଶ୍ୱାସ ବାହାରି ଆସେ । ମନରେ ବହୁତ ପ୍ରକାରର ଆଶଙ୍କା ଖେଳିଯାଏ । ସେ ବୁଝିପାରେ ଯେ ସେ ଭାରି ଏକୁଟିଆ । ହସଖେଳକୁ ସମସ୍ତେ ଭାଗିଦାର । ଖରନିଶ୍ୱାସ ପକାଇଲା ବେଳକୁ ଏକା ସେ ନିଜେ ।

 

ମନ କଥା କାହାରିକୁ କହିପାରେ ନାହିଁ । ମନେ ପଡ଼େ ତା’ର ପିଲାଟି କଥା । ସେ ଅଛି ବୋଲି କାହାରିକି ସେ କହେ ନାହିଁ । କିଏ କେମିତି ଜଣେ ସେ କଥା ପଚାରିଲେ ନିହାରବାଳା ହସି କହେ—ତମର ବିଶ୍ୱାସ ହେଉଛି, ମୋର କ’ଣ ଗୋଟିଏ ପିଲା ଅଛି ?

 

ତା’ର ସେହି ସପନଘେରା ଆଖି ଦୁଇଟି ସବୁ ପ୍ରଶ୍ନକୁ ହଟେଇ ଦିଏ । ପଚାରିଲା ଲୋକ ଭାବେ—ମିଛ କଥା । ନିହାର ସାଙ୍ଗରେ ଅହନ୍ତା କରି ଖରାପ ଲୋକେ ଏହିସବୁ ପ୍ରଘଟ କରୁଛନ୍ତି ।

 

କିନ୍ତୁ ନିହାର ମଝିରେ ମଝିରେ ଯାଇ ପିଲାଙ୍କୁ ଦେଖିଆସେ । ତାକୁ ବି କହେ ନାହିଁ ନିହାର ହେଉଛି ତା’ର ମା । ସେ ଜାଣେ ନିହାରକୁ ମାଉସୀ ବୋଲି ।

 

ସେହି ପିଲାଟିକୁ ଆଣି ପାଖରେ ରଖିଲେ ଭଲ ହେବ କି ନାହିଁ ନିହାର ବହୁତ ଥର ଭାବିଛି । ତା’ର ଛାତି ପତାଏ ନାହିଁ । ଲୋକେ ନାରୀକୁ ସବୁବେଳେ ନିସଙ୍ଗ ଅବସ୍ଥାରେ ଦେଖିବାକୁ ଚାହାନ୍ତି । ତାକୁ ଭଲ ପାଇବାକୁ ଚାହାନ୍ତି । ତା’ର ବନ୍ଧନକୁ ଭଲ ପାଆନ୍ତି ନାହିଁ ।

 

ଡାକ୍ତରଖାନାରୁ ଡାକ୍ତରଖାନା ହେଲାବେଳେ ନିହାରବାଳା ପ୍ରତ୍ୟେକ ସ୍ଥାନରେ ସାନ ପିଲାଙ୍କୁ ଦେଖି ଆଖିରୁ ଲୁହ ଗଡ଼ାଇଛି—ଅନ୍ୟମାନେ ସେମାନଙ୍କର ପିଲାଙ୍କୁ ଦେଖାଇ ପାରୁଛନ୍ତି ବାହାରେ । ନିହାରବାଳା ଲୁଚାଇବାକୁ ବାଧ୍ୟ ହେଉଛି ।

 

ତା’ର ସେହି ଅଭିଶପ୍ତ ଯାତ୍ରାପଥରେ କେତେଥର ମାତୃତ୍ୱର ଆଶଙ୍କା ଜାଗିଲାଣି । ଲୋକେ ଆସନ୍ତି ଆନନ୍ଦ ନେବାକୁ...ନେଲା ବେଳେ ଦେଇଯିବାକୁ ଚାହାନ୍ତି ଦୁଃଖ ।

 

କେହି ତ ଚାହାନ୍ତି ନାହିଁ ନିହାରକୁ ମା ହିସାବରେ ଦେଖିବାକୁ । କେହି ତା’ର ସନ୍ତାନର କୁଶଳ ବୁଝିବାକୁ ଚାହାନ୍ତି ନାହିଁ । ନିହାରବାଳା ନର୍ସକୁ କେହି ମା ହେବାକୁ ଖୋଜନ୍ତି ନାହିଁ...ତଥାପି ଆଶଙ୍କା ଆସିଛି—ସାଥିହୀନ ଜୀବନର ଆଶଙ୍କା ।

 

ସ୍ୱାଧୀନ ନାରୀ କେବେହେଲେ ସମ୍ପୂର୍ଣ୍ଣ ସ୍ୱାଧୀନ ହୋଇପାରିବ ନାହିଁ । ଜୀବନରେ ଉନ୍ନତି କରିବାକୁ ସାମାନ୍ୟ ଚେଷ୍ଟା କଲେ ତା’ର ସ୍ୱାଧୀନତା ହେଉଛି ତା’ର ଅନ୍ତରାୟ । ସମସ୍ତେ ସେହି ସ୍ୱାଧୀନତାର ସୁବିଧା ନେବାକୁ ଚାହାନ୍ତି ।

 

ସେ ତ ଏକାବେଳକେ ନିର୍ଦ୍ଦୋଷ ନୁହେଁ । ତା’ର ବି ମନ ଚମକେ । ଦେହ ଉଲୁସେ । କାହାରିକୁ ଭଲ ପାଇ ପୁଣି ତାକୁ ଘୃଣା କରିବା କଷ୍ଟ—ଘୃଣା ହେଉଛି ଦୂରତ୍ୱ । ନିହାର ଦୂରତ୍ୱ ରଖିପାରେ ନାହିଁ ।

 

ପାଖରେ ରହିଲେ ହାତରେ ହାତ ବାଜେ । ଧୀରେ କଥା କହି ଆନନ୍ଦ ଦେବାକୁ ଲୋକେ ମୁହଁକୁ ପାଖକୁ ପାଖ ଲଗାଇ ଦିଅନ୍ତି । ସେତେବେଳେ ନିହାର ଭୁଲିଯାଏ । ଭୁଲି ନାହିଁ କାହିଁକି, ଭୁଲିଛି—ଥରେ ନୁହେଁ, ବହୁତ ଥର ।

 

ଯେ ଭୁଲାଇଲା ତାକୁ ଭୁଲି ହୁଏ ନା । ତାକୁ ଦୂରରେ ରଖି ହୁଏ ନାହିଁ । ସବୁବେଳେ ଭୁଲ୍‌ ନ କଲେ ବି ବେଳେ ବେଳେ ଭୁଲ ହୁଏ । ନିହାର ମନ ପୁଣି ସେମିତି ଆଶଙ୍କାରେ ହଲିଲା ପାଣି ପରି ଥରିଉଠେ—ସୁଲୁସୁଲିଆ ପବନରେ ଝାଉଁଗଛ ଥରିଲା ପରି ।

 

ସମସ୍ତଙ୍କୁ ସେ ବଳରାମ, ଦିଗମ୍ୱର ଆଉ ଶ୍ରୀଧରଙ୍କ ପରି ଲୋକଙ୍କ ସାଙ୍ଗରେ ତଉଲିଛି-। ସେମାନେ କେହି ନିହାରକୁ ନିଜର କରି ରଖି ନାହାନ୍ତି । ନିହାର କାହାରି ହେଲା ନାହିଁ ।

 

ଦି’ଦିନର ଖେଳର ସାଥି, କେଇଟି ଦିନର ଆନନ୍ଦର ସାଥି । ସେମାନେ ଖେଳ ସାରି ଚାଲିଯାଆନ୍ତି—ଏମାନେ ବି ଚାଲିଗଲେ । ମକର ବାବୁ ଆସିଛନ୍ତି । ମକର ବାବୁ ଫେରିଯିବେ ।

 

କିନ୍ତୁ ଜଣେ ଆସିଲା ନାହିଁ । ଦୂରରୁ ଦୂରକୁ ଯାଇ ସେଇଠୁ ସେ ମନରୁ ନିଷ୍କାମ ସଦ୍ଦିଚ୍ଛା ଜଣାଇଛି...ସେ ହେଲେ ଆସିଥାନ୍ତା । ....ସଞ୍ଜୟ ଖେଳିବୁଲି ଚାଲି ଯାଇଥାନ୍ତା ।

 

ସଞ୍ଜୟ ଆସିଲା ନାହିଁ କାହିଁକି—ଘୃଣାରେ, ଅବଜ୍ଞାରେ, ଅଭିମାନରେ । ଏକାନ୍ତ ମନରେ ନିହାରବାଳା ସଞ୍ଜୟ ବିଷୟରେ ଭାବିଲାବେଳେ ସଞ୍ଜୟକୁ କାମନା କରେ । କଳ୍ପନାରେ ତାକୁ ପଚାରେ—ସମସ୍ତେ ଅତିଥି ହୋଇଛନ୍ତି । ଆଦର ସମ୍ଭାଷଣ ନ ଥିଲେ ବି ଅତିଥି ହେବାକୁ ଆଗଭର....ସେ ଆସିଲା ନାହିଁ କାହିଁକି ?

 

ଖରାପ ଲୋକଙ୍କୁ ଭଲ ପାଇ ହୁଏ, ତେବେ ତାକୁ ତ ମୋଟେ ଘୃଣା କି ଅବଜ୍ଞା କରିବା କଥା ନୁହେଁ । ଆଉ ତେବେ ସଞ୍ଜୟ କ’ଣ ଆସି ନାହାନ୍ତି ଅଭିମାନ କରି....କରିଥିଲେ କରିଥାଇପାରନ୍ତି ।

 

ପୁଣି ନିହାରବାଳା ମନକୁ ମନ କହେ—ଆସିବାକୁ ଆଗଭର ହେଉ ନ ଥିବା ଲୋକଙ୍କୁ ଡାକି ବା ଲାଭ କ’ଣ ? ସଞ୍ଜୟ ଯେଉଁଠି ଅଛନ୍ତି ସେଇଠି ଥାଆନ୍ତୁ । ତାଙ୍କର ସେହି ମନର ସୋହାଗ ତାଙ୍କରି ପାଖରେ ରହିଥାଉ ।

 

ନା, ନା । ନିହାରବାଳାର ଭିତର ଯେପରି ପ୍ରତିବାଦ କରେ । ସେ ନିଜକୁ ଛୋଟ କରିଦିଏ ସଞ୍ଜୟ ପାଖରେ । ଛୋଟ ମଣିଷର, ଖରାପ ମଣିଷର ନୈବେଦ୍ୟ ସବୁ ଠାକୁର ଗ୍ରହଣ କରିଥାନ୍ତି । ଇଚ୍ଛା ହୁଏ ଡାକିବାକୁ ସଞ୍ଜୟକୁ ।

 

ମନରେ କୌତୂହଳ ବଢ଼େ । ସୁବିଧା ହେଲେ ସଞ୍ଜୟକୁ ପଚାରନ୍ତା, ସଞ୍ଜୟର ସେହି ଆଖି ଦିଓଟିକୁ ଚାହିଁ କହନ୍ତା—ମତେ ନେଇପାରିବ ସଞ୍ଜୟ ବାବୁ...ମୋତେ ଆଉ ମୋର ସମସ୍ତ...

 

ସଞ୍ଜୟ ବହୁତ ଦୂରରେ । ନିହାରବାଳାର ସେହି ଅହେତୁକ ପ୍ରଶ୍ନ ତା’ରି ମନ ଭିତରେ ସେମିତି ଉଠି ମିଳେଇଯାଏ । ପାଖରେ ଥିବା ଲୋକେ ଦୂର ହୋଇଯାଆନ୍ତି । ନିକଟକୁ ଆସିଥିବା ଲୋକେ ହଠାତ୍‌ ଛୋଟ ଦିଶନ୍ତି ।

 

ନିହାରବାଳା ତା’ର ମନକୁ ବୁଝିପାରେ ନାହିଁ । ସେ ନିଜକୁ ନିଜେ ପଚାରି ହୁଏ—ଚରିତ୍ରହୀନା ନାରୀର ମନ କ’ଣ ଏକାବେଳକେ ତୁଚ୍ଛ....ସେ କ’ଣ ବଦଳିଯାନ୍ତା ନାହିଁ ମନର ମଣିଷ ପାଇଲେ ?

 

ତା’ର ନିଜ ଉପରେ ଘୃଣା ଆସେ । ପବିତ୍ର ରହିପାରିଲା ନାହିଁ । ଦେହ ଅପବିତ୍ର ବୋଲି ମନ ବି କଳୁଷିତ । ସେଇଥିପାଇଁ ନ ପାଇବା ଲୋକଙ୍କୁ ଝୁରି ହୋଇ ସେ ଶାସ୍ତି ଭୋଗୁଛି । ଏମିତ ବେଳରେ ନିହାରବାଳା ଆଗକୁ ଓ ପଛକୁ ବହୁତ ବିଷୟ ଭାବେ । ତାକୁ ସେତେବେଳେ ଭାରି ଏକୁଟିଆ ଲାଗେ । ମନର ହାହାକାର ଭୟ ଦେଖାଏ । ସେତେବେଳେ ଯେ ଆସନ୍ତି...ନିହାରବାଳାକୁ ଅପୂର୍ବ ଲାଗନ୍ତି ।

 

ଏମିତି ମନ ଦବି ଯାଇଥିଲାବେଳେ ନିହାରବାଳାର ଦେହ ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି । ସେତିକିବେଳେ ତା’ର ମନର ଅଯତ୍ନ ଯୋଗୁଁ ସେ ପ୍ରକାଶ ପାଇଛି ବାହାରେ । ସେତିକିବେଳେ ନିହାରବାଳା ମନର କଥା କହିଛି ।

 

...ମୋର କେହି ନାହାନ୍ତି ।

 

ସେମିତି ଉଷ୍ଣ ଉତ୍ତର ଫେରିଆସିଛି—କେମିତି, ମୁଁ ଅଛି ତ ।

 

ସେତିକିବେଳେ ଚାରିଆଖି...ସେତିକିବେଳେ ନିହାରବାଳା ନିଜଠାରୁ ଦୂରକୁ ଯାଇଛି । ସେଇଟା ତା’ର ଜାଗ୍ରତ ଅବସ୍ଥା ନୁହେଁ, ସେଇଟା ତା’ର ଗାଢ଼ ନିଦ୍ରା । ସେତିକିବେଳେ ସେ ନିଜକୁ ଭୁଲିଛି । ତା’ର ଜଣାଶୁଣା, ଦେଖାପରଖା ସଂସାରକୁ ଭୁଲିଛି । ନ୍ୟାୟ, ନୀତି, ଲକ୍ଷ୍ୟ, ଆକାଙ୍‌କ୍ଷା ସବୁ ଭୁଲିଛି । ସେତେବେଳେ ତା’ର ମନରେ ଗୋଟିଏ ହାହାକାର—ମୋର କେହି ନାହିଁ ।

 

ସେତିକିବେଳର ବନ୍ଧୁତା ଡାକ୍ତରଖାନା ରୋଗୀର ପ୍ରଳାପପରି । ସେତିକିବେଳର ବନ୍ଧୁତା ସେବିକାର ସେବାପରି । ସେତେବେଳେ ନିହାରବାଳା ଗୋଟିଏ ରୋଗୀ । ଅନ୍ୟମାନେ ତା’ର ସେବାକାରୀ ।

 

ସମସ୍ତେ ରେଗୀକୁ କ୍ଷମା ଦିଅନ୍ତି । କିନ୍ତୁ ନିହାରବାଳା କ୍ଷମା ପାଇନାହିଁ । ସବୁ ଦିନକୁ ତା’ର ମନର ବିକାର, ତା’ର କ୍ଷଣିକର ଅସାବଧାନତା, ଟିକକର ଖିଆଲ, ସ୍ୱାଧୀନତାର ଉତ୍ସାହ ପୁଣି ଲେଉଟିଆସି ତାକୁ ଅଭିଯୋଗ କରିଛି—ନିହାରବାଳା ଚରିତ୍ରହୀନା ନାରୀ ।

 

ସେ ବିଷୟରେ ଭାବିଲେ ନିହାରବାଳା ଥଳକୂଳ ପାଏନାହିଁ । ବଡ଼ ମଣିଷକୁ ସନ୍ତୋଷ କରିବାକୁ, ତା’ରି ଜାଣିବାରେ କେତେ ଲୋକ ଭଲ ମନରେ ଭାବିଚିନ୍ତି ନିଜର ପ୍ରିୟ ପ୍ରତିମାମାନଙ୍କୁ ବଜାରରେ ବୁଲେଇ ଆଣନ୍ତି—ସବୁ ଯାଉ । ଟିକିଏ ସୁଖସମ୍ପଦ ଆସୁ...କାହିଁ ନିହାରବାଳା କିଛି ତ କରି ନାହିଁ । ଜାଣି ଜାଣି ନିଜକୁ ବିକିବାକୁ ଚେଷ୍ଟା କରି ନାହିଁ ।

 

ଠିକ୍‌ ତାଙ୍କରି ପରି, ନିହାରବାଳା ପରି ନାରୀମାନେ ମଧ୍ୟ ଯେତିକି ଆଘାତ ଦେଇପାରିବା କଥା ଦେଇଛନ୍ତି । ବେଶି କୁତ୍ସା କରିଛନ୍ତି ତା’ର ନାରୀବନ୍ଧୁମାନେ । ଖରାପ ଲୋକଙ୍କୁ ଉତ୍ତେଜନା ଦେବାକୁ ନିହାରବାଳା ଚରିତ୍ରରେ ବାରମ୍ୱାର କଳଙ୍କ ଲଗାଇଛନ୍ତି ।

 

ନିହାରବାଳା ପହଞ୍ଚିଥିଲା ସଞ୍ଜୟ ଘରେ । ସଞ୍ଜୟ ଚାଲିଯିବାକୁ ଚାହିଁଥିଲା । ନିହାରବାଳାକୁ ସେ ସିନା ଦୂରରୁ ଭଲପାଏ । ଇଏ କ’ଣ, ଏତେ ପାଖରୁ...ଏତେ ନିକଟରେ ।

 

—ଆପଣଙ୍କ ପାଖକୁ ଆସିଥିଲି । ଚିହ୍ନିପାରିବେ ନାହିଁ ବୋଲି ଏତେ ଦିନ ଡେରି ହୋଇଛି...ନିହାରବାଳାର ମୁହଁରେ ହସ । ସେଠି କୌଣସି ଲାଜ ସଙ୍କୋଚ ନାହିଁ । ସେ ଯେପରି ବହୁତ ଦିନର ପୁରୁଣା ବନ୍ଧୁ ।

 

—ମୋ ପାଖରେ !

 

—ହଁ । ଅନେକ ଦିନରୁ ଚିଠିର ଉତ୍ତର ନ ପାଇ ଭାବିଲି ଆପଣ ନାହାନ୍ତି ବୋଲି...ଥିଲେ କ’ଣ ଆପଣ ଚିଠିର ଜବାବ ଦିଅନ୍ତେ ନାହିଁ ?

 

ସଞ୍ଜୟର ମୁହଁ ମଉଳିଗଲା । ତାରି ଘରେ ନିହାରବାଳା ଅଭିଯୋଗ କରୁଛି । ତା’ର ଇଚ୍ଛା ହେଉଥିଲା ନିହାରବାଳାକୁ କହିବାକୁ—ଆମର ବନ୍ଧୁତା ଆମରି ମନର କଥା ।

 

ସଞ୍ଜୟର ଘରଲୋକେ ଆସି ପହଞ୍ଚିଲେଣି । ସଞ୍ଜୟ ବିବ୍ରତ ହୋଇପଡ଼ିଲା ।

 

ସ୍ପଷ୍ଟ ଭାବରେ ନିହାରବାଳା କହିଲା—ମୋର ଟିକିଏ ଆପଣଙ୍କ ସାଙ୍ଗରେ କଥା ଅଛି । ...କହି ଅନ୍ୟମାନଙ୍କୁ ଚାହିଁଲା ।

 

ତା’ର କଥାର ଦୃଢ଼ତାରେ ସଞ୍ଜୟର ଘରଲୋକେ ତୀବ୍ର କଟାକ୍ଷରେ ସଞ୍ଜୟକୁ ଚାହିଁ ଚାଲିଗଲେ ।

 

ସଞ୍ଜୟକୁ ବିବ୍ରତ ଦେଖି ନିହାରବାଳା ପଚାରିଲା—କାହିଁ, ମୁଁ ତ ଏତେ ଦିନ ପରେ ଆସିଲି ଟିକିଏ ଦେଖା କରିବାପାଇଁ । ଆଉ ଆପଣ ଏମିତି ବ୍ୟସ୍ତ ଥିଲାପରି ହେଉଛନ୍ତି ।

 

—ହଁ, କାମରେ ଟିକିଏ ବ୍ୟସ୍ତ ଥିଲି ।

 

—ମୋତେ କହୁଛନ୍ତି ନା ଶୀଘ୍ର ଶୀଘ୍ର କହିବାକୁ ?

 

ସଞ୍ଜୟ ଚୁପ୍‌ ରହିଲା ।

 

ନିହାରବାଳା ହସି କହିଲା—ଏତେ ଦିନର ଅପେକ୍ଷା ଏମିତି ଦିନେ ଛିଣ୍ଡିଯାଏ । କହି ମନକୁ ବୁଝାଇଲା ପରି ଦୀର୍ଘନିଶ୍ୱାସ ପକାଇ ଆରମ୍ଭ କଲା—ମୋ ଚିଠିର କାହିଁକି ଜବାବ ପାଇଲି ନାହିଁ ?

 

ଦୃଢ଼ ସ୍ୱରରେ କହିବାକୁ ଚେଷ୍ଟା କରି ସଞ୍ଜୟ କହିଲା—ଚିଠି ପାଇନାହିଁ ତ ।

 

—ମିଛ । ଦୁଇଖଣ୍ଡ ଚିଠି ପାଇଛନ୍ତି । ମୋ ଠୋଉଁ ଜବାବ ନ ପାଇଲେ ଆପଣ ବ୍ୟସ୍ତ ହୁଅନ୍ତି ପରା । ....ମୋ ମନ କଥା ବୁଝିପାରୁ ନାହାନ୍ତି ?

 

—ମୁଁ ତ ଚିଠି ପାଇ ନାହିଁ ।

 

—ହଉ ଜବାବ ନ ଦେଲେ ନାହିଁ, ଚିଠି ଫେରାଇ ଦିଅନ୍ତୁ । ରଖିଛନ୍ତି କାହିଁକି ? ମୋତେ ଅପଦସ୍ତ କରିବେ ବୋଲି?

 

ନିରୁପାୟ ହୋଇ ସଞ୍ଜୟ ଅନୁରୋଧ କଲା—ଧୀରେ କହନ୍ତୁ । ସେମାନେ ଶୁଣିବେ ।

 

ଧୀର ଗଳାରେ ନିହାର କହିଲା—ସେମାନେ ଶୁଣନ୍ତୁ । ମୁଁ କ’ଣ ଆପଣଙ୍କୁ ଯଥେଷ୍ଟ ଭଲପାଏ ନାହିଁ କି....ଆପଣ କ’ଣ ମୋତେ ଜୀବନ୍ତମରଣ ଦେଇନାହାନ୍ତି କି ? ବାରମ୍ୱାର ମୋରି ଚିଠିକୁ ଫଟୋ କରି ଛାପିଥିଲେ । ମୋତେ ସାରା ଦୁନିଆରେ ଲୋକହସା କରାଇବାକୁ ଚାହିଁଥିଲେ...

 

—ମୋତେ କ୍ଷମା କରନ୍ତୁ ନିହାର ଦେବୀ ।

 

ଥରିଲା ଥରିଲା କଣ୍ଠରେ ନିହାର କହିଲା—ଥିବା ଲୋକ ସିନା କ୍ଷମା ଦିଏ । ...ମୋର ଆପଣଙ୍କ ସାଙ୍ଗରେ ଅନେକ କଥା ଅଛି । ଦେଖା ହେବ ?

 

—କୋଉଠି ?

 

ଆହତ ଅଭିମାନ ସ୍ୱରରେ ନିହାର କହିଲା—ଚିଠି ଦେଲି । ଉତ୍ତର ପାଇଲି ନାହିଁ । ଏଠିକି ଆସିଥିଲି । କଥା କହିବାକୁ ମନା କରୁଛନ୍ତି...ଆମ ଘରକୁ ଆସିବେ ।

 

—ଅଛନ୍ତି କୋଉଠି ?

 

—ମୋ’ରି ଭାଇ ଘରେ । ଠିକଣା ଆପଣ ଜାଣନ୍ତି । ଭାଇକୁ ଆପଣ ଚିହ୍ନନ୍ତି । ଆସିବେ ଦି’ଘଣ୍ଟା ଛାଡ଼ି । କେବଳ ମୋ ସାଙ୍ଗରେ ଦି’ଘଣ୍ଟା କଥା କହିବେ । ରାଜି ହେଲେ ମୁଁ ଯିବି ।

 

ଭାବି ସଞ୍ଜୟ କହିଲା—ଛି, ଆପଣଙ୍କ ଭାଇ କ’ଣ କହିବେ । ଭଲ ଦିଶିବ ନାହିଁ । ଭଲ ଲାଗିବ ନାହିଁ...ମୁଁ ଚିଠି ଦେବି । ଆପଣଙ୍କ ଚାକିରି ଜାଗାକୁ ଯିବି । କେମିତି ଭଲ ଅଛନ୍ତି ?

 

—ଆଶା କରି ବହୁତ ଦିନରୁ ଅପେକ୍ଷା କରିଛି....ମୋର ନିଜ ଲୋକଙ୍କୁ ମୋଠାରୁ ଆପଣ ବେଶି ଡରନ୍ତି...ଆଶ୍ଚର୍ଯ୍ୟ କଥା । କାହିଁକି, ତାଙ୍କୁ କ’ଣ ଆପଣ କହିପାରିବେ ନାହିଁ ମୋତେ ଭଲ ପାଆନ୍ତି ବୋଲି ? ....ସେମାନେ କିଛି କହିବେ ନାହିଁ ।

 

ସଞ୍ଜୟର ମୁହଁରେ ଆତଙ୍କ । ନିହାରବାଳା ଜୋର କରି ସଞ୍ଜୟକୁ ଚିହ୍ନାଇବାକୁ ଚାହେ–ସେ ନିହାରର ଗୋଟିଏ ଅନ୍ତରଙ୍ଗ ବନ୍ଧୁ । ....ଏ ତ ହୋଇପାରିବ ନାହିଁ ।

 

ସଞ୍ଜୟର ଆଖିକୁ ଚାହିଁ ନିହାର କହିଲା—ସବୁଆଡ଼ୁ ହତାଶ ହୋଇ ଫେରିବା ବୋଧହୁଏ ଏଇ ପୋଡ଼ା କପାଳରେ ଲେଖା ହୋଇଛି । କାହାରି ବନ୍ଧୁତାର ଆଶୀର୍ବାଦ ନେଇ ମୁଁ ଏଇ କେଇଟି ଦିନ ପୁହାଇ ଦେବି ବୋଲି ଭାବିଥିଲି ଯେ, ଦେଖୁଛି ହୋଇପାରିବ ନାହିଁ ।

 

—ଯାଆନ୍ତୁ । ମୁଁ ଯିବି ।

 

—ନିଶ୍ଚୟ ଆସିବେ । ରାତି ଦଶଟାରେ ମୁଁ ଗାଡ଼ି ଚଢ଼ିବି । ସଂଧ୍ୟାବେଳେ ଆପଣଙ୍କୁ ଅପେକ୍ଷା କରୁଥିବି ।

 

କହି ନିହାରବାଳା ତା’ର ଦେହ ଦୋହଲାଇ ଦୋହଲାଇ ଉଠି ଚାଲିଗଲା । ଆସିଥିଲା ସଞ୍ଜୟକୁ ଦେଖିବାପାଇଁ—ଯେ କେହି ନୁହେଁ, ଯେ ତାହାର ନୁହେଁ, ଯେ ତାର ଶତ୍ରୁ, ଯେ ତା’ର ପ୍ରେମିକ—ସେହି ପୁରୁଣା ପରିଚିତ ସଞ୍ଜୟକୁ ସେ ଦେଖିବାକୁ ଆସିଥିଲା ।

 

ଘରକୁ ଯାଇ ଏକାବେଳେ ଅବସନ୍ନ ପରି ସେ ଶୋଇପଡ଼ିଲା । କହିପାରି ନ ଥିବା କଥାର ବୋଝ, ଅସମ୍ଭବକୁ ସମ୍ଭବ କରିବାର କଳ୍ପନା ତାକୁ ଏକାବେଳକେ ଚାପି ଦେଇଥିଲେ । ବିଛଣା ଉପରେ ପଡ଼ି ରହିଲାବେଳେ ମୁଦା ହୋଇଥିବା ଆଖିପତା ଭିତରେ କେତେ ଆଶା ମୁଣ୍ଡ ଟେକିଥିଲା । ଏତେ ଦିନର ଚିହ୍ନା ସଞ୍ଜୟ । ଆସିବେ, ଆଉ ନିହାର ତାଙ୍କୁ ତା’ର ଜୀବନର ସବୁ କଥା କହିବ ।

 

ଘଣ୍ଟାକୁ ଚାହିଁ, ଆକାଶର ତାରାକୁ ଗଣି, ଦୁଆର ଆଡ଼େ କାନ ରଖି ସେ ସେହି ସଂଧ୍ୟାଟା କଟାଇ ଦେଇଥିଲା । ସଞ୍ଜୟର ପାଦଶବ୍ଦ ସେଠି ଶୁଭିଲା ନାହିଁ । ଗାଡ଼ି ବେଳ ହେବାରୁ ଭାବିଲା, କେଜାଣି ଅବା ସଙ୍କୋଚ କରି ଆସିଲେ ନାହିଁ । ଷ୍ଟେସନରେ ନିଶ୍ଚୟ ଦେଖା ହେବ । ଦେଖା ହେଲେ ସେ ସଞ୍ଜୟକୁ ସାଙ୍ଗରେ ନେଇଯିବ । ବାଟରେ କଥାଭାଷା ହୋଇ ହୋଇ ସେ ନିଜର ସବୁ ଦୁଃଖସୁଖ ଖୋଲି ଦେବ ।

 

ଜୀବନର କାହାଣୀ ଶୁଣିବାକୁ ଚାହୁଁଥିବା ଲୋକ ବହୁତ ଅଛନ୍ତି । ସେମାନଙ୍କୁ କହି ହୁଏ ନାହିଁ । ସେମାନେ ମାଗି ଆସିଥାନ୍ତି ବହୁତ ଜିନିସ । ଶୁଣିଲାବେଳେ ଅନୁଭବ କରିବାକୁ ଚାହାନ୍ତି ନାହିଁ । ହୃଦୟର ଆବେଗକୁ ସହାନୁଭୂତି ସହିତ ଦେଖନ୍ତି ନାହିଁ ।

 

ତା’ର ମନ କହୁଥିଲା ଯେ ସଞ୍ଜୟ ସେମାନଙ୍କଠାରୁ ଅଲଗା । ସଞ୍ଜୟ ଶୁଣିବ । ଶୁଣି ନ ବୁଝିଲେ ବି କିଛି ଯାଏ ଆସେ ନାହିଁ । ମନ ହାଲୁକା ହୋଇଯିବ । ପୁଣିଥରେ ସେ ଆପଣା ବାଟରେ ଚାଲିପାରିବ ।

 

କହିପାରି ନ ଥିବା କଥାର ବୋଝରେ ଛାତି ଭାରି ହୋଇଯାଇଛି । ନେବାକୁ ଚାହୁ ନ ଥିବା ବ୍ୟବହାରର ବୋଝରେ ମନ ଭାରି ।

 

ଗାଡ଼ି ଆସି ପହଞ୍ଚିଲା । ଗାଡ଼ି ଭିତରକୁ ଉଠିଲାବେଳେ ରେଳଡବାର ଝରକା ବାଟେ ବାହାରକୁ ଚାହିଁ ନିହାରବାଳାର ଦୃଷ୍ଟି କଳ୍ପନାରେ ଧାଇଁଯାଇଥିଲା ସଞ୍ଜୟର ଘରକୁ—ନିହାରବାଳାର ଆକର୍ଷଣ ନାହିଁ, ତା’ର କଥାର ଗୁରୁତ୍ୱ ନାହିଁ । ...ସଞ୍ଜୟ ଆସିଲା ନାହିଁ ! ନିହାରକୁ ଅପେକ୍ଷା କରାଇ ଦେଇଥିଲା ।

 

କବାଟ ବନ୍ଦ କରି ଗାଡ଼ି ଭିତରେ ନିହାର ନିଜକୁ ନିଜେ ବୁଝାଇଥିଲା—କେହି ଆସି ନିଜକୁ ଟିକିଏ ଅସୁବିଧାରେ ରଖି ତୋତେ ବୁଝାଇବେ ନାହିଁ । ସମସ୍ତେ କହୁଥିବେ ନିହାରବାଳା ଖରାପ—କଥାରେ, କାମରେ ଓ ବ୍ୟବହାରରେ ।

 

ସଞ୍ଜୟ ଆସିଲା ନାହିଁ । ହୁଏତ ସେ ଚିଠି ଦେବ । ଚିଠି ଦେବାକୁ ସୁଖ ପାଏ । ଆପଣା ମନକୁ ଉଶ୍ୱାସ କରିବାକୁ କାଗଜ ଉପରେ ଗୁଡ଼ାଏ ଲେଖେ ।

 

ସେ ବି ତ ନିହାରବାଳାକୁ ବୁଝିଲା ନାହିଁ । ନିହାରବାଳା ପାଖକୁ ଆସିଲା ନାହିଁ ...ନିହାରବାଳା ଏଥର ଯାଉଛି—ସମ୍ପୂର୍ଣ୍ଣ ଭାବରେ ଏକୁଟିଆ ।

 

ତା’ର କେହି ନାହିଁ । ତା’ର କିଛି ନାହିଁ । ସେ ସମସ୍ତଙ୍କୁ ଭଲ ପାଇଛି । କାହାରିଠାରୁ କିଛି ମୂଲେଇ ନାହିଁ । କାହାରିଠାରୁ ସେ ଋଣ କରିନାହିଁ । ହୁଏତ ଦେଇଛି । କିନ୍ତୁ କିଛି ନେଇନାହିଁ ।

 

ତେବେ ସେ ଏଥର ସ୍ୱାଧୀନ ହେବ । ମନକୁ ବଦଳାଇବ । ବ୍ୟବହାରକୁ ଏଇ ଲୋକଙ୍କର ଚଳନ ଅନୁସାରେ ଅଲଗା ପ୍ରକାର କରିବ । ସେ ଏଣିକି ଅସୁଲ କରିବ ତା’ରି ପାଉଣା ଗଣ୍ଡାକ ।

 

ଫେରିଯାଇ ନିହାରବାଳା ମନକୁ ଦୃଢ଼ କରି ପ୍ରତିଜ୍ଞା କରିଥିଲା । ଏଥର ସେ ସମସ୍ତଙ୍କ ସାଙ୍ଗରେ ଚିରତ୍ରହୀନାର ସହଜ ବ୍ୟବହାର ଦେଖାଇବ । ସେ ଟିକିଏ ଯିବ ଆପଣା ଇଚ୍ଛାରେ ଦୂରକୁ-

 

ବହୁତ ଦୁଃଖ ଥିଲାପରି ଲୋକେ ଆସି ତାକୁ ନିଜର ଅଭିଯୋଗ ଶୁଣାନ୍ତି—ତାଙ୍କର ସ୍ୱାଧୀନତା ନାହିଁ । ଜୀବନ ବୃଥା । ଜୀବନ ଅଭିଶପ୍ତ । ନିଜ ଲୋକେ ହୃଦୟହୀନ ।

 

ନିହାରବାଳା ହସି କହେ—ତା’ ନ ହେଲେ କ’ଣ ସଂସାରକୁ ଲୋକେ ସଂସାର ବୋଲି କହନ୍ତେ । ଯାହାର ଯେଉଁ ଦୁଃଖ ହେଲା, ତାକୁ ପୋଛି ଲିଭାଇ ଦେବାକୁ ଆମେ ଅଛୁ...ଏଇ ଡାକ୍ତରଖାନା ଆଉ ମୋରି ପରି ଲୋକେ, ଡାକ୍ତରବାବୁଙ୍କ ପରି ଲୋକ ।

 

ଭାରି ଉତ୍ସାହ ପାଇଲାପରି ସମସ୍ତେ ନିହାରବାଳାକୁ ହସି ଚାହାନ୍ତି । କିଛି ନ ଜାଣିଲାପରି ନିହାରବାଳା ତାଙ୍କୁ ଚାହେଁ । ସେମାନଙ୍କର ଆଖି ଚଞ୍ଚଳ ହୋଇଉଠେ । ତାଙ୍କର ଭାଷା ଥିଲେ ସେମାନେ କହନ୍ତେ ନିହାରବାଳା ଗୋଟିଏ ଅପୂର୍ବ ନାରୀ ।

 

ସେମିତି ହସି ନିହାରବାଳା ତାଙ୍କୁ କହେ—ମୋତେ ଭାରି ଏକୁଟିଆ ଲାଗୁଛି । କାହା ସାଙ୍ଗରେ ମନ ଖୋଲି ଦି’ପଦ କଥା କହିବାକୁ ଲୋକଟିଏ ମିଳୁ ନାହିଁ । ମଣିଷମାନେ ଭାରି ସ୍ୱାର୍ଥପର ।

 

—ସତେ ତ । ଭାରି ଖରାପ ସେମାନେ । ମୁଁ କାହାରି ଦୁଃଖ ସହିପାରେ ନାହିଁ । ମୋର ବି ଏଣେତେଣେ ବୁଲିବାକୁ, ବାଜେ ଲୋକଙ୍କ ସାଙ୍ଗରେ ସମୟ କଟାଇବାକୁ ଭାରି ଅନିଚ୍ଛା ।

 

ହସି ନିହାରବାଳା ଚାହେଁ । ବୁଝିଲାପରି କହେ—ଆପଣଙ୍କ ପରି ଲୋକଟିଏ ଦେଖିବା ଭାରି କଷ୍ଟ । ଆପଣଙ୍କ ମନ ଭାରି କଅଁଳ । ...ଆମକୁ ଦୟା ରଖିଥିବେ । ଭୁଲିବେ ନାହିଁ ।

 

ଭୁଲି ନାହାନ୍ତି ବୋଲି ସେମାନେ ଆସନ୍ତି । ମୁହଁ ଶୁଖାଇ ନିହାରବାଳା କହେ—ଛୁଟି ନେଇଛି । ଦାର୍ଜିଲିଂ ଯିବା । ...ଯିବା କ’ଣ? ମୁଁ ଏକା ଯାଉଛି । ଏତେ ଦୂରକୁ କିଏ ଯିବ ? ଯିବା ଆସିବା ଖର୍ଚ୍ଚ ଦୁଇ ଶହ ଟଙ୍କା...ଯିବେ କି ?

 

—ନାହିଁ, ମୋର ବହୁତ କାମ ଅଛି । ଏବେ ଯାଇହେବ ନାହିଁ ।

 

କପଟ ଦୁଃଖରେ ନିହାରବାଳା କହେ—ଖରା ଗଲେ ଆସିବ ଶୀତ । ସେତେବେଳେ ଦାର୍ଜିଲିଂ ଯାଇହେବ ନାହିଁ । ତା’ପରେ ପୁଣି ଖରାଦିନକୁ ମୁଁ କ’ଣ ଥିବି ଏତେ ଦିନଯାଏ ?

 

—କାହିଁକି ? ଆପଣଙ୍କୁ ବଦଳି କରିବା କଥା ହେଲେ ମୁଁ ନିଜେ ଯାଇଁ ଆପଣଙ୍କ ବଡ଼ ହାକିମଙ୍କୁ କହିବି । ରଜା, ମନ୍ତ୍ରୀ, ଲାଟ ଓ ସେକ୍ରେଟାରୀ ସମସ୍ତଙ୍କୁ କହିବି । ଆପଣ ଏଥର ଯାଆନ୍ତୁ ନାହିଁ । ଆସନ୍ତା ବର୍ଷକୁ ଯିବା ।

 

ଦୀର୍ଘନିଶ୍ୱାସ ପକାଇ ଛଳନା କରି ନିହାର କହେ—ବର୍ଷକ ପରେ ଆପଣଙ୍କ ମନ କ’ଣ ସେମିତି କଅଁଳ ଥିବ ? ଏଇ ନିହାରବାଳାର ଛୋଟିଆ ଅନୁରୋଧଟି କ’ଣ ମନେ ରଖିପାରିବେ ? ଆପଣଙ୍କର କେତେ କାମ !

 

ଦୃଢ଼ ଓ ଗମ୍ଭୀର ହୋଇ ସେ କହନ୍ତି—ମୋର ସବୁ କାମ ...ଅତି ତୁଚ୍ଛ କଥା । ମୋତେ ଆପଣଙ୍କୁ ଭାରି ଭଲ ଲାଗେ । ଏଡ଼େ ସୁନ୍ଦର ବ୍ୟବହାର ମୁଁ କାହାରିଠାରେ ଦେଖିନାହିଁ ।

 

ନିହାରବାଳା ଆଖି ବୁଲାଇନିଏ । କେବେ କେବେ କହେ ସବୁ ଖରାପ ଲୋକଙ୍କ ବ୍ୟବହାର ଏମିତି ମଧୁର ଆଉ କଅଁଳ ।

 

—ଆପଣ କ’ଣ ଖରାପ ?

 

—ହଁ, ମୋର ବହୁତ ବନ୍ଧୁ । ଆପଣଙ୍କପରି ଲୋକ ସାଙ୍ଗରେ କଥା କହିବାକୁ ମୁଁ ଅଯୋଗ୍ୟ ।

 

ଭାରି ଉତ୍ସାହରେ କହନ୍ତି—ମୋ କଥା ମନେ ରଖନ୍ତୁ ନିହାର ଦେବୀ, ଆପଣ ଖରାପ ଲୋକକୁ ଭଲ କରିପାରିବେ । ତାକୁ ବୁଝାଇ ପାରିବେ—ନିର୍ମଳ ପ୍ରୀତି କି ପବିତ୍ର ଜିନିଷ ।

 

କାମର ପେଖନା ଦେଖାଇ ନିହାରବାଳା ହଠାତ୍ ଉଠିଯାଏ । ତା’ର ଚରିତ୍ରହୀନତାର ମଧ୍ୟ କୈଫିୟତ ଅଛି । ସେ ଖରାପ ମଣିଷକୁ ଭଲ କରିପାରିବ । ...ଭଲ ମଣିଷକୁ ଖରାପ କରିପାରନ୍ତା ଯେ, ବିଧାତାଙ୍କ ଅସୀମ ଦୟା ଯୋଗୁଁ ଭଲ ମଣିଷ ଦେଖା ପଡ଼ନ୍ତି ନାହିଁ । ସେମାନେ ନିହାରବାଳାଠାରୁ ଦୂରରେ ରହି, ତାକୁ ଘୃଣା କରି, ଆପଣାର ଭଲ ବାଟରେ ଆଗେଇ ଯାଆନ୍ତି ।

 

ଡାକ୍ତରବାବୁ ରାଗ କରନ୍ତି । ନିହାରବାଳା ନ ଥିଲେ ତାଙ୍କୁ ଡାକ୍ତରଖାନା ଭଲ ଲାଗେ ନାହିଁ । ରୋଗୀମାନଙ୍କ ପ୍ରତି ଅସୀମ ସ୍ନେହ ଯୋଗୁଁ ସେ ଘରେ ରହିପାରନ୍ତି ନାହିଁ ବେଶି ବେଳ । ଘରେ ନିହାରକୁ ତାଙ୍କ ସ୍ତ୍ରୀ ଭଲ ପାଇପାରେ ନାହିଁ । ସେଥିପାଇଁ ସେ ସ୍ତ୍ରୀ ଉପରେ ଖଡ଼୍‌ଗ-ହସ୍ତ । ଆଉ ନିହାରବାଳା କିଛି ବୁଝିପାରୁ ନାହିଁ । ଗୁଡ଼ାଏ ଅବାନ୍ତର ଲୋକଙ୍କ ପ୍ରଶ୍ରୟ ଦେଇ ତାଙ୍କରି ସାଙ୍ଗରେ କଥା କହୁଛି ।

 

ତାଙ୍କର ବି ନିହାରପାଇଁ ବହୁତ କୌତୂହଳ । ସେ ବୁଝିବାକୁ ଚାହାନ୍ତି ନିହାରର ମନ କଥା । ଡାକ୍ତରୀ ପଢ଼ିଲାଦିନୁ ସେ ନର୍ସମାନଙ୍କ ସମ୍ପର୍କରେ ଆସିଛନ୍ତି । ତେବେ ବି ନିହାର ତାଙ୍କୁ ନୂଆ ଲାଗୁଛି । ତାଙ୍କର ବୁଝିବାପାଇଁ ସତେ ବଳକା ରହିଯାଇଥିଲା । ହୁଏତ ମଲାବେଳକୁ କାମରେ ଲାଗିବ ।

 

—ଏ ଚାକିରି କେମିତି ଲାଗୁଛି ନିହାର ?

 

—ପଚାରୁଛନ୍ତି କାହିଁକି ? ଅନ୍ୟ ଚାକିରି ତ ଆମକୁ ମିଳିବ ନାହିଁ । ମିଳିଲେ ବି ଆଉ କରିହେବ ନାହିଁ । ନିହାରବାଳା ଦୀର୍ଘନିଶ୍ୱାସ ପକାଇଲା ।

 

—ଡାକ୍ତର ହୋଇଥିଲେ ତମକୁ କ’ଣ ଭଲ ଲାଗନ୍ତା ?

 

—କେମିତି କହିବି ? ତେବେ ଏମିତି ଦୁନିଆଯାକର ସମସ୍ତେ ଆସି ମୁଣ୍ଡ କିଣିଥିଲାପରି କଥା କହନ୍ତେ ନାହିଁ ।

 

ରହସ୍ୟ କରି କହିଲେ—ମନ କିଣିବାକୁ ଆମ ପରି ଲୋକ କ’ଣ ଆସି ନାହାନ୍ତି ? ତମେ ତ ବେଳକୁ ବେଳ ବଦଳି ଯାଉଛ ।

 

—ବଦଳିବା ଛଡ଼ା ଆଉ ବାଟ କ’ଣ ଅଛି ? ଅଳ୍ପ ବୟସରେ ଅବା କିଏ କେତେବେଳେ ଭାବେ ନର୍ସର ଗୋଟାଏ ମନ କି ହୃଦୟ ବୋଲି କଥା ଅଛି...ଏବେ ସମସ୍ତେ ଭାବୁଛନ୍ତି ନର୍ସର ଖାଲି ଦେହ ଅଛି । ଶୁଣିଲେ...

 

—କ’ଣ କହୁଥିଲ ବନ୍ଦ କଲ କାହିଁକି ?

 

ଥରିଲା ଗଳାରେ ନିହାର କହିଲା—ଏବେ ସେ କଥା ଭାବିଲେ ଆଖିରୁ ଲୁହ ଝରେ । ଏତେ ଡେରିରେ ଝରୁଛି ବୋଲି ସେ ଲୁହରେ ବି ଲାଭ ନାହିଁ । ଜାଣିଛି ତ—ଏମିତି ଏକା ଏକା ଦିନେ ମାଟି କିଣିବାକୁ ହବ । ସେତେବେଳକୁ କେହି ଦେଖା ଦେବେ ନାହିଁ ।

 

ତା’ର ଦୁଃଖରେ ସହାନୁଭୂତି ଦେଖାଇ ଡାକ୍ତର କହିଲେ—ତୁମେ ପରା ଘର ଛାଡ଼ିଦେଲ ରାଗରେ ।

 

—ଘର ଛାଡ଼ିଲେ ବି ତ ମନଟାକୁ ବୁଝାଇ ହୁଏ ନାହିଁ । ସେ ସବୁବେଳେ ଗୋଟିଏ ଘର ଖୋଜେ । ଜଣେ ନିଜର ଲୋକ ଖୋଜେ ।

 

ନିହାରବାଳାକୁ ନିଜ ଉପରକୁ ଆଉଜାଇ ନେଇ ଡାକ୍ତର କହିଲେ—ମୁଁ ଅଛି ନିହାର । ତମେ ଏମିତି ଗୁଡ଼ାଏ କଥା ଭାବି ଆଖି ଓଦା କରୁଛ !

 

—ଛାଡ଼ନ୍ତୁ । ମନକଥା ପଚାରିଥିଲେ ଯେ ଏତିକି କହିଲି । ମୋର କେହି ନାହାନ୍ତି । ପିଲାବେଳେ ଭାବୁଥିଲି, ଦୁନିଆଟା ମୋର । ସମସ୍ତଙ୍କୁ ଭଲ ଭାବିଥିଲି । ଆଜି କାହିଁକି ଛାତି ଥରୁଛି, ସେ କଥା ଭାବିଲେ ? ସମସ୍ତେ ଚାଲି ଯାଇଛନ୍ତି । ନିହାର ରହିଛି ଏକୁଟିଆ ।

 

—ଏକୁଟିଆ ବୋଲି ଭାବିଲେ ଏକୁଟିଆ ଲାଗିବ । ମୋତେ ଚାହିଁଲ...କହି ନିହାରବାଳାର ଓଠଟି ଉପରକୁ ଟେକି ଦେଲେ ।

 

ବିଦଗ୍ଧ ସ୍ୱରରେ ନିହାରବାଳା କହିଲା—କାହିଁକି ମୋତେ ମନେ ପକାଇଦେଲେ ? ସବୁ ସହି ହୁଏ, କିନ୍ତୁ ଯେଉଁ ଜୀବନକୁ ଦୁଃଖ ବୋଲି ଭାବି ଛାଡ଼ି ଆସିଥିଲି, ସେହି ଜୀବନକୁ ଛାଡ଼ି ଆସିବା ଭୁଲ ବୋଲି ଭାବିଲେ ଆଉ ମୁଁ ନିଜେ ନିଜକୁ ସମ୍ଭାଳି ପାରେନାହିଁ ।

 

—ତୁମେ ଜାଣ ନାହିଁ ଯେ ବାହାରେ ସବୁ ଦେଶରେ ସେବିକାର ସ୍ଥାନ ଉଚ୍ଚ । ସେମାନେ ସମସ୍ତଙ୍କର ଶ୍ରଦ୍ଧା ପାଆନ୍ତି ।

 

—ସେ କଥା ଭାବି ଲାଭ କ’ଣ ? ସେଠି ଭାବିଲା ଲୋକେ ହୁଏତ ଉଚ୍ଚ ହୋଇଥିବେ । ଆଉ ଏଠି ସବୁ ହାକିମଙ୍କର ଅତ୍ୟାଚାର ଓ ଉତ୍ପାତ ସହିବା ପରେ ନିଜକୁ ମଣିଷ ବୋଲି ଭାବିବା ଗୋଟାଏ ବିଡ଼ମ୍ବନା...ଗୋଟାଏ ଜୀବନ ପାଣିରେ ପଡ଼ିଛି । କୋଉ ଦିନ ଭଲ ଥିଲା ଯେ !

 

—ତୁମେ କ’ଣ ବାହା ହୋଇଥାନ୍ତ ନିହାରବାଳା ?

 

—କିଏ ହବ ? ...ଚାହିଁ ରହିଲା ଡାକ୍ତରଙ୍କ ମୁହଁକୁ ।

 

ସେହି ପ୍ରଶ୍ନର ଉତ୍ତର ଦେବାକୁ ଡାକ୍ତରଙ୍କ ମନରେ ଭୟ ଆସିଲା । ସେ ହସି କହିଲେ–ତୁମେ ପ୍ରକୃତରେ ଗୋଟିଏ ଅବୁଝା ଲୋକ । ଆଚ୍ଛା ହଉ, କାମ ସାରିଲେ, ବିଷୟରେ ଆଲୋଚନା କରିବା ।

 

ଡାକ୍ତର ଉଠିଗଲେ । ଭାବିଥିଲେ କହିବାକୁ...ଆଶାର ଆସ୍ପର୍ଦ୍ଧା ବଢ଼ାଇବା ଉଚିତ ନୁହେଁ-। ନିହାରବାଳା ଭାବିଥିଲା କହିବ ବୋଲି—ସେ ତ ଡାକ୍ତରଙ୍କ ସ୍ତ୍ରୀଙ୍କଠାରୁ କୌଣସି ବିଷୟରେ ଊଣା ନୁହେଁ ।

 

କେହି କାହାରିକୁ କହି ନାହାନ୍ତି । କିନ୍ତୁ ଦିହେଁ ଦିହିଁଙ୍କୁ ଭାବିଥିଲେ—ଆର ଜଣକର ହୃଦୟ ନାହିଁ, ବୁଦ୍ଧି ନାହିଁ ।

 

ଆଲୋଚନା ହୋଇନାହିଁ । ପୁରୁଷ ଓ ନାରୀର ଆଲୋଚନା ହୃଦୟର ଆଲୋଚନା ନୁହେଁ । କେବେ କେମିତି ସେଇଟା ହେଉ ହେଉ ହୋଇଥାଏ । ସେ ପରିଚୟ ହେଉଛି ଦେହର—ଆତ୍ମାର ନୁହେଁ ।

 

ସମସ୍ତେ ଖୋଜୁଛନ୍ତି ନିର୍ମଳ ଚରିତ୍ର । କିନ୍ତୁ ନିର୍ମଳ ଚରିତ୍ରର ଲୋକେ ମୂକ । ତାଙ୍କର ହୃଦୟ ଚରିତ୍ର ପାଖରେ ବନ୍ଦୀ । ଦାର୍ଜିଲିଂ ପାହାଡ଼ର ବରଫପରି ଯେମିତି ଶୁଭ୍ର, ସେମିତି ଶୀତଳ ।

 

ସେଥିରେ ଗଛ କଅଁଳେ ନାହିଁ । ଫୁଲ ଫୁଟେ ନାହିଁ । ଦୂରରୁ ଦେଖିବାକୁ ସୁନ୍ଦର ।

 

ତେବେ ବି ଲୋକେ ଗୋଡ଼ ପାଖର ଘାସକୁ ଆଡ଼େଇ ଦେଇ ସେହି ଅଗମ୍ୟ ପାହାଡ଼ ଚୂଡ଼ାକୁ ଚାହିଁ ରହନ୍ତି ତନ୍ମୟ ହୋଇ । ନିହାରବାଳା ବି ଚାହିଁଛି ।

 

ତା’ର ଇଚ୍ଛା ହୁଏ ସମସ୍ତଙ୍କୁ ପଚାରିବାକୁ—ସଂସାରର ସମସ୍ତେ ଯଦି ଚରିତ୍ରବାନ୍ ହୋଇଥାନ୍ତେ, ତାହାହେଲେ ସଂସାରରେ ରହିଥାନ୍ତା କ’ଣ ?

 

ସମସ୍ତଙ୍କ ଉପରେ ପ୍ରତିହିଂସା ନେବାକୁ ମନ ଅଧୀର ହୁଏ । ଅନ୍ୟର କ୍ଷତି କରିବାକୁ, ନିଜର କ୍ଷତି କରିବାକୁ ମଧ୍ୟ ମନ ପଛାଏ ନାହିଁ । କୌଣସି ଜନିସରେ ପୋକ ଲାଗିଲେ ଆଉ ସେ ଜିନିସକୁ ସମ୍ପାଦ ରଖିବାକୁ କେହି ଚାହେଁ ନାହିଁ । ନିହାରବାଳା ତେବେ କାହିଁକି ନାନାପ୍ରକାରର ବାଧାବନ୍ଧନ ଭିତରେ ନିଜକୁ ବାନ୍ଧି ରଖିବ ?

 

ଦୁନିଆର ଦାଣ୍ଡରେ ହୁରି ପଡ଼ିଛି—ନର୍ସମାନଙ୍କର ଚରିତ୍ର ନ ଥାଏ । ନିହାରବାଳାର ଯାହା ହୋଇଥାଉ, ସେ ତ ଘର ଘର ବୁଲି ସମସ୍ତଙ୍କ ପାଖରେ ପ୍ରମାଣ କରିଛି ଯେ ଏହି ମିଠା ହସ ଓ କଅଁଳ ବ୍ୟବହାର ଭିତରେ ନାରୀମାନେ ଯେ ଖାଲି ଚରିତ୍ର ହରାନ୍ତି, ଏଇଟା ଠିକ୍ ନୁହେଁ । ତେବେ ବି ତ କେହି ଜଣେ ତା’ରି ହେଲା ନାହିଁ ।

 

ଦେହର ପ୍ରତ୍ୟେକ ଗଣ୍ଠି ପରାଶ ହୁଏ । ମୁହଁ ଫିକା ଦିଶେ । ଆଖି ଯେତିକି କୋରଡ଼ରେ ପଶେ, ଅଣ୍ଟା ସେତିକି ମୋଟା ହୁଏ । ଦେହ ଯେତିକି ସୌନ୍ଦର୍ଯ୍ୟ ହରାଏ, ବ୍ୟବହାରର ତୀକ୍ଷ୍‌ଣତା ସେତିକି ବଢ଼େ ।

 

ନିହାରବାଳା ସମସ୍ତଙ୍କୁ କହିଛି—ସେ ବେଶି ଦିନ ବଞ୍ଚିବ ନାହିଁ । ଶୁଣି ମଧ୍ୟ ଲୋକେ ଧାଇଁ ଆସିଛନ୍ତି । ସେତ ଯେପରି ତା’ର ନିଶ୍ୱାସ ବନ୍ଦ ହେବା ଆଗରୁ ତା’ଠାରୁ ଯାହା ମିଳିପାରିବ ସେତକ କାଢ଼ି ନେବେ ।

 

ନିହାରବାଳା ଭାବେ ତାଙ୍କୁ ପଚାରିବାକୁ—ମରିବାର ଘଣ୍ଟାକ ଆଗରୁ ତାକୁ କ’ଣ କେହି ଅବଜ୍ଞା କରିବ କି ?

 

ପଚାରିପାରେ ନାହିଁ । ମଣିଷକୁ ସେହି ଗୋଟିଏ ପ୍ରଶ୍ନ ପଚାରିଲେ ଶୁଣିବା ଲୋକ ପଚାରିବା ଲୋକକୁ କହିବ ପାଗଳ । କିନ୍ତୁ ଶୁଣିବା ଲୋକ ସେହି ପାଗଳ ପରି ଧାଇଁ ଆସିବ ।

 

ମରିବାକୁ ଯଦି ନିହାତି ଦରକାର ପଡ଼ୁଛି, ତାହାହେଲେ ମୋତେ ଲେଖିଦିଅ ଗୋଟିଏ ଦାନପତ୍ର ଯେ ମୋତେ ତୁମ ଶେଷ ଭଲ ପାଇବା ଦେଇଯାଇଛ । ଆଉ ସେଥିରେ ସ୍ୱୀକୃତି ଦିଅ—ଚରିତ୍ରହୀନା ହେଲେ ବି ନିହାରବାଳା ମୋତେ ସବୁଠାରୁ ବେଶି ଭଲପାଏ । ...ସେ କିଛି ମାଗି ନାହିଁ-

 

ନିହାରବାଳା ସତେ ଯେପରି ଜନ୍ମ ପାଇଛି ସମସ୍ତଙ୍କୁ ଦେବାକୁ, ସମସ୍ତଙ୍କୁ ସେବା କରିବାକୁ, ସମସ୍ତଙ୍କୁ ଭଲ ପାଇବାକୁ । କିନ୍ତୁ ବଦଳରେ ସେ ପାଇବ ସେମାନଙ୍କର ଅନ୍ତରଭରା କୃତଘ୍ନତା ।

 

ଥରେ ନିହାରବାଳା ଷ୍ଟେସନରେ ଦେଖିଲା ସଞ୍ଜୟକୁ । ସେ ପାନ କିଣୁଛି ପ୍ଳାଟଫର୍ମରେ-। ଡାକିଲା—ସଞ୍ଜୟ ଚମକି ପଡ଼ିଲା ।

 

ରେଲଡବାର ଅନ୍ଧାରିଆ କବାଟ ପାଖରେ ଠିଆ ହୋଇ ନିହାରବାଳା ପଚାରିଲା—ଏଇ ଗାଡ଼ିରେ ଯାଉଛ ? ଆସ ।

 

—ମୋର ତ ଟିକଟ ନାହିଁ । ତଳ କ୍ଳାସର ଟିକଟ ନେଇଛି ।

 

—ହଉ ଆସ । ମୋ ଟିକଟ୍‌ଟା ତମୁକୁ ଦେବି ।

 

ସଞ୍ଜୟ କ’ଣ ଭାବିବାର ଦେଖି ନିହାରବାଳା ହସି କହିଲା—ଆଜି ଠକି ପାରିବ ନାହିଁ, ଆସ । କହି ଗାଡ଼ିରୁ ଓହ୍ଲାଇ ଆସି ସଞ୍ଜୟକୁ ଟାଣିଲା ।

 

ସଞ୍ଜୟର ମନ ଉପରେ ସେହି ହାତର ସ୍ପର୍ଶ ଗୋଟିଏ ସ୍ୱପ୍ନ ଖେଳାଇ ଦେଲା...ଏତେଗୁଡ଼ାଏ ଆନନ୍ଦ କ’ଣ ସମ୍ଭବ ।

 

ଡବା ଭିତରେ ଆଉ ଗୋଟିଏ ଲୋକ । ସଞ୍ଜୟ ଅସ୍ଥିର ହୋଇ ଉଠିଲା ।

 

ବାଧା ଦେଇ ନିହାରବାଳା କହିଲା—ସେ ମୋର ଗୋଟିଏ ଭାଇ...ଆଜି ସେ ଜଞ୍ଜାଳ ! ତୁମ ସାଙ୍ଗରେ ଦେଖାହେବ ବୋଲି ଜାଣିଥିଲେ ତାକୁ ମୁଁ ଆଣି ନ ଥାନ୍ତି ସାଙ୍ଗରେ ।

 

ରେଳଡବାରେ ଗୋଟିଏ କଣକୁ ପାଖ ପାଖ ହୋଇ ବସି, ସେ ଲୋକଟିକୁ ଯଥାସମ୍ଭବ ଦୂର କରିଦେଇ, ନିହାରବାଳା ସଞ୍ଜୟର ଦୁଇ ହାତକୁ ତା’ର ହାତରେ ଚାପି ଧରି ପଚାରିଲା—ଆଜି ଏତେ ଦିନ ପରେ ଏମିତି ଦେଖା ହେବ ବୋଲି କେବେ ଭାବିଥିଲ କି ?

 

ଆବେଗରେ ସଞ୍ଜୟ କହିଲା—ନା ।

 

—ସବୁ ଭଲ ? ଆଉ ଚିଠି ଦେଲ ନାହିଁ, ନା ।

 

—ଦେଇଛି ତ । ଡାକରେ ହଜିଥିବ ।

 

—ମିଛ କୁହ ନାହିଁ । ତମେ ବି ମୋତେ ଛାଡ଼ିଗଲ ! ସମସ୍ତେ ଯେମିତି ଦିନେ ନା ଦିନେ ମୋତେ ଘୃଣା କରିଥିଲେ, ତମେ ବି ଶେଷକୁ ସେମିତି କଲ ?

 

ଗାଡ଼ି ଚକର ଶବ୍ଦରେ ନିହାରବାଳାର ସ୍ୱର ଥରି ଉଠୁଥାଏ । ସଞ୍ଜୟ ବିବ୍ରତ ହୋଇ ପଡ଼ୁଥାଏ ସେହି ଆର ଲୋକଟିର କଥା ଭାବି । ଆଉ ଜଣେ ଲୋକ ଆଗରେ ବି ନିହାରବାଳା କେମିତି ସରଳ ଭାବରେ କହିଯାଇ ପାରୁଛି !

 

ସଞ୍ଜୟର ହାତ ପାପୁଲି ହଲେଇ ଦେଇ ନିହାରବାଳା—କହିଲା—ତମେ ସବୁ ଦିନେ ପିଲା ରହିଗଲ । ମନେ କରିଛ କି କେହି ଦେଖୁ ନ ଥିବେ, କେହି ଶୁଣୁ ନ ଥିବେ, ପାଖରେ କେହି ନ ଥିବେ, କେହି ଜାଣୁ ନ ଥିବେ—ଆଉ ଆମେ କଥାଭାଷା ହୋଇପାରିବା ! ଏଇ ସୃଷ୍ଟିଛଡ଼ା ମାଟି ଉପରେ ସେ କଥା ସମ୍ଭବ ନୁହେଁ । କୁହ, ତୁମେ ମୋତେ କ’ଣ ଘୃଣା କର ?

 

ଅସ୍ଥିର ହୋଇ ସଞ୍ଜୟ କହିଲା—ନାହିଁ, ତୁମକୁ ମୁଁ ଭଲପାଏ ।

 

—ମୋତେ ବିଭା ହୋଇପାରିବ ?

 

—ନିଶ୍ଚୟ ।

 

—ତେବେ ଚାଲ ଆଜି ଯିବା । ତମର କ’ଣ କାମ ଅଛି ବାଟରେ ?

 

—ଯାଃ, ଏମିତି କ’ଣ କହୁଛ ! ନିହାରବାଳାର ମୁଣ୍ଡ ଲାଗି—ଆସୁଥାଏ ସଞ୍ଜୟ ପାଖକୁ, ନିହାରବାଳାର ଟିକିଏ ବି ଦ୍ୱିଧା ନାହିଁ ।

 

—ମନା କାହିଁକି କରୁଛ ?...ଆଉ ଥରେ ଠକିବ କି ?

 

—ଠକିବି କ’ଣ ? ତମରିପାଇଁ ଲୋକେ ମୋତେ ବହୁତ କଥା କହନ୍ତି ।

 

—ତମୁକୁ କହନ୍ତି ! ମୁଁ ଭାବିଥିଲି ମୋତେ କହନ୍ତି ବୋଲି । ଡାକ୍ତରଖାନାର ସବୁ ସାଙ୍ଗ ଦେଖା ହେଲେ ନିଶ୍ଚୟ ତମରି କଥା ପଚାରିବେ । ...ତମେ ମୋର ଗୋଟିଏ କଳଙ୍କ ।

 

—ମୁଁ !

 

—ହଁ । କେହି ମୋତେ ଭଲ ପାଇ ନ ଥିଲେ । ଯେ ଭଲପାଏ, ସେ ତ ଭଲ ପାଇବାର କଳଙ୍କ ଲଗାଏ । ତୁମେ ଏକା ମୋତେ ଭଲ ପାଇ ମୋତେ କଳଙ୍କିତ କରିଛ ।

 

ଗର୍ବରେ ଓ ଭୟରେ ସଞ୍ଜୟ ଚାହିଁରହିଲା ନିହାରବାଳାକୁ । ସେ ଧୀରେ ଧୀରେ ବୁଝିଲା ଯେ ସେହି ଏକା ନିହାରବାଳାକୁ ଭଲପାଏ—ଏ କଥା ନିହାରବାଳା କହୁଛି ।

 

—ଭାରି ଭଲ ଲାଗୁଛି ଆଜି ।

 

—ଛାଡ଼ ସେ କଥା । କୁହ, ମୋତେ ବିଭା ହେବ କି ନାହିଁ ? ...କେହି କ’ଣ ବିଭା ହେବେ ନାହିଁ ?

 

ମଝିରେ ମଝିରେ ଗାଡ଼ି ରହେ ଷ୍ଟେସନରେ । ନିହାରବାଳା ଉଠିଯାଏ ଦୁଆର ପାଖକୁ । ଚାହିଁରହେ ପ୍ଳାଟଫର୍ମ ଆଡ଼େ । ଗାଡ଼ି ଚାଲିଲେ ପୁଣି ଆସି ବସେ । ଆସିଲାବେଳେ ଓ ଗଲାବେଳେ ସଞ୍ଜୟକୁ ଛୁଇଁ ଦେଇଯାଏ ।

 

ସଞ୍ଜୟ ଭାବେ—ନିହାରର ସେହି ପ୍ରଥମ ଦେଖା । ତା’ ନାଁ ଡାକ୍ତରବାବୁ ପ୍ରଥମେ ଦେଇଥିଲେ ‘ପ୍ରହେଳିକା’ ।

 

ମଧୁର ସ୍ୱରରେ କହିଲା—ପ୍ରହେଳିକା ! ତମେ ଠିକ୍ ଆଗପରି ଅଦ୍ଭୁତ ରହିଛ । ଆଜି ବି ତମକୁ ବୁଝି ହୁଏ ନାହିଁ ।

 

—ମୋତେ ? ...ଆଉ କ’ଣ ବୁଝିବ ? ଆଜି ମୁଁ ତମ ପାଖରେ ଭିକ୍ଷାର୍ଥୀ । ଆସ ମୋ ସାଙ୍ଗରେ । ଚାଲିଯିବା । ...ଲେଖିଥିଲ ଚିଠିରେ । ଭୁଲିଯିବଣି । ଏବେ ସିନା ଚିଠି ଦେଉନାହିଁ ।

 

—ନା, ଆଜି ନୁହେଁ ।

 

—ମୋତେ ଠକୁଛ ସଞ୍ଜୟ ! କାହିଁକି ଠକୁଛ ? ମୋତେ କ’ଣ କେହି ବିଭା ହେବେ ନାହିଁ ? ବାହାରର ଜଣେ ବାଜେ ଲୋକ ବି ହେବ ନାହିଁ ? ...ମୁଁ କ’ଣ ସତରେ ଏଡ଼େ ଅଭିଶପ୍ତ !

 

—କ’ଣ ଗୁଡ଼ାଏ କହୁଛ ?

 

—କହିବାକୁ ଆଉ କିଛି ନାହିଁ । ବଞ୍ଚିଥିବାଯାଏ ଏମିତି କହିବି । ମରିଗଲା ପରେ ତମେମାନେ କହିବ—ଆଜି ଯାହା କହିପାରୁ ନାହିଁ, ସେ କଥା ବି କହିବ ।

 

ଷ୍ଟେସନ ପଡ଼ିଲା । ସଞ୍ଜୟ ଓହ୍ଲାଇଯିବ । ନିହାରବାଳା ହାତ ମୁଠାରୁ ନିଜକୁ ଖସେଇ ନେଇ ସଞ୍ଜୟ କହିଲା—ଯାଉଛି, ଚିଠି ଦେବି ।

 

—ସେତେବେଳକୁ ଯଦି ମୁଁ ଆତ୍ମହତ୍ୟା କରିଥାଏ, ମୁଁ ଯଦି ମରିଯାଇଥାଏ, ଆଉ ଚିଠି ଦେବ କାହାକୁ ?

 

ନିହାରବାଳାର ସେହି ଆଖି, ସେହି ନିଶ୍ୱାସ, ସେହି ଦେହର ସ୍ପନ୍ଦନ ସତେ ଯେପରି ତା’ର ସବୁ ଛନ୍ଦ ହରାଇଛି । ସଞ୍ଜୟ ପଳାଇଯିବାକୁ ଚାହୁଁଥିଲା । ସେ ଯେପରି ଛନ୍ଦି ହୋଇପଡ଼ିଥିଲା-

 

ଓହ୍ଲାଇ ଗଲା ପରେ ସଞ୍ଜୟ ନିହାରବାଳାକୁ ଖିଡ଼ିକି ପାଖରୁ କହିବାକୁ ଚାହୁଁଥିଲା—ଶେଷ ଦି’ପଦ କଥା । କିନ୍ତୁ ନିହାରବାଳା ମୁହଁ ପୋତି ଉଚ୍ଛ୍ୱାସରେ କାନ୍ଦୁଥିଲା—କୌଣସି ଆଡ଼କୁ ତା’ର ଭ୍ରୂକ୍ଷେପ ନାହିଁ ।

 

ଡାକବଙ୍ଗଳାକୁ ଯାଇ ସଞ୍ଜୟ ନିହାରବାଳାକୁ ଅତି ନିକଟରେ ଦେଖିପାରୁଥିଲା । ସେ ଯେପରି ସୂକ୍ଷ୍ମ ଶରୀରରେ ଆସି ପହଞ୍ଚିଛି । ସଞ୍ଜୟ ନିହାରବାଳାକୁ ଭଲ ପାଇଥିଲା । କିନ୍ତୁ ଏ ଉତ୍କଟ ଭଲ ପାଇବା ସେ କେବେ କଳ୍ପନା କରିପାରି ନ ଥିଲା । ତା’ର ଦେହ ନିହାରବାଳାର ସ୍ପର୍ଶରେ ଜୀବନ୍ତ ହୋଇଉଠିଥିଲା । ନିହାରବାଳା ଯେପରି ତା’ର ପ୍ରତ୍ୟେକ ଲୋମକୂପରେ ଭଲ ପାଇବାର ଫୁଆରା ଖୋଲି ଦେଇ ଯାଇଛି । ସେ ଦିନ ତା’ର ସେହି ଆକସ୍ମିକ ବ୍ୟବହାର ସତେ ଯେପରି ଗୋଟିଏ ଦୀର୍ଘ ଅଧ୍ୟାୟର ଶେଷ ଚିହ୍ନ ।

 

ନିହାରବାଳାର ପ୍ରଶ୍ନ ଆସି ମନରେ ବାଜୁଥିଲା—ମୋତେ ଆଜି ବିଭା ହୋଇପାରିବ କି-?

 

ହୋଇଥିଲେ...ସେ କ’ଣ ସୁଖୀ ହୋଇ ପାରିଥାନ୍ତା ? ...ମନ ଭିତରେ ଖଟକା ରହୁଥିଲା ନିହାରବାଳା ବିଷୟରେ । ସେ ତ ସମସ୍ତଙ୍କୁ ଭଲପାଏ । ତାକୁ କ’ଣ ଭଲ ପାଇ ହେବ ?

 

ନିଜ କଥା ମନେ ପକାଇଥିଲା । ମନେ ପକାଇ ଲଜ୍ଜିତ ହୋଇଥିଲା ଯେ ଅପାତ୍ରରେ ସଞ୍ଜୟ ନିଜକୁ ସମର୍ପଣ କରିଥିଲା ବୋଲି—ଯେ ସମସ୍ତଙ୍କର, ସେ ଜଣକର ହୋଇପାରେନା ।

 

ନିଜର ଦ୍ୱିଧାକୁ ଅତିକ୍ରମ କରି ନିହାରବାଳାର ସେହି ବୁକୁଥରା କଥାଗୁଡ଼ାକ ସଞ୍ଜୟକୁ ବିବ୍ରତ କରୁଥିଲା । ସଞ୍ଜୟ ଭାବିଲା—ସେ ସିନା ଜୀବନ୍ତ ଶରୀରରେ, ଆଉ ବି ଜୀବନ୍ତ ସଂସାରରେ ନିହାରବାଳାକୁ ଭଲପାଏ ବୋଲି କହିପାରିବ ନାହିଁ । କିନ୍ତୁ ଯଦି ଏକାଠି ଆତ୍ମହତ୍ୟା କରାଯାଏ, ତାହାହେଲେ ସଂସାରର ମାପକାଠି ସଂସାର ବିଚାରର ଊର୍ଦ୍ଧ୍ୱରେ ରହିହେବ । ଆଉ ନିଜକୁ ମଧ୍ୟ ବୁଝାଇ ହେବ ।

 

ଆବେଗକୁ ଭାଷା ଦେବାକୁ ସଞ୍ଜୟ ସେଇ କଥା ନିହାରକୁ ଲେଖିଥିଲା—ମୁଁ ତୁମ ସାଙ୍ଗରେ ଏକାଠି ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ । ସେହି ହେବ ଆମର ବିବାହ ।

 

କାମ ସାରି ଫେରିବା ପରେ ସଞ୍ଜୟ ନିଜର କଳ୍ପନାରେ ଅଭିଭୂତ ହୋଇ ରହିଲା.. ସେ ନିହାରବାଳାକୁ ଭଲପାଏ । ନିହାରବାଳାର ଜବାବକୁ ଅପେକ୍ଷା କରି ବସିଲା ।

 

ହଠାତ୍ ଶୁଣି ଚମକି ପଡ଼ିଲା—ନିହାରବାଳା ଆସି ଡାକ୍ତରଖାନାରେ ବୁଲୁଥିଲା ତା’ର ଦେହ ପରୀକ୍ଷା କରିବାପାଇଁ । ଆଉ ଡାକ୍ତର କୁଆଡ଼େ କହୁଥିଲେ—ନିହାର ଏବେଯାଏ ସଂଯତ ହୋଇ ରହିପାରୁ ନାହିଁ ।

 

ନିହାରର ଚରିତ୍ରରେ ପୁଣି ଆଘାତ । ...ସଞ୍ଜୟ ମନେ ପକାଇଲା ନିଜର ଚିଠି କଥା...ନିହାର କହୁଥିଲା ଆତ୍ମହତ୍ୟା କରିବ ବୋଲି । ସେ କ’ଣ ତେବେ ମା ହେବାକୁ ଯାଉଛି !

 

ଚରିତ୍ରର କଳଙ୍କ ଲୁଚାଇବାକୁ ସେ କ’ଣ ନିଜକୁ ଶେଷରେ ଗହିରିଆ ପାଣି, କଡ଼ା ବିଷ, ଟାଣ ଦଉଡ଼ି ପାଖରେ ଆଣି ପହଞ୍ଚାଇଛି ? ...ୟାକୁ ସଞ୍ଜୟ ଭଲପାଏ ! ୟାରି ସାଙ୍ଗରେ ସେ ଆତ୍ମହତ୍ୟା କରିବ ।

 

ଗାଡ଼ି ଭିତରର ଦେଖା ତାକୁ ଲାଗିଲା ଗୋଟିଏ ଅଭିଶାପ ପରି । ନିହାରବାଳାର ପ୍ରତ୍ୟେକ କଥା କେତେ କପଟତା ଓ କେତେ ଛଳନାରେ ପୂରି ରହିଥିଲା ! ସେ ଚାହିଁଥିଲା, ସଞ୍ଜୟକୁ ନେଇ ନିଜର ଦେହର କଳଙ୍କ ଲୁଚାଇବ । ନିଜକୁ କଳଙ୍କଶୂନ୍ୟ କରିବ ।

 

ସମସ୍ତ ଅତୀତ ସଞ୍ଜୟର ଆଖି ଆଗରେ ବିଷାକ୍ତ ହୋଇଉଠିଥିଲା । ନିହାରବାଳା ସତେ ଯେପରି ଚକ୍ରାନ୍ତ କରି ପରିଚିତ ସଞ୍ଜୟର ସରଳ ଜୀବନକୁ ବୁଡ଼ାଇ ଦେବାକୁ ଚାହୁଁଥିଲା ନିଜର କଳଙ୍କ ଭିତରେ ।

 

ନିହାର ଯଦି ଆତ୍ମହତ୍ୟା କରେ, ତେବେ ନିଶ୍ଚୟ ପୋଲିସ୍ ତା’ରି ସୁଟକେଶ୍‌ ଭିତରୁ ସଞ୍ଜୟର ଚିଠିକୁ ଧରି ତାକୁ ଟାଣିବ ଜେଲଖାନା ଭିତରକୁ । କେହି ବିଶ୍ୱାସ କରିବେ ନାହିଁ—ଦିନକର ଦେଖା ଆଉ ଖଣ୍ଡିଏ ଚିଠି । ବହୁତ ଦିନ ପରେ...ନିହାରକୁ ଛାଡ଼ିଦେବାର ଦୀର୍ଘ ବ୍ୟବଧାନରେ । ସଞ୍ଜୟ ଏକାବେଳକେ ନିର୍ଦ୍ଦୋଷ ।

 

ଲାଞ୍ଛନା, ଅପମାନ...ସେ କଳଙ୍କ ଘୁଞ୍ଚିବ ନାହି । ସଞ୍ଜୟ ମନରେ ବାରମ୍ବାର ସେହି ପ୍ରଶ୍ନ ଆସୁଥିଲା । ସେହି ଆଶଙ୍କା—ନିହାରବାଳା କେଉଁଠି, ସେ କ’ଣ କରୁଛି ? ସତେ କ’ଣ ସେ ସଞ୍ଜୟକୁ ଲୋକହସା କରେଇବ ?

 

ଭଲପାଇଲା ବେଳେ ସଞ୍ଜୟ ଏତେ ଗଭୀର ଭାବରେ କେବେ ନିହାର କଥା ଭାବି ନ ଥିଲା ।

 

ପ୍ରତିଦିନ ଡାକବାଲାକୁ ଚାହିଁରହେ—ଚିଠିର ଜବାବପାଇଁ ନୁହେଁ, ନିହାରବାଳାର ଟିକିଏ ସମ୍ବାଦ ପାଇବାପାଇଁ ।

 

ତା’ର ସବୁ ଉତ୍କଣ୍ଠା ଦୂର କରି ଚିଠି ଆସି ପହଞ୍ଚିଲା । ଗୋଟିଏ ପାଖରେ ରୋଗୀର ପରିସ୍ରା ରିପୋର୍ଟ । ଆଉ ସେହି ବାଲି କାଗଜର ଆର ପାଖେ ନିହାରବାଳା ଅଳ୍ପ କରି ଲେଖିଛି । ନିହାରକୁ କାଗଜ ମିଳିଲା ନାହିଁ ।

 

...ଅନେକ ଦିନ ପରେ ଗୋଟିଏ ପୁରୁଣା ବନ୍ଧୁଙ୍କୁ ବାଟରେ ଦେଖି ମନର ଆବେଗରେ ଗୁଡ଼ିଏ କଥା କହି ପକାଇଲେ କିଛି ଭୁଲ୍ ହୁଏ ନାହିଁ । ତୁମେ ମୋତେ ଭଲ ପାଉଛ ଜାଣି ଖୁସି ହେଲି । ଭାବିଥିଲି ଭୁଲିଯାଇଥିବ । ଧନ୍ୟବାଦ ।

 

ସଞ୍ଜୟ ଚିଠିଟି ପଢ଼ିଲା—ବେଶ୍ ଭଲ । ନିହାର ଏମିତି ଚିଠିଟିଏ ଲେଖିଛି ଯେ ନ ପଢ଼ିବାକୁ ବାଟ ନାହିଁ । କାହାରିକୁ ବି ଦେଖାଇ ହେବ ନାହିଁ । ଆଗରୁ ଭାବୁଥିଲା ଯେ ସେ ନିହାରବାଳାକୁ ଭଲପାଏ । ଏବେ ଭାବିଲା—ଅକାରଣେ ତାକୁ ଚିହ୍ନିଛି ବୋଲି ।

 

ନିହାରବାଳାର ଚିଠିଗୁଡ଼ିକ ସଞ୍ଜୟ କାଢ଼ି ପଢ଼ିଲା । ସତରେ ତ ନିହାରବାଳା ଆଦ୍ୟରୁ ସେଇ କଥା ଲେଖିଛି—ସେ ଗୋଟିଏ ସାଧାରଣ ନାରୀ । ତା’ର ଭଲ ପାଇବା ଖାଲି ମୁହଁର କଥାର, କଲମର ଲେଖାରେ । ସେ ତ କେବେ କହି ନ ଥିଲା ସମ୍ପୂର୍ଣ୍ଣଭାବରେ ସଞ୍ଜୟକୁ ଭଲ ପାଇଛି ବୋଲି ।

 

ଯାହାହେଉ, ଆଉ ନିହାରପାଇଁ ଜେଲଖାନା ଯିବା ଦରକାର ପଡ଼ିବ ନାହିଁ । ନିହାର ଆଉ କାହାରିକୁ ବିଭା ହେବାକୁ କହିବ ନାହିଁ । ଆଉ ଥରେ ସଞ୍ଜୟ ଆସି ଫାଶରେ ଧରା ହେବ ନାହିଁ । ନିହାରବାଳା ଛୁଟି ଦେଇଛି । ସଞ୍ଜୟକୁ କହୁଛି ଯେ ସେ ତା’ରି ସାଙ୍ଗରେ କୌଣସି ସମ୍ବନ୍ଧ ରଖିବ ନାହିଁ । ଡାକ୍ତରଖାନାର ଇତର ରୋଗୀଙ୍କର ମଳମୂତ୍ର ପରୀକ୍ଷାର ରିପୋର୍ଟର ପଛପାଖ ହେଉଛି ତା’ର ଚିଠି କାଗଜ । ଆଉ ସେହି କାଗଜର ଆକାର ହେଉଛି ତା’ର ମନର ସୀମାନ୍ତ ।

 

ଦୂରରୁ ସଞ୍ଜୟ ତାକୁ ଦେଖିଥିଲା । ଏବେ ଅତି ନିକଟରେ ତା’ର ନଗ୍ନରୂପ ଆସି ପହଞ୍ଚିଯାଇଛି । ସଞ୍ଜୟ ବୁଝିଛି ଯେ ନିହାରବାଳା ସବୁ ଦିନକୁ ମନେ ରଖିବା ପରି ଦାଗ ଦେଇପାରେ ।

 

ବଡ଼ ଆଶ୍ଚର୍ଯ୍ୟର କଥା ଯେ ନିହାରକୁ ଆଉ ଦେଖିବ ନାହିଁ ବୋଲି ମନେମନେ ସ୍ଥିର କଲାବେଳେ ନିହାର ଆସି ଦେଖାଦିଏ । ଭେଟାଭେଟି ହୁଅନ୍ତି ନାହିଁ ସତ, କିନ୍ତୁ ବଜାରରେ ନିହାର ଦେଖାପଡ଼େ ।

 

ତା’ର ଚାଲିଚଳନ ସ୍ୱାଧୀନ ଓ ମୁକ୍ତ । ତା’ର ସାଙ୍ଗରେ ଯାଉଥିବା ଲୋକ ମଧ୍ୟ ଅସଂଖ୍ୟ-। କାହା ସାଙ୍ଗରେ ରିକ୍‌ସାରେ, ଆଉ କାହା ସାଙ୍ଗରେ ଚାଲି ଚାଲି ନିହାରବାଳା ବୁଲେ-

 

ଏଇ ହେଉଛି ସଞ୍ଜୟର ଦିନକର ମନର ପ୍ରତିମା । ତାକୁ ସଞ୍ଜୟ ଉପଦେଶ ଦେଉଥିଲା–ସେ କାହାରି ସାଙ୍ଗରେ ମିଶିବ ନାହିଁ ବୋଲି । ସେତ ଯେପରି ସଞ୍ଜୟକୁ ତା’ର ଭୁଲ ବୁଝାଇବାକୁ ସେ ସମସ୍ତଙ୍କ ସାଙ୍ଗରେ ମିଶୁଛି । ଆଗ ବେଳର ସଙ୍କୋଚ ଆଉ ନାହିଁ ।

 

ଆଉ ସଙ୍କୋଚ କାହିଁକି ଆସିବ ? ମନ ଭିତରେ ଦୁର୍ବଳତା ଥିଲେ ସିନା ସଙ୍କୋଚ ଆସେ । ବାରମ୍ବାର ଆଘାତ ପାଇ ଦୁର୍ବଳତା ଚାଲିଗଲାଣି । ନାରୀ ହୋଇ ପୁରୁଷଙ୍କୁ ସେ ଜିଣି ସାରିଲାଣି । ପୁରୁଷମାନେ ଆସନ୍ତି ଖେଳିବାପାଇଁ । ଖେଳରେ ଜିଣିଲେ ଜେତା ପରି ଅତ୍ୟାଚାର କରନ୍ତି । ଆଉ ସେଥିରେ ହାରିଗଲେ ନିଜକୁ ଦୋଷ ନ ଦେଇ ପରକୁ ନିନ୍ଦା କରନ୍ତି ।

 

ବାରମ୍ବାର ଧକ୍‌କା ଖାଇ ନିହାରବାଳା ଆଉ ସଞ୍ଜୟ ପରି ଲୋକଙ୍କୁ ଦେଖି ବିଚଳିତ ହେବା ଅବସ୍ଥାରେ ନାହିଁ । କ’ଣ ବା ସେମାନେ କରିବେ ! ସଞ୍ଜୟ ଓ ଆଉ ଜଣେ ନୂଆଲୋକ ଭିତରେ ତଫାତ୍ କ’ଣ ? ସମସ୍ତେ ତ ଆସନ୍ତି କଥାରେ ମଜ୍ଜାଇ, କଥାରେ ଭୁଲାଇ ମନ କିଣିବାକୁ । ମନ କିଣନ୍ତି କି ନାହିଁ କେଜାଣି, ଦେହଟା ଉପରେ ଆଖି ଥାଏ ।

 

ଯେତେ ଦିନଯାଏ ନିହାରବାଳା ଦେହକୁ ଆଉ ଦେହ ଯୋଗୁଁ ନିଜର ଚରିତ୍ରକୁ ଜଗି ବସୁଥିଲା, ସେତିକି ଦିନ ଅବା ନିହାରବାଳା ଯାହା କିଛି ଲୋକଙ୍କୁ ଭୟ କରୁଥିଲା । ଏବେ ଆଉ ସେ ଭୟର ଆଶଙ୍କା ନାହିଁ । ସେ ଭୟର ମଧ୍ୟ କୌଣସି ସ୍ଥିତି ନାହିଁ ।

 

କ୍ଷୟଶୀଳ, ମରଣଶୀଳ ଦେହର ଜଗାରଖା କରବାପାଇଁ ନିଜର ସ୍ୱାଧୀନତାର ସହଜ ଗତି ଉପରେ ନାନା ବାଧା ଆଣି ପହଞ୍ଚାଇବା ଜୀବନର ଗୋଟାଏ ବୃଥା ପ୍ରହସନ । ନଷ୍ଟ ହୋଇଯାଉଥିବା ଚରିତ୍ରକୁ ଧରି ରଖିବାକୁ ଲୋକନିନ୍ଦାର ଶାସନକୁ ଡରି ନିହାରବାଳା ନିଜେ କ’ଣ ବହୁତପ୍ରକାରେ ନିଜକୁ ସନ୍ତାପ ଦେଇନାହିଁ ? ସମାଜର ପ୍ରତ୍ୟେକ ବାଧା, ଜଣାଶୁଣା ଲୋକଙ୍କର ପ୍ରତ୍ୟେକ ମାୟାର ଡୋର ବଞ୍ଚିବାର ଆଶୀର୍ବାଦ ନୁହେଁ—ଅଭିଶାପ ।

 

ସେ ଆଜି ମୁକ୍ତ । ଜଣାଶୁଣା ମଣିଷଙ୍କର ଆଉ ନିର୍ଦ୍ଦିଷ୍ଟ ଲୋକଙ୍କର ସ୍ନେହ, ଶ୍ରଦ୍ଧା, ଅତ୍ୟାଚାରରୁ ବି ମୁକ୍ତ । କେହି ତା’ର ନିଜର ନୁହନ୍ତି । କେହି ତା’ର ପର ନୁହନ୍ତି ।

 

ମଣିଷ ମାତ୍ରକେ ସମାନ । ତେଣୁ ମଣିଷକୁ ମଣିଷଠାରୁ ଅଲଗା ପ୍ରକାରର ବୋଲି ଭାବିଲେ ସେଥିରେ ଲାଭ କ’ଣ ? ନିଜ ଲୋକେ ଭଲ ବୋଲି ସମସ୍ତେ କହିଥିଲେ । ସେହି ଭଲ ଲୋକଙ୍କୁ ଭଲ ପାଇ ସେ ତା’ର ସେହି କ୍ଷୁଦ୍ର ଜୀବନ ଭିତରେ କାହାରିଠାରୁ ପଦେ ଚିରସ୍ଥାୟୀ କଥା ନେଇପାରି ନାହିଁ । ସମସ୍ତେ ନିଜର ଖିଆଲରେ ଯେମିତି ଆସି ଦେଖା ଦେଇଥିଲେ, ସେମିତି ପୁଣି ଘୁଞ୍ଚିଯାଇଛନ୍ତି ଦୂରକୁ । ନିହାରବାଳାକୁ ଦୋଷମୁକ୍ତ କରିବାକୁ ଚେଷ୍ଟା ନ କରି ତା’ରି ଉପରେ ଦୋଷର ଅଲିଭା ଦାଗ ଲଗାଇ—ଦେବାକୁ ଚେଷ୍ଟା କରିଛନ୍ତି ।

 

ସମସ୍ତେ କହନ୍ତି—ମଣିଷ ଏକୁଟିଆ । ଏଇ ଏକୁଟିଆ ମଣିଷଗୁଡ଼ିକଙ୍କର ସମାଜ ଗଢ଼ା ହୋଇଥାଏ ଭଲପାଇବା ଉପରେ—ବନ୍ଧା ହୋଇଥାଏ ପ୍ରୀତିର ଖିଅରେ, ସ୍ନେହର ଡୋରରେ ଓ ମମତାର ବନ୍ଧନରେ । ତେଣୁ ଭଲ ପାଇବା ଉପରେ ମଣିଷଙ୍କ ପରଖ କଲେ ମଣିଷର ବଡ଼ ସାନ କଳନା କରି ହୁଏ, ତା’ର ରୂପରେଖ ଜାଣି ହୁଏ ।

 

ସମସ୍ତେ ତାକୁ କହିଥିଲେ କଳଙ୍କିନୀ । ସେହି ଅପବାଦ ଘୁଞ୍ଚାଇବାକୁ ସେ ଦୁଆର ଦୁଆର ବୁଲିଛି । ଦି’ଦିନିଆ ସଂସାରରେ ଜଣେ ହେଲେ ଲୋକ ତା’ରି ହେଉ । ତା’ର ସବୁ ଦୋଷକୁ କ୍ଷମା ଦେଉ । ସବୁ ଦୁର୍ବଳତାକୁ ଛାତି ପତାଉ । କାହିଁ, ଜଣେ ତ ମିଳିଲା ନାହିଁ ।

 

ଭଲ ପାଇବାର ଖେଳ ଖେଳିବାକୁ ସମସ୍ତେ ଆଗଭର ହୋଇଛନ୍ତି । କିନ୍ତୁ ଭଲ ପାଇବାକୁ କେହି ଚେଷ୍ଟା କରି ନାହାନ୍ତି ବରଂ ଘୃଣା କରିବାକୁ ଚେଷ୍ଟା କରିଛନ୍ତି ।

 

ସଞ୍ଜୟକୁ ସେହି ବିସଦୃଶ ଚିଠି ଲେଖିଲା ପରେ ନିହାରବାଳା ସମସ୍ତଙ୍କ ସାଥିରେ ସମାନ ଭାବରେ ମିଶୁଥିଲା । ଲୁଗା ଦୋକାନୀ, ଫଳ ଦୋକାନୀ, ଗହଣା ଦୋକାନୀ, ଓକିଲ, ମାଷ୍ଟର, ଡାକ୍ତର, ଇଞ୍ଜିନିୟର, ଗାଉଁଲୀ ଆଉ ସହରୀ ଲୋକେ—ସମସ୍ତଙ୍କ ସାଙ୍ଗରେ ମିଶି ସେ ନିଜର ଅନୁଭବ—ସିଦ୍ଧି ବିଷୟଗୁଡ଼ିକୁ ପରଖ କରିଥିଲା ।

 

ସେଥିରୁ ସେ ପାଇଥିଲା ତା’ର ନହକା ଜୀବନର ଗୋଟିଏ ସତ କଥା—ଅଳ୍ପ ଜାଣିଥିବା ଲୋକେ, ଅଳ୍ପ ବୁଝିଥିବା ଲୋକେ ବେଶି ହୃଦୟବାନ୍ । ଯେଉଁମାନଙ୍କୁ ମଣିଷ ବୋଲି ଶିକ୍ଷିତ ଲୋକେ ଗଣନ୍ତି ନାହିଁ, ସେହିମାନେ କେବଳ ବ୍ୟବହାରରେ ଦେଖାଇ ଦିଅନ୍ତି ଯେ ତାଙ୍କର ହୃଦୟ ଅଛି । ଅଚିହ୍ନା ଲୋକେ ସବୁବେଳେ ଜଣାଇ ଦିଅନ୍ତି ଯେ ମଣିଷ ମନରୁ କେବେହେଲେ ସ୍ନେହ—ସୋହାଗର ଝର ଶୁଖିଯାଏ ନାହିଁ ।

 

ଆଉ ଜାଣିଥିବା ଲୋକେ ଓ ନିଜର ଲୋକେ ସବୁବେଳେ ଚେତାଇ ଦିଅନ୍ତି ଯେ ନିହାରବାଳା ଦିନକୁ ଦିନ ତଳକୁ ଖସିଯାଉଛି । ସେମାନେ ବୁଝାଇବାକୁ ଚେଷ୍ଟା କରନ୍ତି ଯେ ନିହାରବାଳାର ଜୀବନ ବୃଥା—ସେହି ଜୀବନ ଅଭିଷପ୍ତ ଓ ବିଷମୟ !

 

ନିହାରବାଳା ମରିଯାଉ । ସେତେବେଳେ ନ ଜାଣିଥିବା ଲୋକେ ମିତ୍ର । ତାଙ୍କର ଏହି କାମନା ନାହିଁ । ସେମାନେ ନିହାରବାଳା ବିଷୟରେ ନିର୍ବିକାର । ଆଉ ସବୁଠାରୁ ସଚେତନ ହେଉଛନ୍ତି ତାକୁ ଜାଣିଥିବା ଲୋକେ—ସେମାନେ ତାକୁ ଉପରକୁ ଉଠାଇବାକୁ ଥରେ ହେଲେ ହାତ ନ ଦେଖାଇ ତଳକୁ ଠେଲି ଦେବାକୁ ବାରମ୍ବାର ଗୋଇଠା ଦେଇଛନ୍ତି ।

 

ସମସ୍ତଙ୍କଠାରୁ ଆଘାତ ପାଇଲେ ସେହି ପରିଚିତ ଲୋକ, ସମାଜରୁ ଦୂରକୁ ଚାଲିଯିବା ଛଡ଼ା ଆଉ କ’ଣ ବାଟ ଅଛି ? ତେଣୁ ଚିହ୍ନା ଲୋକଙ୍କ ମେଳରେ ନିହାରବାଳା ଅଲଗା ହୋଇଯାଇଥିଲା ।

 

ସେ ସ୍ୱାଧୀନ ଜୀବନ କଟାଉଛି ବୋଲି ଏବେ ସମସ୍ତଙ୍କର ଅଭିଯୋଗ । ନିହାରବାଳା ଖବର ପାଏ । ଶୁଣିଲେ ଭାବେ ଯେପରି ସେ ଗୋଟାଏ ଭୁଲ କରିଛି । ସେ ସ୍ୱାଧୀନ ଭାବରେ ଜୀବନ କଟାଉଛି ।

 

ମନକୁ ପରଖ କରେ । ତା’ର ସ୍ୱାଧୀନତା କାହିଁ ? ଲୋକଙ୍କ ସାଙ୍ଗରେ ମିଶିବା ଛଡ଼ା ଆଉ ତ କୌଣସିଥିରେ ସ୍ୱାଧୀନ ନୁହେଁ ! ପରାଧୀନ ହେବ ନାହିଁ ବୋଲି ଏତେ ଦୂର ଆସିଛି । ସବୁଆଡ଼େ ସମସ୍ତେ ତାକୁ ପରାଧୀନ କରିଛନ୍ତି । ସେ ନିଜର ମନର ଅଧୀନ । ଭଲ ପାଇବାର ଅଧୀନ । ….ଭଲ ପାଇବା ତାହାର ବି କଳଙ୍କ ।

 

କଳଙ୍କର ଦାଗ ଧରି ଆକାଶରେ ଚାନ୍ଦ ବର୍ଷକୁ ବର୍ଷ ପହଁରି ଯାଉଛି । କଳଙ୍କ ଗତିରୋଧ କରିପାରି ନାହିଁ ।

 

ବଢ଼େ । ଛିଡ଼େ । ପୁଣି ବଢ଼େ ।

 

ଅଷ୍ଟମୀ ତିଥିରେ ଥରେ ପୁନେଇ ଆଡ଼କୁ ବଢ଼େ ଆଉ ଥରେ ଅମାସିଆ ଆଡ଼କୁ ଛିଡ଼େ ।

 

ନିହାରର ଜୀବନ କ’ଣ ଏତିକିର ଶେଷ?

 

ଶେଷ ପରି ତ ଲାଗେ ନାହିଁ ।

 

ତାକୁ ନିଜକୁ । ଆଉ ତାର ଜଣାଶୁଣା ଲୋକଙ୍କୁ ।

Image